Unknown

 

 

 

 

 

 

 

 

 

 

 

ଶିକ୍ଷାର ବିବେକ

ଚିତ୍ତରଞ୍ଜନ ଦାସ

 

ଉତ୍ସର୍ଗ

 

—ଅଧ୍ୟାପକ ଶ୍ରୀ ଅବନୀକୁମାର ବରାଳଙ୍କୁ

ଯାହାଙ୍କର କରିବା ସବୁବେଳେ କହିବାର

ଆଗେ ଆଗେ ଚାଲିଥାଏ:

ସେହି ବ୍ୟତିକ୍ରମଙ୍କୁ—

 

—ଲେଖକ

Image

 

ମୁଖବନ୍ଧ

 

ସର୍ବପ୍ରଥମ ଲେଖାଟିକୁ ଛାଡ଼ିଦେଲେ ଅନ୍ୟଗୁଡ଼ିକ ଧାରାବାହିକ ଭାବରେ ଏକଦା ‘ପୂର୍ଣ୍ଣାଙ୍ଗ ଶିକ୍ଷା—ପତ୍ର’ରେ ପ୍ରକାଶିତ ହୋଇଥିଲା । ଓଡ଼ିଶାରେ ଏକ ସବଳ ପ୍ରୟୋଗରୂପେ କ୍ରିୟାଶୀଳ ହୋଇ ରହିଥିବା ପୂର୍ଣ୍ଣାଙ୍ଗ ଶିକ୍ଷାର ମୁଖପତ୍ର ରୂପେ ସେହି ପତ୍ରିକା ସମଧର୍ମୀ ଆମ ଅନେକଙ୍କୁ ଏକ ଡାଇଲଗ୍‌ର ଅବସର ଯୋଗାଇ ଦେଇ ଏକତ୍ର ସାମନାସାମନି କରି ଧରି ରଖିଥିଲା-

 

ବନ୍ଧୁ ଭାଗ୍ୟଧର ସାହୁ ସେହି ରଚନା କେତୋଟିକୁ ଏକାଠି ପୁସ୍ତକ ଆକାରରେ ବାହାର କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି, ସେଥିଲାଗି ତାଙ୍କୁ ଧନ୍ୟବାଦ ଦେଉଛି ।

 

‘ପରିଶିଷ୍ଟ’ ରୂପେ ଏଥିସହିତ ବହୁପୂର୍ବରୁ ଦୁଇଟି ଲେଖା ଯୋଡ଼ି ଦିଆଯାଇଛି ।

 

—ଲେଖକ

Image

 

ସୂଚୀପତ୍ର

 

୧.

ପରିପୂର୍ଣ୍ଣତାର ଶିକ୍ଷା

ଆମେ କୃପା କଲେ ଯାହା ହେବ

୩.

ପରସ୍ପରେଣ ପରସ୍ପରଂ

୪.

କୃତ୍ରିମ ଓ କପଟୀର ସ୍ଵର୍ଗ

୫.

ସାଧନା ଭିନ୍ନ, ସନ୍ତକ ବି ଭିନ୍ନ

୬.

ଏସବୁ ସମ୍ପତ୍ତି କାହାର ?

୭.

ଏକ ଶ୍ରମଣ-ଶିବିରର ସଂସ୍କରଣରେ

୮.

ଉତ୍ସାହ

୯.

କଳି ଯଦି କରି ବସିବ

୧୦.

ଏକ ମାନୁଷେ ସେଇ ମାନୁଷ୍ ଆଛେ

୧୧.

ଦୁଇ ପ୍ରକାରର ବିବେକ

୧୨.

ଆମ ନିର୍ଭରର ଅସଲ ସ୍ଥାନ

୧୩.

ଜଣେ ଅଭିଭାବକଙ୍କ ଚିଠି

୧୪.

ପୁତ୍ ନାମକ ନରକରୁ

୧୫.

ନେତୃତ୍ଵ ଓ କର୍ତ୍ତୃତ୍ଵ

୧୬.

ପିଲାର ଆର୍ଦଶ

୧୭.

ବୁଝିବା ଓ ବିଚାର କରିବା

୧୮.

ଉତ୍ତମ ଶିକ୍ଷାର ଆଡ଼ମ୍ବର

୧୯.

ପଳାୟନର ପଚାଶ ବାଟ

୨୦.

ପ୍ରୟୋଗରୁ ପ୍ରମାଦ

୨୧.

ଚେତନା-ଅଚେତନା

୨୨.

ଆମ ପ୍ରଭାବ ଆଉ କ’ଣ ପଡ଼ିଲା ?

୨୩.

ଆଧ୍ୟାତ୍ମିକ ଶିକ୍ଷା

୨୪.

ଶିକ୍ଷା ଅଶିକ୍ଷାର ବିଡ଼ମ୍ବନା

୨୫.

ସଂକ୍ରମଣର ଆଉ ଏକ ସୂତ୍ର

୨୬.

ଏଥର କର୍ମଶିବିରର କାହାଣୀ

୨୭.

ଭଗବାନ ଯେତେବେଳେ

୨୮.

ଅଗ୍ନିଶିଖା ସଦୃଶ

୨୯.

ପୋଖରୀଖୋଳା ଭୂତ

୩୦.

ସଂସାରରେ ଥାଇ ବି ବୈରାଗୀ ପରି

୩୨.

ସଂସ୍କାରର ଅପକରାମତି

୩୩.

ଶାନ୍ତି, ସଙ୍ଗତି, ସମଞ୍ଜସତା

୩୪.

ସତ୍ୟାଗ୍ରହୀ-ସତ୍ୟଗ୍ରାହୀ

୩୫.

ରୁଷୋଙ୍କ କଥାରୁ ଖିଅଟିଏ

୩୬.

ଲକ୍ଷ୍ୟହୀନର ଅନେକ ଲକ୍ଷ୍ୟ

୩୭.

ସୂତ୍ରେଣ ନୈବ ନୈବ ଚ

୩୮.

ଲଙ୍ଗଳ ଯାହାର ଜମି ତାହାର

୩୯.

ଏ ଘର ମାରା ହୁଏ ନାହିଁ

୪୦.

ପୃଥିବୀ ରହିଲେ ଯାଇ ମୋ’ ଘର ରହିବ

୪୧.

ଚଉକି-ପ୍ରହସନର କଥା

୪୨.

ସମ୍ମତମାନଙ୍କର ମିଳନୀ-ସମ୍ମିଳନୀ

୪୩.

ଖୁସି, ଖୁସି, ଖୁସି

୪୪.

ନୂଆ କେତେ ନିକଟ

୪୫.

ଶିକ୍ଷକର ସମର୍ପଣ

୪୬.

ଯେଉଁମାନେ ନ ବଦଳିବେ

ପରିଶିଷ୍ଟ

 

ଓଡ଼ିଶାର ଶିକ୍ଷାୟତନ

 

ଏକ ଭାଷଣ

Image

 

ପରିପୂର୍ଣ୍ଣତାର ଶିକ୍ଷା

 

ପରମ ସତ୍ୟର ଉପଲବ୍ଧି ହେଉଛି ଜୀବନର ଲକ୍ଷ୍ୟ । ସେହି ଲକ୍ଷ୍ୟଟି ଦିଗରେ ଅଗ୍ରସର ହେବାର ମାର୍ଗ ହେଉଛି ଯୋଗ । ଆଗେ ଯୋଗ କହିଲେ ଜୀବନ ଭିତରୁ ପଳାଇ ଯିବାକୁ ବୁଝାଉଥିଲା । ଗୋଟାଏ ପାଖରେ ଯୁକ୍ତ ହୋଇପାରିବା ଲାଗି ଆଉ ଗୋଟାଏ ପାଖରେ ବିଯୁକ୍ତ, ବିଲଗ ଓ ବିଚ୍ଛିନ୍ନ ହୋଇ ରହିବାକୁ ବୁଝାଉଥିଲା । ଭଗବାନଙ୍କ ସହିତ ଯୁକ୍ତ ହୋଇ ପାରିବା ଲାଗି ସଂସାରଠାରୁ ବିଲଗ ଓ ବିଚ୍ଛିନ୍ନ ହୋଇ ଯିବାକୁ ବୁଝାଉଥିଲା । କାରଣ ସେହି ମାର୍ଗଟି ଭଗବାନଙ୍କୁ ସତ୍ୟ ବୋଲି ଅନୁଭବ କରିପାରିବା ଲାଗି ସଂସାରକୁ ମିଥ୍ୟା ବୋଲି କହିବାକୁ ବାଧ୍ୟ ହେଉଥିଲା । ଏହି ସଂସାର ଯେ ତାଙ୍କରି ସଂସାର, ତାଙ୍କରି ଇଚ୍ଛାର ଅଭିବ୍ୟକ୍ତି ଏବଂ ଏହି ସଂସାର ଭିତରେ ଯେ କେବଳ ସେଇ ପୂର୍ଣ୍ଣ ହୋଇ ରହିଛନ୍ତି, ଏହି ସଂସାରର ଚାଳକଶକ୍ତି ରୂପେ କେବଳ ସେଇ ଯେ ଏଠି ଅବସ୍ଥିତ ଅଛନ୍ତି, ପୁରୁଣା ଯୋଗର ପାଠଟି ଭିତରେ ଏହି କଥାଟିକୁ ବୁଝି ପାରିବା ଲାଗି ଆଦୌ କୌଣସି ବାଟ ନଥିଲା ।

 

ଯୋଗ ହେଉଛି ପରମ ସତ୍ୟକୁ ଉପଲବ୍ଧି କରିବାର ମାର୍ଗ । ଏହି ଯୋଗ ଆତ୍ମପରିପୂର୍ଣ୍ଣତାର ଯୋଗ । ଆମେ ଆଗରୁ କର୍ମଯୋଗ କଥା ଶୁଣୁଥିଲୁ, ଜ୍ଞାନଯୋଗ ଓ ଭକ୍ତିଯୋଗ କଥା ଶୁଣୁଥିଲୁ । ସବୁଯାକ ଶାଖାଠାରୁ ଆପଣାକୁ ଉତ୍କୃଷ୍ଟତର ବୋଲି ପ୍ରତିପାଦିତ କରିବାକୁ ମନ କରୁଥିବା ରାଜଯୋଗର କଥା ବି ଶୁଣୁଥିଲୁ । ଅର୍ଥାତ୍, କିଏ କହୁଥିଲେ କର୍ମ ହିଁ ଅସଲ, କିଏ କହୁଥିଲେ ଜ୍ଞାନ ହିଁ ଅସଲ, ପୁଣି ଆଉକିଏ ଭକ୍ତିକୁ ହିଁ ଅସଲ ବୋଲି କହିବା ସଙ୍ଗେ ସଙ୍ଗେ ତାହାକୁ ସତ୍ଵରତମ ବୋଲି ମଧ୍ୟ କହୁଥିଲେ । ଗୀତା ପ୍ରଭୃତି ସମନ୍ଵୟଶାସ୍ତ୍ରରେ ଯାବତୀୟ ଯୋଗମାର୍ଗକୁ ପରସ୍ପରର ପରିପୂରକ ଏବଂ ଯେକୌଣସି ଆକାଙ୍‌କ୍ଷିତ ଜୀବନଯୋଗର କେବଳ ଗୋଟିଏ ଗୋଟିଏ ବିଭାବ ବୋଲି କୁହାଯାଇଥିଲେ ମଧ୍ୟ ଆମ ସାଧନାର ପରମ୍ପରାରେ କର୍ମଯୋଗ ସହିତ ଭକ୍ତିଯୋଗର ଲଢ଼ାଇ ହେଉଥିଲା, ଭକ୍ତିଯୋଗ ସହିତ ଜ୍ଞାନଯୋଗର ବି ଲଢ଼ାଇ ହେଉଥିଲା-। ତଥାକଥିତ ଭକ୍ତିଯୋଗୀ, ଜ୍ଞାନଯୋଗୀ ଆଉ କର୍ମଯୋଗୀମାନେ ଆପଣାର ଆକାଶଟି ମଧ୍ୟରେ କେବଳ ଆପଣାର ମାର୍ଗଟିକୁ ଦେଖିବା ଲାଗିହିଁ ସମର୍ଥ ହେଉଥିବାରୁ ଏହିସବୁ ପ୍ରମାଦର ଅବକାଶ ସୃଷ୍ଟି ହେଉଥିଲା ଏବଂ ସେହି ପ୍ରମାଦଗୁଡ଼ାକର ହୃଦୟହୀନ ଚକ୍ରାନ୍ତ ଭିତରେ ପଡ଼ିଯାଇ ସବୁଯାକ ଯୋଗ ହୁଏତ କେବଳ ଏକ ଆଡ଼ମ୍ବରପୂର୍ଣ୍ଣ ବିଷାଦଯୋଗରେ ହିଁ ପରିଣତ ହୋଇ ରହୁଥିଲା-

 

ଏବଂ ଶିକ୍ଷା ହେଉଛି ଆତ୍ମ-ପରିପୂର୍ଣ୍ଣତାର ମାର୍ଗ । ଆପଣାକୁ ପରିପୂର୍ଣ୍ଣ କରି ଜାଣିବାର ଅର୍ଥ ହେଉଛି ଆପଣା ଜୀବନର ଯାବତୀୟ ଭୂମି ଏବଂ ଯାବତୀୟ ଆକୂତିକୁ ସେହି ପରମସତ୍ୟର ଏକ ଭୂମି ତଥା ସେହି ପରମ ସତ୍ୟ ଲାଗି ଏକ ଆକୂତିରେ ହିଁ ପରିଣତ କରିଦେବା,—ଆପଣାର ସମଗ୍ର ଜୀବନଟିକୁ ଏକ ପରମ ଆତ୍ମୀୟତାରେ ପୂର୍ଣ୍ଣ କରିରଖିବା । ଆମର ଏହି ସଂସାରରେ ଯୁଗେ ଯୁଗେ ସ୍ଵାର୍ଥ ଓ ପରମାର୍ଥ ମଧ୍ୟରେ ବାଦ ଓ ବୈର ଲାଗି ଆସିଛି । ଏହି ବାଦର କୌଣସି ମୀମାଂସା ହୁଏତ ଆଜି ମଧ୍ୟ ଧୋଇ ପାରିନାହିଁ । ଆର୍ଦଶବାଦଗୁଡ଼ାକ ଆମକୁ ଏଇଟାକୁ ଛାଡ଼ି ସେଇଟାକୁ ଯାବୁଡ଼ି ଧରିବାକୁ, ଅର୍ଥାତ୍ ଏହି ସିଂହର ମୁହଁ ଭିତରୁ ବାହାରି ସେହି ସିଂହଟାର ମୁହଁ ଭିତରେ ଯାଇ ପଶିଯିବାକୁ ଓ ତାହାରିଦ୍ଵାରାହିଁ ତରିଯିବାକୁ ପରାମର୍ଶ ଓ ପ୍ରରୋଚନା ଦେଇ ଆସିଛନ୍ତି । ପାର୍ଥିବକୁ ଧୂଳିଲୁଣ୍ଠିତ କରି ଆମର ପରମାର୍ଥଟା ସତେଅବା ଏକ ତୁଙ୍ଗ ବିଜୟ ହାସଲ କରି ପକାଇଥିଲା ପରି ଭ୍ରମ କରିଛି, ଆସ୍ପର୍ଦ୍ଧା ମଧ୍ୟ କରଛି । ପୁନଶ୍ଚ, ବେଳେବେଳେ ଆମେ ଏକ ବଡ଼ ଚମତ୍କାର ପ୍ରୟୋଜନବୁଦ୍ଧି ଦ୍ଵାରା ପରିଚାଳିତ ହୋଇ ପାର୍ଥିବ ଓ ପରମାର୍ଥ ମଧ୍ୟରେ ସତେଅବା ଏକ ସହାବସ୍ଥାନର ବି ଚିନ୍ତା କରିବସିଛୁ । ଅର୍ଥାତ୍, ପାର୍ଥିବ ରହିବ ଓ ପରମାର୍ଥ ବି ରହିବ । ପାର୍ଥିବ ଥାନରେ ପାର୍ଥିବ ରହିବ ଓ ପରମାର୍ଥ ଥାନରେ ପରମାର୍ଥ ରହିବ । ପାର୍ଥିବ ବେଳେ ପାର୍ଥିବ ରହିବ ଓ ପରମାର୍ଥ ବେଳେ ପରମାର୍ଥ ରହିବ—ଆମେ ଏହିପରି ଏକ ଭ୍ରାନ୍ତି ଭିତରେ ଆସି ପଡ଼ିଯାଇଛୁ । ଜୀବନଟାକୁ ସତେଅବା ଦୁଇଟା ବ୍ୟୂହରେ ବାଣ୍ଟିଦେଇ ଆମେ ପର୍ଯ୍ୟାୟକ୍ରମେ ଦୁଇଟାଯାକ ଭିତରେ ଜୀବନ ବଞ୍ଚିବା ଲାଗି କେତେ କେତେ ଚେଷ୍ଟା କରିଛୁ । କେତେମନ୍ତେ ସଫଳ ହୋଇଛୁ, ଆପଣାକୁ ଚତୁର ବୋଲି ସାବ୍ୟସ୍ତ କରିଛୁ । ମାତ୍ର ଆମ ସମାଜିକ ଜୀବନର ସ୍ତରକୁ ଆସି ସେହି ଭ୍ରାନ୍ତି ଆମକୁ କେତେ କେତେ ସାଲିଶ୍ ଭିତରେ କୁଆଡ଼େ ବାଟ ହୁଡ଼ାଇଦେଇ ଯାଇଛି, ଆମର ଦର୍ପଣଟିକୁ ସତେଅବା ଏକାବେଳକେ ଚହଲାଇ ଦେଇ ଯାଇଛି, ଆମ ଇତିହାସକୁ ସତେଯେପରି କେତେ କେତେ ବିଡ଼ମ୍ବନା, ବଞ୍ଚନା ଏବଂ ପ୍ରତାରଣା ଭିତରେ ଭାରି କୁତ୍ସିତ କରି ପକାଇଛି । ଏବଂ, ଆମ ସଂସାର ଭିତରୁ ସତ୍ୟ ବହିଷ୍କୃତ ହୋଇ ରହିଛି, ଭଗବାନ ବି ବହିଷ୍କୃତ ହୋଇ ରହିଛନ୍ତି ।

 

ଏହିପରି ଏକ ଅସଂସାର ଲାଗି ଯାହା ଆମକୁ ଆବଶ୍ୟକ କୌଶଳ ଓ ଆବଶ୍ୟକ ବିଦ୍ୟାଗୁଡ଼ିକୁ ଶିଖାଇ ଆମକୁ ଭାରି ଚମତ୍କାର ଭାବରେ ସେଥିଲାଗି ମଣ କରି ରଖିବାର ଅଭିପ୍ରାୟ ରଖି ଆସିଛି, ସେଇ ହେଉଛି ଆମର ପ୍ରଚଳତି ଶିକ୍ଷା । ଏହି ଶିକ୍ଷାରେ ଆଡ଼ମ୍ବର ଅନେକ ଅଛି, ମାତ୍ର ଅନୁଭୂତି ନାହିଁ । ଏଥିରେ ଅହମିକା ଅନେକ ରହିଛି, ମାତ୍ର ଆତ୍ମୀୟତା ନାହିଁ । ଅନ୍ତତଃ ଆପଣା ସହିତ ମଧ୍ୟ ଆମ ପ୍ରତ୍ୟେକଙ୍କର ଯେଉଁ ଆତ୍ମୀୟତା ରହିପାରନ୍ତା, ଯାହାକୁ ମୂଳଖୁଣ୍ଟ କରି ଆମେ ହୁଏତ ପରବର୍ତ୍ତୀ ଅର୍ଜନ ତଥା ଆରୋହଣଗୁଡ଼ିକ ଲାଗି ମନ କରିପାରନ୍ତେ, ଆମ ଭିତରେ ସେତିକି ଆତ୍ମୀୟତା ବି ନାହିଁ । ଆମର ବହିପାଠ, ଆମର ସଂସାରଶାଠ ଓ ଶିକ୍ଷିତତା ନାମରେ ଆମଦ୍ଵାରା ଉପାର୍ଜିତ ଯାବତୀୟ ଶଠତା ଆଉ ଯେଉଁଠି ଯାହାକିଛି କହୁଥାଉ ପଛକେ, ତାହା ଆମ ନିଜଠାରୁ ମଧ୍ୟ ଆମର ଖିଅ ଛିଡ଼ାଇ ନେଉଛି, ଆମର ନିଜ ଚାହାଳୀଗୁଡ଼ାକରେ ବି ଆମକୁ ଚୋର କରି ରଖୁଛି, ଗୁଡ଼ାଏ ସଂଶୟ ଓ ତଜ୍ଜନିତ ଗୁଡ଼ାଏ ଅଶ୍ରଦ୍ଧାରେ ତାହା ଆମ ଯାବତୀୟ ପରିଚିତ ତଥା ସମ୍ପର୍କର କ୍ଷେତ୍ରରେ ଆମକୁ ବଡ଼ ନିର୍ମମ ଭାବରେ ଭାରାକ୍ରାନ୍ତ କରି ରଖୁଛି । ଏବଂ ଯେଉଁଠି ନିଜ ସହିତ ଆତ୍ମୀୟତା ନାହିଁ; ଯେଉଁଠାରେ ନାନାବିଧ ତ୍ରାସରେ ଆମେ ନାନା ପ୍ରକାର କୌଶଳ କରି ଆମ ଆପଣାଠାରୁ ବି ଦଉଡ଼ି ଛିଡ଼ାଇ ପଳାଇ ଯିବାକୁ ବସିଛୁ, ସେଠି ସଂସାର ସହିତ ବି ଆମର ଆଉ କେଉଁଠିକି ଖିଅ ଲାଗି ପାରିବ ବା କିପରି ଆଉ କୌଣସି ଥାନରେ ଆମେ ପ୍ରକୃତରେ କାହାରି ସହିତ ଆତ୍ମୀୟତା ଅର୍ଜନ କରି ପାରିବା ?

 

ନୂତନ ଶିକ୍ଷା ବୋଲି ଯାହା ଏବେ ଆମ ଲାଗି ଆମ ଦୁଆରେ ଅପେକ୍ଷା କରି ରହିଛି, ତାହା ହେଉଛି ଆମକୁ ଏହି ଆତ୍ମୀୟତାର ବେଢ଼ଟି ମଧ୍ୟକୁ ଫେରାଇ ଆଣିବାର ଶିକ୍ଷା । ଆମକୁ ଏକ ଶ୍ରଦ୍ଧାର ଉଦବୋଧନ ମଧ୍ୟକୁ ଫେରାଇ ନେଇ ଆସିବାର ଶିକ୍ଷା । ଯେଉଁଠି ଆତ୍ମୀୟତା ରହିଥାଏ, ସେଠାରେ ଏକ ସମଗ୍ର ଦୃଷ୍ଟି ମଧ୍ୟ ଥାଏ; ଜୀବନ ସହିତ ଏକ ସମଗ୍ର ସ୍ପର୍ଶଲାଭର ସାମର୍ଥ୍ୟ ମଧ୍ୟ ଥାଏ । ଯିଏ ଶ୍ରଦ୍ଧାରେ ବଞ୍ଚୁଥାଏ, ସିଏ ଶ୍ରଦ୍ଧା ଦେଇପାରେ; ଶ୍ରଦ୍ଧାର ଭାଜନ ବି ହୋଇପାରେ । ସିଏ ସଂସାରରେ ସବୁଠାରେ ସମସ୍ତଙ୍କର କଥା ଓ ସମସ୍ତଙ୍କର ଭାଷାକୁ ବୁଝିପାରେ, ଜୀବନଟା ତାକୁ ସତେଅବା ଏକ ଆମନ୍ତ୍ରଣ ବୋଲି ମନେ ହେଉଥାଏ । ତାକୁ ଆପଣା ଭିତରେ ଆଉ ଭାଗ ଭାଗ ହୋଇ ରହିବାକୁ ପଡ଼େ ନାହିଁ; ଆପଣାର ଜୀବନ—କ୍ଷେତ୍ରଟିକୁ ପାର୍ଥିବ ପରମାର୍ଥ ମଧ୍ୟରେ ଦୁଇଖଣ୍ଡ କରି ବାଣ୍ଟି ଦୁହିଁଙ୍କ ମଧ୍ୟରେ ଯଥାସମ୍ଭବ ଏକ ଅସମ୍ଭବ ସାଲିଶ ବଜାୟ ରଖିବାର ନିତ୍ୟଶ୍ରମ କରିବାକୁ ବି ପଡ଼େ ନାହିଁ । ତା’ର ଦିନ ତା’ର ରାତିକୁ ଡରେ ନାହିଁ, ତା’ର ବର୍ତ୍ତମାନ ତା’ର ଭବିଷ୍ୟତକୁ ଡରେ ନାହିଁ; ତା’ର ଭୂମିଗୁଡ଼ାକ ତା’ର ଗିରିଶିଖରଗୁଡ଼ାକୁ ମଧ୍ୟ ଡରନ୍ତି ନାହିଁ । ଶାସ୍ତ୍ରର ଭାଷାରେ କହିଲେ, ସଂସାରଟା ତାକୁ ସତେଅବା ମାତୃକ୍ରୋଡ଼ ପରି ଲାଗୁଥାଏ ।

 

ନୂତନ ଶିକ୍ଷା ହେଉଛି ଜୀବନଟା ଭଲ ଲାଗିବାର ଶିକ୍ଷା । ଜୀବନରେ ଯାହା ହୋଇଛି, ଯାହା ହେବାରେ ଲାଗିଛି ଓ ଯାହା ହେବାକୁ ଆହୁରି ବାକି ରହିଛି, ଏଇ ସବୁଯାକହିଁ ପ୍ରଗାଢ଼ ଭାବରେ ଭଲ ଲାଗିବାର ଶିକ୍ଷା । ଆପଣାର ଜୀବନକୁ ଏକ ଆଶୀର୍ବାଦରୂପେ ଗ୍ରହଣ କରିବାର ଶିକ୍ଷା, ଆପଣାର ଅର୍ଜନଗୁଡ଼ିକୁ ଏକ ବୃହତ୍ତର ସମ୍ଭାବ୍ୟତା ସକାଶେ ବ୍ୟବହାର କରି ପାରିବାର ଶିକ୍ଷା । ଯିଏ ଯାହାକୁ ଭଲପାଏ, ତାକୁ ସେ କଦାପି ଯାବୁଡ଼ି କରି ରଖେନାହିଁ । ଆମେ ବି ଯେତେବେଳେ ଆମ ଜୀବନଟିକୁ ଭଲ ପାଇବା, ଆମେ ତାହାକୁ କେବେହେଲେ କୌଣସି ପ୍ରକାର ପାଚେରୀ ଭିତରେ, କୌଣସି ପ୍ରକାରର ମୁଗ୍ଧତା ଅଥବା ମୂଢ଼ତା ଭିତରେ ଯାବୁଡ଼ି କରି ଧରିବାକୁ କଦାପି ଯିବାନାହିଁ, ଏଇଟିକୁ କେବଳ ଆପଣାର ବୋଲି କହି ଆମେ ତାହାକୁ କଦାପି ଲୁଚାଇ ରଖିବାକୁ ମଧ୍ୟ ଯିବା ନାହିଁ । ଆମେ ତାହାକୁ କଦାପି ଲୁଚାଇ ରଖିବାକୁ ମଧ୍ୟ ଯିବା ନାହିଁ । ଆମେ ନିଜର ଖୋଳଗୁଡ଼ିକ ଭିତରୁ ବାହାରି ଆସି ପାରିବା । ଉନ୍ମୋଚିତ ହେବା, ଉଦ୍‌ଘାଟିତ ହୋଇଯିବା, ଆଲୋକଧୌତ ହେବା । ସେତେବେଳେ ଆମର ଉପନୟନ ହୋଇଯିବ, ନବଜନ୍ମ ଘଟିବ । ଆମେ ଯଥାର୍ଥରେ ଯାହାର, ସେଇ ଆମକୁ ସ୍ୱୀକାର କରିନେବ, ଆମକୁ ନିର୍ବାଚିତ କରିନେବ ।

 

The Aspiration,

ଶ୍ରୀ ଅରବିନ୍ଦ ସ୍ମୃତି-ମନ୍ଦିର, ସ୍ମରଣିକା, ବାଲେଶ୍ଵର

ଫେବୃଆରୀ,୧୯୭୭

Image

 

ଆମେ କୃପା କଲେ ଯାହା ହେବ

 

ଭଗବାନ କୃପା କଲେ କ’ଣ ସବୁ ସମ୍ଭବ ହୁଏ, ସେହି ବିଷୟରେ ଆମ ଶାସ୍ତ୍ରମାନଙ୍କରେ ଅସୁମାରି କେତେ କ’ଣ ଲେଖା ହୋଇ ରହିଛି । ଆମ ସମାଜର ପଣ୍ଡିତମାନେ ଆମକୁ ଯୁଗଯୁଗ ଧରି ସେହି ବିଷୟରେ କେତେ କେତେ ପ୍ରବଚନ ଦେଇ ଆସିଛନ୍ତି । ଏହି ପରମ୍ପରାଟି ଅନୁସାରେ ଭଗବାନଙ୍କୁ କୃପାମୟ, କୃପାସିନ୍ଧୁ ଓ କୃପାନିଧି ପ୍ରଭୃତି କେତେ କେତେ ବିଶେଷଣ ଲଗାଇ ପ୍ରାର୍ଥନା କରାଯାଇଛି । ସିଏ କୃପା କଲେ ପଙ୍ଗୁ ଗିରି ଲଂଘନ କରିପାରିବ, ମୂକର ବାକ୍‌ସ୍ଫୂରଣ ହୋଇ ପାରିବ, ଆମକୁ ଉତ୍ସାହ ଦେବାପାଇଁ ଏପରି କେତେ ପ୍ରଶସ୍ତିବାକ୍ୟର ବୟାନ ହୋଇଛି । ଆମେ ନିଜେ ଆଗ ପର୍ବତ ଲଂଘିବାକୁ ଇଚ୍ଛାକଲେ ଓ ସେହି କାର୍ଯ୍ୟଟିକୁ ପ୍ରକୃତରେ କରିବା ପାଇଁ ସର୍ବବଳର ଅଧିକାରୀ ଭଗବାନଙ୍କୁ ପ୍ରାର୍ଥନା କଲେ ଯାଇ ଯେ ଆମ ଲାଗି ତାଙ୍କର କୃପା ଉପଲବ୍ଧ ହୋଇପାରିବ, ଶାସ୍ତ୍ରରେ ଏହି ଅସଲ କଥାଟିକୁ ସେଡ଼େ ସ୍ପଷ୍ଟ ଭାବରେ କେଉଁଠିହେଲେ କୁହା ହୋଇ ନାହିଁ । ଆମେ ନିଜେ ଆଗ ବାକ୍‌ସ୍ଫୂରଣ ଲାଗି ମନକଲେ ଓ ସେଥିପାଇଁ ଆମକୁ ଅନୁରୂପ ଶକ୍ତି ଦେବାଲାଗି ସକଳ ଶକ୍ତିର ନିଧାନଙ୍କ ପାଖରେ ପ୍ରାର୍ଥନା କଲେ ଯାଇ ଯେ ତାଙ୍କର ଶକ୍ତି ଓ କୃପା ଆମଲାଗି ଉତ୍ସାରିତ ହୋଇ ଆସିବ, ଏହି କଥାଟିକୁ ଯଥେଷ୍ଟ ମହତ୍ତ୍ୱ ଦେଇ ଶାସ୍ତ୍ରକାରମାନେ ବେଶି କିଛି କହିନାହାନ୍ତି । ଆମେ ପର୍ବତ ଲଂଘିବାକୁ ମନ ନକଲେ ମଧ୍ୟ ଯେ ଭଗବାନ ନିଜଆଡ଼ୁ ପ୍ରଲୁବ୍ଧ ହୋଇ ଆମକୁ କୃପା କରିବେ ଓ ଆମେ ରାଜି ନଥିଲେ ମଧ୍ୟ ଆମର କାନଧରି ଆମକୁ ପର୍ବତ ପାର କରାଇ ନେଇଯିବେ, ଏହି କଥାଟି ସତ ହୋଇଥିବ ବୋଲି କ’ଣ ଆମେ ପ୍ରକୃତରେ ବିଶ୍ୱାସ କରୁଛୁ ? ତେଣୁ ପ୍ରଥମେ ସମ୍ମତି, ଆମର ସମ୍ମତି । ଆମର ଅସଲ ରଜ୍ଜୁଗୁଡ଼ିକୁ ସତକୁ ସତ ତାଙ୍କ ହାତରେ ଧରାଇଦେବା କାମ ଆମ ନିଜର, ତାଙ୍କର ଆଦୌ ନୁହେଁ ।

 

ଆମର ଅନ୍ତର ଭିତରେ କୁସୁମକଳିଟିଏ ପୂର୍ଣ୍ଣବିକଶିତ ହୋଇ ତାଙ୍କରି ପାଦରେ ନିବେଦିତ ହେବ ବୋଲି କୋଉ କାଳରୁ ଅପେକ୍ଷା କରି ରହିଛି । ଆମେ କୃପାକଲେ ଯାଇ ମଝିରେ ଅନ୍ତରାୟ ହୋଇ ଛିଡ଼ା ହୋଇଥିବା ଅହଂକାରର ଏହି କବାଟଗୁଡ଼ାକ ଖୋଲିଯାଇ ପାରିବ, ଏବଂ ସେହି କଳିଟିର ସୂର୍ଯ୍ୟଦର୍ଶନ ସମ୍ଭବ ହେବ । ଆମେ ତାଙ୍କରି ନାମରେ ବିଦ୍ୟାଳୟ ବୋଲି ଯେଉଁ ମନ୍ଦିରଗୁଡ଼ିକୁ ତିଆରି କରିବୁ ବୋଲି ବାହାରିଛୁ, ଆମେ କୃପା କଲେ ଯାଇ ସେହି ମନ୍ଦିରଗୁଡ଼ିକ ତାଙ୍କରି ଯୋଗ୍ୟ ହୋଇପାରିବ, ଅସଲ ଆସନଗୁଡ଼ିକରେ ପ୍ରକୃତରେ ସେଇ ଆସି ବସି ପାରିବେ । ବର୍ତ୍ତମାନ ଏହି ଆସନଗୁଡ଼ାକରେ ସିଏ ବସିନାହାନ୍ତି, ଆମେ ବସିଛୁ;—ଆମେ ହିଁ ଏଡ଼େ ଏଡ଼େ କବାଟର ଆକାର ଧାରଣ କରି ତାଙ୍କର ଆଗମନ-ପଥଟିକୁ ଅବରୁଦ୍ଧ କରି ରଖିଛୁ, ତାଙ୍କ ଆଗମନର ମୁହୂର୍ତ୍ତଟିକୁ ବିଳମ୍ବିତ କରି ରଖିଛୁ ।

 

ଆମେ କୃପା କଲେ ଯାଇ ଆମ ଦୁଆରଟି ଖୋଲିଯାଇ ପାରିବ । ଦୁଆରଟି ଖୋଲିବ ବୋଲି ଅପେକ୍ଷାକରି ଯିଏ ଦୁଆର ବାହାରେ ଆମକୁ ଜନ୍ମ ଜନ୍ମ ଧରି ଅପେକ୍ଷା କରି ବସିଛନ୍ତି, ଆମେ ସମ୍ମତ ହୋଇ ଦୁଆରଟିକୁ ଖୋଲିଦେଲେ ଯାଇ ସିଏ ଘର ଭିତରକୁ ଆସିବେ, ଆମର ଏହି ଜୀବନରୂପୀ ସଦନଟିକୁ ପବିତ୍ର କରି ଦେବେ । ଆମେ କୃପା କଲେ ଯାଇ ଆମର ଏହି ଯାବତୀୟ କୃତ୍ରିମତାର ପରିପାଟୀଗୁଡ଼ାକ ଆମ ଉପରୁ ସମ୍ପୂର୍ଣ୍ଣ ଭାବରେ ତଳକୁ ଖସି ପଡ଼ିବ ଏବଂ ଆମର ବିମୋଚନ ଘଟାଇବ । ଆପଣାକୁ କୃପା କରିବାର ଅର୍ଥ ହେଉଛି ଆପଣାକୁ ଏକ ଯନ୍ତ୍ର ରୂପେ ତିଆରି କରି ରଖିବାଲାଗି ସମ୍ମତି ଦେବା । ଆମର ଅସଲ ନିୟତିଟି ଯାହା, ତାହା ହିଁ ହେବାଲାଗି ଓ ତେଣୁ ଆମଲାଗି ଅଭିପ୍ରେତ ହୋଇ ରହିଥିବା ପଥରେ ଅଗ୍ରସର ହେବାଲାଗି ସମ୍ମତି ଦେବା । ଏହି ସମ୍ମତି ଆମେ ଦେବା କି ନାହିଁ, ସେକଥା ବାହାରୁ କୌଣସି ଭଗବାନ ଆସି ନିଷ୍ପତ୍ତି କରିବେ ନାହିଁ, ଆମ ନିଜକୁ ହିଁ ସେହି ନିଷ୍ପତ୍ତିଟିକୁ କରିବାକୁ ପଡ଼ିବ । ତା’ ନହେଲେ, ଆମର ଏହି ମୁଖାଗୁଡ଼ିକ ହିଁ ଆମ ଜୀବନଘରେ ଆମର ଭର୍ତ୍ତାହୋଇ ରହିଥିବେ, ଆମକୁ ଉଗ୍ର କରି ରଖିଥିବେ, ଭୀରୁ କରି ରଖିଥିବେ; ଆମେ ପ୍ରକୃତରେ ଯାହା ନୋହୁଁ, ଆମକୁ ସେହିସବୁ ନାନା ବେଶରେ ନାନାମନ୍ତେ ନଚାଇବାରେ ଲାଗିଥିବେ ।

 

ଆପଣା ଉପରେ କୃପା କଲେ ଆମେ ସେହି କ୍ରମରେ ଆଉ ପାଦେ ଆଗକୁ ଯାଇ ପରସ୍ପର ଉପରେ ମଧ୍ୟ କୃପା କରି ପାରିବା । ଅର୍ଥାତ୍‌, ପରସ୍ପରକୁ ସ୍ୱୀକାର କରିନେଇ ପାରିବା । ପରସ୍ପର ସହିତ ପ୍ରତିଦ୍ୱନ୍ଦିତା କରିବାକୁ ଆଉ ମୋଟେ ମନ କରିବା ନାହିଁ । ତା’ପରେ ପରସ୍ପରକୁ ଗିଳି ପକାଇବାର ଯାବତୀୟ ଧନ୍ଦା ଆମକୁ ପ୍ରକୃତରେ ଭାରି ଲଜ୍ଜାକର ମନେହେବ । ପରସ୍ପରକୁ ସ୍ୱୀକାର କରିନେଲେ ଆମେ କେଡ଼େ ପ୍ରମାଦମୁକ୍ତ ଭାବରେ ଏକାଠି ଅସଲ ପଂକ୍ତିଗୁଡ଼ିକରେ ଯାଇ ବସିପାରିବା । ତା’ହେଲେ ପରସ୍ପର ପାଖରେ କୃତ୍ରିମ ହେବାଲାଗି, ଯାବତୀୟ ପ୍ରକାରର ମିଥ୍ୟାଭାଣ କରିବାଲାଗି ଆଉ ଆଦୌ କୌଣସି ଆବଶ୍ୟକତା ରହିବନାହିଁ । ପରସ୍ପରକୁ ଭେଟିବା ମାତ୍ରକେ ଆମର ଦୁଆରଗୁଡ଼ିକ ଭାରି ସହଜରେ ଖୋଲିଯାଇ ପାରୁଥିବ । ତା’ପରେ ଚାଲାଖ ହେବାକୁ, ଅଭିନୟ କରିବାକୁ ଏବଂ କର୍ତ୍ତୃତ୍ଵ ଦେଖାଇବାକୁ ଆମକୁ ଆଦୌ ଭଲ ଲାଗିବ ନାହିଁ । ପରସ୍ପରର ଅନ୍ତର ଭିତରକୁ ପ୍ରବେଶ କରିବାର ସୂତ୍ରଟି ପାଇଗଲେ ତାପରେ ପରସ୍ପରକୁ ଜଳକା କରି ରଖିବାପାଇଁ ନାନା କପଟ ବର୍ଣ୍ଣରେ ଉଜ୍ଜ୍ୱଳ ହୋଇ ଦିଶୁଥିବା ପୁଚ୍ଛଗୁଡ଼ାକୁ ଟେକି ନାଚିବାର ଆଇ କୌଣସି ପ୍ରୟୋଜନ ହିଁ ରହିବନାହିଁ । ସେତେବେଳେ ସଖ୍ୟହିଁ ଯାବତୀୟ ସମ୍ବନ୍ଧର ଅନ୍ୟ ନାମ ହୋଇ ରହିବ ।

 

ଅସଲ ଓ ସର୍ବମୂଳ କୃପାଟିକୁ ଆମେ ସବାଆଗ ନିଜ ଉପରେ ହିଁ କରିବା । ଆମ ଭିତରେ ଯେଉଁ ଅମିତ ସମ୍ଭାବନାମୟ ଅସଲ ଅନୁରାଗୀଟି ପ୍ରଚ୍ଛନ୍ନ ହୋଇ ରହିଛି, ତାହାକୁ ନିଜର ସବୁଠାରୁ ଅଧିକ ଆପଣାର ବୋଲି ସ୍ୱୀକାର କରିବା ହେଉଛି ଆମ ଜୀବନଲାଗି ଆମର ସର୍ବପ୍ରଥମ କୃପା । ଆମେ ନାନା କାରଣରୁ ତାକୁ କେତେପ୍ରକାରର ଖୋଳ ଓ ଆବରଣ ଦେଇ ଆମ ଦୃଷ୍ଟିର ଅନ୍ତରାଳ କରି ରଖିଛୁ । ନାନା ଅନ୍ୟ ଗରିମାର ଆଳ ଦେଖାଇ ଓ ନାନା ଅନ୍ୟ ପ୍ରତିମାକୁ କାମ୍ୟତର ବୋଲି ଗ୍ରହଣ କରିନେଇ ଆମେ ସେଇଟିକୁ ନିଜଠାରୁ ଅନ୍ତରାଳ କରି ରଖିଛୁ-। ତେଣୁ ସମ୍ବନ୍ଧର ଅସଲ କ୍ଷେତ୍ରଗୁଡ଼ିକରେ ଆମେ ପରସ୍ପରଠାରୁ ମଧ୍ୟ ଅନ୍ତରାଳ ହୋଇ ରହିଛୁ-। ପରସ୍ପରକୁ ଗିଳି ପକାଇବାରେ ଏତେ ଉତ୍ସାହ ଦେଖାଉଛୁ । ତେଣୁ ଭଗବତ୍‌ ସକଳ କୃପା ଲାଗି ଭାରି ଅଭାଜନ ହୋଇ ରହିଛୁ । ତେଣୁ ଭଗବତ୍‌-କୃପା ବିଷୟରେ ମହାପ୍ରମତ୍ତତା ସହିତ କେତେ ନା କେତେ କୀର୍ତ୍ତନ ଏବଂ ପ୍ରବଚନ ଲାଗି ରହିଥିଲେ ମଧ୍ୟ ଆମର ଏହି ପୃଥିବୀ ସତେଅବା ପରିତ୍ୟକ୍ତ ହୋଇ ରହିଥିବା ପରି କେବଳ ରୀତିଗୁଡ଼ାକୁ ଆଶ୍ରା କରି ପଡ଼ିରହିଛି । ଆଗାମୀ ସକାଳ ସତେଅବା ଆମରି କୃପା ଲାଗି ଅପେକ୍ଷା କରି ରହିଛି । ବିଶ୍ୱବିଧାତାଙ୍କର ସେହି ଉନ୍ମୋଚନକାରୀ ମୁହୂର୍ତ୍ତଟି ସତେଅବା ଆମ ପ୍ରତ୍ୟେକଙ୍କର ସାନ ସାନ ଅଥଚ ଅତ୍ୟାବଶ୍ୟକ ସୀକୃତି ଲାଗି ଅପେକ୍ଷା କରି ରହିଛି ।

 

ମାର୍ଚ୍ଚ, ୧୯୮୪

Image

 

ପରସ୍ପରେଣ ପରସ୍ପରଂ

 

ଅସଲ ଶିକ୍ଷାର ଦୃଷ୍ଟି ଅଲଗା, ତେଣୁ ତା’ର ରୀତି ମଧ୍ୟ ଅଲଗା । ସୈନ୍ୟବାହିନୀରେ ସମସ୍ତେ ଆଦୌ କୌଣସି ଚିନ୍ତା କରନ୍ତି ନାହିଁ । ଜଣେ ଉପରେ ଥାଏ, ଆଦେଶ ଦିଏ । ଆଦେଶ ଦେବାଲାଗି ତାହାକୁ ମୁତୟନ କରି ରଖା ଯାଇଥାଏ । ସମସ୍ତେ ତାହାରି ବୋଲଗୁଡ଼ାକୁ ମାନନ୍ତି । ନମାନିଲେ ପ୍ରମାଦ ଘଟେ, ସଂସାର ବିଭ୍ରାଟ ହୋଇଯାଏ । ଏହି ବିଭ୍ରାଟ ଘଟିବ ବୋଲି ଅନେକ ମଣିଷଙ୍କର କାଳେ କାଳେ ଯେଉଁ ଭୟ ରହି ଆସିଛି, ତାହାକୁହିଁ ଘୋଡ଼ାଇ ରଖିବାଲାଗି ସେମାନେ ଶୃଙ୍ଖଳାର କଥା କହନ୍ତି । ଯେଉଁଠାରେ ସବୁଠାରୁ ଅଧିକ ବୋଲ ମାନିବା ରହିଥାଏ, ସେହିଠାରେହିଁ ସବୁଠାରୁ ଅଧିକ ଶୃଙ୍ଖଳା ଅବଶ୍ୟ ରହିବ ବୋଲି ସେମାନେ କେତେ ବାଗରେ ବଖାଣିବାରେ ଲାଗିଥାନ୍ତି ।

 

ଧର୍ମକ୍ଷେତ୍ରର ନେତାମାନେ ଅନେକ ସମୟରେ ଆପଣାର ବ୍ୟୂହଗୁଡ଼ିକୁ ସତେଅବା କୌଣସି ସୈନ୍ୟବାହିନୀର ଛାଞ୍ଚରେ ଗଢ଼ିବାଲାଗି ଭାରି ମନ କରି ଆସିଛନ୍ତି । କୌଣସି ଏକ କ୍ରୂର ବିଧାନବ୍ୟବସ୍ଥାରେ ସେମାନେ ଭଗବାନଙ୍କୁ ସବା ଉପରେ ଢିପଟା ଉପରେ ନେଇ ବସାଇ ଦେଇଛନ୍ତି ଏବଂ ଆପେ ଗୋଟାଏ ଗୋଟାଏ ସୈନ୍ୟାଧ୍ୟକ୍ଷ ପରି ମଣିଷମାନଙ୍କୁ ଧର୍ମର ଶାସନାଧୀନ କରି ରଖିବାଲାଗି ଭାରି ମନ କରିଛନ୍ତି । ସେଥିଲାଗି କେତେ ହାନି ହୋଇଛି, ଲୋକକ୍ଷୟ ଘଟିଛି, ମାତ୍ର ଧର୍ମର ମଧ୍ୟ ଗ୍ଳାନି ଘଟିଛି । ପୃଥିବୀର ରାଜନୀତିରେ ମଧ୍ୟ କାଳେ କାଳେ ଅନେକ ମଣିଷଙ୍କୁ ଶୃଙ୍ଖଳ ଭିତରେ ବାନ୍ଧି ରଖିବାର ଚେଷ୍ଟା କରାଯାଇଛି । ସେହି ମତଲବରେ ଦେଶ, ଜାତି, ଅତୀତ ପ୍ରଭୃତି ଶବ୍ଦକୁ ଅଫିମ ପରି ବ୍ୟବହାର ବି କରାଯାଇଛି । ଚତୁରମାନଙ୍କ ହାତରେ ପଡ଼ି ବିଜ୍ଞାନ ମଧ୍ୟ ମଣିଷକୁ ଡରାଇ କରି ରଖିବାଲାଗି କେତେକେତେ ଅସ୍ତ୍ର ଆଣି ଥୋଇଦେଇଛି । ତଥାପି, ରାଜ୍ୟଗୁଡ଼ାକ ଭାଙ୍ଗିଛନ୍ତି, ମାତ୍ର ମଣିଷ ରହିଛି । ଧର୍ମାଧ୍ୟକ୍ଷ ଏବଂ ରାଜ୍ୟାଧ୍ୟକ୍ଷମାନେ କୁଆଡ଼େ ପାସୋର ହୋଇ ଯାଇଛନ୍ତି, ମାତ୍ର ମଣିଷ ଅଗ୍ରଗତି କରିବାରେ ଲାଗିଛି ।

 

ଶିକ୍ଷାର କ୍ଷେତ୍ରରେ ମଧ୍ୟ ନେତୃତ୍ୱର ଏକ ପ୍ରସଙ୍ଗ ଅବଶ୍ୟ ରହିଛି । ବିଭିନ୍ନ ଦେଶରେ ପାରମ୍ପରିକ ଭାବରେ ନେତୃତ୍ୱ କହିଲେ ଯାହା ବୁଝାଇ ଆସିଛି, ସେଠାରେ ଶିକ୍ଷାର କ୍ଷେତ୍ରରେ ତାହାହିଁ ବଳବତ୍ତର ହୋଇ ରହିଛି । ଏକ କର୍ତ୍ତୃତ୍ୱପ୍ରଧାନ ସମାଜରେ ଶିକ୍ଷାର ଯାବତୀୟ ଗଠନ ଏବଂ ସଂଗଠନ କର୍ତ୍ତୃତ୍ୱପ୍ରଧାନ ହୋଇ ରହିଛି । ଶାସନାୟତ୍ତ ଶିକ୍ଷା ଶାସନର ଅନୁସରଣ କରିଛି, ସାମନ୍ତପଣକୁ ହିଁ ବୃହତ୍ତମ ପଣ ବୋଲି ମାନି ନେଇ ଆସିଥିବା ସମାଜରେ ତାହାର ଶିକ୍ଷା ମଧ୍ୟ ଆପଣାର ମଞ୍ଜ ଭିତରେ ପ୍ରାୟ ଗୋଟାସୁଦ୍ଧା ସାମନ୍ତଧର୍ମୀ ହୋଇ ରହିଛି । ଆଧୁନିକତମ ପଦ୍ଧତିରେ ଆଧୁନିକତମ ସାଧନ ଓ ସୁଯୋଗଗୁଡ଼ିକର ମାଧ୍ୟମରେ ଶିକ୍ଷା ଦିଆ ଯାଉଥିଲେ ମଧ୍ୟ ସେହି ଶିକ୍ଷାକୁ ପାଉଥିବା ପିଲାମାନେ ବଡ଼ ହୋଇ ସାମନ୍ତ ହିଁ ହେଉଛନ୍ତି, ଏକ ସାମନ୍ତବାଦୀ ସମାଜରେ ଭାରି ଚମତ୍କାର ଭାବରେ ଖାପ ଖାଇ ଯାଉଛନ୍ତି । ଏହିସବୁ ସମାଜରେ ଧର୍ମ ଯେମିତି ଖାପ ଖାଇ ଯାଇଛି, ଜ୍ଞାନ ଓ ବିଜ୍ଞାନଗୁଡ଼ାକ ଯେମିତି ଖାପ ଖାଇଛନ୍ତି, ଅବିକଳ ଠିକ୍‌ ସେମିତି ।

 

‌ନୂଆ ପୃଥିବୀରେ ନେତୃତ୍ୱ ଅଲଗା ପ୍ରକାରର ହେବ । ତେଣୁ, ଏକ ନୂଆ ପୃଥିବୀ ଅର୍ଥାତ୍‌ ଏକ ନୂଆ ମଣିଷ ସମ୍ଭବ କରିବାଲାଗି ଯେଉଁ ଶିକ୍ଷା ଦିଆଯିବ, ସେଥିରେ ସମ୍ପୂର୍ଣ୍ଣ ଭାବରେ ଏକ ଅନ୍ୟ ବିଶ୍ୱାସହିଁ ଆମର ସର୍ବମୂଳ ପ୍ରେରଣା ହୋଇ ରହିବ । ଭଗବାନ ଆମକୁ ଛାଡ଼ି ବାହାରେ ପୃଥିବୀ ଉପରେ କେଉଁଠି କେଉଁ ସିଂହାସନ ଉପରେ ବସି ଏହି ପୃଥିବୀକୁ ଶାସନ କରୁନାହାନ୍ତି; ସିଏ ଏହି ପୃଥିବୀରେ ଅଛନ୍ତି, ଆମ ଭିତରେ ଅଛନ୍ତି, ଆମ ପ୍ରତ୍ୟେକଙ୍କର ଭିତରେ ଅଛନ୍ତି । ସତ୍ୟ ଆମ ବାହାରେ କେଉଁ ଶାସ୍ତ୍ର ଭିତରେ କିମ୍ବା କେଉଁ ସଂହିତା ଭିତରେ ନାହିଁ; ତାହା ଆମରି ଭିତରେ ଅଛି, ଆମ ପ୍ରତ୍ୟେକଙ୍କ ଭିତରେ ରହିଛି । ସେହି ସତ୍ୟର ବାହକ ହିସାବରେ ହିଁ ଆମେ ପରସ୍ପରକୁ ସ୍ୱୀକୃତି ଦେବା, ପରସ୍ପରର ସହଚାରୀ ହେବା । ପରସ୍ପରକୁ ଉତ୍ସାହ ଦେବା,—ଆମେ କେହି କାହାରିକୁ ବର୍ଜନ କରିବା ନାହିଁ । ଆମେ ପରସ୍ପରହିଁ ପରସ୍ପରକୁ ପ୍ରେରଣା ଦେବା; ପରିଚାଳିତ କରିବା, ଏହା ଆମ ନୂତନ ବିଦ୍ୟାଳୟରେ ରୀତି ହୋଇ ରହିବ ।

 

ଏହି ରୀତି ହିଁ ଆମ ବିଦ୍ୟାଳୟରେ ଯାବତୀୟ ଶୃଙ୍ଖଳାର ନିୟାମକ ହୋଇ ରହିବ । ତେଣୁ ଆମ ବିଦ୍ୟାଳୟଗୁଡ଼ିକରେ ନେତୃତ୍ୱର ଧର୍ମ ମଧ୍ୟ ଅଲଗା ପ୍ରକାରର ହେବ । ପରମ୍ପରାକ୍ରମେ ଆମ ସମାଜରେ, ଆମ ଧର୍ମରେ ଏବଂ ଆମ ନୈତିକତାରେ ନେତୃତ୍ୱର ପ୍ରକାରମାନ ଯେପରି ଭାବରେ ନିରୂପିତ ହୋଇ ଆସୁଛି, ନୂତନ ଶିକ୍ଷାରେ ସେହିସବୁ ପ୍ରକାର ଆମକୁ ଆଦୌ କୌଣସି ସାହାଯ୍ୟ କରିବ ନାହିଁ । ଆମ ବିଦ୍ୟାଳୟରେ ଆମେ ପରସ୍ପରର ତୁଳନାରେ ବଡ଼ ସାନ ହୋଇ ରହିବା ନାହିଁ, ସାମନ୍ତବାଦୀ କୌଣସି ଆଚାରକୁ ସେଠାରେ ବିଧିକରି ରଖିବାକୁ ଇଚ୍ଛା କରିବା ନାହିଁ-। ପରସ୍ପରର ପାଖରେ ଯାଇ ବସିବାକୁ, ଏକାଠି ବାଟ ଖୋଜିବାକୁ ଓ ଏକତ୍ର ବାଟ ଚାଲିବାକୁ ଆମକୁ ମୋଟେ ଲାଜ ମାଡ଼ିବ ନାହିଁ । ଆମେ ବୟସରେ ଅନ୍ୟମାନଙ୍କ ଠାରୁ କେତେ ବଡ଼ ବା କେତେ ସାନ, ପରସ୍ପର ସହିତ ଅନ୍ତରଙ୍ଗ ଭାବରେ ବାଟ ଚାଲି ପାରିବାକୁ ତାହା ଏକ ଅନ୍ତରାୟ ରୂପେ ଆଦୌ କାର୍ଯ୍ୟ କରିବନାହିଁ ।

 

ଏବଂ, ଆମ ବିଦ୍ୟାଳୟମାନଙ୍କରେ ଯେଉଁ ପିଲାମାନେ ଆମକୁ ଘେରିକରି ବସିଛନ୍ତି, ବୟସରେ ସେମାନେ ଆମଠାରୁ କେତେ ଛୋଟ, ତଥାପି ଖୁସିରେ ଆମଠାରୁ କେତେ ବେଶୀ ! ଆମେ ସେମାନଙ୍କର ସତକୁ ସତ ପାଖରେ ଯାଇ ବସି ପାରିବାର ଭାଜନ ହେବା । ତେବେଯାଇ ସେମାନଙ୍କ ଭଣ୍ଡାରଭରା ଖୁସି ଆମକୁ ବୁଢ଼ା ହେବାର ପ୍ରମାଦରୁ କେତେ ପ୍ରକାରେ ବଞ୍ଚାଇ ରଖି ପାରୁଥିବ ।

 

ଏପ୍ରିଲ, ୧୯୮୪

Image

 

କୃତ୍ରିମ ଓ କପଟୀର ସ୍ୱର୍ଗ

 

କପଟୀ ମଣିଷର ସ୍ୱର୍ଗ ତା’ର ବର୍ତ୍ତମାନ ମଧ୍ୟରେ, ତା’ ପାତାଳ ତା ନିଜ ଭିତରେ,—ଏବଂ ମର୍ତ୍ତ୍ୟ ଆଦୌ କେଉଁଠିହେଲେ ନାହିଁ ।

 

କପଟୀ ମଣିଷ ଭଗବାନଙ୍କଠାରେ ବିଶ୍ୱାସ ରଖିନଥାଏ । ସିଏ ଭଗବାନଙ୍କୁ ଆପଣା କାମରେ ବ୍ୟବହାର କରେ । ଆପଣା କାମରେ ବ୍ୟବହାର କରି ପାରିବାକୁ ଭଗବାନଙ୍କୁ ଲୋଡ଼େ, ଆଦର୍ଶକୁ ଲୋଡ଼େ ଏବଂ ଶାସ୍ତ୍ରବାକ୍ୟକୁ ଲୋଡ଼େ । ଆପଣାକୁ ସବା ଆଗରେ ରଖି ସିଏ ଶାସ୍ତ୍ରର ଭାଷ୍ୟ କରେ, ଆଦର୍ଶର ଭାଷ୍ୟ କରେ ଏବଂ ଭଗବାନଙ୍କର ଭାଷ୍ୟ କରେ । ସଂସାର ଭିତରେ ଏହି ଯାବତୀୟ ମନ୍ଦିର ଓ ଯାବତୀୟ ତୀର୍ଥ ତାକୁ ସତେଅବା ବଣିଜ କରିବାର ଗୋଟିଏ ଗୋଟିଏ ଘର ପରି ଦେଖା ଯାଉଥାନ୍ତି । ଯେଉଁ ବଣିଜରେ ଲାଭ ହୁଏ, ଯେଉଁ ବଣିଜରେ ଅନ୍ୟ ସମସ୍ତଙ୍କୁ ପରାଜିତ କରିଦେଇ ହୁଏ, ବୋକା ବନାଇଦେଇ ହୁଏ, କପଟୀ ମଣିଷ ଅନବରତ ସେହି ବଣିଜ କରୁଥାଏ । ଗଡ଼ ଜିତି ଜିତି ଯାଉଥାଏ, ଗାତରେ ପଶି ପଶି ଯାଉଥାଏ । ଆଉ ଗୋଟିଏ ପ୍ରକାରର ବଣିଜ ଅଛି, ଯେଉଁଥିରେ କି ସବୁକିଛି ଦେଇ ସବୁକିଛି ଲାଭ କରିହୁଏ, ଦୁଆରଗୁଡ଼ାକ ଖୋଲିଦେଇ ଏହି ସବୁଟି ସହିତ ସୂତ୍ର ଲଗାଇ ହୁଏ, ବିଶ୍ୱର ଅସଲ କେନ୍ଦ୍ରଟି ସହିତ ଖିଅ ଲଗାଇ ବଞ୍ଚି ହୁଏ । କପଟୀ ମଣିଷ ସେହି ବଣିଜର ମୋଟେ କିଛିହେଲେ ଜଣେନାହିଁ ।

 

କପଟୀ ମଣିଷର ସବୁଯାକ ସ୍ୱର୍ଗ ତା’ ବର୍ତ୍ତମାନର ତେଲଘଡ଼ିଟି ଭିତରେ ଯାଇ ରହିଥାଏ-। ସେହି ତେଲଘଡ଼ିଟିକୁ ଯଥାସମ୍ଭବ ପୂର୍ଣ୍ଣ କରି ରଖିବାକୁ ହିଁ ସେ ଜୀବନରେ ଆପଣାର ଯାବତୀୟ ପ୍ରୟାସ କରୁଥାଏ । ସେଥିପାଇଁ ଧର୍ମ କରେ, ପୁଣ୍ୟକରେ, ପଙ୍ଗତରେ ବସେ ଏବଂ ସାଥୀ ହୁଏ-। ଏଡ଼େବଡ଼ ବିଶ୍ୱରେ ସମସ୍ତଙ୍କର ମେଳରେ ରହିଥିଲେ ମଧ୍ୟ ସେ ଆପଣାର ଏକ ଆତ୍ମାନ୍ୱେଷୀ ଘରକରଣାରେ ସତତ ବ୍ୟସ୍ତ ହୋଇ ରହିଥାଏ । ତା’ ସମ୍ମୁଖରେ ବିଶ୍ୱଜୀବନର ଏଡ଼େ ବଡ଼ କୋଳ ପ୍ରସାରିତ ହୋଇ ରହିଥିଲେ ମଧ୍ୟ ସିଏ ଆପଣାର ଦଉଡ଼ିଗୁଡ଼ାକ ଭିତରେ ବାନ୍ଧି ହୋଇ ରହିଥାଏ, ମୋଟେ ପଦାକୁ ଆସେ ନାହିଁ । ସେ ମୁଖା ଭିତରେ ବାଟ ଚାଲୁଥାଏ । ମୁଖା ତଳେ ବାଟ ଚାଲିବାକୁ ହିଁ ଜୀବନର ଅସଲ ଚତୁରତା ବୋଲି ମଣିବାରେ ଲାଗିଥାଏ । ସେହି ଚତୁରତା ତାକୁ ଖାଇ ଖାଇ ଯାଉଥାଏ ।

 

କପଟୀ ମଣିଷ କିଛି ହୁଏ ନାହିଁ, କିଛି ହେବାକୁ ମନ କରେ ନାହିଁ । ଯେତିକି ଥାଏ, ଅର୍ଥାତ୍‌ ସିଏ ଯେତିକି ଭିତରେ ରହିଥାଏ, ସେତିକିକୁ ହିଁ ସର୍ବସ୍ୱ ବୋଲି ଧରି ନେଇଥାଏ । ତେଣୁ ଭାରି ଦରିଦ୍ର ହୋଇ ରହିଯାଏ । ଆଗକୁ ଅନାଇ ସେ ଆଦୌ କୌଣସି ପାହାଚ ଦେଖିବାକୁ ପାଏ ନାହିଁ,—କୌଣସି ଆହ୍ୱାନ ଶୁଣେ ନାହିଁ । ଆପଣାକୁ ଗଡ଼ିଆଟିଏ ବୋଲି ଧରିନେଇ ତାହାରି ଭିତରେ ସଢ଼ିବାରେ ଲାଗିଥାଏ । ଆହ୍ୱାନ ଆସେ, ଆହ୍ୱାନ ଚାଲିଯାଏ; କପଟୀ ମଣିଷ ଭାରି କଉଶଳରେ ଖସି କରି ରହିଯାଏ । ତାହାକୁ ହିଁ ସବୁଠାରୁ ବଡ଼ ବିବେକ ବୋଲି ମାନୁଥାଏ । କପଟୀ ମଣିଷ ଆପଣାର ଜୀବନଦୃଷ୍ଟିରେ ମୂଳତଃ ଅସମ୍ମତ ହୋଇ ରହିଥାଏ । ନିଜ ପାଖରେ ବି ଅସମ୍ମତ ହୋଇ ରହିଥାଏ; ତେଣୁ ସେ ନିଜକୁ କେବେହେଲେ ନିଜର ବନ୍ଧୁ ରୂପେ ପାଇପାରେ ନାହିଁ । ଆପଣା ସହିତ ସର୍ବଦା ଚାଖଣ୍ଡେ ଦୂରତା ରଖି ବାଟ ଚାଲୁଥାଏ ।

 

କପଟୀ ମଣିଷର ପାତାଳ ବା ନରକ ତା’ ନିଜ ଭିତରେ । ଅର୍ଥାତ୍‌, ଆପଣା ଭିତରେ ହିଁ ସିଏ ସବୁଠାରୁ ଅଧିକ ଭୟଙ୍କର ଓ ଭୀତିପ୍ରଦ ହୋଇ ରହିଥାଏ । ସେ ଆପଣା ଭିତରକୁ ଅନାଇବାକୁ ସବୁବେଳେ ଡରେ । ଢାଙ୍କୁଣି ଖୋଲିବାକୁ ଡରେ । ଆପଣା ପାଖରେ ସିଏ ସତେଅବା ସଦାପ୍ରବାସୀ ହୋଇ ରହିଥାଏ । ଭିତରଟା ଯେ କେବେ ବାହାରେ ପରିଣତ ହୋଇପାରିବ, ଅର୍ଥାତ୍‌ ମଣିଷର ଭିତର ଆଉ ବାହାର ମଧ୍ୟରେ ଆଦୌ କୌଣସି ଅନ୍ତର ନରହିବା କେବେ ଯେ ସମ୍ଭବ ହୋଇ ପାରିବ, କପଟୀ ମଣିଷ ସେ କଥା କଳ୍ପନା କରିବାକୁ ମଧ୍ୟ ହାଡ଼େ ହାଡ଼େ ଡରୁଥାଏ । ତା’ ବାହାରର ଅର୍ଜନଗୁଡ଼ାକ ତା’ ଭିତରର କୌଣସି କାର୍ଯ୍ୟରେ ଲାଗିପାରନ୍ତି ନାହିଁ ।

 

କପଟୀ ମଣିଷର ମର୍ତ୍ତ୍ୟ ପ୍ରକୃତରେ କେଉଁଠିହେଲେ ନଥାଏ । ଯାହାକୁ ସିଏ ବାହାରେ ସତ୍ୟ ବୋଲି ଘୋଷି ହେଉଥାଏ, ସେଗୁଡ଼ାକ ପ୍ରକୃତରେ ଏଠାରେ କେବେ ଫଳିବ ବୋଲି ସିଏ ଆଦୌ ବିଶ୍ୱାସ କରୁ ନଥାଏ । ତେଣୁ କପଟ କରି ସେ ମର୍ତ୍ତ୍ୟକୁ ମାୟା ବୋଲି କହେ । ଏହି ମାୟାକୁ କାଟି ଆଉ କୌଣସି ଗଗନ ଭିତରକୁ ପଳାଇଯାଇ ପାରିଲେ ହୁଏତ କୌଣସି ଯଥାର୍ଥ ଧନ ମିଳିବ ବୋଲି ସେ ଆପଣାକୁ ବୋଧ ଦେବାରେ ଲାଗିଥାଏ । ଆପଣାର ସମ୍ମୁଖୀନ ହେଲେ, ଅର୍ଥାତ୍‌ ଆପଣାର ବାଡ଼ଗୁଡ଼ାକୁ ଭେଦି ପାରିଲେ ଯେ ମର୍ତ୍ତ୍ୟ ଅମର୍ତ୍ତ୍ୟରେ ପରିଣତ ହୁଏ, ସେହି କଥାଟାକୁ ମଧ୍ୟ କପଟୀ ମଣିଷ ଅଳୀକ ବୋଲି କହି ଉଡ଼ାଇଦିଏ । ସିଏ କେବେହେଲେ ଅଣ୍ଟା ଭିଡ଼େ ନାହିଁ; ଯେଉଁ ବିଶ୍ୱାସ ମଣିଷର ଅଣ୍ଟାକୁ ସଳଖ କରେ, ସିଏ ସେହି ବିଶ୍ୱାସଠାରୁ ମଧ୍ୟ ଲୁଚି ଲୁଚି ବୁଲୁଥାଏ ।

 

ଅସଲ ଶିକ୍ଷା କପଟୀ ମଣିଷକୁ ଅସ୍ୱୀକାର କରେ । ଅସଲ ଶିକ୍ଷା ଲାଗି ସମ୍ମତ ହୋଇପାରିବା ସକାଶେ ସବାଆଗ ଏହି ମୁଖାଗୁଡ଼ାକୁ ଖୋଲି ଦେବାକୁ ପଡ଼େ, ଆପଣାର ସମ୍ମୁଖୀନ ହେବାକୁ ପଡ଼େ । ଭିତରଟାକୁ ସମ୍ପୂର୍ଣ୍ଣ ଭାବରେ ବାହାରର ଆଲୋକ-ସନ୍ନିଧାନକୁ ଆଣିବାକୁ ପଡ଼େ । ଭିତର ବାହାରର ବିରେଧ ତୁଟାଏ । ବିରୋଧ ତୁଟିଲେ ଯାଇ ଜୀବନ ଏକ ସକାରାତ୍ମକ ଅନୁରାଗରୂପେ ପ୍ରକଟିତ ହେବାକୁ ଆରମ୍ଭ କରେ । ଯାବତୀୟ ଅକିଞ୍ଚନତା ଉପରେ ବିଜୟଲାଭ ହୁଏ । ଏଇଠି ସ୍ୱର୍ଗର ଅନୁଭବ ମିଳେ, ସମ୍ପୂର୍ଣ୍ଣତାର ଅନୁଭବ ମଧ୍ୟ ମିଳେ । ଅସଲ ଶିକ୍ଷା ଜୀବନ ବିଷୟରେ ଆମ ଭିତରେ ରହିଥିବା ସେହି ପୁରାତନ ପରିମିତିଗୁଡ଼ାକୁ ଏକାବେଳେକେ ବଦଳାଇ ଦିଏ । ଆପଣାକୁ ଲୁଚାଇ ରଖି ଆମେ ବାହାରେ ଯାହାକିଛି କରୁଛୁ, ତାହାର ତୁଚ୍ଛତାକୁ ପ୍ରତିପାଦିତ କରିଦିଏ । ଆମକୁ ସତକୁ ସତ କିଛି ହୋଇ ପାରିବାର ନୂତନ ବିଦ୍ୟାଟିକୁ ଶିଖାଏ ।

 

ମଇ, ୧୯୮୪

Image

 

ସାଧନା ଭିନ୍ନ, ସନ୍ତକ ବି ଭିନ୍ନ

 

ଆଗ ସାଧନା, ତା’ପରେ ସନ୍ତକ । ସାଧନା ଲାଗି ମନ କରାଯାଏ; ଅର୍ଥାତ୍‌ ସବାଆଗ କିଛି ଲୋଡ଼ିବାକୁ ହୁଏ, ଆପଣାଠାରୁ ବୃହତ୍ତର ଓ ବିସ୍ତୃତତର ହୋଇ କିଛି ଅଛି ବୋଲି ଆଗ ଏକ ଆଘ୍ରାଣ ହୁଏ,—ସେଇ ଆଡ଼କୁ ଯିବାଲାଗି ଅନୁରାଗ ହୁଏ । ତା’ପରେ ପାଦ ଆଗକୁ ପଡ଼େ;—ଆମେ ଯେଉଁଠାରେ ଥାଉ, ଆଖିଗୁଡ଼ାକ ସେଠାରେ ମୋଟେ ଥୟ ହୋଇ ରହିପାରନ୍ତି ନାହିଁ । ବୃତ୍ତର ପରିଧିଗୁଡ଼ିକ ଆହୁରି ଅଧିକ ପ୍ରସାରିତ ହୋଇ ଯିବାଲାଗି ବ୍ୟାକୁଳ ହୁଅନ୍ତି । ଏହି ସକଳ ପ୍ରକ୍ରିୟାକୁ ଏକାଠି ଗୋଟିଏ ସମ୍ମତ ହୃଦୟର ଭୂମି ଉପରେ ମିଶାଇ ଅନୁମାନରେ ଯେଉଁ ମେଦିନୀଟିକୁ ଅନୁଭବ କରାଯାଏ, ସେଇଟି ହେଉଛି ସାଧନା । ପାରମ୍ପରିକ କେତେ ସାଧନାକୁ ନେଇ ପ୍ରବୀଣମାନେ ଯେଉଁ ଶାସ୍ତ୍ର ଲେଖି ଯାଇଛନ୍ତି, ସେମାନେ ବାଟଟିକୁ ସ୍ଥୂଳ ଭାବରେ ବୁଝାଇ ଦେବାକୁ ଚେଷ୍ଟା କରି ସେଥିରେ କେତୋଟି ସନ୍ତକର ଅବତାରଣା କରାଇଛନ୍ତି । ଏହି ସନ୍ତକଗୁଡ଼ିକୁ ଅବଲମ୍ବନ କରି ପ୍ରକାର ଓ ପ୍ରକରଣର ଭେଦରେ ସମ୍ପ୍ରଦାୟମାନ ଗଢ଼ି ଉଠିଛନ୍ତି । କାଳକ୍ରମେ ସମ୍ପ୍ରଦାୟର ବେବର୍ତ୍ତାମାନେ ନାନା କାରଣରୁ ପ୍ରାପ୍ତ ଏପରି ଏକ କାମୁକତା ସହିତ ସନ୍ତକଗୁଡ଼ିକୁ କାମୁଡ଼ି ଧରିଛନ୍ତି ଯେ, ସେହି ଉତ୍ସାହରେ ପଡ଼ି ସନ୍ତକମାନେ ହିଁ ପ୍ରାୟ ଗୋଟିଏ ଗୋଟିଏ ଦେବତାରୂପେ ପ୍ରତିଷ୍ଠିତ ହେବାକୁ ଆରମ୍ଭ କରିଛନ୍ତି ଏବଂ ସାଧନାକୁ ଗିଳି ପକାଇଛନ୍ତି । ସନ୍ତକମାନେ ରଜା ହୋଇ ବସିଛନ୍ତି,—ସେହିମାନଙ୍କ ନାମରେ ବାନା ଉଡ଼ିଛି, ପଇତା ବଣ୍ଟାଯାଇଛି-। ସାଧନା ଗାଧୋଇ ଯାଇଛି ।

 

ଯେତେବେଳେ ଚେତନାଗୁଡ଼ାକୁ କୁଣ୍ଢ ନପାଏ ଓ ତେଣୁ ଚେତନା ଭିତରେ ପ୍ରବେଶ କରିବାକୁ ଭୟ ହୁଏ, ସେତିକିବେଳେ କ୍ଳାନ୍ତ ଗୁରୁମାନେ ଅଳସୁଆ ଅନୁସରଣକାରୀମାନଙ୍କ ଲାଗି ଗୋଟିଏ ଗୋଟିଏ ବିଗ୍ରହ ଆଣି ଥାପି ଦିଅନ୍ତି, ପ୍ରତୀକମାନଙ୍କୁ ସତେଅବା ଗୋଟିଏ ଗୋଟିଏ ପ୍ରମାଦରେ ପରିଣତ କରି ରଖନ୍ତି । ପ୍ରତୀକ ସୁସ୍ଥ ଥିବା ପର୍ଯ୍ୟନ୍ତ ପ୍ରେରଣା ଦିଏ; ବାଟ ଚାଲିବା ପାଇଁ ପ୍ରେରଣା ଦିଏ, ସାଧନା ଲାଗି ପ୍ରେରଣା ଦିଏ । ପ୍ରତୀକ ପଥର ଅନୁରାଗ ବଢ଼ାଏ । ମାତ୍ର, ତାହା ଭିତରେ ଆଳସ୍ୟ ଏବଂ ଅସୁସ୍ଥତାଗୁଡ଼ାକ ଆସି ପଶିବାକୁ ଆରମ୍ଭ କରିବା ମାତ୍ରକେ ତାହା ସାଧକଲାଗି ପ୍ରମାଦରେ ହିଁ ପରିଣତ ହୋଇଯାଏ । ସନ୍ତକମାନେ ଗୋଡ଼ ବାନ୍ଧି ପକାନ୍ତି; ଅହଙ୍କାରୀ ହେବାଲାଗି ପ୍ରଶୟ ଦିଅନ୍ତି । ଅହଙ୍କାର ଆଳସ୍ୟକୁ ପ୍ରଶୟ ଦିଏ । ସଂସାରରେ ସନ୍ତକଜନିତ ଘଟିଥିବା ପ୍ରମାଦଗୁଡ଼ିକର ଇତିହାସରୁ ଆମକୁ ସର୍ବଦା ତାହାର ଭୂରିଭୂରି ପ୍ରମାଣ ମିଳିଯାଇ ପାରିବ-

 

ସନ୍ତକମାନେ ହେଉଛନ୍ତି ଗୋଟିଏ ଗୋଟିଏ ମାଇଲ୍‌ଖୁଣ୍ଟ । ରାସ୍ତାଟିକୁ ଅବିଚ୍ଛିନ୍ନ କରାଇ ଚିହ୍ନାଇ ଦେବାଲାଗି ଏମାନେ ଗୋଟିଏ ଗୋଟିଏ ଖୁଣ୍ଟ । ପଥଟି ଆଗ,—ଏହି ପଥଟି ସକାଶେ ହିଁ ଚିହ୍ନଟକାରୀ ଖୁଣ୍ଟଗୁଡ଼ିକର ଅବତାରଣା । ଏହି ଖୁଣ୍ଟଗୁଡ଼ିକୁ ଅତିକ୍ରମ କରିଯିବାକୁ ହୁଏ । ଖୁଣ୍ଟଗୁଡ଼ିକ ପ୍ରତି କୃତଜ୍ଞ ରହିବାର ଯେତେ ଯାହା କାରଣ ରହିଥିଲେ ମଧ୍ୟ ପୂର୍ଣ୍ଣ ଶ୍ରଦ୍ଧାର ସହିତ ସେଗୁଡ଼ିକୁ ଅତିକ୍ରମ କରିଯିବାକୁ ହୁଏ । ଅସଲ ଖୁଣ୍ଟ ଅର୍ଥାତ୍‌ ଅସଲ ସନ୍ତକମାନେ ମୋଟେ ବାନ୍ଧି ପକାନ୍ତି ନାହିଁ-। ସେମାନେ ଆହୁରି ଆଗକୁ ବାଟ ବତାଇ ଦିଅନ୍ତି, ତେଣୁ ବାଟ ଛାଡ଼ି ଦିଅନ୍ତି । ଆମର ମନଟା ପୁରୁଣା ହୋଇଗଲେ ଅର୍ଥାତ୍‌ ଆମ ସାଧନାର ଆଖିଗୁଡ଼ାକରୁ ଶ୍ରଦ୍ଧାର ହ୍ରାସ ହେବାକୁ ଆରମ୍ଭ କଲେ ଆମ ସନ୍ତକମାନେ ସମ୍ଭବତଃ ଆମକୁ ଆଗକୁ ବାଟ କଢ଼ାଇ ନେଉଥିବା ମାଇଲ୍‌ଖୁଣ୍ଟ ପରି ନଦିଶି ଦଉଡ଼ି ଛନ୍ଦି ଆମ ଗୋଡ଼କୁ ବାନ୍ଧି ପକାଇବାକୁ ମନ କରୁଥିବା ଗୋଟିଏ ଗୋଟିଏ ଭାରି ଆକର୍ଷଣୀୟ ଖୁଣ୍ଟ ପରି ଦେଖାଯାଆନ୍ତି; ଆମର ସମ୍ମତିରେ ହିଁ ସେମାନେ ଆମର ଗୋଡ଼ଗୁଡ଼ାକୁ ଛନ୍ଦି ପକାନ୍ତି,—ଆମକୁ ଗିଳି ପକାନ୍ତି ।

 

ଗୋଟିଏ ନୂଆ ବିଦ୍ୟାଳୟକୁ ଭୂମି କରି ଆମେ ଯେଉଁମାନେ ଏହି ବାଟରେ ଯାଉଯାଉ ପରସ୍ପରକୁ ଆସି ଭେଟିଛୁ, ସେମାନଙ୍କର ସାଧନା ଭିନ୍ନ । ତେଣୁ ସେମାନଙ୍କର ସନ୍ତକ ବି ଭିନ୍ନ । ଏହି ବିଦ୍ୟାଳୟଗୁଡ଼ିକ ଏକ ଅନ୍ୟ ଭବିଷ୍ୟକୁ ଗର୍ଭରେ ଧାରଣ କରି ରହିଛି । ଏକ ଅନ୍ୟ ଅନୁରାଗରେ ବାଟ ଚାଲୁଛି । ଅନ୍ୟ ଏକ ସମ୍ବନ୍ଧର ପ୍ରତୀକ ହୋଇ ରହିଛି । ସଂସାରର ପାରମ୍ପରିକ ସମ୍ବନ୍ଧଗୁଡ଼ିକଠାରୁ ଏହି ସମ୍ବନ୍ଧଗୁଡ଼ିକ ଅତ୍ୟନ୍ତ ଭିନ୍ନ; ହୁଏତ ସମ୍ପୂର୍ଣ୍ଣ ଭାବରେ ଏକ ଅନ୍ୟ ଭୂମିର । ତେଣୁ ଆମ ସନ୍ତକଗୁଡ଼ିକ ମଧ୍ୟ ସେହି ଅନ୍ୟ ଭୂମିଟିର ଅନୁରୂପ ହୋଇ ତିଆରି ହେବ, ସେହି ଅନ୍ୟ ଭୂମିଟିର ଦ୍ୟୋତକ ହୋଇ ରହିଥିବ ।

 

ଆମ ଭିତରେ ଯେଉଁମାନେ ନିଜ ଭିତରେ ରହିଥିବା ପୁରୁଣାଗୁଡ଼ାକୁ ଘୋଡ଼ାଇ ରଖିବାର ଅଭିପ୍ରାୟରେ ମୁଣ୍ଡରେ ନୂଆ ପଗଡ଼ିଟିଏ ପିନ୍ଧି ଆମ ସହିତ ରହିଛନ୍ତି ବୋଲି କେଡ଼େ ପ୍ରେମରେ ଆମକୁ ଏକ ଧାରଣା ଦେବାକୁ ବ୍ୟଗ୍ର ହେଉଛନ୍ତି, ସେମାନେ ନିଜ ପାଖରେ ଥିବା ପୁରୁଣା ସନ୍ତକଗୁଡ଼ାକର ଜୁଲମ ଦେଖାଇ ଆମକୁ କେଡ଼େ ଅଲିଅଳରେ କାବୁ କରି ରଖିଦେବାକୁ ଚେଷ୍ଟା କରିବେ, ଆମକୁ କେତେ ଅଜାଗାରେ ମୁଣ୍ଡିଆ ମାରିବାକୁ ପ୍ରବର୍ତ୍ତନା ଦେବେ, ଆମକୁ ଅଳସୁଆ କରି ଏଇଠି ବାନ୍ଧି ରଖିବାଲାଗି କେତେମନ୍ତେ ଚକ୍ରାନ୍ତ କରିବେ । ଆମକୁ ପୁରୁଣା ଶାସ୍ତ୍ରର ଅମାର ଭିତରୁ କେତେ କଅଣ ଉଲୁଗୁଣା ଦେଇ ମୁଗ୍ଧ କରି ରଖିବାକୁ ମନ କରୁଥିବେ । ଆମର ଅଭିଳଷିତ ଯାବତୀୟ ଭବିଷ୍ୟତକୁ ତିରସ୍କୃତ କରି ରଖିଥିବେ । ନୂଆ ଧିସାରେ ସେହି ପୁରୁଣା ଗୀତଗୁଡ଼ାକୁ ବୋଲୁଥିବେ, ନୂଆ ଯଜ୍ଞର ଭାଣ କରି ଆମକୁ ସେହି ପୁରୁଣା ଚରୁଗୁଡ଼ାକୁ ଭୁଞ୍ଜାଇବାର ଶୋଭାମୟ କେତେ ଷଡ଼ଯନ୍ତ୍ର କରୁଥିବେ । ଅସମ୍ମତମାନେ ଯୁଗେଯୁଗେ ଯାହାସବୁ କରି ଆସିଛନ୍ତି, ନାନା ନୂଆ ମଣ୍ଡଣି ଓ ମଣ୍ଡନ ସହିତ ସେହିଗୁଡ଼ାକୁ କରୁଥିବେ ।

 

ପୁରୁଣା ଅଢ଼ାଗୁଡ଼ାକ ଅନୁସାରେ ଆମର ବିଦ୍ୟାଳୟଗୁଡ଼ିକ ଏକ ଆଦର୍ଶ ବିଦ୍ୟାଳୟ ମୋଟେ ନହୁଅନ୍ତୁ ପଛକେ, ସେଗୁଡ଼ିକ ଗୋଟିଏ ଗୋଟିଏ ଭିନ୍ନ ବିଦ୍ୟାଳୟ ହୋଇ ଅବଶ୍ୟ ରହିଥାନ୍ତୁ । ସେମାନେ ଏକ ଭିନ୍ନ ଆକାଶକୁ ଲୋଡ଼ିବା ପାଇଁ ସମର୍ଥ ହୁଅନ୍ତୁ ଏବଂ ସେହି କାରଣରୁ ହିଁ ଆପଣାର ଭୂମିଗୁଡ଼ିକୁ ଭିନ୍ନ ଭାବରେ ଗଢ଼ିବା ପାଇଁ ମନ କରନ୍ତୁ । ହାକିମମାନେ ଏକ ଆଦର୍ଶ ବିଦ୍ୟାଳୟ କହିଲେ ଯେଉଁ ଶାସ୍ତ୍ରଗତ ଅଛାଞ୍ଚଗୁଡ଼ାକୁ ବୁଝନ୍ତି, ସେଗୁଡ଼ାକୁ ଭାଙ୍ଗି ଏକ ଅନ୍ୟ ସମ୍ବନ୍ଧ ଓ ଅନ୍ୟ ଅନୁରାଗ ଦେଇ ଆମେ ଯେ ଏକ ଭିନ୍ନ କଥା ଗଢ଼ିବା ସକାଶେ ବାହାରିଛୁ, ଆମେ ଯେପରି ସେହି ଅସଲ ସଂକଳ୍ପରୁ କଦାପି ବିଚ୍ୟୁତ ହୋଇ ନଯାଉ । ଯେଉଁ ଯୁଗ ସରି ସରି ଯାଉଛି, ହାକିମ ଓ ମାମଲତକାରମାନେ ଅଧିକାଂଶତଃ ସେହି ଯୁଗର ପ୍ରତୀକ ଓ ସେହି ଯୁଗର ସନ୍ତକ । ସେହି ସନ୍ତକଗୁଡ଼ାକର ଥାଳିରେ ଆଗାମୀ ଅନ୍ୟ ଭବିଷ୍ୟଟି ପାଇଁ ଯଥାର୍ଥ କ୍ଷୁଧାର ନିବାରଣ କରିବାଲାଗି କୌଣସି ଅନ୍ନ ଆମକୁ କଦାପି ମିଳିବ ନାହିଁ । ଆମେ ଆମ ଲାଗି ନୂଆ ଥାଳି ତିଆରି କରିବା, ସେଥିରେ ନୂଆ ଅନ୍ନ ବାଢ଼ିବା ପାଇଁ ସମର୍ଥ ହେବା ।

 

ଆମ ବିଦ୍ୟାଳୟର ଘର, ଆମ ଦ୍ୱାରା ସଞ୍ଚିତ ଓ ସ୍ତୂପୀକୃତ ହୋଇ ରହିଥିବା ଯାବତୀୟ ସରଞ୍ଜାମ, ଆମ ପାଖରେ ମହଜୁଦ ହୋଇ ରହିଥିବା ଅର୍ଥନିଧି,—ପୁରୁଣା ଗୁଳାଗୁଡ଼ାକୁ ପ୍ରେମ କରୁଥିବା ପର୍ଯ୍ୟନ୍ତ ଏହିଗୁଡ଼ାକ ହିଁ ଆମକୁ ଅସଲ ସନ୍ତକ ବୋଲି ମନେ ହେଉଥିବ । ସେହି ସନ୍ତକଗୁଡ଼ାକୁ ଅନ୍ୟମାନଙ୍କ ଅପେକ୍ଷା ଅଧିକ ପରିମାଣରେ ଦଖଲ କରି ରହିବାକୁ ଆମ ଭିତରେ ବେଳେବେଳେ ପ୍ରତିଦ୍ୱନ୍ଦ୍ୱିତା ବି ଲାଗି ଯାଉଥିବ । ମାତ୍ର, ଯେଉଁ ବିଧାତା ହାତରେ ଆଗାମୀ କାଳର ଚାବିଗୁଡ଼ିକ ରହିଛି, ଆମ ପରସ୍ପର ମଧ୍ୟରେ ରହିଥିବା ସମ୍ବନ୍ଧରୁ ହିଁ ସିଏ ଆମକୁ ଦେଖୁଥିବ, ଆମକୁ ବିଡ଼ୁଥିବ; ଓ ସେହି ଅନୁସାରେ ଆମକୁ ସ୍ୱୀକାର ଅଥବା ଅସ୍ୱୀକାର ମଧ୍ୟ କରୁଥିବ ।

 

ଜୁନ୍, ୧୯୮୪

Image

 

ଏ ସବୁ ସମ୍ପତ୍ତି କାହାର ?

 

ରୁଷିଆର ମହାନ୍‌ ପୁରୁଷ ଲେଓ ଟଲଷ୍ଟୟଙ୍କ ଜୀବନକାହାଣୀରୁ ଗୋଟିଏ ଘଟଣାର ଉଲ୍ଲେଖ କରି ମୁଁ ଏହି ଲେଖାଟିକୁ ଆରମ୍ଭ କରିବି । କଥିତ ଅଛି, ଥରେ ରୁଷିଆ ଦେଶର ଉଚ୍ଚପଦସ୍ଥ କେତେକ ପାଦ୍ରୀ ଓ ଧର୍ମଯାଜକ ଟଲ୍‌ଷ୍ଟୟଙ୍କ ପାଖକୁ ଆସିଥିଲେ । ଭଗବାନଙ୍କର ରୂପ ଓ ସଂଜ୍ଞାଗତ ନାନା ଭେଦର ସତ୍ୟାସତ୍ୟତା ବିଷୟରେ ସେମାନେ ତାଙ୍କ ସହିତ ଦୀର୍ଘ ଆଲୋଚନା କରିଥିଲେ । ଖ୍ରୀଷ୍ଟିଆନ ଧର୍ମଶାସ୍ତ୍ରରେ ଭଗବାନଙ୍କର ଯେଉଁଭଳି ସଂଜ୍ଞା ଓ ବର୍ଣ୍ଣନା ରହିଛି, ସେହି ବିଷୟରେ ସେମାନେ ଟଲଷ୍ଟୟଙ୍କର ହୃଦବୋଧ କରାଇବାକୁ କେତେ ଚେଷ୍ଟା କଲେ । ମାତ୍ର ତଥାପି ତାଙ୍କୁ ମଙ୍ଗାଇ ପାରିଲେ ନାହିଁ । ନିରସ୍ତ ହୋଇ ପାଦ୍ରୀମାନେ ଭାବି ନେଇଥିଲେ ଯେ ଟଲଷ୍ଟୟ ଅସଲ ଖ୍ରୀଷ୍ଟିଆନ ହୋଇ ପାରିବେ ନାହିଁ, କାରଣ ଧର୍ମଗ୍ରନ୍ଥର ଅନୁଜ୍ଞାଗୁଡ଼ାକ ସହିତ ତାଙ୍କ ମତର କୌଣସି ମେଳ ନାହିଁ । ସେମାନେ ନିଜର କାନ୍ଥଗୁଡ଼ିକ ଭିତରେ ଐକାନ୍ତିକ ଭାବରେ ରହି ଟଲଷ୍ଟୟଙ୍କୁ ନାସ୍ତିକ ବୋଲି ଧରି ନେଇଥିଲେ । କଥାବାର୍ତ୍ତା ଭାଙ୍ଗିଲା । ଅତିଥିମାନେ ବିଦାୟ ନେଇ ବାହାରିଲେ । ସେମାନଙ୍କୁ ପାଛୋଟି ଆସିବା ସକାଶେ ଟଲଷ୍ଟୟ ସେମାନଙ୍କ ସହିତ ବଡ଼ ରାସ୍ତା ପର୍ଯ୍ୟନ୍ତ ଆସିଥିଲେ । ବାଟରେ ଜଙ୍ଗଲ ଭୂମି ପଡ଼ିଲା । ଜଣେ ପାଦ୍ରୀ ଟଲଷ୍ଟୟଙ୍କୁ ପଚାରିଲେ, ‘ଏସବୁ ଜଙ୍ଗଲ କାହାର ?’ ସ୍ଥାନୀୟ କେଉଁ ଜମିଦାର ସେହିସବୁ ଜଙ୍ଗଲର ମାଲିକ, ପାଦ୍ରୀ ସେହି କଥା ଜାଣିବାକୁ ଚାହୁଥିଲେ । ଟଲଷ୍ଟୟ ଅତ୍ୟନ୍ତ ସ୍ୱାଭାବିକ ଭାବରେ ଉତ୍ତର ଦେଲେ, ‘ଭଗବାନଙ୍କର’ !

 

ଆମକୁ ନିମିତ୍ତ କରି ଆମର ସ୍କୁଲଗୁଡ଼ିକ ଯେତେବେଳେ ଆରମ୍ଭ ହେଲା, ସେତେବେଳେ ଆମ ପାଖରେ ସମ୍ପତ୍ତି ବୋଲି କିଛି ନଥିଲା । କେବଳ ଉତ୍ସାହ ରହିଥିଲା, ସେହି ଉତ୍ସାହଗୁଡ଼ିକର ମଧ୍ୟଦେଇ ଆମେ ସତେ ଅବା ଦିଗ୍‌ବଳୟର ଆହୁରି ସେପାଖକୁ ଦେଖି ପାରୁଥିଲୁ-। ଏକ ଅନ୍ୟ ପ୍ରସ୍ଥର ଭବିଷ୍ୟତକୁ ଦେଖି ପାରୁଥିଲୁ । ଆମେ ସେତେବେଳେ ସାଙ୍ଗ ଖୋଜୁଥିଲୁ, ଆମର ସମ୍ମତିମାନେ ସମଧର୍ମୀ ଅନ୍ୟ ସମସ୍ତଙ୍କ ସହିତ ଏକାଠି ବାଟ ଚାଲିବେ ଏବଂ ସିନ୍ଦୂରା ଫାଟିବାଯାଏ ପରସ୍ପର ସହିତ ଏକାଠି ହୋଇ ରହିବେ ବୋଲି କେଡ଼େ ସହଜ ଭାବରେ ରାଜି ହୋଇ ପାରୁଥିଲେ । ସେତେବେଳେ ଆମେ ସମସ୍ତଙ୍କୁ କେଡ଼େ ଅକୃପଣ ଏବଂ ନିଶ୍ଚଳ ଭାବରେ ଲୋଡ଼ି ପାରୁଥିଲୁ । ସମସ୍ତେ ଏକାଠି ବାଟ ଚାଲି ପାରିଲେ ଯାଇ ଆମର ଏହି ସାଧନା ସମ୍ଭବ ହେବ ବୋଲି କେଡ଼େ ସ୍ୱାଭାବିକ ଭାବରେ ବିଶ୍ୱାସ କରି ପାରୁଥିଲୁ ।

 

ଆମର ବିଦ୍ୟାଳୟଗୁଡ଼ିକ କ୍ରମେ ସାନରୁ ବଡ଼ ହେଲେ, ଅଳପରୁ ଅଧିକ ହେଲେ ଏବଂ ସରଳରୁ ଜଟିଳ ହେଲେ । ଆମର କାନ୍ଥଗୁଡ଼ାକ ଆମ ଆଖିକୁ ଅଧିକ ମୋଟା ହୋଇ ଦେଖାଯିବାକୁ ଆରମ୍ଭ କଲେ । ଆମର ବଗିଚା ଚାରିପାଖରେ ବସିଥିବା ବାଡ଼ଗୁଡ଼ିକ ଆମକୁ ଅନ୍ୟ ସମସ୍ତଙ୍କଠାରୁ ଅଧିକରୁ ଅଧିକ ଅଲଗା କରି ଦେଖାଇଦେଇ ପାରିଲେ ଏବଂ ତାହା ଆମକୁ ସତକୁସତ ଅଧିକ ଭଲ ଲାଗିଲା, ଅଧିକ ଘେନାଇଲା । ତା’ପରେ କେତେ ନା କେତେ ଶ୍ରଦ୍ଧା ଓ ନମନୀୟତା ଦ୍ୱାରା ସ୍ଥାପିତ ହୋଇଥିବା ଆମର ବିଦ୍ୟାଳୟଟି ମଧ୍ୟ ଆମକୁ ସତେଅବା କେବଳ ଏକ ନିମିତ୍ତ ଭଳି ଦିଶିଲା, ଆମେ ସ୍ୱୟଂ ଆମ ଆଖିକୁ ଅସଲ ହୋଇ ଦିଶିଲୁ । ବିଦ୍ୟାଳୟଟାକୁ ଗୋଟାସୁଦ୍ଧା ଆମର ବୋଲି କହିଲୁ, ଗୋଟାସୁଦ୍ଧା ଆମରି ସମ୍ପତ୍ତିରୂପେ ଗ୍ରହଣ କଲୁ । ଆମ ନିଜର ବୁଦ୍ଧି ଏବଂ ଯଶଃସମୃଦ୍ଧି ସକାଶେ ହିଁ ଆମେ ତେଣିକି ଆମରି ଆଶ୍ରୟରେ ପାଖୁଡ଼ା ପାଖୁଡ଼ା ହୋଇ ଫୁଟି ପାରିବା ଲାଗି ଆରମ୍ଭ ହୋଇଥିବା ବିଦ୍ୟାଳୟଟିର ବୃଦ୍ଧିକାମନା କଲୁ । ସତେଅବା ଆମର ସେହି କାମନା ମାନଙ୍କର ପ୍ରକୋପ ଫଳରେ ଆମ ଆଖି ଆଗରେ ରହିଥିବା ଦିଗ୍‌ବଳୟଗୁଡ଼ିକ କ୍ରମଶଃ ପୋତି ହୋଇ ପଡ଼ିଲେ । ଆମେ ନିଜକୁ ମାଲିକ ବୋଲି ଅନୁଭବ କଲୁ । ଆମଦ୍ୱାରା ପାଳିତ ବିଦ୍ୟାଳୟଟିର ଶ୍ରୀବର୍ଦ୍ଧନ କଲୁ ଏବଂ ତାହାରି ଦ୍ୱାରା ଆମ ନିଜର ଶ୍ରୀବୃଦ୍ଧି ହେଉଥିବା ପରି ବୋଧ କରିବାକୁ ଲାଗିଲୁ । ଆମ ପ୍ରଲୁବ୍ଧ ଆଖିଗୁଡ଼ିକର ପ୍ରକୋପରେ ଆମ ବିଦ୍ୟାଳୟଗୁଡ଼ିକ ଭାରି ବଡ଼ ହୋଇ ଦେଖାଗଲେ, ଆମ ଆଖିରେ ସବୁଠାରୁ ବଡ଼ ବୋଲି ଦେଖାଗଲେ ।

 

ଘର ନଥିଲା, ଘର ହେଲା । ଜମି ନଥିଲା, ଜମି ହେଲା । ଚଉକି ଓ ଟେବୁଲମାନ ଆମ ପ୍ରକୋଷ୍ଠଗୁଡ଼ିକର ଶୋଭା ବଢ଼ାଇଲେ । ଆମର ସରଞ୍ଜାମମାନେ, ଯେଉଁମାନେକି ଆଗେ ମୁଣ୍ଡକୁ ପାଇଲେ ଦେହକୁ ପାଉନଥିଲେ ଓ ଦେହକୁ ପାଇଲେ ମୁଣ୍ଡକୁ ପାଉନଥିଲେ; ଏଣିକି ଦେହକୁ ପାଇଲେ, ମୁଣ୍ଡକୁ ବି ପାଇଲେ । ଆହୁରି ଆଗକୁ ଯାଇ ଆମେ କେବଳ ଦେହ ଲାଗି ଗୋଟିଏ ସାର ଯୋଗାଡ଼ କରି ପାରିଲୁ ତ ମୁଣ୍ଡ ଲାଗି ମଧ୍ୟ ସ୍ୱତନ୍ତ୍ର ଭାବରେ ଆଉ ସାରେ ଯୋଗାଡ଼ କରିପାରିଲୁ । ଦୁଇଗୁଣ ହୋଇ ଦିଶିଲୁ, ବହୁଗୁଣ ହୋଇ ଦିଶିବା ଲାଗି ମନ କଲୁ । ଆଗେ ଆମ ଭିତରୁ ଯିଏ ରାଜା ହେଉଥିଲା, ସେଇ ଦୂତ ହେଉଥିଲା; ଯିଏ ସେନାପତି ହେଉଥିଲା, ତାହାକୁ ହିଁ ସୈନିକ ହେବାକୁ ହେଉଥିଲା । ବାହାରକୁ ସଂଗଠନ ହୋଇ ଭିତରେ ଶିକ୍ଷକର କାମ ତୁଲାଇବାକୁ ହେଉଥିଲା । ବିପୁଳତା ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ବିଭାଗୀକରଣ ପ୍ରବେଶ କଲା, ଆମେ ସବୁ ଅଲଗା ଅଲଗା କାମ ଅନୁସାରେ ବାଣ୍ଟି ହୋଇଗଲୁ, ଅଲଗା ଅଲଗା ପାହିଆ ମାଧ୍ୟମରେ ଚିହ୍ନିତ ହୋଇ ରହିଲୁ । ଖଣ୍ଡିଆ ଖଣ୍ଡିଆ ହୋଇ ରହି ପ୍ରକାଣ୍ଡ ପରି ଦିଶିଲୁ, ବଡ଼ ସାନ ବାରିଲୁ । ବୋଲ ବତାଇବା ମଣିଷମାନେ ବୋଲ କରିବାର ମଣିଷଙ୍କଠାରୁ ଅଲଗା ହୋଇ ରହିଲେ । ଉତ୍ତମର୍ଣ୍ଣମାନଙ୍କର ସଂଖ୍ୟା ବଢ଼ିଲା, ଏବଂ ତେଣୁ ଅଧମର୍ଣ୍ଣମାନଙ୍କୁ ଅଧିକ କଲବଲ ହେବାକୁ ପଡ଼ିଲା । ଆପଣାଠାରୁ ଆପଣାର ରୁଖାଟାକୁ ବଡ଼ ବୋଲି ଜ୍ଞାନ କରୁଥିବାରୁ ଆମେ ଆମ ଭିତରର ପ୍ରତ୍ୟେକଙ୍କୁ ପରସ୍ପରର ଅଧସ୍ତନ ପରି ଦେଖାଗଲୁ । ଏବଂ, ଆମ ସମସ୍ତଙ୍କୁ ଏକତ୍ର ସମ୍ମିଳିତ କରି ଏହି ସବୁଟି ଉପରେ ଯେଉଁ ବୃହତ୍ତର ଡୋରଟି ଆମର ଯାବତୀୟ ଉଦ୍ୟମ ତଥା ଉତ୍ସାହ ଲାଗି ସବୁଠାରୁ ଅଧିକ ନିର୍ଭରଯୋଗ୍ୟ ଔଚିତ୍ୟ ଭଳି ହୋଇ ରହିଛି, ସେଇଟିକୁ ଯଥାସମ୍ଭବ ଅଧିକ ଅବସରରେ ପାସୋରି ପକାଇବାକୁ ହିଁ ଆମେ କ୍ରମେ ଅଧିକ ନିରାପଦ ବୋଲି ମନେକଲୁ ।

 

ସ୍ଥାବର ସମ୍ପତ୍ତିର ଅଧିକାରୀମାନଙ୍କୁ ଜଙ୍ଗମ ସମ୍ପତ୍ତିମାନେ ମଧ୍ୟ କ୍ରମଶଃ କେବଳ ସମ୍ପତ୍ତି ହୋଇ ଦିଶିଲେ । ଆମ ପିଲାମାନଙ୍କ ସହିତ ଆମେ ବୟସ୍କମାନେ ଏକତ୍ର ବାଟ ଚାଲିଥାନ୍ତୁ, ଏକ ସଚଳ ଭବିଷ୍ୟତର ଅନ୍ତରଙ୍ଗ ସଂସର୍ଗରେ ରହି ଆମେ ଏହି ବର୍ତ୍ତମାନଗୁଡ଼ାକ ମଧ୍ୟରେ ହିଁ ଭବିଷ୍ୟତକୁ ଆଘ୍ରାଣ କରି ପାରିଥାନ୍ତୁ, —ଏହାରି ଦ୍ୱାରାହିଁ ଆମର ପରିତ୍ରାଣ ହୋଇ ପାରିଥାନ୍ତା,—ଆମଲାଗି ଏକ ଉନ୍ମୋଚନ ସମ୍ଭବ ହୋଇଥାନ୍ତା । ସମ୍ପତ୍ତିଗୁଡ଼ାକୁ କାମୁଡ଼ି ରହିଥିବାରୁ ତାହା ମଧ୍ୟ ଆମଲାଗି ପ୍ରାୟ ଏକ ଅବାସ୍ତବ ଅସମ୍ଭବତାରେ ପରିଣତ ହୋଇ ରହିଲା । ପିଲାମାନେ ଆମର ସମ୍ପତ୍ତି ପରି ଦେଖାଗଲେ, —ସେମାନଙ୍କୁ ଆମେ ଆମ ହାତୀଶାଳର ହାତୀ ବୋଲି କହି ଗର୍ବ ଅନୁଭବ କଲୁ, ସେମାନଙ୍କର ସଂଖ୍ୟା ବୃଦ୍ଧି କଲୁ । ସଂଖ୍ୟାବୃଦ୍ଧିକୁ ଅନେକ ସମୟରେ ଅସଲ ସମୃଦ୍ଧି ବୋଲି ଭାବିଲୁ । ଠିକ୍‌ ଏହି ସମୟରେ ସରକାର ମଧ୍ୟ ଆମ ପାଖରେ ଆସି ହାବୁଡ଼ିଗଲେ । ସରକାର ଅର୍ଥାତ୍‌ ରାଷ୍ଟ୍ର ହେଉଛନ୍ତି ନାନା ଅଧିକାରିତା ଦ୍ୱାରା ମୋଟା ହୋଇ ରହିଥିବା ସତେଅବା ଏକ ବୃହଦ୍‌ଗ୍ରନ୍ଥିର ପ୍ରତୀକ, ଠୁଳ ହୋଇ ରହିଥିବା ଅନେକ କ୍ଷମତାର ପ୍ରତୀକ, ଅନ୍ତଃଶକ୍ତିକୁ ଅନ୍ତରାଳ ଓ ବ୍ୟାହାତ କରି ରଖି ଉପରକୁ ଏଡ଼େ ବଡ଼ ଅପସ୍ଫୀତି ପରି ଦେଖା ଯାଉଥିବା ଏକ ଅନ୍ୟ ଶକ୍ତିର ପ୍ରତୀକ, ହୃଦୟଗୁଡ଼ାକୁ ଜର୍ସି ପିନ୍ଧାଇ ଏକ ଆଡ଼ମ୍ବରମୟ ବ୍ୟୂହ ଭିତରେ ଖୁଣ୍ଟରେ ବାନ୍ଧି ରଖିବାକୁ ଇଚ୍ଛା କରୁଥିବା ଏକ ଅବାଞ୍ଛିତ ହଠଧର୍ମର ପ୍ରତୀକ । ସମ୍ପତ୍ତିଲୋଭୀମାନଙ୍କୁ ଏହି ସରକାର ଭାରି ସୁହାଇଲେ । ସେମାନେ ସରକାରଙ୍କ ଘରୁ ଘୁଙ୍ଗୁର ମାଗିଆଣି ପିନ୍ଧିଲେ ଓ ଆପଣାର ଅନୁରୁକ୍ତିଗୁଡ଼ାକୁ ବିଧିବଦ୍ଧ କରି ଖାତାରେ ଲେଖି ରଖିଲେ । ସରବରାକାର ହେଲେ ।

 

ଏହି ଯାବତୀୟ ସମ୍ପତ୍ତି ଆମ କାହାରି ନୁହେଁ । ବିଦ୍ୟାଳୟ ବୋଲି ଆମର ଯେଉଁ ପରିବେଶଟିକୁ ଆମେ ଗଢ଼ିବାଲାଗି ଏତେ ଉଦ୍ୟମ କରୁଛୁ, ତାହାକୁ ଆମେ ସମ୍ପତ୍ତି ବୋଲି ଗ୍ରହଣ ନକରି ପ୍ରକୃତରେ ଏକ ସୁଯୋଗ ବୋଲି ହିଁ ଗ୍ରହଣ କରିବା । ଏକ ବୃହତ୍‌ ଓ ସମୂଳ ପରିବର୍ତ୍ତନରେ ଅଂଶ ଗ୍ରହଣ କରିବାର ସୁଯୋଗରୂପେ ଗ୍ରହଣ କରିବା । ଆମେ ଥାଉ ବା ନଥାଉ, ପରିବର୍ତ୍ତନ ଅବଶ୍ୟ ହେବ । ଏକ ଅନ୍ୟ ଭୂମିରେ ମଣିଷ ସହିତ ମଣିଷର ପରିଚୟ ହେବ । ଏହି ଅନ୍ୟ ଭୂମିଟି ଯେ ରହିଛି, ଆମ ଲାଗି ଅପେକ୍ଷା କରି ରହିଛି, ଆମ ବିଦ୍ୟାଳୟର ପିଲାମାନେ ଆମକୁ ଅବଶ୍ୟ ତାହାର ସ୍ପଷ୍ଟ ଆଭାସ ଦେଇ ଯାଉଥିବେ । ଆମେ ନିହାତି ବର୍ବର, ଅର୍ଥାତ୍‌ ଅନମନୀୟ ଏବଂ ପ୍ରତିରୋଧପରାୟଣ ନ ହୋଇଥିଲେ ସେହି ଆଭାସଟିକୁ ଅନ୍ତତଃ ବେଳେବେଳେ ନିଶ୍ଚୟ ଅନୁଭବ କରି ପାରୁଥିବା । ଆମେ ସେହି ଅନୁଭୂତିର ସୁଯୋଗ ନେବା, ଯାବତୀୟ ସୁଯୋଗକୁ ଏକ ଆହ୍ୱାନ ପରି ଗ୍ରହଣ କରିବା । ଆମ ଭିତରେ ଅତ୍ୟନ୍ତ ଅମଙ୍ଗଳ ଓ କର୍କଶ ହୋଇ ରହିଥିବା ଦ୍ୱାରର ଉନ୍ମୋଚନ ଲାଗି ଓ ଆମ ଭିତରର ଅନେକ ଅସମ୍ମତିକୁ ସମ୍ମତିରେ ପରିଣତ କରିବା ଲାଗି ଏକ ଆହ୍ୱାନରୂପେ ଗ୍ରହଣ କରିବା । ଆମେ ସେହି ଆହ୍ୱାନର ଯୋଗ୍ୟ ହେବା, ସେହି ଆମନ୍ତ୍ରଣର ଭାଜନ ହେବା । ସ୍ୱୟଂ ଭାଜନ ହୋଇ ପାରିଲେ ଯାଇ ଆମକୁ ନିମିତ୍ତ କରି ଅବୟବ ପାଇ ଉଠୁଥିବା ବିଦ୍ୟାଳୟଟି ମଧ୍ୟ ଯଥାର୍ଥ ଭାବରେ ଭାଜନ ହୋଇପାରିବ । ତାହା ଆମ ଜୀବନର ଯଥାର୍ଥ ପ୍ରସ୍ଥଗୁଡ଼ିକୁ ଉନ୍ମୋଚିତ କରିଦେଇ ପାରିବ, ଯଥାର୍ଥ ସ୍ପର୍ଶଗୁଡ଼ିକ ଲାଗି ଆମକୁ ପ୍ରସ୍ତୁତ କରିନେଇ ପାରିବ । ଏହି ବାହ୍ୟ ଆଧାରଗୁଡ଼ିକୁ ଆମେ ପ୍ରମତ୍ତ ଭାବରେ ଆପଣାର ସମ୍ପତ୍ତି ବୋଲି ଭାବୁଥିବାରୁ ଏକ ଆରେକୁ ଅନେକ ସମୟରେ ସତେଅବା ଗୋଡ଼ି ଓ ପଥର ବୋଲି ଭାବୁଛୁ, ପରସ୍ପରକୁ ଗିଳି ପକାଇବା ଲାଗି ବାହାରି ପଡ଼ୁଛୁ । ଆମକୁ ବିଶ୍ୱାସ କରି ଆମ ପାଖକୁ ଆସିଥିବା ପିଲାମାନେ ଆମ ଆଡ଼କୁ ସେତେବେଳେ ତ୍ରସ୍ତଚକିତ ଭାବରେ ‘ଆଁ’ କରି ଅନାଇ ରହୁଛନ୍ତି । ଆମେ ଏହି ପୁରୁଣା ବାଟ ଛାଡ଼ିଦେବା, ଆମ ପିଲାମାନଙ୍କର ବିଶ୍ୱାସଭାଜନ ହେବା, ପରସ୍ପର ଲାଗି ନମନୀୟ ହୋଇ ରହିବା; ଆମ ଭିତରେ ରହିଥିବା ସର୍ବୋତ୍ତମ ବ୍ୟାକୁଳତାଟିର ଦାବିଗୁଡ଼ିକ ପାଖରେ ନମନୀୟ ଏବଂ ବିଶ୍ୱାସଭାଜନ ହୋଇ ରହିବା ।

 

ମାର୍ଚ୍ଚ,୧୯୮୫

Image

 

ଏକ ଶ୍ରମଣ-ଶିବିରର ସଂସ୍କରଣରେ

 

ଓଡ଼ିଶା ପଟୁ ଉତ୍ତରକୁ ଯାଉ ଯାଉ ସୁବର୍ଣ୍ଣରେଖା ନଦୀ ପାର ହେଲେ ପଶ୍ଚିମବଙ୍ଗ ଭିତରକୁ ପ୍ରବେଶ କରିବା ପୂର୍ବରୁ ଏକାବେଳେକେ କଣିକିଆ ହୋଇ ଯେଉଁ ଅଞ୍ଚଳଟି ପଡ଼େ, ପ୍ରଶାସନିକ ଭୂଗୋଳରେ ତାହାକୁ ଭୋଗରାଇ ବୋଲି କୁହାଯାଏ । ସେହି ଭୋଗରାଇ ଅଞ୍ଚଳରେ ଇତି ମଧ୍ୟରେ ଚାରିଗୋଟି ସ୍ଥାନରେ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ସ୍ଥାପନା ହୋଇ ଗଲାଣି । ପ୍ରତ୍ୟେକ କେନ୍ଦ୍ରର ସ୍ୱତନ୍ତ୍ର ଇତିହାସମାନ ରହିଛି, ଅର୍ଥାତ୍‌ ସ୍ୱତନ୍ତ୍ର ଦୁଃଖ ଏବଂ ସ୍ୱତନ୍ତ୍ର ସମସ୍ୟାମାନ ରହିଛି । ତଥାପି ପ୍ରତ୍ୟେକଟି ସ୍ଥାନରେ ସେହି ଗୋଟିଏ ପ୍ରେରଣା ସତେଅବା ସଂପୃକ୍ତ ମଣିଷମାନଙ୍କୁ ଏକ ସମାନ ପ୍ରତିଶ୍ରୁତି ଆଡ଼କୁ ଅଗ୍ରସର କରି ନେବାରେ ଲାଗିଛି । ବାହାରକୁ ଆପଣାର ବୋଲି କହିପାରିବାର ଭୂମିଟିଏ ହୁଏତ ଆଦୌ ଦୃଶ୍ୟ ଭାବରେ ପ୍ରତୀତ ହେଉନାହିଁ । ତଥାପି ଚେରଗୁଡ଼ିକ ସତେଅବା କେତେ ଗଭୀରକୁ ସ୍ପର୍ଶ କରିଛି ଏବଂ ଚେରଗୁଡ଼ିକ ରହିଥିବାରୁ ଖୁଣ୍ଟଗୁଡ଼ିକ ମଧ୍ୟ ମଜବୁତ୍‌ ହୋଇ ରହିଥିବାର ଅନୁପ୍ରେରକ ପ୍ରତ୍ୟୟଟି ଭାରି ସହଜରେ ମିଳିଯାଉଛି ।

 

ଏହିପରି ଗୋଟିଏ ଶିକ୍ଷାକେନ୍ଦ୍ର ହେଉଛି ଖରିଦଚକ । ଅଙ୍କାବଙ୍କା ହୋଇ ଚାଲି ଯାଇଥିବା ଗୋଟିଏ ଖାଳର କଡ଼କୁ ସାନ ଗାଆଁଟିର ନାମ ଖରିଦଚକ । ସେହିପରି ଗୋଟିଏ ବାଙ୍କରେ ସତେଅବା ସମ୍ମତ ସମସ୍ତଙ୍କର ଅସଲ ସାକ୍ଷୀ ହୋଇ ରହିଥିବା ପରି ଶ୍ରୀଅରବିନ୍ଦଙ୍କର ଦେହାବଶେଷକୁ ବହନ କରି ରହିଥିବା ସାନ ମନ୍ଦିରଟିଏ । ସେହି ମନ୍ଦିରର ବେଢ଼ାରେ ଖୁଣ୍ଟ ବାଙ୍କି ଯାଇଥିବା ଦୁଇଧାଉଡ଼ି ବହଳ ଚାଳର ଘର । ସେଇଟି ହେଉଛି ଖରିଦଚକ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର । ଏବେ ଦୁଇ ବର୍ଷ ହେଲା ଶିକ୍ଷାକେନ୍ଦ୍ରର ଗୋଟିଏ ଭାଗ ଗ୍ରାମର ଅନତିଦୂରରେ ଶିକ୍ଷାକେନ୍ଦ୍ର ନିମନ୍ତେ ମିଳିଥିବା ସ୍ଥାୟୀ ସ୍ଥାନଟିକୁ ଉଠିଯାଇଛି । ନୂଆ ଥାନାଟି ଯେଉଁ ଗାଆଁର ରକବା ଭିତରେ ଅବସ୍ଥିତ, ତାହାର ନାମ ହେଉଛି ଆରୁହାବୃତ୍ତି । ଆରୁହାବୃତ୍ତିକୁ ସୁବର୍ଣ୍ଣରେଖା ନଦୀ ପାଦ ହିସାବରେ ମୋଟେ ଦଶମିନିଟ୍‌ ଅନ୍ତର । ବିଲ ଭିତରେ ସିଧା ଗାର କାଟି ଚାଲିଯାଇ ପାରିଲେ ପ୍ରାୟ ପନ୍ଦର ମିନିଟ୍ ପରେ ଦହମୁଣ୍ଡା ଗ୍ରାମ ପଡ଼େ । ସେଠାରେ ମଧ୍ୟ ଏକ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ରହିଛି ।

 

ସେହି ଆରୁହାବୃତ୍ତି ଶିକ୍ଷାକେନ୍ଦ୍ରରେ ଆମ ଏ ବର୍ଷର ପୋଖରୀଖୋଳା ଶ୍ରମଶିବିର ଅନୁଷ୍ଠିତ ହୋଇଥିଲା । ଏକଦା କେବଳ ଏକ ପଡ଼ିଆ ହୋଇ ପଡ଼ିଥିବା ଖଣ୍ଡେ ଜାଗାକୁ ବନ୍ଧୁମାନେ ଇତିମଧ୍ୟରେ ଏକ ସୁଯୋଜିତ ଘରରେ ପରିଣତ କରି ଦେଇଛନ୍ତି । ମଝିରେ ଭିତରକୁ ଯିବାର ରାସ୍ତା,—ଦୁଇପାଖରେ ଦୁଇପଟି ଚାଷଜମି । ସେହି ବିଲରୁ ଖୋଳା ହୋଇଥିବା ମାଟି ଚଉହଦୀରେ ପଡ଼ି ଯେଉଁ ଢିପଜାଗା ସୃଷ୍ଟି କରାଯାଇଛି, ବର୍ତ୍ତମାନ ସେଠି କଦଳୀ ଲଗାଯାଇଛି, ମଝିରେ ମଝିରେ ରୋପଣ କରାଯାଇଥିବା ନଡ଼ିଆଗଛର ଚାରାମାନେ କ୍ରମେ ପତରଚଅଁର ପକାଇବାକୁ ଆରମ୍ଭ କଲେଣି । ସବୁଜର ଏହି ଚାରିକଣିଆ ଗାତଟିକୁ ରଙ୍ଗର ବୈଚିତ୍ର୍ୟ ଦେଇ ବୋଗନ୍‌ଭିଲିଆର ନାଲି ଫୁଲର କାନ୍ଦିମାନ ସମସ୍ତ ଜାଗାଟିକୁ ସତେଅବା ଚହଟାଇ କରି ରଖିଛି । ଦକ୍ଷିଣ ପଟକୁ ସାହାଲାଏ ଚାଳଘର, ବଖରା ହିସାବରେ ଗଣିଲେ ତିନି ବଖରା । ସେଇ ଘରେ ପିଲାମାନେ ପଢ଼ନ୍ତି । ସ୍କୁଲ ଦୁଇଓଳି ହୁଏ । ଅର୍ଥାତ୍‌ ସୂର୍ଯ୍ୟ ହସିବା ବେଳଠାରୁ ସୂର୍ଯ୍ୟ ଖସିବା ବେଳେ ପର୍ଯ୍ୟନ୍ତ କୋଳାହଳ ଲାଗି ରହିଥାଏ । ଏହି ବିଦ୍ୟାଳୟର ପିଲାମାନେ ଦୁଇବର୍ଷ ହେଲା ସପ୍ତମ ଶ୍ରେଣୀର ସାଧାରଣ ପରିକ୍ଷା ଦେଲେଣି । ଅର୍ଥାତ୍‌, ଏଇ ଇସ୍କୁଲରୁ ଯାଆଁଳ ବାହାରି ଆଖପାଖର ସଂସାରରୂପକ ପୋଖରୀମାନଙ୍କରେ ଛଡ଼ା ହେଲେଣି, ଚେରମାନେ ମାଡ଼ି ମାଡ଼ି ଯିବାରେ ଲାଗିଲେଣି । ଫଳରେ, ପ୍ରଥମେ ପ୍ରାୟ ଅଜେୟ ବୋଲି ବୋଧ ହେଉଥିବା ଗଡ଼ମାନଙ୍କୁ ମଧ୍ୟ ଏଣିକି ହାତ ପାଇଯିବ ବୋଲି ବିଶ୍ୱାସ ହେଲାଣି, ସାହାସ ଆସିଲାଣି ।

 

ବିଲ ଦୁଇଖଣ୍ଡ ଟପି ହତାଟିର ପଶ୍ଚିମ କାନ୍ଥଯାଏ ଗଲେ ଯେଉଁ ଖରିବଣଟିଏ ଆଗେ ଏକାବେଳେକେ କେତେ ଜାଗା ମାଡ଼ି ବସିଥିଲା, ଏ ବର୍ଷ ଗ୍ରୀଷ୍ମଛୁଟିରେ ସେଇଠି ପୋଖରୀ ଖୋଳିବାର ବରାଦ ରହିଥିଲା । ଖରାଦିନକୁ ବିଦ୍ୟାଳୟର ଗଛମାନେ ଯଥେଷ୍ଟ ପାଣି ପାଇ ପାରୁ ନାହାନ୍ତି, ଅଧିକାଂଶତଃ ଗୋଟିଏ ଫସଲରେ ନିଜକୁ ସାନ୍ତ୍ୱନା ଦେଇ ରହିବାକୁ ପଡ଼ୁଛି । ପୋଖରୀଟିଏ ଥିଲେ ଅନ୍ତତଃ କେତେକ ପରିମାଣରେ ସେହି ଅଭାବଟି ମେଣ୍ଟିଯାଇ ପାରିବ । ପୋଖରୀଟିଏ ରହିଲେ ବିଦ୍ୟାଳୟର ସଂସାରଟି ଅଧିକ ସମ୍ପୂର୍ଣ୍ଣ ଦେଖାଯିବ,—ନୂଆ ଅର୍ଥୋପାର୍ଜନର ଆଉ କେତେ ବାଟ ହୁଏତ ଉପଲବ୍ଧ ହୋଇଯାଇ ପାରିବ । ବିଦ୍ୟାଳୟକୁ ମୋଟେ ଏକ ସଂସାର ବୋଲି ବୁଝୁନଥିବା ସରକାରୀ ମହତ୍‌ଜନ ଓ ସେହିମାନଙ୍କର ବରାବରେ ଆତଯାତ ହେଉଥିବା ମହକୁମାମାନଙ୍କର ଅତିରିକ୍ତ ପରିମାଣରେ କୁଣ୍ଠାଗ୍ରସ୍ତ ଅର୍ଥାନୁଗ୍ରହ ଉପରେ ନିର୍ଭର କରି ଆମେ ଯେ ଆମ ବିଦ୍ୟାଳୟମାନଙ୍କର ଆପଣା ଭୂଇଁରେ ଛିଡ଼ା ହୋଇ ପାରିବା ନାହିଁ, ଅଧିକରୁ ଅଧିକ ସଂଖ୍ୟକ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର କ୍ରମଶଃ ତାହା ହୃଦୟଙ୍ଗମ କରିବାକୁ ଆରମ୍ଭ କଲେଣି । ତେଣୁ ଆପଣା ଉପରେ ନିର୍ଭର କରିବାକୁ ପଡ଼ିବ । ସଂଘଶକ୍ତି ଉପରେ ନିର୍ଭର କରିବାକୁ ପଡ଼ିବ । ଏକ ରାଜଶକ୍ତିର ଯାବତୀୟ ପ୍ରତିଷ୍ଠା ଏବଂ ସ୍ଥିତାବସ୍ଥାର ବାହାରେ ରହିବାକୁ ନିଷ୍ପତ୍ତି ଗ୍ରହଣ କରି ଯେତେବେଳେ ସଂଘଶକ୍ତି ଆପଣା ଉପରେ ହିଁ ଅଧିକରୁ ଅଧିକ ନିର୍ଭର କରିପାରେ, ହୁଏତ ସେତିକିବେଳେ ଯାଇ ଭିତରେ ଏକ ସଚେତନ ସିଂହ ଆମର ସହଯୋଗ କରିବା ପାଇଁ ଅପେକ୍ଷା କରି ରହିଛି ବୋଲି ପ୍ରମାଣ ମିଳିଯାଏ । ତାହାକୁ ହିଁ ଆନ୍ଦୋଳନ ବୋଲି କୁହାଯାଏ ଏବଂ କେବଳ ଏକ ଆନ୍ଦୋଳନ ଦ୍ୱାରା ହିଁ ପୁରୁଣା ନଅରମାନେ ବିଦା ହୋଇ ଯାଆନ୍ତି ।

 

ଆମ ପୋଖରୀଖୋଳା କାର୍ଯ୍ୟକ୍ରମରେ ଏଥରର ଏଇଟି ହେଉଛି ଦ୍ୱିତୀୟ ବର୍ଷ । ଆରବର୍ଷ ଠିକ୍‌ ଏହି ମେ’ ମାସରେ ଭଦ୍ରକ ନିକଟବର୍ତ୍ତୀ ମାତୃପୁରମ୍‌ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ଆମର ପ୍ରଥମ ପୋଖରୀଖୋଳା ହୋଇଥିଲା । କାର୍ଯ୍ୟକ୍ରମଟି ଦଶଦିନ ପର୍ଯ୍ୟନ୍ତ ଚାଲିଥିଲା । ମାତୃପୁରମ୍‌ର ପ୍ରତିଷ୍ଠାତା ଶ୍ରୀଯୁକ୍ତ ମହେନ୍ଦ୍ର ଭାଇଙ୍କର ନେତୃତ୍ୱରେ ତାହା ଚାଲିଥିଲା । ଏକାନ୍ତ ଆକସ୍ମିକ ଭାବରେ ହେଲେ ମଧ୍ୟ ତଥାପି ସତେଅବା ଏକାନ୍ତ ଅଭିପ୍ରେତ ଭାବରେ ଏହିଭଳି ଏକ କାର୍ଯ୍ୟକ୍ରମକୁ ଉପଲକ୍ଷ୍ୟ ରୂପେ ବ୍ୟବହାର କରି କୌଣସି ଏକ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ଦଶଟି ଦିନ ଏକତ୍ର ଅତିବାହିତ କରିବା ଲାଗି ପ୍ରଥମେ ଆମ ଭିତରୁ କେତେଜଣ ଆଗ୍ରହ ପ୍ରକାଶ କରିଥିଲେ । ତା’ପରେ ହାତ ବଢ଼ାଇବା ମାତ୍ରକେ ଅନ୍ୟ ବନ୍ଧୁମାନେ ମଧ୍ୟ ମିଳିଗଲେ । ଆମେ ପ୍ରତ୍ୟେକେ ନିଜ ନିଜ ଯିବା ଆସିବାର ଖରଚ ବହନ କରିବା ଓ ଦଶଦିନର ଖାଇବା ଖର୍ଚ୍ଚ ମଧ୍ୟ ପ୍ରତ୍ୟେକେ ନିଜ ହାତରୁ ତିରିଶ ଟଙ୍କା ଲେଖାଏଁ ଦେବା,—ଏହିପରି ସ୍ଥିର କରାଯାଇଥିଲା । ଯେତେବେଳେ କାର୍ଯ୍ୟକ୍ରମଟିର ଉଦ୍‌ଯାପନ ହେଲା, ସେତେବେଳେ ସମସ୍ତେ କହିଲେ ଯେ, ଆମେ ଆରବର୍ଷକୁ ମଧ୍ୟ ଆଉ କୌଣସି ଜାଗାରେ ଏହିପରି ଏକଜୁଟ ହେବା,—କାମ କରିବା, ଆଲୋଚନା କରିବା, ପରସ୍ପର ସହିତ ଡୋର ଲଗାଇବା ଏବଂ ଭବିଷ୍ୟତ ଭିତରକୁ ମଧ୍ୟ ଡୋର ପକାଇ ପାରିବା । ଏ ବର୍ଷର କାର୍ଯ୍ୟକ୍ରମ ସାରି ଘରକୁ ବାହୁଡ଼ିବା ସମୟରେ ସମସ୍ତେ ଯାହା ଅନୁଭବ କରୁଥିଲେ, ତାହା ହେଉଛି, ଏହି ଆରବର୍ଷ ବାରବାର ଆସିବ, ପ୍ରତିବର୍ଷ ଆସିବ, ପଛକୁପଛ ଲାଗି ରହିଥିବ ।

 

ବାହାରୁ ଆସିଥିବା ଏବଂ ସ୍ଥାନୀୟ ବନ୍ଧୁମାନଙ୍କୁ ମିଶାଇ ଆରୁହାବୃତ୍ତିରେ ଆମେ ପ୍ରାୟ ପଚିଶ ଜଣା ଏକତ୍ର ହୋଇଥିଲୁ । ମଇମାସର ଶେଷ ଦଶଦିନ ପାଇଁ କାର୍ଯ୍ୟକ୍ରମଟି ନିର୍ଦ୍ଧାରିତ ହୋଇ ରହିଥିଲା । ତେଣୁ ଏକୋଇଶି ତାରିଖ ରାତି ଅଧକ ସୁଦ୍ଧା ଆମେସବୁ ବାଟ ପଚାରି ଆସି ଯଥାସ୍ଥାନରେ ପହଞ୍ଚି ଯାଇଥିଲୁ । ଆମ ଭିତରୁ ଅଧିକାଂଶ ହେଉଛନ୍ତି କଲେଜରେ ପଢ଼ୁଥିବା ଅଥବା ପାଠସାରି ସଦ୍ୟ କଲେଜରୁ ବାହାରିଥିବା ପିଲା, କେତେଜଣ ପୂର୍ଣ୍ଣାଙ୍ଗ ବିଦ୍ୟାଳୟମାନଙ୍କରେ ଶିକ୍ଷକତା କରୁଥିବା ଅପା ଓ ଭାଇ,—କଟକ ଜିଲ୍ଲାର କୌଣସି ଏକ କଲେଜର ଜଣେ ଅଧ୍ୟାପକ ମଧ୍ୟ ଆମ ସହିତ ଆସି ଏପରି ଭାବରେ ମିଶିଗଲେ ଯେ, ଦିନକ ପରେ କାକମାନଙ୍କ ମଧ୍ୟରୁ ବକଟିକୁ ଅଲଗା କରି ଚିହ୍ନିବା ଆଦୌ ସମ୍ଭବ ହେଲା ନାହିଁ । ଢେଙ୍କାନାଳ, କେନ୍ଦୁଝର, କଟକ, ବାଲେଶ୍ୱର—ଏଥର ଆମେ ଏହି ଚାରୋଟି ଜିଲ୍ଲାରୁ ଆସି ଆରୁହାବୃତ୍ତିରେ ଠୁଳ ହୋଇଥିଲୁ । ସକଳ ପାର୍ଥକ୍ୟ ସତ୍ତ୍ୱେ ସମସ୍ତେ ବସ୍ତୁତଃ ସେହି ଗୋଟିଏ ସନ୍ତକକୁ ଆଗ୍ରହ ଭିତରେ ଭରି ଏଠାକୁ ଆସିଥିଲେ । ଏମାନେ ସମସ୍ତେ ଓଡ଼ିଶାର କୌଣସି ନା କୌଣସି ପାଠଚକ୍ର ସହିତ ସକ୍ରିୟ ଭାବରେ ସଂପୃକ୍ତ ରହିଥିଲେ । ତାହାହିଁ ଆମ ସମସ୍ତଙ୍କୁ ଅତ୍ୟନ୍ତ ସ୍ୱାଭାବିକ ଭାବରେ ଗୋଟିଏ ମେଳରେ ପରିଣତ କରି ରଖି ପାରୁଥିଲା । ସମସ୍ତଙ୍କ ଭିତରେ ଏକ ଅନମନୀୟ ଜିଜ୍ଞାସା, ଆପଣାର ଏକାନ୍ତ ବ୍ୟକ୍ତିଗତ ଅର୍ଥାତ୍‌ ଏକାନ୍ତ ନିକାଞ୍ଚନ ଜୀବନଟି ଠାରୁ ବୃହତ୍ତର ଆଉକିଛି ଲାଗି ନିଜକୁ ଯୋଗ୍ୟ କରି ଗଢ଼ିବାଲାଗି ଏକ ଅନମନୀୟ ଇଚ୍ଛା ଓ ତଜ୍ଜନିତ ତଦନୁରୂପ ଏକ ଖୁସି,—ତାହାହିଁ ଆମ ସମସ୍ତଙ୍କୁ ଏକାଠି ବାନ୍ଧି ରଖିଥିଲା । ଦୂରତା ସବୁ ଗୋଟି ଗୋଟି ହୋଇ ଅପସରି ଯାଉଥିଲେ । ଆମେ ରାଜି ହେଲେ ଯେ ଆମ ଅଡ଼ୁଆଗୁଡ଼ାକ ସୂତା ହୋଇ ଅବଶ୍ୟ ଖୋଲିଯାଇ ପାରିବ ଓ ସେହି ସୂତାକୁ ଡୋର ପରି ବ୍ୟବହାର କରି ଯେ ଆମେ ସଂସାରରେ ସମସ୍ତଙ୍କୁ ବାନ୍ଧି ଆଣି ପାରିବା ଓ ସବୁରି ମଧ୍ୟରେ ପଡ଼ିଥିବା ଅସଲ ସେତୁଟିକୁ ଅତ୍ୟନ୍ତ ମୂର୍ତ୍ତରୂପେ ଅନୁଭବ ବି କରି ପାରିବା, ଆମ ଦଶଦିନର ଚଳପ୍ରଚଳ ଆମକୁ ଅତ୍ୟନ୍ତ ସ୍ପଷ୍ଟ ଭାବରେ ସେହି କଥାଟିକୁ କହିଦେଇ ଯାଉଥିଲା ।

 

ଆମେ ଯିବା ପୂର୍ବରୁ ଆରୁହାବୃତ୍ତି ଓ ଦହମୁଣ୍ଡାର ବନ୍ଧୁମାନେ କାର୍ଯ୍ୟର ନିର୍ଘଣ୍ଟଟିଏ ପ୍ରସ୍ତୁତ କରି ରଖିଥିଲେ । ପ୍ରତ୍ୟୁଷରୁ ଶଯ୍ୟାତ୍ୟାଗ ଏବଂ ପାଞ୍ଚଟା ବାଜିବାକୁ ଆହୁରି ପନ୍ଦର ମିନିଟ୍‌ ମିନିଟ୍‌ ବାକି ଥିବା ବେଳକୁ ଆଧ୍ୟାତ୍ମିକ ପତାକା ତଳେ ସମସ୍ତଙ୍କର କାର୍ଯାରମ୍ଭ ପୂର୍ବରୁ ଆବାହନକାରୀ ଧ୍ୟାନ । ତା’ପରେ କାର୍ଯ୍ୟାରମ୍ଭ । ଥୋକେ ମାଟି ଖୋଳିବେ ଆଉ ଥୋକେ ମାଟି ଭରିଦେବେ ଓ ମୁଣ୍ଡକୁ ଉଠାଇ ଦେବେ, ଆଉଥୋକେ ଧାଡ଼ି ବାନ୍ଧି ମାଟିକୁ ନେଇ ହୁଡ଼ାରେ ପକାଇବେ । ସାଢ଼େ ଛଅଟା ବେଳକୁ ଦିବସର ପ୍ରଥମ ଆହାର ଆସି ପହଞ୍ଚି ଯାଉଥିଲା । ପନ୍ଦର ମିନିଟ୍‍ର ମଧ୍ୟାନ୍ତରରେ ଆମେ ନିଜ ନିଜର ରୁଚି ଓ ଶ୍ରଦ୍ଧା ଅନୁସାରେ ହାତ ଧୋଇ ବା ନଧୋଇ ଗୁଳାଏ ଚିନିମିଶା ଚିପିଟକକୁ ସେବନ କରିବାରେ ଲାଗି ଯାଉଥିଲୁ । ତା’ପରେ ପୁନର୍ବାର କାମ ଲାଗି ଯାଉଥିଲା ଓ ସମାନ ଆଠଟା ବେଳକୁ ଶେଷ ହେଉଥିଲା । ସାତଟା ବାଜିବା ବେଳକୁ ରେଡ଼ିଓଟିଏ ଆସି ପୋଖରୀ ହୁଡ଼ାରେ ରଖା ଯାଉଥିଲା ଏବଂ ଆମକୁ ସଖ୍ୟ ତଥା ଉତ୍ସାହ ଯୋଗାଇ ଦେଉଥିଲା । ଖବରଗୁଡ଼ିକ ସରିବା ପରେ ଆମେ ସେଥିରୁ କୋଡ଼ିଏ ମିନିଟ୍‍ ସକାଶେ ରବୀନ୍ଦ୍ର ସଂଗୀତ ଶୁଣୁଥିଲୁ । ତା’ପରେ ଶ୍ରମର ପ୍ରଥମ ମୁଥଟି ସରି ଯାଉଥିଲା । କ୍ଳାନ୍ତ ଶରୀର ଗୁଡ଼ାକରେ ସତେଅବା ଆହୁରି କାହାର ବରଦ ହସ୍ତ ଆସି ବାଜି ଯିବାପରି ଆମେ ସମସ୍ତେ ସୁବର୍ଣ୍ଣରେଖା ନଦୀକୁ ଗାଧୋଇ ବାହାରି ଯାଉଥିଲୁ । ସେତେବେଳକୁ ଜୁଆରିଆ ନଦୀ ଫୁଲି କରି ରହିଥାଏ, ଢେଉମାନଙ୍କର କ୍ଳାନ୍ତିହାରକ ନୃତ୍ୟ ଭିତରେ ନଈ ପହଁରିବା—ତାହା ପ୍ରକୃତରେ ଏକ ଅନୁଭୂତି । ତା’ପରେ ଶିବିରକୁ ଫେରିଆସି ଆମେ କଳମଶାଗ ବା ପରିବା ସନ୍ତୁଳା ଦେଇ ଭାତ ଓ ତୋରାଣି ମିଶାଇ ପେଟେ ପେଟେ ଗର୍ଭସ୍ଥ କରୁଥିଲୁ ଓ ସାଢ଼େ ନଅଟା ବେଳକୁ ଆଲୋଚନାରେ ଆସି ବସୁଥିଲୁ । ଦଶ ଦିନର ଆଲୋଚନା ମଧ୍ୟରେ ଆମେ ମାଆଙ୍କର “ପ୍ରଶ୍ନ ଓ ଉତ୍ତର” ଏବଂ ଶ୍ରୀଅରବିନ୍ଦଙ୍କର Aphorism କିଛି ଅଂଶକୁ ଭୂମି କରି, ନିଜର ପ୍ରେରଣା, ମନନ ତଥା ସଂକଳ୍ପଗତ ପରିଧିଗୁଡ଼ିକୁ ଯଥାସମ୍ଭବ ଅଧିକ ବିସ୍ତୃତ ଏବଂ ଗ୍ରହଣଶୀଳ କରିବାକୁ ପ୍ରୟାସ କରୁଥିଲୁ-

 

ବାରଟା ବାଜିଲେ ମଧ୍ୟାହ୍ନ ଭୋଜନ । ତା’ପରେ ବିଶ୍ରାମ ଅର୍ଥାତ୍‌ ବ୍ୟକ୍ତିଗତ ସମୟ । ଦୁଇଟା ବେଳକୁ ରବୀନ୍ଦ୍ର ସଂଗୀତ । ତା’ପରେ ତିନିଟାରୁ ସାଢ଼େ ଚାରିଟା ପର୍ଯ୍ୟନ୍ତ ପଠନ ଓ ଆଲୋଚନା । ସାଢ଼େ ଚାରିଟାରୁ ଘଣ୍ଟାକ ଲାଗି ପୋଖରୀ-ଖୋଳା ଏବଂ ତା’ପରେ ସଞ୍ଜ ବୁଡ଼ିବାଯାଏ ଭଲି ଖେଳ । ରାତିରେ ଭୋଜନ ପର୍ଯ୍ୟନ୍ତ ଏକାଠି ବସି ବିଭିନ୍ନ ବିଷୟରେ ଆଲୋଚନା-। ଗୋଟିଏ ବିଷୟ ନିର୍ଦ୍ଦିଷ୍ଟ ହୋଇ ରହିଥିବ ଏବଂ ଜଣେ ଭାଇ କିମ୍ବା ଭଉଣୀ ପ୍ରଥମେ ପନ୍ଦର କୋଡ଼ିଏ ମିନିଟ୍‌ ଭିତରେ ସେହି ବିଷୟଟିର ଉପସ୍ଥାପନା କରାଇବେ । ତା’ପରେ ବିଷୟଟି ମୁକ୍ତ ଆଲୋଚନା ନିମନ୍ତେ ଘେରା ବୁଲିବ । ସନ୍ଧ୍ୟାରେ ଏହି ଦେଢ଼ ଘଣ୍ଟାର ଆଲୋଚନାରେ ଆମ ପ୍ରତ୍ୟେକଙ୍କ ମଧ୍ୟରେ ରହିଥିବା କେତେ ଗଣ୍ଠି ଯେ ପରସ୍ପରଠାରୁ ନିର୍ଭର ପାଇ ଫିଟିଯାଇ ପାରୁଥିଲା, ସେକଥା ସେଠାରେ ଆମେ ପ୍ରତ୍ୟେକେ ଅନୁଭବ କରି ପାରୁଥିଲୁ । ସବା ଶେଷ ଦିନ ସନ୍ଧ୍ୟାରେ ଆମେ ସମସ୍ତେ ଏକାଠି ମିଶି ଯେତେବେଳେ ଖରିଦଚକର ସମାଧିପୀଠରୁ ଶିବିରକୁ ଫେରି ଆସୁଥିଲୁ, ସେତେବେଳେ ଆମର କାହାରି ଭିତରେ ପରସ୍ପରଠାରୁ ବିଚ୍ଛିନ୍ନ ଓ ଗୁପ୍ତ କରି ରଖିବା ଭଳି ସତେଯେପରି ଆଦୌ କିଛି ନାହିଁ, ସଂସାରରେ ଏକ ଆରେକୁ ଡରିବା ଲାଗି ସତେଯେପରି ଆଦୌ କିଛିହେଲେ ନାହିଁ, ଠିକ୍‌ ସେହିପରି ମନେ ହେଉଥିଲା । ଏହିପରି ଏକ ପାରସ୍ପରିକ ନିର୍ଭର,—ତାହାହିଁ ଆମ ପ୍ରତ୍ୟେକଙ୍କର ଅସଲ ବଳ ।

 

ଶିବିରର ଶେଷ ଆଡ଼କୁ ଆମ ଭିତରୁ ଅନେକେ ଫୁଟ୍‌ ଫାଟ୍‌ ହେଉଥିଲେ ଯେ, ଆର ବର୍ଷ ମଧ୍ୟ ଆମେ ଏହିପରି କୌଣସି ନା କୌଣସି ଶିକ୍ଷାକେନ୍ଦ୍ରରେ ଏକତ୍ର ହେବା । ଆର ବର୍ଷ କେଉଁ ଶିକ୍ଷାକେନ୍ଦ୍ର ଆମକୁ ଆଗ୍ରହ ପ୍ରକାଶ କରି ଡାକିବା ଲାଗି ମନ କରିବ କେଜାଣି ? ସେଠାରେ ଆମେ ଏକାଠି ମିଶି କିଛି କାମ କରିବୁ, ପରସ୍ପରର ଅନ୍ତରକୁ ସଂଖୋଳି ପାରିବା ଭଳି ମାତୃ-ସାହିତ୍ୟ ଓ ଶ୍ରୀଅରବିନ୍ଦ—ସାହିତ୍ୟର ଆଲୋଚନା କରିବୁ, ସଂଶୟର ପାରାବାରଗୁଡ଼ିକୁ ଆପଣା ଅନ୍ତର ଭିତରେ ପାର ହେବାକୁ ବଳ ସଂଗ୍ରହ କରିବୁ । ପୁଣି ପ୍ରଶ୍ନ ଉଠିଲା, ପ୍ରତି ବର୍ଷ ଓଡ଼ିଶାରେ କେବଳ ଗୋଟିଏ ଜାଗାରେ କାହିଁକି, ଏକା ସମୟରେ ଏକାଧିକ ସ୍ଥାନରେ ହୁଏତ ଏହିପରି ଶ୍ରମଶିବିରର ଆୟୋଜନ କରାଯାଇ ପାରିବ । ଓଡ଼ିଶାର କେବଳ ଗୋଟାଏ ଅଞ୍ଚଳ, ଅର୍ଥାତ୍‌ ଏହି ଉପକୂଳାଞ୍ଚଳରେ ନୁହେଁ, ଏକାବେଳେକେ ବିଭିନ୍ନ ଅଞ୍ଚଳରେ ମଧ୍ୟ ତାହାର ଆୟୋଜନ କରାଯାଇ ପାରିବ । ଯହୁଁ ଯହୁଁ ଅଧିକ ବନ୍ଧୁ ଆମ ସାଙ୍ଗକୁ ବାହାରିବେ, ତହୁଁ ତହୁଁ ତାହା ଅଧିକ ସହଜରେ ସମ୍ଭବ ହୋଇ ପାରୁଥିବ । ଆଗାମୀ ପାଞ୍ଚ ବର୍ଷ ଭିତରେ ଏହିପରି ଭାବରେ ହୁଏତ ଆମେ ପଚାଶ ଜଣ ସରିକି ଏହି ଧାରାରେ ତିଆରି ହୋଇଯାଇ ପାରିବା । ଏହା ଆମର କାର୍ଯ୍ୟକୁ ଦୃଢ଼ କରିବ, ଆମର ପ୍ରତ୍ୟୟ—ପତ୍ରଗୁଡ଼ିକୁ ସଂଶୟମୁକ୍ତ କରି ଆଣୁଥିବ ।

 

ଓଡ଼ିଶାରେ ଚାହୁଁ ଚାହୁଁ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରଗୁଡ଼ିକର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସଂଖ୍ୟା ବଢ଼ିବା ସଙ୍ଗେ ସଙ୍ଗେ ଅନେକ ସମୟରେ ଦୂରତା ବଢ଼ିବାର ମଧ୍ୟ ଏକ ଆଶଙ୍କା ରହିଥାଏ । ଦୂରତା ବଢ଼ିଲେ କପଟତା ବଢ଼େ, କୃତ୍ରିମତା ଦେଖାଦିଏ । ପୁରୁଣାମାନେ ନୂଆମାନଙ୍କୁ ଛାଡ଼ିଦେଇ ଆଗକୁ ଓ ଆହୁରି ଆଗକୁ ମାଡ଼ି ଚାଲିଯିବେ ବୋଲି ମନ କରୁଥାନ୍ତି । ନୂଆମାନେ ପୁରୁଣାମାନଙ୍କୁ ଈର୍ଷା କରନ୍ତି । ଅଭିଜ୍ଞତା ରହିଥିବାମାନେ ଅଭିଜ୍ଞତା ନଥିବାମାନଙ୍କୁ ଏଡ଼ାଇ ଦେବାକୁ ସରାଗ ଦେଖାନ୍ତି । ପ୍ରତ୍ୟେକ ଶିକ୍ଷାକେନ୍ଦ୍ର ସ୍ୱାଧୀନ ଓ ସ୍ୱତନ୍ତ୍ର ଭାବରେ ବିକାଶ ଲାଭ କରିବା ଉଚିତ ବୋଲି ଆଳ ଦେଖାଇ ପରସ୍ପରଠାରୁ ଅଲଗା ହୋଇ ରହିବାର କେତେଭଳି ଦୁଷ୍ଟାମି ମଧ୍ୟ ପ୍ରଶ୍ରୟ ପାଏ । ପାରସ୍ପରିକତା ମାଡ଼ ଖାଇଯାଏ । ଏହି ପାରସ୍ପରିକତାର ଯୋଗ୍ୟ ହୋଇ ନ ପାରିଥିବାରୁ ଭାରତବର୍ଷର ନାନା ଉଦ୍ୟମ ଓ ସାଧନା ଅନେକ କ୍ଷେତ୍ରରେ ନିମୀଳିତ ପ୍ରାୟ ହୋଇ ରହିଯାଇଛି । ଆଗରୁ ଯେପରି ହୋଇଛି, ଆମେ ତାହାର ପୁନରାବୃତ୍ତି କରିବା ନାହିଁ । ଆମେ ପରସ୍ପରକୁ ଲୋଡ଼ିବା, ଡୋରଗୁଡ଼ିକୁ ଲୋଡ଼ିବା,—ତଦ୍ଦ୍ୱାରା ଅସଲ କେନ୍ଦ୍ର ଓ ତାହାର ଅସଲ ଦ୍ୟୋତନାଗୁଡ଼ି‌କ ଉପରେ ମଧ୍ୟ ଆମର ବିଶ୍ୱାସ ଅଧିକ ଦୃଢ଼ ହୋଇ ପାରିବ । ଆମ ଶିକ୍ଷାକେନ୍ଦ୍ରଗୁଡ଼ିକ ପରସ୍ପରର ଗଠନ-ପର୍ଯ୍ୟାୟରେ ପରସ୍ପରକୁ ସାହାଯ୍ୟ କରିବା ଲାଗି ସମ୍ମତ ହୋଇ ରହିଥିବେ । କେଉଁଠି ସହାୟତାର ଆବଶ୍ୟକତା ରହିଥିଲେ ଆମେ ସମସ୍ତେ ଯାଇ ସେଠାରେ ପହଞ୍ଚିଯାଇ ପାରୁଥିବା ଏବଂ ଏହିପରି ଶ୍ରମଶିବିରମାନ ଆମକୁ ସେଥିଲାଗି ଏକ ବହୁସମ୍ଭାବନାମୟ ଅବକାଶ ଅବଶ୍ୟ ଯୋଗାଇ ଦେଇ ପାରୁଥିବ । ପୃଥ୍ୱୀ ରହିଲେ ସିନା ଆମେ କେବଳ ନିଜର ବୋଲି କହୁଥିବା ଏହି ଡିହଟି ମଧ୍ୟ ରହି ପାରିବ !

 

ଜୁନ, ୧୯୮୫

Image

 

ଉତ୍ସାହ

 

ସୂର୍ଯ୍ୟ ପ୍ରତିଦିନ ଉଠେ । ଆମରି ଆଖି ଆଗରେ ଆମର ଦିଗଗୁଡ଼ାକୁ ରକ୍ତରଞ୍ଜିତ କରି ସିଏ ସତେଅବା ଆମରି ଲାଗି ଉଦିତ ହୁଏ । ସତେଅବା ଆମରି ଜୀବନକୁ ଧନ୍ୟକରି ଉଦିତ ହୁଏ । ଆମ ପାଇଁ ଆମରି ସକାଳକୁ ଡାକି ନେଇଆସେ । ସଂସାରରେ ପ୍ରତିଦିନ କେତେକେତେ ଫୁଲ ଫୁଟନ୍ତି । ଆମ ବାହାରେ ଫୁଟୁଥିବା ପରି ଆମ ଭିତରେ ବି ବେଳେବେଳେ ଫୁଟି ଉଠୁଥିବା ପରି ମନେ ହେଉଥାନ୍ତି । ଆମକୁ ଧନ୍ୟକରି ଫୁଟନ୍ତି । ବେଳେବେଳେ ଚତୁର୍ଦ୍ଦିଗ ନିଶ୍ଚଳ ହୋଇ ରହିଥାଏ-। ହଠାତ୍ କାହାର ମନ ଅନୁସାରେ ହଠାତ୍ କେଉଁଠି ସ୍ପନ୍ଦନଟିଏ କନ୍ମଲାଭ କରେ । ଆମ ଭିତରେ ଓ ବାହାରେ ସତେଅବା ସବୁକିଛି ଏକାବେଳକେ ସ୍ପନ୍ଦିତ ହୋଇ ଉଠିବା ପରି ମନେହୁଏ । ଆମ ଭିତରର ତନ୍ତ୍ରୀଗୁଡ଼ିକ ସେତେବେଳେ ସତେଅବା କେଉଁ ଚିହ୍ନ ହାତର ସ୍ପର୍ଶ ପାଇଥିବା ପରି ଏକାବେଳେକେ ଝଙ୍କୃତ ହୋଇ ଉଠନ୍ତି । ହୃଦୟରେ ଡେଣା ଲାଗିଯିବାପରି ବୋଧହୁଏ । ଆପଣାକୁ ଆପଣାର ବନ୍ଧୁଟି ପରି ମନେହୁଏ । ଆପଣାକୁ ସାଙ୍ଗରେ ନେଇ ସତେଅବା ତତ୍‌କ୍ଷଣାତ୍ ଚଉଦଭୁବନ ଖେଦି ଗଲାପରି ଲାଗୁଥାଏ ।

 

ବେଳେବେଳେ ଏହି ସଂସାରରେ ସତେଅବା ସମସ୍ତେ ବନ୍ଧୁଭଳି ମନେ ହୁଅନ୍ତି । ଏହି ଘରଟି ଭିତରେ ସବୁରି ସହିତ ଯୋଡ଼ାହୋଇ ରହିଥିବା ପରି ମନେହୁଏ । ଏହି ସବୁକିଛିକୁ ତଥା ସମସ୍ତଙ୍କୁ ଯିଏ ଏକାଠି ସଂଯୁକ୍ତ କରି ରଖିଛି, ସ୍ଵୟଂ ତାହାରି ସହିତ ଯୁକ୍ତହୋଇ ରହିଥିବା ପରି ମନେ ହୁଏ । ସେତେବେଳେ ସଂସାରର ସବୁଯାକ ଭୟ ଆମକୁ ଛାଡ଼ି ସତେଅବା ଆଉ କୁଆଡ଼େ ପଳାଇ ଯାଇଥାଏ । କାହାକୁ ହୃଦୟରେ ଥାପି ବା କାହାର ଅଭୟ ହାତକୁ ଧରି ବାଟ ଚାଲୁଥିବା ପରି ମନେ ହେଉଥାଏ । ଦୂରତାଗୁଡ଼ାକ କୁଆଡ଼େ ହଟି ପଳାନ୍ତି । ସମସ୍ତଙ୍କର ଅତି ପାଖରେ ଅତ୍ୟନ୍ତ ଅନ୍ତରଙ୍ଗ ଭାବରେ ଠିଆ ହୋଇଥିଲା ପରି ମନେହୁଏ । ସଂସାରରେ ସମସ୍ତଙ୍କୁ ବନ୍ଧୁପରି ଲାଗେ, ସହଚାରୀ ପରି ଲାଗେ । ଜୀବନକୁ ଦେଖୁଥିବା ଆମର ଯେଉଁ ଆଖି ଆମକୁ ଏତେ ଏତେ ସହଚାରିତାର ସୌଭାଗ୍ୟ ଆଣି ଦେଇଛି, ସେତେବେଳେ ସେହି ଆଖିଟି ପାଖରେ କେବଳ କୃତଜ୍ଞ ହୋଇ ରହିବାକୁହିଁ ମନ ହୁଏ । କୃତଜ୍ଞ ହୋଇ ରହିବା ହିଁ ଜୀବନକୁ ବଞ୍ଚିବାର ଏକମାତ୍ର ପଥ ବୋଲି ଅନୁଭୂତ ହେଉଥାଏ ।

 

ଏହାକୁ ହିଁ ଆମେ ସମସ୍ତେ ଉତ୍ସାହ ବୋଲି କହୁ । ଖିଅ ଲାଗି ରହିଥିବାର ଅବସ୍ଥା, ଅର୍ଥାତ୍ ଉତ୍ସାହର ଅବସ୍ଥା । ଉତ୍ସାହକୁ ହିଁ ସର୍ବପ୍ରଥମ ସାଙ୍ଗ କରି ବାଟ ଚାଲୁଥିବା ସମୟରେ ଆଦୌ ଅଭିଯୋଗ କରିବାକୁ ମନ ହୁଏ ନାହିଁ । ଆଦୌ ଈର୍ଷା କରିବାକୁ ବି ମନ ହୁଏ ନାହିଁ ଓ ତେଣୁ ଆପଣା ଭିତରେ ନିଜକୁ ଆଦୌ ଖଣ୍ଡିଆ ବୋଲି ଲାଗେ ନାହିଁ । ଉତ୍ସାହୀ ମଣିଷ ଉତ୍ସଟିକୁ ଜାଣିଥାଏ, ମାର୍ଗଟିକୁ ଜାଣିଥାଏ ଏବଂ ଏହି ମାର୍ଗର ଆଗେ ଆଗେ ରହି ବାଟ କଢ଼ାଇ ନେଇ ଯାଉଥିବା ସୂର୍ଯ୍ୟକୁ ମଧ୍ୟ ଭାରି ଭଲ କରି ଦେଖି ପାରୁଥାଏ । ତେଣୁ ଦ୍ଵନ୍ଦ୍ଵ ନଥାଏ । ଗ୍ଳାନି ନଥାଏ, ଜୁଗୁପ୍‌ସା ବି ନଥାଏ । ମାତ୍ର, ଆଉ ଗୋଟିଏ ଗୋଟିଏ ଏପରି ଆସେ, ଯେତେବେଳେ କି ଦିଗଗୁଡ଼ାକ ଖାଲି ଭୁଷୁଡ଼ି ପଡ଼ୁଥିବା ପରି ମନେ ହେଉଥାଏ । ସଂଶୟମାନ ଅବିଶ୍ୱାସର ପ୍ରଚଣ୍ଡ ଜିଭ ବିସ୍ତାର କରି ବିଶ୍ଵାସମାନଙ୍କୁ ଗିଳି ପକାଇବାକୁ ବାହାରିଥାନ୍ତି । ସେତେବେଳେ ରୁଷିବାକୁ ଭାରି ମନ ହୁଏ, ଗୋଡ଼ ଲମ୍ବାଇବାକୁ ମନ ହୁଏ । ଆଗ ମୋ’ କଥାଟି ରହିଲେ ଯାଇ ମୁଁ ସଂସାରକୁ ଆଗକୁ ଯିବାଲାଗି ବାଟ ଛାଡ଼ିବି ବୋଲି ଜିଦ୍ କରିବାକୁ ହିଁ ଜୀବନର ସବୁଠାରୁ ବଡ଼ ପଉରୁଷ ବୋଲି ମନେ ହେଉଥାଏ । ଭଗବାନ କେବଳ ମୋରି ଅଭିଯୋଗଗୁଡ଼ାକ ଶୁଣନ୍ତୁ ଏବଂ ସବାଆଗ ତାହାରି ପ୍ରତିକାର କରନ୍ତୁ ବୋଲି ରେଣ୍ଟି ଧରି ବସିବାକୁ ଭାରି ମନ ହୁଏ । ଭଗବାନ ପଛକେ ହାରିଲେ ହାରନ୍ତୁ, ମାତ୍ର ସବାଆଗ ମୋ’ ଫରିଆଦଗୁଡ଼ାକୁ ଶୁଣନ୍ତୁ ଓ ମୋର ଦାବିଗୁଡ଼ିକୁ ପୂରଣ କରି ମୋତେ ନେଇ ସବା ଉଚ୍ଚ ସିଂହାସନ ଉପରେ ବସାନ୍ତୁ ବୋଲି ଖୁଣ୍ଟ କରି ବସିବାକୁ ସେତେବେଳେ ଭାରି ସଉକ ଲାଗେ, ଭାରି ମୂଲ୍ୟବାନ ଓ ମହତ୍ତ୍ୱପୂର୍ଣ୍ଣ ବୋଲି ମନେହୁଏ ।

 

ଆମ ନୂତନ ବିଦ୍ୟାଳୟମାନଙ୍କରେ ମଧ୍ୟ ଆମେ କେଡ଼େ ସଉକିନି ହୋଇ ଏହିସବୁ ଅଭିନୟ କେତେ କରିବାରେ ଲାଗିଥାଉ ଓ ତଦ୍ଦ୍ୱାରା ଆପଣାକୁ ତଥା ବିଦ୍ୟାଳୟଟିକୁ କେଡ଼େ କ୍ଷତବିକ୍ଷତ କରି ରଖିଥାଉ । ଆମେ ସାନବଡ଼ ସମସ୍ତେ ଏକଥା କରୁ । ସାନମାନେ ବଡ଼ମାନଙ୍କ ପରି ହେବାକୁ ମନ କରୁଥାନ୍ତି ଏବଂ ତେଣୁ ରୁଷି ବସିଥାନ୍ତି । ବଡ଼ମାନେ ସାନମାନଙ୍କୁ ସତତ ବାଧ୍ୟ କରି ରଖିବେ ବୋଲି ଆଣ୍ଟ ରଖିଥାନ୍ତି ଓ ତେଣୁ ବଗିଚାର ଫୁଲଗୁଡ଼ିକ ସେହିମାନଙ୍କର ଫରମାସ ଅନୁସାରେ କାହିଁକି ଫୁଟୁନାହାନ୍ତି ବୋଲି ଉଲୁଗୁଣା ଦେଉଥାନ୍ତି ଓ ରୁଷନ୍ତି । ଏବଂ ଏହିଭଳି ଏକ ଦୁର୍ବିପାକର ବ୍ୟସନ ଭିତରେ ଆପଣାକୁ ପକାଇ ରଖି ସେମାନେ କାର୍ଯ୍ୟରେ ଆଉ ମୋଟେ କୌଣସି ଉତ୍ସାହ ଆସୁନାହିଁ ବୋଲି କେଡ଼େବଡ଼ ପାଟିରେ କହିବାରେ ଲାଗିଥାନ୍ତି । ଉତ୍ସାହର ମାର୍ଗରେ ସେମାନେ କେତେ ସର୍ତ୍ତ ରଖିଥାନ୍ତି ଏବଂ ସଂସାର ଭାଙ୍ଗିଯାଉ ପଛକେ, ମାତ୍ର ସର୍ତ୍ତଗୁଡ଼ିକ ସବାଆଗ ପୂରଣ ହେଉ ବୋଲି କେଡ଼େ ଅଲିଅଳ ହୋଇ ଦାବି କରିବାରେ ଲାଗିଥାନ୍ତି । ଉତ୍ସାହ ସିନା ଆଗେଆଗେ ଯାଆନ୍ତା ଓ ସେମାନେ ତା’ପଛରେ ଯାଉଥାଆନ୍ତେ; ମାତ୍ର ସେମାନେ ନିଜେ କାନିରେ ଘରର ସବୁଯାକ ଚାବିକୁ ଏକାଠି ଗୋଛା କରି ବାନ୍ଧି ସମସ୍ତଙ୍କ ଆଗରେ ଚାଲିଲେ ଯାଇ ଉତ୍ସାହବସ୍ତୁଟି ତା’ପରେ ଯାଇ ସମ୍ଭବ ହେବ ବୋଲି ଆଣ୍ଟ କରି ଥାଆନ୍ତି । ଆମ ବିଦ୍ୟାଳୟଟିକୁ ସେମାନେ ଭାରି ଖଣ୍ଡିଆ କରି ରଖିଥାଆନ୍ତି । ଭିତରେ ଆପଣା ପାଖରେ ଅର୍ଥାତ୍ ଆପଣାର ଅସଲ ଅଧିଷ୍ଠାନଟି ପାଖରେ କୌଣସି ନା କୌଣସି ପ୍ରକାରେ ଖଣ୍ଡିଆ ହୋଇ ରହିଥିଲେ ଯେ ବାହାରେ ମଧ୍ୟ ତାହାହିଁ ଅନେକ ଖଣ୍ଡିଆର କାରଣ ହୁଏ, ସେତେବେଳେ ସେମାନଙ୍କୁ ସେମାନଙ୍କର କୌଣସି ସାଙ୍ଗ ବୁଝାଇ କରି କହିଦେଇ ପାରୁଥିଲେ ଯାଇ ସେମାନେ ହୁଏତ ରୋଗମୁକ୍ତ ହୋଇ ପାରୁଥାନ୍ତେ-

 

ମାତ୍ର, ସବାଆଗରେ ଆପଣାକୁ ରଖି ବାଟ ଚାଲିବାକୁ ଜୀବନର ଧାରାରେ ପରିଣତ କରି ରଖିଥିବା ମଣିଷମାନେ ପ୍ରକୃତରେ ଆଦୌ କୌଣସି ସାଙ୍ଗ ଚାହୁନଥାନ୍ତି । ସେମାନେ କାହାରି ସାଙ୍ଗ ହୋଇ ପାରନ୍ତି ନାହିଁ । ତେଣୁ ସାଙ୍ଗ କରିବାକୁ ଡରନ୍ତି । ବାହାରେ କେଡ଼େ ବର୍ତ୍ତୁଳ ହୋଇ ରହିଥାନ୍ତି, ବର୍ତ୍ତୁଳ ହୋଇ କଥା କହୁଥାନ୍ତି,—ମାତ୍ର ଆପଣାର ମଞ୍ଜଟା ଭିତରେ ସାଙ୍ଗ କରିବାକୁ ଡରନ୍ତି । ଏବଂ, ସାଙ୍ଗ କରିବାକୁ ସାହସ କରୁ ନଥିବା ମଣିଷ ଯେତେ ଗର୍ଜନ କରୁଥିଲେ ମଧ୍ୟ ଉତ୍ସାହ ପାଇପାରିବ କିପରି ? ଆମ ବିଦ୍ୟାଳୟର ସଂଯୁକ୍ତକାରୀ ପ୍ରେରଣାଗୁଡ଼ିକ ସେମାନଙ୍କୁ ଯେତେ ଆପଣାର ପରି ପାଖକୁ ଆସିବାକୁ ଓ ସାଙ୍ଗକୁ ଆସିବାକୁ ଡାକୁଥିଲେ ମଧ୍ୟ ସେମାନେ ତଥାପି ନିତାନ୍ତ ଅମଙ୍ଗ ହୋଇ ରହିଥା’ନ୍ତି । ଆମ ବିଦ୍ୟାଳୟ ଭିତରେ ଥାଆନ୍ତି, ତଥାପି ଅମଙ୍ଗ ହୋଇ ରହିଥାଆନ୍ତି । ରୁଟିନ ଭିତରେ ଥାଆନ୍ତି, ରୁଟିନ୍‌ଗୁଡ଼ାକରେ ଅଧିକରୁ ଅଧିକ ଜାକଜମକ ଭର୍ତ୍ତି କରି ଶୃଙ୍ଖଳା ଭିତରେ ଅଛନ୍ତି ବୋଲି ପ୍ରମାଣିତ କରି ଦେବାକୁ କେଡ଼େ ଖର ହୋଇ ରହିଥାନ୍ତି-। କର୍ତ୍ତା ପରି ଦିଶିବାକୁ କର୍ତ୍ତୃତ୍ଵଗୁଡ଼ାକୁ କେଡ଼େ ଲୋଭାସକ୍ତ ଭାବରେ ଜାରି କରୁଥାନ୍ତି-। ତଥାପି ସାଙ୍ଗ ଛାଡ଼ି ରହିଥାଆନ୍ତି । ନିଜ ଭିତରେ ଯେତିକି ସାଙ୍ଗଛଡ଼ା ହେବାରେ ଲାଗିଥାଆନ୍ତି, ବାହାରେ ମଧ୍ୟ ସେତିକି ପ୍ରକୁପିତ ହୋଇ ଏକ କ୍ଷତିପୂରଣ ଖୋଜିବାର ପ୍ରୟାସ କରୁଥାଆନ୍ତି । ଆଖି ବୁଜି ବସିଥିବା ସମୟରେ ସେମାନେ କେବଳ ନିଜ ପାଇଁ ମାଗନ୍ତି, ନୀରବ ରହିଥିବା ସମୟରେ ସତେଅବା ସବୁଠାରୁ ଅଧିକ ଧୋବଲା ଗୋଟାଏ ବଳଦ ପରି ଗଡ଼ିଆଟା ଯାକର ସବୁ ପାଣିକୁ ବିକ୍ଷୋଭିତ କରି ରଖିବାକୁ ମନ କରୁଥାଆନ୍ତି; ତଥାପି ଭାରି ଦୁଃଖୀ ହୋଇ ରହିଥାନ୍ତି-

 

ବନ୍ଧୁ, ତୁମେ ସତତ ଉତ୍ସାହର ଭାଜନ ହେବାକୁ ସତକୁ ସତ ମନ କରୁଥିଲେ ଆସ—ଆମ ସମସ୍ତଙ୍କ ସାଙ୍ଗରେ ସାଙ୍ଗ ହୁଅ । ବିନା ସର୍ତ୍ତରେ ସାଙ୍ଗ ହୁଅ । ନିଜ ପାଇଁ କିଛି ମାଗ ନାହିଁ । ଆମ ସମସ୍ତଙ୍କୁ ଏକାଠି ବାନ୍ଧି ରଖିଥିବା ଅନୁରାଗଟିକୁ ସବା ବଡ଼ ବୋଲି ଚିହ୍ନିବାକୁ ଚେଷ୍ଟାକର । ସେହି ଚିହ୍ନିବାରୁ ହିଁ ଉତ୍ସାହ ମିଳିବ, ସେହି ଚିହ୍ନିବାରୁ ହିଁ ଦୂରତା କଟିଯିବ, କ୍ଷତଗୁଡ଼ିକ ଭଲ ହୋଇ ଆସିବ । ତା’ପରେ କେବଳ ଆପଣାକୁ ଦେଇଦେବାକୁ ହିଁ ମନ ହେବ । ପରସ୍ପର ପାଖରେ ନିଜକୁ ଦେଇଦେବାକୁ ମନ ହେବ । ତାହାରି ମାଧ୍ୟମରେ ଅସଲ ସାନ୍ନିଧ୍ୟଟି ସମ୍ଭବ ହେବ । ସେହି ଅସଲ ସାନ୍ନିଧ୍ୟଟି ଦ୍ଵାରା ହିଁ ସତତ ପରିବେଷ୍ଟିତ ହୋଇ ରହିବା, ତାହାହିଁ ଆଶୀର୍ବାଦ । ଉତ୍ସାହ ଏକ ଫଳ ବା ବସ୍ତୁ ନୁହେଁ ଯେ, ତୁମେ ତାକୁ ଅମୁକ ସ୍ଥାନଟିକୁ ବା ଅମୁକ ସିଂହାସନଟିକୁ ଦଖଲ କରି ରହିଲେ ପାଇପାରିବ । ଉତ୍ସାହ ହେଉଛି ଏକ ଜୀବନରୀତି, ଆପଣାକୁ ଏକ ନିର୍ଦ୍ଦିଷ୍ଟ ସମ୍ମତି ସହିତ ଉନ୍ମୋଚିତ କରି ରଖିବାର ରୀତି । ସ୍ୱଭାବତଃ କୃତଜ୍ଞ ରହି ଜୀବନ ବଞ୍ଚିବାର ଅର୍ଥାତ୍ କାମରେ ଲାଗିବାର ଏକ ରୀତି । ଗୋଟିଏ ନୂତନ ଯୁଗସମ୍ଭାବନାର ଆହ୍ଵାନ ମୋ’ ଲାଗି ମୋ’ ଦୁଆର ମୁହଁରେ ଆସି ଅପେକ୍ଷା କରିଛି । ମୁଁ ସେହି ଆମନ୍ତ୍ରଣକୁ ଗ୍ରହଣ କରିବି । ମୁଁ ସାଙ୍ଗରେ ଯିବି, ସାଙ୍ଗରେ ଥିବି । ତେବେଯାଇ ସ୍ଵୀକୃତ ହୋଇ ପାରିବି । ମୋ’ ଭିତର ଆଉ ବାହାର ଭିତରେ ଏକ ସମଞ୍ଜସତା ସମ୍ଭବ କରିପାରିବି ।

 

ଜୁଲାଇ-ଅଗଷ୍ଟ, ୧୯୮୫

Image

 

କଳି ଯଦି କରି ବସିବ

 

“....When brothers hate, they hate much more than others. Sri Aurobindo has said: Hate is the indication of the possibility of a much greater love.”

 

(Collected Works of the Mother, Birth Centenary Edition, Vol. XIII, 1980, P-390)

 

ପ୍ରାଚୀନ ଇତିହାସର କିମ୍ବଦନ୍ତୀ ଅନୁସାରେ ଇସାକ୍ ଓ ୟାକବ୍ ହେଉଛନ୍ତି ଗୋଟିଏ ମାଆର ସନ୍ତାନ । ଇହୁଦୀମାନେ ହେଉଛନ୍ତି ସେହି ଦୁଇ ଭାଇଙ୍କ ଭିତରୁ ଜଣଙ୍କର ବଂଶଧର ଏବଂ ଆରବମାନେ ହେଉଛନ୍ତି ଅନ୍ୟ ଗୋଟିଏ ଭାଇର ବଂଶଧର । ଏହି ହିସାବରେ ବିଚାର କରି ଦେଖିଲେ ଆରବ ଓ ଇହୁଦୀମାନେ ହେଉଛନ୍ତି ପରସ୍ପରର ଭାଇ । ବର୍ତ୍ତମାନ ଇହୁଦୀମାନେ ଇସ୍ରାଏଲରେ ବାସ କରୁଛନ୍ତି ଓ ଇସ୍ରାଏଲ୍‌ର ତିନି ସ୍ଥଳ—ସୀମାରେ ଯେତେ ଦେଶ ରହିଛି, ସେଗୁଡ଼ିକରେ ଆରବମାନେ ବାସ କରୁଛନ୍ତି । ଗତ ବହୁ ଦଶକ ଧରି ଇସ୍ରାଏଲ୍ ଓ ଆରବ ଦେଶମାନଙ୍କ ମଧ୍ୟରେ କଳହ ଲାଗିଛି । ଇତିହାସର କେଉଁ ଅତି ପ୍ରାଚୀନ ଶତାବ୍ଦୀରୁ ଦୁଇ ଜନଗୋଷ୍ଠୀ ମଧ୍ୟରେ କନ୍ଦଳ ଲାଗି ଆସିଛି । ସେହି କନ୍ଦଳ ଆଧୁନିକ ହିଂସା—ରାଜନୀତି ଏବଂ ହିଂସ୍ର ରାଷ୍ଟ୍ରୀୟତା ଭିତରେ ପଡ଼ି ଦିନକୁ ଦିନ ଅଧିକରୁ ଅଧିକ କଟିଳ ହୋଇଛି, ଅଧିକରୁ ଅଧିକ ଭୟଙ୍କର ମଧ୍ୟ ହୋଇଛି । ପାରସ୍ପରିକ ହତ୍ୟା ହିଁ ମଧ୍ୟପ୍ରାଚ୍ୟର ସେହି ଭୂଖଣ୍ଡରେ ଏକ ନିତ୍ୟଧନ୍ଦାରେ ପରିଣତ ହୋଇ ରହିଛି । ଇହୁଦୀ ଓ ଆରବ ହେଉଛନ୍ତି ପରସ୍ପରର ଭାଇ, ତେବେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଏପରି ପରସ୍ପର ପ୍ରତି ତୀବ୍ର ଘୃଣା କାହିଁକି ରହିଛି ଓ ସେହି ଘୃଣା ଫଳରେ ଦୁହେଁ ପରସ୍ପର ପ୍ରତି କାହିଁକି ଏତେ ଅଧିକ ପରିମାଣରେ ରକ୍ତମୁହାଁ ହୋଇ ରହିଛନ୍ତି ବୋଲି ଥରେ ମାଆଙ୍କୁ ପ୍ରଶ୍ନ ପଚରା ଯାଇଥିଲା । ସେହି ପ୍ରଶ୍ନର ଉତ୍ତରରେ ମାଆ ଯାହା କହିଥିଲେ, ଉପରେ ତାହାକୁ ହିଁ ଉଦ୍ଧୃତିରୂପେ ଦିଆଯାଇଛି । ମାଆ କହିଥିଲେ, ଯେତେବେଳେ ଭାଇ ଭାଇ ପରସ୍ପରକୁ ଘୃଣା କରନ୍ତି, ସେତେବେଳେ ସେମାନେ ଅନ୍ୟମାନଙ୍କର ତୁଳନାରେ ଅଧିକ ଘୃଣା କରନ୍ତି ।

 

ଖାଲି ଗୋଟିଏ ମାଆର ପେଟରୁ ଜନ୍ମ ହେଲେ ଯେ ଜଣେ ମଣିଷ ଆଉ ଜଣଙ୍କର ଭାଇ ହୁଏ, ସେକଥା ମୋଟେ ନୁହେଁ । ଏକା ମାଆର ପେଟରୁ ଜନ୍ମ ହୋଇଥିବା ଭାଇମାନେ ହେଉଛନ୍ତି କେବଳ ସଂସାରରୀତିରେ ଭାଇ । ଏହି ରୀତିରେ ଗୋଟିଏ ପରିବାରରେ ଜନ୍ମ ହୋଇଥିବାରୁ ଆମେ ପରସ୍ପରର ଭାଇ ଓ ଭଉଣୀ ବୋଲି ସଂସାର ଦ୍ଵାରା ସମ୍ବୋଧିତ ହେଉ;—ଆମେ ଏକାଠି ବଢ଼ୁ, ଏକାଠି ଖାଉ, ଏକାଠି ଶୋଉ, ଏକାଠି ଗେହ୍ଳା ହେଉ ଓ ଏକାଠି ଖେଳୁ । ମାତ୍ର ନିଜ ନିଜର ହେତୁ ହେବା ସଙ୍ଗେ ସଙ୍ଗେ ନିଜ ନିଜର ରୁଚି, ପ୍ରବୃତ୍ତି ଏବଂ ବାସନା ଅନୁସାରେ ଆମେ ଆପଣା ଆପଣାର ସ୍ଵତନ୍ତ୍ର ମାର୍ଗରେ ବିକଶିତ ହେଉ, ଆପଣା ଆପଣାର ଅଲଗା ସ୍ଵପ୍ନ ଦେଖୁ ଏବଂ ସେହି ଅନୁସାରେ ନିଜ ନିଜର ଅଲଗା ସଂସାରମାନ ଥାପି ପରସ୍ପରଠାରୁ ଅଲଗା ହୋଇଯାଉ । ମାତ୍ର ଏହି ପୃଥିବୀରେ ଯୁଗେ ଯୁଗେ ଆହୁରି ଏପରି ଅନେକ ମନୁଷ୍ୟ ରହି ଆସିଛନ୍ତି, ଯେଉଁମାନେ କି ଗୋଟିଏ ଘରେ ମୋଟେ ଏକାଠି ଜନ୍ମ ହୋଇ ନଥାନ୍ତି । ସେମାନେ ଏକାଠି ଖେଳି ନଥାନ୍ତି କି ଏକାଠି ମୋଟେ ଗେହ୍ଲା ହୋଇ ନଥାନ୍ତି । ବାଟ ଚାଲୁ ଚାଲୁ ସେମାନେ ପରସ୍ପରକୁ ଭେଟନ୍ତି । ଆପଣାର ସିଦ୍ଧି ଖୋଜି ସଂସାର ଭିତରକୁ ବାହାରିଥିଲେ ସେମାନେ ପରସ୍ପରକୁ ଭେଟୁଥିଲେ ମଧ୍ୟ ତଥାପି ପରସ୍ପରକୁ ଅବଜ୍ଞା କରି ଆଗକୁ ଚାଲି ଯାଉଥାନ୍ତେ; ପ୍ରୟୋଜନ ହେଲେ ପରସ୍ପରକୁ ତଳେ ପକାଇ ଦେଇ ତାହାରି ଉପରେ ନିଜ ନିଜ ସିଦ୍ଧିର ଉଚ୍ଚ କାମନାରେ କେଡ଼େ ସନ୍ତର୍ପଣରେ ଆଗକୁ ବାହାରି ଯାଉଥାନ୍ତେ, ଆହୁରି ପ୍ରୟୋଜନ ହେଲେ ହୁଏତ ସେମାନେ ପରସ୍ପରକୁ ଗିଳି ମଧ୍ୟ ପକାଇ ଥାଆନ୍ତେ । ମାତ୍ର ଯେଉଁମାନେ ଅନ୍ୟ ବ୍ୟାକୁଳତାଟିଏ ନେଇ ସଂସାରକୁ ବାହାରିଥାନ୍ତି,—ସେହି ଏକାଭଳି ବ୍ୟାକୁଳତା ରହିଥିବା ଅନ୍ୟମାନଙ୍କୁ ସଂସାରପଥରେ ଭେଟନ୍ତି, ସେମାନଙ୍କର ସେହି ବ୍ୟାକୁଳତା ହିଁ ସେମାନଙ୍କୁ ସେମାନେ ଜନ୍ମ ହୋଇଥିବା ତଥାକଥିତ ଘରମାନଙ୍କରୁ ବାହାରକୁ ବାହାର କରି ଆଣିଥାଏ, କୌଣସି ଏକ ବୃହତ୍ତର ଅନୁରାଗର ଆକର୍ଷଣରେ ଚିରାଚରିତ ସଂସାରର ବିଧାନ ତଥା ବିହିତଗୁଡ଼ିକ ଦ୍ଵାରା ନିୟନ୍ତ୍ରିତ ଓ ପରିଚାଳିତ ହେଉଥିବା ଅନେକ ସାନ ବୃତ୍ତକୁ ଛାଡ଼ି ଏହିପରି ଭାବରେ ଘରୁ ବାହାରି ଆସିଥାନ୍ତି । ହୁଏତ ଏପରି ମଧ୍ୟ କୁହାଯାଇ ପାରିବ ଯେ, ଏହି ସଂସାରର ଯାବତୀୟ କ୍ଷୁଦ୍ର ଓ ଅଳପ ଉପରେ ଏଗୁଡ଼ିକୁ ସମ୍ପୂର୍ଣ୍ଣ ଭାବରେ ଅତିକ୍ରମ କରି କାର୍ଯ୍ୟ କରୁଥିବା ଏକ ବୃହତ୍ତର ଇଚ୍ଛା ସେହି ବ୍ୟକ୍ତିମାନଙ୍କୁ ନିଜର ନିମିତ୍ତରୂପେ ବ୍ୟବହାର କରିବ ବୋଲି ନିର୍ବାଚିତ କରିଥାଏ ଓ ସେହି ଅଭିପ୍ରାୟରେ ହିଁ ଏହି ସଂସାରରେ ପରସ୍ପର ସହିତ ସେମାନଙ୍କର ଭେଟ ବି କରାଇଦିଏ ।

 

ସେହି ବ୍ୟକ୍ତିମାନେ ନିଜ ଭିତରେ ଏକ ଅନ୍ୟ ବ୍ୟାକୁଳତାର ତାଡ଼ନାରେ ଘରୁ ବାହାରି ଥାଆନ୍ତି । ସେମାନେ ପରସ୍ପରକୁ ସମଧର୍ମୀରୂପେ ଆବିଷ୍କାର କରନ୍ତି । ସେତେବେଳେ ମନେହୁଏ, ସତେଯେପରି ଖାସ୍ ଏହିପରି ଭାବରେ ପରସ୍ପରକୁ ଭେଟିବେ ଓ ଆବିଷ୍କାର କରିବେ ବୋଲି ଆଗରୁ ସୁଅଭିପ୍ରେତ ହୋଇ ରହିଥିଲା ବୋଲି ଏପରି ଘଟିଲା । ଏହି ଆବିଷ୍କାର ଓ ଏହି ଭେଟିବା ସମ୍ଭବ ହେଲା । ବ୍ୟାକୁଳତାଗୁଡ଼ିକ କରୁଣାର ସ୍ପର୍ଶ ପାଆନ୍ତି ଓ ଏହିପରି ଭାବରେ ଏକ ନୂତନ କୁଟୁମ୍ବ ଓ ନୂତନ ବିରାଦରୀର ସୂତ୍ରପାତ ହୁଏ । ବିଶ୍ଵକର୍ମାର ଗୃହରେ ସତେଅବା ଏକ ନୂତନ ପ୍ରୟୋଗଶାଳା ଉଦ୍‌ଘାଟିତ ହୋଇଯାଏ । ଏହି ନିମିତ୍ତମାନେ ଆଉ ପୁରୁଣା ପଇତାଗୁଡ଼ାକୁ ମୋଟେ ମନ କରିବେ ନାହିଁ ବୋଲି ଶପଥ ଗ୍ରହଣ କରନ୍ତି । ଏକ ନୂତନ ଭଦ୍ୟମ ଆରମ୍ଭ ହୋଇଯାଏ । ନୂତନ ଉଦ୍ୟମ ନୂଆ ଆଖି ଯୋଗାଇଦିଏ । ତା’ପରେ ଆଉ ସାନ ବଡ଼ ବାରି ହୁଏ ନାହିଁ, ପୂର୍ଣ୍ଣ ଅପୂର୍ଣ୍ଣ ବାରି ହୁଏ ନାହିଁ, କାହାକୁ ଖଣ୍ଡିଆ ବୋଲି କହି ପଛରେ ଛାଡ଼ିଦେଇ ଆଗକୁ ବାହାରି ଯିବାକୁ ମୋଟେ ମନ ହୁଏ ନାହିଁ । କାହାର ଗୋଡ଼ ଅଟକି ଗଲେ, କେହି ଉତ୍ସାହ ହରାଇ ବସିଲେ କିମ୍ବା କେହି ବିଚଳିତ ହୋଇପଡ଼ୁଛି ବୋଲି ପ୍ରତୀତ ହେଲେ ତାକୁ ମଧ୍ୟ ସାଙ୍ଗରେ ନେବାକୁ ଅନ୍ୟମାନେ କେଡ଼େ ସ୍ଵାଭାବିକ ଭାବରେ ତାକୁ ସାହାଯ୍ୟ କରିବା ଲାଗି ହାତ ବଢ଼ାଇ ଦିଅନ୍ତି, ଉତ୍ସାହ ଦିଅନ୍ତି ଓ ଯେତେ ଯାହାହେଉ ପଛକେ, କଦାପି ପାଖ ଛାଡ଼ି ପଳାଇ ଯାଆନ୍ତି ନାହିଁ । କେବଳ ନୈତିକତା ଏବଂ କେବଳ ମାନସିକତା ଦେଇ ଦେଖୁଥିବା ପର୍ଯ୍ୟନ୍ତ କେହି ଆପଣା ଠାରୁ ଅଧିକ ବୋଲି ଦିଶିଲେ ତାକୁ ଈର୍ଷା କରିବାକୁ ମନ ହୁଏ ଏବଂ କେହି ଅଳପ ବୋଲି ଦିଶିଲେ ତାହାକୁ ଛାଡ଼ିଦେଇ ଚାଲିଯିବାକୁ ଆଗ୍ରହ ଆସେ । ସତେ ଯେପରି ସଂସାରରେ ଏପରି ଏକ ଦୌଡ଼ ଚାଲିଛି, ଯେଉଁଥିରେକି ଯଦି ମୁଁ ସମସ୍ତଙ୍କୁ ପଛରେ ପକାଇ ସବାଆଗ ଯାଇ ପୁରସ୍କାର ବଣ୍ଟା ହେଉଥିବା ଜାଗାରେ ପହଞ୍ଚିପାରେ । ତେବେ ମୋତେ ସବାବଡ଼ ଆସନଟି ମିଳିଯିବ,—ସେତେବେଳେ ସେହିପରି ଗୋଟାଏ ଆତ୍ମସର୍ବସ୍ୱତା ପୋକ ହୋଇ ଆମକୁ କାମୁଡ଼ି ଧରିଥାଏ । ସେତେବେଳେ ସବଳମାନେ ଦୁର୍ବଳମାନଙ୍କୁ ଉପହାସ କରନ୍ତି । ଶୁଦ୍ଧମାନେ ଅଶୁଦ୍ଧମାନଙ୍କୁ ଡରନ୍ତି, ତେଣୁ ଦୂରରେ ରହିବାକୁହିଁ ବୁଦ୍ଧି ବୋଲି ମଣନ୍ତି । ସେମାନଙ୍କର ନିଜ ଭିତରେ କେଉଁଠି କେଉଁ ଅଶୁଦ୍ଧ ଉପାଦାନଟିଏ ଆତ୍ମଗୋପନ କରି ଅଥବା ଅବଦମିତ ହୋଇ ରହିଥାଏ କି କ'ଣ କେଜାଣି, ବାହାରୁ ଅଶୁଦ୍ଧମାନଙ୍କର ସଂସର୍ଗ ବାଜିଲେ କାଳେ ପୁନର୍ବାର ସେଇଟି ପ୍ରସରିତ ହୋଇ ଉଠିବ ଏବଂ ଫଳରେ ଶୁଦ୍ଧତାର ଖୋଳଗୁଡ଼ାକ ପଦାରେ ପଡ଼ିଯିବ, ସମ୍ଭବତଃ ସେଇଥିପାଇଁ ତଥାକଥିତ ଶୁଦ୍ଧତାମାନେ ଧରାପଡ଼ି ଯାଇଥିବା ଅଶୁଦ୍ଧତାମାନଙ୍କୁ ଭୟ କରୁଥାଆନ୍ତି । ଅଶୁଦ୍ଧତାକୁ ଭେଦକରି ଭିତରେ ଗର୍ଭ ଭିତରେ ରଖିଥିବା ଯାବତୀୟ ଜୁଗୁପ୍‌ସାକୁ ସୂର୍ଯ୍ୟାଲୋକ ଆଡ଼କୁ ମୁହାଁଇ ଦେଇ ତାହାର ପରିତ୍ରାଣ—ବିଧାନ କରିବାର ସାମର୍ଥ୍ୟ ଯେ କେବଳ ଶୁଦ୍ଧତାରହିଁ ରହିଛି ଓ ସଂସାରର ଯାବତୀୟ ଅଶୁଦ୍ଧତା ଯେ ସେହି ଆନନ୍ଦ—ମୁହୂର୍ତ୍ତଟି ଲାଗି ଅପେକ୍ଷା କରି ରହିଛନ୍ତି, କୌଣସି କାରଣରୁ ସେହି ପ୍ରତ୍ୟୟଟିକୁ ହରାଇ ବସିଲେ ହିଁ ଶୁଦ୍ଧତା ସେହି ଭୟର ଗ୍ରାସରେ ଯାଇ ପଡ଼ି ରହିଥାଏ । ତା’ ନହେଲେ, ଅଶୁଦ୍ଧତାକୁ ଡରିବା ଲାଗି ଶୁଦ୍ଧତାର ପ୍ରକୃତରେ ଆଉ କେଉଁ କାରଣ ରହିଛି ?

 

ଆମ ପାଠଚକ୍ରଟି ବା ଆମ ବିଦ୍ୟାଳୟଟି ଆରମ୍ଭ ହେବା ପୂର୍ବରୁ ଆମେ କେହି କାହାରିକୁ ଚିହ୍ନି ନଥିଲୁ । ଆମେ ଯିଏ ଯେଉଁଠାରେ ଜନ୍ମ ହୋଇଛୁ, ସେହିଠାରେ ହିଁ ମୁହଁ ମାଡ଼ି ପଡ଼ି ରହିଥିଲୁ । ଯାହାର କରୁଣା ଆମ ଭିତରେ ଏକ ବ୍ୟାକୁଳତା ହୋଇ ଜନ୍ମଲାଭ କଲା ଏବଂ ଆମ ଭିତରେ ଅନ୍ୟ ଯାବତୀୟ ଆକୁଳତା ତଥା ଆତୁରତା ଉପରେ ନିଜକୁ ବିଜୟୀ ବୋଲି ଘୋଷଣା କଲା; ତାହାହିଁ ଆମକୁ ପରସ୍ପର ସହିତ ଏକତ୍ର କରାଇଲା । ସେହି ଏକତ୍ର କରାଇବାକୁ ହିଁ, ଆମକୁ ନେଇ ଏକ ପାଠଚକ୍ର ଜନ୍ମଲାଭ କଲା, ପାଠଚକ୍ରରୁ ଏକ ପୂର୍ଣ୍ଣାଙ୍ଗ ବିଦ୍ୟାଳୟର ପ୍ରତିଷ୍ଠା ହେଲା । ସେହିଗୁଡ଼ିକର ମାଧ୍ୟମରେ ଆମ ଜୀବନରେ ଏକ ନୂତନ ଆତ୍ମୀୟତା ଏବଂ ନୂତନ ଉଦ୍ୟମର ଉଦବୋଧନ ମଧ୍ୟ ସମ୍ଭବ ହୋଇଗଲା । ଆମେ ସନ୍ତାନ ହେଲୁ, ନିମିତ୍ତ ହେଲୁ, ଏକ ନୂତନ କୁଟୁମ୍ବ ମଧ୍ୟକୁ ଦୀକ୍ଷିତ ହୋଇ ଆସିଲୁ । ପରସ୍ପର ଅତ୍ୟନ୍ତ ପାଖାପାଖି ହୋଇ ବସି ସତେ ଅବା ଏକ ଅନ୍ୟ ପ୍ରକାରର ସାନ୍ନିଧ୍ୟ ଲାଭ କଲାପରି ଅନୁଭବ କଲୁ । ସାନବଡ଼ ଭୁଲିଲୁ; ଏବଂ, ସ୍ୱ-ଉଦ୍ୟମର ମଧ୍ୟଦେଇ ଏପରି ଏକ ଅନ୍ୟ ସଂସାରର ସ୍ଵପ୍ନ ଦେଖିଲୁ, ଯେଉଁଥିରେ କି ପ୍ରକୃତରେ ଆଦୌ କୌଣସି ସାନବଡ଼ ନଥିବ, ଯେଉଁଠି ସନ୍ତାନର ପରିଚୟ ହିଁ ପ୍ରତ୍ୟେକ ମନୁଷ୍ୟର ସର୍ବମୀମାଂସକ ପରିଚୟ ହୋଇଥିବ, ଯେଉଁଠି ପ୍ରତ୍ୟେକ ବ୍ୟକ୍ତି ନିମିତ୍ତ ହୋଇଥିବେ, କେହି କାହାରିକୁ ଗିଳି ପକାଉ ନଥିବେ କିମ୍ବା କେହି କାହାରିକୁ ଛାଡ଼ି ପଳାଇ ଯାଉ ନଥିବେ । ପାରସ୍ପରିକତା କହିଲେ ଆମେ ସତେଅବା ଏକ ଡୋରକୁ ବୁଝିଲୁ, ଯାହାକି ଆମ ସମସ୍ତଙ୍କର ହୃଦୟକୁ ଏକ ଅତ୍ୟାସନ୍ନ ଅଭୂତପୂର୍ବ ମୁଦୂର୍ଭର ଆହ୍ଵାନ ଦ୍ଵାରା ଏକାଠି ବାନ୍ଧି ରଖିଛି, ଆମକୁ କେଡ଼େ ସହଜରେ କେତେ କେତେ ବାଡ଼ ଡିଆଇଁ ନେଇ ଯୋଗ୍ୟରୁ ଯୋଗ୍ୟତର କରିନେଉଛି, ଆମ ଭିତରେ ରହିଥିବା କେତେ କେତେ ଅସମ୍ମତକୁ କେଡ଼େ ସୁନିର୍ଭର ସହିତ ଅଥଚ କେଡ଼େ କୋଳାହଳଶୂନ୍ୟ ଭାବରେ ଅଧିକରୁ ଅଧିକ ସମ୍ମତ କରାଇ ଆଣୁଛି । ଭିତରେ ଏହିପରି ଏକ ଅକୃପଣ ସମ୍ମତି ଓ ଊର୍ଦ୍ଧ୍ୱରୁ ଆମରି ଉଦ୍ଦେଶ୍ୟରେ ଆନତ ହୋଇ ରହିଥିବା ଏକ ଅକୃପଣ କରୁଣାର ସର୍ବବିମୋଚନକାରୀ ସ୍ପର୍ଶ,—ଏଇ ଦୁଇଟିଯାକ ମହାଭାଗ୍ୟ ମଧ୍ୟରେ ଆପଣାକୁ ଉତ୍ତୋଳିତ କରି ଧରି ଆମେ ଏକ ନୂତନ ପାରସ୍ପରିକତାକୁ ଅନୁଭବ କଲୁ । ଏହି ପାରସ୍ପରିକତା ଦ୍ଵାରାହିଁ ଯେ ସବୁ ଅବଶ୍ୟ ସମ୍ଭବ ହେବ, ଆମ ଭିତରେ ସେହି ବିଶ୍ୱାସଟି ଦୃଢ଼ୀଭୂତ ହେବାକୁ ଲାଗିଲା ।

 

ତଥାପି, ଏହି ନୂଆ ଘରଟି ଭିତରେ ଆସି ପଶିସାରିବା ପରେ ଆମକୁ ଆମେ ଛାଡ଼ି ଆସିଥିବା ସେହି ପୁରୁଣା ଘରଗୁଡ଼ାକର କପଟ ବେଳେବେଳେ ପୁନର୍ବାର ଏପରି ପଛକୁ ଟାଣି ରଖିବାକୁ ମନ କରୁଛି କି ? ଅସଲ ରଜ୍ଜୁଟି ଭିତରେ ସ୍ଵୟଂ ଆସି ଧରା ଦେଇସାରିବା ପରେ ତଥାପି ଆମେ ବେଳେବେଳେ ମୋହରେ ପଡ଼ି ପୁନର୍ବାର ସେହି ପୁରୁଣା ରଜ୍ଜୁଗୁଡ଼ାକୁ ହାତରେ ମୁଠେଇ ଧରି ଆପଣାକୁ ହିଁ ଏହି ରଥର ସବାବଡ଼ ମାଲିକ ବୋଲି ମନେ କରୁଛୁ କି ? ବାହାରେ, ପୁରୁଣା ସଂସାରରେ ଆମେ ଯେଉଁ ମିଛ ଆସନଗୁଡ଼ାକରେ ବସିଥିଲୁ ଅଥବା ଏବେ ମଧ୍ୟ ବସିଛୁ, ବେଳେ ବେଳେ ସେହିସବୁ ଆସନର ନ୍ୟାୟକୁ ଆଣି ଆମେ ଏହି ନୂଆଘରଟି ଭିତରେ ମଧ୍ୟ ଭର୍ତ୍ତି କରିବାକୁ ଇଚ୍ଛା କରୁଛୁ କି ? ଆମର ସେହି ପୁରାତନ ଚତୁରତା, ସେହି ପୁରାତନ ଅହଂକାର ଏବଂ ପୁରୁଣା ଦର୍ପଗୁଡ଼ାକ ହୁଏତ ଆମରି ଭିତରେ କେଉଁ ଅତିସୁରକ୍ଷିତ ଗାତ ଭିତରେ ତଥାପି ବଞ୍ଚି ରହିଛନ୍ତି ଓ ବେଳେବେଳେ ଆମଭିତରେ ଆତ୍ମଗୋପନ କରି ରହିଥିବା ବିଟପୀଟାର ଅନୁମୋଦନ ଲାଭ କରି ଏହି ନୂତନ ବୃକ୍ଷଟିର ଡାଳଗୁଡ଼ାକୁ ଭାଙ୍ଗି ଏହି ଘରଟିକୁ ଛାରଖାର କରିଦେବାକୁ ମନ କରୁଛନ୍ତି । ଭାଇକୁ ଘୃଣା କଲେ ମଣିଷ ଯେ କେଡ଼େ ପ୍ରଚଣ୍ଡ ଭାବରେ ଘୃଣା କରେ, ଅନ୍ୟମାନଙ୍କୁ ଘୃଣା କରିବାର ବେଳଗୁଡ଼ିକ ତୁଳନାରେ ସିଏ ସେତେବେଳେ ଯେ କେଡ଼େ ଅଧିକ ପ୍ରଚଣ୍ଡ ହୁଏ, ସେତେବେଳେ ହୁଏତ ତାହାରି ପ୍ରମାଣ ମିଳିଯାଉଛି । ଏହି ଘରଟା ଗୋଟାସୁଦ୍ଧା ଭାଙ୍ଗିଯାଉ ପଛକେ, ତଥାପି ମୁଇଁ ଏଠି ସବୁକିଛିର ନିୟାମକ ହୋଇ ରହିବି, ସମସ୍ତଙ୍କୁ ପଦାରେ ପକାଇଦେଇ ଏକା ମୁଇଁ ପାଣି ଭିତରେ ବୁଡ଼ି ସବୁଯାକ ପଙ୍କକୁ ପିଇ ମୋଟା ହେବି ଓ ଏଠି ସର୍ବଶ୍ରେଷ୍ଠ ଚଉକି ହୋଇ ରହିବି, ସେତେବେଳେ ସେହି ଫିସାଦଟା ମୋତେ ହୁଏତ ଗୋଟାସୁଦ୍ଧା ଗ୍ରାସକରି ପକାଉଛି-। ତଦ୍ଦ୍ୱାରା ମୁଁ ଆପଣା ଗୋଡ଼ରେ ବେଡ଼ି ପକାଇ ରଖୁଛି, ରୁଷୁଛି, ଅଭିମାନରେ ଫୁଲି ବଡ଼ହୋଇ ଦିଶିବାକୁ ଚେଷ୍ଟା କରୁଛି, ଅନ୍ୟ ସମସ୍ତଙ୍କ ଦେହରେ ଗୁହ ଲାଗିଛି ବୋଲି ପାଟିକରି ଆପଣାକୁ ପୂର୍ଣ୍ଣଶୁଦ୍ଧ କରି ଦେଖାଇବାର କେତେ ବାହାଦୁରି କରୁଛି, ଅନ୍ୟମାନଙ୍କର ଅଯୋଗ୍ୟତାଗୁଡ଼ାକୁ କେଡ଼େ ଅଶିଷ୍ଟ ପୁଲକର ସହିତ ଉଖାରି ଦେଖାଇ କେବଳ ମୁଇଁ ଉଚିତରେ ଅଛି ବୋଲି କେତେ ପ୍ରକାରେ ଖଳ ଓ ମୁଖର ହେବାରେ ଲାଗିଛି । ମାତ୍ର, ପ୍ରକୃତରେ ଏହାହିଁ କଣ ସର୍ବଶେଷ କଥା-?

 

ଶ୍ରୀଅରବିନ୍ଦଙ୍କର ଗୋଟିଏ ଉକ୍ତିର ଉଦ୍ଧାର କରି ମାଆ ଏହି ପ୍ରଶ୍ନଟିର ଉତ୍ତର ଦେଇଛନ୍ତି-। ଏହା କଦାପି ଶେଷକଥା ନୁହେଁ । ଆମରି ଭିତରେ ଏକ ବୃହତ୍ତର ଶ୍ରଦ୍ଧାଶୀଳତା ଲୁକ୍କାୟିତ ହୋଇ ରହିଛି । ତାହା ଏକ ସମ୍ଭାବନା ରୂପେ ଲୁକ୍କାୟିତ ହୋଇ ରହିଛି । ସେହି ଶ୍ରଦ୍ଧାକୁ ଜୀବନରେ ମୁକୁଳିତ କରାଇ ଆଣିବା ହେଉଛି ଆମର ସର୍ବବୃହତ୍ କର୍ତ୍ତବ୍ୟ । ଅନେକ ସମୟରେ ନିଜ ଭିତରେ ନିଜ ହାତରେ ନାନାବିଧ ଜାଲ ଓ ଫାଶ ଛନ୍ଦିକରି ରଖିଥିବାରୁ ଆମେ ହୁଏତ ସ୍ୱୟଂ ସେହି ମୁକୁଳିତ ହେବାର ପ୍ରକ୍ରିୟାରେ ନିଜ ଲାଗି ବାଧା ହୋଇ ଛିଡ଼ା ହୋଇଛୁ । ପୂର୍ଣ୍ଣ ମୁକୁଳିତ ହେବାକୁ ମନ କରିବା ଲାଗି ବିଶ୍ଵାସ ଯେତିକି ଦୃଢ଼ ହେବାର କଥା, ଆପଣା ଭିତରେ ରହିଥିବା ରତ୍ନଟିକୁ ଯେତିକି ନିବିଡ଼ ଭାବରେ ଚିହ୍ନିବା କଥା, ଆମେ ହୁଏତ ସେତିକି ବିଶ୍ଵାସର ଭାଜନ ହୋଇପାରୁ ନାହୁଁ-। ସେତିକି ନିବିଡ଼ତା ଲାଗି ସାହସ କରିପାରୁନାହୁଁ, ତେଣୁ ଆପଣା ଉପରେ ବିରକ୍ତ ହେଉଛୁ, ଆପଣା ବିଷୟରେ ଧୈର୍ଯ୍ୟ ତୁଟାଇ ପକାଉଛୁ ଓ ଆପଣା ପାଖରେ ବୈରାଗୀ ହେଉଛୁ । ସେହି ଆତ୍ମରତି ଆପଣାଟିକୁ ଅଭିବ୍ୟକ୍ତ କରିବାକୁ ଯାଇ ଅନ୍ୟମାନଙ୍କ ଉପରେ, ଯେଉଁମାନେ ମୋର ସବୁଠାରୁ ନିକଟରେ ଅଛନ୍ତି ଓ ଯେଉଁମାନଙ୍କ ସହିତ ମୁଁ ବାଟ ଚାଲୁଛି, ସେହିମାନଙ୍କ ପ୍ରତି ଅଶ୍ରଦ୍ଧା ଏବଂ ଘୃଣାରେ ପରିଣତ ହୋଇଯାଉଛି । ଆମ ସମସ୍ତଙ୍କର ଏକତ୍ର ଭେଟ କରାଇ ଆମକୁ ତାଙ୍କରି କାମରେ ଲଗାଇବା ସକାଶେ ଏହି ଯାବତୀୟ ଭଦ୍ୟମଭୂମିଟିକୁ ପ୍ରସାରି ଧରିଥିବା ବିଧାତା ଆମର ଏହି କୋପ ଓ କ୍ରୋଧଗୁଡ଼ାକୁ ଦେଖି ହସୁଥିବେ ସିନା, ମାତ୍ର ଆମକୁ କଦାପି ବର୍ଜନ ଓ ଅସ୍ୱୀକାର କରୁନଥିବେ । ଆମ ଉପରେ ସିଏ ତଥାପି ବିଶ୍ଵାସ ରଖିଥିବେ-। ପରସ୍ପର ସହିତ ଧକ୍‌କା ଖାଇ ଆମଭିତରେ ହୋଇଥିବା କ୍ଷତଗୁଡ଼ିକୁ ସିଏ କେଡ଼େ ସ୍ନେହରେ ମଲମ ଲଗାଇ ଭଲ କରି ଆଣୁଥିବେ । ଜନନୀ ହୋଇ ଆମକୁ ସତତ ସ୍ଵୀକାର କରି ନେଉଥିବେ । ଆମର ମାର୍ଜନା କରି ନେଉଥିବେ-। କେବଳ ଅପୂର୍ଣ୍ଣମାନଙ୍କର ହିଁ ସେହି ସତତ ମାର୍ଜନା ଉପରେ ବିଶ୍ଵାସ କରିବାର ଅଧିକାର ରହିଛି । ଆମେ ସେହି ଅଧିକାରଟି ବିଷୟରେ ଯେତେ ଅଧିକ ସଚେତନ ହେବା, ଆମକୁ ଏକତ୍ର ବାନ୍ଧି ରଖିଥିବା ସୂତ୍ରଟିକୁ ଆମେ ସେତିକି ଅଧିକ ପରିମାଣରେ ଚିହ୍ନନେଇ ପାରିବାକୁ ବି ସମର୍ଥ ହେବା ।

 

ଡିସେମ୍ବର, ୧୯୮୫

Image

 

ଏଇ ମାନୁଷେ ସେଇ ମାନୁଷ୍ ଆଛେ

 

ପରସ୍ପରକୁ ଦେଖୁଥିବା ସମୟରେ ଆମେ ସତକୁ ସତ କ’ଣ ବା କାହାକୁ ଦେଖୁ କେଜାଣି ? ଆମେ ନିଜକୁ ସାଧାରଣତଃ ଯେଉଁପରି ଭାବରେ ଦେଖୁଥାଉ, ସମ୍ଭବତଃ ତାହାରି ଅନୁସାରେ ହିଁ ପରସ୍ପରକୁ ଦେଖିବାକୁ ଭାରି ମନ କରୁ, ଭାରି ଉତ୍ସାହିତ ହେଉ । ମୁଁ ଆଉ ଜଣେ ମଣିଷକୁ କିପରି ଆଖିରେ, ବା କିପରି ଭାବରେ ଦେଖୁଛି, ସେଥିରୁ ସେହି ଆଉ ଜଣକ ବିଷୟରେ ଯେତିକି ଜଣା ନ ପଡ଼େ, ହୁଏତ ମୋ ନିଜ ବିଷୟରେ ହିଁ ତା’ଠାରୁ ଅଧିକ ସୂଚନା ମିଳି ଯାଇପାରେ-। ଇଉରୋପର ଜଣେ ଦାର୍ଶନିକ ପ୍ରାୟ ସାଢ଼େ ତିନିଶହ ବର୍ଷ ତଳେ କହିଥିଲେ ଯେ, ଯଦି ତିନି ଜଣ ବ୍ୟକ୍ତିଙ୍କୁ ଗଧ ବିଷୟରେ ରଚନାଟିଏ ଲେଖିବାକୁ ଦିଆଯାଏ, ତେବେ ସେଗୁଡ଼ିକରୁ ଗଧ ବିଷୟରେ ଯେତିକି ପ୍ରକୃତ କଥା ଜାଣିବାକୁ ନ ମିଳିବ, ସେମାନଙ୍କ ନିଜ ବିଷୟରେ ହୁଏତ ତା’ ଠାରୁ ଅନେକ ଅଧିକ ତଥ୍ୟ ଓ ସତ୍ୟ ଜଣା ପଡ଼ିଯିବ । ତେଣୁ ଅନ୍ୟର ବିଚାର କଲାବେଳେ, ଅନ୍ୟକୁ ଅନାଇ ଦେଖିବା ସମୟରେ ସେକଥା ଆମର ଅନ୍ତତଃ ଅତ୍ୟନ୍ତ ସତର୍କ ହୋଇ ଦେଖିବା ଉଚିତ । ମାତ୍ର ଅନେକ ସମୟରେ ସେକଥା ହୋଇପାରେ ନାହିଁ । ଅନ୍ୟକୁ ଯଥାସମ୍ଭବ ଅଧିକ ସମ୍ପୂର୍ଣ୍ଣ ଭାବରେ ବୁଝିବା ହିଁ ଯଦି ଅନ୍ୟକୁ ଦେଖିବାରେ ଓ ତା’ ବିଷୟରେ ବିଚାର କଲାବେଳେ ଆମର ସର୍ବପ୍ରଧାନ ଉଦ୍ଦେଶ୍ୟ ହୋଇଥାନ୍ତା, ତେବେ ତାହା ନିଶ୍ଚୟ ଅନ୍ୟ ପ୍ରକାରର ହୋଇଥାନ୍ତା । ମାତ୍ର ଆମେ ଅନ୍ୟକୁ ଦେଖିବା ଆଳରେ ନିଜ ବିଷୟରେ ନିଜକୁ ଅସହ୍ୟ ବୋଲି ମନେ ହେଉଥିବା କେତେଟା ମାର୍କାକୁ ନେଇ ତା’ ଉପରେ ଲଦି ଦେବାକୁ ଚେଷ୍ଟା କରୁଥାଉ ଓ ସେତିକି କରି ପାରିଲେ ହିଁ ଆମେ ତାହାକୁ ଦେଖିଲୁ ବୋଲି ଯଥେଷ୍ଟ ପ୍ରତ୍ୟୟ ପାଇଯାଉ । ଏପରି କରି ଆମେ ଭାରି ଧରା ପଡ଼ିଯାଉ । ନିଜକୁ ଲୁଚାଇ ରଖିବାର କେଡ଼େ କେଡ଼େ ପ୍ରୟାସ କରୁ କରୁହିଁ ଧରା ପଡ଼ିଯାଉ । ନିଜକୁ ନିଜେ ହସି ପାରିବାର ଜୀବନକଳାଟି ଶିଖି ନଥିବାରୁହିଁ ପରକୁ ହସିବାକୁ ମନ ବଳାଇ ନିଜେ ଲୋକହସା ହେଉ-

 

ଆମ ବିଦ୍ୟାଳୟମାନଙ୍କରେ ଆମରି ଉପରେ ଭରସା ରଖି ବିଦ୍ୟାଳୟକୁ ଆସିଥିବା ଯେକୌଣସି ପିଲାଟି ଭିତରେ ଆମେ କ’ଣ ସବୁ ଦେଖିବାକୁ ଅପେକ୍ଷା ରଖି ତା’ ପାଖକୁ ଯାଉ କେଜାଣି ? ଅଧିକାଂଶ କ୍ଷେତ୍ରରେ ଆମେ ଆମର ନିଜ ପ୍ରଚକ୍ଷୁଗୁଡ଼ାକ ଦେଇ ସେମାନଙ୍କୁ ଦେଖୁ । ତେଣୁ ଅଧିକାଂଶ ସ୍ଥଳରେ ଆମରି ଖଣ୍ଡିଆଗୁଡ଼ାକ ହିଁ ସେମାନଙ୍କ ଭିତରେ ସବାଆଗ ଆମର ଆଖିରେ ପଡ଼ିଯାଏ । ପିଲାଏ ପ୍ରକୃତରେ ଯାହା, ଆମେ ସେମାନଙ୍କୁ ଯଥାସମ୍ଭବ ସେହିପରି ନିଖୁଣ ବା ସମ୍ପୂର୍ଣ୍ଣ ଭାବରେ ଦେଖିବାକୁ ଆଦୌ ବେଳ ପାଉ ନାହିଁ । ହୁଏତ ନିଜର ଜୀବନସାରା ଆମେ ନିଜକୁ ମଧ୍ୟ କେବେହେଲେ ସେହିପରି ସମ୍ପୂର୍ଣ୍ଣ ଭାବରେ ଦେଖିବାକୁ ମନ କରି ନଥାଉ । ସେହି ବିଦ୍ୟାଟିକୁ ହୁଏତ ଅତ୍ୟନ୍ତ ଅଶ୍ଵସ୍ତିକର ବୋଲି ଜାଣି ତାହାକୁ କୋଉ ପଛରେ ପକାଇଦେଇ ଆସିଥାଉ । ଅସଲ ଚକ୍ଷୁଟିକୁ ଛାଡ଼ି ଆସିଥାଉ ଅଥବା କୋଉଦିନୁଁ ନିଜ ଭିତରେ କେତେ ତଳେ ଯାଇ ପୋତି ରଖିଥାଉ ବୋଲି ପ୍ରଚକ୍ଷୁଗୁଡ଼ିକର ସାହାଯ୍ୟରେ ଦେଖିବା ବ୍ୟତୀତ ଆମ ପାଖରେ ଆଉ ଅନ୍ୟ କୌଣସି ଇଲମ ନଥାଏ । ପ୍ରଚକ୍ଷୁ ସାହାଯ୍ୟରେ ଦେଖିବା ଅର୍ଥାତ୍ ଖଣ୍ଡିଆ କରି ଦେଖିବା । ଖଣ୍ଡିଆ କରି ଦେଖୁଥିବା ମଣିଷମାନେ ସବାଆଗ ଖଣ୍ଡିଆଗୁଡ଼ାକୁ ଦେଖନ୍ତି, ସବାଆଗ ନଳାଗୁଡ଼ାକୁ ଦେଖନ୍ତି । ସେମାନେ ମନ୍ଦଗୁଡ଼ାକୁ ଭଲ କରିବାର ଅଭିପ୍ରାୟ ନେଇ ଯାହାକିଛି ଦେଖନ୍ତି-। ତେଣୁ, ସେଠି ଭିତରେ ଅପେକ୍ଷା କରି ରହିଥିବା କଳିକାଟିକୁ ମୋଟେ ଦେଖି ପାରନ୍ତି ନାହିଁ-। ହୁଏତ କିଛି ନଦେଖିବା ପୂର୍ବରୁ ମଧ୍ୟ ବିଗିଡ଼ାଗୁଡ଼ାକୁ ସଜାଡ଼ିବାରେ ଲାଗିଯାଆନ୍ତି । ଆମ ସଂସାର ଯୁଗେ ଯୁଗେ ଏହିଭଳି ମଣିଷମାନଙ୍କର କେତେ କ’ଣ ସହ୍ୟ କରିଛି, ଏବେ ମଧ୍ୟ ସହ୍ୟ କରୁଛି-

 

ବଇଦମାନେ ମଣିଷ ଭିତରେ ସବାଆଗ ମଳୁକୁ ଦେଖନ୍ତି । ମଣିଷ ଭିତରେ ରହିଥିବା ମଣିଷ ପାଖରେ ସେମାନଙ୍କର ପ୍ରୟୋଜନତଃ କୌଣସି କାର୍ଯ୍ୟ ନଥାଏ । ତେଣୁ ସେମାନେ ମଣିଷର ମଣିଷ-ଭାଗଟିକୁ ଆଡ଼େଇ ଦେଇ ମଳୁ-ଭାଗଟିକୁହିଁ ଦେଖନ୍ତି । ମନର ଚିକିତ୍ସା କରୁଥିବା ବିଶେଷଜ୍ଞମାନେ ମଣିଷ-ମନର ବିକାରଗୁଡ଼ିକୁ ଦେଖନ୍ତି, ହୁଏତ କେବଳ ସେତିକି ଦେଖିବାର ଅପେକ୍ଷା ରଖନ୍ତି । ହୁଏତ ସେହିପରି ଏକ ଦର୍ଶନନ୍ୟାୟ ଦ୍ଵାରା ପ୍ରେରିତ ହୋଇ ଆମ ସଂସାରର ଅନେକ ଗୁଣୀ ମଣିଷ ଅନ୍ୟ ମଣିଷମାନଙ୍କ ଭିତରେ ଆଗ ଅବିଗୁଣଗୁଡ଼ିକ ହିଁ ଦେଖନ୍ତି । ଗୁଣୀ ଭିତରେ ମଧ୍ୟ ଅବିଗୁଣ ଥାଏ,—ମାତ୍ର ଉଢ଼ୁଆଳରେ ଥାଏ, ଦବି କରି ଥାଏ,—ପରିଚ୍ଛଦ ତଳେ ରହିଥାଏ । ତାହା ବାହାରକୁ ଦେଖାଯାଏ ନାହିଁ,—ପରିଚ୍ଛଦଗୁଡ଼ିକହିଁ ବାହାରକୁ ଦେଖାଯାଏ, ପରିଚ୍ଛଦଗୁଡ଼ିକହିଁ ତଥାକଥିତ ଗୁଣୀର ପରିଚୟ ଦିଅନ୍ତି । ଆମ ସଂସାରର ଅଧିକାଂଶ ବେଭାର ଏହି ନିୟମ ଅନୁସାରେ ଚାଲିଥାଏ । ଶିକ୍ଷାକେନ୍ଦ୍ରର ଶିକ୍ଷକମାନେ ତ ସଂସାରରୁ ବାହାର ନୁହନ୍ତି ଯେ ସେମାନେ ହୁଏତ ଆଉପ୍ରକାରେ ପିଲାମାନଙ୍କୁ ଦେଖିବାକୁ ମନ କରିବେ । ବିଗିଡ଼ା ପିଲାମାନଙ୍କୁ ସଂସାର ପାଇଁ ଆବଶ୍ୟକ ଭାବରେ ସଜାଡ଼ି ପାରିବା ସକାଶେ ସେମାନେ ସେଥିଲାଗି ଚକ୍ଷୁକୁ କାଢ଼ିଦେଇ ପ୍ରଚକ୍ଷୁ ପିନ୍ଧନ୍ତି । ପ୍ରଚକ୍ଷୁ ପିନ୍ଧିଲେ ମଳୁ ବଇଦ ପରି ଦେଖାଯାଏ, ବିକାରଗ୍ରସ୍ତ ବିକାରମୁକ୍ତ ପରି ଦେଖାଯାଏ, ଅବିଗୁଣୀମାନେ ଗୁଣୀର ସ୍ଵୀକୃତି ଲାଭ କରନ୍ତି । ଏମାନେ ସମସ୍ତେ ଆମ ସଂସାରକୁ ପ୍ରଚକ୍ଷୁ ପିନ୍ଧାଇ ରଖିବାରେ ଅନେକ ସାହାଯ୍ୟ କରନ୍ତି । ମଳୁ ଭିତରେ ହୁଏତ ଏକ ଚକ୍ଷୁ ରହିଥାଏ, ବିକାରଯୁକ୍ତ ଯେକୌଣସି ମଣିଷର ମଧ୍ୟ ଏକ ଚକ୍ଷୁଥାଏ; ତଥାକଥିତ ଅବିଗୁଣୀ ଭିତରେ ମଧ୍ୟ ଚକ୍ଷୁ ରହିଥାଏ, ମାତ୍ର ସେହି ଚକ୍ଷୁ କାଳକ୍ରମେ ଆମ ପ୍ରଚକ୍ଷୁଗୁଡ଼ାକର ତାଡ଼ନାରେ କୁଆଡ଼େ ପୋତି ହୋଇଯାଏ । ସଂସାରଟା ଚକ୍ଷୁଦ୍ଵାରା ଚାଲୁଥିଲେ ସିନା ଭିତରେ ରହିଥିବା ଚକ୍ଷୁଟି ସ୍ଵାଭାବିକ ଭାବରେ ବାହାରକୁ ବାହାରି ଆସି ପାରନ୍ତା ! ଯେଉଁଠାରେ ପ୍ରଚକ୍ଷୁ ଦ୍ଵାରାହିଁ କୀବନସାମ୍ରାଜ୍ୟର ପଟ୍ଟନାୟକ ଓ ଗଡ଼ନାୟକମାନେ ସବୁକିଛି ତୁଲାଇ ପାରୁଛନ୍ତି, ସେଠି ଚକ୍ଷୁର ପୁଣି କେଉଁ ପ୍ରୟୋଜନ ରହିଛି ?

 

ଚେତନା ତଳକୁ ଅଚେତନା ରହିଥାଏ । ଚେତନାକୁ ଯଦି ଉପରର ପରିଚ୍ଛଦ ବୋଲି ବିଚାର କରାଯାଏ, ତେବେ ଅସଲ ମଣିଷଟି ହୁଏତ ସେହି ଅଚେତନା ଭିତରେ ହିଁ ଲୁଚି ରହିଥାଏ, ଅପେକ୍ଷା କରି ରହିଥାଏ । ସେହି ଅଚେତନା ଭିତରେ ପ୍ରବେଶ କରିବାକୁ ହୁଏ,—ଅତଳ ଭିତରେ ପଶି ମୁକ୍ତାଗୁଡ଼ିକର ଆବିଷ୍କାର କରିବାକୁ ହୁଏ । ବିସ୍ତାର ଦୃଷ୍ଟିରେ ଦେଖିଲେ ମଧ୍ୟ ବାହାରର, ପୋଷାକୀ ପହରଗୁଡ଼ାକର ତଥାକଥିତ ଆମର ଏହି ଚେତନ ଜୀବନ ଓ ବିଚରଣଗୁଡ଼ିକର ତୁଳନାରେ ଅଚେତନାକୁ ପ୍ରକୃତରେ ଅଗାଧ ବୋଲି କୁହାଯାଇ ପାରିବ । ବାସନାଗୁଡ଼ିକ ଉପରର ଏହି ପରିଚ୍ଛଦ ସ୍ତରରେ ରହିଥିବା ପର୍ଯ୍ୟନ୍ତ ଆମେ ସେହି ଅଗାଧ ଭିତରେ ପଶିବା ନିମନ୍ତେ ମୋଟେ ସାହସ କରିପାରୁ ନାହିଁ । ଓଲଟି ତାକୁ ନାନା ତ୍ରାସ ଏବଂ ଭାବକୁଣ୍ଠାର କାନି ପକାଇ ଘୋଡ଼ାଇ ରଖିବାକୁ ଚେଷ୍ଟା କରୁଥାଉ । ତେଣୁ, ଉପରେ କେଡ଼େ ସଜଡ଼ା ହୋଇ ରହିଥିବା ପରି ଦିଶୁଥାଉ ସିନା, ମାତ୍ର ଆମର ଅସଲ ବଗିଚାଟି ଆମରି ଭିତରେ ସତେଅବା ଭାରି ଅବହେଳିତ ହୋଇ ଉଜୁଡ଼ି ଯିବାରେ ଲାଗିଥାଏ । ସଂସାରର ବିଶାଶହେ ଦାଣ୍ଡରେ ମାଳି ହୋଇ ମାଳ ବିକି ବାହାରି ଥିଲେ ମଧ୍ୟ ଆମେ ନିଜ ଘରେ, ନିଜର ବଗିଚାଟିରେ ଅର୍ଥାତ୍ ଆମ ନିଜର ଅପେକ୍ଷମାଣ ଫୁଲଟି ପାଖରେ ମୋଟେ ମାଳି ହୋଇ ପାରୁ ନାହିଁ । ଏବଂ, ଯେଉଁ ଶିକ୍ଷକ ମୂଳତଃ ମାଳିଟିଏ ହୋଇ ସବାଆଗ ନିଜର ବଗିଚାଟିକୁ ଆଦରିନେଇ ନପାରିଛି, ସିଏ ଆଉ ଅନ୍ୟ ଫୁଲମାନଙ୍କର କି ଖବର କାହିଁକି ରଖିବାକୁ ଯିବ ? ହୁଏତ ସେହି କାରଣରୁ ହିଁ ଆମର ବିଦ୍ୟାଳୟମାନେ ବଗିଚା ପରି ନଦିଶି ସତେଅବା ଗୋଟାଏ ଗୋଟାଏ କମାରଶାଳ ପରି ଭାରି ଦିଶିବାରେ ଲାଗିଥାନ୍ତି । ଆମ ପାଖରେ ହତିଆର ଅନେକ ଥାଏ, ଜ୍ଞାନ ଓ ବିଜ୍ଞାନରୁ ମଧ୍ୟ ବେତାଏ ବା ଦୁଇବେତା ରହି ଥାଏ, ଯୋଗ୍ୟତାମାନେ ପରିଚ୍ଛଦ ପରି ଆମ ଚାରିପାଖରେ କେଡ଼େ ଶୋଭନୀୟ ହୋଇ ଗୁଡ଼ାଇ ହୋଇଥାନ୍ତି, ଆମ ଦେହ ଉପରେ ଚର୍ବିପରି କେଡ଼େ ଚକଚକ ଦିଶୁଥାନ୍ତି । ମାତ୍ର, ମାଳି କେଉଁଠି ହେଲେ ନଥାଏ । ଆମ ନିଜ ଭିତରେ ଆମେ ପ୍ରଜାପତିମାନଙ୍କୁ ଈର୍ଷା କରୁଥାଉ, ଫୁଲକୁ ଇର୍ଷା କରୁଥାଉ, ତେଣୁ ଆମର ଅଧ୍ୟାପନା ଆମ ଇସ୍କୁଲ ରୂପକ ଫୁଲବଗିଚାମାନଙ୍କରେ ସତେଅବା ଏକ ଗଞ୍ଜଣା ହୋଇ ରହିଥାଏ,—ଆମ ବିଦ୍ୟାରେ ଧର୍ଷଣାଶକ୍ତିହିଁ ସବୁଠାରୁ ଅଧିକ ମାତ୍ରାରେ ରହିଥାଏ ।

 

ଅଚେତନାକୁ ଚେତନାର ସ୍ତରକୁ ଆଣିବା, —ଅର୍ଥାତ୍ ଆମର ବୁଦ୍ଧି ଓ ଆମର ହୃଦୟ ମଧ୍ୟରେ ଆଦୌ କୌଣସି ଅନ୍ତର ବା ବ୍ୟବଧାନ ନ ରଖିବା । ଆମର ବୁଦ୍ଧି ହିଁ ସଚରାଚର ଆମ ଜୀବନ ଉପରେ ଯେଉଁ ରାଜତ୍ଵ କରୁଥାଏ, ଆମ ପରିଚ୍ଛଦପ୍ରଧାନ ସଂସାରରେ ତାହାକୁହିଁ ଚେତନା ବୋଲି କୁହାଯାଏ । ହୃଦୟ ଭିତରେ ବହୁଦୂରରେ ଥାଏ; ବୁଦ୍ଧି ହୃଦୟକୁ ଡରୁଥାଏ ବୋଲି ତାକୁ ଆପଣାଠାରୁ ବହୁଦୂରରେ ରଖିଥାଏ । ହାତରେ ଶାସ୍ତ୍ର ଧରି ନିୟମଗୁଡ଼ାକୁହିଁ ବିବେକ ବୋଲି କହି ବୁଦ୍ଧି ଆମ ଘରେ ବ୍ରାହ୍ମଣ ହୋଇ ବସିଥାଏ ଏବଂ ହୃଦୟକୁ ସତେଅବା ଶୂଦ୍ରପରି ସାହି ଭିତରୁ ବାସନ୍ଦ କରି ରଖିଥାଏ । ହୃଦୟ ଯଦି ସେହି ନିର୍ବାସନ ମଧ୍ୟରୁ ବାହାରକୁ ଆସି ପାରନ୍ତା, ଯଦି ଆମର ବୁଦ୍ଧି ହୃଦୟକୁ ନ ଡରି ତାହାରି ଦ୍ଵାରା ହିଁ ପରିଚାଳିତ ହୁଅନ୍ତା, ତେବେ ଆମ ଜୀବନର ଅନେକ ଅନାବିଷ୍କୃତ ପଥ ଆମର ସମ୍ମୁଖରେ ଉନ୍ମୋଚିତ ହୋଇଯାଇ ପାରନ୍ତା;—ଆମର ଏହି ପରିଚୟଟି ପଛରେ ଆହୁରି ଏକ ଅଧିକ ସମର୍ଥ, ଅଧିକ ଅନ୍ତରଙ୍ଗ ଏବଂ ଅଧିକ ମହିମାନ୍ୱିତ ପରିଚୟ ଯେ ଅପେକ୍ଷା କରି ରହିଛି, ଆମେ ସେହି ସତ୍ୟଟିକୁ ପ୍ରତ୍ୟକ୍ଷ କରିପାରନ୍ତେ । ଆମେ ଆପଣାର ବନ୍ଧୁ ହୋଇ ପାରନ୍ତେ । ଆଉ ଅରଣ୍ୟକୁ ଭୟ କରନ୍ତେ ନାହିଁ, —ଆପଣା ଭିତରେ ଆଲୁଅକୁ ଦେଖିପାରନ୍ତେ ଓ ତେଣୁ ଅନ୍ୟକୁ ମୋଟେ ଭୟ କରନ୍ତେ ନାହିଁ । ମନକୁ ହୃଦୟ ମଧ୍ୟରେ, ଚେତନାକୁ ଅଚେତନା ମଧ୍ୟରେ ଲୀନ କରି ଦେବାକୁ ହିଁ ଯୋଗଶାସ୍ତ୍ରରେ ଅସଲ ଜ୍ଞାନ ଏବଂ ଅସଲ ଧ୍ୟାନ ବୋଲି କୁହାଯାଇଛି । (ଅମୃତବିନ୍ଦୁ ଉପନିଷଦ) ପରିଚ୍ଛଦମାନଙ୍କୁ ସତ୍ୟ ଭିତରେ, ଓ ଖଣ୍ଡମାନଙ୍କୁ ସମଗ୍ର ଭିତରେ ଓ ଖୁଣମାନଙ୍କୁ ଅଖୁଣ ଭିତରେ ଲୀନ କରିଦେବା,—ଆମେ ନିର୍ଭୟ ହୋଇ ପାରିଲେ ହିଁ, ଆପଣା ସହିତ ତଥା ଏହି ସବୁଟି ସହିତ ଆତ୍ମୀୟତା ଅର୍ଜନ କରିବାକୁ ଆମ ଯାବତୀୟ ପ୍ରୟାସର ଯଥାର୍ଥ ବଡ଼ପଣ ବୋଲି ଗ୍ରହଣ କରି ପାରିଲେ ହିଁ ତାହା ଆମ ଲାଗି ଅତ୍ୟନ୍ତ ସ୍ଵାଭାବିକ ଓ ତେଣୁ ସହଜ ହୋଇଯାଇ ପାରିବ । ତା’ପରେ ଯାଇ ଆମେ ବଗିଚାଟିକୁ ଦେଖିପାରିବା, ବଗିଚାର ଯଥାର୍ଥ ବାସନା ନେଇ ସଂସାର ଭିତରେ ପ୍ରବେଶ କରିପାରିବା, —ଅନ୍ୟମାନଙ୍କ ଦ୍ଵାରା ଯଥାର୍ଥରେ ସ୍ଵୀକୃତ ହୋଇ ପାରିବା ।

 

...at the very bottom of the inconscience there is the Supreme. It is the Supreme who enables us to touch the Supreme. This is the “almighty spring”. [ମାତୃରଚନାବଳୀ] (ଇଂରାଜୀ), ଶତବାର୍ଷିକୀ ସଂସ୍କରଣ, ୧୫ଶ ଖଣ୍ଡ, ୧୯୮୦, ପୃଷ୍ଠା-୩୮୪] “ଏଇ ମାନୁଷେ ସେଇ ମାନୁଷ ଆଛେ ।” ମୋ ଭିତରେ ସେହି ମଣିଷ ଅଛି ବୋଲି ଚିହ୍ନିପାରିଲେ ମୁଁ ଆଉ ନିଜକୁ ପରିଚ୍ଛଦ ପିନ୍ଧାଇ ରଖନ୍ତି ନାହିଁ । ମୁଁ ଭିତରକୁ ଭେଦିବାକୁ ମନ କରନ୍ତି । ତା’ପରେ, ପରସ୍ପର ଭିତରେ ମଧ୍ୟ ସେହି ମଣିଷଟିକୁ ଚିହ୍ନିପାରିବା ଆମ ପାଇଁ ଭାରି ସହଜ ହୋଇଯାଆନ୍ତା । ସବୁରି ଭିତରେ ସବୁକିଛି ଖୁଣ ଭିତରେ ସବୁ ଆବୋରି ରହିଥିବା ପରି ସବାଆଗ ସେଇ ଦିଶୁ ଥାଆନ୍ତେ । ଆତ୍ମୀୟତା ହିଁ ଆମ ସଂସାରର ସର୍ବମୂଳ ସମ୍ବନ୍ଧ ହୋଇ ରହିଥାନ୍ତା । ଜଣେ ଶିକ୍ଷକ ମଧ୍ୟ ନିଜ ଭିତରେ ଓ ପିଲାମାନଙ୍କ ଭିତରେ ସେଇ ମଣିଷଟିକୁ ଦେଖି ପାରୁଥିଲେ ବୟସର କୌଣସି ଦମ୍ଭ ନେଇ ବଗିଚାଟିକୁ ଉପଦ୍ରବପୂର୍ଣ୍ଣ କରି ରଖିବା ଲାଗି କଦାପି ମନ କରନ୍ତା ନାହିଁ । ଜ୍ୟେଷ୍ଠମାନେ କନିଷ୍ଠମାନଙ୍କୁ ଗିଳି ପକାଇବାକୁ ମୋଟେ ମନ କରନ୍ତେ ନାହିଁ । ସମସ୍ତେ ବାଟ ଚାଲନ୍ତେ, ଦଳେ ଆଉ ଗୋଟିଏ ଦଳକୁ ଖାଲି ବାଟ ବିତାଇବାକୁ ଆଦୌ ଆଗ୍ରହ ପ୍ରକାଶ କରନ୍ତେ ନାହିଁ । ସେମାନେ ପରସ୍ପରକୁ ପାଇପାରନ୍ତେ ଏବଂ ଏକ ଅନ୍ୟ ପାରସ୍ପରିକତାର ମୂଳଦୂଆ ପକାଇ ପାରନ୍ତେ । ତାହାକୁହିଁ ସକଳ ଅର୍ଥରେ ପୁରାତନ ବିରୁଦ୍ଧରେ ନୂତନର ଯୁଦ୍ଧ ଘୋଷଣା ବୋଲି କୁହାଯାଇ ପାରନ୍ତା । ସମ୍ବନ୍ଧ ବଦଳି ଯାଆନ୍ତା, ତେଣୁ ଯୁଗ ମଧ୍ୟ ବଦଳିଯିବାକୁ ମୋଟେ ଅମଙ୍ଗ ହୁଅନ୍ତା ନାହିଁ ।

 

ତେଣୁ, ଆମେ ଆଉ ନିଜଟାକୁ ଦର୍ପଣ କରି ଅନ୍ୟମାନଙ୍କୁ ଦେଖିବା ନାହିଁ; ମୋ ଭିତରେ ତଥା ଅନ୍ୟମାନଙ୍କ ଭିତରେ ଯେଉଁ ମଣିଷଟି ରହିଛି ବୋଲି ଆମେ ସତେଅବା ସ୍ଵଭାବନିର୍ଦ୍ଦିଷ୍ଟ ହୋଇ ପରସ୍ପରର ପାଖକୁ ଆସିଛୁ, ସେହି ମଣିଷଟିକୁ ଦର୍ପଣ କରି ଆମେ ପରସ୍ପରକୁ ଦେଖିବା । ସେହି ମଣିଷକୁ ଦର୍ପଣ କରି ଗୁଣ ଓ ଅବିଗୁଣକୁ ଦେଖିବା,—ଏକ ସମଗ୍ର ସମ୍ଭାବନାର ପରିପ୍ରେକ୍ଷୀରେ ହିଁ ଆମେ ତିଆରି କରି ରଖିଥିବା ମାର୍କା ଓ ମାପଗୁଡ଼ିକର ବିଚାର କରିବା ।

 

ନିଜ ଭିତରେ ଅନୁଭୂତ ହେଉଥିବା ମହିମାଟି ଆମକୁ ଅନ୍ୟ ଭିତରେ ରହିଥିବା ମହିମା ଆଡ଼କୁ ମଧ୍ୟ ବାଟ କଢ଼ାଇ ନେଇଯିବ । ଏହିପରି ଭାବରେ ଅନ୍ୟମାନଙ୍କର ନିକଟବର୍ତ୍ତୀ ହେଉଥିବା ସଙ୍ଗେ ସଙ୍ଗେ ଆମେ ନିଜର ମଧ୍ୟ ନିକଟବର୍ତ୍ତୀ ହୋଇ ପାରୁଥିବା । ନିକଟବର୍ତ୍ତୀ ହେଉ ହେଉ ଆମେ ଖିଅଟିକୁ ପାଇଯିବା । ତା’ପରେ ଆମର ଶାସ୍ତ୍ର, ଆମର ନିୟମ, ଆମର ବିଦ୍ୟା ଓ ବିଦ୍ୟାଦାନର ପଦ୍ଧତିଗୁଡ଼ାକ ମଧ୍ୟ ଆମକୁ ଅନ୍ୟ ଏକ ସମଗ୍ରତର ବ୍ୟଞ୍ଜନାରେ ଦୃଷ୍ଟିଗୋଚର ହେବାକୁ ଆରମ୍ଭ କରିବ । ଆମର ବର୍ତ୍ତମାନଟି ଅଧିକ ଗତିଶୀଳ ହେବାକୁ ଆରମ୍ଭ କରିବ ଏବଂ ଆମର ଭବିଷ୍ୟତକୁ ଆମେ ସତେଅବା ହାତରେ ଧରି, ସାଙ୍ଗରେ ଧରି ବାଟ ଚାଲୁଥିବା ପରି ଲାଗିବ । ସେହି ମଣିଷ ହିଁ ଏହି ମଣିଷମାନଙ୍କୁ ଏକତ୍ର କରାଇ ଆଣିବ, ଅସଲ ଘରଟିକୁ ଫେରାଇ ଆଣିବ । ସେତେବେଳେ ଯାଇ ଆମର ଅସଲ ପ୍ରମାଣ ମିଳିଯିବ, ଅସଲ ପ୍ରାମାଣିକତାର ପ୍ରତିଷ୍ଠା ହେବ ।

 

ଫେବୃଆରୀ, ୧୯୮୬

Image

 

ଦୁଇ ପ୍ରକାରର ବିବେକ

 

ଖ୍ରୀଷ୍ଟପୂର୍ବ ଦ୍ଵିତୀୟ ଶତାବ୍ଦୀର ଜଣେ ଚୀନା ଲେଖକଙ୍କର (Han Fei Zi) ଏକ କାହାଣୀରୁ ମୁଁ ଏଥରର ଲେଖାଟିକୁ ଆରମ୍ଭ କରିବି । ଗୋଟିଏ ପରିବାର, ପରିବାରରେ ତିନି ଜଣ,–ବାପା, ମାଆ ଆଉ ଗୋଟିଏ ବୋଲି ପୁଅ । ଦିନେ ମାଆ ବଜାରକୁ ବାହାରିବା ବେଳକୁ ପୁଅ ଜିଦ୍ ଧରି ବସିଲା ଯେ ସିଏ ମଧ୍ୟ ମାଆ ସହିତ ବଜାରକୁ ଯିବ । ସାନ ଛୁଆଟିକୁ ସାଙ୍ଗରେ ନେଇ ବଜାରକୁ ଯିବାର ଅର୍ଥ ହେଉଛି ଅଯଥା ଆହୁରି ଝିଞ୍ଜଟକୁ ବଢ଼ାଇବା । ପିଲାଟା ସାଙ୍ଗରେ ଗଲେ ଏମିତି ଅଥୟ ହୋଇ ଏଠିକି ସେଠିକି ଦଉଡ଼ି ପଳାଇବାକୁ ଇଚ୍ଛା କରିବ ଓ ଏଠି ସେଠି ହାତ ବଜାଇ ବୁଲିବ ଯେ ବଜାର-ସଉଦା କରିବା ପ୍ରକୃତରେ ଏକ ସମସ୍ୟାରେ ପରିଣତ ହୋଇଯିବ-। ତେଣୁ ପୁଅ ତା’ ସାଙ୍ଗରେ ଯାଉ ବୋଲି ମାଆ ମୋଟେ ରାଜି ହେଲା ନାହିଁ । ପ୍ରଥମେ ବୁଝାଇ କହିଲା, ତା’ପରେ ଆକଟ କରି କହିଲା ଓ ଶେଷକୁ ଗୋଟାଏ ମିଛ କହିବା ପରେ ଯାଇ ପୁଅ ବୁଝିଲା । ମାଆ ତାକୁ କହିଲା, ମୁଁ ହାଟକୁ ଯାଉଛି, ତୁ ଘରେ ଥାଆ,—ତେଣୁ ଆସିଲେ ଆଜି ଖାସି ହାଣିବା । ତୋ ପାଇଁ ମୁଁ ଆଜି ସାଗୁଆତି ତରକାରୀ ରାନ୍ଧି ଦେବି । ମୋ’ ସୁନାଟି ପରା, ତୁ ଘରେ ଥାଆ, ଏଇଠି ବସି ଖେଳୁଥାଆ, —ମୁଁ ଇହାଦେ ଯିବି ଆଉ ଇହାଦେ ଲେଉଟି ଆସିବି-

ପିଲାର ମନ ବୁଝିଗଲା, ମାଉଁସ ତରକାରୀ କଥା ଶୁଣି ତା’ର ମନଟା ଏଡ଼େ ଖୁସି ହୋଇଗଲା ଯେ ସିଏ ମାଆ ସାଙ୍ଗରେ ବଜାରକୁ ଯିବା ପାଇଁ ଆଉ ଜିଦ୍ ଲଗାଇଲା ନାହିଁ । ମାଆ ଚାଲି ଗଲା ପରେ ପୁଅ ଆସି ତା’ର ବାପାଙ୍କୁ କେତେ ବଡ଼ ପାଟିରେ ଯାଇ କହିଲା ଯେ ମାଆ ହାଟରୁ ଆସିଲେ ଆଜି ତା’ ପାଇଁ ମାଉଁସ ତରକାରୀ ହେବ;—ମାଆ ହାଟକୁ ଗଲାବେଳେ କହି ଯାଇଛି । ଉଚିତ ସମୟରେ ମାଆ ହାଟରୁ ଫେରିଲା । ଦେଖିଲା, ବାପା ଖାସି ହାଣିବା ପାଇଁ କଟୁରୀ ପଜଉଛି ଓ ଜାଗାଜୁଗୁତି ସଜ କରୁଛି । ମାଆ ଆଶ୍ଚର୍ଯ୍ୟ ହୋଇ କହିଲା, ମୁଁ ପିଲାଟାକୁ କ’ଣ କହିଗଲି ବୋଲି ତୁମେ ସେଇଥିରେ ବିଶ୍ଵାସ କଲ ? ମୁଁ ପିଲାଟାକୁ ଭୁଲାଇ ଦେବା ପାଇଁ ସେପରି କହିଥିଲି ନା ! ଆଜି ଖାସି ଫାସି କିଛି କଟା ହେବ ନାହିଁ । ମାଉଁସ ତରକାରୀ କଥା ନ କହିଥିଲେ ଆମ ପୁଅ କ’ଣ ଜିଦ୍ ଛାଡ଼ିଥାନ୍ତା ? ସେ ନିଶ୍ଚୟ ମୋ’ ସଙ୍ଗରେ ହାଟକୁ ଯାଇଥାଆନ୍ତା ଓ ସେଠି ମୋତେ ବାର ହଇରାଣ କରି ଥାଆନ୍ତା ।

ବାପା ପ୍ରତିବାଦ କରି କହିଲା, “କିନ୍ତୁ ତୁମେ ଏପରି ଭାବରେ ପିଲାଟିକୁ କିପରି ଧୋକା ଦେବାକୁ ମନ କଲ କହିଲ ? ପିଲାଏ ପ୍ରଥମରୁ ଆଦୌ କିଛିହେଲେ ଜାଣି ନଥାନ୍ତି । ସେମାନଙ୍କୁ ଛନ୍ଦ ବା କପଟ କିଛି କଣା ନଥାଏ । ମାତ୍ର ବୟସ ବଢ଼ିବା ସଙ୍ଗେ ସଙ୍ଗେ ସେମାନେ ବାପମାଆଙ୍କଠାରୁ ନକଲ କରି କ୍ରମେ ସବୁଯାକ ଛନ୍ଦକପଟ ଶିକ୍ଷା କରନ୍ତି । ତୁମେ ପିଲାଟିକୁ ଭୁଲାଇବା ଲାଗି ତାକୁ ଧୋକା ଦେବ, ଠକିବ; ତେବେ ତାହାରି ଦ୍ଵାରା ତୁମେ ତାଙ୍କୁ ମିଛ କହିବାକୁ ମଧ୍ୟ ଶିକ୍ଷା ଦେବ । ଯଦି ଜଣେ ମାଆ ତା’ର ପିଲାକୁ ଠକିବ, ଧୋକା ଦେବ, ତେବେ ସେହି ପିଲାର ତା’ ମାଆର କଥାରେ ଆଉ କୌଣସି ଆସ୍ଥା ରହିବ ନାହିଁ । ଏପରି ହେଲେ ପିଲା ଆଉ ଉଚିତ କଥା କ’ଣ ଶିଖିବ, ଓ ଉଚିତ ଭାବରେ କିପରି ବଡ଼ ହୋଇ ସଂସାର ଭିତରକୁ ଯିବ ?”

କହିବା ବାହୁଲ୍ୟ, ଏକଥା ଉପରେ ମାଆର ଆଉ ଆଦୌ କିଛି କହିବାକୁ ନଥିଲା । ସେଦିନ ବାପ ପ୍ରକୃତରେ ଖାସି ମାରିଲା ଓ ସେଦିନ ତାଙ୍କ ଘରେ ପ୍ରକୃତରେ ମାଉଁସ ରନ୍ଧାଗଲା ।

ଏହି ଗପଟି ପ୍ରାୟ ଏକୋଇଶି ଶହ ବର୍ଷ ପୂର୍ବେ ଆମ ପୃଥିବୀରେ ଲେଖା ହୋଇଥିଲା । ଏବେ ଆମ ବିଂଶ ଶତାବ୍ଦୀର ଶେଷ ଭାଗରେ ଯୁକ୍ତରାଷ୍ଟ୍ର ଆମେରିକାର କର୍ଣ୍ଣେଲ୍‌ ବିଶ୍ଵବିଦ୍ୟାଳୟରେ ଅଧ୍ୟାପନା କରୁଥିବା ଜଣେ ଅଧ୍ୟାପକ ନିଜର ଅଧ୍ୟୟନ ଓ ଗବେଷଣା ଦ୍ୱାରା ଯେଉଁ ଅନ୍ୟ ସିଦ୍ଧାନ୍ତଟିର ଆବିଷ୍କାର କରିଛନ୍ତି, ଏକ ତୁଳନା ସ୍ଵରୂପ ଆମେ ସେଇଟି ଉପରେ ମଧ୍ୟ ଦୃଷ୍ଟିପାତ କରି ପାରିବା । ଗବେଷଣାରୁ ଜାଣିବାକୁ ମିଳୁଛି ଯେ, ସେଇ ଦେଶର ପିଲାମାନେ ଦଶବର୍ଷର ହେଲା ବେଳକୁ, କାହାକୁ ଠକିବା ଯେ ଏକ ଗର୍ହିତ ଓ ନିନ୍ଦନୀୟ କାର୍ଯ୍ୟ, ସେକଥା ଆଉ ମୋଟେ ଅନୁଭବ କରିପାରୁ ନାହାନ୍ତି । ଚତୁର୍ଦ୍ଦିଗରେ ସମ୍ପୂର୍ଣ୍ଣ ହାଉଆଟା ଭିତରେ ଯେତେବେଳେ ଠକାମି ପ୍ରାୟ ଏକ ସାଧାରଣ କାର୍ଯ୍ୟରୂପେ ଚାଲିଛି, ଘରେ ବାହାରେ ଯେତେବେଳେ ପ୍ରାୟ ବୟସ୍କ ସମସ୍ତେ କେତେମନ୍ତେ କାହାକୁ ଠକୁଛନ୍ତି ଓ ସଫଳତା ଅର୍ଜନ କରୁଛନ୍ତି, ସେତେବେଳେ ଠକିବା ଆଉ ନିନ୍ଦନୀୟ ହୋଇ ରହିବ କାହିଁକି ? ସାଧୁ ହେବାକୁ ମନକଲେ ଯେ ବାସ୍ତବ ଜୀବନରେ ମଣିଷ ପଛରେ ପଡ଼ି ରହିବ ଓ ନିଜ ଜୀବନରେ ଆଦୌ କିଛିହେଲେ ହାସଲ କରିପାରିବ ନାହିଁ, ନାନାଭଳି ପ୍ରବର୍ତ୍ତନା ଓ ପ୍ରରୋଚନା ବଳରେ ଦୃଶ୍ୟ ଏବଂ ଅଦୃଶ୍ୟ ଉଭୟ ପ୍ରକାରେ ପିଲାକୁ ସେଠାରେ ସେହି କଥାଟିର ଇଙ୍ଗିତ ମିଳିଯାଉଛି । ଯିଏ ସାଧୁ ହେବାକୁ ମନ ଅଥବା ପ୍ରୟାସ କରୁଛି, ତାକୁ ତାର ବନ୍ଧୁମାନେ ଥଟ୍ଟା କରୁଛନ୍ତି, ଏବଂ ତା’ଠାରୁ ବୟସ ଏବଂ ଅକଲରେ ବଡ଼ ଅନ୍ୟମାନେ ତାକୁ ଗୋଟାସୁଦ୍ଧା ଅପଦାର୍ଥ ବୋଲି ମଣିବାରେ ଲାଗିଛନ୍ତି । ତେଣୁ, ବହିରେ ଯାହା ଲେଖା ହୋଇଥାଉ ପଛକେ, ଶିକ୍ଷକମାନେ ଯେତେ ଉତ୍ସାହରେ ଯାହା କହୁଥାନ୍ତୁ ପଛକେ, ଦଶ ବର୍ଷ ହେବା ବେଳକୁ ଗୋଟିଏ ପିଲାର ଯେତିକି ହେତୁ ହୋଇ ପାରିଛି, ସେ ସେତିକିରେ ହିଁ ଅତ୍ୟନ୍ତ ସ୍ପଷ୍ଟ ଭାବରେ ବୁଝି ପାରୁଛି ଯେ, ତାକୁ କୌଣସି ପ୍ରକାରେ ସଫଳ ହେବାକୁ ପଡ଼ିବ । ଏବଂ, ସାଧୁତା ଅସାଧୁତା ବିଷୟରେ ଚିନ୍ତାକରି କେଉଁଠି ଅଟକି ରହି ଗଲେ ସିଏ ଏହି ସଂସାରରେ ଆଦୌ ମଣିଷ ହୋଇ ପାରିବ ନାହିଁ ।

ଆମ ଭିତରେ ଗୋଟିଏ ଏଡ଼େବଡ଼ ଠକ ବସିଛି, ଯିଏକି ନିଜକୁ ଠକି ଠକି ଚାଲିଛି । ଚାରିଆଡ଼କୁ ଅନାଇ ଆମେ ହୁଏତ କେବଳ ଠକମାନଙ୍କୁ ଦେଖୁଛୁ (ଜଣେ ଠକ ଆଉ ଅଧିକ କ’ଣ ଦେଖିପାରନ୍ତା ?), ଯେଉଁମାନେ କି ସଂସାର ଭିତରେ ଯଥାସମ୍ଭବ ଅଧିକରୁ ଅଧିକ ଠକି ନେବାରେ ଲାଗିଛନ୍ତି । ଆମେ ସମସ୍ତେ ସଫଳ ହେବାରେ ଧାଇଁଛୁ । ଏଠି ସଫଳ ନହେଲେ ଏ ଘର ଆମକୁ ଆଉ ଘର ପରି ମୋଟେ ଲାଗୁ ନାହିଁ । ଅନ୍ୟମାନଙ୍କର ତୁଳନାରେ ଅଧିକ ସଫଳ ହେବୁ ବୋଲି ବା ଅନ୍ତତଃ ଅଧିକ ସଫଳ ହୋଇଥିବା ପରି ଦେଖାଯିବୁ ବୋଲି ଆମେ ପରସ୍ପରକୁ ଚିତା କାଟି ଅତିକ୍ରମ କରିଯାଇ ସତେଅବା ସବା ଆଗ ଯାଇ ଆଉ କୋଉଠି ପହଞ୍ଚିଯିବୁ ବୋଲି ପଣ କରି ବାହାରିଛୁ, ସେହି ଦୁଷ୍ଟ ପାଞ୍ଚଗୁଡ଼ାକ ଭିତରେ ନିଜ ଜୀବନଗୁଡ଼ାକୁ ବଞ୍ଚୁଛୁ । ଆମ ପିଲାମାନେ ଆମଠାରୁ ଆଉ ଅଧିକ କ’ଣ ଶିଖିବେ ? ସେମାନଙ୍କ ସକାଶେ ଆମେ ଅଧିକରୁ ଅଧିକ ଭଲ ବହି ଆଣି ଖଞ୍ଜି ଦେଉଛୁ । ସେମାନେ ଯେପରି ଗୋଟିଏ ଭଲ ପରିବେଶ ଭିତରେ ବଢ଼ିପାରିବେ, ସେଥିଲାଗି ଇସ୍କୁଲ ନାମକ ସ୍ଥାନଟିକୁ କେତେ ମନୋହର ଭାବରେ ତିଆରି କରିଛୁ । ଆମେ ପିଲାଦିନେ ପଢ଼ିଥିବା ବହିଗୁଡ଼ିକ ଆମକୁ ଯେତିକି ବଦଳାଇ ପାରିଲା, ଆମ ପିଲାଏ ବର୍ତ୍ତମାନ ପଢ଼ୁଥିବା ବହିସବୁ ସେମାନଙ୍କୁ ଆଦୌ ତା’ଠାରୁ ଅଧିକ ପରିମାଣରେ ବଦଳାଇ ପାରିବେ ନାହିଁ । ଆମର ଯାବତୀୟ ଅଭିନୟ ଆମ ପିଲାମାନଙ୍କୁ ମଧ୍ୟ ଅଧିକରୁ ଅଧିକ ଅଭିନୟକୁଶଳ ହେବା ପାଇଁ ଶିକ୍ଷା ଦେବ । ଆମେ ଯେପରି ଭିତରେ ବର୍ବର ଓ ବାହାରେ ବିନୟୀ ହୋଇ ରହିଛୁ ଓ ସଫଳତାମାନଙ୍କୁ ଭୋଗ କରିବାରେ ଲାଗିଛୁ, ଆମ ପିଲାଏ ନିୟମତଃ ଆମଠାରୁ ହୁଏତ ତାହାହିଁ ଶିଖିବେ । ସେମାନେ ଯାବତୀୟ ପ୍ରସୀମନ ଏବଂ ଯାବତୀୟ ପ୍ରରୋଚନା ସତ୍ତ୍ୱେ, ଆମର ଗାରଗୁଡ଼ାକୁ ଅତିକ୍ରମ କରି ଯେପରି ଆହୁରି ଆଗକୁ ଚାଲିଯାଇ ପାରିବେ, ସେମାନଙ୍କୁ ସେହି ଅନ୍ୟ ଓ ଅଭିନବ ଶିକ୍ଷାଟିକୁ କିଏ ଦେଇ ପାରିବ ?

ଆମର ଯେଉଁ ରୀତିରେ ଗତ କେତେ ପୁରୁଷ ଧରି ଆମ ସଂସାରଟି ଚାଲି ଆସିଛି, ଆମ ବିଦ୍ୟାଳୟମାନଙ୍କରେ ନାନା ଶୋଭନ ପରିପାଟୀ ସହିତ ତାହାରି ପୁନରାବୃତ୍ତି ହେବାର କପଟସମ୍ଭ୍ରମ ଲାଗି ରହିଥିବା ପର୍ଯ୍ୟନ୍ତ ଆମକୁ ନିମିତ୍ତ କରି ଆମ ପିଲାଙ୍କର ବିବେକକୁ କାଞ୍ଜିଆ କରି ଆମ ପୃଥିବୀ ଆହୁରି ବର୍ବର ହେବାରେ ଲାଗିଥିବ । ରୀତି ବଦଳାଇଲେ ଯାଇ ଅସଲ ଭବିଷ୍ୟଟି ନିମନ୍ତେ ସେହି ଅନ୍ୟ ବାଟଟି ଖୋଲିଯାଇ ପାରିବ । ଆମେ, ବିଦ୍ୟାଳୟକୁ ଚଳାଉଥିବା ସମସ୍ତେ ରାଜି ହେଲେ ଯାଇ ତାହା ସମ୍ଭବ ହେବ । ଅର୍ଥାତ୍, ଆମେ କାନ୍ଧ ପତାଇ ଦେବା, ଆମ ପିଲାମାନେ ତାହାରି ଉପରେ ଗୋଡ଼ଭରା ଦେଇ ଆମଠାରୁ ଆହୁରି ଆଗକୁ ଚାଲିଯିବେ; ଏକ ଅନ୍ୟ ରୀତି, ଅନ୍ୟ ସମ୍ବନ୍ଧ ଓ ଅନ୍ୟ ଆତ୍ମୀୟତାର ଆବିଷ୍କାର କରି ପାରିବେ । ଆମ ଦ୍ଵାରା କ’ଣ ପ୍ରକୃତରେ ଏତେବେଶୀ ସମ୍ଭବ ହେବ ? ଅର୍ଥାତ୍ ଆହୁରି ଅଧିକ ସମୀଚୀନ ଭାବରେ କହିଲେ, ଆମେ କ’ଣ ଏତେ ଅଧିକ ଲାଗି ପ୍ରକୃତରେ ରାଜି ହେବା ? ଏତେଯାଏ ରାଜି ହେବା ଲାଗି ଅସଲ ନାଡ଼ୀ ଓ ଅସଲ ଗ୍ରନ୍ଥିଗୁଡ଼ିକରେ ଆମ ଜୀବନର ପ୍ରୟୋଗପଥଟିରେ ଯେତିକି ବିଶ୍ଵାସ ଆମକୁ ପରିଚାଳିତ କରିନେଇ ପାରିବ, ଆମେ କ’ଣ ସତକୁ ସତ ସେତିକି ବିଶ୍ଵାସର ଯୋଗ୍ୟ ହୋଇ ପାରିବା ? ମାତ୍ର, ଗୋଟିଏ କଥା ଅବଶ୍ୟ ସତ ଯେ, ଆମ ପିଲାମାନଙ୍କୁ ଆମେ ଆମ ମଡ଼େଲ ଓ ଆମ ସୀମାଗୁଡ଼ିକର ବୋଲ ଅନୁସାରେ ତିଆରି କରିବାରେ ଲାଗିଥିବା ପର୍ଯ୍ୟନ୍ତ ସେହି ଦିଗରେ ପ୍ରାୟ କିଛିହେଲେ କରି ପାରିବା ନାହିଁ । ଆମେ ଯାହା ହୋଇ ନପାରିଲୁ, ଯଦି ଆମେ ସେମାନଙ୍କୁ ସେଇଆ ହେବା ଲାଗି ବାଟ ଛାଡ଼ିଦେବା, ଆମର ଜ୍ଞାତଗୁଡ଼ିକର ସମସ୍ତ ଦ୍ଵାର ଖୋଲିଦେଇ ସେମାନଙ୍କୁ ଯଦି ଆମେ ଇପ୍ସିତ ଅନବଜ୍ଞାତଗୁଡ଼ିକର ପ୍ରେରଣା ଦେଇ ପାରିବା, ତେବେ ଯାଇ ହେବ-। ତେବେ ଯାଇ କାଳ ହଟିବ ।

 

ମାର୍ଚ୍ଚ, ୧୯୮୬

Image

 

Unknown

ଆମ ନିର୍ଭରର ଅସଲ ସ୍ଥାନ

 

ଯେଉଁମାନେ ଏହି ସଂସାରରେ କୌଣସି ବ୍ୟକ୍ତିଗତ ସିଦ୍ଧି ନିମନ୍ତେ ବାଟ ଚାଲୁଥାନ୍ତି, ସେମାନେ ବାଟ ଉପରେ ଅଧିକାଂଶ ସମୟରେ କେବଳ ନିଜକୁ ହିଁ ଦେଖନ୍ତି । ଏହିପରି ବାଟ ଚାଲିବାକୁ ସେମାନେ ବେଳେବେଳେ ଏକ ତପସ୍ୟା ବୋଲି କହନ୍ତି । କେତେ କଷ୍ଟ ସହନ୍ତି; ପ୍ରତିକୂଳ ନାନା ପରିସ୍ଥିତି ସହିତ କେତେ ନା କେତେ ଲଢ଼ିବାରେ ଲାଗିଥାନ୍ତି । ଏହି ଯାତ୍ରାରେ ଯିଏ ସେମାନଙ୍କୁ ଆଗକୁ ବାଟ ଦେଖାଇ ନେଇ ଯାଉଥାଏ, ସେମାନେ ପାରମ୍ପରିକ ଭାବରେ ତାହାକୁ ଭଗବାନ ବୋଲି ବି କହିଥାନ୍ତି । ଆପଣାର ସିଦ୍ଧି ନିମନ୍ତେ ସେମାନେ ସେହି ଭଗବାନଙ୍କୁ ଲୋଡ଼ନ୍ତି, ତାଙ୍କୁ ପ୍ରସନ୍ନ କରିବା ପାଇଁ ନାନା ଆୟୋଜନ କରନ୍ତି । ଏହିସବୁ ଆୟୋଜନ ଅତି ନିଖୁଣ ଭାବରେ ହୁଏ, ବିଧି ଅନୁସାରେ ହୁଏ । କାଳେ କିଏ ସେହି ବିଧିଗୁଡ଼ାକରୁ ବିଚ୍ୟୁତ ହୋଇଯିବ, ସେଥିଲାଗି ସେଗୁଡ଼ିକୁ ଶାସ୍ତ୍ରମାନଙ୍କରେ ଲେଖି ଦିଆଯାଇଥାଏ । ବିଧିମାନେ ଠିକ୍ ଥିବା ପର୍ଯ୍ୟନ୍ତ ସବୁକିଛି ଅବଶ୍ୟ ଠିକ୍ ରହିଛି ବୋଲି ପୂର୍ଣ୍ଣ ପ୍ରତ୍ୟୟ ମିଳି ଯାଉଥାଏ ।

 

ଆମେ ଯେତେବେଳେ ଓଡ଼ିଶାରେ ପ୍ରଥମ କରି ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରଟିଏ ଆରମ୍ଭ କଲୁ, ସେତେବେଳେ ପ୍ରାୟ ଏହିପରି ଏକ ଏକୁଟିଆ ତପସ୍ୟା ରୂପେ ତାହାକୁ ଆରମ୍ଭ କରିଥିଲୁ । ପାଠଚକ୍ରର ଅଭ୍ୟସ୍ତ ପରିଧିଟି ଆମକୁ ଭାରି ସାନ ପରି ବୋଧ ହେଲା । ଆମେ ଅଧିକ କିଛି କରିବାକୁ ଇଚ୍ଛା କଲୁ । ନୂତନ ବିଦ୍ୟାଳୟଟିଏ ଆରମ୍ଭ କରିବାର ସଂକଳ୍ପ ଗ୍ରହଣ କଲୁ । ଆମର ଇସ୍କୁଲ ଆମ ସମ୍ମୁଖରେ ମୂଳତଃ ଗୋଟିଏ ମଡ଼େଲ୍ ହୋଇ ରହିଥିଲା । ସେହି ମଡ଼େଲ୍‌ଟିକୁ ନେଇ ଆମର କଳ୍ପନା ଓ ଭାବନା ଆମକୁ ଯେତେ ଦୂରଯାଏ ଦଉଡ଼ାଇ ନେଇ ପାରୁଥିଲା, ଆମେ ମଡ଼େଲ୍‌ଟିକୁ ଏକ ମୂର୍ତ୍ତରୂପ ଦେବାର ବାସନା ପୋଷଣ କରି ଓ ସେତିକି ଦୂରଯାଏ ଆପଣାର ବୁଦ୍ଧି ଖଟାଇ ଏଇଟା ବା ସେଇଟା କରିବାରେ ଲାଗିଥିଲୁ । ଆମ ଭିତରେ ନିଷ୍ଠା ପୂର୍ଣ୍ଣହୋଇ ରହିଥିଲା । ତେଣୁ ଆମେ ଯାହା ଯେପରି ଭାବରେ କରୁଥିଲେ ମଧ୍ୟ ତଥାପି ଉଚିତ ବାଟରେ ରହିଛୁ ବୋଲି ଅନୁଭବ ମଧ୍ୟ କରି ପାରୁଥିଲୁ ।

 

କ୍ରମେ ଗୋଟିଏ ଇସ୍କୁଲ ଦୁଇଟି ହେଲା, ଦୁଇଟିରୁ ଆଠୋଟି ଓ ଆଠୋଟିରୁ ଏକୋଇଶିଟି ହେଲା ! ସଂଖ୍ୟା ବଢ଼ି ବଢ଼ି ବର୍ତ୍ତମାନ ଷାଠିଏ ସରିକି ହେଲାଣି । ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବ । ପୂର୍ଣ୍ଣାଙ୍ଗ ଶିକ୍ଷାକୁ ନେଇ ଆମର ଉଦ୍ୟମଟି ଯେତେବେଳେ ଏକରୁ ଏକାଧିକ ସ୍ଥାନକୁ ପ୍ରସାରିତ ହୋଇଗଲା, ସେତେବେଳେ ଆମେ ପରସ୍ପର ଆଡ଼କୁ ଅନାଇ ଦେଖିବାର ଅବସର ପାଇଲୁ, ନିଜକୁ ଅନ୍ୟମାନଙ୍କ ସହିତ ତୁଳନା କଲୁ; ଅନେକ ସମୟରେ ଅନ୍ୟମାନଙ୍କ ପରି ହେବାକୁ ଅର୍ଥାତ୍ ଦିଶିବାକୁ ଚେଷ୍ଟା ମଧ୍ୟ କଲୁ । ଏହିପରି ଭାବରେ ଆମେ ପରସ୍ପରର ପରିଚୟରେ ଆସିଲୁ,–ପରସ୍ପର ପାଖରେ ଆମର ବିଦ୍ୟାଳୟଗୁଡ଼ିକ ସତେଅବା ଗୋଟିଏ ଗୋଟିଏ ମଡ଼େଲ୍ ପରି ଅନୁଭୂତ ହେବାକୁ ଲାଗିଲା । ପାଠଚକ୍ରର ପର୍ଯ୍ୟାୟରେ ଆମର ପରସ୍ପର ସହିତ ଏକ ସମ୍ବନ୍ଧ ଅବଶ୍ୟ ରହିଥିଲା ସତ, ମାତ୍ର ତାହା ତଥାପି ଅନ୍ୟ ପ୍ରକାରର ଥିଲା । ବେଳେବେଳେ ଓଡ଼ିଶାର ବିଶେଷ ସ୍ଥାନମାନଙ୍କରେ ବାର୍ଷିକ ସମ୍ମିଳନୀମାନ ବସୁଥିଲା, ସେଥିରେ ବକ୍ତୃତା ଦେବା ଲାଗି ବିଶେଷ ବ୍ୟକ୍ତିମାନେ ଡକାହୋଇ ଆସୁଥିଲେ । ଆମେ ବକ୍ତୃତା ଶୁଣି ଯାଉଥିଲୁ; କାହାର ପାଠଚକ୍ର କିପରି ଚାଲିଛି, ପ୍ରସଙ୍ଗକ୍ରମେ ତାହାର ଖବର ମଧ୍ୟ ପାଇ ଯାଉଥିଲୁ । ସମ୍ମିଳନୀ ପରେ ପୁନର୍ବାର ନିଜର ପାଠଚକ୍ରକୁ ଫେରି ଆସୁଥିଲୁ । ପୁଣି କେଉଁଠାରେ ସମ୍ମିଳନୀରେ ଯୋଗ ଦେବାର ସୁଯୋଗ ଆସି ପହଞ୍ଚିବା ପର୍ଯ୍ୟନ୍ତ ଆମେ ପ୍ରଧାନତଃ ଆମର ଯାବତୀୟ ଆଗ୍ରହ ଓ ଆଚରଣକୁ ପାଠଚକ୍ର ଭିତରେ ହିଁ ସୀମିତ ରଖୁଥିଲୁ । ଆମର ସନ୍ତକଗୁଡ଼ିକ ଏକା ହୋଇ ରହିଥିଲେ ମଧ୍ୟ ଆମର ନିଷ୍ଠା ଏବଂ ଆଚରଣ ପ୍ରାୟ ଏକାକୀ ହୋଇ ରହିଥିଲା ।

 

ନୂତନ ବିଦ୍ୟାଳୟଗୁଡ଼ିକକୁ ସ୍ଥାପିତ ହେବା ଆରମ୍ଭ ହେବା ପରେ ଆମ ସମସ୍ତଙ୍କ ସକାଶେ ଏକ ସାଧାରଣ ପାଠ୍ୟକ୍ରମ ପ୍ରସ୍ତୁତ କରାଗଲା । ଆମେ ସମସ୍ତେ ସମଗ୍ରତଃ ଗୋଟିଏ କାର୍ଯ୍ୟକ୍ରମର ଅନୁସରଣ କରିବୁ ବୋଲି ପରସ୍ପର ପାଖରେ ପ୍ରତିଜ୍ଞାବଦ୍ଧ ହେଲୁ । କେତେଦୂର ପ୍ରକୃତରେ ପାରିଲୁ ବା ନପାରିଲୁ, ତାହା ଅବଶ୍ୟ ଭିନ୍ନ କଥା । ତଥାପି, ସମସ୍ତେ ସତେଅବା ଗୋଟିଏ ଗୁଳାକୁ ସ୍ଵୀକାର କରି ନେଇଥିବା ପରି ଆମେ ପରସ୍ପରକୁ କ୍ରମେ ପରସ୍ପରର ଅତ୍ୟନ୍ତ ନିକଟବର୍ତ୍ତୀ ହୋଇ ବାଟ ଚାଲୁଥିବା ପରି ଅନୁଭବ କରିବାକୁ ଆରମ୍ଭ କଲୁ । ଅସଲ ମନ୍ଦିରର ଚୂଡ଼ାଟି ସତେଅବା ଦୃଷ୍ଟିଗୋଚର ହୋଇ ଯାଉଥିବା ପରି ଅନୁଭୂତ ହେବାକୁ ଆରମ୍ଭ କଲା । ତାହାରି ଦର୍ଶନ ଆମକୁ ସତେଅବା ଗୋଟିଏ ପାହାଚ ଉପର ଆଡ଼କୁ ଉଠାଇନେଲା । ଆମର ଉଦ୍ୟମ ତା’ପରେ ଏକ ନୂତନ ପ୍ରସ୍ଥକୁ ସ୍ପର୍ଶ କଲା । ଆମର ବିଦ୍ୟାଳୟଗୁଡ଼ିକ ଗୋଟିଏ ଗୋଟିଏ ମଡ଼େଲଠାରୁ ପ୍ରକୃତରେ ଅନେକ ବେଶୀ, ଏଗୁଡ଼ିକ ହେଉଛନ୍ତି ସମ୍ପୂର୍ଣ୍ଣ ଭାବରେ ଏକ ଅନ୍ୟ ସମ୍ଭାବନାର ପ୍ରତୀକ,—ପରସ୍ପରର ପାଖକୁ ଆସି ଆମେ ଅଧିକରୁ ଅଧିକ ପରିମାଣରେ ସେହି ସତ୍ୟଟିକୁ ଅନୁଭବ କରିବାକୁ ଲାଗିଲୁ । ଆମେ ପ୍ରତ୍ୟେକେ ନିଜର ବିଦ୍ୟାଳୟଟିକୁ ଏକ ବୃହତ୍ ଏବଂ ମୂଳଭୂତ ଆନ୍ଦୋଳନର ପ୍ରତୀକରୂପେ ଦେଖିବାକୁ ଆରମ୍ଭକଲୁ, ନିଜକୁ ମଧ୍ୟ ସେହି ଆନ୍ଦୋଳନର ଗୋଟିଏ ଗୋଟିଏ ନିମିତ୍ତରୂପେ ଅନୁଭବ କଲୁ । ଏହି ତପସ୍ୟା କେବଳ ମୋ’ରି ତପସ୍ୟା ନୁହେଁ, ଏହା ଏକ ପରବର୍ତ୍ତୀ ଅବଶ୍ୟମ୍ଭାବୀ ଭବିଷ୍ୟତ ଲାଗି ସମ୍ମତ ମନୁଷ୍ୟମାନଙ୍କର ଏକ ସମ୍ମିଳିତ ତପସ୍ୟା, ଏହିପରି ଉପଲବ୍ଧ ହେବାକୁ ଆରମ୍ଭ କଲା । ଆମ ସମସ୍ତଙ୍କୁ ଅତ୍ୟନ୍ତ ଦୃଶ୍ୟ ଭାବରେ ସତେଅବା ଏକ ବିଧିନିର୍ଦ୍ଦେଶିତ ଉଦ୍ୟମ ଏକତ୍ର ବାନ୍ଧି ରଖିଛି ବୋଲି ଅନୁଭବ ହେଲା । ନିଜର ଭିତରେ ମଧ୍ୟ ଆମେ ସତେଅବା ଗୋଟିଏ ପାହାଚ ଉପରକୁ ଉଠିଗଲୁ ।

 

ଏହିପରି ଅନ୍ୟଏକ ସମ୍ବନ୍ଧ ତଥା ଉଦ୍ୟମର ପ୍ରସ୍ଥକୁ ଉଠି ଆମେ ଶ୍ରୀଅରବିନ୍ଦ ଏବଂ ମାଆଙ୍କୁ ମଧ୍ୟ ସତେଅବା ଏକ ସଦ୍ୟ-ଆବିଷ୍କୃତ ସମଗ୍ରତରତାର ପ୍ରସ୍ଥତଳରେ ଖୋଜିବାକୁ ଆରମ୍ଭ କଲୁ । ଆମର ଏହି ମନୁଷ୍ୟସମାଜର ଯୁଗଚକ୍ରଟିକୁ ସିଏ ଯେପରି ଭାବରେ ବିଶ୍ଳେଷଣ କରିଛନ୍ତି ଓ ଏକ ଆଧ୍ୟାତ୍ମିକ ଚେତନା ତଥା ଆତ୍ମିକ ସମ୍ବନ୍ଧକୁ ମୂଳ ମୀମାଂସକରୂପେ ଗ୍ରହଣ କରି ଅବଶ୍ୟ ଏକ ଅନ୍ୟ ପ୍ରକାରର ସମାଜ ସମ୍ଭବ ହୋଇ ପାରିବ ବୋଲି ଯେଉଁ ଘୋଷଣା କରିଛନ୍ତି, ଆମେ ମଧ୍ୟ କ୍ରମେ ସେହି ଆହ୍ଵାନକୁ ଶୁଣିବାକୁ ଆରମ୍ଭ କଲୁ । ସେହି ଅନ୍ୟ ସମ୍ଭାବନାଟି ଆଡ଼କୁ ଅଗ୍ରସର ହେବାରେ ଆମର ନୂତନ ବିଦ୍ୟାଳୟଗୁଡ଼ିକୁ ଆମେ ଗୋଟିଏ ଗୋଟିଏ ପ୍ରୟୋଗଶାଳାରୂପେ ଗ୍ରହଣ ମଧ୍ୟ କଲୁ । ଆମର ବିଦ୍ୟାଳୟ ଆଉ ତେଣିକି ଆମର କୌଣସି ଏକକ ତପସ୍ୟା ଅଥବା ଏକକ ସିଦ୍ଧିଲାଭର ମଡ଼େଲ୍ ହୋଇ ରହିଲା ନାହିଁ । ତାହା ଏକ ମୂଳଭୂତ ସମଗ୍ର ଆନ୍ଦୋଳନର ଅଙ୍ଗରୂପେ ଅନୁଭୂତ ହେଲା । ସେହି ଅନୁଭୂତି ଏକ ଅନ୍ୟ ସାହସ ଆଣିଦେଲା,—ଭିତରେ ସତେଅବା ଅଜସ୍ର ବଳର ଉନ୍ମେଷଣ ଘଟିଲା । ଆପଣାକୁ ସମ୍ମତ କରାଇ ସମ୍ମିଳିତ କରାଇ ପାରିଲେ ନିଜ ଭିତରେ ଯେଉଁ ବିଶ୍ଵାସ ବାଟ ଦେଖାଇ ନେଇଯାଏ, ଏହି ବଳ ସେହି ବିଶ୍ଵାସରୁ ହିଁ ଆସିଲା ।

 

ଠିକ୍ ଏତିକିବେଳେ ଆମ ବାଟରେ ସରକାର ଆସି ହାବୁଡ଼ିଲେ । ଆମର ଉଦ୍ୟମରେ ସିଏ ସହାନୁଭୂତି ପ୍ରକାଶ କଲେ । ସେମାନଙ୍କର ଅନୁରୁକ୍ତି ଏବଂ ଆନୁଗତ୍ୟର ଅସଲ ସୂତାଗୁଡ଼ାକ ଯେତେ ଅସ୍ଵାଭାବିକ ଏବଂ ଅସଙ୍ଗତିମୟ ଭାବରେ ଯେଉଁଠି ଗୁରାଇ ତୁରାଇ ହୋଇ ରହିଥାଉ ପଛକେ, ସେଠାରେ ବସିଥିବା କର୍ତ୍ତାମାନେ ଆମକୁ ସାହାଯ୍ୟ କରିବାକୁ ପ୍ରତିଶ୍ରୁତି ଦେଲେ । ଆମର ମଧ୍ୟ ସାହାଯ୍ୟ ଆବଶ୍ୟକ ଥିଲା, ତେଣୁ ସାହାଯ୍ୟ ଗ୍ରହଣ କରିବାରେ ଆଦୌ କୌଣସି ଅପ୍ରାସଙ୍ଗିକତା ନଥିଲା । ସରକାର ତାଙ୍କ ନିଜ ବହି ଓ ଖାତା ଅନୁସାରେ ଆମର ସୁମାରି କଲେ ଓ ଆମକୁ ଅଙ୍କ କଷି ସାହାଯ୍ୟ କଲେ । ସେହି ସାହାଯ୍ୟ ଆମକୁ ସତେଅବା ଅଭାବରେ ଭାବ ପରି ଲାଗିଲା । ଯେତେବେଳେ ଆମେ ନିଜ ଉପରେ ସମ୍ପୂର୍ଣ୍ଣ ନିର୍ଭର କରି ଯେତେ ଅଳପ ହେଉ ପଛକେ, ତଥାପି ଆଗକୁ ପାଦ ପକାଉଥିଲୁ ଓ ବାଟ ଚାଲୁଥିଲୁ, ସେତେବେଳର ତୁଳନାରେ ଆମର ବାହ୍ୟ ଅସହାୟତା କିଞ୍ଚିତ୍ କମିଗଲା ପରି ମନେହେଲା ସତ, ମାତ୍ର କ୍ରମେ ସେହି ସାହାଯ୍ୟ ଉପରେ ହିଁ ଆମର ନିର୍ଭରଶୀଳତା ବଢ଼ିଲା । ସେହି ସାହାଯ୍ୟ ମିଳୁ ନଥିଲେ ହୁଏତ ଆମେ ମୋଟେ ଆଗେଇ ପାରନ୍ତୁ ନାହିଁ, ସେହି ସାହାଯ୍ୟ-ମମତା ଆମ ମନରେ ବେଳେବେଳେ ଏପରି ଏକ ପ୍ରତ୍ୟୟ ଦେବାକୁ ବେଶ୍ ଚେଷ୍ଟା ମଧ୍ୟ କଲା । ଅନେକ ସମୟରେ, ଯେଉଁଠାରେ ଆମେ ନୂଆ ଇସ୍କୁଲଟିଏ ଗଢ଼ିବାକୁ ବାହାରିଲୁ, ସେଠାରେ ସବାଆଗ ସରକାରୀ ସାହାଯ୍ୟ ଉପରେ ହିଁ ଆମ ନଜରକୁ ନିଠ କରି ରଖି ଆମେ ଆମର ଅଟକଳଗୁଡ଼ାକୁ କଲୁ । ସାହାଯ୍ୟଟା ଯଥାସମ୍ଭବ ଅଧିକ ସୁରୁଖୁରୁରେ ଯେପରି ଆସି ପାରିବ, ସେଥିଲାଗି ଆପଣାର ବିବେକକୁ ନାନାପ୍ରକାରେ ବାଆଁରେଇ ଆମେ ସରକାର ଆମକୁ ଯେପରି ଦେଖିଲେ ହୁଏତ ଅଧିକ ପସନ୍ଦ କରିବେ, ଆମେ କ୍ରମେ ସେହିପରି ଦେଖାଯିବା ନିମନ୍ତେ କିଞ୍ଚିତ୍ ଚେଷ୍ଟା ମଧ୍ୟ କଲୁ । ତାଙ୍କରି ଫରମାସ ଅନୁସାରେ ତାଙ୍କ କାଗଜଗୁଡ଼ାକୁ ପୂରଣ କଲୁ, ତାଙ୍କରି ମନ ବୁଝିବା ମୁତାବକ କାଗଜଗୁଡ଼ାକର ଭରଣା ମଧ୍ୟ କଲୁ । ହୁଏତ ବେଳେବେଳେ ସେମାନଙ୍କୁ ଅସଲ ବାବୁ ବୋଲି ମାନିଲୁ; ସେମାନଙ୍କର ପାଦ ଆମ ଇସ୍କୁଲ ଭିତରକୁ ପଡ଼ିଲେ ଆମର ନିଅଣ୍ଟିଆ ଧନ୍ଦାଗୁଡ଼ିକ ହୁଏତ ଅଧିକ ସହଜରେ ସଳଖ ହୋଇଯିବ ବୋଲି ବିଶ୍ଵାସ କରି ଆମର ବିଶେଷ କାର୍ଯ୍ୟକ୍ରମମାନଙ୍କରେ ଆମେ ଭାରି ଶ୍ରଦ୍ଧାର ସହିତ ସେହିମାନଙ୍କୁ ଲୋଡ଼ି ବାହାରିଲୁ ।

 

ଏହାର ପରିଣତି ସ୍ଵରୂପ ଆମର ଉଦ୍ୟମ ଏବଂ ଉତ୍ସାହମାନଙ୍କର ଚେହେରା ମଧ୍ୟ କ୍ରମେ ଭିନ୍ନ ଦେଖାଯିବାକୁ ଆରମ୍ଭ କଲା । ଆମ ଭିତରୁ ଯେଉଁମାନେ ସରକାରୀ ଯୋଗସୂତ୍ରଗୁଡ଼ିକୁ ବଜାୟ ରଖିବାର ବିଶେଷ ଦାୟିତ୍ଵଟିକୁ ତୁଲାଇବାରେ ବିଶେଷ ଯୋଗ୍ୟତା ଦେଖାଇଲେ, ଆମ ଭିତରେ ସତେଅବା ସେହିମାନେ ହିଁ ଅଧିକ ମହତ୍ତ୍ଵପୂର୍ଣ୍ଣ ବୋଲି ଦେଖାଯିବାକୁ ଲାଗିଲେ । ସେମାନେ ଆମ ଭିତରେ ମାମଲତକାର ପରି ଦିଶିଲେ । ଅସଲ କାମ ସେହିମାନେ କରୁଛନ୍ତି ବୋଲି ପ୍ରତୀତ ହେଲେ । ଏହିପରି ଭାବରେ ଆମ ପଙ୍ଗତ ଭିତରକୁ ଏପରି ଦଳେ ମ୍ୟାନେଜର ବା କାରପଟଦାର ଗୋଷ୍ଠୀର ବ୍ୟକ୍ତିମାନେ ପଶି ମଧ୍ୟ ଆସିଲେ, ଯେଉଁମାନଙ୍କର ନିଷ୍ଠାର ନାଡ଼ ଆମର ନିଜ ଘରେ ନରହି ଅଧିକତର ପରିମାଣରେ ସରକାରୀ ଉଚ୍ଚ ଓ ଅତ୍ୟୁଚ୍ଚ ଗୋଦାମମାନଙ୍କରେ ଯାଇ ରହିଲା । ଅମୁକ ଆଳୟରେ ଅମୁକ ଅମାତ୍ୟ କିମ୍ବା ଅଧିକାରୀଙ୍କୁ ଧରି ପାରିଲେ ଆମର ଅଟକିଥିବା କାମଗୁଡ଼ିକ ହୁଏତ ଠିକ୍ ହୋଇଯିବ ବା ବନିଯିବ ବୋଲି ଏହି ବିଶେଷ କୁଶଳ ଅଗ୍ରଗାମୀମାନେ ଆମକୁ ଏକ ବିଶ୍ଵାସ ଆଣି ଦେଉଥିବା ପରି ମନେ ହେଲେ । ସେହିମାନଙ୍କର ଭୁଲାରେ ପଡ଼ି, ବିଦ୍ୟାଳୟରେ ଆମର ଅସଲ ଆହ୍ନିକଗୁଡ଼ାକ ମଧ୍ୟ ବଦଳିଗଲା । ସିଲାବସ୍ ବୋଲି ଖାତାରେ ଓ ବହିରେ ଯାହା ଦେଖାଇଥିଲେ ମଧ୍ୟ ସତକୁ ସତ ଆମେ ସରକାରୀ ପରୀକ୍ଷାଘରର ପିଆଦାମାନଙ୍କର ବୋଲ ଅନୁସାରେ ଆମ ପଦ୍ଧତିଗୁଡ଼ାକୁ ବଦଳାଇ ଦେବାକୁ ହୁଏତ ଆଉ କୁଣ୍ଠାବୋଧ କଲୁ ନାହିଁ । ହୁଏତ ପାଞ୍ଚ ବର୍ଷ କି ସାତ ବର୍ଷ ପରେ ଆମ ପିଲାଏ କୌଣସି ସରକାରୀ ପରୀକ୍ଷାରେ ବସିବେ ବୋଲି ଆମେ ସେମାନଙ୍କୁ ମୂଳରୁ ହିଁ ସେହି ଅନୁସାରେ ମଣ କରିବାକୁ ଆରମ୍ଭ କରିଦେଲୁ । ଆମଠାରୁ ପୂର୍ଣ୍ଣ ଅନୁମୋଦନ ପାଇଥିବା ପରି ଆମର ଶିକ୍ଷକମାନେ ମଧ୍ୟ ଅଧିକ ପଇସା ନେଇ ପିଲାମାନଙ୍କୁ ରାତିଦିନ ପାଠ ପଢ଼ାଇ ବାହାରିଲେ, ଚାହାଳୀମାନ ବସାଇଲେ-। ଯାହା ଏକଦା ଫୁଲ ବଗିଚା ପରି ଦେଖା ଯାଉଥିଲା, ଫୁଟା ଫୁଲର ପ୍ରେରଣା ଦେଉଥିଲା, ତାହା ସତେଅବା କମାରଶାଳ ପରି ଦେଖାଗଲା । ଆମେ ଅବାକ୍ ହୋଇ ଆପଣାକୁ ଅନାଇବାରେ ଲାଗିଲୁ, ଆପଣାର ଅସଲ ଅକ୍ତିଆର ଭିତରୁ ଖସି ବାହାରକୁ ଚାଲି ଯାଉଥିବା ପରି ଅନୁଭବ କଲୁ-

 

ଯାହା ଉପରେ ପ୍ରକୃତରେ ନିର୍ଭର କରିବା କଥା, ତାହାକୁ ଗୌଣ କରି ପକାଇ ସରକାରଙ୍କ ଉପରେ ନିର୍ଭର କରିବାରେ ହିଁ ଅଧିକତର ଶକ୍ତି ଓ ଅଧିକତର ସମୟ ଖର୍ଚ୍ଚ କରିବା, ଆମ ଅଣଅକ୍ତିଆର ହୋଇପଡ଼ିବା ପଛରେ ସମ୍ଭବତଃ ତାହାକୁ ହିଁ ସର୍ବପ୍ରଧାନ କାରଣ ବୋଲି କୁହାଯିବ । ଆମେ ଆମ ବାଟରେ ରହିବାକୁ ହିଁ ସବୁଠାରୁ ଅଧିକ ଶକ୍ତି ଓ ସବୁଠାରୁ ଅଧିକ ସମୟ ଦେଇ ପାରୁଥିବା ପର୍ଯ୍ୟନ୍ତ ଆମେ କଦାପି ଅଣଅକ୍ତିଆର ହୋଇ ପଡ଼ିବାର ଦୁର୍ଦ୍ଦଶା ମଧ୍ୟରେ ଲଟର ପଟର ହେବାକୁ ମନ କରନ୍ତେ ନାହିଁ । ଆମର ଅସଲ ନିର୍ଭର ଆମ ନିଜ ପାଖରେ, ଆମର ସଂକଳ୍ପରେ, ଆମ ପରସ୍ପର ପାଖରେ । ଯେଉଁ ଉଦ୍ୟମଟି ଆମକୁ ସତେଅବା ନିୟତି ଦ୍ଵାରା ନିର୍ଦିଷ୍ଟ ହୋଇଥିବା ପରି ପରସ୍ପର ସହିତ ଆଣି ଭେଟ କରାଇଛି, ସେହି ଉଦ୍ୟମଟି ଉପରେ ହିଁ ଆମର ସବୁଠାରୁ ଅଧିକ ଶ୍ରଦ୍ଧା ରହିପାରୁଥିବା ଉଚିତ । ଅଧିକ ଶୀଘ୍ର କୌଣସି ସଫଳତା ହୁଏତ ମିଳିବାର ଲୋଭରେ ପଡ଼ି, ଆମେ ଯଦି ନାନାଭାବେ ଆମ ପାରସ୍ପରିକତାର ଅସଲ କେନ୍ଦ୍ରଟିରୁ ବିଚ୍ୟୁତ ହୋଇଯିବା, ତେବେ ହୁଏତ ନାନା ଅନ୍ୟ ସଫଳତା ଆମକୁ ଅବଶ୍ୟ ମିଳିବ ସତ, ମାତ୍ର ତାହା ସହିତ ବାହାରର ଅନ୍ୟ ଗୁଳାଗୁଡ଼ିକ ଆସି ଆମର ଧ୍ୟାନପଥଟିକୁ ସମ୍ପୂର୍ଣ୍ଣ ଭାବରେ ଗ୍ରାସ କରି ପକାଇବେ । ଗୋଟିଏ ଗୋଟିଏ ମଡେଲରୂପେ ଆମର ଇସ୍କୁଲକୁ ତିଆରି କରିବାରେ ଲାଗିଥିବା ପର୍ଯ୍ୟନ୍ତ ଆମେ ହୁଏତ ଏକୁଟିଆ ହୋଇ ଯେକୌଣସି ପ୍ରକାରେ ଅଧିକରୁ ଅଧିକ ହୋଇ ଦିଶିବାକୁ ନାନା କୁଶଳ ତଥା ଅକୁଶଳ ଉଦ୍ୟମମାନ କରିବାରେ ଲାଗିଥିବା । ଅଧିକ ପାରଙ୍ଗମ ଓ ଅଧିକ ସମର୍ଥ ବୋଲି ଦିଶିବାକୁ ଆମେ ଆମର ନିଜ ଇସ୍କୁଲଗୁଡ଼ିକୁ ନାନା ଆବଶ୍ୟକ ଓ ଅନାବଶ୍ୟକ ମଣ୍ଡଣିମାନଙ୍କ ଦ୍ଵାରା ମଣ୍ଡାଇବାରେ ଲାଗିଥିବା । ମାତ୍ର, ଯଦି ସତକୁ ସତ ଆମେ ନିଜର ଏହି ଇସ୍କୁଲ୍‌ଗୁଡ଼ିକୁ ଏକ ଅବଶ୍ୟମ୍ଭାବୀ ଆନ୍ଦୋଳନର ଅଙ୍ଗରୂପେ ଅନୁଭବ କରିବାକୁ ଶିକ୍ଷା କରିବା, ତେବେ ଆମର ସଂସ୍କାର ଓ ସ୍ଵଭାବଗୁଡ଼ିକ ମଧ୍ୟ ଏକାବେଳେକେ ଅନ୍ୟପ୍ରକାର ହୋଇଯିବ । ତା’ହେଲେ ପାରସ୍ପରିକତା ହିଁ ଆମର ସବୁଠାରୁ ବଡ଼ ନିର୍ଭରସ୍ଥାନ ହୋଇ ରହିବ । ଆମେ ପରସ୍ପରର ପରିପୂରକ ହୋଇ ବାଟ ଚାଲିବା । ପରସ୍ପର ଲାଗି ଅପେକ୍ଷା ରଖିବା, ପରସ୍ପରକୁ ପଛରେ ପକାଇ ଦେଇ ଆଗ ଆଗକୁ ବାହାରିଯିବା ଲାଗି ଆଦୌ ମନ କରିବା ନାହିଁ । ତେବେ ଆମେ ନିଜର ଅନ୍ତର ଭିତରେ ପରସ୍ପରକୁ ଆହୁରି ଅଧିକ ଥାନ ଦେଇ ଶିଖିବା । ଅନ୍ୟମାନଙ୍କର ପାଟିକୁ ବନ୍ଦ ରଖି ନିଜେ ସମସ୍ତଙ୍କ ଅପେକ୍ଷା ଅଧିକ କଥା କହିବାରେ ମୋତେ ସରାଗ ଦେଖାଇବା ନାହିଁ । ଯେଉଁମାନେ ନିଜ ଭିତରର ଶକ୍ତିଟିକୁ ପ୍ରକୃତରେ ଅନୁଭବ କରି ଶିଖିଥାନ୍ତି, ସେମାନେ ପରସ୍ପରକୁ କେବେହେଲେ ଅବଜ୍ଞା କରନ୍ତି ନାହିଁ । ଯେଉଁମାନେ ନିଜ ଭିତରେ ନିଆଁଟି ସମ୍ବନ୍ଧରେ ପ୍ରକୃତରେ ସଚେତନ ହୋଇ ରହିଥାନ୍ତି, ସେମାନେ ଅନ୍ୟମାନଙ୍କ ଭିତରେ ରହିଥିବା ନିଆଁଟିକୁ ମଧ୍ୟ ସ୍ୱୀକୃତି ଦିଅନ୍ତି, ସମ୍ମାନ ଦିଅନ୍ତି ।

 

ତେବେ ଆମେ ପ୍ରକୃତରେ କ’ଣ କରିବା ? ନିଜର ବିଦ୍ୟାଳୟରୂପୀ ଆସ୍ଥାନଟିକୁ ଅଧିକରୁ ଅଧିକ ପରିମାଣରେ କେବଳ ଏକ ଆତ୍ମକୈନ୍ଦ୍ରିକ ମଡେଲ୍‌ରୂପେ ତିଆରି କରିବାର, ଧନ୍ଦା ଭିତରେ ଅଧିକରୁ ଅଧିକ ଲିପ୍ତ ହୋଇ ରହି କ୍ରମେ ପୁରାତନ ଅରୀତିଗୁଡ଼ାକର ଗୁଳା ଭିତରେ ବିସ୍ମୃତ ହୋଇ ରହିବା ଓ ସେହି ପୁରୁଣା ପୋଖରୀରେ ନୂଆ ହୋଇ ପ୍ରବେଶ କରିଥିବା ଫୁଲା ବେଙ୍ଗଟିଏ ପରି ଆତ୍ମସନ୍ତୋଷ ଲାଭ କରିବା ନା ପରସ୍ପର ସହିତ ଏକତ୍ର ସମ୍ମୁଖକୁ ପାଦ ପକାଇ ପ୍ରକୃତରେ ସମଗ୍ର ପୃଥିବୀ ଲାଗି ପରବର୍ତ୍ତୀ ଉଦବେଳନ ଓ ତଜ୍ଜନିତ ଉତ୍ତୋଳନଟିର ଆହ୍ଵାନ ଜଣାଇ ଆମର ଦ୍ଵାରାଦେଶରେ ଆସି ଉପସ୍ଥିତ ହୋଇଥିବା ଆନ୍ଦୋଳୋନଟିରେ ଭାଗ ନେବା, ନିମିତ୍ତ ହେବାର ଗୌରବ ଅର୍ଜନ କରିବା ? କ୍ରମେ ଆମ ଭିତରେ ଏହି କଥାଟିର ଅଧିକ ଆଲୋଚନା ହେଉ ।

 

ପରବର୍ତ୍ତୀ ଭବିଷ୍ୟତର ଚାବି ମୁମୂର୍ଷୁ ବର୍ତ୍ତମାନଟିକୁ ଯେକୌଣସି ପ୍ରକାରେ ସମ୍ଭାଳି ଧରିଥିବା ସରକାରମାନଙ୍କର ହାତରେ ନାହିଁ, ତାହା ପରବର୍ତ୍ତୀ ସୋପାନଟିର ଆହ୍ଵାନଟି ଅନୁସାରେ ଆପଣାକୁ ପ୍ରସ୍ତୁତ ଓ ଜାଗ୍ରତ କରି ରଖିଥିବା ସମ୍ମତ ମଣିଷମାନଙ୍କ ହାତରେ ହିଁ ରହିଛି । ସେହି ଚାବି କର୍ତ୍ତୄତ୍ଵ ହାତରେ ନାହିଁ, ସେହି କର୍ତ୍ତୄତ୍ଵକୁ କାମୁଡ଼ି ରହିଥିବା କର୍ତ୍ତାମାନଙ୍କ ହାତରେ ମଧ୍ୟ ନାହିଁ, ତାହା ଏକ ନୂତନ ପ୍ରତ୍ୟୁଷର ପ୍ରତ୍ୟୟ ନେଇ, ସେହି ପ୍ରତ୍ୟୁଷ ଅବଶ୍ୟ ଆସୁଛି ବୋଲି ନିଜ ଭିତରୁ ସତେଅବା ଏକ ଭଗବତ୍—ସମର୍ଥନ ଲାଭ କରି, ପରସ୍ପରକୁ ଆବିଷ୍କାର କରି କ୍ରମେ ଏକତ୍ର ହେଉଥିବା ସାହସୀ ମଣିଷମାନଙ୍କ ହାତରେ । ଆମର ଅସଲ ଶ୍ରଦ୍ଧାହିଁ ଆମର ଭୂମିକାଟିକୁ ନିର୍ଣ୍ଣୟ କରି ଦେଉଥିବ ।

 

ଏପ୍ରିଲ, ୧୯୮୬

Image

 

ଜଣେ ଅଭିଭାବକଙ୍କ ଚିଠି

 

ଆମେରିକା ଯୁକ୍ତରାଷ୍ଟ୍ରର ଶ୍ରୀଯୁକ୍ତ ଆବ୍ରାହାମ୍ ଲିଙ୍କନ୍‌ଙ୍କ କଥା ଆମେ ସମସ୍ତେ ଜାଣିଛୁ । ସେ ଏକଦା ସେହି ଦେଶର ରାଷ୍ଟ୍ରପତି ଥିଲେ । ଆମେରିକା ଦେଶରୁ କ୍ରୀତଦାସ-ପ୍ରଥାର ବିଲୋପ ସାଧନ କରିବା ନିମନ୍ତେ ସିଏ ସେହି ପ୍ରଥାର ସମର୍ଥନ ଏବଂ ପ୍ରଚଳନ କରୁଥିବା ରାଜ୍ୟମାନଙ୍କ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିଥିଲେ । ଯୁଦ୍ଧରେ ଜୟଲାଭ କରିଥିଲେ । ନିଜର ନୀତିରେ ଅଟଳ ରହିବାର କାରଣରୁ ଜଣେ ଆତତାୟୀ ହାତରେ ତାଙ୍କୁ ନିଜର ଜୀବନ ଦେବାକୁ ପଡ଼ିଥିଲା । ଲିଙ୍କନ୍‌ଙ୍କ ବିଷୟରେ କେତେ କେତେ ଭାଷାରେ କେତେ ବହି ଲେଖାଯାଇଛି । ତାଙ୍କର କେତେକ ବକ୍ତୃତା ଆଲୋକକାମୀ ମଣିଷମାନଙ୍କୁ ଏବେ ମଧ୍ୟ ପ୍ରେରଣା ଦେଉଛି । ଆବ୍ରାହମ୍ ଲିଙ୍କନ୍ ଜଣେ ଅଭିଭାବକ ମଧ୍ୟ ଥିଲେ । ତାଙ୍କର ପିଲାମାନେ ସେତେବେଳେ ବିଭିନ୍ନ ବିଦ୍ୟାଳୟରେ ପାଠ ପଢ଼ୁଥିଲେ । ତାଙ୍କର ପୁଅ ପଢ଼ୁଥିବା ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ନିକଟକୁ ଲିଙ୍କନ୍ ଏକଦା ଲେଖିଥିବା ଗୋଟିଏ ଦୀର୍ଘ ଚିଠିର ଆମେ ଏହି ପ୍ରବନ୍ଧରେ ଆଲୋଚନା କରିବା । ବିଦ୍ୟାଳୟରେ ପାଠ ପଢ଼ି ତାଙ୍କର ପୁଅ ଜୀବନରେ କ’ଣ ସବୁ ଶିଖୁ ଏବଂ କ’ଣ ସବୁ ହେଉ ବୋଲି ଜଣେ ଅଭିଭାବକ ଭାବରେ ଲିଙ୍କନ୍ ଆଶା କରୁଛନ୍ତି, ଆପଣାର ଚିଠିରେ ସିଏ ସେହିସବୁ କଥାର ଉଲ୍ଲେଖ କରିଥିଲେ । ଏ ଯୁଗରେ ମଧ୍ୟ ପୃଥିବୀଯାକ ବିଦ୍ୟାଳୟମାନ ରହିଛି । ସେହି ବିଦ୍ୟାଳୟଗୁଡ଼ିକରେ ଶିକ୍ଷକମାନେ ଅଛନ୍ତି ଓ ପିଲାମାନଙ୍କୁ ପାଠ ପଢ଼ାଉଛନ୍ତି । ସେହି ପିଲାମାନଙ୍କର ବାପାମାଆ ଅଛନ୍ତି-। ସେହି ବାପାମାଆମାନେ ନିଜ ପିଲାମାନେ ବିଦ୍ୟାଳୟରୁ କ’ଣ ସବୁ ଶିଖନ୍ତୁ ଓ ବଡ଼ ହୋଇ କ’ଣ ସବୁ ହୁଅନ୍ତୁ ବୋଲି ଆଶା କରୁଛନ୍ତି ? ଆମର ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରଗୁଡ଼ିକରେ ଆମେ ଶିକ୍ଷକ ଏବଂ ଅଭିଭାବକ ହିସାବରେ ଆମ ପିଲାଏ କ’ଣ ଶିଖନ୍ତୁ ବା କ’ଣ ହୁଅନ୍ତୁ ବୋଲି ପ୍ରକୃତରେ ଆଶା କରୁଛୁ ? ତାହାରି ପରିପ୍ରେକ୍ଷୀରେ ଆମେ ଶ୍ରୀଯୁକ୍ତ ଆବ୍ରାହାମ୍ ଲିଙ୍କନ୍‌ଙ୍କର ଚିଠିରେ ଆଲୋଚନା କରିବା ।

 

ଲିଙ୍କନ୍ ନିଜର ପୁଅଟି କଥା ପକାଇ ପ୍ରଧାନ ଶିକ୍ଷକଙ୍କ ପାଖକୁ ଲେଖିଥିବା ଚିଠିରେ ଲେଖିଥିଲେ; “ପୃଥିବୀରେ ସବୁ ମଣିଷ ଯେ ସତ୍ୟପରାୟଣ ଅଥବା ନ୍ୟାୟପରାୟଣ ନୁହନ୍ତି, ପୁଅକୁ ଏହି କଥାଟିକୁ ଅବଶ୍ୟ ଶିକ୍ଷା କରିବାକୁ ହେବ ବୋଲି ମୁଁ ବେଶ୍ ବୁଝିପାରୁଛି । ମାତ୍ର, ଆପଣ ତାକୁ ଏକଥା ମଧ୍ୟ ଶିକ୍ଷା ଦିଅନ୍ତୁ ଯେ, ଏହି ପୃଥିବୀରେ ବଦ୍‍ମାସମାନେ ଯେତିକି ସଂଖ୍ୟାରେ ରହିଛନ୍ତି, କଲ୍ୟାଣକାରୀ ବୀରପୁରୁଷମାନେ ମଧ୍ୟ ସେତିକି ପରିମାଣରେ ଅଛନ୍ତି । ସ୍ଵାର୍ଥସିଦ୍ଧି ନିମନ୍ତେ ଯେତେ ମଣିଷ ରାଜନୀତି କରୁଛନ୍ତି, ଠିକ୍ ସେତିକି ମଣିଷ ଏକ ପୂର୍ଣ୍ଣ ଉତ୍ସର୍ଗରେ ମନୋଭାବ ସହିତ ବି ରାଜନୀତିରେ ନେତୃତ୍ଵ ଦେଉଛନ୍ତି । ...ତାକୁ ଆପଣ ଶିକ୍ଷା ଦେବେ ଯେ ପୃଥିବୀଯାକ ସବୁ ମଣିଷ ଆଦୌ ଶତ୍ରୁ ନୁହନ୍ତି, କାରଣ ଏଠି ଯେତିକି ସଂଖ୍ୟାରେ ଶତ୍ରୁ ଅଛନ୍ତି, ସେତିକି ସଂଖ୍ୟାରେ ବନ୍ଧୁ ମଧ୍ୟ ରହିଛନ୍ତି । ଏହିସବୁ କଥା ଶିଖିବାକୁ ତାକୁ ଅବଶ୍ୟ ସମୟ ଲାଗିବ । ମାତ୍ର ଯଦି ଆପଣ ପ୍ରକୃତରେ ପାରିବେ, ତେବେ ତାକୁ ଆପଣ ଏକଥା ମଧ୍ୟ ଶିକ୍ଷା ଦିଅନ୍ତୁ ଯେ, ବାଟ ଚାଲୁ ଚାଲୁ ପାଇଥିବା ପାଞ୍ଚ ଡଲାର୍ ଅପେକ୍ଷା ପ୍ରକୃତ ପରିଶ୍ରମ କରି ଅର୍ଜନ କରିଥିବା ଗୋଟିଏ ଡଲାର୍‌ର ମୂଲ୍ୟ ଅନେକ ଅଧିକ । ...ଆପଣ ତାକୁ ହଜାଇବା ଶିଖେଇବେ, ହାରିବାକୁ ମଧ୍ୟ ଶିଖାଇବେ; କିନ୍ତୁ ତାହା ସଙ୍ଗେ ସଙ୍ଗେ ହାସଲ କରିବା ବିଜୟ ଲାଭ କରିବାର ଆନନ୍ଦକୁ ଅନୁଭବ କରିବାକୁ ମଧ୍ୟ ଅବଶ୍ୟ ଶିଖାଇବେ । ଆପଣ ତାକୁ ଈର୍ଷା ଏବଂ ପରଶ୍ରୀକାତରତାଠାରୁ ଦୂରକୁ ନେଇଯିବେ; ଯଦି ପାରିବେ, ଯେକୌଣସି ପରିସ୍ଥିତିରେ ମଧ୍ୟ ନୀରବରେ, ଶାନ୍ତ ଭାବରେ ହସି ପାରିବାର ରହସ୍ୟଟିକୁ ମଧ୍ୟ ଶିଖାଇଦେବେ । ଅତି କମ୍ ବୟସ ବେଳୁ ଆପଣ ତାକୁ ଏହି କଥା ଶିକ୍ଷା ଦେବେ ଯେ, ଯେଉଁମାନେ ଉତ୍ପୀଡ଼ନକାରୀ ହିସାବରେ କ’ଣ ନା କ’ଣ କରି ପକାଇବେ ବୋଲି ଫଅଁ ଫଅଁ ହେଉଥାନ୍ତି ଓ ଚୋଟ ମାରିବାକୁ ଧାଇଁ ଆସୁଥାନ୍ତି, ସେହିମାନେ ହିଁ ସର୍ବପ୍ରଥମେ ପଦଲେହନ କରିବା ଲାଗି ପ୍ରସ୍ତୁତ ମଧ୍ୟ ହୋଇଯାଆନ୍ତି । ...ଯଦି ଆପଣ ପାରିବେ, ତେବେ ଆପଣ ତାକୁ ବହିଗୁଡ଼ିକ ମଧ୍ୟରେ ଲୁକ୍କାୟିତ ହୋଇ ରହିଥିବା ବିସ୍ମୟ ବିଷୟରେ ମଧ୍ୟ ଶିକ୍ଷା ଦେବେ, ସେହି ବିସ୍ମୟଗୁଡ଼ିକର ଆହରଣ କରିପାରିବା ଲାଗି ଶିକ୍ଷା ଦେବେ; ମାତ୍ର ତଥାପି ତା’ର ଜୀବନରେ ଏପରି କେତେକ ଶାନ୍ତ ତଥା ନିଷ୍କମ୍ପ ମୂହୁର୍ତ୍ତ ଲାଗି ମଧ୍ୟ ଥାନ ଛାଡ଼ି ଦେଇଥିବେ, ଯେତେବେଳେ କି ସିଏ ଆକାଶରେ ଉଡ଼ି ଯାଉଥିବା ଚଢ଼େଇ, ଖରାରେ ଚକଚକ ହୋଇ ଦିଶୁଥିବା କର୍ମରତ ମହୁମାଛି ଏବଂ ସବୁଜ ପାହାଡର ଧାରାର ପ୍ରସ୍ଫୁଟିତ ହୋଇ ଉଠିଥିବା ଫୁଲଗୁଡ଼ିକର ଚିରନ୍ତନ ରହସ୍ୟମୟତା ବିଷୟରେ ମଧ୍ୟ ସତକୁସତ ପୂର୍ଣ୍ଣମଗ୍ନ ହୋଇ ଚିନ୍ତା କରିପାରିବ, ଏକାନ୍ତ ନିଷ୍ପଦ ହୋଇ ସେଗୁଡ଼ିକର ଉପସ୍ଥିତିକୁ ଅନୁଭବ କରିପାରିବ ।

 

“ବିଦ୍ୟାଳୟରେ ପାଠ ପଢ଼ାଇବା ସମୟରେ ଆପଣ ତାକୁ ଏକଥା ଶିକ୍ଷା ଦିଅନ୍ତୁ ଯେ, ଠକିବା ଅପେକ୍ଷା ବରଂ ଅକୃତକାର୍ଯ୍ୟ ହେବା ହେଉଛି ଅଧିକ ସମ୍ମାନଜନକ । ତା’ ନିଜର ବିଚାର ଏବଂ ଭାବନାଗୁଡ଼ିକ ଉପରେ ଯେପରି ତା’ର ଯଥାର୍ଥରେ ଏକ ବିଶ୍ଵାସ ରହିଥିବ, ଆପଣ ସେକଥା ତାକୁ ଶିକ୍ଷା ଦେବେ । ଅନ୍ୟ ସମସ୍ତେ ତା’ର ଭାବନାଗୁଡ଼ିକ ଭୁଲ୍ ବୋଲି ତା’ ଆଗରେ କହିବାରେ ଲାଗିଥିଲେ ମଧ୍ୟ ସିଏ ନିଜେ ସେଗୁଡ଼ିକୁ ଠିକ୍ ବୋଲି ବୁଝିଥିବା ପର୍ଯ୍ୟନ୍ତ ସେଗୁଡ଼ିକରେ ଅବଶ୍ୟ ପ୍ରତ୍ୟୟ ରଖି ପାରୁଥିବ, ଆପଣ ତାକୁ ସେହିକଥା ଶିକ୍ଷା ଦେବେ । .... ଆପଣ ତାକୁ ଭଦ୍ର ଓ ଧୀର ମଣିଷଙ୍କ ସହିତ ଭଦ୍ର ଏବଂ ଧୀର ହେବା ଲାଗି ଶିକ୍ଷା ଦେବେ, କଠୋର ଓ କଠିନମାନଙ୍କ ପ୍ରତି ଅନୁରୂପ ଭାବରେ କଠୋର ଓ କଠିନ ହେବାକୁ ଶିକ୍ଷା ଦେବେ । ସମସ୍ତେ ଏକାଠି ଗୋଟାଏ ଶଗଡ଼ ଉପରେ ବସି ‘ଆମେହିଁ ଠିକ୍ ବାଟରେ ଯାଉଛୁ’ ବୋଲି ଏଡ଼େବଡ଼ ପାଟିରେ ଚିତ୍କାର କରି ବାହାରିଥିବା ସମୟରେ ମୋ’ ପୁଅ ଯେପରି ତଥାପି ସେମାନଙ୍କ ସହିତ ସେହି ଶଗଡ଼ ଭିତରକୁ ଡେଇଁ ପଡ଼ିବ ନାହିଁ, ତା’ ଭିତରେ ପ୍ରକୃତରେ ସେତିକି ବଳ ରହିଥିବା ଉଚିତ । ଆପଣ ତାକୁ ସେହି ବଳର ଶିକ୍ଷା ଅବଶ୍ୟ ଦେବେ । ମୋ’ ପୁଅ ସମସ୍ତଙ୍କର କଥାକୁ ସହାନୁଭୂତି ଓ ଧୈର୍ଯ୍ୟର ସହିତ ଶୁଣି ପାରୁଥିବ; ଆପଣ ତାକୁ ସେହି ବିଷୟରେ ଅବଶ୍ୟ ଶିକ୍ଷା ଦେବେ; ମାତ୍ର, ତାକୁ ଏକଥା ମଧ୍ୟ ଶିକ୍ଷା ଦେଇଥିବେ ଯେ, ଏହିପରି ଭାବରେ ସିଏ ଯେଉଁଠି ଯାହାକିଛି ଶିଖିବ, ସେଗୁଡ଼ିକୁ ଗ୍ରହଣ କରିବା ପୂର୍ବରୁ ସେ ତାହାକୁ ସତ୍ୟର ଛାଙ୍କୁଣିରେ ପ୍ରକୃତରେ ଛାଣିନେଇ ପାରୁଥିବ । ସେହି ଛାଙ୍କୁଣିରେ ଯେତିକି ଗଳିବ, ସେ କେବଳ ସେତିକିକୁ ହିଁ ଗ୍ରହଣ କରୁଥିବ ।

 

“ଆପଣ ଯଦି ପାରିବେ, ତେବେ, ଦୁଃଖ ବେଳେ ସେହି ଦୁଃଖରେ ବିମର୍ଷ ହୋଇ ନପଡ଼ି କିପରି ସେ ତଥାପି ହସି ପାରୁଥିବ, ଆପଣ ତାକୁ ସେହିକଥା ଶିକ୍ଷା ଦେବେ । ...ଚକ୍ଷୁରୁ ଲୋତକ ବର୍ଷଣ କରିବାରେ ଯେ ଆଦୌ କୌଣସି ଲଜ୍ଜା ନାହିଁ, ଆପଣ ତାକୁ ସେହି କଥା ଶିକ୍ଷା ଦେବେ । ଆପଣ ତାକୁ ଶିକ୍ଷା ଦେବେ, ଯେପରିକି ସିଏ ନିନ୍ଦୁକ ଓ ନିପଟ ଦୋଷଦର୍ଶୀମାନଙ୍କୁ ସିଧା ଉପହାସ କରି ପାରୁଥିବ, ଅତିବେଶୀ ମଧୁର ଆଚରଣ ଓ ମିଷ୍ଟ ଭାଷଣରୁ ସିଏ ଯେପରି ସାବଧାନ ହୋଇ ରହି ପାରିବ । ...ନିଜର ଶରୀର ତଥା ମସ୍ତିଷ୍କର ସାମର୍ଥ୍ୟକୁ ସିଏ ଯେପରି ସେଗୁଡ଼ିକୁ ସର୍ବୋଚ୍ଚ ମୂଲ୍ୟ ଦେଇ କିଣି ପାରୁଥିବା ବ୍ୟକ୍ତିମାନଙ୍କ ପାଖରେ ବିକ୍ରୟ କରିପାରିବ, ଆପଣ ତାକୁ ସେହିପରି ଶିକ୍ଷା ଅବଶ୍ୟ ଦେବେ । ମାତ୍ର ନିଜର ହୃଦୟ ଏବଂ ନିଜର ଆତ୍ମାକୁ ସିଏ ଯେପରି ଆଦୌ କୌଣସି ମୂଲ୍ୟ ବଦଳରେ କଦାପି ବିକ୍ରୀ କରିବାକୁ ରାଜି ହେବ ନାହିଁ, ତାକୁ ଆପଣ ସେହି ଶିକ୍ଷାଟିକୁ ମଧ୍ୟ ଦେଇଥିବେ । ଯେତେବେଳେ ବହୁସଂଖ୍ୟକ ମଣିଷ ଗୋଟାଏ ପଲରେ ଏକତ୍ର ରୁଣ୍ଡ ହୋଇ ଉଚ୍ଚ ସ୍ଵରରେ ଏଡ଼େବଡ଼ ରବ ବା ଚିତ୍କାର କରିବାରେ ଲାଗିଥିବେ, ସେତେବେଳେ ସେଆଡ଼କୁ ନିଜର କାନକୁ ବନ୍ଦ କରି ରଖିବା ନିମନ୍ତେ ଆପଣ ମୋ’ ପୁଅକୁ ଶିକ୍ଷା ଦେବେ । ...ଏବଂ, ସେହି ପରିସ୍ଥିତିରେ, ତାହାକୁ ଏକୁଟିଆ ଛିଡ଼ା ହୋଇ ଯୁଦ୍ଧ କରିବା ଆବଶ୍ୟକ ବୋଲି ମନେ କରୁଥିଲେ ସିଏ ଯେପରି ତାହା ଅବଶ୍ୟ କରିବ,—ଆପଣ ତାକୁ ସେହି କଥାଟିକୁ ମଧ୍ୟ ଶିକ୍ଷା ଦେଇଥିବେ ।

 

“ତା’ ପ୍ରତି ଆପଣ କଠୋର ହେବେ ନାହିଁ, ସର୍ବଦା ସହାନୁଭୂତି ରଖିଥିବେ ଏବଂ କୋମଳ ଆଚରଣ କରୁଥିବେ, ମାତ୍ର କଦାପି ଗେହ୍ଲା କରି ପକାଇବେ ନାହିଁ । କାରଣ, ନିଆଁରେ ନପଡ଼ିଲେ ଲୁହା ଭିତରୁ ଅସଲ ଇଷ୍ପାତ୍ ସମ୍ଭବ ହେବ କିପରି ? ତା’ପରେ ଧୈର୍ଯ୍ୟ ହରାଇ ପାରିବାର ସାହସ ଆସୁ । ସାହସୀ ହୋଇ ପାରିବାର ଧୈର୍ଯ୍ୟ ମଧ୍ୟ ଆସୁ । ନିଜ ଉପରେ ଯେପରି ତା’ର ସର୍ବଦା ଅଟଳ ବିଶ୍ଵାସ ରହିଥିବ, ଆପଣ ତାକୁ ସେହି କଥାର ଶିକ୍ଷା ଦିଅନ୍ତୁ । କାରଣ, ତେବେ ଯାଇ ତା’ର ମଧ୍ୟ ମନୁଷ୍ୟଜାତି ଉପରେ ଅଟଳ ବିଶ୍ଵାସ ରହିପାରିବ ।

 

ଆମେ ଯେଉଁମାନେ ଶିକ୍ଷକ ଅଥବା ଅଭିଭାବକ ହିସାବରେ ଯେକୌଣସି ପିଲାର କକ୍ଷପଥ ମଧ୍ୟରେ ଆସି ପ୍ରବିଷ୍ଟ ହୋଇଛୁ, ଆମେ ତା’ଠାରୁ ପ୍ରକୃତରେ କ’ଣ ସବୁ ଆଶା କରୁଛୁ ? ସିଏ କ’ଣ ସବୁ ହେଉ ବା କ’ଣ ସବୁ ଶିକ୍ଷା କରୁ ବୋଲି ଆମେ ଭାବନା ରଖିଛୁ ? ଅନେକ ଅଭିଭାବକ ଅଛନ୍ତି, ଯେଉଁମାନେ କି ଜୀବନ କହିଲେ ସଂସାରର ଘଣାରେ ଘାଣ୍ଟି ହେବାକୁ ହିଁ ବୁଝନ୍ତି । ତେଣୁ ସେମାନେ ଆଦୌ କୌଣସି ଜୀବନ ବଞ୍ଚନ୍ତି ନାହିଁ, ଧର୍ମତଃ ଖାଲି ଘାଣ୍ଟି ହେଉଥାନ୍ତି-। ଅନେକ ଶିକ୍ଷକ ମଧ୍ୟ ଅଛନ୍ତି, ଯେଉଁମାନେ ଅହର୍ନିଶ ହୁଏତ ଇସ୍କୁଲରୂପକ ଘଣା ଭିତରେ ପଡ଼ି ଘାଣ୍ଟି ହେଉଥାନ୍ତି । ସଂସାରଟାକୁ ଘାଣ୍ଟି ହେଉଥିବାର ଏକ ଥାନଭଳି ଗ୍ରହଣ କରୁଥିବା ପର୍ଯ୍ୟନ୍ତ ସଂସାର ଆମକୁ ଆଦୌ କୌଣସି ଆହ୍ଵାନ ଦେଇପାରେ ନାହିଁ । ଆମ ଇସ୍କୁଲଟାକୁ ମଧ୍ୟ ଆମେ ପ୍ରଧାନତଃ ଘାଣ୍ଟି ହେବାର ଏକ ସ୍ଥାନ ପରି ଅନୁଭବ କରୁଥିବା ପର୍ଯ୍ୟନ୍ତ ଇସ୍କୁଲ ଆମକୁ ଆଦୌ ଏକ ଆହ୍ଵାନ ପରି ମନେ ହୁଏ ନାହିଁ । ଏବଂ, ଇସ୍କୁଲ ଭିତରେ ଘାଣ୍ଟି ହେଉଥିବା ଶିକ୍ଷକ ଓ ସଂସାର ଭିତରେ ଘାଣ୍ଟି ହେଉଥିବା ଅଭିଭାବକ ପିଲାଏ କ’ଣ ହେବେ ବା ନହେବେ, ସେମାନେ ପ୍ରକୃତରେ କ’ଣ ଶିଖିବେ ବା ନଶିଖିବେ, ସେହି ବିଷୟରେ ମୁଣ୍ଡ ଖେଳାଇବାକୁ ଆଦୌ କାହିଁକି ମନ କରିବେ-? ସମ୍ଭବତଃ ସେହି କାରଣରୁ ହିଁ ପୃଥିବୀର ଅଧିକାଂଶ ଶିକ୍ଷକ ଓ ଅଧିକାଂଶ ଅଭିଭାବକ ପିଲାମାନଙ୍କୁ ତଥାକଥିତ କେତେକ ଭଲ ଗୁଣରେ ମଣ କରିବାକୁ ହିଁ ଶିକ୍ଷାର ଅସଲ ସାମର୍ଥ୍ୟ ବୋଲି ଗ୍ରହଣ କରି ନେଇଥାନ୍ତି ଏବଂ ଶାସ୍ତ୍ର ତଥା ସଂସ୍କୃତିର ପ୍ରମାଣ ଦେଖାଇ ତାକୁ ମାନିବାଟାକୁ ହିଁ ସଂସାରର ସବୁଠାରୁ ଅଧିକ ଭଲ ଗୁଣ ବା ବଡ଼ ଗୁଣ ବୋଲି ଘୋଷଣା କରି ବୁଲୁଥାନ୍ତି-

 

ଇଏ ହେଉଛି ପ୍ରକୃତରେ ଏକ ଅଦ୍‌ଭୁତ ସୁଆଙ୍ଗର କଥା । ପୃଥିବୀଟା ଯେମିତି ସେମିତି ପଙ୍କମୟ ହୋଇ ରହିଥିବ, ସମ୍ବନ୍ଧଗୁଡ଼ାକ ଯେମିତି ସେମିତି ଅବର୍ଜିଆ ଓ ଅସମ୍ମାନଜନକ ହୋଇ ରହିଥିବ,—ଏବଂ, ଆମେ ସେଥିରେ ମୋଟେ ହାତ ବଜାଇବାକୁ ଯିବା ନାହିଁ; ଆମେ ଭଲ ଗୁଣଗୁଡ଼ିକୁ ଦେହରେ ଅଳଙ୍କାର କରି ପିନ୍ଧିଥିବା, ଭଲ ମୁଖାଗୁଡ଼ିକୁ ମୁହଁରେ ଲଗାଇଥିବା, ଏବଂ ସକଳ ପ୍ରକାରର ପୁରୁଣା କୁହାଗୁଡ଼ାକୁ ମାନି ପୁରୁଣାଟାକୁ ହିଁ ସ୍ଥାୟୀ କରି ରଖିବାରେ ସବୁଠାରୁ ଅଧିକ ସାହାଯ୍ୟ କରୁଥିବା,—ଏମିତି ସୁଆଙ୍ଗ ଆମ ପୃଥିବୀରେ ହୁଏତ ଆବହମାନ କାଳରୁ ଚାଲିଆସିଛି । ତାହା ଏବେମଧ୍ୟ ସକଳ ସନ୍ତର୍ପଣ ସହିତ ବହ୍ଵାଡ଼ମ୍ବରରେ ଚାଲିଛି । ପିଲାଏ କେବଳ କୁହା ମାନୁଛନ୍ତି, ଆମର ବାଜା ଅନୁସାରେ ପାଦ ପକାଉଛନ୍ତି । ସେମାନେ କିଛି ହେଉନାହାନ୍ତି, କିଛି ଖୋଜୁନାହାନ୍ତି,—କେଡ଼େ ଚମତ୍କାର ଭାବରେ ପୁରୁଣା ଜାଲଗୁଡ଼ାକ ଭିତରେ ଖାପ ଖାଇ ଯାଉଛନ୍ତି, ପୁରୁଣା ମନ୍ଦିରଗୁଡ଼ାକ ଭିତରେ କେଡ଼େ ସମ୍ମୋହିତ ଭାବରେ ଯାଇ ଶୋଇ ପଡ଼ୁଛନ୍ତି । ଆବ୍ରାହାମ୍ ଲିଙ୍କନ୍‌ଙ୍କର ଚିଠିରୁ ତାଙ୍କ ଭିତରେ ଯେଉଁ ପ୍ରକାରର ଜଣେ ଅଭିଭାବକ ରହିଥିବାର ସଙ୍କେତ ମିଳୁଛି, ସିଏ ଆମ ପୃଥିବୀର ଅଧିକାଂଶ ଅଭିଭାବକଙ୍କଠାରୁ ଏକାବେଳେକେ ଅଲଗା । ଏପରି ଅଭିଭାବକ ପିଲାର ହାତରେ ଆଦୌ କୌଣସି ସୂର୍ଯ୍ୟକୁ ନେଇ ଧରାଇ ଦେବାକୁ କେବେହେଲେ ଚେଷ୍ଟା କରନ୍ତି ନାହିଁ । ପିଲା ନିଜେ ଉଚିତ ବ୍ୟାକୁଳତାଟି ସହିତ ନିଜର ଜୀବନରେ ସ୍ଵୟଂ ଏକ ସୂର୍ୟୋଦୟକୁ ଅନୁଭବ କରିବାଲାଗି ସମର୍ଥ ହେଉ, ଅସଲ ଅଭିଭାବକ ସେଥିଲାଗି ହିଁ ନିମିତ୍ତ ହୁଏ, ସେହିପରି ଭାବରେ ନିମିତ୍ତ ହୋଇ ସେ ସଂସାରରେ ପୁତ୍ରଋଣର ପରିଶୋଧ କରି ବାହାରେ ।

 

ଅସଲ ଶିକ୍ଷକ ମଧ୍ୟ ଠିକ୍ ସେହିକଥା କରିବ । ପିଲାଟିକୁ ସିଏ ତା’ ନିଜ ପାଖରେ ନେଇ ପହଞ୍ଚାଇ ଦେବ । ସେଇଠି ସେହି ଅସଲ ଥାନରେ ପହଞ୍ଚିଗଲେ ପିଲା ସମ୍ମାନର ସହିତ ନିଜକୁ ଦେଖିବ, ସେ ନିଜକୁ ଅପ୍ରମତ୍ତ ଓ କାତରତାମୁକ୍ତ ହୋଇ ଦେଖିବାର ଅବସର ଲାଭ କରିବ । ଏବଂ, ଯାବତୀୟ କାତରତା ମଧ୍ୟରୁ ମୁକ୍ତ ହୋଇ ପାରିଲେ ଯାଇ ପ୍ରତ୍ୟେକ ମଣିଷ, ସିଏ ବଡ଼ କିମ୍ବା ସାନ ଯାହା ହୋଇଥାଉ ପଛକେ, ଅସଲ ଚେତନାର ଯୋଗ୍ୟ ହେବ, ଅସଲ ସମ୍ବନ୍ଧସ୍ଥାପନର ମଧ୍ୟ ଯୋଗ୍ୟ ହୋଇ ପାରିବ । ବୋଲ ମାନି ଗୁଣବନ୍ତ ବୋଲାଇବାର ତାରିଫ୍ ପାଇବାକୁ ଚେଷ୍ଟା କରୁଥିବା ମଣିଷ ଦିନରାତି ସତ୍ୟର ତଥାକଥିତ ମନ୍ତ୍ରଗୁଡ଼ାକୁ ଆବୃତ୍ତି କରିବାରେ ଲାଗିଥିଲେ ମଧ୍ୟ ତଥାପି ହୁଏତ ଆଦୌ କିଛି ହୋଇ ପାରିବ ନାହିଁ । କିଛି ହୋଇ ପାରିବାର ଅର୍ଥ ହେଉଛି, ଭିତରେ ଯେଉଁ ପରମ ବନ୍ଧୁ ଓ ପରମ ନେତ୍ର କେନ୍ଦ୍ରରୂପେ ଆମ ଲାଗି ଅପେକ୍ଷା କରି ରହିଛି, ପ୍ରକୃତରେ ତାହାରି ଲାଖି ହୋଇ ପାରିବା । କାରଣ, ଆଗ ତାହାରି ଲାଖି ହୋଇପାରିଲେ ଯାଇ ଆମେ ସତକୁ ସତ ସକଳ ମନୁଷ୍ୟଙ୍କର ଲାଖି ମଧ୍ୟ ହୋଇପାରିବା ।

 

ମଇ, ୧୯୮୬

Image

 

ପୁତ୍ ନାମକ ନରକରୁ

 

ପୁଅ ପୁତ୍ ନାମକ ନରକରୁ ରକ୍ଷା କରେ । ନରକ ବି ଅନେକ ପ୍ରକାରର ରହିଛି । ଯେଉଁମାନେ ପ୍ରକୃତରେ ନରକ ଦେଖିଛନ୍ତି ଓ ନରକଗୁଡ଼ିକୁ ଦେଖିସାରିବା ପରେ ଯେ ସେହିମାନେ ହିଁ ସେଗୁଡ଼ିକର ଏପରି ଶ୍ରେଣୀବିଭାଗ ଓ ନାମକରଣ କରିଛନ୍ତି, ସେକଥା ଆଦୌ ନୁହେଁ । ଏହି ସଂସାରରେ ଥାଉ ଥାଉ ଯେଉଁମାନେ ନାନା କାରଣରୁ ନର୍କର କଳ୍ପନାମାନ କରିଛନ୍ତି, ସେହିମାନେ ହିଁ ବୀଭତ୍ସତା ଓ ଭୟଙ୍କରତାର ବିଭିନ୍ନ ମାତ୍ରାନୁସାରେ ନରକମାନଙ୍କର ନାମକରଣ କରିଦେଇଛନ୍ତି-। ନରକର କଳ୍ପନା କରିଥିବା ଲୋକମାନେ ହିଁ କଳ୍ପନାର ଓଲଟା ପାଖଟାକୁ ନାନା ରଙ୍ଗ ଓ ରମଣୀୟତା ଦେଇ ସ୍ଵର୍ଗର କଳ୍ପନା କରିଛନ୍ତି । ସ୍ଵର୍ଗ ଓ ନରକ ବିଷୟରେ ସେହିମାନେ ହିଁ ପୁରାଣମାନ ଲେଖିଛନ୍ତି । କାହାଣୀମାନ ଫାନ୍ଦି ପୁରାଣକୁ ସତେଅବା ସତକୁ ସତ ଏକ ଜୀବନ-ଶାସ୍ତ୍ରର ପ୍ରତୀତି ଆଣି ଦେବାକୁ ଚେଷ୍ଟା କରିଛନ୍ତି । ସଂସାରରେ ଯେଉଁଗୁଡ଼ିକୁ ସେମାନେ ନୀତି ବୋଲି ଘୋଷଣା କରିଛନ୍ତି, ସେହି ନୀତିଗୁଡ଼ିକୁ ଅନୁସରଣ କଲେ ତୁମେ ସ୍ଵର୍ଗକୁ ଯିବ ଏବଂ ଅନୁସରଣ ନକଲେ ନର୍କ ଭୋଗିବ,—ଏହିପରି ଏକ ହିସାବକୁ ଧର୍ମର ମାଞ୍ଜା ଦେଇ କଠୋରରୁ ଅଧିକ କଠୋର କରି ଦେଖାଇବା ସକାଶେ ହିଁ ପୁରାଣମାନ ଲେଖାଯାଇଛି । କେବଳ ଆମ ଦେଶରେ ନୁହେଁ, ପୃଥିବୀର ଅନେକ ଦେଶରେ ଲେଖାଯାଇଛି ଅଥବା ଫନ୍ଦାଯାଇଛି-। ବର୍ତ୍ତମାନ ମଧ୍ୟ ପୃଥିବୀର ଅଧିକାଂଶ ମଣିଷ ସେହି ପୁରାଣଗୁଡ଼ିକ ଦ୍ଵାରା ପରିଚାଳିତ ହେଉଛନ୍ତି-। ଅର୍ଥାତ୍, ସ୍ଵର୍ଗର ଲୋଭରେ ଭଲ ବାଟରେ ଯାଉଛନ୍ତି, ନରକର ଭୟରେ ମନ୍ଦ ବାଟକୁ ଏଡ଼ୁଛନ୍ତି । ସଂସାର ଅନ୍ତେ ନରକର ଭୟ ରହିଛି ବୋଲି ଆମର ଏହି ସମାଜ ଚଳିପାରୁଛି ।

 

ନାନା ନରକ ଭିତରେ ପୁତ୍ ବୋଲି ଗୋଟିଏ ନରକ ଅଛି, ସେହି ନରକଟିରୁ ଉଦ୍ଧାର ପାଇବା ନିମନ୍ତେ ସଂସାରରେ ପୁରୁଷମାନଙ୍କୁ ବାପା ହେବାକୁ ହୁଏ ବୋଲି ଶାସ୍ତ୍ରବିଶ୍ଵାସର ବିଧାନ ରହିଛି । ପୁରୁଷ ଜନ୍ମ ପାଇଲେ ହିଁ ସତେ ଯେପରି ଅବଶ୍ୟ ପୁତ୍ ନରକର ଦଶା ଭୋଗ କରିବାକୁ ହୁଏ କି କ’ଣ କେଜାଣି, ପୁରୁଷମାନଙ୍କୁ ଏକ ପୁତ୍ରର ପିତା ହୋଇ ସେହି ନିଶ୍ଚିତ ନର୍କଭୋଗରୁ ରକ୍ଷା ପାଇବାର ପରାମର୍ଶ ଦିଆଯାଇଛି । ସେଥିଲାଗି ପୃଥିବୀର ଅଧିକାଂଶ ପାରମ୍ପରିକ ସମାଜରେ ଏକ ପୁତ୍ରସନ୍ତାନର ପିତା ହେବା ଉପରେ ଏତେ ଗୁରୁତ୍ଵ ଦିଆଯାଇଛି । ସନ୍ତାନ ପୁଅ ହୋଇପାରେ, ଝିଅ ବି ହୋଇପାରେ; ଝିଅ ଜନ୍ମ ହେଲେ ଆଉ ଅନ୍ୟ ନାମରେ କୌଣସି ନରକରେ ପଡ଼ିବାକୁ ହୋଇଥାଏ କି କ’ଣ କେଜାଣି, ଶାସ୍ତ୍ରରେ ଝିଅଜନ୍ମର କୁଫଳ କିମ୍ବା ସୁଫଳ ବିଷୟରେ ଆମ ମୁନିମାନେ ବା ମନୁମାନେ ସେପରି ନିର୍ଦ୍ଦିଷ୍ଟ କରି କୌଣସି କଥା କହି ନାହାନ୍ତି । ଭାରତବର୍ଷ ସମେତ ପୃଥିବୀର ଅଧିକାଂଶ ସମାଜରେ ପୁତ୍ରର ପିତା ହେବା ଉପରେ ହିଁ ଅନେକ ମହତ୍ତ୍ୱ ଦିଆଯାଇଛି । ଅନେକ ସମୟରେ ଝିଅମାନଙ୍କୁ ପରିପୂର୍ଣ୍ଣ ଅର୍ଥରେ ଏକ ସନ୍ତାନ ବୋଲି ହୁଏତ ମୋଟେ ଘେନା କରାଯାଇ ନାହିଁ । ଏପରି ଅନେକ ବାପା ଓ ମାଆ ଆମ ସଂସାରରେ ଏବେ ମଧ୍ୟ ରହିଛନ୍ତି, ଯେଉଁମାନେ କି ସାତ ସାତଟା ଝିଅ ଜନ୍ମ କରି ମଧ୍ୟ ସନ୍ତାନଟିଏ ଲାଭ କଲେ ବୋଲି ନିଜର ମନକୁ ମୋଟେ ବୋଧ ଦେଇ ପାରନ୍ତି ନାହିଁ ଏବଂ ତେଣୁ ପୁଅଟିଏ ପାଇଁ ଅପେକ୍ଷା କରିଥାନ୍ତି ଓ ଝିଅ ପରେ ଝିଅ ଜନ୍ମ କରାଉ ଥାଆନ୍ତି । ଯେଉଁ ମାଆ ଅଧିକରୁ ଅଧିକ ପୁଅ ଜନ୍ମ କରି ବାପକୁ ଦିଏ, ଆମ ସମାଜରେ ଏବଂ ପୃଥିବୀର ଅଧିକାଂଶ ସମାଜରେ ତାହାକୁ ସୁଲକ୍ଷଣୀ ବୋଲି କୁହାଯାଏ । ସମାଜ ଅନୁସାରେ ଯେ ଶାସ୍ତ୍ର ଲେଖାଯାଏ, ସେଇଥିରୁ ହିଁ ତାହାର ସ୍ପଷ୍ଟ ପ୍ରମାଣ ମିଳି ଯାଇଥାଏ । ଏବଂ, ଅଧିକାଂଶ ସମାଜରେ ପୁରୁଷମାନେ ହିଁ ଶାସ୍ତ୍ରଗୁଡ଼ାକୁ ଲେଖନ୍ତି ।

 

ପୁଅ ଆମକୁ ନର୍କରୁ ଉଦ୍ଧାର କରେ, ଆମେ ସେଇଥି ସକାଶେ ପୁଅକୁ ଲୋଡ଼ୁ । ଏହି ଲୋଡ଼ିବାକୁ ଅନେକ ସମୟରେ ଆମେ ଭଲ ପାଇବା ବୋଲି କହିଥାଉ ଏବଂ ସେଥିଲାଗି କେତେ ଗୌରବ ଅନୁଭବ କରିଥାଉ । ସଚରାଚର ଭୀରୁମାନେ ହିଁ ଏହିଭଳି ଭଲ ପାଇଥାନ୍ତି । ଭୀରୁମାନେ ହିଁ ଜାବୁଡ଼ି ଧରିଥାନ୍ତି । ଅନେକ ସମୟରେ ବାପାମାନେ ପ୍ରକୃତରେ ବାପାଟିଏ ହୋଇ ପରିବାର ଯୋଗ୍ୟ ହୋଇପାରନ୍ତି ନାହିଁ ବୋଲି ପୁଅକୁ ଜାବୁଡ଼ି ଧରିଥାନ୍ତି, କାମୁଡ଼ି ଧରିଥାନ୍ତି । ସେହି ଜାବୁଡ଼ି ଓ କାମୁଡ଼ି ଧରିବାକୁ ହିଁ ସେମାନେ ଭଲ ପାଇବା ବୋଲି କହୁଥାନ୍ତି । ପୁଅଟିକୁ ଉଚିତ ବାଟରେ ଚଳାଇ ନେବାକୁ ହିଁ ସେମାନେ ନିଜର ପରମ କର୍ତ୍ତବ୍ୟ ରୂପେ ଗ୍ରହଣ କରିଥାନ୍ତି । ଅନ୍ୟ କୌଣସି ବାଟରେ ଚାଲିଗଲେ କାଳେ ପୁଅ ପୁତ୍ ନରକ ପର୍ଯ୍ୟନ୍ତ ନଯିବ ଓ ତେଣୁ ସେମାନଙ୍କୁ ଉଦ୍ଧାର ନକରିବ, ସମ୍ଭବତଃ ସେହି କାରଣରୁ ହିଁ ସେମାନେ ପୁଅକୁ ଗୋଡ଼େ ଗୋଡ଼େ ଜଗିଥାନ୍ତି ଓ ଠିକ୍ ବାଟରେ ରଖିଥାନ୍ତି । ଅନ୍ୟ ଯାବତୀୟ ବାଟକୁ ସେହି ଅର୍ଥରେ ଅବାଟ ବୋଲି କୁହାଯାଏ । ଅର୍ଥାତ୍, ମୁଁ ଯାହାକୁ ବାଟ ବୋଲି କହିବି, ତାହାହିଁ ବାଟ, ଆଉ ସବୁଯାକ ବାଟ ଅବାଟ, ବାପାମାନେ ସତେଅବା ଏହିପରି ଗୋଟିଏ ଯୁକ୍ତିକୁ ସତ୍ୟର ପ୍ରତୀତି ଦେଇ ଗ୍ରହଣ କରିଥାଆନ୍ତି । ମାତ୍ର, ଅସଲ କଥା ହେଉଛି, ଯଦି ବାପାମାନେ ଅସଲ ବାଟଟିକୁ ଜାଣିଥାଆନ୍ତେ, ତେବେ ସେମାନେ ପୁତ୍ ନାମକ ନରକରେ ବା ଅନ୍ୟ କୌଣସି ନରକରେ କାଳେ ପଡ଼ିଯିବେ ବୋଲି ଆଦୌ କୌଣସି ଭୟ କରୁଥାନ୍ତେ କାହିଁକି ? ସତ୍ୟକୁ ଜାଣିଥିବା ଏବଂ ସତ୍ୟରେ ଚାଲୁଥିବା ମଣିଷ କାଳେ ନରକରେ ପଡ଼ିଯିବ ବୋଲି ଭୟ କରିବାକୁ ଫୁରସତ୍ ପାଆନ୍ତା କେତେବେଳେ ?

 

ଅଧ୍ୟାତ୍ମ ଅର୍ଥରେ ଏହି ଭଲ ପାଇବାର ଏକ ଅଲଗା ଅର୍ଥ ରହିଛି । ଅଧ୍ୟାତ୍ମ ଜୀବନ ଏବଂ ଅଧ୍ୟାତ୍ମ-ବାସନାର ଭୂଗୋଳରେ ନରକ ନାହିଁ କିମ୍ବା ସ୍ଵର୍ଗ ମଧ୍ୟ ନାହିଁ । ଅର୍ଥାତ୍ ସ୍ଵର୍ଗର ଲୋଭ ନାହିଁ କିମ୍ବା ନରକର ଭୟ ମଧ୍ୟ ନାହିଁ । ବୃହଦାରଣ୍ୟକ ଉପନିଷଦରେ ଯାଜ୍ଞବଳ୍‌କଙ୍କର ମୁହଁରୁ କୁହାଯାଇଛି : ନ ବା ଅରେ ପୁତ୍ରାଣାଂ କାମାୟ ପୁତ୍ରାଃ ପ୍ରିୟା ଭବନ୍ତି ଆତ୍ମନସ୍ତୁ କାମାୟ ପୁତ୍ରାଃ ପ୍ରିୟା ଭବନ୍ତି । (୨ ।୪ ।୫) ପୁତ୍ର ସକାଶେ ଯେ ପୁତ୍ର ପିତାମାତାଙ୍କର ପ୍ରିୟ ହୁଏ, ସେ କଥା ମୋଟେ ନୁହେଁ । ପୁତ୍ର ଭିତରେ ଯେଉଁ ଆତ୍ମା ରହିଛି, ସେହି ଆତ୍ମସକାଶେ ହିଁ ପୁତ୍ର ପ୍ରିୟ ହୋଇଥାଏ । ଆହୁରି ଖୋଲିଦେଇ କହିଲେ, ପିତା ମର୍ମତଃ ଯାହା, ପୁତ୍ର ମଧ୍ୟ ମର୍ମତଃ ସେଇଆ, —ସେହି କାରଣରୁ ହିଁ ପୁତ୍ର ପିତାର ଏତେ ପ୍ରିୟ ହୁଏ, ସଂସାର ଭିତରେ ସବୁଠାରୁ ନିକଟର ବୋଲି ଲାଗେ, ସବାଆଗ ବୋଲି ଲାଗେ । ଅସଲ ଡୋରଟିକୁ ଚିହ୍ନିଲେ ଯାଇ ଭଲ ପାଇବାର ଅସଲ ମୂଳଦୁଆଟି ପଡ଼ିଥାଏ । ଅସଲ ଦର୍ପଣଟି ଉପରେ ଦେଖିପାରିଲେ ସତେଅବା ଅନେକ ଆଗରୁ, ଆବହମାନ କାଳରୁ ହିଁ ଏହି ସବୁକିଛି ଅତ୍ୟନ୍ତ ଅନ୍ତରଙ୍ଗ ଭାବରେ ଗଅଁଠା ହୋଇ ରହିଥିବାର ଅନୁଭବ ହୋଇଥାଏ । ସେହି ଦର୍ପଣଟି ହେଉଛି ଆତ୍ମୀୟତାର ଦର୍ପଣ, ଆତ୍ମବିସ୍ତାରର ଦର୍ପଣ । ଆତ୍ମବିସ୍ତାରକୁ ଆମେ ଅନେକ ବଡ଼ ମଣିଷ ସତେଅବା ଏକ ସାମ୍ରାଜ୍ୟ—ବିସ୍ତାରର ଅର୍ଥରେ ବୁଝିଥାଉ । ଆମେ ଯାହାକୁ ଗ୍ରାସ କରୁ, ଯାହା ଉପରେ ଅଧିକାର ବିସ୍ତାର କରୁ, ତାହାକୁ ହିଁ ଆମର ବୋଲି କହୁ, ଯାହାକୁ ଗ୍ରାସ କରି ନଥାଉ, ଯାହା ଉପରେ ଅଧିକାର ବିସ୍ତାର କରି ନଥାଉ, ତାହାକୁ ଅପର ବୋଲି କହିଥାଉ । ଆମରଗୁଡ଼ାକୁ ଯେତିକି ମୋହର ସହିତ ମାଡ଼ି ବସିଥାଉ, ଅପରଗୁଡ଼ାକୁ ପ୍ରାୟ ସେତିକି ଉତ୍ତେଜନା ସହିତ ଈର୍ଷ୍ୟା ମଧ୍ୟ କରୁଥାଉ । ଆମର ମୋହ ଭିତରେ ଉତ୍ତେଜନା ଭର୍ତ୍ତି ହୋଇ ରହିଥାଏ ଏବଂ ଆମର ଉତ୍ତେଜନା ଭିତରେ ମଧ୍ୟ ଗୁଡ଼ାଏ ମୋହ, ଭର୍ତ୍ତି ହୋଇ ରହିଥାଏ । ଏହି ମୋହ ଏବଂ ଉତ୍ତେଜନାର ସୁଆଙ୍ଗ ଗୁଡ଼ାକୁ ହିଁ ଆମେ ଅଧିକାଂଶ ସମୟରେ ଭଲ ପାଇବା ବୋଲି କହୁ ।

 

ତେଣୁ, ଆମର ଭଲ ପାଇବା ଭିତରେ ଘୃଣା ପ୍ରଚ୍ଛନ୍ନ ହୋଇ ରହିଥାଏ, —ଏବଂ, ଯାହାକିଛି ଆମ ଭଲ ପାଇବାର ବାଟ ଭିତରେ କୌଣସି କାରଣରୁ ଧରା ନଦିଏ, ଆମେ ସେଗୁଡ଼ିକୁ ଘୃଣା କରିବାରେ ଲାଗିଥାଉ । ଆମେ ନିଜର ପାଖରେ ନାନା ଗଣ୍ଠି ପକାଇ ରଖିଥାଉ ଓ ସେହି ଗଣ୍ଠିଗୁଡ଼ାକର ମାଧ୍ୟମରେ ହିଁ ସଂସାରକୁ ବୁଝୁ । ଅର୍ଥାତ୍, ସଂସାର ଆମ ଲାଗି କିଳିହୋଇ ରହିଥାଏ, ଆମେ ମଧ୍ୟ ସଂସାର ଲାଗି ପ୍ରାୟ ବାଛନ୍ଦ ହୋଇ ରହିଥାଉ । ବାଛନ୍ଦର ନାନା ଯୁକ୍ତି, ନାନା ବୁଦ୍ଧି ଓ ନାନା ଭେକର ଆଶ୍ରୟ ନେଇ ଏକ ଚମତ୍କାର ଉତ୍ତପ୍ତତା ସହିତ ଆମେ ଜୀବନ ବଞ୍ଚୁଥାଉ । ସେହି ଉତ୍ତପ୍ତତାକୁ ହିଁ ଜୀବନ ବୋଲି ଭ୍ରମ କରୁ । ଆତ୍ମୀୟତା ଅର୍ଜନ କରିବା ଅର୍ଥାତ୍ ଆପଣା ଭିତରେ ରହିଥିବା ଗଣ୍ଠିଗୁଡ଼ିକୁ ଫିଟାଇଦେବା । ଆପଣାର ଗଣ୍ଠିଗୁଡ଼ିକୁ ଫିଟାଇ ଦେଇ ଯେଉଁ ବାପାମାଆ ନିଜର ପୁଅଆଡ଼କୁ ଅନାଇ ପାରିବେ, ସେହିମାନେ ହିଁ ଅସଲ ଆତ୍ମୀୟତାଟିକୁ ଆଘ୍ରାଣ କରିପାରିବେ । ସେମାନେ ଅସଲ ଆତ୍ମୀୟତାର ଯୋଗ୍ୟ ହୋଇ ପାରିବେ । ପୁତ୍ ନାମକ ନରକ ଏହି ସଂସାର ମଧ୍ୟରେ ହିଁ ରହିଥାଏ । ଆତ୍ମୀୟତା ବଢ଼ିଲେ ଯାଇ ସେହି ନରକରୁ ମୁକ୍ତି ମିଳେ । ବସ୍ତୁତଃ ଯାବତୀୟ ନର୍କ ଏଇଠି ଏହି ସଂସାରରେ ରହିଥାଏ,—ତଥାକଥିତ ଭଲ ପାଇବାର ଯାବତୀୟ ମୋହ ଏବଂ ଘୃଣା କରିବାର ଯାବତୀୟ ଉତ୍ତେଜନାରୁ ବାହାରି ଆସିଲେ ଯାଇ ସକଳ ନର୍କରୁ ମୁକ୍ତି ମିଳେ । ମୋ’ର ଆଉ ଅପର ମଧ୍ୟରେ ରହି ଆସିଥିବା ଦ୍ଵନ୍ଦ୍ଵଗୁଡ଼ାକ ଦୂର ହୋଇଯାଏ ।

 

ନିଜକୁ କେନ୍ଦ୍ରରେ ରଖି ସତେଅବା ସମସ୍ତଙ୍କୁ ଆପଣା ଅକ୍ତିଆରର ସୂତାଗୁଡ଼ାକ ଭିତରେ ଏକାଠି ଧରି ଏହି ସଂସାରରେ ଏକମାତ୍ର ରଥୀ ହୋଇ ରଥ ଚଲାଉଥିବା ପର୍ଯ୍ୟନ୍ତ ମଣିଷ ଦୁଃଖ ପାଏ । ଅସଲ ଜାଗାରେ ବଞ୍ଚିତ ହୋଇ ରହିବା,—ହୁଏତ ତାହା ହିଁ ଆମ ସଂସାରରେ ସବୁଠାରୁ ବଡ଼ ଦୁଃଖ । ମାତ୍ର, ଖିଅଗୁଡ଼ିକୁ ଥରେ ଆବିଷ୍କାର କରିନେଇ ପାରିଲେ ଓ ସେହି ଆବିଷ୍କାରକୁ ହିଁ ଜୀବନର ଅସଲ ପ୍ରେରଣା ରୂପେ କାମରେ ଲଗାଇ ପାରିଲେ ଦୁଃଖ ଦୂର ହୁଏ । ତା’ପରେ ଆଉ କେଉଁଠି ହେଲେ ଆଦୌ କୌଣସି ନର୍କ ରହିପାରେ ନାହିଁ, —କେବଳ ଦୁଆର ଖୋଲିଦେବା ଓ କାମରେ ଲାଗିବା ହିଁ ଏକମାତ୍ର ଧର୍ମରେ ପରିଣତ ହୋଇଯାଏ । ସେହି ଖିଅଟି ହେଉଛି ଅସଲ ସମ୍ପଦ, ସକଳ ମୁକ୍ତିର ଅସଲ କାରଣ । ସେହି ଖିଅଟି ଦ୍ଵାରା ହିଁ ଜାଣିବାକୁ ହୁଏ, ଖିଅଟି ଦ୍ଵାରା ଅନୁଭବ କରିବାକୁ ହୁଏ ଏବଂ ସେହି ଖିଅଟିକୁ ଧରି ବାଟ ଚାଲିବାକୁ ପଡ଼େ । ମଣିଷ ଅତ୍ୟନ୍ତ ବିମୂଢ଼ ଭାବରେ ଆତ୍ମକେନ୍ଦ୍ରୀ ଅର୍ଥାତ୍ ଅହଂବିଳାସୀ ହୋଇ ରହିଥିବା ପର୍ଯ୍ୟନ୍ତ ଖିଅଗୁଡ଼ାକୁ ମାୟା ବୋଲି କହୁଥାଏ । ଆପେ ମାୟାରେ ପଡ଼ିଥାଏ ବୋଲି ସିଏ ଏପରି କହୁଥାଏ ।

 

ଆମ ପିଲାମାନଙ୍କ ପାଖରେ ବାପାମାଆ ହିସାବରେ ଆମେ ମୂଳତଃ କୃତଜ୍ଞ ହୋଇ ରହିବା । ସେହିମାନେ ହିଁ ନିଜକୁ ନିମିତ୍ତରୂପେ ବ୍ୟବହାର କରି ଏହି ସଂସାର ସହିତ, ଏହି ସବୁଟି ସହିତ ଆମର ଖିଅ ଯୋଡ଼ି ରଖିଛନ୍ତି । ସେହିମାନେ ହିଁ ଏହି ସଂସାରରେ ଆମର ଯାବତୀୟ ପରିଚୟର ଦ୍ଵାର ହୋଇ ରହିଛନ୍ତି । ସେହିମାନେ ହିଁ ଏହି ସଂସାରରେ ଆମର ଯାବତୀୟ ପରିଚୟର ଦ୍ଵାର ହୋଇ ରହିଛନ୍ତି । ସେମାନେ ଆମକୁ ତାଙ୍କରି ଆଖିରେ ସଂସାରକୁ ଦେଖି ପାରିବା ଲାଗି କେତେ ଉତ୍ସାହ ନ ଦେଉଛନ୍ତି ! ସାନ ଗଛଟିଏ ମାଳିକୁ ପ୍ରେରଣା ଦିଏ, ଫୁଟି ଆସୁଥିବା କଢ଼ଟିଏ ଦେଖି ତପସ୍ଵୀ ପ୍ରେରଣା ପାଏ,—ଆମର ପିଲାମାନେ ଠିକ୍ ସେହିପରି ଆମକୁ ପ୍ରେରଣା ଦେବାରେ ଲାଗିଥାନ୍ତି । ବାପାମାଆ ହିସାବରେ, ଶିକ୍ଷକ ହିସାବରେ, ବୟସରେ ବଡ଼ ହୋଇ ଯାଇଥିବା ଜଣେ ମଣିଷ ହିସାବରେ, ସେହି ପ୍ରେରଣାର ଯୋଗ୍ୟ ହେବାକୁ ପଡ଼େ । ଯିଏ ଯୋଗ୍ୟ ହୁଏ, ସେଇ ଯାବତୀୟ ନର୍କରୁ ଉଦ୍ଧାର ପାଏ । ସମସ୍ତ ପୃଥିବୀକୁ ମଧ୍ୟ ସକଳ ପ୍ରକାରର ନର୍କ ଭିତରୁ ପରିତ୍ରାଣ କରାଇ ଆଣିବାରେ ସାହାଯ୍ୟ କରେ । ତେଣୁ, ଆମ ପିଲାମାନଙ୍କର ଆଖି ହିଁ ଆମର ଆଖିଗୁଡ଼ାକୁ ଶୁଦ୍ଧ ଓ ଆହୁରି ଅଧିକ ଶୁଦ୍ଧ କରି ପାରୁଥିବା ଦରକାର । ଶୁଦ୍ଧ ସହିତ ଖିଅ ଲଗାଇ ପାରିଲେ ଅଶୁଦ୍ଧଟାର ଅଶୁଦ୍ଧତା କଟେ । ନିଷ୍ପାପ ସହିତ ଖିଅ ଲଗାଇ ପାରିଲେ ପାପ କଟିଯାଏ । ସରଳ ଓ ସାବଲୀଳ ସହିତ ଖିଅ ଲଗାଇ ପାରିଲେ ଯାଇ ମିଛ ଜଟିଳତାଗୁଡ଼ାକର ଯାବତୀୟ ଫନ୍ଦିରୁ ରକ୍ଷା ମିଳେ । ବାହାରର ଯାବତୀୟ କର୍କଶତା ସତ୍ତ୍ୱେ ଆମ ନିଜ ଭିତରେ ଅସଲ ଗଭୀର ସ୍ତରଟିରେ ଯେ ଏକ ନିଷ୍ପାପ, କୋମଳ ତଥା ଆଲୋକବୋଳା ଶିଶୁ ଅବଶ୍ୟ ରହିଛି, ସିଏ ଯେ ଆମର ଦ୍ଵାରା ଖୋଲିବ ଓ ଗଣ୍ଠି ଫିଟିଯିବ ବୋଲି ଅପେକ୍ଷା କରି ରହିଛି, ସେତେବେଳେ ଆମକୁ ସେହି ସତ୍ୟଟିର ଦର୍ଶନ ମିଳିଯାଏ । ତା’ପରେ ଯାଇ ପିତୃତ୍ଵର ଅସଲ ଗୌରବର ଅଧିକାରୀ ହେବା ସମ୍ଭବ ହୁଏ । ସଖା ହୋଇ ପାରିଲେ ବାପା ମାଆ ଅସଲ ବାପା ମାଆ ହୋଇପାରନ୍ତି, ସଖା ହୋଇ ପାରିଲେ ଯାଇ ଶିକ୍ଷକ ଅସଲ ଶିକ୍ଷକ ହେବାର ଯୋଗ୍ୟ ହୋଇଥାଏ ।

 

ଜୁନ୍, ୧୯୮୬

Image

 

ନେତୃତ୍ଵ ଓ କର୍ତ୍ତୃତ୍ଵ

 

କର୍ତ୍ତା ଉପରେ ବସିଥାଏ, ସିଏ ଆଦେଶ ଦିଏ, ଆଦେଶ ଅନୁସାରେ ତଳେ ସବୁକିଛି ଚାଲେ । ନେତା ସାଙ୍ଗରେ ଥାଏ, ଏକାଠି ବାଟ ଚାଲୁଥାଏ । ସିଏ ହୁକୁମ ଦିଏନାହିଁ, ସମସ୍ତଙ୍କୁ ଏକତ୍ର କରେ, ଏକାଠି ବସାଏ । ସମସ୍ତେ ମିଳି ନିଷ୍ପତ୍ତିଟିଏ ବାହାର କରନ୍ତି । ନେତା ମଧ୍ୟ ସେହି ସମସ୍ତଙ୍କ ଭିତରେ ରହିଥାଏ । ନିଷ୍ପତ୍ତି ଗ୍ରହଣ କରିବାରେ ତା’ର ମଧ୍ୟ ଏକ ସକ୍ରିୟ ଭାଗ ରହିଥାଏ । ହୁଏତ ଅନ୍ୟମାନଙ୍କ ତୁଳନାରେ ସିଏ ସେଥିରେ ଅଧିକ ସକ୍ରିୟ ଭାବରେ ଅଂଶ ଗ୍ରହଣ କରେ । ନିଜେ ସକ୍ରିୟ ହୋଇ ସାଙ୍ଗରେ ଥିବା ଅନ୍ୟମାନଙ୍କୁ ସକ୍ରିୟ କରେ । ଅନ୍ୟମାନଙ୍କ ଭିତରେ ରହିଥିବା ନାନା ଜଡ଼ତାକୁ ସିଏ ତାହାରି ଦ୍ଵାରା ଭାଙ୍ଗେ । ନିଜର ଉତ୍ସାହ ଦ୍ଵାରା ଅନ୍ୟମାନଙ୍କୁ ସଂକ୍ରାମିତ କରେ-। ଏବଂ, ନିଷ୍ପତ୍ତିଟିଏ ଗୃହୀତ ହୋଇ ସାରିଲେ ସିଏ ହୁଏତ ଅନ୍ୟ ସମସ୍ତଙ୍କ ଅପେକ୍ଷା ଅଧିକ ସକ୍ରିୟ ଭାବରେ ନିଷ୍ପତ୍ତିଟିକୁ ପ୍ରକୃତରେ କାର୍ଯ୍ୟକାରୀ କରିବାରେ ଭାଗ ନିଏ । ଅର୍ଥାତ୍, ଅନ୍ୟମାନେ ଯେତିକି କରନ୍ତି, ସିଏ ତା’ ଠାରୁ ଅଧିକ କରେ ।

 

ଭାରତବର୍ଷର ପରମ୍ପରାରେ ନେତୃତ୍ଵର ଭାଗ କମ୍ ଏବଂ କର୍ତ୍ତୃତ୍ଵର ଭାଗ ବେଶୀ । ଏହାକୁ ଅତିବେଶୀ ବୋଲି କହିଲେ ମଧ୍ୟ ତଥାପି ମୋଟେ ଅତିବେଶୀ କୁହାଯିବ ନାହିଁ । ଭାରତୀୟ ପରିବାରରେ କର୍ତ୍ତୄତ୍ଵ ଭାଗଟାହିଁ ନିଜକୁ ସବୁଠାରୁ ଅଧିକ ଅନମନୀୟ ଭାବରେ ପ୍ରତିଷ୍ଠିତ କରି ରଖିଥାଏ । ଭାରତୀୟ ସମାଜରେ ବୟସ ନେତୃତ୍ଵ ଯେତେ ନଦିଏ, ତା’ଠାରୁ ଅନେକ ଗୁଣରେ କର୍ତ୍ତୄତ୍ଵର ହିଁ ଦାବି କରିଥାଏ । ଭାରତୀୟ ରାଜନୀତିରେ ଗତ ଚାଳିଶି ବର୍ଷ ହେଲା ସତେ ଯେପରି ନେତୃତ୍ଵ ହିଁ କ୍ରମଶଃ ଛିଣ୍ଡି ଛିଣ୍ଡି ଯିବାରେ ଲାଗିଛି ଏବଂ କର୍ତ୍ତୄତ୍ଵମାନେ ହିଁ ଯାବତୀୟ ଜାଗାଗୁଡ଼ିକୁ ଗିଳି ପକାଇବାରେ ଲାଗିଛନ୍ତି ! ଯାବତୀୟ କର୍ତ୍ତୃତ୍ଵ ପାଖରେ ସର୍ବତ୍ର ଯେଉଁ ଗୋଟିଏ ବୋଲି ଶିଙ୍ଗ ରହିଥାଏ, ତାହାକୁ କ୍ଷମତା ବୋଲି କୁହାଯାଏ । ନେତୃତ୍ଵ ଦେଇ ପାରିବାର ସାମର୍ଥ୍ୟ ଯେତିକି କମିଯିବାରେ ଲାଗିଥାଏ, କର୍ତ୍ତୄତ୍ଵର ଶିଙ୍ଗଟି ସେତିକି ଅଧିକ ହୋଇ କଅଁଳି ଉଠିବା ଲାଗି ସତେଅବା ଏକ ଆବଶ୍ୟକତା ଅନୁଭବ କରେ । କର୍ତ୍ତୄତ୍ଵ ଆପେ କିଛି ମାନେ ନାହିଁ । ନିଜର କଥା ଅଥବା ହୁକୁମଗୁଡ଼ାକୁ ନିରଙ୍କୁଶ ଭାବରେ କାର୍ଯ୍ୟକାରୀ କରିବା ଅଭିପ୍ରାୟରେ ତାହା ସର୍ବଦା ଅଧିକ କ୍ଷମତା ଆତ୍ମସାତ୍ କରିବା ପାଇଁ ବୁଲୁଥାଏ ।

 

ନେତୃତ୍ଵ ସାଙ୍ଗରେ ଥାଏ, ସମସ୍ତଙ୍କୁ ନେଇ ଆଗକୁ ଯିବାକୁ ହିଁ ସିଏ ଲକ୍ଷ୍ୟସାଧନର ଦୃଷ୍ଟିରୁ ଏକମାତ୍ର ସୁସ୍ଥ ଶୈଳୀ ବୋଲି ଭାବୁଥାଏ । ତେଣୁ ସମସ୍ତଙ୍କୁ ଅଧିକରୁ ଅଧିକ ପରିମାଣରେ ଯୋଗ୍ୟ କରି ଆଣିବାକୁ ଇଚ୍ଛା କରୁଥାଏ । କର୍ତ୍ତୄତ୍ଵ ଅଯୋଗ୍ୟମାନଙ୍କର ମେଳରେ ହିଁ ଆପଣାକୁ ଅଧିକ ନିରାପଦ ରହିଥିବା ପରି ଅନୁଭବ କରେ । ଅନ୍ୟମାନଙ୍କର ଅସହାୟତାରୁ ସିଏ ଅନେକ ଲାଭ ଉଠାଏ । ଏହି ଅସହାୟତାକୁ ହିଁ ଅନେକ ସମୟରେ ଆନୁଗତ୍ୟ ବୋଲି କୁହାଯାଏ । ଏବଂ, ଏକ କର୍ତ୍ତୄତ୍ଵପ୍ରଧାନ ସମାଜରେ ଆନୁଗତ୍ୟକୁ ଅତ୍ୟନ୍ତ ଯୁକ୍ତିଯୁକ୍ତ ଭାବରେ ମଣିଷର ଏକ ସର୍ବଶ୍ରେଷ୍ଠ ଗୁଣ ବୋଲି ମାନି ନିଆ ଯାଇଥାଏ ।

 

ଭାରତବର୍ଷରେ କର୍ତ୍ତୃତ୍ଵ ଦ୍ଵାରା ହିଁ ଅଧିକାଂଶ କ୍ଷେତ୍ରରେ ଯାବତୀୟ କାର୍ଯ୍ୟନିର୍ବାହ ହେଉଥାଏ ବୋଲି, ଜଣେ କର୍ତ୍ତା ବିଦାୟ ନେଇ ଚାଲିଯିବା ମାତ୍ରକେ ଚାରିଆଡ଼େ ସତେଅବା ଗୋଟାସୁଦ୍ଧା ଅନ୍ଧକାର ହୋଇଯିବା ପରି ମନେହୁଏ । କର୍ତ୍ତାମାନେ କର୍ତ୍ତୄତ୍ଵ କରୁଥିବା ବେଳେ ଜାଲ ଓ କୌଶଳଗୁଡ଼ାକୁ ଏପରି ଉପଯୁକ୍ତ ସଣ୍ଠଣା ସହିତ ବିସ୍ତାର କରି ରଖିଥାନ୍ତି, ଯେପରିକି ଯାବତୀୟ ଅବସରରେ ସମସ୍ତେ ସେହିମାନଙ୍କୁ ହିଁ ଅପରିହାର୍ଯ୍ୟ ବୋଲି ଅନୁଭବ କରୁଥା’ନ୍ତି । ଗୋଟିଏ ବରଗଛ ତଳେ ଯେପରି ଅନ୍ୟ କୌଣସି ଗଛ ଉଧେଇ ପାରେ ନାହିଁ, ଆମ କର୍ତ୍ତାମାନଙ୍କର ଛାଇରେ ସେହିପରି ଅନ୍ୟ କେହି ଉଧେଇ ପାରନ୍ତି ନାହିଁ । କର୍ତ୍ତାମାନେ ଅଧିକରୁ ଅଧିକ ଆଦରନ୍ତି,–ଅଧିକରୁ ଅଧିକ ହାତମୁଠାରେ ରଖିଥା’ନ୍ତି,—ଅନ୍ୟମାନେ ଅବଶ୍ୟ ଅକିଞ୍ଚନ ହୋଇଥିବେ ବୋଲି ସେମାନେ ଏକ ପରମ ସତ୍ୟ ବୋଲି ଗ୍ରହଣ କରି ନେଇଥା’ନ୍ତି । ତେଣୁ ଅନ୍ୟମାନଙ୍କୁ ଅକିଞ୍ଚନ କରି ରଖିବାରେ ଚେତନ ଏବଂ ଅଚେତନ ଉଭୟ ବିଧିରେ ହିଁ ଆବଶ୍ୟକ ସକଳ ବ୍ୟବସ୍ଥାକୁ ପକ୍କା କରି ରଖିଥାନ୍ତି । ଆପଣାକୁ ସଂସ୍ଥାନାମକ ଘରେ ସତେଅବା ଅପରିହାର୍ଯ୍ୟ ବାପଟିଏ ପରି ଅନୁଭବ କରୁଥା’ନ୍ତି । ଅନ୍ୟମାନଙ୍କୁ ବାପାମାଆ ଛେଉଣ୍ଡ ପିଲାଙ୍କ ସଦୃଶ ଦେଖୁଥାଆନ୍ତି । ସେମାନଙ୍କୁ ଶାସନ କରନ୍ତି, ସେମାନଙ୍କର ପ୍ରତିପାଳନ କରନ୍ତି, ସେମାନଙ୍କ ହାତର ବାଡ଼ିଟିଏ ହୋଇ ସେମାନଙ୍କୁ ବାଟ ଚଲାନ୍ତି,—ମାତ୍ର ବିଶ୍ଵାସ ଦେଇପାରନ୍ତି ନାହିଁ, ଆଖି ଦେଇପାରନ୍ତି ନାହିଁ । ସମ୍ମାନ ଓ ଶକ୍ତି ଦେଇପାରନ୍ତି ନାହିଁ । ଶକ୍ତିର ଅପହରଣ ହେବାରେ ହିଁ ଲାଗିଥାନ୍ତି । ତେଣୁ, ଉପରେ ଦେଖିବାକୁ କର୍ତ୍ତୄତ୍ଵର ନିର୍ଦ୍ଦେଶ ମାନି କାର୍ଯ୍ୟଗୁଡ଼ିକ ଯେତିକି ଧୁରନ୍ଧର ଭାବରେ ଚାଲିଥାଏ, ତେଣେ ଅନ୍ତଭିତରେ ଶକ୍ତିର ସେତିକି ଅବକ୍ଷୟ ଘଟିବାରେ ଲାଗିଥାଏ-। ଗୋଡ଼ ତଳର ମାଟିଗୁଡ଼ାକ ଖସି ଖସି ଯିବାରେ ଲାଗିଥାଏ ।

 

ଆମେ ଓଡ଼ିଶାରେ ଶିକ୍ଷାରେ ଏକ ଅନ୍ୟ ବାଟ ବାହାର କରିବୁ ବୋଲି ସଂକଳ୍ପ ଗ୍ରହଣ କରି ଯେଉଁ ନୂତନ ବିଦ୍ୟାଳୟଗୁଡ଼ିକ ଆରମ୍ଭ କରିଛୁ,—ସେଠାରେ ନେତୃତ୍ଵ ନା କର୍ତ୍ତୄତ୍ଵ, କାହା ବୋଲରେ କାମ ଚାଲିଛି ? ଆମ ଭିତରେ ଉତ୍ସାହର ହୁଏତ ଆଦୌ କୌଣସି ଅଭାବ ନାହିଁ, ନିଷ୍ଠାର ମଧ୍ୟ ଅଭାବ ନାହିଁ । ତଥାପି ଆମ ଭିତରେ ପୁରୁଣା ପୋକଗୁଡ଼ାକ ଏବେ ମଧ୍ୟ ଏଡ଼େ ପ୍ରବଳ ହୋଇ ରାଜତ୍ଵ କରିବାରେ ଲାଗିଛନ୍ତି ଯେ, ଆମେ ନୂଆ ବୋଲି ଯାହାକୁ ଆରମ୍ଭ କରିଦେଇଛୁ, ତାହାର ଶୃଙ୍ଖଳାରେ ଆପଣାକୁ ଆଦୌ ସମ୍ମତ କରାଇ ପାରି ନାହୁଁ । ଆମେ ପିଲାମାନଙ୍କ ସହିତ ଆମର ସମ୍ପର୍କଗୁଡ଼ିକରେ ନେତୃତ୍ଵର ଏକ ନିତାନ୍ତ ଗୌଣ ସ୍ଥାନହିଁ ରହିଛି,—କର୍ତ୍ତୃତ୍ଵ ଗୁଡ଼ାକହିଁ ସତେଅବା ଅତି ପ୍ରବଳ ହୋଇ ରହିଛି । ଏହି ନୂଆ ଘରଟିରେ ଆସି ପ୍ରବେଶ କରିବା ପୂର୍ବରୁ ଆମକୁ ଯୁଗ ଯୁଗ ଧରି ମାଡ଼ି ବସି ରହିଥିବା ଯେଉଁ ପୁରୁଣା ପ୍ରକୋପଗୁଡ଼ାକ ଅବଶ୍ୟ ବାହାରେ ହିଁ ଛାଡ଼ିଦେଇ ଆସିବାକୁ ପଡ଼ିଥାନ୍ତା, ସେହି ପ୍ରକୋପଗୁଡ଼ିକ ହିଁ ଆମକୁ ଅତ୍ୟନ୍ତ ହାସ୍ୟାସ୍ପଦ ଭାବରେ କାମୁଡ଼ି ଧରିଛି । ଆଖି ବୁଜି ଧ୍ୟାନ କଲାବେଳେ ଆମ ଠାକୁରଙ୍କ ପାଖରେ ଆମେ କେଡ଼େ ନିକୁଛିଆ ଭାବରେ କାନ ଧରି ନାକ ଘଷି ହେଉଛୁ ସତ, ମାତ୍ର ଆଖି ଖୋଲି ଆପଣାକୁ ଅଧିକରୁ ଅଧିକ ମଣିଷଙ୍କ ପାଖରେ ସବୁଠାରୁ ଅଧିକ ପାପୀ ବୋଲି ପ୍ରତିପାଦିତ କଲାବେଳେ ଆମେ ଗୋଟାସୁଦ୍ଧା ପାପିଷ୍ଠ ହୋଇ ଯାଉଛୁ ଓ ଧୃତିଗୁଡ଼ିକୁ ହରାଇ ଭାରି ପଦାରେ ପଡ଼ିଯାଉଛୁ । ଆମେ ଅନ୍ତର ଭିତରେ ପରସ୍ପରଠାରୁ ସତେଅବା ବହୁଯୋଜନ ଦୂରରେ ରହିଛୁ । ଆମର ଗଉଁଗୁଡ଼ାକ ଆମ ଭିତରେ ଥିବା କୋମଳ ଆତ୍ମାଟିକୁ ସତେଅବା ତ୍ରସ୍ତ କରି ରଖିବାରେ ହିଁ ଅଧିକ ଆନନ୍ଦ ଲାଭ କରୁଛି । ପୁରୁଣା ସଂସାରରେ ସଫଳତା ଅର୍ଜନ କରିବାର ମୃଗୟାରେ ମାତି ରହିଥିବା ବେଳେ ଯେଉଁ ଶିଙ୍ଗ ଓ ଯେଉଁ ନିଷଗୁଡ଼ାକ ଆମର ସବୁଠାରୁ ଅଧିକ କାମରେ ଲାଗି ପାରୁଛନ୍ତି, ଆମ ବିଦ୍ୟଳୟରୂପକ ବୋଲି ଆମେ ଅତ୍ୟନ୍ତ ଆସକ୍ତ ଭାବରେ ଏବେ ମଧ୍ୟ ବିଶ୍ଵାସ କରୁଛୁ ।

 

ସମ୍ଭବତଃ ସେହି ଅସଲ କାରଣଟି ସକାଶେ ହିଁ ଆମ ବିଦ୍ୟାଳୟଗୁଡ଼ିକରେ ଯଥାର୍ଥ ସହଯୋଗୀ ଟିମ୍‌ଟିଏ ସମ୍ଭବ ହୋଇ ପାରୁନାହିଁ । ଅର୍ଥାତ୍ ଅସଲ ନେତୃତ୍ଵର ରୀତିଟି ସମ୍ଭବ ହେବା ଲାଗି ଆହୁରି ବହୁ ପଥ ବାକି ରହିଛି । ଆମ ଭିତରେ ଘୋଡ଼ାମାନେ ବୋଲ ବତାଉଛନ୍ତି ଓ ମେଣ୍ଢାମାନେ ବୋଲ ମାନୁଛନ୍ତି । ମେଣ୍ଢାମାନଙ୍କର ଚୁଟି ଘୋଡ଼ାମାନଙ୍କର ହାତରେ ରହିଛି । ଏବଂ, ବଡ଼ ଓ ବୟସ୍କମାନଙ୍କ ଭିତରେ ଏହି ତାମସା ଲାଗି ରହିଥିବା ପର୍ଯ୍ୟନ୍ତ, ଏହି ବିଦ୍ୟାଳୟଗୁଡ଼ିକରେ ପିଲାମାନଙ୍କ ଲାଗି ଯେଉଁଭଳି ନେତୃତ୍ଵ ପ୍ରକୃତରେ ମିଳିବା ଉଚିତ, ତାହା ଆଶାନୁରୂପ ଅର୍ଥାତ୍ ଆବଶ୍ୟକ ଭାବରେ ଆଦୌ ମିଳିପାରୁ ନାହିଁ । ମଣିଷମାନଙ୍କ ମଧ୍ୟରେ ଯେଉଁମାନେ ବୁଢ଼ା ହୋଇ ସାରିଥାନ୍ତି, ସେହିମାନେ ଘୋଡ଼ା ହୋଇ ହୁକୁମ ଦେବାକୁ ମନ କରନ୍ତି ଏବଂ ମେଣ୍ଢା ହୋଇ ହୁକୁମ ମାନିବାକୁ ମନ କରନ୍ତି । ଅଥବା, ଅଧିକ ନିର୍ଭୁଲ ଭାବରେ କହିଲେ, ସେମାନେ ଏକାବେଳେକେ ଘୋଡ଼ା ଓ ମେଣ୍ଢା ଉଭୟ ଭୂମିକାରେ ହିଁ ଅବତୀର୍ଣ୍ଣ ହୋଇ ଥାଆନ୍ତି । ଉଚ୍ଚତରମାନଙ୍କ ପାଖରେ ମେଣ୍ଢା ହୁଅନ୍ତି ଓ ନିମ୍ନସ୍ଥମାନଙ୍କ ପାଖରେ ଘୋଡ଼ା ହୁଅନ୍ତି । ଯିଏ ଭିତରେ ତରୁଣ ହୋଇ ରହିଥାଏ, ସିଏ ଘୋଡ଼ା କିମ୍ବା ମେଣ୍ଢା କୌଣସିଟି ହେବାକୁ ମୋଟେ ମନ କରେ ନାହିଁ । ତରୁଣ ବାଟ ଚାଲେ,–ସାଙ୍ଗ ଖୋଜେ, ସାଙ୍ଗ ପାଏ । ସାଙ୍ଗ ପାଇବାକୁ ହିଁ ପରମ ଆଶୀର୍ବାଦ ବୋଲି ଗ୍ରହଣ କରେ-। ଅନ୍ୟମାନଙ୍କ ସହିତ ଏକତ୍ର ସମ୍ମିଳିତ ହୋଇ ଯଥାସମ୍ଭବ ଅଧିକ ସମ୍ମତ ଭାବରେ ଅନ୍ୟମାନଙ୍କଠାରୁ ଗ୍ରହଣ କରିବାକୁ ଏବଂ ଆପଣାକୁ ଦେବାକୁ ତରୁଣ କଦାପି କୁଣ୍ଠିତ ହୁଏ ନାହିଁ । ବୁଢ଼ା କୌଣସି ବାଟ ଚାଲିବ ନାହିଁ ବୋଲି ନିଜ ଭିତରର ଭୀରୁ ଠାକୁରଟି ପାଖରେ ହଲପ କରି ସାରିଥାଏ । ଏବଂ ବାହାରେ କର୍ତ୍ତୄତ୍ଵ ଦେଖାଇ ଓ କର୍ତ୍ତୁତ୍ଵ ମାନି ସିଏ ଭିତରର ସେହି ଗ୍ଳାନି ନିମନ୍ତେ କ୍ଷତିପୂରଣ ଖୋଜି ବୁଲୁଥାଏ । ସିଏ ଆମ ସ୍ଵପ୍ନଗୁଡ଼ାକୁ ପଣ୍ଡ କରିଦେବାରେ ଭାରି ସାହାଯ୍ୟ କରେ-

 

ଆଧ୍ୟାତ୍ମିକତାରେ କର୍ତ୍ତୃତ୍ଵ ନଥାଏ, ନେତୃତ୍ଵ ଥାଏ । ଆଧ୍ୟାତ୍ମିକ ମଣିଷର ଚକ୍ଷୁ ଉଚ୍ଚ ଦେଖେ ନାହିଁ କିମ୍ବା ନିମ୍ନ ବି ଦେଖେ ନାହିଁ । ଆଧ୍ୟାତ୍ମିକତା ସକଳ ପ୍ରକାର କ୍ଷମତାକୁ ମାୟା ବୋଲି ଜ୍ଞାନ କରେ । ସିଏ ଶକ୍ତି ଉପରେ ହିଁ ଆସ୍ଥା ରଖିଥାଏ । ସେହି ଶକ୍ତି ହେଉଛି ସତତ ସ୍ପର୍ଶ କରି ରହିଥିବାର ଶକ୍ତି, ତାଙ୍କରି କାର୍ଯ୍ୟରେ ତାଙ୍କରି ଦ୍ଵାରା ନିମିତ୍ତ ରୂପେ ନିର୍ବାଚିତ ହୋଇ ବାଟ ଚାଲୁଥିବାର ଶକ୍ତି । ସେହି ଶକ୍ତି ଭିତରେ ରହିଥିବା ସବୁଯାକ ଗଉଁକୁ ମାରିଦିଏ । ଅନ୍ୟମାନଙ୍କ ଭିତରେ ମଧ୍ୟ ସିଏ ସେହି ଶକ୍ତିର ଅନୁଭବ କରୁଥାଏ । ତେଣୁ ଅନ୍ୟମାନଙ୍କୁ ସଙ୍ଗୀରୂପେ ପାଏ । ଜୀବନ ସହିତ ଜୀବନକୁ, ବ୍ୟକ୍ତି ସହିତ ବ୍ୟକ୍ତିକୁ ଏକାଠି ଯୋଡ଼ି କରି ରଖିଥିବା ସୂତ୍ରଟିର ସନ୍ଧାନ ପାଇପାରିଲେ ମଣିଷ ଆଉ କର୍ତ୍ତୃତ୍ଵ ଆଡ଼କୁ ମନ କରେ ନାହିଁ । ତା’ପରେ ସିଏ ମୋଟେ କାହାକୁ ଗିଳି ପକାଇ ଅଧିକ ଗୁରୁ ଅଥବା ଅଧିକ ଗରୁ ହୋଇ ଦିଶିବ ବୋଲି ଆଦୌ ଆଗ୍ରହ ଦେଖାଏ ନାହିଁ । ସୂତ୍ରଟିକୁ ଚିହ୍ନିଥିବା ଓ ସୂତ୍ରକୁ ଅନୁଭବ କରି ପାରୁଥିବା ମଣିଷମାନେ ଏକାଠି ହେଲେ ଯାଇ ଏକ ଯଥାର୍ଥ ଟିମ୍‍ର ପ୍ରତିଷ୍ଠା ସମ୍ଭବ ହୋଇଯାଏ । ତା’ପରେ ହୁଏତ ଉପରେ କେହି ଉଚ୍ଚ ହୋଇ ବସି ନଥାନ୍ତି କିମ୍ବା ନିମ୍ନରେ କେହି ନୀଚ ହୋଇ ରହିନଥାନ୍ତି ସତ, ମାତ୍ର ତଥାପି ନେତୃତ୍ଵର ପରିଚାଳନାରେ ହିଁ ସବୁକିଛି ଚାଲେ । ସମସ୍ତଙ୍କ ଦ୍ଵାରା ସ୍ଵୀକୃତ ହୋଇଥିବା ସତ୍ୟ ଅଥବା ଲକ୍ଷ୍ୟ ହିଁ ନେତୃତ୍ଵ ଦିଏ । ସମସ୍ତଙ୍କ ଦ୍ଵାରା ସ୍ଵୀକୃତ ହୋଇଥିବା ସତ୍ୟ ଅଥବା ଲକ୍ଷ୍ୟ ହିଁ ନେତୃତ୍ଵ ଦିଏ । ସମସ୍ତେ ନିଜକୁ ନିମିତ୍ତ ପରି ଅନୁଭବ କରୁଥାନ୍ତି । ତେଣୁ, ଘୋଡ଼ା ହେବାର କିମ୍ବା ମେଣ୍ଢା ହେବାର ଆଦୌ କୌଣସି ପ୍ରୟୋଜନ ରହେ ନାହିଁ ।

 

ନେତୃତ୍ଵ ପରିଚାଳନା କରାଇନିଏ, ଗିଳି ପକାଏ ନାହିଁ । କର୍ତ୍ତୃତ୍ଵ ଗିଳି ପକାଏ । ନେତୃତ୍ଵର କ୍ଷେତ୍ରରେ ଯେଉଁମାନେ ଆଗରେ ଥାଆନ୍ତି, ସେମାନେ ଉତପ୍ରେରକ ରୂପେ କାର୍ଯ୍ୟ କରନ୍ତି । ପଛରେ ରହିଥିବା ମଣିଷମାନଙ୍କୁ ସେମାନେ ଉତପ୍ରେରକ ରୂପେ କାର୍ଯ୍ୟ କରନ୍ତି । ପଛରେ ରହିଥିବା ମଣିଷମାନଙ୍କୁ ସେମାନେ ଯୋଗ୍ୟରୁ ଯୋଗ୍ୟତର କରିନେବାରେ ହିଁ ସତତ ସାହାଯ୍ୟ କରୁଥାନ୍ତି । ଅନ୍ୟ ସହଯାତ୍ରୀମାନଙ୍କ ଭିତରେ ରହିଥିବା ସର୍ବୋତ୍ତମ ଗୁଣ, ଶକ୍ତି ତଥା ସମ୍ଭାବନାଗୁଡ଼ିକୁ ସେମାନେ ଅତ୍ୟନ୍ତ କୋଳାହଳରହିତ ଭାବରେ ଉଦବୋଧିତ କରାଇ ଆଣନ୍ତି । ଅନ୍ୟମାନଙ୍କୁ ଆପଣାଠାରୁ ସାନ କରି ନଦେଖିଲେ କର୍ତ୍ତୃତ୍ଵର ପେଟ ଆଦୌ ପୂରେ ନାହିଁ । ତେଣୁ ଯାବତୀୟ ଅଗ୍ରଗତିରେ ଯଥାସମ୍ଭବ ଏକ ବାଧା ରୂପେ ଛିଡ଼ା ହୋଇ ରହିବାକୁ ହିଁ ତାହା ସତେଅବା ନିଜର ଧର୍ମ ବୋଲି ଗ୍ରହଣ କରି ନେଇଥାଏ । ଆମ ବିଦ୍ୟାଳୟମାନଙ୍କରେ କର୍ତ୍ତୃତ୍ଵବିଶ୍ଵାସୀ ଶିକ୍ଷକମାନେ ପିଲାମାନଙ୍କୁ ନାନାବିଧ କ୍ଷମତା-ପ୍ରଦର୍ଶନ ଦ୍ଵାରା ଅଧିକରୁ ଅଧିକ ନ୍ୟୂନ କରି ରଖିବାର ନାନାବିଧ ଉଗ୍ର ଚକ୍ରାନ୍ତ କରିବାରେ ଲାଗିଥାଆନ୍ତି । କର୍ତ୍ତୃତ୍ଵବିଶ୍ଵାସୀ ପରିଚାଳକମାନେ ଶିକ୍ଷକମାନଙ୍କୁ ସତେଅବା ନିତାନ୍ତ ଅସହାୟ କୁକ୍‌କୁଟଶାବକ ପରି ଦେଖିବାରେ ଲାଗିଥା’ନ୍ତି । ଏମାନେ ଅସଲ ଉଦ୍ୟମ ଓ ଅସଲ ଆକାଙ୍‌କ୍ଷାଗୁଡ଼ିକର ପଥ-ଅବରୋଧ କରିବାରେ ହିଁ ସାହାଯ୍ୟ କରନ୍ତି । ନୂତନ ଉଦ୍ୟମଟି ଲାଗି ପୁରାତନ କର୍ତ୍ତୃତ୍ଵଗୁଡ଼ିକର ଆଦୌ କୌଣସି ପ୍ରୟୋଜନ ନାହିଁ । ନୂତନ ଉଦ୍ୟମଟି ଲାଗି ଏକ ନୂତନ ନେତୃତ୍ଵହିଁ ଆବଶ୍ୟକ । ଆମେ ସମସ୍ତେ ସେହି ନେତୃତ୍ଵ ଲାଗି ବାଟ ଛାଡ଼ିଦେବା, ଆମେ ସମସ୍ତେ ସେହି ନେତୃତ୍ଵର ଯୋଗ୍ୟ ହେବା ।

 

ସେଥିସକାଶେ ଆମ ପୁରୁଣାମାନଙ୍କୁ ନିଜ ଭିତରେ ଅନେକ ସୋପାନ ଅତିକ୍ରମ କରିବାକୁ ପଡ଼ିବ,—ଆହୁରି ଅନେକ ପରିମାଣରେ ଅଧିକ ସମ୍ମତ ହେବାକୁ ପଡ଼ିବ । ସମ୍ମତ ହେଲେ ଯାଇ ଆମେ ଆମ ପରସ୍ପରକୁ ଏକାଠି କରି ବାନ୍ଧି ରଖିଥିବା ସୂତ୍ରଟିକୁ ଅନୁଭବ କରି ପାରିବା;—ନିଜ ଭିତରେ ଅନୁଭବ କରି ପାରିବା, ନିଜ ବାହାରେ ବି ଅନୁଭବ କରି ପାରିବା । ସେହି ଅନୁଭୂତି ଆମକୁ ଏକ ନୂତନ ଆଖି ଆଣିଦେବ । ସେଇ ଆଖିରେ ଦେଖିଲେ ଆମକୁ ଆଉ କେହିହେଲେ ଗୋଡ଼ିମାଟି ପରି ମୋଟେ ଦିଶିବେ ନାହିଁ । ସେମାନେ ମଣିଷ ପରି ଦିଶିବେ, ସନ୍ତାନ ପରି ଦିଶିବେ, ଆମର ସତୀର୍ଥରୂପେ ଦିଶିବେ ।

 

ଜୁଲାଇ,୧୯୮୬

Image

 

ପିଲାର ଆଦର୍ଶ

 

ଗୋଟିଏ ଘରେ ବାପା ଆଉ ମାଆ ନିଜ ପୁଅଝିଅମାନଙ୍କୁ ବସାଇ ଭବିଷ୍ୟରେ ଏକ ଆଦର୍ଶ ଜୀବନ ଗଢ଼ିବାର ସପକ୍ଷରେ ଯୁକ୍ତି ଦେଖାଇ କେତେ କଥା କହୁଥିଲେ ଏବଂ ସେମାନଙ୍କର ମନକୁ ସେହିପରି ଭାବରେ ଆକୃଷ୍ଟ କରିବାକୁ ଚେଷ୍ଟା କରୁଥିଲେ । ବଡ଼ ହୋଇ ଦିଶିବା ପରି କ’ଣଟିଏ ହେବା, ଡାକ୍ତର ହେବା ଅଥବା ଇଞ୍ଜିନିୟର ହେବା, ନିଜ ଜୀବନରେ ସମବୟସୀ ଅନ୍ୟମାନଙ୍କର ତୁଳନାରେ ପ୍ରକୃତରେ କିଛି ଅଧିକ କଥା ସାଧ୍ୟ ଓ ହାସଲ କରି ଦେଖାଇଦେବା, ନିଜର ବୁଦ୍ଧି, ବୃତ୍ତି ଏବଂ ମନୀଷାକୁ ସେହି ଉଦ୍ଦେଶ୍ୟରେ ନିୟୋଜିତ କରି ରଖିବା,—ମାଆବାପା ଭାରି ଉତ୍ସାହରେ ଛୁଆଙ୍କ ଆଗରେ ସେହିସବୁ କଥା କହି ଯାଉଥିଲେ । ପୁଅ ଓ ଝିଅମାନେ ଶୁଣୁଥିଲେ ଓ ପ୍ରତିବାଦ କରୁଥିଲେ । ଝଗଡ଼ା କରୁ ନଥିଲେ, ପ୍ରତିବାଦ କରୁଥିଲେ; ଏବଂ ସେତିକିରେ ମଧ୍ୟ ବାପାମାଆଙ୍କୁ ଭାରି ନିରାଶ କରି ଦେଉଥିଲେ ।

 

ପିଲାମାନଙ୍କର ଯୁକ୍ତି ମଧ୍ୟ ଆଦୌ ଅବୋଧ୍ୟ ନୁହେଁ । ସଂସାରରେ ବଡ଼ ହୋଇ କେଉଁଠି କୋଉମାନେ କ’ଣ କରି ପକାଇଲେ ଯେ ସେମାନେ ମିଛଟାରେ ସେପରି ଗୋଟାଏ କଥାରେ ମାତି ଜୀବନଯାକ ଭୂଆଁ ବୁଲିବେ ? ଅଧିକ ପରିଶ୍ରମ କରି ଲାଭ କ’ଣ,—ଯେମିତି ସେମିତି ପାସ୍‌ଟାଏ କରି ପକାଇଲେ ତ ଚଳିବ ! ତେଣୁ ଭଲ ଫଳ ଦେଖାଇବା ପାଇଁ ସେମାନେ ମିଛଟାରେ କାହିଁକି ବୋକା ମଣିଷଙ୍କ ପରି ଦିନରାତି ପଢ଼ିବେ,—ଯେତିକି ଅତି କମ୍ ଚେଷ୍ଟା ଦ୍ଵାରା ମଧ୍ୟ ସମ୍ଭବ ହେବ, ସେମାନେ ସେତିକିରୁ ଅଧିକ ପାଇଁ କାହିଁକି ମନ କରିବେ, କାହିଁକି ସେମାନେ ଅନ୍ୟ କାହାପରି ହେବେ ?—ଇତ୍ୟାଦି, ଇତ୍ୟାଦି । ନାଇଁ,—ସେମାନେ ଶହେରେ ଅଠାନବେ ଜଣଙ୍କ ପରି ହେବେ, ଯଥାସମ୍ଭବ ଅଳପ ଖଟିବେ, ଯଥାସମ୍ଭବ ଅଧିକ ଆରାମରେ ବି ରହିବେ,—ଏହି ସଂସାରରେ ସେମାନେ ଅନାମଧେୟ ହୋଇ ରହିବେ । ଅନାମଧେୟ ରହି ଯଦି ଜୀବନର ସବୁଯାକ ସୁଖ ଏବଂ ଆରାମ ଲାଭ କରି ହେଲା, ତେବେ ଅଧିକ ପାଇଁ ଆଉ କି ପ୍ରୟୋଜନ ରହିଛି ? ଜୀବନଟା ଖୁସିରେ କଟିଯିବ,—ଏକ ଆନନ୍ଦମୟ ରୁଟିନ୍ ଭିତରେ ଜୀବନଟାଯାକ ଏପରି ମନୋରମ ଅଥଚ ଅବିକ୍ଷୁବ୍ଧ ଭାବରେ କଟି ଯାଉଥିବ ଯେ, ଜୀବନ ବଞ୍ଚୁଛ ବୋଲି ମୋଟେ ମନେ ହେବ ନାହିଁ । ଗୋଟାଏ ପାହାଚରୁ ଆଉ ଗୋଟାଏ ପାହାଚକୁ ଉଠିବାର କୌଣସି କଷ୍ଟ କରୁଥିବାର ଅନୁଭବ ହେଉ ନଥିବ । ନିଜ ଭିତରକୁ ଓ ନିଜ ବାହାରକୁ ତୁଚ୍ଛା ସମତଳ ଭାବରେ ଚିହ୍ନା ବାତଗୁଡ଼ାକ ପଡ଼ିଥିବ । ସେହି ସମତଳରେ ନିଜ ପାଇଁ କୁନି କଣଟିଏ ବାଛି ନେଇ, ସେଇଠାରେ ଘର, ଦୁଆର ଆଉ ସଂସାର କରି ପ୍ରାୟ ଏକ ବ୍ୟକ୍ତିଗତ ଭୋଗ ଏବଂ ବ୍ୟକ୍ତିଗତ ଶାନ୍ତିର ନିକାଞ୍ଚନ ମଧ୍ୟରେ ଜୀବନଟାକୁ ସାରିଦେଲେ ତାହାହିଁ ସବୁଠାରୁ ଭଲ ହେବ ।

 

ପୂର୍ବକାଳରେ ମଧ୍ୟ ମନୁଷ୍ୟର ଜୀବନକୁ ଅନିତ୍ୟ ବୋଲି କୁହା ଯାଉଥିଲା । ମାତ୍ର ଏହି ଅନିତ୍ୟ ଜୀବନର ଚିହ୍ନା ସମତଳଟି ମଧ୍ୟରେ ବାନ୍ଧି ହୋଇ ନରହି ଆଉକିଛି ଅଧିକର ଅନ୍ଵେଷଣ ନିମନ୍ତେ ସମ୍ଭବତଃ ମଣିଷକୁ ଏକ ଉଦବୋଧନ ଦେବା ଲାଗି ହିଁ ସେ ଯୁଗରେ ସେପରି କୁହା ଯାଉଥିଲା । ଏକ ଅଧିକ ଲାଗି ବାସନାଗୁଡ଼ାକୁ ଉତ୍ତୋଳିତ କରି ପାରିବା ଲାଗି, ଆମ ଚାରିପାଖରେ ଯେତିକି ଅଛି, ତାହାକୁ ଅଳପ ବୋଲି କୁହା ଯାଉଥିଲା । ସତ୍ୟ ଆଡ଼କୁ ପରିଚାଳିତ କରାଇବାର ଆଳରେ ଏହି ନିତ୍ୟନୈମିତ୍ତିକତାର ରୁଟିନ୍‌ଗୁଡ଼ାକୁ ହିଁ ମାୟା ବୋଲି କୁହା ଯାଉଥିଲା । ଯେଉଁମାନେ ସଂସାର ଛାଡ଼ିଥିଲେ, ସେମାନେ ଅଧିକ କିଛିର ସନ୍ଧାନରେ ସଂସାର ଛାଡ଼ୁଥିଲେ । ଆଉ ଏକ ସ୍ତର ଲାଗି ସ୍ପୃହାକୁ ବଢ଼ାଇବା ଲାଗି ହୁଏତ ଏଠାରୁ ଏହି ନିତିଦିନିଆ ସବୁକିଛିଠାରୁ ସ୍ପୃହା ଛଡ଼ାଇ ନିଆ ଯାଉଥିଲା । ମାତ୍ର ଆମ ପିଲାମାନଙ୍କ ଭିତରେ ଏବେ ଯେଉଁ ନିସ୍ପୃହତା ଏଡ଼େ ପ୍ରବଳ ହୋଇ ସେମାନଙ୍କର ପ୍ରାୟ ସବୁଯାକ ଆଖିକୁ ଏହି ଅଳପ ଭିତରେ ବାନ୍ଧି କରି ରଖିଛି, ସେହି ନିଷ୍ପୃହତା ପ୍ରକୃତରେ ଏକାବେଳେକେ ଏକ ଅନ୍ୟ ପ୍ରକାରର ନିଷ୍ପୃହତା । ଏହା ହେଉଛି ଅଲୋଡ଼ାମାନଙ୍କର ନିଷ୍ପୃହତା, ଅବସାଦରେ ରୁଷି ବସିଥିବା ଅର୍ଜୁନମାନଙ୍କର ନିଷ୍ପୃହତା ।

 

ଏବର ପିଲାମାନଙ୍କର ନିଷ୍ପୃହତା ପଛରେ ଏକ ପରାଜୟ-ବୋଧ ରହିଛି, ଏକ ଭୋଗଲିପ୍‌ସା ରହିଛି, ଏକ ମୋହଭଙ୍ଗ ମଧ୍ୟ ରହିଛି । ସର୍ବପ୍ରଥମେ ଭୋଗର ଲିପ୍‌ସା । ବର୍ତ୍ତମାନର ସମାଜରେ ଯେଉଁମାନେ ସର୍ବୋଚ୍ଚ ଆସନରେ ସବା ଉପରେ ଅଛନ୍ତି, ଯେଉଁମାନେ ଆମର ଏହି କାଳଟାକୁ ପାଞ୍ଚଣ ଧରି ଚଳାଉଛନ୍ତି ଓ ସେହିମାନଙ୍କ ପାଇଁ ଆୟୋଜିତ ହୋଇ ରହିଥିବା ମଞ୍ଚମାନଙ୍କରୁ ପ୍ରାୟ ସବୁଯାକ କଥା କହୁଛନ୍ତି ଓ ସବୁଯାକ ସ୍ଵୀକୃତି ପାଉଛନ୍ତି, ସେମାନେ ଯେ ସମସ୍ତେ ମୂଳତଃ ଭୋଗୀ, ସେକଥା ଆମ ପିଲାମାନେ ଆବିଷ୍କାର କରି ସାରିଲେଣି । ସବାବଡ଼ମାନେ ପୃଥିବୀଯାକର କଥା କହୁଛନ୍ତି ସିନା, ମାତ୍ର ଆପଣା ତୃଷ୍ଣାଗୁଡ଼ିକର ନିବିଡ଼ ଗଡ଼ିଆମାନଙ୍କରେ ସେମାନେ କେବଳ ଭୋଗିବାକୁ ହିଁ ସବାଆଗ ମନ କରୁଛନ୍ତି, ସେମାନେ ଲକ୍ଷ୍ମୀଙ୍କୁ ଭୋଗୁଛନ୍ତି ସରସ୍ଵତୀଙ୍କୁ ଭୋଗ କରୁଛନ୍ତି, ସାହିତ୍ୟ ଓ ସଂସ୍କୃତି ସବୁକିଛି ସତେଅବା ଏହିମାନଙ୍କର ଭୋଗଘରର ଖାତାରେ ଲେଖା ହୋଇ ରହିଛି । ଠାକୁରମାନେ ମଧ୍ୟ ଖାସ୍ ଏହିମାନଙ୍କର ଭୋଗମଣ୍ଡପ ଓ ଜଗମୋହନମାନଙ୍କରେ ଦ୍ଵାରପାଳ ହୋଇ ଠିଆ ହୋଇଛନ୍ତି । ସେମାନେ ସତେଅବା ସଂସାରର ସବୁ କପଟ ସହିତ ପରିଣୟ-ସୂତ୍ରରେ ଏପରି ଆବଦ୍ଧ ହୋଇ ପାରିଛନ୍ତି ଯେ, ଏମାନେ ଯେତିକିର ଅଧିକାରୀ ନୁହନ୍ତି, ତାହାର ଶହେଗୁଣ ଅଧିକକୁ ମାଡ଼ିବସି ରହି ପାରୁଛନ୍ତି । ଆମ ପିଲାମାନେ ଏମାନଙ୍କୁ ବେଳରେ ଅବେଳରେ, ପାତ୍ରରେ ଅପାତ୍ରରେ, ଯାଉଣୁ ଆସୁଣୁ ସବୁବେଳେ ଦେଖୁଛନ୍ତି; ଏବଂ ଏମାନଙ୍କ ପାଖରେ ଭୋଗର ସାମଗ୍ରୀଗୁଡ଼ାକ ହିଁ ବହୁଳ ଭାବରେ ରହିଥିବାରୁ ଏମାନେ ଏଡ଼େ ନିପୁଣତା ସହିତ ସାମୂହିକ ଜୀବନଟାକୁ ଆପଣାର ମୃଗବିହାର କରି ରଖି ପାରିଛନ୍ତି ବୋଲି ପିଲାମାନଙ୍କର ନାନା କାରଣରୁ ଏକ ହୃଦବୋଧ ହୋଇ ଯାଇଛି । ବଡ଼ମାନେ ଯାହାସବୁ ଭୋଗ କରୁଛନ୍ତି, ସେଗୁଡ଼ାକୁ ସେମାନେ ପ୍ରକୃତରେ କମାଇ ନାହାନ୍ତି । ସେମାନେ ସେସବୁର ଯୋଗ୍ୟ ନୁହନ୍ତି, ସେମାନେ ତାହା ଆତ୍ମସାତ୍ କରିଛନ୍ତି । ଏହି ପିଲାମାନେ ମଧ୍ୟ ସେହିପରି ଭୋଗ କରିବେ ବୋଲି ଇଚ୍ଛା କରୁଛନ୍ତି; ନକମାଇ, ଭାଜନ ନହୋଇ ଭୋଗ-ବଜାରର ଯାବତୀୟ ବସ୍ତୁର କର୍ତ୍ତା ହୋଇ ରହିବେ ବୋଲି ମନ କରୁଛନ୍ତି ।

 

ଏବଂ ସେଇଥିରୁ ହିଁ ସେମାନଙ୍କ ଭିତରେ ଏକ ଦାରୁଣ ପରାଜୟ-ବୋଧ ଆସି ଦେଖା ଦେଇଛି । ସେମାନେ ଯାହା ଚାହୁଁଛନ୍ତି, ତାହା ପାଉ ନାହାନ୍ତି । ସାମଗ୍ରୀଗୁଡ଼ାକ ଅତ୍ୟନ୍ତ କମ୍, ଅଥଚ ଭୋଗାକାଂକ୍ଷୀମାନେ ବହୁସଂଖ୍ୟକ । ପୁନଶ୍ଚ, ଏକ କର୍ମବାଦୀ ଦେଶରେ ସମସ୍ତଙ୍କର କର୍ମଗଛରେ ଯେ ଫଳଗୁଡ଼ାକ ମୋଟେ ଫଳିବ ନାହିଁ, ସେମାନଙ୍କର ରକ୍ତ ଭିତରେ ରହିଥିବା ସେହି ଆଦିବିଶ୍ଵାସଟି ସତେଅବା କଣ୍ଟା ଫୋଡ଼ି ପକାଇଲା ପରି ସେମାନଙ୍କୁ ସେହି କଥାଟିକୁ ଆସି କହିଦେବାରେ ଲାଗିଛି । ଅବସାଦରୁ ଉଗ୍ରତା ଜନ୍ମୁଛି । ମୁଁ ନିଜେ କାହିଁକି ଏହି ସଂସାରରେ ସବୁଠାରୁ ଅଧିକ ତେଜବାଲା ଏକ କର୍ମ ନେଇ ଜନ୍ମ ହେଲି ନାହିଁ ବୋଲି ନିଜ ବିଷୟରେ ଏକ ଉତ୍‍ଶୃଙ୍ଖଳ ଗ୍ଲାନିଭାବ ଆସି ଗ୍ରାସ କରି ପକାଉଛି । ଏହି ସବୁକିଛିକୁ ଗୋଟାଏ ଗୋଇଠାରେ ଭାଙ୍ଗି ପକାଇବାକୁ ମନ ହେଉଛି । ମାତ୍ର, ସତକୁ ସତ ଭାଙ୍ଗି ପାରିବା ସକାଶେ ଭିତରେ ଯେଉଁ କାଢ଼ ରହିଥିବା ଦରକାର, ସେହି କାଢ଼ ଆଦୌ ନାହିଁ । ତେଣୁ ଆପଣା ଉପରେ ଦାଉ ସାଧିବା ହିଁ ସାର ହେଉଛି, ଆପଣା ଭିତରେ ସଇସ ହୋଇ ଆପଣା ଭିତରର ଘୋଡ଼ାଟାକୁ ପିଟିବା ସକାଶେ ଭାରି ମନ ହେଉଛି । ଆପଣାକୁ ଯଥାସମ୍ଭବ ବୈଚିତ୍ର୍ୟହୀନ ଏବଂ ସମତଳସ୍ଥ କରି ରଖି, ଆଗରେ ପଡ଼ି ରହିଥିବା ପାହାଚଗୁଡ଼ିକୁ ଓଗାଳି ରଖି ନିଜକୁ କଦାପି ଆଗକୁ ଯିବାକୁ ନଦେବାର ପଣ କରି ସେହି ପ୍ରତିଶୋଧ ନିଆଯାଉଛି । ଆଧୁନିକ ନାନା ବିନୋଦନ ଏବଂ ଅହେତୁକ କାଳକ୍ଷେପଣଗୁଡ଼ିକ ସେହି ଆତ୍ମ-ଉତ୍ପୀଡ଼ନ ଏବଂ ଆତ୍ମ-ପ୍ରତିଶୋଧର ଜ୍ଵାଳାଗୁଡ଼ିକୁ ଯଥାସମ୍ଭବ ଭୁଲି କରି ରହିବାରେ ଭାରି ସାହାଯ୍ୟ କରୁଛି । ତରୁଣମାନେ କେଡ଼େ ଚିତ୍ତାକର୍ଷକ ଭାବରେ ତାରୁଣ୍ୟ ପାଖରୁ ସନ୍ନ୍ୟାସ ଗ୍ରହଣ କରି ପାରୁଛନ୍ତି । ଏହି ପ୍ରତ୍ୟାହାର ପ୍ରକୃତରେ ଭାରି ପୀଡ଼ା ଦେଉଛି, ତଥାପି ଅନାମଧେୟ ଭାବରେ ଉପଲବ୍ଧ ହେଉଥିବା କେତେଟା ଅତ୍ୟନ୍ତ ମାମୁଲି ଭୋଗର ମିଛ ଉଚ୍ଚାଟନ ମଧ୍ୟରେ ବୁଡ଼ିରହି ସେହି ପୀଡ଼ାରୁ ନିଜକୁ ଭୁଲାଇ ରଖିବାକୁ ଚେଷ୍ଟା କରାଯାଉଛି । ପୀଡ଼ାର ପ୍ରତିକାର କରିବାକୁ ଅଣ୍ଟା ନାହିଁ, ପୀଡ଼ାର ପ୍ରତିକାର ହୋଇପାରିବ ବୋଲି ବିଶ୍ୱାସ ମଧ୍ୟ ନାହିଁ ।

 

ସେମାନଙ୍କର ଶେଷ ଦୁଃଖଟି ହେଉଛି ମୋହଭଙ୍ଗର ଦୁଃଖ । ସେମାନେ ଯେତେବେଳେ ସାନ ହୋଇଥିଲେ, ସେତେବେଳେ ଆମେ ସେମାନଙ୍କୁ କେତେ ନା କେତେ ମୋହ ଭିତରେ ନେଇ ରଖିଥିଲୁ । ଆମେ ସେମାନଙ୍କୁ କେଡ଼େ ଗେହ୍ଲା କରି ରଖିଥିଲୁ, ସେମାନେ ସରଗର ଚାନ୍ଦ ମାଗିଲେ ମଧ୍ୟ ଆମେ ସେମାନଙ୍କୁ ସେହି ସରଗର ଚାନ୍ଦ ମଧ୍ୟ ଆଣି ଯୋଗାଇ ଦେଇ ପାରିବୁ ବୋଲି ସେମାନଙ୍କ ମଧ୍ୟରେ ଆମେ କେତେ ପ୍ରତ୍ୟୟ ଜନ୍ମାଇ ରଖିଥିଲୁ । ଆମ ବାପାମାଆଙ୍କ ଲାଗି ସେମାନେ ଏହି ପୃଥିବୀର ସତେଅବା ଏକମାତ୍ର ପିଲା ହୋଇ ରହିଥିଲେ । ସେମାନେ ବଡ଼ ହେଲେ, ନିଜର ହେତୁଗୁଡ଼ିକୁ ଦେଇ ଜଗତକୁ ଦେଖିଲେ । ସେମାନଙ୍କ ଆଗରେ ଆମେ ଜଗତର ଯେଉଁ ଛବିଟିକୁ ନେଇ ରଖିଥିଲୁ, କଗତ ଆଦୌ ସେପରି ନୁହେଁ ବୋଲି ସେମାନେ କ୍ରମେ ଆବିଷ୍କାର କରି ପାରିଲେ । କେବଳ ନିଜର ବାପା ଆଉ ମାଆ ହିଁ ଜୀବନର ଏକମାତ୍ର ଚେର ବା ଏକମାତ୍ର ମୂଳ ନୁହନ୍ତି ବୋଲି ସେମାନେ ଆବିଷ୍କାର କଲେ । ସେମାନଙ୍କ ଲାଗି ଆମେ ସଜାଇ ରଖିଥିବା ଘରଟିକୁ ସେମାନେ ଏକାନ୍ତ ଅଯଥେଷ୍ଟ ବୋଲି ଅନୁଭବ କଲେ । ଆମକୁ ସେମାନେ ଯେତିକି ଭକ୍ତି ଦେଖାଇବା ପାଇଁ ତାଲିମ ପାଇଥିଲେ, ଆମେ ଆଦୌ ସେତେ ଭକ୍ତିର ଭାଜନ ନୋହୁ ବୋଲି ସେମାନେ ଉପଲବ୍ଧି କଲେ । ଏହିସବୁ କଥା ସେମାନଙ୍କର ମୋହଭଙ୍ଗ ଘଟାଇଲା । ସେମାନେ ପଢ଼ୁଥିବା ପାଠମାନେ ସେମାନଙ୍କର ଅସଲ ପ୍ରଶ୍ନଗୁଡ଼ିକର ମୋଟେ ଉତ୍ତର ଦେଇ ପାରିଲେ ନାହିଁ । ସେମାନଙ୍କର ଆଖିଗୁଡ଼ିକୁ ଝଲସାଇ ଦେଇ ଚତୁର୍ଦ୍ଦିଗରେ ଯେଉଁସବୁ ଜୀବନମୂଲ୍ୟର ଧ୍ଵକା ଉଡ଼ୁଥିଲା, ସେଗୁଡ଼ାକ ଅସଲ ମୂଲ୍ୟର ପ୍ରତୀକ ମୋଟେ ନୁହନ୍ତି ବୋଲି ସେମାନେ ଜଳ ଜଳ ଦେଖିବାକୁ ପାଇଲେ । ଆମ ସମ୍ବନ୍ଧର ବହ୍ଵାଡ଼ମ୍ବରମୟ ବଜାରଗୁଡ଼ାକରେ ପ୍ରକୃତରେ ଖାଣ୍ଟି ହୋଇ କେତେ ଅଳପ ଯେ ରହିଛି, ସେମାନେ ତାହା ଅତ୍ୟନ୍ତ ସ୍ପଷ୍ଟଭାବରେ ଆବିଷ୍କାର କରି ପାରିଲେ ।

 

ମାତ୍ର ଏହି ଭୋଗଲିପ୍‌ସା, ଏହି ପରାଭବ ଲଭିଥିବାର ଗ୍ଳାନି ଏବଂ ଏହି ମୋହ ଭଙ୍ଗ ଯେ ଆମ ମନୁଷ୍ୟ-ଜୀବନର ମୋଟେ ଶେଷ କଥା ନୁହେଁ, ଏହି ଦୁଃଖୀ ଛୁଆମାନଙ୍କୁ ସେମାନଙ୍କର ମନ ବୁଝିଲା ପରି କିଏ ଯାଇ କହିଦେଇ ପାରିବ ? କିଏ ସେମାନଙ୍କୁ ବୁଝାଇଦେଇ ପାରିବ ଯେ, ଆମେ ବାପାମାଆମାନେ ହିଁ ମନୁଷ୍ୟ-ସମ୍ଭାବନାର ସମ୍ଭାବ୍ୟ ସର୍ବଶ୍ରେଷ୍ଠ ମଡ଼େଲ୍ ଆଦୌ ନୋହୁ ? ତେଣୁ ରୁଷିବାର, ଲୁଚି ରହିବାର ଅଥବା ଆପଣା ଉପରେ ପ୍ରତିଶୋଧ ନେବାକୁ ଯାଇ ନିମ୍ନତମ ସମତଳରେ କେତେଟା ମାମୁଲି ଓ କେତେଟା ଅଳପକୁ ନେଇ ଏକ ବୈଚିତ୍ର୍ୟହୀନ ସୁଖଭୋଗର ରୁଟିନ୍ ଭିତରେ ଜୀବନକୁ ଯେକୌଣସି ମତେ ସାରିଦେବାର ମଧ୍ୟ ଆଦୌ କୌଣସି ଆବଶ୍ୟକତା ନାହିଁ । ଯେଉଁ ପରିବାର, ଯେଉଁ ବିଦ୍ୟାଳୟ ଓ ଯେଉଁ ଜୀବନ-ସନ୍ଦେଶ ସେମାନଙ୍କର ଅସଲ ଗଭୀରଟି ଯାଏ ଏହି ପ୍ରତ୍ୟୟଟିକୁ ନେଇ ପହଞ୍ଚାଇ ଦେଇ ପାରିବ, ଆମର ପୃଥିବୀ ବର୍ତ୍ତମାନ ସେହି ପରିବାର, ସେହି ବିଦ୍ୟାଳୟ ଓ ସେହି ଜୀବନ-ସନ୍ଦେଶ ଲାଗି ଅପେକ୍ଷା କରି ରହିଛି ।

 

ଜଣେ ମଣିଷ ହିସାବରେ ମୁଁ କେଉଁଥିଲାଗି ମୋର ଜୀବନଟିକୁ ବଞ୍ଚିବି, ସେକଥା ମୋତେ ସ୍ଵୟଂ ଖୋଜି ବାହାର କରିବାକୁ ପଡ଼ିବ । ମାତ୍ର, ଏହି କଥାଟିରେ ମୋଟେ ତିଳେମାତ୍ର ସନ୍ଦେହ ନାହିଁ ଯେ, ଆପଣାଠାରୁ ବୃହତ୍ତର ଗୋଟିଏ କୌଣସି ସମ୍ପଦ ଲାଗି ନିଜର ଜୀବନଟିକୁ ବଞ୍ଚି ନପାରିଲେ ମୋ’ ଆଗରେ ହାଣ୍ଡି ହାଣ୍ଡି ଭୋଗ ଜମା ହୋଇ ରହିଥିଲେ ମଧ୍ୟ ମୋତେ ତଥାପି ସୁଖ ମିଳିବ ନାହିଁ । ନିଜର ପରିଧିଟି ମଧ୍ୟରେ ହିଁ ଆପଣାକୁ ଭୋଗଲିପ୍ସୁ ଯନ୍ତ୍ରଟିଏ କରି ପକାଇ ରଖି ସଂସାରଯାକର ସବୁ ପଙ୍କକୁ ଏକୁଟିଆ ଉଦରସାତ କରୁଥିବା ପର୍ଯ୍ୟନ୍ତ ମୁଁ କଦାପି ମୋ’ ଜୀବନର ଅସଲ ରୁଚିଟିକୁ ଜାଣି ପାରିବି ନାହିଁ । ବର୍ତ୍ତମାନର ବାପାମାଆ, ବର୍ତ୍ତମାନର ପରିବାର ଏବଂ ବର୍ତ୍ତମାନର ବ୍ୟବସ୍ଥାପକ ହିସାବରେ ଆମେ ଆମ ପିଲାମାନଙ୍କୁ କେବଳ ସେତିକିଯାଏ ନେଇ ପାରୁଛେ । ଆମେ ନିଜେ ଯେତିକି, ଆମ ପିଲାମାନଙ୍କୁ ନେଇ ଆମେ କେବଳ ସେତିକି ସ୍ଵପ୍ନ ଦେଖି ପାରୁଛେ । ଏମାନଙ୍କୁ ଆମେ ଆମ ନିଜ ଛାଞ୍ଚଟି ଭିତରେ ହିଁ ମାଡ଼ିମୁଡ଼ି ରଖିବାର ଯାବତୀୟ ପ୍ରୟାସ କରୁଛେ । ଆମରି ଅଳପଗୁଡ଼ାକୁ ସବୁକିଛି ବୋଲି ଧରି ନେଇଥିବା ଏବର ବିଦ୍ୟାଳୟଗୁଡ଼ିକ ମଧ୍ୟ ପିଲାମାନଙ୍କୁ କେବଳ ସେତିକିଯାଏ ଯାହାକିଛି ବାରତା ଶୁଣାଇ ପାରୁଛନ୍ତି । ଯେଉଁ ଅନ୍ୟ ବିଦ୍ୟାଳୟଟି ସେମାନଙ୍କୁ ଗାର ଡିଆଁଇ ଅଧିକ କିଛିକୁ ନେଇଯାଇ ପାରିବ, ଆମର ପିଲାଏ ସେହିପରି ଏକ ବିଦ୍ୟାଳୟ ଲାଗି ଅପେକ୍ଷା କରିଛନ୍ତି ।

 

ଏହି ଜୀବନ ମୋଟେ ଏକ ବଜାର ନୁହେଁ, ଏହା ଏକ ମୃଗୟାସ୍ଥଳ ନୁହେଁ ଅଥବା ଏପରି ଏକ ପାଷଣ୍ଡତାର ସାନ କୁଣ୍ଡଟିଏ ମଧ୍ୟ ନୁହେଁ, ଯେଉଁଠାରେ କି କର୍ମବାଦୀ ବଡ଼ମାଛମାନେ କର୍ମହୀନ ସାନ ମାଛମାନଙ୍କୁ ଖାଇଯିବାରେ ଲାଗିଥିବେ । ଏହି ଜୀବନ ହେଉଛି ବଞ୍ଚିବା ପାଇଁ; ମୋ’ ଚାରିପାଖରେ ଥିବା ସମସ୍ତଙ୍କ ସହିତ ନାନା ସଖ୍ୟ ଓ ସମ୍ବନ୍ଧ ଦ୍ଵାରା ଯୁକ୍ତ ହୋଇ ବଞ୍ଚିବା ପାଇଁ-। ଖାଲି ନିଜର ବୃତ୍ତଟି ମଧ୍ୟରେ ବନ୍ଦୀ ହୋଇ ରହି ଯିଏ ଅହର୍ନିଶ ଯଥାସମ୍ଭବ ଅଧିକରୁ ଅଧିକ ଭୁଞ୍ଜିବା ନିମନ୍ତେ ହିଁ ଜୀବନଟିକୁ ବଞ୍ଚୁଛି, ସିଏ ଶେଷକୁ ଅବସାଦ ହିଁ ଭୋଗିବ, ଅସଲ ଜାଗାରେ ତାକୁ ଜୀବନବିଧାତା ପାଖରେ ହାରିବାକୁହିଁ ପଡ଼ିବ । ତା’ର ଯାବତୀୟ ଇନ୍ଦ୍ରଭୁବନ ତାକୁ ସେହି ପରାଭବରୁ ମୋଟେ ବଞ୍ଚାଇ ରଖି ପାରିବ ନାହିଁ । ଅସଲ ସୁଖ ଏହି ଅଳପ ଭିତରୁ ବାହାରକୁ ବାହାରି ଯିବାରେ, ଆପଣାକୁ ସଂପ୍ରସାରିତ କରି ପାରିବାରେ ଓ ନିଜରୁ ବୃହତ୍ତର କୌଣସି ମୂଲ୍ୟ-ସମ୍ପଦର ପ୍ରତିଷ୍ଠା ଲାଗି ନିଜର ଜୀବନକୁ ସମର୍ପିତ କରି ପାରିବାରେ । ଏହି ସତ୍ୟଟିକୁ ବୁଢ଼ାମାନେ କଦାପି ବୁଝି ପାରିବେ ନାହିଁ,—ତରୁଣ ଅବଶ୍ୟ ବୁଝିବ । ଆମର ଯାବତୀୟ ବିଦ୍ୟାଳୟ ଏପରି ହେବା ଉଚିତ, ଯେପରିକି ତାହା ସେହି ତରୁଣ ଲାଗି ଅସଲ ଦ୍ଵାରଟିକୁ ଯୋଗାଇ ଦେଇ ପାରିବ, ତାହାକୁ ସିଏ ଦ୍ଵାର ଭିତରକୁ ଆମନ୍ତ୍ରଣ କରି ଆଣିବ, ଆଖିଟିଏ ଯୋଗାଇଦେବ ।

 

ଅଗଷ୍ଟ, ୧୯୮୬

Image

 

ବୁଝିବା ଓ ବିଚାର କରିବା

 

When one understands, one no longer judges, and when one judges, it means that one does not know.

 

[ମାତୃରଚନାବଳୀ (ଇଂରାଜୀ), ଶତବାର୍ଷିକୀ ସଂସ୍କରଣ,

 

ନବମଖଣ୍ଡ, ୧୯୭୭, ପୃଷ୍ଠା—୧୩୪]

 

ଆମେ ଯାହାକୁ ଜାଣି ନଥାଉ, ସେଗୁଡ଼ିକୁ ଜାଣିବା ଲାଗି ଚେଷ୍ଟା କରୁ । ନିଜର ଅଜ୍ଞାନ ବିଷୟରେ ସଚେତନ ହେବାର ଅବସ୍ଥା ହେଉଛି ଯଥାର୍ଥ ବିନୟର ଅବସ୍ଥା । ସେହି ବିନୟ ହିଁ ଯାବତୀୟ ଜିଜ୍ଞାସାକୁ ଜନ୍ମ ଦେଇଥାଏ । ଜାଣିବାର ପ୍ରଥମ ଅବସ୍ଥାରେ ଆମେ ସତେ ଅବା ବାହାରେ ଥାଇ ଯାହାକିଛି ଜାଣୁ, ଜ୍ଞାନର ସଂଗ୍ରହ କରୁ, ନିଜର ଭଣ୍ଡାର ଭିତରେ ସେହି ଜ୍ଞାନଗୁଡ଼ିକୁ ସଂଗ୍ରହ କରି ରଖୁ । ସଂଗ୍ରହ ଅଧିକରୁ ଅଧିକ ହେବାରେ ଲାଗିଥାଏ, ଆମେ ପଣ୍ଡିତ ହେବାରେ ଲାଗିଥାଉ, ଜ୍ଞାନଧନରେ ଧନୀ ହେବାରେ ଲାଗିଥାଉ । ଆମ ଜାଣିବାର ଆଗ୍ରହ କ୍ରମେ ଏକ ଶ୍ରଦ୍ଧାରେ ପରିଣତ ହେଲେ ଆମ ଜାଣିବା ମଧ୍ୟ ବୁଝିବାରେ ପରିଣତ ହୋଇଥାଏ । ଜାଣିବାର ଗଭୀରତର ସ୍ତରଟି ହେଉଛି ବୁଝିବା । ଏହି ବୁଝିବା ହେଉଛି ଅନ୍ତଃପ୍ରବେଶ କରିବା । ଏହି ବୁଝିବାର ମଧ୍ୟ ସୋପାନକ୍ରମ ରହିଛି । ବୁଝିବା ଗଭୀରତର ହେଲେ ତାହା ଏକାତ୍ମକତାକୁ ଉତ୍ତୋଳିତ ହୋଇଯାଏ । ପରିପୂର୍ଣ୍ଣ ଭାବରେ ବୁଝିବା, ତାହାହିଁ ଭଲ ପାଇବା ।

 

ସଂସାରରେ ଖୁବ୍ କମ୍ ମଣିଷ ଅଛନ୍ତି, ଯେଉଁମାନେ କି ପ୍ରକୃତରେ ବୁଝନ୍ତି । ଅଧିକାଂଶ ମଣିଷ ବିଚାର କରି ପକାନ୍ତି । ଭଲ ବୋଲି କହନ୍ତି ଅଥବା ମନ୍ଦ ବୋଲି କହନ୍ତି । ସେମାନେ ଯାହାକିଛି ମନକୁ ପାଏ, ତାହାକୁ ଭଲ ବୋଲି କହନ୍ତି, ଏବଂ ଯାହାକିଛି ମନକୁ ନପାଏ, ତାହାକୁ ମନ୍ଦ ବୋଲି କହନ୍ତି । ଗୁଣଗୁଡ଼ାକୁ ସର୍ବଦା ଆପଣାପଟେ ରଖିଥାନ୍ତି ଏବଂ ତଥାକଥିତ ଦୋଷଗୁଡ଼ିକୁ, ଅର୍ଥାତ୍ ଯାହାକିଛି ସେମାନେ ଗୁଣ ବୋଲି ଧରି ନେଇଥିବା କଥାଗୁଡ଼ିକ ସହିତ ଖାପ ନଖାଉଥାଏ, ସେଗୁଡ଼ିକୁ ନେଇ ଅପର ପଟଟା ଉପରେ ଲଦି ଦେଇଥାନ୍ତି । ଏହି ଦୃଷ୍ଟିରୁ ଦେଖିଲେ, ଜଣେ ମଣିଷ ଆଉ ଜଣେ ମଣିଷକୁ ଖୁବ୍ କମ୍ ସମୟରେ ବୁଝେ, ଅଧିକତର କ୍ଷେତ୍ରରେ ସିଏ ବୁଝିବା ନାଆଁରେ ଆଉଜଣେ ମଣିଷର ବିଚାର ହିଁ କରି ପକାଉଥାଏ । ନିଜର ସଂସ୍କାରଗୁଡ଼ିକୁ ନେଇ ଅନ୍ୟକୁ ଓଜନ କରିବା,—ତାହା ବୁଝିବା ନୁହେଁ, ତାହା ହେଉଛି ବିଚାର କରିବା । ଜଣେ ମଣିଷକୁ, ସିଏ ପ୍ରକୃତରେ ଯାହା, ତାହାକୁ ସେହିପରି ଭାବରେ ଦେଖିବାକୁ ସମର୍ଥ ହେବା, ତାହାହିଁ ବୁଝିବା । ଏଥିଲାଗି ନିଜର ଆଖିଗୁଡ଼ିକୁ ଅତ୍ୟନ୍ତ ମୋହମୁକ୍ତ ଓ ନିର୍ମଳ କରି ରଖିବାକୁ ପଡ଼େ । ଜୀବନର ଦୃଷ୍ଟି ଓ ବିବେକ ଗୁଡ଼ିକୁ ପ୍ରଧାନତଃ ସ୍ଵୀକାରାତ୍ମକ କରି ରଖିବାକୁ ପଡ଼େ । ଆମର ବିବେକ ସ୍ଵୀକାରାତ୍ମକ ହୋଇଥିଲେ ଯାଇ ଆମେ ବିଭିନ୍ନତାକୁ ବିଭିନ୍ନତାରୂପେ ସ୍ୱୀକାର କରିବାକୁ ସମର୍ଥ ହେଉ ।

 

ଆମ ନିଜ ଦେଶର ସବୁକିଛି ଭଲ, ଆମ ଦେଶ ପୃଥିବୀଯାକରେ ଅନ୍ୟସବୁ ଦେଶ ଅପେକ୍ଷା ଶ୍ରେଷ୍ଠ,ଏହି ଦେଶର ପ୍ରକୃତି ସବୁଠାରୁ ସୁନ୍ଦର, ଏହି ଦେଶର ପର୍ବତ ଓ ନଦୀମାନେ ପବିତ୍ର–ଏହିସବୁ କଥାକୁ ଏଡ଼େବଡ଼ ପାଟିରେ କହିବା ବେଳେ ଅଥବା ତାହାକୁ ଗୀତରେ ଫାନ୍ଦି ଗାଇବାବେଳେ ଆମେ ସଚରାଚର ସତେଅବା କେତେ ନା କେତେ ମହକି ଉଠିବା ପରି ଅନୁଭବ କରୁଥାଉ । ଅନ୍ୟ ଦେଶ କଦାପି ଆମ ଦେଶର ସମତୁଲ ହେବ ନାହିଁ,—ଏ ଭୂଇଁକୁ ସରଗଭୂଇଁ କହି ଅନ୍ୟ ଭୂଇଁଗୁଡ଼ିକୁ ଏହାଠାରୁ ନୀରସ ବୋଲି କହିବା ସମୟରେ ଆମେ ପ୍ରକୃତରେ ଆଦୌ କୌଣସି ବିବେକ ଅଥବା ସତ୍ୟର ସମର୍ଥନ ସହିତ କୌଣସି କଥା କହୁ ନାହିଁ । ବିଭିନ୍ନ ଭାଷାରେ କଥା କହୁଥିବା ମଣିଷମାନେ ନିଜର ଭାଷାଟିକୁ ହିଁ ସବୁଠାରୁ ଶ୍ରେଷ୍ଠ ବୋଲି କହିଥାନ୍ତି । ଆମେ ଏହି ଭାଷାଟି ସହିତ ସବୁଠାରୁ ଅଧିକ ପରିମାଣରେ ପରିଚିତ, ତେଣୁ ଏଇଟି ଆମକୁ ସବୁଠାରୁ ଅଧିକ ସହଜ ଏବଂ ସ୍ଵାଭାବିକ ଲାଗେ; ଏହି ଭାଷାଟିକୁ ଆମେ ଆମର ମାଆ କୋଡ଼ରୁ ଶିଖିଛୁ, ତେଣୁ ଏହା ଆମର ମାତୃଭାଷା,—ଏପରି ଯୁକ୍ତିଟିକୁ ଭଲ କରି ବୁଝି ହୋଇଯାଏ । ମାତ୍ର, ଏହା ଆମ ନିଜର ଭାଷା ଏବଂ ମାତୃଭାଷା ବୋଲି ଏହା ହେଉଛି ଶ୍ରେଷ୍ଠ ଭାଷା,—ଏହି ଉକ୍ତିଟି ପଛରେ କୌଣସି ବିବେକ ନଥାଏ । ମୋହଟାହିଁ ଅଧିକ ପରିମାଣରେ ରହିଥାଏ । ଆମର ଏହି ବର୍ତ୍ତମାନ ସଂସାରରେ ନିଜର ଦେଶ ଓ ନିଜର ଭାଷା ବିଷୟରେ ଅଧିକାଂଶ ମଣିଷଙ୍କର ଧାରଣା, ପ୍ରଧାନତଃ ବିବେକ ଦ୍ଵାରା ନୁହେଁ, ମୋହ ଦ୍ଵାରା ପରିଚାଳିତ ହୋଇଥାଏ ।

 

ଧର୍ମର କ୍ଷେତ୍ରରେ ସେହିପରି ଧର୍ମ ମଧ୍ୟ ଅଧିକ ପ୍ରଚଣ୍ଡ ହେବା ଲାଗି ହୁଏତ ଅଧିକ ଖୋରାକ ପାଇଯାଏ । ହିନ୍ଦୁଧର୍ମରେ ମ୍ଳେଚ୍ଛ ବୋଲି ଗୋଟିଏ ଶବ୍ଦ ଅଛି । ସେହି ପ୍ରାଚୀନ କାଳରେ ଯେଉଁମାନେ ଆର୍ଯ୍ୟମାନଙ୍କର ସଂସ୍କାରଠାରୁ ଭିନ୍ନ ଆଉ ଏକ ସଂସ୍କାର ସଂହିତାକୁ ମାନୁଥିଲେ, ଆର୍ଯ୍ୟମାନେ ସେମାନଙ୍କ ଉଦ୍ଦେଶ୍ୟରେ ଏହି ମ୍ଳେଚ୍ଛ ଶବ୍ଦଟିକୁ ପ୍ରୟୋଗ କରୁଥିଲେ । ଯେଉଁମାନେ ଆର୍ଯ୍ୟ ନୁହନ୍ତି, ସେମାନେ ହେଉଛନ୍ତି ଅନାର୍ଯ୍ୟ । ଆର୍ଯ୍ୟମାନଙ୍କର ବାହାରେ ଥିବା ଭାରତର ଅନ୍ୟମାନଙ୍କୁ ସେତେବେଳେ ଅନାର୍ଯ୍ୟ ବୋଲି ସୂଚାଇ ଦିଆ ଯାଉଥିଲା । ମାତ୍ର କାଳକ୍ରମେ ଅନାର୍ଯ୍ୟ ଶବ୍ଦଟି ଏକ ନିନ୍ଦାର୍ଥକ ଶବ୍ଦରେ ପରିଣତ ହେଲା, ନିମ୍ନସ୍ଥ ମଣିଷମାନଙ୍କୁ ବୁଝାଇଲା । ନିଜକୁ ଉପରିସ୍ଥ ଓ ସରସ ବୋଲି ସ୍ଵୀକାର କରିନେବା ମାତ୍ରକେ ଅନ୍ୟ ସମସ୍ତେ ଅତ୍ୟନ୍ତ ସ୍ପଷ୍ଟ ଭାବରେ ହୀନ ଏବଂ ନୀରସ ହୋଇ ଦିଶନ୍ତି । ବ୍ୟବଧାନ ଓ ଦୂରତାଗୁଡ଼ିକ ତା’ପରେ ଅତ୍ୟନ୍ତ ନିର୍ମମ ଓ କର୍କଶ ହୋଇ ପଡ଼ନ୍ତି । ହିନ୍ଦୁଧର୍ମର ମ୍ଳେଚ୍ଛ ଶବ୍ଦ ପରି ମୁସଲମାନ ଧର୍ମର କାଫେର୍ ଏବଂ ଖ୍ରୀଷ୍ଟିଆନ ଧର୍ମରେ ‘ପାଗାନ୍’ ଶବ୍ଦ ବି ରହିଛି । ଏମାନେ ସମସ୍ତେ ସେହି ଗୋଟିଏ ବ୍ୟବଧାନ ଓ ଦୂରତାର ସୂଚନା ଦେଉଛନ୍ତି । ଯିଏ ଆମ ବାଟରେ ନଗଲା, ସିଏ ପାପାତ୍ମା, ତାହାର ମୁକ୍ତି ନାହିଁ—ଭଗବାନଙ୍କ ରାଜ୍ୟର ନର୍କଗୁଡ଼ାକ ସେହିମାନଙ୍କ ସକାଶେ ହିଁ ସ୍ଵତନ୍ତ୍ର ଭାବରେ ବରାଦ ହୋଇ ରହିଛି-। ଏହି ସଂକ୍ରାନ୍ତରେ ଆମ ପୃଥିବୀରେ ନାସ୍ତିକ ଓ ଆସ୍ତିକ ବୋଲି ଦୁଇଟି ଉପଧା ଆମ ପୃଥିବୀର ପ୍ରତ୍ୟେକ ଧର୍ମରେ ବ୍ୟବହୃତ ହୋଇ ଆସିଛି । ଯିଏ ଭଗବାନଙ୍କୁ ବିଶ୍ଵାସ କରେ, ଏହି ଯାବତୀୟ ଦୃଶ୍ୟମାନ ଓ ତାତ୍କାଳିକର ପଶ୍ଚାତରେ ଜଣେ ପରମ-ନିୟାମକ କର୍ତ୍ତା ବିଦ୍ୟମାନ ରହିଛନ୍ତି ବୋଲି ଯିଏ ବିଶ୍ଵାସ କରେ—ସେହି ହେଉଛି ଆସ୍ତିକ । ଯିଏ ଏପରି କୌଣସି ନିୟାମକଙ୍କୁ ନମାନେ, ସିଏ ନାସ୍ତିକ । ଧର୍ମର ଇତିହାସରେ ଏହି ଅର୍ଥସଂଜ୍ଞାଟିକୁ ଭାରି ଅନ୍ୟପ୍ରକାରେ କରି ଦିଆଯାଇଛି-। ଆମେ ଆମ ଧର୍ମରେ ଯେଉଁପରି ମାର୍ଗ ବା ନାମରେ ଭଗବାନଙ୍କୁ ବିଶ୍ୱାସ କରୁଛୁ, ସେହି ମାର୍ଗ ଓ ନାମଠାରୁ ଭିନ୍ନ ଅନ୍ୟ ମାର୍ଗ ଓ ନାମର ଅନୁଗାମୀ ହୋଇ ଯିଏ ରହିଛନ୍ତି, ସେମାନେ ଅବଶ୍ୟ ନାସ୍ତିକ । ତେଣୁ ସେମାନଙ୍କର ମୁକ୍ତି ନାହିଁ । ଏହିପରି ଭାବରେ ଗୋଟିଏ ଧର୍ମର ଅଥବା ଗୋଟିଏ ମାର୍ଗର ଈଶ୍ଵର ବିଶ୍ଵାସୀମାନେ ଆଉଗୋଟିଏ ଧର୍ମ ଓ ଆଉ ଗୋଟିଏ ମାର୍ଗର ଲୋକମାନଙ୍କୁ ନାସ୍ତିକ ବୋଲି କହି ଭତ୍ସନା କରି ଆସିଛନ୍ତି । ଏହାକୁ ଆଦୌ ବୁଝିବା ବୋଲି କୁହା ଯିବନାହିଁ-। ବିଚାର କରିବା ଅଥବା ମାର୍କା ଦେଇ ଅନ୍ୟମାନଙ୍କୁ ବା ଅନ୍ୟମାର୍ଗକୁ ନିନ୍ଦିବା ବୋଲି କୁହାଯିବ-

 

ପୃଥିବୀର ସଂସ୍କୃତିର କ୍ଷେତ୍ରରେ ମଧ୍ୟ ପ୍ରାୟ ସେହି କଥା । ସଂସ୍କୃତି କହିଲେ ନିଜର ବ୍ୟକ୍ତିଗତ ଏବଂ ସାମୂହିକ ଜୀବନକୁ ବଞ୍ଚିବାର ଓ ଅନୁଭବ କରିବାର ଗୁଣାତ୍ମକ ସୋପାନଗୁଡ଼ିକୁ ବୁଝାଏ । ଆମ ଜୀବନର ଗଭୀର ପ୍ରସ୍ଥଟିକୁ ବୁଝାଏ । ସଂସ୍କୃତିକୁ ଯଥାର୍ଥ ଭାବରେ ବୁଝିବାର ଅର୍ଥ ହେଉଛି ଏହି ଗଭୀର ପ୍ରସ୍ଥଟିକୁ ବୁଝିବା । ସଂସ୍କୃତିସ୍ଥ ଜଣେ ମଣିଷ ଆପଣାର ସେହି ଗଭୀର ପ୍ରସ୍ଥଟି ସହିତ ସଂଯୁକ୍ତ ହୋଇ ରହିଥାଏ, ଆପଣାର ସଂସ୍କୃତି-ଦୃଷ୍ଟିଟିକୁ ସିଏ ସେହି ଗଭୀର ପ୍ରସ୍ଥରୁହିଁ ପ୍ରେରିତ କରି ଆଣୁଥାଏ । ଅନ୍ୟ ସମସ୍ତଙ୍କ ମଧ୍ୟରେ ରହିଥିବା ଗଭୀର ପ୍ରସ୍ଥଟିକୁ ଚିହ୍ନି ହିଁ ସିଏ ସେମାନଙ୍କର ସଂସ୍କୃତି-ପ୍ରସ୍ଥଟିକୁ ଚିହ୍ନେ । ବାହାରଟାକୁ ଭେଦ କରି ଭିତରଯାଏ ଯାଇପାରେ । ମାତ୍ର ସମସ୍ତେ ସେକଥା କରିପାରନ୍ତି ନାହିଁ । ଅଧିକାଂଶ ମଣିଷ ସେହି ବାହାରର କେତେଟା ଆଚାର ଓ ଛାଞ୍ଚକୁ ଦେଖିହିଁ ସଂସ୍କୃତିର ବିଚାର କରନ୍ତି । ଆପେ ଆପଣାର ଅଜ୍ଞାନ କାଳରୁ ଯେଉଁ ଆଚାର ଓ ଛାଞ୍ଚଗୁଡ଼ିକ ସହିତ ଅଭ୍ୟସ୍ତ ଓ ଚଳପ୍ରଚଳ ହୋଇ ଆସିଥାଆନ୍ତି, ସେମାନେ ସେଗୁଡ଼ିକୁ ସଂସ୍କୃତିର ଅବୟବ ବୋଲି ମାନନ୍ତି । ଏବଂ, ଯେଉଁମାନେ ସେହିସବୁ ଆଚାର ଏବଂ ଛାଞ୍ଚଗୁଡ଼ିକ ଭିତରେ ନଥାନ୍ତି, ସେମାନଙ୍କୁ ସଂସ୍କୃତିହୀନ ବୋଲି ବିଚାର କରନ୍ତି । ମାର୍କାଗୁଡ଼ିକରୁହିଁ ସଂସ୍କୃତିଗୁଡ଼ିକର ମୂଲ୍ୟାୟନ କରନ୍ତି । ଯାବତୀୟ ସଂସ୍କୃତିରେ କାଳକାଳର ଚଳଣି ଅନୁସାରେ ଆହାର, ବ୍ୟବହାର, ଶୌଚାଭ୍ୟାସ ଏବଂ ଉପାସନାର କେତେକ ଛାଞ୍ଚ ଗୋଟିଏ ଗୋଟିଏ ନିର୍ଦ୍ଦିଷ୍ଟ ଆକୃତି ଧାରଣ କରି ଆସିଥାଏ । ଅଧିକାଂଶ ମଣିଷ ସେହି ଛାଞ୍ଚଗୁଡ଼ିକରୁହିଁ ସଂସ୍କୃତିକୁ ଚିହ୍ନନ୍ତି । ନିଜର ଛାଞ୍ଚଗୁଡ଼ିକୁ ସର୍ବଶ୍ରେଷ୍ଠ ବୋଲି କହିବାର ସଂସ୍କାରରେ ପଡ଼ି ଯାଇଥିବାରୁ ସେମାନେ ଅନ୍ୟ ଛାଞ୍ଚଗୁଡ଼ିକୁ ନ୍ୟୂନତର ବୋଲି ବିଚାର କରନ୍ତି । ଏହି ରୀତିଟି ପୃଥିବୀର ସଂସ୍କୃତି ସଂସ୍କୃତି ମଧ୍ୟରେ କାଳେ କାଳେ ବହୁ ବ୍ୟବଧାନର କାରଣ ହୋଇ ରହି ଆସିଛି । ସଂସ୍କୃତିର ଅସଲ ଗର୍ଭଟିକୁ ବୁଝିପାରୁଥିଲେ ମଣିଷ କଦାପି ନିଜର ଚିହ୍ନା ମାର୍କାଗୁଡ଼ିକ ଅନୁସାରେ ଅନ୍ୟର ବିଚାର କରିବା ଲାଗି ମନ କରୁ ନଥାନ୍ତା ।

 

ଆମ ସମାଜର ବୟସ୍କମାନେ ବି ଆମ ପିଲାମାନଙ୍କୁ କେତେଦୂର ବୁଝନ୍ତି ? ସେମାନେ ସେମାନଙ୍କୁ ପ୍ରକୃତରେ ବୁଝନ୍ତି ନା ନିଜ ପ୍ରଚକ୍ଷୁଗୁଡ଼ିକର ମୂଲ୍ୟକାଠି ଅନୁସାରେ ସେମାନଙ୍କର ବିଚାର କରିବାରେ ଲାଗିଥାନ୍ତି ? ଯିଏ ସେହି କାଠିଗୁଡ଼ିକ ମଧ୍ୟରେ ରହିଥାଏ, ବୟସ୍କମାନଙ୍କର ଆଖିରେ ସେଇ ସୁନାପୁଅ ବୋଲି ପ୍ରମାଣିତ ହୁଏ । କାଠିଗୁଡ଼ିକ ମଧ୍ୟରେ ରହିବାର ଅର୍ଥ ହେଉଛି କଥା ମାନିବା । ଭଲ ମନ୍ଦ, ଉଚିତ ଅନୁଚିତ ଓ ଠିକ୍ ଭୁଲ୍ ଇତ୍ୟାଦି ବିଷୟରେ ଆମେ ବୟସ୍କମାନେ ଯେତେବେଳେ ଆମ ପ୍ରସ୍ଥ ଏବଂ ଦୈର୍ଘ୍ୟଗୁଡ଼ିକୁ ଆମ ପିଲାଙ୍କ ଉପରେ କେତେ ନା କେତେ ସଦିଚ୍ଛା ସହିତ ନେଇ ମଡ଼ାଇ ଦେଉ, ସେତେବେଳେ ଆମେ ସେମାନଙ୍କୁ ବୁଝୁ ନା ସେମାନଙ୍କ ଉପରେ ଅତ୍ୟାଚାର କରୁ ? ପିଲାମାନେ ଏହି ପୃଥିବୀରେ ନିଜେ ଖୋଜନ୍ତେ, ନିଜେ ପାଆନ୍ତେ; ଆମେ ସେହିମାନଙ୍କର ଏହି ଖୋଜିବାରେ ଏବଂ ପାଇବାରେ ସେମାନଙ୍କୁ ଉତ୍ସାହ ଦିଅନ୍ତେ, ସାହାଯ୍ୟ କରନ୍ତେ; ସେମାନଙ୍କର ବନ୍ଧୁପରି ପାଖେପାଖେ ରହିଥାନ୍ତେ, ମାତ୍ର ସେମାନଙ୍କୁ ଆମର ସକଳ ହସ୍ତକ୍ଷେପ ଓ ଉତ୍ପୀଡ଼ନରୁ ମୁକ୍ତ ରଖିଥାନ୍ତେ । ତେବେ ଆମ ସଂସାର ନିଶ୍ଚୟ ଅନ୍ୟ ପ୍ରକାରର ହୋଇ ଯାଆନ୍ତା । ମାତ୍ର, ଆମେ ବୟସ୍କମାନେ ନିଜକୁ ଏହି ସଂସାରରେ ଏକମାତ୍ର ଚକ୍ରବର୍ତ୍ତୀ ବୋଲି ସ୍ଵୀକାର କରିବାରେ ଅଭ୍ୟସ୍ତ ହୋଇ ଯାଇଥାଉ କି କ’ଣ କେଜାଣି, ଆମେ ଆମ ନିଜର ମାର୍କାଗୁଡ଼ିକୁ ଦେଇ ଆମ ପିଲାମାନଙ୍କର ବିଚାର କରିଥାଉ । ସେମାନଙ୍କୁ ଆମ ନିକିତିରେ ପକାଇ ଭଲ ଅଥବା ଆଉକିଛି ବୋଲି କହୁ । ସେମାନେ ଆମ ମନକୁ ଆସିଲେ ଆମେ ସେମାନଙ୍କୁ ଭଲ ବୋଲି କହୁ ଏବଂ ଆମ ମନକୁ ନଆସି ଲେ ମନ୍ଦ ବୋଲି କହୁ । ଅର୍ଥାତ୍, ଆମରି କ୍ଷୁଦ୍ର ଆୟତନଗୁଡ଼ିକ ମଧ୍ୟରେ ଆମେ ସେମାନଙ୍କୁ କ୍ଷୁଦ୍ର କରି ରଖୁ । ସେମାନେ ଆମରି ମାର୍କାଗୁଡ଼ିକ ଭିତରେ ଆମରି ପରିପାଟୀଗୁଡ଼ିକ ଅନୁସାରେ ବାନ୍ଧିବୁନ୍ଧି ହୋଇ ରହି ପାରିଲେ ଆମେ ସତେଅବା ଅପାର ଆନନ୍ଦ ଅନୁଭବ କରୁଥାଉ ।

 

ଆମର ନୂଆ ସ୍କୁଲଗୁଡ଼ିକରେ ଆମର ସକଳ ଆଗ୍ରହ ତଥା କାର୍ଯ୍ୟକ୍ରମର ପ୍ରାଣସାମଗ୍ରୀ ରୂପେ ଯେଉଁ ପିଲାମାନେ ପାଠ ପଢ଼ିବାକୁ ଆସନ୍ତି, ଆମେ ଶିକ୍ଷକମାନେ ସେମାନଙ୍କୁ ପ୍ରକୃତରେ ବୁଝୁ ନା ସେମାନଙ୍କର ବିଚାର କରି ନିଜର କାମ ସାରିଦେଉ ? ସେମାନେ ଏହି ସଂସାରରେ ସୁଖୀ ହୁଅନ୍ତୁ, ସଫଳତା ହାସଲ କରନ୍ତୁ,—ସେମାନଙ୍କ ବିଷୟରେ ଆମର ଏହିଭଳି କେତେ କ’ଣ ମନାସ ରହିଥାଏ । ମାତ୍ର, ଅଧିକାଂଶ କ୍ଷେତ୍ରରେ ଏହିପରି ହୁଏ ଯେ, ଆମ ନିଜ ଜୀବନର ପହଞ୍ଚ ଏବଂ ଅନୁମାନଗୁଡ଼ିକ ଯେତିକି ଆୟତନ ମଧ୍ୟରେ ରହିଥାଏ, ଆମ ନିଜ ଜୀବନରେ ଆମେ ଯେତିକି ସମ୍ଭାବନା ସହିତ ପରିଚୟରେ ଆସିଥାଉ, ଆମେ ସେତିକିକୁ ହିଁ ସମୁଦାୟ ମାପକ ଏବଂ ମାନଦଣ୍ଡ ବୋଲି ଗ୍ରହଣ କରିନେଇ ଆମ ପିଲାମାନଙ୍କର ବି ବିଚାର କରୁ । ସମ୍ଭାବନାର ଯେ ଆହୁରି କେତେକେତେ ପ୍ରସ୍ଥ ରହିଛି, ନିଜର ଛାଞ୍ଚଗୁଡ଼ିକ ଭିତରେ କିଳିହୋଇ ରହିଥିବାରୁ, ଆମେ ସେହି ସତ୍ୟଟିର କଳନା ହିଁ କରି ପାରୁନାହିଁ । ଆମ ପିଲାମାନଙ୍କ ସହିତ ଆମର ସଂପର୍କ ଆମକୁ ଆମେ ଯେତିକି ହୋଇପାରିଛୁ, ତା’ଠାରୁ ଅଧିକ ହେବାଲାଗି ଉଦ୍‌ବୁଦ୍ଧ କରି ପାରୁଥାନ୍ତା । ମାତ୍ର ନାନା ପୁରୁଣା ଅରୀତି ଭିତରେ ବାନ୍ଧି ହୋଇ ଓ ପୋଷା ମାନି ରହିଥିବାରୁ ଆମେ ନିଜକୁ ସେହି ସୌଭାଗ୍ୟରୁ ବଞ୍ଚିତ କରି ରଖୁ । ସତେଅବା ପ୍ରତିଶୋଧ ନେଲାପରି ଓ ନିଜ ଅତୃପ୍ତିଗୁଡ଼ାକ ଲାଗି କ୍ଷତିପୂରଣ ଖୋଜି ବାହାରିଥିଲା ପରି ଆମେ ପିଲାମାନଙ୍କୁହିଁ, ଆମର ପ୍ରାୟ ଏବଂ ପରିଚିତ ଖୋପଗୁଡ଼ିକ ମଧ୍ୟରେ ଆଣି ପକାଇବା ଲାଗି ଚେଷ୍ଟା କରୁଥାଉ । ଭବିଷ୍ୟତର ପୃଥିବୀଟିକୁ ଏହିପରି ଭାବରେ ସେହି ଦିହସୁହା ବର୍ତ୍ତମାନଟା ଭିତରେ ଆବଦ୍ଧ କରି ରଖିଦେଉ ।

 

ବୁଝିବାକୁ ଆରମ୍ଭ କଲେ ବିଚାର କରିବାକୁ ଆଦୌ ମନ ହୁଏ ନାହିଁ । ନିଜକୁ ବୁଝିବାକୁ ଆରମ୍ଭ କଲେ ନିଜକୁ ମଧ୍ୟ ଆଦୌ କୌଣସି ମାର୍କା ବା ଛାଞ୍ଚ ଭିତରେ ଆଣି ପକାଇବାକୁ ମୋଟେ ମନ ହୁଏ ନାହିଁ । ନିଜ ଜୀବନର ଅସଲ କେନ୍ଦ୍ରଟି ସହିତ ସୂତା ଲାଗିଥିଲେ ଯାଇ ତାହା ସମ୍ଭବ ହୁଏ-। ନିଜ ଭିତରର ସକଳ ସମ୍ଭାବନାକୁ ବ୍ୟକ୍ତିରୂପୀ ନୌକାଟି ଉପରେ ବୋଝାଇ କରି ଆମରି ଭିତରେ ଯେଉଁ ସହାନୁଭୁତିଶୀଳ କାଣ୍ଡାରି ଆମର ସଖ୍ୟ ନିମନ୍ତେ ଅପେକ୍ଷା କରି ରହିଥାଏ, ସେହି କାଣ୍ଡାରି ସହିତ ଖିଅ ଲଗାଇ ଜୀବନଟିକୁ ବଞ୍ଚିବାରେ ହିଁ ଅସଲ ସୁଖ ଓ ଅସଲ ସାର୍ଥକତା ପାଇ ପାରୁଥିଲେ ଯାଇ ସେକଥା ହୁଏ । ତେବେ ବାହାରଟା ଭିତର ଉପରେ ଆଉ କୌଣସି ଅତ୍ୟାଚାର କରିପାରେ ନାହିଁ । ବାହାର ଭିତର ସହିତ ସହଯୋଗ କରେ । ଏହିପରି ଭାବରେ ଆମର ବାହାର ଆମ ଭିତରଟି ସହିତ ସହଯୋଗ କରୁଥିବାକୁ ହିଁ ଅସଲ ବୁଝିବା ବୋଲି କୁହାଯାଏ । ଯେଉଁ ଶିକ୍ଷକ ଆପଣା ଜୀବନର ଯାବତୀୟ ଆଚରଣ ଏବଂ ଅନ୍ୱେଷଣରେ ସେହି ସହଯୋଗର ଡୋରଟିକୁ ସକ୍ରିୟ କରି ରଖି ପାରିଥାଏ, ସିଏ ସବାଆଗ ପିଲାଟିର ଭିତରଟିକୁ ଦେଖେ, ସେ ପିଲାଟିର ଭିତରକୁ ବୁଝେ,—ସେହି ଭିତରଟି ସହିତ ଅଧିକରୁ ଅଧିକ ଯଥାର୍ଥ ଭାବରେ ସହଯୋଗ କରି ପାରିବା ଲାଗି ନିଜକୁ କାମରେ ଲଗାଏ । ପିଲାର ବାହାରଟା ମଧ୍ୟ ଯେପରି ତା’ ଭିତରଟି ସହିତ ସହଯୋଗ କରିପାରିବ, ସେଥିଲାଗି ଜଣେ ପ୍ରକୃତ ଶିକ୍ଷକ ସମ୍ପର୍କ ତଥା ସାଧନର ଏକ ଯଥାନୁକୂଳ ପରିବେଶ ଆଣି ଖଞ୍ଜି ଦେବାକୁ ହିଁ ନିଜର ସବୁଠାରୁ ବଡ଼ କର୍ତ୍ତବ୍ୟ ବୋଲି ଗ୍ରହଣ କରି ନେଇଥାଏ । ସିଏ ମୋଟେ ବିଚାର କରେ ନାହିଁ, ଏଡ଼ାଇ ଦିଏ ନାହିଁ, ଖସି ପଳାଏ ନାହିଁ । ଖସି ପଳାଇଥିବା ଲୋକମାନେ ହିଁ ଭର୍ତ୍ସନା କରନ୍ତି, ଏଣୁତେଣୁ ଗୋଟାଏ ଖୋଳ ବା ମାର୍କା ପିନ୍ଧାଇଦେଇ ତାହାରି ଉପରେ ପ୍ରହାର କରିବାରେ ଲାଗିଥାନ୍ତି । ଏମାନେ ହୁଏତ ନିଜଠାରୁ ଖସି ପଳାଇଥାନ୍ତି । ନିଜ ଭିତରେ ଥିବା କାଣ୍ଡାରିଟିର ସମ୍ମୁଖୀନ ହେବାକୁ ଭୟ କରୁଥା’ନ୍ତି । ତେଣୁ, କେବଳ କେତେଟା ମାର୍କା ବା ଛାଞ୍ଚ ବ୍ୟତୀତ ନିଜର କୌଣସି ଅସଲ ପରିଚୟ ଦେବାକୁ ସେମାନେ ହାଡ଼େ ହାଡ଼େ ଭୟ କରନ୍ତି । ଭୟାଳୁମାନେ ହିଁ ବିଚାର କରନ୍ତି । ବିଚାର କରୁଥିବା ମଣିଷ ପ୍ରକୃତରେ ଆଦୌ କିଛିହେଲେ ଜାଣିନଥାଏ ।

 

ସେପ୍ଟେମ୍ବର, ୧୯୮୬

Image

 

ଉତ୍ତମ ଶିକ୍ଷାର ଆଡ଼ମ୍ବର

 

ବେଶୀ ପଇସା ନହେଲେ ଭଲ ଶିକ୍ଷା ମୋଟେ ସମ୍ଭବ ହୋଇ ପାରିବ ନାହିଁ ବୋଲି ଭାରତବର୍ଷରେ ଅପେକ୍ଷାକୃତ ଅଧିକ ଧନ ଥିଲାବାଲାଙ୍କ ମଧ୍ୟରେ ତଥା ଅଧିକ ଧନ ହାସଲ କରିବାର ସ୍ଵପ୍ନ ଦେଖୁଥିବା ବଡ଼ଆଖିଆନିମାନଙ୍କ ମଧ୍ୟରେ ଏକ ଅନିଷ୍ଟକାରୀ ଅନ୍ଧବିଶ୍ଵାସ ଦିନକୁଦିନ ବୃଦ୍ଧି ପାଇବାରେ ଲାଗିଛି; ଏବଂ, ଆହୁରି ଅଧିକ ଅନିଷ୍ଟକାରୀ କଥାଟି ହେଉଛି ଯେ, ଯେଉଁଠାରେ ପାଠ ବାବଦକୁ ଅଧିକ ପଇସା ଖରଚ ହେଉଛି ଓ ଯେଉଁସବୁ ବିଦ୍ୟାଳୟ ବା ମହା ମହା ବିଦ୍ୟାଳୟ ଅଧିକରୁ ଅଧିକ ସୂତ୍ରରେ ଅଭିଭାବକମାନଙ୍କଠାରୁ ଅଧିକରୁ ଅଧିକ ପଇସା ଆଦାୟ କରୁଛନ୍ତି, ସେଠାରେ ଅବଶ୍ୟ ଉତ୍ତମ ପାଠପଢ଼ା ହେଉଥିବ ବୋଲି ଗୋଟାଏ ହାୱା କ୍ରମେ ଭାରି ପ୍ରବଳ ହୋଇ ଅନେକଙ୍କର ମୁଣ୍ଡକୁ ଗ୍ରାସ କରିବାକୁ ଆରମ୍ଭ କଲାଣି । ଅନ୍ୟଲୋଭୀ ଅନ୍ଧବିଶ୍ଵାସୀମାନେ ଏକ ମନ୍ଦ ଓ ଖଳ ଉତ୍ସାହ ଭିତରେ ପଡ଼ି ଶିକ୍ଷାର ବ୍ୟୟକୁ ଅଧିକରୁ ଅଧିକ କରିବାରେ ଲାଗିଛନ୍ତି ଏବଂ ଏଣେ ଶିକ୍ଷାର ମାନ ହ୍ରାସ ହେବାରେ ଲାଗିଛି । ଆହୁରି ଅଧିକ ସାଂଘାତିକ କଥା ହେଉଛି ଯେ, ଅନେକ ସମୟରେ ଉଦାର ଭାବରେ ଟଙ୍କା ଖର୍ଚ୍ଚ କରିପାରିଲେ ପରୀକ୍ଷାର ସିରସ୍ତାମାନଙ୍କ ଭିତରୁ ପିଲାମାନଙ୍କ ଲାଗି ଉତ୍ତମ ଫଳ ମଧ୍ୟ କିଣି ଅଣାଯାଇ ପାରୁଛି । ପରୀକ୍ଷାର ଫଳଟା ଭଲ ହେଲେ ଭାଗ୍ୟରବି ଅବଶ୍ୟ ପ୍ରସନ୍ନ ହେବେ ଓ ତେଣିକି ଧର୍ମ ମଧ୍ୟ ଏହି ସଂସାରରେ ଆମକୁ କଦାପି ହରାଇ ଦେଇ ପାରିବ ନାହିଁ ବୋଲି ପାରିବାବାଲାଙ୍କ ଭିତରେ ଏକ ଟାଣପଣ ବୁଦ୍ଧି ପାଇବାରେ ଲାଗିଛି ।

 

କେତେବର୍ଷ ତଳେ ଶ୍ରୀଅରବିନ୍ଦ ଆଶ୍ରମ ଶିକ୍ଷାକେନ୍ଦ୍ରର ଜଣେ ଶିକ୍ଷକ ସେଠାରେ ପାଠ ପଢ଼ୁଥିବା ପିଲାମାନଙ୍କ ବିଷୟରେ ମାଆଙ୍କୁ ପ୍ରଶ୍ନଟିଏ ପଚାରିଥିଲେ । ପ୍ରଶ୍ନଟି ହେଉଛି “କେତେକ ଭଲ ପିଲା ପଇସାକୁ ଏତେ ଅଧିକ ଗୁରୁତ୍ଵ ଦେଇ ବିଚାର କରୁଛନ୍ତି ଯେ ସେଥିରୁ ପ୍ରକୃତରେ ଅନେକ ଆଶଙ୍କା ଜାତ ହେଉଛି (it gives a shock) । ଆମେ ଏ ବିଷୟରେ ପିଲାମାନଙ୍କ ସହିତ ଆଲୋଚନା କରି ପାରିବା କି ?” ମାଆ ଉତ୍ତର ଦେଇ କହିଥିଲେ, “ହଁ, ତୁମେ ଆଲୋଚନା କରିବାକୁ ଚେଷ୍ଟା କର । ଏହା ଏକ ଅତ୍ୟାବଶ୍ୟକ କଥା । ମନେ ହେଉଛି ଏବେ ସତେଅବା ଏହି ପଇସାହିଁ ସର୍ବୋଚ୍ଚ ପରମେଶ୍ଵରଙ୍କ ଆସନରେ ଯାଇ ବସିଲାଣି । ଏବଂ, ସତ୍ୟ ଯେପରି କ୍ରମେ ଖସି ଖସି ପଛରେ ଅଧିକରୁ ଅଧିକ ପରିମାଣରେ ଗୌଣ ହୋଇ ରହିଯାଉଛି । ଆଉ ପ୍ରେମ,—ତାହା ତ ସତେଯେପରି ସମ୍ପୂର୍ଣ୍ଣ ଭାବରେ ଅଦୃଶ୍ୟ ହୋଇ ରହିଲାଣି !” ଉପସଂହାର କରି ମାଆ କହିଥିଲେ, “ପ୍ରେମ କହିଲେ ଏଠାରେ ମୁଁ ଦିବ୍ୟ ପରମପ୍ରେମର କଥାହିଁ କହୁଛି । କାରଣ ଆଜିକାଲି ମନୁଷ୍ୟମାନେ ଯାହାକୁ ପ୍ରେମ ବୋଲି କହୁଛନ୍ତି, ତାହା ତ ସେହି ପଇସାର ହିଁ ଏକ ଉତ୍ତମ ବନ୍ଧୁରେ ପରିଣତ ହୋଇ ରହିଛି ।” [ମାତୃ ରଚନାବଳୀ (ଇଂରାଜୀ), ଶତବାର୍ଷିକୀ ସଂସ୍କରଣ, ୧୨ଶ ଖଣ୍ଡ, ୧୯୭୮, ପୃଷ୍ଠା ୧୫୯]

 

ଏହି ପ୍ରସଙ୍ଗରେ ମାଆ ଆଉ ଦିନେ କହିଥିଲେ (ତତ୍ରୈବ), “ନିଜ ପରିବାରର ବହୁତ ଟଙ୍କା ପଇସା ଓ ଧନସମ୍ପତ୍ତି ବିଷୟରେ କାହାଣୀମାନ କହି ଯେତେବେଳେ ଜଣେ ପିଲା ତୁମକୁ ‘ଚମକୃତ କରିବାକୁ ଇଚ୍ଛା କରୁଥିବ, ସେତେବେଳେ ତୁମେ କଦାପି ଚୁପ୍ ହୋଇ ରହିଯିବ ନାହିଁ । ତୁମେ ତାକୁ ବୁଝାଇ କରି କହିଦେବ ଯେ, ଏଠାରେ ପାର୍ଥିବ ଧନସମ୍ପତ୍ତିକୁ ଆଦୌ କୌଣସି ମୂଲ୍ୟ ଦିଆଯାଏ ନାହିଁ । ଯେଉଁ ଧନସମ୍ପତ୍ତକୁ ଦିବ୍ୟ ପରମସତ୍ତାଙ୍କ ପାଖରେ ସମର୍ପିତ କରାଯାଇଛି, ଏଠାରେ କେବଳ ତାହାରି କିଞ୍ଚିତ୍ ମୂଲ୍ୟ ରହିଛି । ତୁମେ ସେହି ପିଲାମାନଙ୍କୁ ଭଲ କରି ବୁଝାଇଦେବ ଯେ, ବଡ଼ ବଡ଼ ଘରମାନଙ୍କରେ ରହିଲେ, ପ୍ରଥମ ଶ୍ରେଣୀରେ ଯାତ୍ରା କଲେ ଏବଂ ମୁଠାମୁଠା ପଇସା କାଢ଼ି ଖର୍ଚ୍ଚ କଲେ ଜଣେ ମଣିଷ କଦାପି ବଡ଼ ହୋଇଯାଏ ନାହିଁ । କେବଳ ସତ୍ୟ ପ୍ରତି ନିଷ୍ଠା ବଢ଼ିଲେ, ଆନ୍ତରିକତା ବଢ଼ିଲେ ଓ ଆନୁଗତ୍ୟ ବୃଦ୍ଧି ପାଇଲେ ଏବଂ କୃତଜ୍ଞ ରହିପାରିଲେ ଯାଇ ତୁମର ମହତ୍ତ୍ଵ ବୃଦ୍ଧି ହୋଇ ପାରିବ ।”

 

ଭଗବାନ କ’ଣ ମନ୍ଦିରରେ ମିଳନ୍ତି ? ତଥାପି ଭଗବାନଙ୍କଠାରେ ଲୋଭ ରଖିଥିବା ମଣିଷ ଭଗବାନଙ୍କର ମନ୍ଦିରଟିକୁ କେତେ ପଇସା ଖରଚ କରି କେଡ଼େ ଆଖିଦୃଶିଆ କରି ତିଆରି କରିଥାଏ । ନିଜ ଜୀବନରେ ଭଗବାନଙ୍କର ବାନାଟି ସିନା ସବୁଠାରୁ ଭଚ୍ଚ ହୋଇ ଉଡ଼ୁଥାଆନ୍ତା, ମାତ୍ର ମନ୍ଦିରଗୁଡ଼ିକୁ ଯଥାସମ୍ଭବ ଅଧିକରୁ ଅଧିକ ଉଚ୍ଚ କରି ତା ଉପରେ ସୁଦୃଶ୍ୟ ବାନାଟିଏ ଉଡ଼ାଇ ଦେଇ ପାରିଲେ ଅନେକ ମଣିଷ ସତେଅବା ଆପଣାର ସମ୍ମୁଖରେ ଆସି ପହଞ୍ଚି ଯାଉଥିବା ଅନେକ ଆହ୍ଵାନରୁ ଛୁଟି ପାଇଯିବା ପରି ଅନୁଭବ କରନ୍ତି । ମଣିଷର ଅସଲ ଆସ୍ଥାନଟି ତାର ହୃଦୟ ଭିତରେ ସିନା ତିଆରି ହେଉଥାନ୍ତା, ମାତ୍ର ବାହାରେ ଆମେ ତିଆରି କରୁଥିବା ଆସ୍ଥାନଗୁଡ଼ିକ କ୍ରମେ ଗୋଟିଏ ଗୋଟିଏ ମଠରେ ପରିଣତ ହୋଇଯାଏ । ଭିତରେ ଅସଲ ବ୍ୟାକୁଳତାଗୁଡ଼ିକୁ ଆମେ ଜୀଆଇ ରଖି ପାରୁନାହିଁ ବୋଲି ହୁଏତ ବାହାରେ ପ୍ରାୟ ଏକ ରାଜସିକ ପ୍ରକରଣରେ ଅହୋରାତ୍ର ସଂକୀର୍ତ୍ତନମାନ ଚାଲିଥାଏ । ଏହି ଧାରାଟି ଆମ ସଂସାରରେ ଭାରି ଚମତ୍କାର ଭାବରେ ବାହାରେ କଞ୍ଚା ଘରଗୁଡ଼ିକୁ ପକ୍କା କରି ବନାଇବାର ହୁନ୍ଦର ଭିତରେ ପଡ଼ି ଭିତରେ ଅସଲ ଘରଗୁଡ଼ିକୁ ଭାରି କଞ୍ଚା କରି ରଖିଦେଇଛି । ଆଧ୍ୟାତ୍ମିକ ଆହ୍ଵାନଗୁଡ଼ିକୁ ପ୍ରାୟ ଏକ ଧର୍ମୀୟ ଅନ୍ୟନିଶାରେ ପରିଣତ କରିବାରେ ଏହି ରୀତିଟି ଯୁଗେ ଯୁଗେ ଖୁବ୍ ସାହାଯ୍ୟ କରି ଆସିଛି । ଟଙ୍କା ନଥିଲେ ବାହାରେ ଆଖିଦୃଶିଆ କରି ପ୍ରକୃତରେ କିଛି ଗଢ଼ି ଥୋଇ ଦେଇ ହୁଏ ନାହିଁ । ଟଙ୍କା ନଥିଲେ ବାହାରର ତେଜଗୁଡ଼ାକ ଆଦୌ ପ୍ରକଟ ହୋଇ ପାରନ୍ତି ନାହିଁ । ଏବଂ, ଅନ୍ୟମାନଙ୍କର ଆଖିକୁ ଝଲସାଇ ଦେଇ ନପାରିଲେ ଆମ ମର୍ଯ୍ୟାଦାର ଗୋଡ଼ଗୁଡ଼ାକ ମୋଟେ ଆଗକୁ ପଡ଼ୁଥିବା ପରି ମନେ ହୁଅନ୍ତି ନାହିଁ । ବିଶେଷତଃ, ଯେଉଁ ପୃଥିବୀରେ ଅଧିକ ମନୁଷ୍ୟ ନିର୍ଧନ ହୋଇ ରହିଛନ୍ତି ଓ ନିର୍ଧନ ହୋଇଥିବାରୁ ହିଁ ଅସମର୍ଥ ହୋଇ ରହିଛନ୍ତି, ସେହି ପୃଥିବୀରେ ମାନବସ୍ତରୀୟ ଯାବତୀୟ ବାହାଦୁରି ଯେ ପ୍ରଧାନତଃ ସେହି ଧନ ଉପରେ ହିଁ ନିର୍ଭର କରିବ, ସେଥିରେ ବିସ୍ମିତ ହେବାର ଆଦୌ କିଛି ନାହିଁ ।

 

ଯାହା ଘରେ ଧନ ଅଧିକ ଥାଏ, ପ୍ରତିଭାମାନେ ଯେ କେବଳ ତାହାରି ଘରକୁ ସତେଅବା ଡକାଡକି ହୋଇ ଆସିଥାନ୍ତି, ସେକଥା ମୋଟେ ନୁହେଁ । ବାପାଙ୍କର ଧନସମ୍ପତ୍ତି ଥିଲେ ଯେ ପିଲାମାନଙ୍କର ମଧ୍ୟ ବିଦ୍ୟାରେ ଅଧିକ ହୁଏ, ବିଦ୍ୟାର କୌଣସି ବିଜ୍ଞାନ ସେକଥା କହିବାକୁ କେବେହେଲେ ସାହସ କରିବ ନାହିଁ । ଅଧିକ ପଇସା ଖରଚ ହୋଇ ଓ ପଇସା ଦ୍ଵାରା ସମ୍ଭବ ହେଉଥିବା ଠାଣିଗୁଡ଼ାକୁ ବଢ଼ାଇ ଯେଉଁ ପରିବେଶଟିକୁ ପରିବାର ମଧ୍ୟରେ ଅଥବା ପାଠଶାଳାରେ ସୃଷ୍ଟି କରାଯାଏ, ତାହା ଯେ ଅବଶ୍ୟ ବିଦ୍ୟାନୁକୂଳ ହେବ, ସେପରି ଅନୁମାନ କରିବା ପଛରେ ଆଦୌ କୌଣସି ପ୍ରମାଣ ନାହିଁ । ହୁଏତ ଏପରି ହୋଇପାରେ ଯେ, ଭିତରେ ଆଗ୍ରହ ଓ ଆକାଂକ୍ଷାର ଅସଲ ଧାରାଗୁଡ଼ିକ ନାନା କାରଣରୁ ଶୁଷ୍କ ହୋଇ ଆସିଲେ ଓ ସେହି ଆହ୍ଵାନଟିର ସମ୍ମୁଖୀନ ହେବା ଲାଗି ମଣିଷ ଭିତରୁ କୌଣସି କାରଣରୁ ବଳ ନପାଇଲେ, ମଣିଷ ବାହାରଟାକୁ ଅଧିକ ସଜ୍ଜିତ କରି ରଖିବାକୁ ଇଚ୍ଛା କରେ ଓ ସେହି କାରଣରୁ ପଇସା ଖରଚ କରି ବାହାର ସଜ୍ଜାଗୁଡ଼ିକୁ ଅଧିକ ଶୋଭାଯୁକ୍ତ କରି ଦେଖାଇଲେ ସବୁ ସମାଧାନ ହୋଇଯିବ ବୋଲି ଭାବିବାର ଏକ ଭ୍ରମରେ ଯାଇ ପଡ଼ିଯାଏ । ଏହି ଭ୍ରମଟାକୁ ଆଦରି ନେଇ ନିଜର ଦେହଟାକୁ ତେଲଚକଚକ କରି ଦେଖାଇବା ଲାଗି କେତେ ଉଦ୍ୟମ କରୁଥିବା ମଣିଷମାନେ ଆଗକାଳେ ବି ଥିଲେ, ସେମାନେ ବର୍ତ୍ତମାନ ବି ଅଛନ୍ତି ।

 

ପ୍ରକୃତ ଶିକ୍ଷା ମଣିଷର ଭିତରେ ରହିଥିବା ଧନଗୁଡ଼ିକର ସନ୍ଧାନ କରେ । ସେହି ଧନଗୁଡ଼ିକୁହିଁ ସବୁଠାରୁ ବଡ଼ ଧନ ବୋଲି ସ୍ଵୀକୃତି ଦିଏ । ସେହି ଧନଗୁଡ଼ିକ ମଣିଷ ଭିତରେ ସମ୍ଭାବନାରୁ ପ୍ରଚ୍ଛନ୍ନ ହୋଇ ରହିଛନ୍ତି । ବାହାରେ ନାନାବିଧ ଖଳତା ଓ ଖଳ ବ୍ୟବସ୍ଥା ଆପଣାର ଅଭିପ୍ରାୟଗୁଡ଼ିକୁ ସିଦ୍ଧ କରିବା ଲାଗି ଅଧିକରୁ ଅଧିକ ମଣିଷଙ୍କୁ ଭିତରର ସେହି ଗନ୍ତାଘରଗୁଡ଼ିକ ବିଷୟରେ ସମ୍ଭବ ହେଲେ ସମ୍ପୂର୍ଣ୍ଣରୂପେ ବିସ୍ମୃତ କରି ରଖିବାକୁ ଚେଷ୍ଟା କରୁଛନ୍ତି । ସେମାନେ କହୁଛନ୍ତି, ଧନ ବଢ଼ାଅ, ତୁମର ସବୁକିଛି ଆପେ ଆପେ ବଢ଼ିଯିବ; ପ୍ରକୃତରେ ନବଢ଼ିଲେ ମଧ୍ୟ ବାହାରକୁ ବଢ଼ୁଥିଲା ପରି ଦିଶିବ ଏବଂ ଆଧୁନିକ ସଂସାର-ବଜାରରେ ତୁମେ ସଫଳତା ଅର୍ଜନ କରିବା ନିମନ୍ତେ ତାହାହିଁ ଯଥେଷ୍ଟ । ପୃଥିବୀଯାକ ଏହି ବାହାରର ସଫଳତାହିଁ ଅଧିକରୁ ଅଧିକ ବୃଦ୍ଧି ପାଉଛି । ଭିତରେ ତଥାପି କ’ଣସବୁ ଶୁଖିଶୁଖି ଯାଉଛି । ଜୀବନର ଅସଲ ପରୀକ୍ଷାରେ, ଅର୍ଥାତ୍ ବିଶ୍ଵାସ ବଢ଼ାଇବାରେ, ସଖ୍ୟ ବଢ଼ାଇବାରେ ପ୍ରକୃତ ଗୁଣଗୁଡ଼ିକ ପାଖରେ ମନୁଷ୍ୟର ଆନୁଗତ୍ୟ ବଢ଼ାଇବାରେ ଏବେ ଅଧିକରୁ ଅଧିକ ମଣିଷ ବିଫଳ ହେବାରେ ଲାଗିଛନ୍ତି । କ୍ଷମତା ପ୍ରବଳ ହେଉଛି, ସେହି କ୍ଷମତାର ଧନ ସହିତ ପରିଣୟ ହୋଇ ଯାଇଥିବା ପରି ମନେ ହେଉଛି ଏବଂ ବିଦ୍ୟା ସତେଅବା ପୋଇଲି ହୋଇ ବାହାରେ ଛିଡ଼ା ହୋଇଛି ।

 

ଆଧୁନିକ ମଣିଷର ଅସହାୟତା କହିଲେ ଆମେ ପ୍ରଧାନତଃ ଏହି କଥାଟିକୁ ବୁଝିବା । ମଣିଷ ଲାଗି ଏହି ପୃଥିବୀରେ ସବୁ ରହିଛି—ତଥାପି ଅସଲ ସାହସଥାନରେ ସାହସ ନାହିଁ ଏବଂ ଅସଲ ଭରସାଟି ଥାନରେ ତାକୁ ଭରସା ମିଳୁ ନାହିଁ ବୋଲି ସିଏ ଭିତରେ ବଡ଼ ଅସହାୟ ହୋଇ ରହିଛି । ସିଏ ଯେଉଁ ପୃଥିବୀରେ ନିଜେ ସୁନ୍ଦର ଓ ବଳବାନ୍ ହୋଇଥାନ୍ତା ଓ ତାହାରି ବଳରେ ପୃଥିବୀଟିକୁ ସୁନ୍ଦର କରି ଗଢ଼ିଥାନ୍ତା, ସେହି ପୃଥିବୀ ତା’ହାତରୁ ସତେ ଅବା ଖସି ଖସି ଯିବାରେ ଲାଗିଛି । ପୃଥିବୀରେ ସବୁଠାରୁ ବେଶୀ ପଇସା ଯାହା ହାତରେ ଅଛି, ତାହାରି ହାତରେ ହିଁ ସବୁଠାରୁ ବଡ଼ ବୋମାମାନ ରହିଛି । ବିବେକ ଉପରୁ ବିଶ୍ଵାସ ହରାଇ ବସିଥିବା ବଡ଼ ବଡ଼ ବୋମାର ମାଲିକମାନେ ଏଗୁଡ଼ିକ ଦ୍ଵାରା ହିଁ ପୃଥିବୀରେ ଶାନ୍ତି ରଖିବେ ଓ ମଣିଷକୁ ଶାନ୍ତି ଦେବେ ବୋଲି କେଡ଼େ ଚାତୁରୀ ସହକାରେ କହିବାରେ ଲାଗିଛନ୍ତି । ଯେଉଁମାନେ ବୋମାରେ ଅଧିକ ଖରଚ କରୁଛନ୍ତି, ସେହିମାନେ ହିଁ ଶିକ୍ଷାରେ ମଧ୍ୟ ଅନ୍ୟମାନଙ୍କଠାରୁ ଅଧିକ ଖରଚ କରୁଛନ୍ତି ଏବଂ ଅଧିକ ଖରଚ କଲେ ହିଁ ଉତ୍ତମ ଶିକ୍ଷା ଅଲବତ ସମ୍ଭବ ହେବ ବୋଲି ଭାବୁଛନ୍ତି । ବୋମାରେ ଭରସା କରୁଥିବା ମଣିଷ ଶିକ୍ଷା ଉପରେ ଭରସା କିପରି ରଖିପାରିବ ? ଶିକ୍ଷା ଆଉ ବୋମା ମଧ୍ୟରେ କୌଣସି ଗୋଟିକୁ ବାଛିନେବାକୁ ହେଲେ ଆଖିର ବୋମାକୁ ହିଁ ଅଧିକ ଶକ୍ତିଶାଳୀ ଓ ତେଣୁ ଅଧିକ ନିର୍ଭରଯୋଗ୍ୟ ବୋଲି ବାଛିବାକୁ ପଡ଼ିବ ବୋଲି ବିଶ୍ଵାସ କରୁଥିବାରୁ ହିଁ ଏମାନେ ଶିକ୍ଷା ଓ ବୋମା ମଧ୍ୟରେ ରହିଥିବା ମୂଳଭୂତ ଫରକଟିକୁ ଆଦୌ ହୃଦୟଙ୍ଗମ କରି ପାରୁନାହାନ୍ତି । ଅସଲ ଶିକ୍ଷା ବର୍ତ୍ତମାନ ପୃଥିବୀର ଏହି ବିଡ଼ମ୍ବନାଟିକୁ ଉତ୍ତମରୂପେ ହୃଦୟଙ୍ଗମ କରିବ । ତେବେଯାଇ ତାହା ସତକୁ ସତ କାମରେ ଲାଗିପାରିବ ।

 

ମନୁଷ୍ୟର ଅସଲ ବୃଦ୍ଧିର କାରଣ ହେଉଛି ସତ୍ୟନିଷ୍ଠ ହେବା, ନିଜର ଆନ୍ତରିକତାରେ ବୃଦ୍ଧି ସାଧନ କରିବା, ଗୁଣଗୁଡ଼ିକ ପାଖରେ ଅନୁଗତ ହୋଇ ରହିବା ଏବଂ ଯୁଗର ବିଧାତାଙ୍କ ପାଖରେ କୃତଜ୍ଞ ହୋଇ ରହିବା । ଅଧିକ ପଇସା ଖରଚ କଲେ ଏଗୁଡ଼ିକ କଦାପି ବଢ଼ିଯିବ ନାହିଁ । ଆମେ ଯେଉଁମାନେ ଜାଣତରେ ଅଥବା ଅଜାଣତରେ ସେହିଭଳି ଚିନ୍ତା କରୁଥିବା, ଆମେ ଅସଲ ସୂତ୍ରଟିକୁ ହୁଏତ ପଛରେ ପକାଇ ଦେଇ ଆଉ କୁଆଡ଼େ ଏଣେ ମାଡ଼ି ଆସିଲୁଣି ବୋଲି ଆଶଙ୍କା କରିବାର ଅବଶ୍ୟ ଏକ କାରଣ ରହିଥିବ । ଆମ ଭିତରୁ ଯେଉଁମାନଙ୍କର ଅନ୍ୟମାନଙ୍କ ତୁଳନାରେ କମ୍ ପଇସା ଅଛି ଓ ତେଣୁ ଯେଉଁମାନେ ହଠାତ୍ ଚକଚକ ହୋଇ ଦିଶି ପାରିବାଭଳି ଘରଟିଏ, ବଗିଚାଟିଏ ଅଥବା ସର୍କସଟିଏ ଦେଖାଇ ପାରୁନାହାନ୍ତି, ସେମାନେ ମଧ୍ୟ ଅଧିକ ପଇସା ଥିବା ଲୋକମାନଙ୍କର ଅନୁକରଣ କରୁଛନ୍ତି ଓ ଆହୁରି ଅଧିକ ଅନୁକରଣ କରି ଠିକ୍ ସେହିମାନଙ୍କ ପରି ଦିଶିବେ ବୋଲି ଭାରି ହାଇଁପାଇଁ ହେଉଛନ୍ତି । ସେଥିପାଇଁ ସେମାନେ ପିଲାମାନଙ୍କୁ ଭୂଇଁ ଉପରୁ ନେଇ ଚଉକିରେ ବସାଉଛନ୍ତି, ସେମାନଙ୍କର ଗୋଡ଼କୁ ଜୋତାମୋଜା ଖଞ୍ଜି ଦେଉଛନ୍ତି ଓ ନଙ୍ଗଳା ହାତଗୁଡ଼ାକରେ ରୂପାର ଖଡ଼ୁ ପିନ୍ଧାଇବେ ବୋଲି କେତେ ମିହନ୍ତ କରୁଛନ୍ତି । ଏହାଦ୍ଵାରା କଦାପି ଦରିଦ୍ରତା ଦୂର ହେବ ନାହିଁ । ଆନ୍ତରିକତା ବଢ଼ିଲେ ଯାଇ ଦରିଦ୍ରତା ଦୂର ହେବ, କୃତ୍ରିମତାମାନେ ଦୂର ହେଲେ ଯାଇ ଆନ୍ତରିକତାକୁ ଫୁରସତ ମିଳିବ,—ଏବଂ ଭିତରେ ଅସଲ ମେରୁଦଣ୍ଡଟି ସିଧା ହୋଇପାରିଲେ ଯାଇ ଅଶିକ୍ଷାର ଯାବତୀୟ ବନ୍ଧ୍ୟା ଦୋଷରୁ ମୁକ୍ତି ମିଳିପାରିବ ।

 

ଶିକ୍ଷାର କ୍ଷେତ୍ରରେ ପ୍ରକୃତରେ ବିକଳ୍ପଟିଏ ଆଣି ଯୋଗାଇଦେବା ଲାଗି ଯଦି ଆମେ ଏହି ନୂତନ ଯାତ୍ରାଟିକୁ ମନ କରିଥିବା, ତେବେ ଆମେ ମୂଳରୁ ହିଁ ଅନ୍ୟପ୍ରକାର ହେବା । ଆମେ ମାଟି ଘରକୁ ରୁଷିବା ନାହିଁ, ଖାଲି ଗୋଡ଼କୁ ବି ରୁଷିବା ନାହିଁ । ଅର୍ଥଶକ୍ତି ବର୍ତ୍ତମାନ ଅସୁରମାନଙ୍କ ହାତରେ ରହିଛି । ଆମେ ନିଜ ଭିତରେ ସେହି ଅସୁରମାନଙ୍କୁ ନେଇ ହିଁ ସର୍ବୋଚ୍ଚ ଆସନରେ ବସାଇବାର କୌଣସି ଉଦ୍ୟମ କରିବା ନାହିଁ । ଅସୁରର ଅନୁଗ୍ରହ ନହେଲେ ଆମ ଦିଅଁଙ୍କର ପ୍ରତିଷ୍ଠା ହୋଇ ପାରିବ ନାହିଁ ବୋଲି ମଧ୍ୟ କ୍ଷଣକ ପାଇଁ ଅନୁଭବ କରିବା ନାହିଁ । ମଣିଷ ଭିତରେ ଯାହା ଅସଲ, ଆମେ ତାହାକୁ ହିଁ ସବାଆଗ ଚିହ୍ନିବା । ଆମ ଭିତରେ ଯାହା ଅସଲ, ନିଜକୁ ଆବିଷ୍କାର କରି ବାହାରିଥିବା ସମୟରେ ଆମେ ସବାଆଗ ତାହାରି ସହିତ ପରିଚିତ ହେବା, ତାହାକୁ ସାଙ୍ଗରେ ନେଇହିଁ ଯାବତୀୟ କାରବାର କରି ବାହାରିବା । ଆମ ପିଲାଙ୍କ ଭିତରେ ପ୍ରକୃତରେ ଯାହା ଅସଲ, ଆମେ ସେଇଟିକୁ ଦେଇ ହିଁ ସେମାନଙ୍କୁ ଚିହ୍ନିବା । ଜୀବନରେ ଦୁଇଟି ବାଟ ରହିଛି,—ଦୁଇଟି ଉଦ୍ଦେଶ୍ୟ ରହିଛି । ତେଣୁ ଦୁଇଟି ଆଧାର ମଧ୍ୟ ରହିଛି । ଗୋଟିଏ ହେଉଛି to have, ଅନ୍ୟଟି to be,—ଆମର ଶିକ୍ଷା to haveର ଯାବତୀୟ ଅର୍ଗଳକୁ ପାର ହୋଇ to beର ଉଦବୋଧନ ଦେଇ ପାରିବା ଉଚିତ । ତେବେଯାଇ ଶକ୍ତି ବଢ଼ିବ, ସଂଘ ବଢ଼ିବ । ଅସଲ ଆନୁଗତ୍ୟ ସେତିକିବେଳେ ସମ୍ଭବ ହେବ ।

 

ଅକ୍ଟୋବର, ୧୯୮୬

Image

 

Unknown

ପଳାୟନର ପଚାଶ ବାଟ

 

....there are million ways of fleeing—ମାଆ ଏକ କଥୋପକଥନରେ ଏକଦା ଏହିଭଳି ଏକ ମନ୍ତବ୍ୟ କରିଥିଲେ । [ମାତୃରଚନାବଳୀ (ଇଂରାଜୀ), ଶତବାର୍ଷିକୀ ସଂସ୍କରଣ, ୧୦ମ ଖଣ୍ଡ, ୧୯୭୭, ପୃଷ୍ଠା—୨୧୪] ପଳାଇ ଯିବାଲାଗି ପଚାଶ ଲକ୍ଷ ବାଟ ରହିଛି । ଆମ ଭିତରୁ ଅଧିକସଂଖ୍ୟକ ମଣିଷ ଏଥିରୁ କୌଣସି ନା କୌଣସି ବାଟକୁ ଧରି ପଳାଇ ଯିବାକୁ ଇଚ୍ଛା କରୁଥାନ୍ତି । ବାଟଟିଏ ନମିଳିଲେ ମଧ୍ୟ ବାଟଟିଏ ଉଦ୍ଭାବନ କରି ପଳାଇ ଯାଆନ୍ତି । ଏମାନେ ସିଦ୍ଧି ଲାଗି ବାଟ ଚାଲୁଥାନ୍ତି,—ଏମାନଙ୍କର ଅସଲ ବ୍ୟାକୁଳତା ଏହିପରି କୌଣସି ସିଦ୍ଧିଲାଭ କରିବା ନିମନ୍ତେ ଉଦ୍ଦିଷ୍ଟ ହୋଇ ରହିଥାଏ । ସେମାନେ ନିଜ ଲାଗି କ’ଣ ଗୋଟିଏ ପାଇବେ, ଅନ୍ୟମାନଙ୍କର ତୁଳନାରେ ଟିକିଏ ଉଞ୍ଚ ହୋଇ, ଦୂରହୋଇ ରହିବେ; ଦୂରଛଡ଼ା ହୋଇ ରହିବେ । ଦୂରଛଡ଼ା ହୋଇ ରହିବାକୁ ହିଁ ସିଦ୍ଧିତତ୍ତ୍ଵର ଶାସ୍ତ୍ରକାରମାନେ ସେଥିଲାଗି ଅସଲ ମୁକ୍ତି ବୋଲି ବର୍ଣ୍ଣନା କରିଛନ୍ତି । ଏହିପରି ପଳାଇ ବାହାରି ଯିବାକୁ ହିଁ ଅସଲ କାମ୍ୟ ବୋଲି ଘୋଷଣା କରିଛନ୍ତି । ଅପବିତ୍ରଗୁଡ଼ାକଠାରୁ ଦୂର ହୋଇ ରହିବା,—ଅଧିକାଂଶ କ୍ଷେତ୍ରରେ ଏହାକୁ ହିଁ ପବିତ୍ରତାକୁ ଅନୁଭବ କରିବାର ବା ଅନ୍ତତଃ ପବିତ୍ର ବୋଲି ଦିଶିବାର ଗୂହ୍ୟ ସୂତ୍ରରୂପେ ବୟାନ କରାଯାଇଛି । ଆମ ପୃଥିବୀର ଅଧିକାଂଶ ତଥାକଥିତ ସିଦ୍ଧ ଓ ପବିତ୍ରମାନେ ସେହିଭଳି ଆଚରଣ ମଧ୍ୟ କରିଛନ୍ତି ।

 

ସମ୍ଭବତଃ ଏହି ଦୃଷ୍ଟିରୁ ହିଁ ଧର୍ମବେତ୍ତାମାନେ ଓ ପୁରାତନ ପରମ୍ପରାର ଯୋଗୀମାନେ ଭଗବାନଙ୍କୁ ପରମ ଆଶ୍ରୟ ବୋଲି, କହି ଯାଇଛନ୍ତି । ସେଠାରେ ଆଶ୍ରୟ ପାଇବା,—ଅର୍ଥାତ୍ ଏଠାରେ ଥିବା ଯାବତୀୟ ପଙ୍କ ଓ କର୍ଦ୍ଦମ ମଧ୍ୟରୁ ସମ୍ପୂର୍ଣ୍ଣ ଭାବରେ ସୁରକ୍ଷିତ ହୋଇ ରହିବା । ପରିତ୍ରାଣର ଅର୍ଥ ହେଉଛି, ମୁଁ ଯାହାକୁ କର୍ଦ୍ଦମ ବୋଲି ଭାବୁଛି, ତାହାଠାରୁ ଅଲଗା ହୋଇ ରହିବା । ଅଲଗା ହୋଇ ରହିବାର ଅର୍ଥ ହେଉଛି ମୁକ୍ତ ହୋଇ ରହିବା । ସ୍ଥୂଳ ପୃଥିବୀରେ ମଧ୍ୟ ଅଲଗା ହୋଇ ଦିଶିବାକୁ ମନ କରୁଥିବା ମଣିଷମାନେ କେତେ ନା କେତେ ବାଗରେ ଅନ୍ୟମାନଙ୍କ ସହିତ ଏକାଠି ହୋଇ ରହିବା ଏବଂ ଏକାଠି ବାଟ ଚାଲିବାକୁ ସତେଅବା କର୍ଦ୍ଦମ ଭିତରେ ରହିବା ସଦୃଶ ଅନୁଭବ କରୁଥାନ୍ତି । ଜଣେ ଅଧିକ ମୋଟା ମଣିଷ ଯେପରି ଅନେକ ସରୁଆ ମଣିଷଙ୍କ ମେଳରେ ଅଲଗା ହୋଇ ଦିଶେ, ସ୍ପଷ୍ଟ ଭାବରେ ବାରିହୋଇ ପଡ଼େ, ଏମାନଙ୍କଠାରୁ ସତେ ଯେପରି ଫୁଟେ କି ହାତେ ଉଚ୍ଚରେ ରହିଥିବା ପରି ଲାଗୁଥାଏ ଓ ତେଣୁ ଅଧିକ ବୋଲି ଲାଗୁଥାଏ, ଠିକ୍ ସେହିପରି ଆମ ସଂସାରର ସିଦ୍ଧିଗତ ପ୍ରତିଯୋଗିତାର ହାଟରେ ମୋଟାମାନେ ସରୁଆମାନଙ୍କଠାରୁ ଅଲଗା, ଅଧିକ ଓ ଉଚ୍ଚ ହୋଇ ଦିଶିବାକୁ ହିଁ ଏକ ପ୍ରକୃତ ସିଦ୍ଧି ବୋଲି ମନେ କରିବାର ଫନ୍ଦି ଭିତରେ ଯାଇ ପଡ଼ିଯାଇଥାନ୍ତି । ଅନ୍ୟମାନଙ୍କର ଯାହା ନାହିଁ, ମୋର ସେଇଥିରୁ କେତେଟା ରହିଲେ ଯାଇ ମୁଁ ଅନ୍ୟମାନଙ୍କର ତୁଳନାରେ ଅଧିକ ହୋଇ ଦିଶିବି, ଆମ ସଂସାର ଭିତରେ ସତେଅବା ଏକ ଦୁଷ୍ଟ ବୈରାଗ୍ୟ ଭିତରେ ରହି ଆପଣାକୁ ଅଧିକ ବୋଲି ଦେଖାଇବାକୁ ସଂସାରୀମାନେ ମଧ୍ୟ ସଚାରଚର କେତେ ଶ୍ରମ ଓ ଉଦ୍ୟମ କରି ଆସିଛନ୍ତି । ପୁରାତନ ମାର୍ଗଗୁଡ଼ିକରେ ମନ୍ଦିରଗୁଡ଼ାକୁ ଯେପରି ଘରଗୁଡ଼ିକଠାରୁ ଅଲଗା ମିଜାଜ ଦେଇ ତିଆରି କରାଯାଇଛି, ସନ୍ନ୍ୟାସୀର ଭେକକୁ ଯେପରି ସଂସାରୀର ଭେକଠାରୁ ଅଲଗା କରି ଚିହ୍ନଟ କରି ରଖିବାର ସୂକ୍ଷ୍ମ ଓ ସ୍ଥୂଳ ଭିଆଣମାନ ହୋଇଛି, ଆମ ସଂସାରର ଅଧିକ ପାରିବାବାଲାମାନେ ମଧ୍ୟ ଅଳପ ପାରିବାବାଲାମାନଙ୍କ ଠାରୁ ଅଲଗା ହୋଇ ଦିଶିବେ ବୋଲି କେତେ ମିହନ୍ତ କରିଛନ୍ତି ଓ ତାହାରି ଦ୍ଵାରାହିଁ ସତେଅବା ସିଦ୍ଧି ପ୍ରାପ୍ତ ହୋଇଗଲା ବୋଲି ଅନୁଭବ କରିଛନ୍ତି । ଯାହାର ଅଧିକ ଧନ, ଅଧିକ ଜ୍ଞାନ, ଅଧିକ ସାମର୍ଥ୍ୟ ଓ ଅଧିକ ସଂଗ୍ରହ,—ଏହି ପୃଥିବୀରେ ତା’ର ଅଧିକତର ଦାୟିତ୍ଵ,—ପଳାଇ ଖସିଯିବାର ଲୋଭରେ ଆମେ ନାନା ଭାବରେ ସେହି କଥାଟିକୁ ଭୁଲି ଯାଇଛୁ । ତେଣୁ ଖାଇଗୁଡ଼ାକ ବଢ଼ିବାରେ ଲାଗିଛି, ମିଛ ଗର୍ବମାନେ ଅଧିକ ଉତ୍ସାହ ପାଇଛନ୍ତି—ମୋଟାମାନେ ଯେତେ ଅଧିକ ମୋଟା ହୋଇ ଦିଶିବାକୁ ହରବର ହୋଇ ଲାଗିଥିଲେ ମଧ୍ୟ ତଥାପି ଭାରି ଅବର୍ଜିଆ ହୋଇ ସରୁଆମାନଙ୍କର ସଂସାରରେ ସେମାନେ ନାନା ଅଘଟଣର କାରଣ ହୋଇଛନ୍ତି । ସେମାନେ ଭିତରେ ବଡ଼ ଦରିଦ୍ର ହୋଇ ରହିଯାଇଛନ୍ତି ।

 

ଆମର ନୂତନ ବିଦ୍ୟାଳୟଗୁଡ଼ିକ ମଧ୍ୟରେ କେତେକ ବିଶିଷ୍ଟ ଅବିଶିଷ୍ଟମାନଙ୍କ ମଧ୍ୟରେ ତଥାପି ପୁରାତନ ଭଳି ଦେଖାଗଲେଣି । ଏହି ପୁରାତନମାନେ ମଧ୍ୟ ଦିନେ ନୂତନ ଥିଲେ । ଓଡ଼ିଶାରେ ପୂର୍ଣ୍ଣାଙ୍ଗ ଶିକ୍ଷାର ପ୍ରତିଶୁତି-ଗୃହଟିକୁ ଠିଆ କରିପାରିବାରେ ସେମାନେ ଖୁଣ୍ଟ ପରି କାର୍ଯ୍ୟ କରିଥିଲେ, ପ୍ରଥମକାଳୀନ ସବୁଯାକ ଝଡ଼ ସହିଲେ, ଅନେକ ଅନିଶ୍ଚିତର କୁହୁଡ଼ିକୁ କାଟି ଆମ ସମସ୍ତଙ୍କ ନିମନ୍ତେ ଏକ ନିଶ୍ଚିତ ପ୍ରତ୍ୟୟ ଏବଂ ପ୍ରତିଷ୍ଠା ଆଣିଦେଲେ । ସେମାନେ ବାଟ କଢ଼ାଇଲେ-। ସେମାନଙ୍କ ପରେ ଅନ୍ୟ ନୂତନମାନେ ଆସି ପହଞ୍ଚିବା ସଙ୍ଗେ ସଙ୍ଗେ ସେମାନେ କ୍ରମେ ପୁରାତନ ପରି ଦିଶିଲେ । ଏମାନଙ୍କର ଘର ବଡ଼ ହେଲା, ସରଞ୍ଜାମମାନ ବହୁଗୁଣିତ ହେଲା, ଅଲଗା ଖଳା ତିଆରି ହେଲା, ଗଉଣୀଗୁଡ଼ିକ ବି ବଡ଼ ହେଲା । ଅଭାବମାନ ବଢ଼ିଲେ, ଅର୍ଥାତ୍ ଅଭାବବୋଧମାନେ ବଢ଼ିଲେ । ସରଳମାନେ ଜଟିଳ ହେଲେ । ସରଳରେଖା ସବୁ ବକ୍ର ହୋଇ ଟଣା ହେଲେ । ଦରବଗୁଡ଼ାକ ବଢ଼ିବାରୁ ନିଜ ଲାଗି ସ୍ଵତନ୍ତ୍ର ବାଡ଼ ବସାଇବା ଦରକାର ପଡ଼ିଲା, କ୍ରମେ ବାଡ଼ମାନେ ପକ୍‌କା ପାଚେରୀରେ ପରିଣତ ହେଲେ । ଖରଚର ତହବିଲମାନେ ନାନା ଅନ୍ୟଆଡ଼େ ଓ ଅନ୍ୟ ମିଜାଜରେ ଲଟେଇ ଯିବାକୁ ଲାଗିଲେ, ବିଦ୍ୟାଳୟ ସତେଅବା ଗୋଟିଏ ଦୁର୍ଗପରି ଦେଖାଗଲା ଓ ଦୁର୍ଗରକ୍ଷକମାନେ ଦୁର୍ଗଟିକୁ ସୁରକ୍ଷିତ କରି ରଖିବା ଲାଗି ପାଚେରୀଗୁଡ଼ାକୁ ଅଧିକ ମୋଟା କରି ତିଆରି କଲେ । ଏଣିକି ସତେଅବା ସେଇଟାହିଁ ସେମାନଙ୍କର ମୁଖ୍ୟ ସାଧନା ହୋଇ ରହିଲା ଓ ସେହି ସାଧନାରୁ ଲବ୍ଧ ହେଉଥିବା ସିଦ୍ଧିଗୁଡ଼ାକ ସତେଅବା ସେମାନଙ୍କ ଲାଗି ପ୍ରୀତିର ମୁଖ୍ୟ କାରଣ ହୋଇ ରହିଲା । ସିଦ୍ଧିମୁହାଁ ମଣିଷମାନଙ୍କର ଅନ୍ଦାଜ ଓ ଅନୁମାନଗୁଡ଼ାକ ମଧ୍ୟ ଅନୁରୂପ ଭାବରେ ବଦଳି ଯାଇଥାଏ । ସେମାନେ ଆଉ ବାଟଟିକୁ ପ୍ରାୟ ମୋଟେ ଦେଖି ପାରନ୍ତି ନାହିଁ । କେବଳ ଦୁର୍ଗଟିକୁ ଦେଖନ୍ତି; ସେମାନେ ଯେଉଁଠାରେ ବା ଯେଉଁଯାଏ ଯାଇ ଠିକି ଯାଇଥା’ନ୍ତି, କେବଳ ସେତିକିକୁ ଦେଖନ୍ତି, ତାହାରି ଭିତରେ ସାଞ୍ଜୁ ପିନ୍ଧି ବୀରବେଶ ହୋଇ ବସିଥାନ୍ତି-। ରୁପା ସାଞ୍ଜୁଗୁଡ଼ାକୁ ସୁନା ସାଞ୍ଜୁ କରିବାରେହିଁ ସେମାନଙ୍କର ସର୍ବାଧିକ ଶକ୍ତି ଓ ଶ୍ରଦ୍ଧାର ବିନିଯୋଗ ହେବାରେ ଲାଗିଥାଏ । ଦୁର୍ଗ ଭିତରେ ରହିଥିବା ମଣିଷ ବାଟରେ ଥିବା ମଣିଷମାନଙ୍କୁ ଦେଖିପାରେ ନାହିଁ । ସିଦ୍ଧିଲାଭ କରିସାରିଛି ବୋଲି ଏକ ଆତ୍ମସନ୍ତୋଷ ଲାଭ କରି ସାରିଥିବା ମଣିଷ ସାଧନାର ଭାଷାଟିକୁ କ୍ରମେ ଭାରି ଅଲିଅଳ ଭାବରେ ପାସୋରି ପକାଏ । ତେଣିକି ସିଏ କେବଳ ବିଶେଷଜ୍ଞ ପରି ପରାମର୍ଶ ଦିଏ, ଧୁରନ୍ଧର ପରି ବହିର ବିଧାନଗୁଡ଼ିକ ବିଷୟରେ ଚେତାବନୀମାନ ଦେଉଥାଏ-। ମାତ୍ର ଭାରି ସୂତର ଭାବରେ ଉଚ୍ଚରେ ରହିଥାଏ, ଅଲଗା ହୋଇ ରହିଥାଏ । ସିଏ ଆଉ ଜଞ୍ଜାଳକୁ ମନ କରେ ନାହିଁ, ପଛମାନଙ୍କୁ ମନ କରେ ନାହିଁ, ସାଙ୍ଗକୁ ମନ କରେ ନାହିଁ ।

 

ବିଦ୍ୟାଳୟଗୁଡ଼ିକ ମଧ୍ୟରୁ ଯେଉଁମାନେ ନୂତନ, ସେମାନେ ପ୍ରଥମକାଳୀନ ପରିସ୍ଥିତିଗୁଡ଼ିକ ସହିତ ଯୁଝିବାରେ ଲାଗିଛନ୍ତି । ସେମାନଙ୍କର ଏଇଟା ଥିଲେ ସେଇଟା ନାହିଁ ତ ସେଇଟା ଥିଲେ ଏଇଟା ନାହିଁ । ଅର୍ଥ ନାହିଁ, ସମ୍ବଳ ନାହିଁ, ସେମାନେ ରାଜଧାନୀଠାରୁ ବହୁ ଦୂରରେ ରହିଛନ୍ତି । ଶିକ୍ଷକ ପୁଞ୍ଜିଏ ପାଇବେ ବୋଲି ବାର କଲବଲ ହେଉଛନ୍ତି । ଶିକ୍ଷକମାନଙ୍କର ବି ପିଚାକୁ ଅଣ୍ଟିଲେ ପେଟକୁ ନିଅଣ୍ଟ ହେଉଛି, ପେଟକୁ ଅଣ୍ଟିଲେ ପିଚାକୁ ନିଅଣ୍ଟ ହେଉଛି । ବିଦ୍ୟାଳୟରେ ଅତ୍ୟାବଶ୍ୟକ ସାଧନଗୁଡ଼ିକ ଏବେ ମଧ୍ୟ ସକିଲ ହୋଇପାରୁ ନାହିଁ । ସମସ୍ୟା ପଡ଼ିଲେ ବୁଦ୍ଧି ଦେବାକୁ ଓ ନିଜ ଅନୁଭବରୁ ପାଞ୍ଚ ପଦ କହି ବଳ ଦେବାକୁ ହାତ ପାଆନ୍ତାରେ କେହି ନାହାନ୍ତି । ଉତ୍ସାହ ସିନା ଅଛି, ମାତ୍ର ସେହି ଉତ୍ସାହର ହାତଗୋଡ଼ ବୋଲି କିଛି ନାହିଁ । ସେମାନେ ପୁରାତନମାନଙ୍କଠାରୁ ସେଥିଲାଗି ନାନାଭାବେ ସହଯୋଗ ଆଶା କରୁଛନ୍ତି, ମାର୍ଗଦର୍ଶନ ମାଗୁଛନ୍ତି-। ଅନେକ ସମୟରେ ଦୁର୍ଗଗୁଡ଼ିକର ଦୁଆର ସେମାନଙ୍କ ପାଇଁ ବନ୍ଦ ହୋଇ ରହିଥିଲା ପରି ମନେ ହେଇଛି । ଅଥବା କଟୁଆଳମାନେ ବାଟ ଛାଡ଼ୁନାହାନ୍ତି, କଟୁଆଳମାନଙ୍କୁ ଆଖି ପାଉ ନାହିଁ-। ଏକାପେଟର ବଡ଼ ଭାଇ ବଡ଼ଲୋକ ହୋଇ ଭୁବନେଶ୍ଵରଠାରେ ନିଜର ଅଲଗା ଘର କରି ରହିଥିବା ପରି ମନେ ହେଉଛି । ବେଳେବେଳେ ମଉଚ୍ଛବଗୁଡ଼ିକ ସମୟରେ ଦେଖା ହୋଇ ଯାଉଛି ସତ, ମାତ୍ର ସେହି ଦେଖାରେ ଆଦୌ ପେଟ ପୂରୁ ନାହିଁ ।

 

ଇଏ ମଧ୍ୟ ଗୋଟାଏ ପ୍ରକାରର ପଳାୟନ । ନିଜେ ସିଦ୍ଧିଲାଭ କରିସାରିଲାଣି ବୋଲି ଧରିନେଇ ଅନ୍ୟମାନଙ୍କୁ କାଦୁଅ ଭିତରେ ଛାଡ଼ିଦେଇ ନିଜର ଫଳଗୁଡ଼ାକୁ କେବଳ ନିଜେ ଭୁଞ୍ଜି ବା ରୂପକ ପଳାୟନ । ଅସଲ ତପସ୍ୟା ନିଜର ଫଳଗୁଡ଼ିକୁ କଦାପି ନିଜେ ଭୁଞ୍ଜେ ନାହିଁ । ଅସଲ ତପସ୍ୟାର ଫଳକୁ ତପସ୍ଵୀ ଏକା ଭୁଞ୍ଜିବ ବୋଲି କଦାପି କୌଣସି ଦୁର୍ଗର ଫିକର କରେ ନାହିଁ । ଅସଲ ତପସ୍ଵୀ ସମଗ୍ର ବିଶ୍ଵର କଲ୍ୟାଣ ଅର୍ଥାତ୍ ପରିବର୍ତ୍ତନ ଲାଗି ତପସ୍ୟା କରେ । ସତତ ତପସ୍ଵୀ ଅଧିକରୁ ଅଧିକ ପରିମାଣରେ ସମସ୍ତଙ୍କର କାମରେ ଲାଗେ । ଅସଲ ବନ୍ଧୁ ଆପଣାର ସଙ୍ଗୀ ସହଧର୍ମୀମାନଙ୍କୁ ଛାଡ଼ି କଦାପି କୁଆଡ଼େ ପଳାଇ ଯାଏ ନାହିଁ । ମାଆଙ୍କର କଥା ଅନୁସାରେ ଏହି ପଳାଇବାର ସହସ୍ର ସହସ୍ର ବାଟ ରହିଛି । ପଳାଇବାର ସପକ୍ଷରେ ସହସ୍ର ସହସ୍ର କୈଫିୟତ୍ ମଧ୍ୟ ରହିଛି । ଏସବୁ ସେହି ପୁରୁଣା ପୃଥିବୀଟାର ଭାରି ଦେହସୁହା ହୋଇ ଯାଇଥିବାର କଥା । ଆମେ ଯେଉଁମାନେ ନିଜର ତପସ୍ୟା ଦ୍ଵାରା ପୃଥିବୀଟିକୁ ଏକ ନୂଆ ଆସ୍ଥାନ ରୂପେ ଗଢ଼ିବାକୁ ଏକତ୍ର ହୋଇ ବାହାରିଛେ, ଆମର ଧର୍ମ ଅନ୍ୟ ପ୍ରକାରର ହୋଇ ପାରୁଥିବା ଉଚିତ । ସିଦ୍ଧିଗୁଡ଼ାକ ଗୋଟିଏ ବା ଦୁଇଟି ବିଦ୍ୟାଳୟର କୃପଣ ଦୁର୍ଗରେ ପରିଣତ ହୋଇ ରହିଥିବା ପର୍ଯ୍ୟନ୍ତ ନୂତନ ଶିକ୍ଷାର ମାଧ୍ୟମ ଦ୍ୱାରା କୌଣସି ପ୍ରକୃତ ପରିବର୍ତ୍ତନ ଘଟାଇବା ସମ୍ଭବ ହେବ ନାହିଁ । ଅନମନୀୟ ଦୁର୍ଗମାନେ ପାଚେରୀଗୁଡ଼ାକୁ, ବ୍ୟବଧାନଗୁଡ଼ାକୁ ହିଁ ସିଦ୍ଧିର ଅସଲ ସନ୍ତକ ବୋଲି ଜ୍ଞାନ କରୁଥାନ୍ତି । ପ୍ରକୃତ ବନ୍ଧୁ ନମନୀୟ ହୋଇଥାଏ, ଏକାବେଳକେ ପାଖରେ ଓ ସାଙ୍ଗରେ ଥିଲା ପରି ମନେ ହେଉଥାଏ ।

 

ମାଆଙ୍କର କଥାକୁ ସମ୍ପୂର୍ଣ୍ଣ ଭାବରେ କହିଲେ, ପଳାଇବାର ସହସ୍ର ପଥ ରହିଛି, ମାତ୍ର ତିଷ୍ଠି ରହିବା ନିମନ୍ତେ କେବଳ ଗୋଟିଏ ପଥ । ସେହି ପଥ ହେଉଛି ସାହସର ପଥ, ସହିଷ୍ଣୁତାର ପଥ । ଯଥାର୍ଥ ସାହସ ଓ ସହିଷ୍ଣୁତା ଶକ୍ତିହୀନତା, ଅସହାୟତା ଓ ଅବୋଧ୍ୟତାର ଯାବତୀୟ ପ୍ରତିଭାସକୁ ଗ୍ରହଣ କରିନିଏ । ଏପରିକି ତାହା ପରମସତ୍ୟପରି ପ୍ରତୀତ ହେଉଥିବା ଯାବତୀୟ ଅସ୍ଵୀକୃତିକୁ ମଧ୍ୟ ଗ୍ରହଣ କରି ନିଏ । ମାତ୍ର କଦାପି ପଳାଇ ଯାଏ ନାହିଁ । ସେଗୁଡ଼ିକର ସମ୍ମୁଖୀନ ହୁଏ । ମାଆ ଆହୁରି ବ୍ୟାଖ୍ୟା କରି କହିଛନ୍ତି ଯେ, ଏହାକୁ ଗ୍ରହଣ ନକଲେ ଓ ଏହାର ସମ୍ମୁଖୀନ ନହେଲେ ଏହା କେବେହେଲେ ବଦଳି ଯାଇ ପାରିବ ନାହିଁ । ତା’ପରେ କେଡ଼େ ସ୍ପଷ୍ଟ ଭାବରେ ମାଆ ଗାର କାଟି ଦେବାପରି କହୁଛନ୍ତି; Those who want to remain great, luminous, strong, powerful and so on and so forth, let them stay up there, they can not do anything for the earth. ଓଡ଼ିଆରେ ଅନୁବାଦ କରି କହିଲେ, ଯେଉଁମାନେ ବଡ଼ ହୋଇ ରହିବାକୁ ଇଚ୍ଛା କରୁଛନ୍ତି, ଭଜ୍ଜ୍ୱଳ, ବଳବାନ, ଶକ୍ତି ଶାଳୀ ଏବଂ ଆହୁରି କ’ଣ ନା କ’ଣ ହୋଇ ରହିବାକୁ ଇଚ୍ଛା କରୁଛନ୍ତି, ସେମାନେ ସେହିପରି ଭାବରେ ଉପରେ ରହିଲେ ରହନ୍ତୁ ପଛକେ, ମାତ୍ର ସେମାନେ ଏହି ପୃଥିବୀ ଲାଗି ଆଦୌ କୌଣସି କାର୍ଯ୍ୟ କରି ପାରିବେ ନାହିଁ । (ତତ୍ରୈବ)

 

ସିଦ୍ଧି ଓ ସଫଳତାଗୁଡ଼ାକ କେବଳ ନିଜ ପାଇଁ ହୋଇ ରହିଥିବା ଯାଏ ମଣିଷମାନଙ୍କ ଦ୍ୱାରା ସଂସାରର ପ୍ରକୃତରେ ଆଦୌ କିଛି ହୋଇପାରେ ନାହିଁ । ସେମାନେ ବଡ଼ରୁ ଆହୁରି ବଡ଼ ହୁଅନ୍ତି, ଉଜ୍ଜଳତାରେ ଦଶଦିଗ ଝଲସାଇ ଦେଉ ଥାଆନ୍ତି, କେତେ ବଳ ଏବଂ କେତେ ଶକ୍ତିର ପେଣ୍ଠ ହୋଇ ରହିଥାନ୍ତି—କେତେ ପ୍ରତାପ ହାସଲ କରିଥାନ୍ତି ସତ,—ମାତ୍ର ସେମାନେ ଏଠି କୌଣସି କାମରେ ମୋଟେ ଲାଗି ପାରନ୍ତି ନାହିଁ । ଦୂରରେ ରହିଥାନ୍ତି, ଉପରେ ରହିଥାନ୍ତି, ଆପଣା ସିଦ୍ଧି ଓ ସମ୍ପନ୍ନତାରେ ଅଧିକ ହୋଇ ରହିଥାନ୍ତି ଓ ଅଲଗା ହୋଇ ରହିଥାନ୍ତି । ଆମ ଏ ଆଡ଼କୁ ଆସିବା ଲାଗି ଆଦୌ ମନ କରୁ ନଥାନ୍ତି । ଏସବୁ କେବଳ ସେହି ପୁରୁଣା ଦୁର୍ଭାଗ୍ୟର କାହାଣୀଗୁଡ଼ିକୁ ଦୋରସ୍ତ କରି ରଖିବାରେ ସାହାଯ୍ୟ କରୁଥାଏ । ସିଦ୍ଧମାନେ ମଡେଲ ହୋଇ ରହି ଥାଆନ୍ତି । ନିଜ ନିଜର ଦୁର୍ଗ ଭିତରେ ରହି ଥାଆନ୍ତି ।

 

ଆମେ ସେପରି କୌଣସି ଦୁର୍ଗତି ଆଡ଼କୁ ମନ ବଳାଇବା ନାହିଁ । ଆମେ ପରସ୍ପରକୁ ଲୋଡ଼ିବା । ଆଗାମୀ ଯେଉଁ ସଂସାରଟି ପ୍ରକୃତରେ ସମ୍ଭବ ହେବ ବୋଲି ଆମେ ପରସ୍ପର ସହିତ ସମ୍ମିଳିତ ହୋଇଛୁ, ସେହି ସଂସାରରେ ସମସ୍ତେ ସମସ୍ତଙ୍କୁ ଲୋଡ଼ିବେ, କେହି କାହାକୁ ଛାଡ଼ି ପଳାଇ ଯିବେ ନାହିଁ । କେହି ଅନ୍ୟମାନଙ୍କଠାରୁ ବଡ଼ ବା ଅଧିକ ହୋଇ ଦେଖାଯିବେ ବୋଲି ସାଙ୍ଗ ଛାଡ଼ି ଉପରକୁ ପଳାଇବେ ନାହିଁ । ଆପଣାର ସମସ୍ତ ଅର୍ଜନକୁ ସେମାନେ କେବଳ ନିଜର ବୋଲି ଦେଖାଇ ହେବେ ନାହିଁ । ଆପଣାର ଅନୁଭବ ଓ ଅଭିଜ୍ଞତାଗୁଡ଼ିକରୁ ମଧ୍ୟ ଆଉ ସମସ୍ତଙ୍କୁ ଭାଗ ଦେବେ । ମୋଟେ ବଡ଼ ହୋଇ ଦିଶୁ ନଥିବେ କିମ୍ବା ବାବୁ ହୋଇ ଦିଶୁ ନଥିବେ । ତେବେ ଯାଇ ପୁରାତନମାନେ ନୂତନମାନଙ୍କୁ ସାହାଯ୍ୟ କରିପାରିବେ । ତେବେ ଯାଇ ସଂସାରରେ ଆମର ବହୁ ଇପ୍ସିତ ସେହି ଅସଲ ସଂକ୍ରମଣଟି ସମ୍ଭବ ହେବ । ସେହି ସଂକ୍ରମଣରୁ ଏପରି ଏକ ଶକ୍ତିଶାଳୀ ରସାୟନ-ପ୍ରକ୍ରିୟା କାର୍ଯ୍ୟକାରୀ ହେବ, ଯାହାକି ପରିବର୍ତ୍ତନ ଆଡ଼କୁ ବାଟ ଦେଖାଇ ନେଇଯିବ । ତେଣୁ ଅଧିକ ସାମଗ୍ରୀ ଠୁଳ କରି ଆପଣାର ଉଦ୍ୟମଟିକୁ ସତେଅବା ଏକ ଜଟିଳ ଦୁର୍ଗ ପରି ଦେଖାଇ ଆମେ ଆଦୌ କୌଣସି ଦୂରତାର କାରଣ ହେବା ନାହିଁ । ଆମେ ସହଜ ହେବା,—ସହଜ ହୋଇ ନେଇ ପାରୁଥିବା ଓ ସହଜ ହୋଇ ଦେଇ ପାରୁଥିବା । ଯେଉଁ ଆତ୍ମୀୟତାଟି ବୃଦ୍ଧି ପାଇଲେ ଜଣେ ମଣିଷ ପରସ୍ପର ପାଖରେ ପ୍ରକୃତରେ ସହଜ ହୋଇପାରେ, ଅକୃପଣ ଓ ଅକୁତ୍ରିମ ମଧ୍ୟ ହୋଇପାରେ, ଆମେ ସମସ୍ତେ, ବିଶେଷତଃ ଅପେକ୍ଷାକୃତ ପୁରୁଣାମାନେ, ସେହି ଆତ୍ମୀୟତାର ଭାଜନ ଅବଶ୍ୟ ହେବା । ତେବେଯାଇ ଅସଲ ଗତିଶୀଳତାଗୁଡ଼ିକର କାରଣ ମଧ୍ୟ ହୋଇପାରିବା ।

 

ପଳାଇ ନଯିବା ପାଇଁ, ସତକୁ ସତ ପରସ୍ପରର ଆତ୍ମୀୟ ହୋଇ ରହିବା ପାଇଁ ଆହୁରି ଅଧିକ ସାହସ ଦରକାର, ଆହୁରି ଅଧିକ ସହିଷ୍ଣୁତା ଦରକାର । ତେବେଯାଇ ଆମେ ଆମ ସମସ୍ତଙ୍କ ଆଗରେ ଆସି ଉପସ୍ଥିତ ହେଉଥିବା ପ୍ରତିକୂଳ ପରିସ୍ଥିତିଗୁଡ଼ିକର ଶକ୍ତିଶାଳୀ ଭାବରେ ସମ୍ମୁଖୀନ ହୋଇ ପାରିବା । ତେବେଯାଇ ଏକ ନୂତନ ଦିଗ ବାହାର କରିବାର ଯୋଗ୍ୟ ହୋଇ ପାରିବା । ନହେଲେ, ଆମର ଅମାରଗୁଡ଼ାକ ଯେତିକି ବଡ଼ ହେବାରେ ଲାଗିଥିବ, ଆମ ଦୃଷ୍ଟି ଭିତରେ ମଧ୍ୟ ସେତିକି ଅଧିକ ଗ୍ରନ୍ଥିଳତାମାନ ସୃଷ୍ଟି ହେବାରେ ଲାଗିଥିବ ଓ ଆମେ ପ୍ରାୟ ସେତିକି ଅଧିକ ଆତ୍ମବିସ୍ମୃତତା ସହିତ ପୁରୁଣା ଗୁଳା ଗୁଡ଼ାକରେ ମିଶିଯିବାରେ ଲାଗିଥିବା । ପୁରୁଣା କାରବାର ଭିତରେ ଅଧିକରୁ ଅଧିକ ଡୁବି ଯାଉଥିବା । କେଡ଼େ ମୋଟା ହୋଇ ଦିଶୁଥିବା, ତଥାପି ଅସଲ କାମରେ ମୋଟେ ଲାଗିପାରୁ ନଥିବା । ଆମ ଅସଲ ଶକ୍ତି ଓ ନିର୍ଭୟତାର ଘରମାନଙ୍କରେ ଅତ୍ୟନ୍ତ ଅସହାୟ ଭାବରେ ହାରି ହାରି ଯାଉଥିବା ।

 

ଜାନୁଆରୀ, ୧୯୮୭

Image

 

ପ୍ରୟୋଗରୁ ପ୍ରମାଦ

 

ଓଡ଼ିଶାରେ ଯେତେବେଳେ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରଗୁଡ଼ିକ ଆରମ୍ଭ ହେଲା ଓ ଆମେ ଆମର ଏହି ନୂତନ ସ୍ଵପ୍ନୋଦ୍ୟମଗୁଡ଼ିକୁ ନେଇ ସରକାରଙ୍କର ଦ୍ଵାରସ୍ଥ ହେଲୁ, ସେତେବେଳେ ସରକାର ଆମକୁ ମୋଟେ ଚିହ୍ନି ପାରିଲେ ନାହିଁ । ଶିକ୍ଷାଳୟ ନାମରେ ସରକାରଙ୍କ ଘରେ ଯେତେ ଯେତେ ମାର୍କା ରହିଥିଲା, ଆମେ ତ ସେହି ମାର୍କାଗୁଡ଼ିକ ମଧ୍ୟରୁ କୌଣସିଟି ସହିତ ଖାପ ଖାଇ ପାରୁ ନଥିଲୁ, ତେଣୁ ସରକାର ଆମକୁ ଚିହ୍ନି ପାରିଲେ ନାହିଁ । ଆମର ସଂଖ୍ୟା ବଢ଼ିଲା, ଆମର ଶିକ୍ଷାକେନ୍ଦ୍ରଗୁଡ଼ିକ ସହରରୁ ଗାଆଁକୁ ବ୍ୟାପିଲା,—ସତେଅବା ଏକ ନୂତନ ତରଙ୍ଗ ପରି ଆସି ତାହା ଆମ ନିଜକୁ ମଧ୍ୟ ଅବାକ୍ କରିଦେଲା । ଆମେ ଅଧିକ ହେବାରୁ ସରକାରଙ୍କ ଆଖି ମଧ୍ୟ କ୍ରମେ ଆମ ଉପରେ ଆସି ପଡ଼ିଲା । ସରକାରଙ୍କ ଘରେ ଥିବା ଜଣେ ଜଣେ ଭଲ ହାକିମ ଆମକୁ ହୁଏତ କିଞ୍ଚିତ୍ ସହାନୁଭୂତି ଦେଖାଇବା ଭଳି ଆମ ଆଡ଼କୁ ଚାହିଁଲେ । ଆମେ ସତକୁ ସତ ଏହି ଶିକ୍ଷାଳୟଗୁଡ଼ିକର ମାଧ୍ୟମରେ କ’ଣ କରିବାକୁ ଯାଉଛୁ, ସେକଥା ଭଲକରି ତଲାସି ସନ୍ଧାନ ପାଇବା ପୂର୍ବରୁ ମଧ୍ୟ ସେମାନେ ଆମ ପ୍ରତି କିଛି ସହାନୁଭୂତି ପ୍ରକାଶ କଲେ । ଆମେ ଭଲ କାମ କରୁଛୁ ବୋଲି କହିଲେ । ଆମେ ଡାକିଲେ ଆମ ଘରକୁ ଆସିଲେ । ଆମକୁ ଖୁସି କରିବା ଭଳି ଆମ ସ୍କୁଲଗୁଡ଼ିକ ବିଷୟରେ କେତେ ଭଲ କଥା କହିଲେ । ପ୍ରଚଳିତ ଅପଦ୍ଧତିଗୁଡ଼ାକ ଦ୍ଵାରା ଶିକ୍ଷାର କ୍ଷେତ୍ରରେ ଯେଉଁସବୁ ଅଶିକ୍ଷିତ ବ୍ୟାପାରମାନ ହେଉଛି ଏବଂ ଘଟୁଛି, ଆମର ନୂତନ ବିଦ୍ୟାଳୟଗୁଡ଼ିକ ସେଗୁଡ଼ିକ ପାଇଁ ଏକ ବିକଳ୍ପ ଯୋଗାଇଦେଇ ପାରିବ ବୋଲି ସେମାନେ ଆମକୁ ଉତ୍ସାହ ଦେଇ ଆମ ସଭାମାନଙ୍କର କେତେ କ’ଣ କହିଗଲେ ।

 

ଆମର ସାହାଯ୍ୟ ଲୋଡ଼ା ଥିଲା, ଆମ ପ୍ରତି ସହାନୁଭୂତିଶୀଳ ରହିଥିବା ସରକାର ବି ଆମକୁ ସାହାଯ୍ୟ କରିବାକୁ ଇଚ୍ଛା କରୁଥିଲେ । ଏହିପରି ଭାବରେ ତାଙ୍କ କଚେରୀମାନଙ୍କରେ ଆମର ଭେଟାଭେଟି ହେଲା । ଆମକୁ କେଡ଼େ ଖୁସି ଲାଗିଲା । ଆମରି ଭିତରୁ କେତେଜଣ ଏଥିରେ ବିଶେଷ ଉତ୍ସାହ ସହିତ ଅଗ୍ରଣୀ ହୋଇ ବାହାରିଲେ । ସରକାରଙ୍କର ସାହାଯ୍ୟରେ ଆମେ ଅଧିକ ତ୍ୱରାନ୍ୱିତ ଭାବରେ ଶିକ୍ଷାର ଏହି ନୂତନ ବାଟଟିକୁ ଚାଲିପାରିବୁ ବୋଲି ଆମ ଭିତରେ ମଧ୍ୟ କ୍ରମେ ଏକ ପ୍ରତ୍ୟୟ ଜନ୍ମଲାଭ କଲା । ସେହି ପ୍ରତ୍ୟୟଟିର ଖିଅ ଉପରେ ବସି ଆମର କାରିନ୍ଦାମାନେ ଆମକୁ କେଡ଼େ ବାଗରେ ଯେ ସରକାରଙ୍କ ସହିତ ନେଇ ବାନ୍ଧିଦେଲେ, ସେକଥା ଆମେ ଜାଣି ବି ପାରିଲୁ ନାହିଁ । ଗୁଡ଼ ଖାଉଖାଉ ତେଣେ ଯେମିତି କାନଫୋଡ଼ା ହୋଇଯାଏ ଓ ଗୁଡ଼ ଖାଉଥିବା ବାଳକଟି ଯେପରି କାନରେ ଛୁଞ୍ଚି ଗଳୁଛି ବୋଲି କିଛି ଜାଣି ପାରେ ନାହିଁ, ଏକଥା ପ୍ରାୟ ସେହିପରି ହେଲା । ଆମ ଶିକ୍ଷାକେନ୍ଦ୍ର ଓ ସେଗୁଡ଼ିକୁ ନେଇ ଆମର ଯେ ଏକ ବିଶେଷ ଭବିଷ୍ୟଚିତ୍ର ରହିଛି, ଆମେ ଯେ ପ୍ରଚଳିତ ଅଚଳନ୍ତିଗୁଡ଼ିକୁ ବଦଳାଇ ଆଉକିଛି ବାହାରିଛୁ, ସରକାର ଏବିଷୟରେ କିଛି ଜାଣି ପାରିଲେ ନାହିଁ । ହୁଏତ ଜାଣିବାର ଆବଶ୍ୟକତା ମଧ୍ୟ ନଥିଲା । ଆଖୁ ପେଡ଼ିବା ହେଉଛି ଆଖୁ ପେଡ଼ୁଥିବା କଳର କାମ; ସିଏ ଆଖୁର ଖବର କାହିଁକି ରଖିବାକୁ ଯିବ ?

 

ଯହୁଁ ଯହୁଁ ଆମର ସଂଖ୍ୟା ବଢ଼ିଲା, ଅଧିକରୁ ଅଧିକ ଜିଲ୍ଲାରେ ଆମର ଏହି ନୂତନ ଅଭିକ୍ରମଟିର ଚେର ମାଡ଼ିବାକୁ ଆରମ୍ଭ କଲା, ସରକାର ଆମକୁ ଏକ ନାଆଁ ଦେଇ ଚିହ୍ନିବାକୁ ମନ କଲେ । ନାଆଁଦେଇ ଚିହ୍ନିବା ଅର୍ଥାତ୍ କୌଣସି ଚିହ୍ନା ବାଡ଼ି ପକାଇ ଚିହ୍ନିବା । ଆମେ ସରକାରଙ୍କର କୌଣସି ଚିହ୍ନା ବାଡ଼ିରେ ମପା ହୋଇ ପାରିଲୁ ନାହିଁ । ସରକାର କେତେଦିନ ଭାରି ଅଡ଼ୁଆରେ ପଡ଼ିଲେ । ସରକାରୀ ଶିକ୍ଷାଘରର କନିଷ୍ଠବଳମାନେ ଅଧିକ ଅଡ଼ୁଆରେ ପଡ଼ିଲେ । ଆମ ପାଇଁ ତାଙ୍କ ବହିରେ ଗୋଟାଏ ନାଆଁ ଖୋଜାଗଲା । ଏବଂ ଖୋଜୁ ଖୋଜୁ ଗୋଟାଏ ନାଆଁ ମିଳି ବି ଗଲା-। ଯାହାକୁ ପରିଚିତ ଓ ପ୍ରଚଳିତ କୌଣସି ଖୋପରେ ପକାଇ ନହେବ, ତାହାକୁ Experimental School ବୋଲି ଯେ କୁହାଯାଇ ପାରିବ, ସେକଥା ବହିମାନଙ୍କରୁ ମିଳିଲା-। ସରକାର ଆମକୁ ସେହି ନାମ ଦେଲେ । ଅଥଳ ଜଳରେ ସତେଅବା କାତ ପାଇଯିବା ପରି ଅନୁଭବ କଲେ । ଆମର ପ୍ରୟୋଗ-କ୍ଷେତ୍ରଟି ଯେତେ ଅଥଳ ହୋଇଥିଲେ ମଧ୍ୟ ତଥାପି ଯେମିତି ମନ ସେମିତି ସେଠିକୁ ସରକାରଙ୍କର କାତ ପାଇଯାଉ ବୋଲି ଆମମାନଙ୍କ ଭିତରୁ ଯେଉଁମାନେ ଠାକୁରଙ୍କୁ ଡାକୁଥିଲେ, ସେମାନେ ସତେଅବା ଏକ ବୃହତ୍ ସିଦ୍ଧିଲାଭ କଲାଭଳି ଅନୁଭବ କଲେ-। ଅତି ଉତ୍ସାହରେ ସେମାନେ ହୁଏତ ଏପରି ଅନୁଭବ କରୁଥିଲେ ଯେ, ଆମ ପାଖରେ ଡଙ୍ଗାଟିଏ ଥିଲେ ସରକାର ନିଜେ କାତମାରି ତାହାକୁ ଅବଶ୍ୟ ଆମର ଠିକଣା ଲକ୍ଷ୍ୟକୁ ନେଇଯାଇ ପାରିବେ, କାତୁଆମାନଙ୍କ ସହିତ ସୁସମ୍ପର୍କ ରଖିବା ନିମନ୍ତେ ଆମ ଘରେ ନୂଆ ସିରସ୍ତାଟିଏ ବସିଲା । ନୂଆ କାଗଜପତ୍ରର ବିପଣିଟିଏ ଖୋଲାହେଲା । ଓଡ଼ିଶାରେ ଯେତେ ଶିକ୍ଷାକେନ୍ଦ୍ର ଥିଲେ, ଆମେ ସମସ୍ତଙ୍କୁ ଗୋଟିଏ ପଘାରେ ବାନ୍ଧି ଠିକଣା ହାତରେ ଆଣି ହାବୁଡ଼େଇ ଦେଲୁ । ଏହିପରି ଭାବରେ ମେରିଖୁଣ୍ଟରେ ଆସି ସମସ୍ତେ ବାନ୍ଧିହୋଇ ରହିଲେ, ଆମ କ୍ଷେତରେ ଯାହା କିଛି ଫଳୁ ବା ନଫଳୁ ପଛକେ, ଅମାକୁ ଅଧିକ ଧ୍ୟାନ ଅବଶ୍ୟ ମିଳିଯିବ ବୋଲି ଆମର ମନରେ ଏକ ପ୍ରତ୍ୟୟ ମଧ୍ୟ ଭାରି ଆଣ୍ଟର ସହିତ ଆମକୁ ମାଡ଼ି ବସିଲା ।

 

ଆମେ ସମସ୍ତେ Experimental ହେଲୁ, ଅନାମିକାମାନେ ନାମ ପାଇଗଲେ, ଯେଉଁ ବ୍ରାହ୍ମଣଶାସନରୁ ଏହି ନାମଟି ଆସି ଆମକୁ ଅପାଂକ୍ତେୟ ହୋଇ ରହିବାର ଦୋଷରୁ ମୁକ୍ତ କଲା, ତାହାରି ପାଖରେ ଆମେ ଶୂଦ୍ରଭାବରେ କେତେ କୃତଜ୍ଞ ହୋଇ ରହିଲୁ । କ୍ରମେ ଅଧିକରୁ ଅଧିକ କୃତଜ୍ଞ ହୋଇ ରହିବାକୁ ଇଚ୍ଛା କଲୁ । ଆଗରୁ ଯେଉଁସବୁ କଥାରେ ହୁଏତ ମୋଟେ ମଙ୍ଗି ନଥାନ୍ତୁ, ଏଣିକି କ୍ରମେ ଅଧିକ ଆଗ୍ରହର ସହିତ ମଙ୍ଗିଯିବାକୁ ବାହାରିଲୁ । ତାଙ୍କରି ବରାଦ ଅନୁସାରେ ଆମର କାଗଜପତ୍ରଗୁଡ଼ିକୁ ତିଆରି କରି ରଖିଲୁ । ସେମାନେ ବି କାଗଜରେ କେଡ଼େ ଆନନ୍ଦରେ ରାଜି ହୋଇ ଯାଉଥିବା ପରି ମନେହେଲେ । ସେମାନଙ୍କର ଅସଲ ରୀତିଗୁଡ଼ିକୁ ଗୋଟାସୁଦ୍ଧା ବୁଝୁଥିବାର ଏକ ଆତ୍ମପ୍ରତାରଣାକାରୀ ପ୍ରଜ୍ଞାକୁ କାମରେ ଲଗାଇ ଆମେ ପ୍ରକୃତରେ କିଛି ନଥିଲେ ମଧ୍ୟ କାଗଜପତ୍ରରେ ସବୁ ଅଛି ବୋଲି ଲେଖି ସେମାନଙ୍କୁ ଦେଖାଇଲୁ, ସ୍ଵୀକୃତି ହେଲୁ-। ଯେଉଁଠାରେ ଚାରିଟା ଅଛି, ସେଠାରେ ଚଉଦଟା ଅଛି ବୋଲି ଦେଖାଇ ପାରିଲେ କେଡ଼େ ଅଧିକ ଭଲ ହୁଅନ୍ତା ବୋଲି ମନରେ ବେଳେବେଳେ ପାଞ୍ଚମାନ ମଧ୍ୟ ଆସିଲା । ଭିତରେ ସ୍ଵପ୍ନଗୁଡ଼ିକ ମାଡ଼ ଖାଇଗଲେ । ଆମେ ଅଧିକରୁ ଅଧିକ ପରିମାଣରେ ଆମ ନିଜ ଅକ୍ତିଆରରେ ନରହି ତାଙ୍କ ଅକ୍ତିଆରରେ ରହିବାକୁ ମନ କଲୁ । ନିଜର ନହୋଇ ସତେଅବା ଆଉକାହାରି ହେବାକୁ ଅଧିକ ଉଷତ ହୋଇ ବାହାରିଲୁ । ଆମର ପୁରାତନ ସମ୍ପର୍କଗୁଡ଼ାକ ମାଡ଼ ଖାଇଗଲା ପଛକେ, ତଥାପି ଆମେ ସେଥିଲାଗି ଦୁଃଖିତ ହେଲୁ ନାହିଁ । ଆମ ଶିକ୍ଷାକେନ୍ଦ୍ରମାନଙ୍କରେ ରହିଥିବା ଶିକ୍ଷକ/ଶିକ୍ଷୟିତ୍ରୀ ଆମକୁ ସତେଅବା ଆମେ ହାଟରୁ କିଣି ଆଣିଥିବା ଏତେଟା ବଳଦ ପରି ଲାଗିଲେ; ବଳଦ ଅମଙ୍ଗ ହେଲେ ତାକୁ ବିକି ନୂଆ ବଳଦଟାଏ କିଣାଯାଇ ପାରିବ, ଆମର ମନ ଭିତରେ କ୍ରମେ ଏହିସବୁ ଦମ୍ଭ ବେଶ୍ ସ୍ଥାନ ପାଇବାକୁ ଲାଗିଲା । ସରକାର ଆମକୁ Experiment ବୋଲି କହିଲେ, ସେହି ନାମରେ ଆମକୁ ଅର୍ଥସାହାଯ୍ୟ ଦେଲେ । ଏବଂ ଏଣେ ଆମ ପ୍ରୟୋଗର ପଥଟିକୁ ଆମେ ଅଧିକରୁ ଅଧିକ ଉତ୍ସାହର ସହିତ ହୁଡ଼ିଲୁ । ଉତ୍ସାହଟି ଅନ୍ୟଆଡ଼କୁ ମୁହାଁଇଲେ ମଣିଷର ଯେଉଁ ଦଶା ହୁଏ, ଆମର ପ୍ରାୟ ସେହିପରି ହେବାକୁ ବସିଲା । ଆମକୁ Experiment ବୋଲି କାଗଜପତ୍ରରେ କୁହା ନଯାଉଥିବା ସମୟରେ ଆମେ ପ୍ରକୃତରେ କିଛି ନା କିଛି ପ୍ରୟୋଗ କରୁଥିଲୁ-। ଆମର ବିଦ୍ୟାଳୟରୂପୀ ଘରଟି ସତକୁ ସତ ସମଧର୍ମୀମାନଙ୍କର ଘର ସଦୃଶ ଲାଗୁଥିଲା-। ସେତେବେଳେ ଆମେ ପରସ୍ପର ସହିତ ଅଧିକ, ସହଜରେ ଏକାଠି ବସି ପାରିଥିଲୁ, ଅଧିକ ନିଶ୍ଚଳ ଭାବରେ ପରସ୍ପରକୁ ହିମ୍ମତ ଦେଇ ପାରୁଥିଲୁ । ମାତ୍ର ଆମକୁ Experiment ବୋଲି ସ୍ଵୀକାର କରାଯିବା ପରେ ଆମେ ସରକାରଙ୍କର କାଗଜ ଓ ଛାଞ୍ଚଗୁଡ଼ିକ ସହିତ ଅଧିକରୁ ଅଧିକ ପରିମାଣରେ ଖାପ ଖାଇଯିବାକୁ ମନ କଲୁ; ଅଲଗା ହୋଇ ଦେଖାଯିବାକୁ ହୁଏତ କିଞ୍ଚିତ୍ ଭୟ ମଧ୍ୟ କଲୁ । କାତୁଆଳ କାତ ଆମ ନିଜକୁ ହିଁ କାତ ଧରିବାକୁ ପଡ଼ିବ ଏବଂ ତଦ୍ଦ୍ଵାରା ସେହି ପୁରାତନ ହୀନସ୍ତାମାନ ଆରମ୍ଭ ହୋଇଯିବ, ଆମକୁ ହୁଏତ ସେହି ଭୟଟା କେଡ଼େ ବଡ଼ ହୋଇ ଦେଖାଗଲା-

 

ଶିକ୍ଷାର କ୍ଷେତ୍ରରେ ଦୁଇପ୍ରକାର ପ୍ରୟୋଗର କଳ୍ପନା କରାଯାଇପାରେ । ଗୋଟିଏ ପ୍ରୟୋଗ ହେଉଛି ଯେ, ଅନ୍ତିମ ଲକ୍ଷ୍ୟ ବିଷୟରେ ଆମେ ସ୍ପଷ୍ଟ ଭାବରେ ସେପରି କିଛି ଜାଣି ନାହୁଁ । ତେଣୁ ପ୍ରୟୋଗ କରୁଛୁ ଏବଂ ଏହିପରି ଭାବରେ ଯାଉ ଯାଉ ଯେଉଁଠାରେ ପହଞ୍ଚିଯିବୁ, ଆମେ ତାହାକୁ ଆମର ଲକ୍ଷ୍ୟ ବୋଲି କହିବୁ । ତେଣୁ ଯାହା ହେବ, ତାହା ଆକସ୍ମିକ ଭାବରେ ହେବ-। ପ୍ରୟୋଗଗୁଡ଼ିକ ମଧ୍ୟରୁ ଆମକୁ ତାତ୍କାଳିକ ଭାବରେ କେଉଁଟି ଅଧିକ ସଫଳତା ଦେଉଛି ଅଥବା ଆଉ କେଉଁଟି କମ୍ ସଫଳତା ଦେଉଛି, ସେହିପରି ଏକ ତରାଜୁରେ ଓଜନ କରି ଆମେ ପ୍ରୟୋଗଗୁଡ଼ିକର ଠିକ୍ ଭୁଲ ନିର୍ଣ୍ଣୟ କରୁଥିବୁ । ଏପରି ବି ହୋଇପାରେ ଯେ ଆମର ଏହି ପ୍ରୟୋଗଟି ସମ୍ପୂର୍ଣ୍ଣ ଭାବରେ ମାଡ଼ ବି ଖାଇ ଝାଇପାରେ । ସେହିଭଳି ପରିସ୍ଥିତିରେ ଆମେ ଏ ପ୍ରୟୋଗଟିକୁ ଛାଡ଼ିଦେବୁ ଓ ଆଉଗୋଟିଏ ପ୍ରୟୋଗକୁ ଆରମ୍ଭ କରିବୁ । ଅର୍ଥାତ୍, ଯେଉଁ ପ୍ରୟୋଗଟିର ପକ୍ଷରେ ପରିସ୍ଥିତିଗତ ଅଧିକ ଅନୁକୂଳତା ରହିଥିବ, ଶେଷରେ ସେହି ପ୍ରୟୋଗଟି ହିଁ ଜିତିବ, ଆଉମାନେ ରହିଯିବେ । ଆମେ ସଫଳଟିର ପକ୍ଷରେ ରହିଥିବା, ତେଣୁ ଅବଶ୍ୟ ଲାଭବାନ୍ ହେଉଥିବା ।

 

ଅନ୍ୟ ପ୍ରୟୋଗଟିରେ ଲକ୍ଷ୍ୟ ସ୍ଥିର ହୋଇ ସାରିଥାଏ । ଆମେ ଅଧିକରୁ ଅଧିକ ଯୋଗ୍ୟ ହେବା ସଙ୍ଗେ ସଙ୍ଗେ ତାହା ଅଧିକରୁ ଅଧିକ ସ୍ପଷ୍ଟ ହୋଇ ଦେଖା ଯାଉଥାଏ । ଝରକାଗୁଡ଼ିକୁ ଅଧିକ ଖୋଲିଦେବା ସଙ୍ଗେ ସଙ୍ଗେ ଯେପରି ଆକାଶକୁ ଅଧିକ ସମଗ୍ର ଭାବରେ ଦେଖିବାକୁ ମିଳେ, ଏକଥା ପ୍ରାୟ ଠିକ୍ ସେହିପରି । ଆମର ଏହି ପ୍ରୟୋଗଟି ଏକ ମୂଳଭୂତ ଦୃଷ୍ଟିରୁ ବିଚାର କରି ଦେଖିଲେ ଆମ ନିଜର ଉନ୍ମୋଚନ ଅର୍ଥାତ୍ ଆମ ନିଜ ସମ୍ମତି ଉପରେ ନିର୍ଭର କରୁଛି । ସରକାର ଉପରେ ନିର୍ଭର କରୁ ନାହିଁ । ନୂଆର ସଂସ୍ଥାପନ ଯେତେବେଳେ ତଥାପି ପୁରୁଣାର ଅନୁମୋଦନ ଉପରେ ନିର୍ଭର କରୁଥାଏ, ସେତେବେଳେ ଆମର ଯାବତୀୟ ଉଦ୍ୟମ ଅନେକତଃ ସେହି ପୁରୁଣାଟାର ଖଟୁଲିଗୋଡ଼ରେ ହିଁ ବାନ୍ଧିହୋଇ ରହିଥାଏ । ନୂଆର ନାଆଁରେ ପ୍ରୟୋଗ ଚାଲେ, ମାତ୍ରେ ପୁରୁଣା ହିଁ ଅଧୀଶ୍ଵର ହୋଇ ବସିଥାଏ । ଏବଂ, ପୁରୁଣାଟି ଅଧୀଶ୍ଵର ହୋଇ ବସିଥିବା ପର୍ଯ୍ୟନ୍ତ ନୂଆ କଦାପି ଅଣ୍ଟା ସିଧା କରି ଛିଡ଼ା ହୋଇପାରେ ନାହିଁ । ନୂଆ ନାମରେ ହୁଏତ ଆଉ କିଛି ଚାଲିଥାଏ ।

 

ଆମର ପ୍ରୟୋଗ ଆମ ନିଜକୁ ନେଇ, ଲକ୍ଷ୍ୟକୁ ନେଇ କଦାପି ନୁହେଁ । ଲକ୍ଷ୍ୟ ସ୍ଥିର ହୋଇ ରହିଛି । ସେହି ଲକ୍ଷ୍ୟରେ ପହଞ୍ଚିବାକୁ ଯେଉଁ ବାଟ ତିଆରି ହେବ, ତାହା ମୂଳତଃ ଆମରି ଉପରେ ନିର୍ଭର କରୁଛି । ଆମ ଭିତରେ ଗଢ଼ି ଉଠୁଥିବା ପାରସ୍ପରିକତା ଉପରେ ନିର୍ଭର କରୁଛି । ଆମେ ସତକୁ ସତ କେତେଦୂର ଏକ ନୂତନ ପୃଥିବୀ ଇଚ୍ଛା କରୁଛୁ, ଆମର ଯୋଗ୍ୟ ହେବା ତାହାରି ଉପରେ ନିର୍ଭର କରୁଛି । କୋଉ ସରକାର ଏସବୁ ରହସ୍ୟକୁ କ’ଣ ବୁଝିବ ? ତେଣୁ, ଆମ ଭିତରେ ଅସଲ ବ୍ୟାକୁଳତାଟିକୁ ଜାଗୃତ କରାଇ ଆଣିବାରେ ସରକାର ଆମକୁ କି ସାହାଯ୍ୟ କରିବ ? ବାବୁମାନେ ସୁନା ଯାଚିବେ, ରୂପା ଯାଚିବେ, ଆମକୁ ସୁନାପୁଅ ହୋଇ ରହିବାକୁ ସେମାନେ କେତେ କ’ଣ ଯାଚିବେ । ଯଦି ଆମେ ସୁନାକୁ ବା ରୂପାକୁ ମନ କରୁଥିବା, ତେବେ ଅତ୍ୟନ୍ତ ଆଡ଼ମ୍ବରପୂର୍ଣ୍ଣ ଭାବରେ ସେହି ପୁରୁଣା ଗାତଗୁଡ଼ାକ ଭିତରେ ଖାପ ଖାଇଯିବା । ଅଟକି ରହିଯିବା । ଆମ ମୂର୍ତ୍ତିଗୁଡ଼ାକ ମଧ୍ୟ ଠିକ୍ ଆମରି ପରି ବାସ୍ତବତାକୁ ଆଦରି ରହିଯିବେ । ମାତ୍ର, ଯଦି ଆମେ ଅନ୍ୟଏକ ବାସ୍ତବତାକୁ ମନ କରୁଥିବା, ଯଦି ଆମେ ପ୍ରକୃତରେ ନୂତନର ସଞ୍ଚରଣ ନିମନ୍ତେ ଆମର ଭିତରେ ଓ ବାହାରେ ପ୍ରକୃତରେ ସମ୍ମତ ହୋଇ ପାରିଥିବା, ତେବେ ଆମର ଯାବତୀୟ ପ୍ରୟୋଗ ଏକାବେଳେକେ ଅନ୍ୟ ପ୍ରକାରର ହେବ । ଏବଂ ଅମାକୁ ନିମିତ୍ତ କରି ତାହା ଏହି ପୃଥିବୀରେ ବହୁତ କିଛି ସମ୍ଭବ କରିପାରିବ ।

 

ଫେବୃଆରୀ, ୧୯୮୭

Image

 

ଚେତନା-ଅଚେତନା

 

Consciousness is the faculty of becoming aware of anything through identification.

 

[ମାତୃ-ରଚନାବଳୀ, (ଇଂରାଜୀ) ଶତବାର୍ଷିକୀ ସଂସ୍କରଣ, ୧୫ଶ ଖଣ୍ଡ ୧୯୮୦, ପୃଷ୍ଠା-୪]

 

ଯିଏ ଜୀଇଛି, ତାହାର ଚେତନା ଅଛି ବୋଲି ଆମେ ଆମ ସାଧାରଣ ବେଭାରଗୁଡ଼ିକର ସଂସାରରେ ବିଶ୍ଵାସ କରିଥାଉ । ‘ଚେତନା’ ଶବ୍ଦଟିକୁ ଆମେ ସେହି ଅର୍ଥରେ ଗ୍ରହଣ କରି ଆସିଥାଉ-। ଆମ ପିଲାଦିନୁଁ ଆମକୁ ସେ ବିଷୟରେ ଯେଉଁ ଧାରଣାମାନ ଦିଆଯାଏ, ସେହି ଧାରଣାଗୁଡ଼ିକୁ ଦେଇ ଆମେ ଶବ୍ଦଟିକୁ ବୁଝିଥାଉ । ଜୀବନମାତ୍ରେ ଚେତନା ଅଛି, ନିର୍ଜୀବର ଚେତନା ନାହିଁ । ଆମ ଭିତରେ ଗୋଟିଏ ହୃତ୍‌ପିଣ୍ଡ କାର୍ଯ୍ୟ କରୁଛି, ତେଣୁ ଆମ ନାଡ଼ୀରେ ମଧ୍ୟ ସ୍ପନ୍ଦନ ରହିଛି ଏବଂ ଆମ ଦେହ ଭିତରେ ରକ୍ତ ଓ ବାୟୁର ସଂଚାଳନ ବି ଅଛି । ତେଣୁ ଆମେ ଚେତନ, ଚେତନା-ଯୁକ୍ତ-ଆମେ ଜୀବ । ଯେଉଁମାନଙ୍କ ଭିତରେ ଏସବୁ ହେଉନାହିଁ, ସେମାନେ ନିଶ୍ଚେତନ, ନିର୍ଜୀବ,—କେବଳ ବସ୍ତୁ-। ସମ୍ଭବତଃ ସେହି ଧାରଣାର ନିୟମ ଅନୁସାରେ ବସ୍ତୁକୁ କଡ଼ ବୋଲି କୁହାଯାଇ ଆସିଛି-

 

ସଂସାର ଭିତରେ ଆତଯାତ, ହେଉଥିବା ଆମେ ଅଧିକାଂଶ ମଣିଷ ପ୍ରୟୋଜନରେ ଯେତିକି ଭିତରେ ରହିଥାଉ, ପ୍ରାୟ ସେତିକି ଭିତରେ ହିଁ ଆମର ଚେତନା ରହିଥାଏ । ଏହି ଚେତନାର ପରିଧିଗୁଡ଼ିକ ପ୍ରକୃତରେ କେତେ ବଡ଼ ବା କେତେ ସାନ ହୋଇ ରହିବା ଉଚିତ, ଅଧିକାଂଶ କ୍ଷେତ୍ରରେ ଆମେ ନିଜେ ମଧ୍ୟ ତାହାକୁ ଠିକ୍ କରି ନଥାଉ । ଆମର ସଂସ୍କାର, ଆମର ସମାଜ ଆମଲାଗି ସେହି ପରିଧିଗୁଡ଼ିକୁ ଠିକ୍ କରି ଦେଇଥାଏ । କେବଳ ସେତିକି ନୁହେଁ, ସେହି ପରିଧିଟିକୁ ଶେଷ ବା ଚୂଡ଼ାନ୍ତ ପରିଧି ବୋଲି ବିଶ୍ଵାସ କରିବାକୁ ଏବଂ ସେତିକିରେ ହିଁ ସନ୍ତୁଷ୍ଟ ହୋଇ ରହିବାକୁ କୌଣସି ଏକ ସମାଜରେ ଚଳି ଆସିଥିବା ଶିକ୍ଷା ଓ ସଂସ୍କାରର ଛାଞ୍ଚଗୁଡ଼ାକ ଆମ ଉପରେ ସର୍ବଦା ଭାରି ପ୍ରଭାବ ବିସ୍ତାର କରିବାରେ ଲାଗିଥା’ନ୍ତି । ସେହି ପ୍ରଭାବର ଜାଲରେ ପଡ଼ି ଆମେ ଅନେକ ସମୟରେ ସେହି ପରିଧି, ଗାର ବା ସୀମାଗୁଡ଼ିକ ହିଁ ସର୍ବୋତ୍ତମ ପରିଧି ବୋଲି ଭ୍ରମ ମଧ୍ୟ କରିବାରେ ଲାଗିଥାଉ । ସେହି ଭ୍ରମ ଆମାକୁ ଅଧିକାଂଶ ସମୟରେ ଭାରି ସୁହାଉଥାଏ । ଚେତନା ରହିଥିଲେ ମଧ୍ୟ ଚେତନା ନାମରେ ଅଚେତନା ଭିତରେ ବାନ୍ଧିହୋଇ ରହିବା,—ଏହି କାରଣରୁ ହିଁ ଆମ ଅନେକଙ୍କୁ ସେହିପରି ଏକ ଦୁର୍ଦ୍ଦଶା ଭୋଗ କରିବାକୁ ପଡ଼ିଥାଏ ।

 

ଇତର ପ୍ରାଣୀ ତା’ର ଦେହ ବିଷୟରେ ସଚେତନ ହୋଇ ରହିଥାଏ । ତେଣୁ ଦେହଗତ ଆବଶ୍ୟକତାକୁ ହିଁ ତାହା ଆପଣାର ସମୁଦାୟ ଜୀବନରୂପେ ଗ୍ରହଣ କରି ନେଇଥାଏ । ଗ୍ରହଣ କରି ନେଇଥାଏ ବୋଲି କହିଲେ ମଧ୍ୟ ଭୁଲ ହେବ; ଇତର ପ୍ରତ୍ୟେକ ପ୍ରାଣୀ ଏପରି କେତେକ ସହଜାତ ପ୍ରବୃତ୍ତି ନେଇ ଜନ୍ମ ଗ୍ରହଣ କରିଥାଏ, ଯାହାକି ତାକୁ ସେହି ଦେହଗତ ଜୀବନର ଗାରଗୁଡ଼ିକ ମଧ୍ୟରେ ଭାରି ସମଞ୍ଜସତା ସହିତ ସୀମାବଦ୍ଧ କରି ରଖିଥାଏ । ମଣିଷ ଭିତରେ ମଧ୍ୟ ସହଜାତ ପ୍ରବୃତ୍ତିମାନ ରହିଛି । ମାତ୍ର, ସେଗୁଡ଼ିକୁ ଅତିକ୍ରମ କରିଯାଇ ପାରିବାକୁ ମଧ୍ୟ ମଣିଷ ଭିତରେ ଆଉ କେତୋଟି ଉପାଦାନ ରହିଛି । କେବଳ ଏତିକି ଜୀବନକୁ ଅତିକ୍ରମ କରିଯିବା ଲାଗି ମଣିଷ ଭିତରେ କେତେକ ପ୍ରବୃତ୍ତି ଓ ଶକ୍ତି ରହିଛି, ଯାହାକି ଇତର ପ୍ରାଣୀମାନଙ୍କ ଭିତରେ ନାହିଁ । ଏକ ଇତର ପ୍ରାଣୀ କେବଳ ତା’ର ଦେହଗତ ଜୀବନଟି ସହିତ ଆପଣାକୁ ଏକାତ୍ମକ କରି ରଖିବାକୁ ବାଧ୍ୟ ହୋଇ ରହିଥାଏ । ମଣିଷକୁ ସେପରି ମୋଟେ ବାଧ୍ୟ ହେବାକୁ ପଡ଼େ ନାହିଁ । କେବଳ biological becomingର ଭିତ୍ତିସୂତ୍ରଗୁଡ଼ିକୁ ଦେଇ ଆମେ ସେଥିଲାଗି କଦାପି ମଣିଷର ବିଚାର କରିପାରିବା ନାହିଁ । ଅବଶ୍ୟ ଏକଥା ସତ ଯେ, ଅନେକ ମଣିଷ ନିଜକୁ ସେହି ଦେହଟି ମଧ୍ୟରେ ବେଶି କିଳି କରି ରଖି ନିଜ ଜୀବନର ଯାବତୀୟ ମିଶାଣ ତଥା ଗୁଣନ ଭିତରେ ବହୁଗ୍ରଥିତ ହୋଇ ରହିଥାନ୍ତି । ଜୀବନର ଯାବତୀୟ ଈନ୍ଧନ କେବଳ ଦେହଲାଗି ହିଁ ଖୋଜୁଥାଆନ୍ତି ।

 

ଦେହଗତ ହୋଇ ରହିବା ଲାଗି ମନ କରୁଥିବା ମଣିଷର ସକଳ ଅନୁଧାବନ ଓ ଅନୁଶୀଳନ ଦେହସର୍ବସ୍ଵ ହୋଇ ରହିଥାଏ । ସେଇ ଦେହ-କ୍ଲେଶକୁ ହିଁ ସବୁଠାରୁ ଅଧିକ ଡରେ । ଜୀବନର ସମ୍ପଦ ଅଥବା ସମ୍ପତ୍ତି ବୋଲି ସିଏ ଯାହା କିଛି ଏକାଠି କରେ, ସିଏ ତାହାକୁ ସତେଅବା ନିଜ ଦେହରେ ହିଁ ଏକ ସଂପ୍ରସାରଣ ବୋଲି ଅନୁଭବ କରୁଥାଏ । ସେହି ଅନୁଭବକୁ ସୁଖ ବୋଲି କହୁଥାଏ । ଦର୍ଶନ ଶାସ୍ତ୍ରରେ ଏହି ସ୍ତରୀୟ ସୁଖକାମନାକୁ ସୁଖବାଦ ବୋଲି କୁହାଯାଇଛି । ସୁଖବାଦୀ ଜୀବନର କଳ୍ପିତ ବପୁଟିକୁ ବଢ଼ାଇବାଲାଗି ମଣିଷ ନିଜ ଜୀବନର ସକଳ ଧନ୍ଦାକୁ ଉଦ୍ଦିଷ୍ଟ କରି ରଖିଥାଏ । ସଂସାରଟାଯାକକୁ ସିଏ ନିଜର ବୃଦ୍ଧି ଓ ଲାଭ ପାଇଁ ନିୟୋଜିତ କରେ । ନିଜର କରି ରଖିବ ବୋଲି ସାରା ସଂସାରଟାକୁ ଗିଳିପକାଏ । ନିଜ ସୁଖରୂପକ ଗାତ ଭିତରକୁ ସଂସାରଯାକର ସବୁ କିଛିକୁ ଟାଣି ଆଣିବାକୁ ମନ କରିବା,—ତାହା ହିଁ କାମନା । ଏହି କାମନା ଆମ ସୁଖବାଦର ବୈଜୟନ୍ତୀ ହୋଇ ଉଡ଼ିବାରେ ଲାଗିଥାଏ । ସୁଖବାଦୀ ନେତା ନିଜର ମାଂସ-ବୃଦ୍ଧି ଲାଗି ଅନୁଗାମୀ ଆଉ ସମସ୍ତଙ୍କୁ ଗିଳି ପକାଏ । ସୁଖବାଦୀ ଶିକ୍ଷକ ବି ପ୍ରାୟ ସେହିପରି ନ୍ୟାୟରେ ତା’ ଆଗରେ ଆସି ରୁଣ୍ଡ ହୋଇଥିବା ଛୁଆମାନଙ୍କୁ ଗିଳି ପକାଏ । ସଂସାରରୂପୀ ଗଡ଼ିଆରେ ସୁଖବାଦୀ ଅର୍ଥାତ୍ ଦେହବାଦୀ ମଣିଷ ମାଛମାନଙ୍କୁ କେବଳ ନିଜପାଇଁ ପାଳିଥାଏ । କେବଳ ନିଜପାଇଁ ମାଛଗୁଡ଼ିକୁ ମାରେ । ଖାସ୍ ସେଇଥିଲାଗି ଗଡ଼ିଆଟିକୁ ସିଏ ନିଜର ବୋଲି କହେ-। ତା’ର ଚେତନାର ଗାରଗୁଡ଼ାକ ମଧ୍ୟ ସେତିକି ଭିତରେ ବହୁମଞ୍ଜୁଳ ହୋଇ ରହିଥାଏ-। ତା’ ଏକାତ୍ମକତା କେବଳ ସେତିକି ଭିତରେ ମଞ୍ଜି ପୋତି ରଖିଥାଏ ।

 

ସୁଖବାଦୀ ଦେହବାଦୀ ମଣିଷ ଦେବତାମାନଙ୍କୁ ମଧ୍ୟ କେବଳ ନିଜ କାମରେ ଲଗାଏ । ଦେବତାମାନେ ତା’ କାମରେ ଲାଗନ୍ତି ବୋଲି ସେମାନଙ୍କୁ ଲୋଡ଼େ । ତାଙ୍କ ଲାଗି ମଣ୍ଡପ ଓ ମନ୍ଦିର ତୋଳିଦିଏ, ଭୋଗର ବରାଦ କରେ, ନେତ ଉଡ଼ାଏ, ଧର୍ମଗଦ୍‍ଗଦ୍‍ ହୋଇ ବୁଲିବାରେ ଲାଗିଥାଏ । ସିଏ ନିଜ ପାଇଁ ଠାକୁରଙ୍କୁ ଡାକେ, ଠାକୁରଙ୍କୁ ଆଗରେ ପାଇଲେ କେବଳ ନିଜ ପାଇଁ ମାଗିବା ବ୍ୟତୀତ ତା’ର ବୁଦ୍ଧି ଆଉ ଅନ୍ୟ କିଛି କରିପାରେ ନାହିଁ । ଏପରି ମଣିଷ ଠାକୁରଙ୍କୁ ଯେତେ ଚିହ୍ନି ନଥାଏ, “ମୋ’ ଠାକୁର”ଙ୍କୁ ତା’ଠାରୁ ଅଧିକ ପରିମାଣରେ ଚିହ୍ନିଥାଏ, ମୋ’ ଠାକୁରରୁ ମୋ’ ଧର୍ମ, ମୋ’ ସମ୍ପ୍ରଦାୟ ଓ ମୋ’ ଗୁରୁ ପ୍ରଭୃତି ଅନ୍ୟ ଅତ୍ୟଭିମାନଗୁଡ଼ିକର ଉଦ୍ଭବ ହୋଇଥାଏ । ଦେହବାଦୀ ମଣିଷର ଗୁରୁମାନେ ତାକୁ ସର୍ବଦୁଃଖ-ମୋଚନ ଅର୍ଥାତ୍ ସର୍ବସୁଖଲାଭର ନାନାଭଳି ପ୍ରତିଶ୍ରୁତି ଦେଇଥାନ୍ତି ବୋଲି ଦେହବାଦୀ ମଣିଷ ସେହି ଗୁରୁଙ୍କୁ ନିଜର ଗୁରୁ ବୋଲି ସ୍ଵୀକାର କରିନେଇଥାଏ । ଧର୍ମ ନାମରେ, ଠାକୁରମାନଙ୍କ ନାମରେ ଓ ଦୁଃଖମୋଚନ ନାମରେ ଏବେ ମଧ୍ୟ ଆମ ସଂସାରରେ ତଥାପି ଅତିରିକ୍ତ ଭାବରେ ଯେଉଁ ବିବିଧ ଲୀଳା ଲାଗି ରହିଛି, ହୁଏତ ସେଇଥିରୁ ଅନୁମାନ କରାଯାଇ ପାରେ ଯେ ପୃଥିବୀରେ ଏବେ ମଧ୍ୟ ଦେହବାଦୀ ଓ ସୁଖବାଦୀମାନେ ହିଁ ସବୁଠାରୁ ଅଧିକ ସଂଖ୍ୟାରେ ଅଛନ୍ତି, ସବୁଠାରୁ ଅଧିକ ଦର୍ପରେ ସେମାନେ ସଂସାରଟାକୁ ଆୟତ୍ତ କରି ରଖିଛନ୍ତି । ସଂସାରରେ ନାନା ବୀଭତ୍ସତା ଓ ବିଡ଼ମ୍ବନା ଭିଆଇ ରଖିଥିବା କ୍ଷମତା ନିଜଟାକୁ ବଡ଼ ବୋଲି କହି ଅନ୍ୟ ସବୁଗୁଡ଼ିକୁ ହୀନ ବା ସାନ ବୋଲି ଦର୍ଶାଇ ଦେବାର ଯାବତୀୟ ମିଛ-ଉତ୍ତେଜନା,—ଏହି ଯାବତୀୟ ବ୍ୟାପାର ସୁଖ ପାଖରେ ଅର୍ଥାତ୍ ଦେଖ ପାଖରେ ଆପଣାକୁ ଏକାତ୍ମକ କରି ରଖଥିବାର ଏକ ଚେତନାର ପରିଣାମ ବୋଲି କୁହାଯାଇ ପାରିବ ।

 

ଦ୍ଵିତୀୟ ସୋପାନଟିକୁ ଆମେ ସମୂହଗତ ଏକାତ୍ମକତା ବା tribal becoming ବୋଲି କହି ପାରିବା । ପୃଥିବୀର ଅଧିକାଂଶ ମଣିଷ ଏକଭାଷାଭାଷୀ; ସେମାନେ କେବଳ ଗୋଟିଏ ଭାଷା ଜାଣନ୍ତି । ଗୋଟିଏ ଭାଷାରେ କଥା କହନ୍ତି, ଗୋଟିଏ ଧର୍ମରେ ବାଟ ଚାଲନ୍ତି, ଗୋଟିଏ ଦେଶକୁ ହିଁ ସଂସାର ଭିତରେ ମଣି ବା ରାଣୀ ବୋଲି ବିଶ୍ଵାସ କରିବା ଲାଗି ପିଲାଦିନରୁ ଶିକ୍ଷା ପାଆନ୍ତି । ଏହି ମଣିଷମାନେ ଆଚାର କହିଲେ କେବଳ ନିଜ ସମୂହଟି ମଧ୍ୟରେ ଚଳି ଆସୁଥିବା ଆଚାରଗୁଡ଼ିକୁ ହିଁ ଜାଣନ୍ତି, ସେହି ଆଚାରଗୁଡ଼ିକର ମାଧ୍ୟମରେ ସେମାନେ ଧର୍ମର ତର୍ଜମା କରନ୍ତି । ନିଜ ସମୂହଟିର ବାହ୍ୟ ଭାଙ୍ଗ ଓ ଭଙ୍ଗିମାଗୁଡ଼ିକୁ ସଂସ୍କୃତି ବୋଲି କହନ୍ତି । ନିଜ ଭାଷାଟିକୁ ଏମାନେ ମାତୃଭାଷା ବୋଲି କହି ତାହାକୁ ଶ୍ରଦ୍ଧା କରନ୍ତି । ମାତ୍ର, ଅନ୍ୟ ଭାଷାଗୁଡ଼ିକର କ୍ଷେତ୍ରରେ ମଧ୍ୟ ଯେ ସେଗୁଡ଼ିକ ଭିତରେ ଆତଯାତ ହେଉଥିବା ଅନ୍ୟ ଶ୍ରଦ୍ଧାଳୁ ମଣିଷମାନେ ଅବଶ୍ୟ ଥିବେ, ସେହି ସତ୍ୟଟିକୁ ସେମାନେ ମୋଟେ ଗମି ପାରନ୍ତି ନାହିଁ । ନିଜକୁ ହିଁ ସଂସାରରେ ଏକମାତ୍ର ଖାଣ୍ଟି ବୋଲି ବିଶ୍ଵାସ କଲେ ପୃଥିବୀରେ ଆଉ ସବୁକିଛି ଖାଦ ବୋଲି ମନେ ହୁଏ । ସେତେବେଳେ ନିଜର ଭାଷା ଦେବଭାଷା ହୁଏ, ନିଜର ଭୂମି ଦେବଭୂମି ହୁଏ ଏବଂ ନିଜର ଧର୍ମକୁ ସନାତନ ଧର୍ମ ବୋଲି କୁହାଯାଏ । ସେହି ଯୁକ୍ତିରେ ବାହାରେ ଥିବା ଅନ୍ୟମାନଙ୍କର ସ୍ଥାନ ନିରୂପଣ କରିଦେବା ନିମନ୍ତେ ସେମାନଙ୍କୁ ଅନାଦରରେ ବ୍ରାତ୍ୟ ବୋଲି କୁହାଯାଏ, ଯବନ ବୋଲି କୁହାଯାଏ, ମ୍ଳେଚ୍ଛ ବୋଲି କୁହାଯାଏ । ଏହି ତାମସା ପୃଥିବୀର ସବୁ ଧର୍ମରେ ହୋଇଛି, ଏବେ ମଧ୍ୟ ହେଉଛି । ନିଜ ସମୂହ ସହିତ ଏକାତ୍ମକ ହେବାକୁ ଯାଇ ଅନ୍ୟ ଯାବତୀୟ ସମୂହକୁ ବିଜାତୀୟ ଓ ତେଣୁ ଅବରସ୍ତରୀୟ ବୋଲି କହିବା, ଏହି ଅଫିମଟି ଏବେ ମଧ୍ୟ ଆମକୁ ବେଶ୍ ଆନନ୍ଦ ଦେଉଛି, ନାନା ମିଛ ପ୍ରତିଷ୍ଠାର ଗ୍ଳାନିକର ମୋହଗୁଡ଼ାକ ଭିତରେ ଆମକୁ ବାନ୍ଧି ରଖିଛି, ଭାରି ନିର୍ମମ କରି ରଖିଛି ।

 

ଏକାତ୍ମକତାର ବା ଚେତନାର ଏହି ସ୍ତରଟି ମଣିଷକୁ ତା’ର ଦେହଗତ ବା କେବଳ ଜୀବଗତ ସ୍ତରରୁ ବାହାର କରି ଆଣିବାରେ ଖୁବ୍ ସାହାଯ୍ୟ କରିଛି । ଅଥବା, ମନୁଷ୍ୟ-ଜୀବନର କେତେ ପର୍ଯ୍ୟବେକ୍ଷକ ଯେପରି କହିଥାନ୍ତି,—ମଣିଷ ହୁଏତ ମର୍ମତଃ ସେହି ସୁଖବାଦୀ ବା ଦେହବାଦୀ ଏକାତ୍ମକତାର ସ୍ତରରେ ଏବେ ମଧ୍ୟ ରହିଛି, ମାତ୍ର ମୂଳତଃ ନିଜ ପ୍ରୟୋଜନର ବଶବର୍ତ୍ତୀ ହୋଇ ସିଏ ତାହାର ଗାରଗୁଡ଼ାକୁ ପରବର୍ତ୍ତୀ ପରିଚିତ ବୃତ୍ତଟି ମଧ୍ୟକୁ ଯାହା ଟିକିଏ ପ୍ରସାରିତ କରିଦେଇଛି । ମୋର ଦେଶ ବା ସେହି ଦେଶର ସରକାର ଯାହା କହୁଛି, ତାହା ଅବଶ୍ୟ ଠିକ୍: ପୃଥିବୀ ପଛକେ ନ ରହୁ, କିନ୍ତୁ ଜାତି ଅବଶ୍ୟ ରହିବ ଏବଂ ଯାହାକୁ ମୁଁ ଠିକ ଆଦର୍ଶ ବୋଲି କହୁଛି, ଏହି ପୃଥିବୀରେ ଅବଶ୍ୟ ତାହାର ପ୍ରତିଷ୍ଠା ହେବ । ମୋର ଧର୍ମ, ମୋର ସଂସ୍କୃତି—ଏସବୁ ସମସ୍ତଙ୍କର ଧର୍ମ ଓ ସଂସ୍କୃତିଠାରୁ ବହୁତ ଅଧିକ ବଡ଼,—ଆମ୍ଭେମାନେ ସର୍ବପ୍ରଥମେ ଓଡ଼ିଆ ବା ସର୍ବପ୍ରଥମେ ଭାରତବାସୀ, ତା’ପରେ ଯାଇ ମଣିଷ; ଏହି ସବୁକିଛି ସେହି କିଞ୍ଚିତ୍‌ ସଂପ୍ରସାରଣର ଗୋଟିଏ ଗୋଟିଏ ଉଦାହରଣ । ସେହିପରି ଏକ ଦୁଷ୍ଟ ସୁଖବାଦ ଅଥବା ସ୍ଵାର୍ଥବାଦ ଦ୍ଵାରା ପ୍ରେରିତ ହୋଇ ଆଜି ପୃଥିବୀରେ ଗୋଷ୍ଠୀ ଗୋଷ୍ଠୀ ଭିତରେ ମାରାତ୍ମକ ବିବାଦ ଲାଗି ରହିଛି ଏବଂ ଭୟାନକ ତଥା ମହାଭୟାନକ ଅସ୍ତ୍ର-ପ୍ରତିଯୋଗିତା ଦ୍ଵାରା ବଡ଼ ବଡ଼ ରାଷ୍ଟ୍ରମାନେ ନିଜର ସଂହାରଶକ୍ତି ବଢ଼ାଇବାର ନାମରେ ସାରା ପୃଥିବୀଟାକୁ ଧ୍ଵଂସ କରିଦେବାକୁ ବାହାରିଛନ୍ତି । ପୃଥିବୀରେ ଏତେ ଧର୍ମ ରହିଛି, ଆଦର୍ଶବାଦଗୁଡ଼ିକ ବହୁସଂଖ୍ୟାରେ ଅଛନ୍ତି, ସୁଖର ସରଞ୍ଜାମ ଭର୍ତ୍ତି ହୋଇ ରହିଛି, ମାତ୍ର ଏକାତ୍ମତା ନାହିଁ,—ତେଣୁ ଆତ୍ମୀୟତା ନାହିଁ । ଆତ୍ମୀୟତା ନଥିବାରୁ ନିର୍ମମତା ହିଁ ରାଜତ୍ଵ କରୁଛି । ସଭ୍ୟତା ଓ ନିର୍ମମତା ପରସ୍ପରର ମହାଶତ୍ରୁ ହୋଇଥିଲେ ମଧ୍ୟ ବହୁ ବିଡ଼ମ୍ବନା ସୃଷ୍ଟି କରି ପରସ୍ପରର ସହାବସ୍ଥିତ ହୋଇ ରହିଛନ୍ତି ।

 

 

ଏହି ଚେତନାର ବୃତ୍ତଟି ବାହରେ ଆଉ ଗୋଟିଏ ବୃତ୍ତ ରହଛି, ଯାହାକୁ କି ଆମେ ଆଧ୍ୟାତ୍ମିକ ଚେତନାର ବୃତ୍ତ ବୋଲି କହିପାରିବା । ସେଇଟି ଆମର creative becomingର ବୃତ୍ତ । ସେହି ବୃତ୍ତର କେନ୍ଦ୍ରଟି ଆମ ଭିତରେ ତଥା ଆମର ବାହାରେ । ଉପନିଷଦର ଭାଷାରେ କହିଲେ, ଅସ୍ମିନ୍ ଆତ୍ମନି ଏବଂ ଅସ୍ମିନ୍ ଆକାଶେ । ଭିତରେ ତଥା ଏହି ସମସ୍ତଟି ଭିତରେ । ତାହା ଆମ ଯାବତୀୟ ଆତ୍ମୀୟତାର ପିଣ୍ଡ ସ୍ଵରୂପ ଆମରି ଭିତରେ ରହିଛି ଏବଂ ସେହି ସକଳ ପିଣ୍ଡକୁ ଏକତ୍ର ଯୋଡ଼ି କରି ସମଗ୍ର କରି ସମ୍ଭାରି ଧରିଥିବା ସୂତ୍ରସ୍ଵରୂପ ମଧ୍ୟ ଭୁବନଯାକ ବ୍ୟାପ୍ତ ହୋଇ ରହିଛି । ନିଜର ଅସଲ ପିଣ୍ଡଟିକୁ ଆବିଷ୍କାର କରିପାରିଲେ ଓ ସେହି କେନ୍ଦ୍ରରୁ ହିଁ ଜୀବନକୁ ବଞ୍ଚିପାରିଲେ ଅତ୍ୟନ୍ତ ସ୍ଵାଭାବିକ ଭାବରେ ଭୁବନଯାକକୁ ଏକତ୍ର କରି ଧରିଥିବା ସୂତ୍ରଟି ମଧ୍ୟ ଦୃଷ୍ଟିଗୋଚର ହୋଇଥାଏ । ଏକାବେଳକେ ନିଜ ଭିତରେ କେନ୍ଦ୍ର ଓ ନିଜ ବାହାରେ ରହିଥିବା ସୂତ୍ରଟିକୁ ସତକୁ ସତ ଅନୁଭବ କରିପାରିଲେ ଓ ସେହି ଅନୁଭବର ନିର୍ଦ୍ଦେଶ ଅନୁସାରେ ନିଜ ଜୀବନକୁ ବଞ୍ଚିପାରିଲେ ସଂସାରରେ ଆଉ ଅଲଗା ହୋଇ ରହିବାର ଦୁର୍ଭାଗ୍ୟ ଭୋଗ କରିବାକୁ ପଡ଼େନାହିଁ । ଈଶୋପନିଷଦର ଭାଷାରେ, ତତଃ ନ ବିଜୁଗୁପ୍‌ସତେ । ଆତ୍ମୀୟତା ହିଁ ବିଜୁଗୁପ୍‌ସାକୁ ଅପସାରଣ କରିନିଏ । ବିଜୁଗୁପ୍‌ସା, ଅର୍ଥାତ୍ ଲୁଚି ରହିବାର ଇଚ୍ଛା, ଖିଅଗୁଡ଼ାକୁ କାଟି ପକାଇ ଅଲଗା ହୋଇ ରହିବାର ଇଚ୍ଛା । ଖିଅ କଟି ଯାଇଥିବା ମଣିଷ ସୁଖବାଦୀ ହୁଏ, ସ୍ଵାର୍ଥବାଦୀ ହୁଏ, ଅହଂବାଦୀ ହୁଏ । ଭୟ ହିଁ ତା’ ଜୀବନର ସର୍ବମୂଳ ପ୍ରେରଣା ହୋଇ ରହିଥାଏ । ଭୟଦ୍ଵାରା ପ୍ରେରିତ ହୋଇ ହିଁ ଜଣେ ମଣିଷ ଆଉଜଣେ ମଣିଷକୁ ଗିଳି ପକାଇବାକୁ ମନ କରେ; କାଳେ ଆଉ କେହି ଆସି ମତେ ଗିଳି ପକାଇବ, ସେଥିଲାଗି ଆଗତୁରା ଭାବରେ ଅନ୍ୟକୁ ଗିଳି ପକାଇବାକୁ ମନ ହୁଏ-। ଆଜି ଆମ ସଂସାରରେ ଅସଲ ଆତ୍ମୀୟତାଟି ନାହିଁ, ତେଣୁ ନାନା ବିଷମତା ଦ୍ଵାରା ହିଁ ଆମେ ପରସ୍ପର ପାଖରୁ ବିଲଗ, ବିଚ୍ୟୁତ ଏବଂ ବଞ୍ଚିତ ହୋଇ ରହିଛୁ । ସଂସାର ଭିତରେ ଅପରିମିତ ଲକ୍ଷ୍ମୀ ଭର୍ତ୍ତି ହୋଇ ରହିଥିଲେ ମଧ୍ୟ ଆମେ ବଡ଼ ଅଲକ୍ଷଣା ହୋଇ ରହିଛୁ । ଯାହାର କିଛି ନାହିଁ, ସିଏତ ଅଲକ୍ଷଣା ହୋଇ ରହିଛି; ଏବଂ ଯାହା ପାଖରେ ଅତିରିକ୍ତ ଭାବରେ ଅଧିକ ରହିଛି, ସିଏ ମଧ୍ୟ ଅତ୍ୟନ୍ତ ଅଲକ୍ଷଣା ହୋଇ ରହିଛି ।

 

ଆମର ଚେତନା ଯଦି ଆମର ଏହି ଭୟ, ସୁଖବାଦ ଏବଂ ମିଛ-ସତର୍କତାର କାନ୍ଥଗୁଡ଼ାକୁ ଭାଙ୍ଗି ବିଶ୍ଵସ୍ତରକୁ ଯାଇପାରନ୍ତା, ତେବେ ଏହି ପୃଥିବୀର ଜୀବନ ଅନ୍ୟ ଭଳି ହୋଇଯାଆନ୍ତା । ଏହି ଚେତାକୁ ଆମେ କେବଳ ଏକ ରାଜନୀତିକ ମତବାଦର ଘେର ଭିତରେ ବାନ୍ଧି ରଖିଥିଲେ ତାହା କଦାପି ସମ୍ଭବ ହେବ ନାହିଁ । ଆମର ଆତ୍ମୀୟତା ବିଶ୍ୱସ୍ତରକୁ ସ୍ପର୍ଶ କରି ପାରିଲେ ଯାଇ ଆମେ ଯଥାର୍ଥ ଦିଗରେ ଅଗ୍ରସର ହୋଇ ପାରିବା । ସେହି ଗୋଟିଏ ଦିବ୍ୟସତ୍ତା ହିଁ ଏହି ସବୁକିଛିକୁ ସଞ୍ଚରି ରହିଛି,—ଗୋଟିଏ ସୂତ୍ରରେ ଏବଂ ତେଣୁ ଗୋଟିଏ ନିୟତିରେ ହିଁ ବାନ୍ଧି ରଖିଛି,—ସେହି ଅନୁଭବକୁ ପ୍ରତ୍ୟକ୍ଷ ବିଶ୍ଵାସ ବା ଜୀବନସତ୍ୟରେ ପରିଣତ କରି ପାରିଲେ ଯାଇ ଆମେ ଉକ୍ତ ଯଥାର୍ଥ ଆତ୍ମୀୟତାର ବାହକ ହୋଇ ପାରିବା । ସେତେବେଳେ ଆମେ ସୁଖ କହିଲେ ବିଶ୍ଵସୁଖକୁ ବୁଝିବା,—ବିଦ୍ୟା କହିଲେ ସେତେବେଳେ ଏକ ସହଜ ପାରସ୍ପରିକତାକୁ ଭିତ୍ତି କରି ବର୍ତ୍ତମାନ ଆମକୁ ନାନା କ୍ଷୁଦ୍ରତାର ଅହଂକାର ଏବଂ ତଜ୍ଜନିତ ଭୟ ଦ୍ଵାରା ପରସ୍ପରଠାରୁ ଅଲଗା କରି ରଖିଥିବା ଅନ୍ଧକାରଗୁଡ଼ିକ ଉପରେ ବିଜୟ ହାସଲ କରିବାକୁ ହିଁ ବୁଝାଇବ । ଆମ ଆତ୍ମୀୟତା ଅର୍ଥାତ୍ ଚେତନାର ବୃତ୍ତଟି ବିଶ୍ଵ-ପରିଧିକୁ ସ୍ପର୍ଶ କଲେ ବିଶ୍ଵର ଅର୍ଥନୀତି ବଦଳିଯିବ, ରାଜନୀତି ବଦଳିଯିବ,—ଅର୍ଥନୀତି ଓ ରାଜନୀତି ସମ୍ପୂର୍ଣ୍ଣ ଏକ ଅନ୍ୟ ବିବେକ ଦ୍ଵାରା ହିଁ ପରିଚାଳିତ ହେବ । ବର୍ତ୍ତମାନ ପୃଥିବୀରେ ବ୍ୟକ୍ତିକୁ ତଥା ସମୂହଗୁଡ଼ିକୁ କାମୁଡ଼ି ଧରିଥିବା ବହୁ ଭୟ ଏବଂ ବହୁବିଧ କୃପଣତା ସେତେବେଳେ ପ୍ରକୃତରେ ଭାରି ଅନାବଶ୍ୟକ ହୋଇ ପଡ଼ିବ । ମାଆଙ୍କ ଭାଷାରେ କହିଲେ, the things also will change । ଚେତନାର ପରିବର୍ତ୍ତନ ଏବଂ ପୃଥ୍ଵୀବ୍ୟବସ୍ଥାର ପରିବର୍ତ୍ତନ ମଧ୍ୟରେ ସେତେବେଳେ ଆଉ କୌଣସି ବିସମ୍ବାଦ ରହିବ ନାହିଁ । ଶ୍ରୀଅରବିନ୍ଦ “ମାନବ ଯୁଗଚକ୍ର” ଗ୍ରନ୍ଥରେ ଯାହାକୁ ଏକ ଆଧ୍ୟାତ୍ମିକ ନୈରାଜ୍ୟବାଦର ବ୍ୟବସ୍ଥା ବୋଲି କହିଛନ୍ତି, ସେତେବେଳେ ଆମେ ବ୍ୟକ୍ତିଗତ ତଥା ସାମୂହିକ ଜୀବନରେ ସତକୁ ସତ ତାହାରି ଅତ୍ୟନ୍ତ ନିକଟବର୍ତ୍ତୀ ହୋଇ ଆସିବା ।

 

ସମସ୍ତ ବିଶ୍ୱ ସହିତ ଏକାବେଳେକେ ଚେତନାଯୁକ୍ତ ହୋଇ ରହିବା, ତାହା ହିଁ ଦିବ୍ୟ ପରମସତ୍ତାଙ୍କ ସହିତ ସଚେତନ ଭାବରେ ଯୁକ୍ତ ହୋଇ ରହିବା । ଆଗେ ବିଶ୍ଵଠାରୁ ବିଚ୍ଛିନ୍ନ ହୋଇ ଚାଲିଯାଇ ପାରିଲେ ତପସ୍ୟାର ସିଦ୍ଧି ହୋଇ ପାରିବ ବୋଲି କୁହାଯାଉଥିଲା । ସେହି ସିଦ୍ଧିକୁ କିଏ ନିର୍ବାଣ ବୋଲି କହୁଥିଲେ ତ ଆଉ କିଏ ମୁକ୍ତି ବା ମୋକ୍ଷ ବୋଲି କହୁଥିଲେ । ଏଠାରୁ ସୂତ୍ରଗୁଡ଼ିକୁ ଛିଣ୍ଡାଇ ନେଇ ପାରିଲେ ଯାଇ ମଣିଷ ଭଗବାନଙ୍କ ସହିତ ଯୁକ୍ତ ହୋଇ ପାରିବ ବୋଲି ସୁଧୀମାନେ ପରାମର୍ଶ ଦେଉଥିଲେ । ଖିଅ ଛିଣ୍ଡାଇବାର ସେହି ଦୁର୍ଗତିରେ ଆମେ ବର୍ତ୍ତମାନର ଦୂରବସ୍ଥା ଯାଏ ଆସିଲୁଣି । ଆମ ପାଦତଳର ଭୂଇଁ ସହିତ କଳ୍ପନାରାଜ୍ୟର ଆଦର୍ଶ ସ୍ଵପ୍ନଗୁଡ଼ିକର ଆଉ ପ୍ରାୟ କୌଣସି ସମ୍ବନ୍ଧ ନାହିଁ । ନିଜ ଭିତରେ ତଥା ନିଜ ବାହାରେ ଆମର ବିଶ୍ଵମୟ ସମ୍ବନ୍ଧଗୁଡ଼ିକର କ୍ଷେତ୍ରରେ ମଧ୍ୟ ଆମେ ବହୁବିଭାଜିତ ହୋଇ ରହିଛୁ । ନାନା ବିରକ୍ତି ଓ ବୈରାଗ୍ୟ ଆମର ଅସଲ ଅନୁରାଗଗୁଡ଼ିକୁ ବିକୃତ କରି ପକାଇଲେଣି । କେବଳ ଏକ ଅନ୍ୟ ଚେତନା ହିଁ ଭାଙ୍ଗି ଯାଇଥିବା ସମ୍ବନ୍ଧଗୁଡ଼ିକୁ ଯୋଡ଼ି ଆଣି ପାରିବ । ଅନ୍ୟ ଚେତନା ଅର୍ଥାତ୍ ଏକ ଅନ୍ୟ ପ୍ରକାରର ଏକାତ୍ମକତା, ଅନ୍ୟ ପ୍ରକାରର ଆତ୍ମୀୟତା । ଆମ ଗଭୀରତମ ଅଭୀପ୍‌ସାଗୁଡ଼ିକୁ ଯଥାର୍ଥରେ ଆଧ୍ୟାତ୍ମିକ ହୋଇପାରିଲେ ଯାଇ ତାହା ସମ୍ଭବ ହେବ ।

 

ଇଏ ହେଉଛି ଏକ ଅନ୍ୟ ପ୍ରକାରର ବାଟ, ଏଥିଲାଗି ସମ୍ପୂର୍ଣ୍ଣ ଭାବରେ ଅନ୍ୟପ୍ରକାରର ଏକ ଅନୁରାଗ ଆବଶ୍ୟକ । ଆମ ହୃଦୟର ଅସଲ କେନ୍ଦ୍ରରେ ଆମେ ସେହି ଅନୁରାଗ ଲାଗି ପ୍ରାର୍ଥନା କରିବା ଓ ତାହାରି ଦ୍ଵାରା ହିଁ ସେହି ଅନୁରାଗର ଭାଜନ ହେବା । ଅନୁରାଗର ସେହି କ୍ଷେତ୍ରରେ କୌଣସି ଭୟ ନାହିଁ, କୌଣସି କୃପଣତା କିମ୍ବା କୃତ୍ରିମତା ମଧ୍ୟ ନାହିଁ । ସେଠାରେ ସିଦ୍ଧି କହିଲେ ଭଗବାନଙ୍କଠାରୁ ସ୍ଵତନ୍ତ୍ର ଭାବରେ କିଛି ଅଧିକ ଆତ୍ମସାତ୍ କରି ଆଉ ପନ୍ଦର ଜଣଙ୍କ ତୁଳନାରେ ଅଧିକ ଉଚ୍ଚରେ ଯାଇ ବସିବା ବା ଅଧିକ ଉଚ୍ଚ ହୋଇ ଦିଶିବାକୁ ମୋଟେ ବୁଝାଇବ ନାହିଁ । ସିଦ୍ଧିଲାଭ କରିବାର ଅର୍ଥ ହେଉଛି କାମରେ ଲାଗିବା, ଅଧିକରୁ ଅଧିକ କାମରେ ଲାଗିବା, କେବଳ ତାଙ୍କରି କାମରେ ଲାଗିବା । ତାଙ୍କଠାରୁ ବର ମାଗିନେଇ ଆପଣାର କୌଣସି ଅଲଗା ଗମ୍ଭୀରା ଭିତରେ ଆବଦ୍ଧ ହୋଇ ରହିବା ଆଦୌ ନୁହେଁ । ତେଣୁ, ଚେତନା ହେଉଛି ଏକ ଏକାତ୍ମକତା, ଏକାତ୍ମକତାର ସେହି ସଂପ୍ରସାରଣର କ୍ରମରେ ଆମେ ଆପଣା ଅନୁରାଗର ଏପରି ଏକ ଭୂମିରେ ଯାଇ ପହଞ୍ଚିବା, ଯେଉଁଠାରେ କି ଏକ ଅବିଚ୍ଛେଦ୍ୟ ସୂତ୍ର ଦ୍ଵାରା ସମଗ୍ର ଭୁବନ ଏକତ୍ର ବାନ୍ଧି ହୋଇ ରହିଥିବ ଏବଂ ଆମେ ନିଜେ ମଧ୍ୟ ସେହି ସମଗ୍ରତା ସହିତ ଅତ୍ୟନ୍ତ ଅନ୍ତରଙ୍ଗ ଭାବରେ ବାନ୍ଧି ହୋଇ ରହିଥିବା । ଏହିପରି ଏକ ଭବିଷ୍ୟ ଅନ୍ତରଙ୍ଗତା ଲାଗି ପୃଥିବୀ ପ୍ରସ୍ତୁତ ହେଉଛି । ଆମେ ସେହି ପ୍ରସ୍ତୁତି ସହିତ ସମ୍ମିଳିତ ହେବା । ଅଧିକରୁ ଅଧିକ ଚେତନା ଅର୍ଥାତ୍ ଅଧିକରୁ ଅଧିକ ଏକାତ୍ମକତା ଦ୍ଵାରା ହିଁ ଆମେ ସେଇଟି ସହିତ ସମ୍ମିଳିତ ହୋଇପାରିବା ।

 

ଫେବୃଆରୀ ୨୧, ୧୯୮୭

Image

 

ଆମ ପ୍ରଭାବ ଆଉ କ’ଣ ପଡ଼ିଲା ?

 

ଆଗେ ଭାରତବର୍ଷରେ ଋଷିମାନେ ଥିଲେ । ସେମାନେ ସାଧନା କରି ସିଦ୍ଧିପ୍ରାପ୍ତ ହେଉଥିଲେ । ସିଦ୍ଧିପ୍ରାପ୍ତ ହେବାପରେ ସେମାନେ ଆଶ୍ରମ ତିଆରି କରୁଥଲେ । ଆଶ୍ରମରେ ବିଦ୍ୟାର୍ଥୀମାନେ ବିଦ୍ୟାର୍ଜନ କରିବାକୁ ଯାଉଥିଲେ । ବିଦ୍ୟାର୍ଜନ ମାଧ୍ୟମରେ ସିଦ୍ଧ ଗୁରୁମାନଙ୍କର ପ୍ରଭାବ ଅନୁଗତ ଶିଷ୍ୟମାନଙ୍କ ଉପରେ ଖୁବ୍ ପଡ଼ୁଥିଲା । ବିଦ୍ୟାର ପ୍ରଭାବ କ’ଣ କେତେଦୂର ପ୍ରକୃତରେ ପଡ଼ୁଥିଲା କେଜାଣି, କିନ୍ତୁ ଗୁରୁଙ୍କର ପ୍ରଭାବ ଅବଶ୍ୟ ପଡ଼ୁଥିଲା । ସେହି ପ୍ରଭାବ ପଡ଼ୁଥିଲା ବୋଲି ସେତେବେଳେ ଆଶ୍ରମମାନଙ୍କରେ ଗୋଟିଏ ନିର୍ଦ୍ଦିଷ୍ଟ ରୁଟିନ୍ ଚାଲୁଥିଲା । ସେହି ରୁଟିନ୍‌କୁ ସାଧୁଭାଷାରେ ଚର୍ଯ୍ୟା ବୋଲି କୁହାଯାଉଥିଲା । ବିଦ୍ୟାର୍ଥୀମାନେ ନିର୍ଦ୍ଧାରିତ ରୁଟିନ୍ ଅନୁସାରେ ଯାବତୀୟ କାର୍ଯ୍ୟ କରୁଥିଲେ, କିଏ କେତେ ନିଷ୍ଠା ସହକାରେ ସେହି ରୁଟିନଗୁଡ଼ିକୁ ମାନୁଛି ବା ନମାନୁଛି, ସେହି ଅନୁସାରେ ବିଦ୍ୟାର୍ଥୀର ଆନୁଗତ୍ୟ ବିଷୟରେ ବିଚାର କରାଯାଉଥିଲା-। ସିଦ୍ଧ ଗୁରୁମାନେ ସେହି ଆନୁଗତ୍ୟ ଦେଖିହିଁ ତୃପ୍ତ ହୋଇ ଯାଉଥିଲେ ।

 

ରୁଟିନ୍‌ଟାଏ ମାନିବା ସଙ୍ଗେ ସଙ୍ଗେ ଯେ କୌଣସି ବିଦ୍ୟାଳୟର ପ୍ରଭାବ ବିଦ୍ୟାର୍ଥୀମାନଙ୍କ ଉପରେ ତତ୍‌କ୍ଷଣାତ୍ ପଡ଼ିବାକୁ ଆରମ୍ଭ କରିବ, ସେକଥାରେ ଆଦୌ କୌଣସି ସ୍ଥିରତା ନାହିଁ । ଅଧିକାଂଶ ସ୍ଥଳରେ ବିଦ୍ୟାଳୟର ଶିକ୍ଷକମାନଙ୍କ ମଧ୍ୟରେ ଏକ ଧାରଣା ରହିଥାଏ ଯେ, ଛାତ୍ର ଗୁରୁ ଦ୍ଵାରା ନିର୍ଦ୍ଧାରିତ ନିୟମ ଓ ମାର୍ଗଗୁଡ଼ିକୁ ମାନିଲେ ତାହାକୁ ହିଁ ପ୍ରଭାବ ପଡ଼ିବାର ପ୍ରମାଣ ବୋଲି ମାନି ନିଆଯାଇ ପାରିବ । ପ୍ରଭାବ ପଡ଼ୁଥିବାର ଅନ୍ତର୍ଗତ ପ୍ରମାଣ ପାଇବା ଲାଗି ଆମ ପାଖରେ ହୁଏତ କୌଣସି ଯଥାର୍ଥ ସନ୍ତକ ନଥାଏ ବୋଲି ଆମେ ଅନେକ ସମୟରେ ବାହାରେ ନାନା ସନ୍ତକର ଉଦ୍ଭାବନ କରି ରଖିଥାଉ ଓ ସେଇଥିରୁ ପ୍ରଭାବଟିଏ ପଡ଼ୁଛି ବୋଲି ଅନୁମାନ କରିନେଇ କେତେ ସାନ୍ତ୍ଵନା ମଧ୍ୟ ଅନୁଭବ କରିଥାଉ । ବିଦ୍ୟାର ପ୍ରଭାବ ନପଡ଼ୁ ପଛକେ, ଅର୍ଥାତ୍ ଭିତରେ ଆଦୌ କୌଣସି ଦ୍ଵାର ନଖୋଲୁ ଓ ଆହୁରି ଭିତରେ ଅପେକ୍ଷା କରି ରହିଥିବା ଅସଲ ବନ୍ଧୁଟି ସହିତ ଯଥାର୍ଥରେ କୌଣସି ଭେଟ ନହେଉ ପଛକେ, ଅନ୍ତତଃ ବାହାରେ ଆମ ନିଜର କେତେଟା ପ୍ରଭାବ ପଡ଼ୁ ବୋଲି ଆମେ ଅତ୍ୟୁତ୍ସାହୀ ଶିକ୍ଷକମାନେ ଅନେକ ସମୟରେ ଭାରି ଆଶା କରିଥାଉ ।

 

ଏପରି କେତୋଟି ସନ୍ତକ ରହିଛି,—ଏଗୁଡ଼ିକ ସମ୍ପୂର୍ଣ୍ଣ ଭାବରେ ଗୋଟିଏ ଗୋଟିଏ ବାହ୍ୟ ସନ୍ତକ,—ଯେଉଁଗୁଡ଼ିକ ରହିଥିଲେ ଆମେ ଗୋଟିଏ ଥାନକୁ ମନ୍ଦିର ବୋଲି କହୁ । ଜଣେ ମଣିଷ ଦେହରେ, ତା’ର ପରିଚ୍ଛଦ ଓ ଅନ୍ୟାନ୍ୟ କେତେକ ପରିପାଟୀରେ କେତୋଟି ବିଶେଷ ସନ୍ତକ ରହିଥିଲେ, ପ୍ରାୟ ଏକ ଅଭ୍ୟାସରେ ପଡ଼ି ଆମେ ସେହି ମଣିଷଟିକୁ ବାବାଜୀ ବା ସନ୍ନ୍ୟାସୀ ବୋଲି କହିଥାଉ । ହୁଏତ ସେହି ସୁଲଭ ନ୍ୟାୟଗଣିତଟି ଅନୁସାରେ ଏହି ସଂସାରରେ କେତେକ ମଣିଷ ଗେରୁଆ ବସ୍ତ୍ର ପିନ୍ଧିଲେ ହିଁ ଆପଣାକୁ ଜଣେ ବାବାଜୀ ପରି ଅନୁଭବ କରନ୍ତି, ସତରେ ନିଜ ଜୀବନର ନ୍ୟାସ ତାହାରି ଦ୍ଵାରା ହୋଇଗଲା ବୋଲି ପ୍ରତ୍ୟୟ କରି ନିଅନ୍ତି । ସଂସାରରେ ଅଧିକାଂଶ ଦୀକ୍ଷାଗୁରୁ ସମ୍ଭବତଃ ସେହି କାରଣରୁ ଅସଲ ଆହ୍ଵାନଗୁଡ଼ିକର ସମ୍ମୁଖୀନ ହେବାର କୌଣସି ଜଞ୍ଜାଳରେ ନପଡ଼ି ବା ଅସଲ ସଂକ୍ରମଣଗୁଡ଼ିକ ଦିଗରେ ମନ ନବଳାଇ ଭୋଗ ବଦଳାଇ, ଭେକ ବଦଳାଇ ଶିଷ୍ୟ କରିନେଲେ ଓ ତେଣୁ ପ୍ରଭାବ ପକାଇଲେ ବୋଲି ବିଶ୍ଵାସ କରିବାକୁ ପ୍ରଲୁବ୍ଧ ହୋଇଛନ୍ତି । ସେମାନଙ୍କର ବଣିକ ଭାରି ଆଖିଦୃଶିଆ ଭାବରେ ଚାଲିଛି ଓ ବାନାଗୁଡ଼ାକ ଭାରି ଆଖିଦୃଶିଆ ଭାବରେ ଉଡ଼ିଛି । ତେଣୁ, ହୁଏତ ଅନେକ ମଣିଷ ବାବାଜୀମାନଙ୍କର ପ୍ରଭାବରେ ପଡ଼ିଛନ୍ତି, ତଥାପି ବାବାଜୀ ହୋଇ ନାହାନ୍ତି; ସନ୍ନ୍ୟାସୀମାନଙ୍କର ସେବା କରିଛନ୍ତି, ତଥାପି ଆପଣାକୁ ସତରେ ନ୍ୟସ୍ତ କରିନାହାନ୍ତି । ତଦ୍ଦ୍ଵାରା ହୁଏତ ଲାଭ ମଧ୍ୟ ହୋଇଛି । ଏହି ବାହାର ପ୍ରଭାବ ପଡ଼ିବା ଦ୍ଵାରା ଯେ ଜୀବନର କିମ୍ବା ସଂସାରର ଉଦୟ ବା ଉଦ୍ଧାର ହୋଇ ପାରିବ ନାହିଁ, ବାଟ ଖୋଜୁଥିବା ଓ ଉଦୟ ଲୋଡ଼ୁଥିବା ଅନେକ ମଣିଷଙ୍କ ଲାଗି ସେହି ସତ୍ୟଟି ଭାରି ସ୍ପଷ୍ଟ ହୋଇଯାଇଛି ।

 

ଆମ ନୂଆ ସ୍କୁଲଗୁଡ଼ିକରେ ଯେଉଁମାନେ ଆମେ ସତେଅବା କୌଣସି ହଠାତ୍ ଉଦ୍ଦୀପନାରେ ପଡ଼ି ଶିକ୍ଷକତା କରିବାକୁ ଆସିଛୁ, ଆମେ ବେଳେବେଳେ ଭାରି ହତାଶ ହୋଇ ପଡ଼ୁଛୁ । ଏକଦା ଯେଉଁ ଶୃଗାଳଟି ବାଟରେ ଚାଲି ଯାଉ ଯାଉ ହୁଏତ ଭାରି ଅଣଅକ୍ତିଆର ଭାବରେ ନୀଳରଙ୍ଗ ଗୋଳା ହୋଇ ରହିଥିବା କୁଣ୍ଡଟି ଭିତରେ ପଡ଼ି ଯାଇଥିଲା, ସେଇ କେଡ଼େ ଉତ୍ସାହ ଓ ବ୍ୟଗ୍ରତା ସହିତ ସବୁ ଶୃଗାଳ ମଧ୍ୟ ନିଷ୍ଠାର ସହିତ ନୀଳବର୍ଣ୍ଣ ହୋଇଯାଆନ୍ତୁ ବୋଲି କେତେ ଇଚ୍ଛା କରିଥିଲା । ଆମ ପିଲାମାନେ ସାନ ଥିଲାବେଳେ କେଡ଼େ ସହଜରେ ଆମରି ବାଗରେ ହସୁଥିଲେ, ଆମରି ବାଗରେ ଧାଡ଼ିରେ ଛିଡ଼ା ହେଉଥିଲେ, ଆମକୁ ଆଦେଶ ମାତ୍ରକେ ହାତର ନଖ ଓ ମୁହଁର ଦାନ୍ତ ଦେଖାଇ ସବୁ ପରିଚ୍ଛନ୍ନ ରହିଛି ବୋଲି ଜଣାଇ ଦେଉଥିଲେ । ଆମେ କହୁଥିବା ଥାନମାନଙ୍କରେ ଯାଇ ଆଖିବୁଜି ବସୁଥିଲେ, ମୁଣ୍ଡ ନୂଆଁଇ ପ୍ରଣାମ କରୁଥିଲେ । ଜୁଆଡ଼େ ଥାଆନ୍ତୁ, ଯେମିତି ଥାଆନ୍ତୁ ପଛକେ, ଆମେ ଡାକିଦେବା ମାତ୍ରକେ ଆମ ନୂତନ ପ୍ରୟୋଗଶାଳାର ଅନୁଗତ ଶାବକମାନଙ୍କ ପରି ଆମ ପାଖକୁ ତତ୍‌କ୍ଷଣାତ୍ ଦଉଡ଼ି ଆସୁଥିଲେ । ସେମାନଙ୍କ ଉପରେ ଆମର ପ୍ରଭାବ ଯେ ସତକୁସତ ପଡ଼ିଛି ଓ ପଡ଼ିବାରେ ଲାଗିଛି, ଆମକୁ ତାହାରି ପ୍ରମାଣ ଦେଇ ଯାଉଥିଲେ-। ଆମ ନୂଆ ସ୍କୁଲଟି ଯେ ପ୍ରକୃତରେ ନୂଆ, ଆମକୁ ସତେଅବା ଆମ ବେକଯାଏ ତାହାରି ପ୍ରତ୍ୟୟ ମିଳି ଯାଉଥିଲା । ଆମେ ନିଜକୁ ଏକ ଅଭିନବ ପଥର ଅଭିଯାତ୍ରୀ ପରି ଅନୁଭବ କରୁଥିଲୁ ଏବଂ ଆମ ପିଲାମାନେ ଆମ ଆଧ୍ୟାତ୍ମିକ ବିଶେଷ ଗୁହାଳଗୁଡ଼ିକର ଗୋଟିଏ ଗୋଟିଏ ଗିନିପିଗ୍ ହୋଇ ରହିଥିଲେ । ଏସବୁ ଆମକୁ ଭାରି ଭଲ ଲାଗୁଥିଲା । ମୋହରେ ପଡ଼ିଥିବା ମଣିଷକୁ ମୋହଗୁଡ଼ାକ ଯେମିତି ଭଲ ଲାଗେ, ଇଏ ପ୍ରାୟ ଠିକ୍ ସେମିତି ।

 

ଆମ ପିଲାଏ କ୍ରମେ ବଡ଼ ହେଲେ, ଆମର ମୋହ ଭାଙ୍ଗିଲେ । ଏପରି ହେଲା, ତାହା ମଧ୍ୟ ଭଲ ହେଲା । ଆମର ପ୍ରଭାବ ଯେ ଆଦୌ କେଉଁଠି କିଛି ପଡ଼ି ନାହିଁ, ତାହା ପ୍ରମାଣିତ ହେଲା-। ଆମକୁ ତାହା ଭାରି ବାଧିଲା ସତ, ମାତ୍ର ତଥାପି ଭଲ ହେଲା । ଆମ ପିଲାଏ ଆଉ ଆଗପରି ଆମ କଥାଗୁଡ଼ାକୁ ମୋଟେ ମାନିଲେ ନହିଁ । ଆମ ବାଟରୁ ବଙ୍କେଇ ବଙ୍କେଇ ଚାଲିଲେ । ଆମ ବଡ଼ମାନଙ୍କର ସୁକୁଟ ଦେଖିଲେ । ଆମର ଶିକ୍ଷାକେନ୍ଦ୍ରମାନଙ୍କରେ ଯେଉଁଠି ପିଲାମାନେ ଟିକିଏ ବଡ଼ ହୋଇ ଆସିଲେଣି, ସେଠାରେ ଏଇ କଥାଟି ବିଶେଷ ଭାବରେ ଦେଖିବାକୁ ମିଳୁଛି । ଆମେ ଦେଖାଇ ଦେଇଥିବା ବାଟଗୁଡ଼ିକ ଯେ ଜୀବନରେ ମୋଟେ ଚୂଡ଼ାନ୍ତ ବାଟ ନୁହେଁ, ଆମେ ପିନ୍ଧାଇ ଦେଇଥିବା ଜର୍ସିଗୁଡ଼ିକ ଯେ ସଂସାରରେ ମୋଟେ ଅସଲ ଜର୍ସି ନୁହନ୍ତି, ଆମ ବାଟରୁ ବଙ୍କାଇ ଗଲା ପରେ ଯାଇ ଆମ ପିଲାମାନେ ଆବିଷ୍କାର କଲେ । ଆମ ଆଖିରେ ବା ଆଉ କାହା ଆଖିରେ ସୁନା ପୁଅ ବା ସୁନା ଝିଅ ହୋଇ ଦିଶିବା ଯେ ଆଦୌ ସମ୍ମାନର ବିଷୟ ନୁହେଁ, ସେକଥା ସେମାନେ ବୁଝି ପାରିଲେ । ତେଣୁ ଆମେ ସେମାନଙ୍କୁ ଶିଖାଇଥିବା ଡ୍ରିଲଗୁଡ଼ିକୁ ପ୍ରତ୍ୟାଖ୍ୟାନ କଲେ-। ଆମକୁ ପ୍ରାୟ ଏକ ନୂଆ ଆହ୍ଵାନର, ପୁନରାବଲୋକନର ସମ୍ମୁଖୀନ କଲେ ।

 

ଭଗବାନ କରନ୍ତୁ, ଆମର କୌଣସି ପ୍ରଭାବ ଏହି ପିଲାମାନଙ୍କ ଉପରେ ନପଡ଼ୁ । ଆମର ପୁରାତନ ଅହଂକାର ଏବଂ ଆଖିଗୁଡ଼ିକ ଲାଗି ସେମାନେ ସର୍ବଦା ପୀଡ଼ାର କାରଣ ହୋଇ ରହିଥାନ୍ତୁ । ସେମାନଙ୍କର ନିଜ ଭିତରର ଦ୍ଵାରଟି ଖୋଲିଯାଉ ଓ ତାହାରି ଭିତରେ ଆହୁରି ଆଗକୁ ଯାଇ ସେମାନଙ୍କର ଅସଲ ବନ୍ଧୁଟି ସହିତ ଭେଟ ହେଉ । ଅସଲ ଦ୍ଵାରଟି ଖୋଲିପାରିଲେ ମଣିଷ ପ୍ରକୃତରେ ଯେଉଁ ସାହସର ଅଧିକାରୀ ହୋଇଥାଏ, ଆମେ ଯେତେ ଯାହା ଅନ୍ୟ ପ୍ରକାର ଇଚ୍ଛା କରୁଥିଲେ ମଧ୍ୟ ଆମର ପିଲାମାନେ ସେହି ସାହସର ଅଧିକାରୀ ହୁଅନ୍ତୁ । ଆମ ବଡ଼ମାନଙ୍କ ଭିତରେ କେତେ ବିରକ୍ତି, କେତେ ଅସହିଷ୍ଣୁତା, ସଂସାର ପ୍ରତି ଓ ନିଜ ପ୍ରତି କେତେ ଘୃଣା ବାହାରେ ଆମର ଏହି ମଞ୍ଜୁଳ ଭେକଗୁଡ଼ାକର ତଳେ ଅବଦମିତ ହୋଇ ରହିଛି । ବାହାରେ ଆମକୁ କେଡ଼େ ଉଗ୍ର କରି ରଖିଛି ଏବଂ ଭିତରେ କେଡ଼େ ହୀନ କରି ରଖିଛି । ମୁଖାଗୁଡ଼ିକ ବାହାରେ ଯେତିକି ଉଜ୍ଜ୍ଵଳ ଓ ଉଦ୍ୟତ ପ୍ରାୟ ଦିଶୁଛନ୍ତି, ଭିତରେ ମୁଖଗୁଡ଼ିକ ହୁଏତ କେଉଁ ଅନ୍ଧାରଗୁଡ଼ାକର କାନି ଧରି କେତେ ସନ୍ଧିରେ ଯାଇ ପଶିଛି । ଆମର ଆଦୌ କୌଣସି ପ୍ରଭାବ ଆମ ପିଲାମାନଙ୍କ ଉପରେ ନପଡ଼ୁ । ସେମାନେ ଶ୍ରଦ୍ଧା ଦେଇ ନିଜକୁ ଦେଖନ୍ତୁ, ଶ୍ରଦ୍ଧା ଦେଇ ଜଗତକୁ ଓ ଜଗତକର୍ତ୍ତାଙ୍କୁ ଦେଖିବାର ଅସଲ ଶୁଦ୍ଧତାଟିକୁ ଅର୍ଜନ କରନ୍ତୁ । ସେମାନେ ପରସ୍ପରକୁ ମଧ୍ୟ ଶ୍ରଦ୍ଧା ଦେଇ ଦେଖନ୍ତୁ । ଆପଣାର ଯଥାର୍ଥ ଗୁଣ ଓ ଯଥାର୍ଥ ସାହସଗୁଡ଼ିକ ଦ୍ଵାରା ଉଜ୍ଜ୍ଵଳ ହୋଇ ରହନ୍ତୁ ।

 

ଯାହାର ନିଜ ରୁଟିନ୍‌ଗୁଡ଼ିକର ପ୍ରଭାବ ନିଜ ଉପରେ ମଧ୍ୟ ପଡ଼ି ନଥାଏ, ଭିତରେ ମହଳଗୁଡ଼ାକୁ ଅର୍ଥାତ୍ ପରାଜୟବୋଧଗୁଡ଼ାକୁ ଲୁଚାଇ ରଖିବା ପାଇଁ ଯାହାର ରୁଟିନ୍‍ଗୁଡ଼ିକ ଉପରର ସଫା ଆଚ୍ଛାଦନଟିଏ ପରି କାର୍ଯ୍ୟ କରୁଥାଏ, ସେହିମାନେ ହିଁ ସଂସାରରେ ପ୍ରଭାବ ପକାଇବେ ବୋଲି ବାହାରି ଥାଆନ୍ତି । ନିଜ ଘରେ ନିଜ ପାଖରେ ହାରିଯାଇ ଥାଆନ୍ତି ବୋଲି ହୁଏତ ଅନ୍ୟମାନଙ୍କର ଗଡ଼ମାନ ଜିତିବାକୁ ଦର୍ପ ସହିତ ବାହାରି ଥାଆନ୍ତି । ଅନ୍ୟମାନେ ମଧ୍ୟ ଅସଲ ଥାନରେ ପରାଜୟ ସ୍ଵୀକାର କରନ୍ତୁ ଓ ରୁଟିନ୍ ମଧ୍ୟରେ ଅଟକି ରହନ୍ତୁ ବୋଲି ସତେଅବା ଏକ ଉଗ୍ର ଆକ୍ରୋଶ ନେଇ ସେମାନେ ସଂସାର ଭିତରକୁ ବାହାରି ଥାଆନ୍ତି । ଆମ ସଂସାରର ଅଧିକାଂଶ ଶିକ୍ଷକ ଓ ଶିକ୍ଷାଦାତା ସମ୍ଭବତଃ ଏହି କାଟର ଗୋଟିଏ ଗୋଟିଏ ମଣିଷ ହୋଇଥିବାରୁ ହିଁ ଏଠାରେ ଦେଉଳଗୁଡ଼ାକ ଅତ୍ୟଧିକ ସଂଖ୍ୟାରେ ଓ ଅତିରିକ୍ତ ଠାଣିରେ ରହିଛି ସତ, ମାତ୍ର ଅସଲ ପହଡ଼ଗୁଡ଼ିକ ପ୍ରାୟ କେଉଁଠି ହେଲେ ଖୋଲି ପାରୁ ନାହିଁ ।

 

ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରଗୁଡ଼ିକ କୌଣସି ପ୍ରକାର ପୁରୁଣା ରୁଟିନ୍ ଦେଇ ପିଲାମାନଙ୍କ ଉପରେ ପ୍ରଭାବ ପକାଇବାର ଚେଷ୍ଟା କରିବେ ନାହିଁ । ପୁରୁଣା ଯାବତୀୟ ଗୁଳାରେ ବାଟ ଚାଲି ଆସିଥିବା ଓ ସେହିଭଳି କେତୋଟି ଗୁଳାକୁ ତେବେ ମଧ୍ୟ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବରେ ଜାବୁଡ଼ି ଧରିଥିବା ଆମମାନଙ୍କର ତଥାକଥିତ ଯାହାକିଛି ପ୍ରଭାବ ଆମ ପିଲାମାନଙ୍କ ଉପରେ ପଡ଼ିବ, ତାହା ହୁଏତ କେନାଲ ପୁରୁଣାଟାକୁ ହିଁ ଆହୁରି ଅନେକ ବର୍ଷ ଯାଏଁ ବଜ୍ର କରି ରଖିବାରେ ସାହାଯ୍ୟ କରିବ-। ତେଣୁ ଆମେ ଯଦି ପ୍ରକୃତରେ ସାଧୁ ହୋଇଥିବା, ତେବେ ଭାରି ସାବଧାନ ରହିବା-। ଇତିହାସରେ ଅନେକ ନୂଆ ବିବିଧ ନୂଆ ରୁଟିନ୍‌କୁ ଲଦିବାର ଦୁର୍ବୁଦ୍ଧି କରି ନାନା ଭାବେ ପୁରୁଣା ଗୁଳାଗୁଡ଼ାକରେ ଯାଇ ପଡ଼ିଯାଇଛନ୍ତି । ଏହି ଭାରତରେ ମଧ୍ୟ ଏକାଧିକ ବାର କୌଣସି ଅଭୀପ୍ସା ଦ୍ଵାରା ଉପଲବ୍ଧ ନୂତନ ବୋଧକୁ ବଯସ୍କମାନଙ୍କର ବୁଦ୍ଧି ମୂର୍ତ୍ତିଟିଏ ଅଥବା ଅବତାର କରି ଥୋଇ ଦେଇଛନ୍ତି । ଧର୍ମାଶୋକମାନେ ଏଥିରେ ସକ୍ରିୟ ଭାବରେ ସାହାଯ୍ୟ କରିଛନ୍ତି ।

 

ତେଣୁ ଏହି ପିଲାମାନଙ୍କ ଉପରେ ଆମର ଆଦୌ କୌଣସି ପ୍ରଭାବ ନପଡ଼ୁ । ମାତ୍ର ଆଗକୁ ବାଟଟିଏ ଖୋଲୁ । ଅନ୍ତର ଭିତରକୁ ବାଟ ଖୋଲିଯାଉ । ଯାବତୀୟ ଯେଉଁ ଆଳସ୍ୟମାନ ଆମକୁ ନାନାଭାବେ ବୁଢ଼ା କରି ରଖିଛି, ଆମ ପିଲାଏ ସେହିସବୁ ଆଳସ୍ୟର କବଳରେ ମୋଟେ ନପଡ଼ନ୍ତୁ । ସେମାନେ ଅଭିନୟର ଦୂରରେ ରହନ୍ତୁ, ଅହଂକାର ପାଖରୁ ଦୂରରେ ରହନ୍ତୁ । କୌଣସି ପରିସ୍ଥିତିରେ ମଧ୍ୟ ଅଟକି ରହି ନଯାନ୍ତୁ । ଯିଏ ଯୁଗର ରୁଟିନ୍ ସହିତ ଖାପ ଖାଇଯିବାକୁ ଆସେ, ସିଏ ସବୁ ସୁଖରେ ଜୀବନଧାରଣ କରି ରହିବାକୁ ରାଜୀ ହିଁ ହୋଇଯାଏ । ଆମ ପିଲାମାନଙ୍କ ଭିତରୁ ଯେଉଁମାନେ ବଡ଼ ହୋଇ ସତକୁସତ ଯୁଗକୁ ବଦଳାଇବାକୁ ମନ କରିବେ, ପାହାଚ ଉଠିବାକୁ ମନ କରିବେ, ଏଥିରେ କୌଣସି ସନ୍ଦେହ ନାହିଁ ଯେ ସେମାନେ ବହୁ ଦୁଃଖର ସମ୍ମୁଖୀନ ହେବେ । କେବଳ ବିଶ୍ଵାସ ଓ ସାହସ ବଳରେ ସେମାନେ ଦୁଃଖଗୁଡ଼ାକ ସତ୍ତ୍ୱେ ଆଗକୁ ଯାଇପାରିବେ । ଆମର ସକଳ ଶିକ୍ଷା ସେମାନଙ୍କୁ ସବାଆଗ ସେହି ବିଶ୍ଵାସ ଏବଂ ସାହସ ଲାଗି ଭାଜନ କରାଉ । ଅସଲ ବିଦ୍ୟା ବିଶ୍ଵାସକୁ ବଢ଼ାଏ, ସାହସରେ ବଳୀୟାନ କରେ । ଆମେ ଦେଉଥିବା ସକଳ ଶିକ୍ଷା ସେହି ବିଶ୍ଵାସ ଓ ସାହସ ବଢ଼ାଇବାରେ ନିମିତ୍ତ ହୋଇ ରହିଥାଉ ।

 

ମାର୍ଚ୍ଚ, ୧୯୮୭

Image

 

ଆଧ୍ୟାତ୍ମିକ ଶିକ୍ଷା

 

“Spiritual things… They are taught history or spiritual things, they are taught science or spiritual things. That is the stupidity. In history, the spirit is there; in science, the spirit is there—the Truth is everywhere.”

 

[ମାତୃରଚନାବଳୀ (ଇଂରାଜୀ) ୧୨ଶ ଖଣ୍ଡ, ଶତବାର୍ଷିକୀ ସଂସ୍କରଣ, ୧୯୭୮, ପୃଷ୍ଠା-୪୦୩]

 

ଆମେ ପିଲାମାନଙ୍କୁ ସାହିତ୍ୟ ବହିରୁ ସାହିତ୍ୟ ପଢ଼ାଉ, ଇତିହାସ ବହିରୁ ଇତିହାସ ପଢ଼ାଉ । ଗଣିତ ପଢ଼ାଇବାକୁ ହେଲେ ଆମର ଗଣିତ ବିଷୟରେ ବହିଟିଏ ଦରକାର ହୁଏ । କେବଳ ବାଡ଼ିର ସାହାଯ୍ୟରେ ବାଟ ଚାଲି ପାରୁଥିବା କୌଣସି ବୁଢ଼ାର ହାତରୁ ଯଦି ତା’ ବାଡ଼ିଟିକୁ ନେଇ ନିଆଯାଏ, ତେବେ ସିଏ ଯେପରି ଆତଙ୍କିତ ହୋଇଉଠେ ଏବଂ ଅସହାୟ ଅନୁଭବ କରେ, ବହିଟିଏ ନଥିଲେ ଅଧିକାଂଶ ଶିକ୍ଷକ ସେହିପରି ଆତଙ୍କିତ ହୋଇଉଠନ୍ତି ଓ ଅତ୍ୟନ୍ତ ଅସହାୟ ଅନୁଭବ କରନ୍ତି । ଆମେ ପିଲାମାନଙ୍କୁ ସାମାଜିକ ପାଠ ପଢ଼ାଉ, ପରିବାର ବିଷୟରେ ପଢ଼ାଉ, ଗାଆଁ ବିଷୟରେ, ଓଡ଼ିଶା ବିଷୟରେ ଓ ଭାରତବର୍ଷ ବିଷୟରେ ପଢ଼ାଉ । ଏଗୁଡ଼ାକ ସିଲାବସ୍ ଭିତରେ ଥାଏ । ସିଲାବସ୍ ଅନୁସାରେ ଗୁଣୀ ଲୋକମାନେ ବହିସବୁ ଲେଖିଥାନ୍ତି । ଆଗାମୀ ବର୍ଷକୁ ସାମାଜିକ ପାଠ ବିଷୟରେ ଶ୍ରେଣୀରେ ଅମୁକ ବହି ଚଳିବ ନାହିଁ ବୋଲି ଆଗରୁ ଘୋଷଣା କରି ଦିଆଯାଇଥାଏ । ଇସ୍କୁଲ ଖୋଲିବା ବେଳକୁ ପିଲାମାନେ ବହି କିଣି ସାରିଥାନ୍ତି । ପାଠ ପଢ଼ା ହେବା ସମୟରେ ପିଲାଙ୍କ ହାତରେ ବହିଥାଏ, ମାଷ୍ଟ୍ରଙ୍କ ହାତରେ ବହିଥାଏ । ତେଣୁ ସାଧନା ସହଜ ହୋଇଯାଏ । ବହି ନଥିଲେ, ଅଫିମ ଖାଉଥିବା ମଣିଷ ଅଫିମ ନପାଇଲେ ସନ୍ନିପାତ ହୋଇଗଲା ପରି ମାଷ୍ଟ୍ରମାନେ ମଧ୍ୟ ସନ୍ନିପାତ ହୋଇଗଲା ପରି ଅନୁଭବ କରନ୍ତି । ମାଷ୍ଟ୍ରେ ବହିରୁ ପଢ଼ନ୍ତି, ପିଲାମାନେ ବହି ଫିଟାଇ କାନରେ ଯାହା ଶୁଣୁଥାନ୍ତି, ଆଖିରେ ମଧ୍ୟ ତାହାକୁ ଦେଖିପାରନ୍ତି । ସାମାଜିକ ପାଠ ଦୋରସ୍ତ ହୋଇଯାଏ ।

 

ଏହିପରି ଭାବରେ ବହି ଆମ ଲାଗି ସତେଅବା ଏକ ପରିତ୍ରାଣକର୍ତ୍ତା ଭଳି କାର୍ଯ୍ୟ କରେ-। ବହିଟାଏ ଥିଲେ କେତେକେତେ ଧରା ପଡ଼ିଯିବାରୁ ରକ୍ଷା ପାଇଯାଉ; ପିଲାମାନଙ୍କ ପାଖରେ ଧରା ପଡ଼ିଯିବାଠାରୁ ଜଣେ ଶିକ୍ଷକ ଲାଗି ଆଉ ଅଧିକ ବଡ଼ ଦୁର୍ଭାଗ୍ୟ କ’ଣ ହୋଇପାରେ-? ପୁନଶ୍ଚ, ପୂର୍ଣ୍ଣାଙ୍ଗ ଶିକ୍ଷା—ଯେଉଁଟା ଭିତରେ ଆମ ଭିତରୁ ଅନେକେ ସତେଅବା ଘାଣ୍ଟି ହେଉଥିବା ପରି ଅନୁଭବ କରନ୍ତି—ସେଥିରେ ଖାଲି ପାଠ ପଢ଼ାଇ ଦେବା ବ୍ୟତୀତ ଆହୁରି କେତେପ୍ରକାର ଶିକ୍ଷା ଅନ୍ତର୍ଭୁକ୍ତ ହୋଇ ରହିଛି । ଆମ ବୁଝିବା ଅନୁସାରେ ଆମେ ପାଠ ପଢ଼ାଇ ଦେବାଟାକୁ ମାନସିକ ଶିକ୍ଷା ବୋଲି କହୁ । ଇସ୍କୁଲମାନଙ୍କରେ ଏହି ପାଠ ପଢ଼ାଇ ଦେବାଟା ତ ଆଗରୁ ଥିଲା-। ତେଣୁ ଆମ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ମଧ୍ୟ ମାନସିକ ଶିକ୍ଷାକୁ ଆମେ ସାଧାରଣତଃ ଭାରି ସହଜ ବୋଲି ଧରି ନେଇଥାଉ । ଆମେ କହୁ, ପ୍ରଚଳିତ ଶିକ୍ଷାରେ କେବଳ ମାନସିକ ଶିକ୍ଷା ଥିଲା । ବହିରୁ ପଢ଼ାଇ ଦେବା, ବହିରୁ ପରୀକ୍ଷା ନେବା—ଏତିକିରେ ହିଁ ଆମ ତଥାକଥିତ ମାନସିକ ଶିକ୍ଷାର କାର୍ଯ୍ୟକ୍ରମରେ ମୁଣ୍ଡି ମରିଯାଏ । ମାନସିକ ଶିକ୍ଷା ବ୍ୟତୀତ ପୂର୍ଣ୍ଣାଙ୍ଗ ଶିକ୍ଷାର ସମଗ୍ରଟି ଭିତରେ ଶାରୀରିକ ଶିକ୍ଷା ଥାଏ, ପ୍ରାଣିକ ଶିକ୍ଷା ଥାଏ, ତା’ ସାଙ୍ଗକୁ ଆଧ୍ୟାତ୍ମିକ ଶିକ୍ଷା ମଧ୍ୟ ରହିଥାଏ-। ଶାରୀରିକ ଶିକ୍ଷାର ଗରଜଟାକୁ ତୁଲାଇବା ଲାଗି ଆମ ବିଦ୍ୟାଳୟମାନଙ୍କରେ ସ୍ଵତନ୍ତ୍ର ଖେଳଶିକ୍ଷକମାନେ ରହନ୍ତି-। ସରକାରଙ୍କର ସିରସ୍ତାରେ ଠିକ୍‍ ଏହି ବ୍ୟବସ୍ତାଟି ରହିଛି-। ଆମେ ବି ତାହାର ଅନୁସରଣ କରି ସେତିକିରେ କାମ ସାରି ଦେଉ । ଛବି, ନାଚ, ଗୀତ ଓ ନାଟକରେ ପ୍ରାଣିକ ଶିକ୍ଷାରେ ସମୀକରଣ ହୋଇଯାଏ । ମାତ୍ର ଆଧ୍ୟାତ୍ମିକ ଶିକ୍ଷାଟା ହିଁ ଆମକୁ ଯାହା ଜଞ୍ଜାଳରେ ପକାଏ-

 

ଆମ ଭିତରୁ ଯେଉଁମାନେ ଆଖିଦୃଶିଆ ଭାବରେ ଅଧିକ ଧର୍ମାନୁରକ୍ତ ହୋଇ ରହିଥାନ୍ତି, ସେମାନେ ଆଧ୍ୟାତ୍ମିକତା କହିଲେ କେତେଟା ବିଶେଷ ରୁଟିନ୍‌କୁ ବୁଝନ୍ତି । ସେହି ରୁଟିନ୍ ଭିତରେ ଧ୍ୟାନ ଥାଏ, ପ୍ରାଣାୟାମ ଥାଏ,—ଏବଂ ଆମେ ସେହି ରୁଟିନ୍‌କୁ ପୂର୍ଣ୍ଣାଙ୍ଗ ବିଦ୍ୟାଳୟରେ ଆମ ପିଲାମାନଙ୍କ ଲାଗି ମଧ୍ୟ ଲାଗୁ କରି ରଖିଥାଉ । ପୁନଶ୍ଚ, ଆମ ଭିତରେ ଯେଉଁମାନେ ଅଧିକ ବୁଦ୍ଧିଆ ଥାଆନ୍ତି, ଅର୍ଥାତ୍ ବୁଦ୍ଧିଦ୍ୱାରା ଯାବତୀୟ ସମସ୍ୟାର ଏକ ସମାଧାନ କରିବାକୁ ମନ କରିଥାନ୍ତି, ସେମାନେ କହନ୍ତି, ଆମ ସ୍କୁଲର ସାପ୍ତାହିକ ପାଠ୍ୟନିର୍ଘଣ୍ଟରେ ଆଧ୍ୟାତ୍ମିକ ଶିକ୍ଷା ନିମନ୍ତେ କେତୋଟି ସ୍ଵତନ୍ତ୍ର ପିରିଅଡ଼୍ ରହୁ । ସପ୍ତାହରେ ଗୋଟିଏ ବା ଦୁଇଟି ପିରିଅଡ଼୍ ରହିଲେ ଆଧ୍ୟାତ୍ମିକ ଶିକ୍ଷା ଲାଗି ତାହା ଅବଶ୍ୟ ଯଥେଷ୍ଟ ହେବ ବୋଲି ସେମାନେ ଧରି ନେଇଥା’ନ୍ତି । ସେହି ପିରିଅଡ଼୍‌ରେ ଅପା ବା ଭାଇ ଆସି ପିଲାମାନଙ୍କୁ କେତୋଟି ସ୍ଵତନ୍ତ୍ର ବହି ପଢ଼ାଇବେ । କେଉଁ ଶ୍ରେଣୀରେ କେଉଁ ବହିସବୁ ପଢ଼ାଯିବ, ସେକଥା ବର୍ଷ ଆରମ୍ଭରୁ ସ୍ଥିରକରି ଦିଆଯାଇପାରିବ । ଯେମିତି ଅଙ୍କ ପଢ଼ାଯାଉଛି, ସାହିତ୍ୟ ବା ଭୂଗୋଳ ପଢ଼ାଯାଉଛି ଓ ବିଭିନ୍ନ ବିଷୟଗୁଡ଼ିକର ତୁଳନାତ୍ମକ ଗୁରୁତ୍ଵ ଅନୁସାରେ ସେଗୁଡ଼ିକ ସକାଶେ ପିରିଅଡ଼୍-ସଂଖ୍ୟା ନିର୍ଦ୍ଧାରିତ କରି ଦିଆଯାଇଛି, ସେହିପରି ଆଧ୍ୟାତ୍ମିକ ଶିକ୍ଷା ଲାଗି ବି ବ୍ୟବସ୍ଥା ହୋଇ ରହିବ । ଏପରି ଗୋଟାଏ କିଛି ବ୍ୟବସ୍ଥା କରି ନରଖିଲେ, ସରକାର ଆମକୁ ଯେତେବେଳେ ଆଧ୍ୟାତ୍ମିକ ଶିକ୍ଷାର ହିସାବ ମାଗିବେ, ଆମେ ସେତେବେଳେ ସେମାନଙ୍କର ବୁଝିବା ଭଳି କ’ଣ ଉତ୍ତର ଦେଇ ପାରିବା ଓ ଆମ ସ୍କୁଲଟି ଯେ ଯଥାର୍ଥ ଭାବରେ ଚାଲୁଛି, ସେହି ବିଷୟରେ କିପରି ତାଙ୍କର ହୃଦବୋଧ କରାଇ ପାରିବା ? ତେଣୁ ସିଲାବସ୍ ରହିବ, ସିଲାବସ୍ ଅନୁସାରେ ପ୍ରକୃତରେ ସବୁକିଛି ପଢ଼ା ହେଉଛି ବୋଲି ଆମକୁ ଓ ଆମର ପ୍ରତିପାଳକମାନଙ୍କୁ ପ୍ରତ୍ୟୟ ହେବା ଲାଗି ବହିମାନ ମଧ୍ୟ ରହିବ । ଇତିହାସ ପାଇଁ ଯେପରି ବହି ଅଛି, ବିଜ୍ଞାନ ଓ ଇଂରାଜୀ ପାଇଁ ଯେପରି ବହି ଅଛି, ଆଧ୍ୟାତ୍ମିକ ଶିକ୍ଷା ପାଇଁ ମଧ୍ୟ ସେହିପରି ବହି ରହିବ । ପୂର୍ଣ୍ଣାଙ୍ଗ ଶିକ୍ଷା ତ ଆଉ ସଂସାର ବାହାର ହୋଇ ରହିବ ନାହିଁ, ତେଣୁ ଟାକୁ ଅଲବତ ସଂସାରର ବୋଲ ମାନି ଚାଲିବାକୁ ପଡ଼ିବ ।

 

ମାତ୍ର, ମାଆଙ୍କର ଯେଉଁ ଉଦ୍ଧୃତିଟି ଏହି ଲେଖାଟିର ଆରମ୍ଭରେ ରହିଛି, ସେଇଟି ଅନୁସାରେ, ବର୍ତ୍ତମାନ ଆମେ ବିଜ୍ଞାନ ବା ଇତିହାସକୁ ଗୋଟିଏ ଗୋଟିଏ ଅଲଗା ବିଷୟରୂପେ ପଢ଼ାଉଛୁ ଓ ସେହିପରି ଆଧ୍ୟାତ୍ମିକତାକୁ ମଧ୍ୟ ଏକ ଅଲଗା ବିଷୟରୂପେ ପିଲାଙ୍କୁ ପରଷିଦେଇ ହେବ ବୋଲି କଳ୍ପନା କରୁଛୁ । ଏହି ପ୍ରବୃତ୍ତିଟିକୁ ମାଆ ଅସଲ ଶିକ୍ଷାର ଦୃଷ୍ଟିରୁ ନିର୍ବୋଧତା ବୋଲି କହିଛନ୍ତି । ଆମେ ବିଜ୍ଞାନ, ଅଙ୍କ, ସାହିତ୍ୟ ବା ଇତିହାସ ଯାହା ପଢ଼ାଉଥିଲେ ମଧ୍ୟ ସେଥିରେ ଆଧ୍ୟାତ୍ମିକତା ହିଁ ମୂଳ ଭୂମି ହୋଇ ରହିଥିବ, ତେବେ ଯାଇ ହେବ । ଶାସ୍ତ୍ରରେ ଯେମିତି ଅନ୍ନ, ପ୍ରାଣ ଓ ମନକୁ ଆନନ୍ଦର ଗୋଟିଏ ଗୋଟିଏ ଭୂମିରୂପେ ଘୋଷଣା କରାଯାଇଛି, ଏହି କଥାଟି ପ୍ରାୟ ସେହିପରି । ଆନନ୍ଦ ଅନ୍ନକୁ ଛାଡ଼ିକରି ରହି ନାହିଁ; ଅନ୍ନ, ପ୍ରାଣ, ମନ,—ଏଗୁଡ଼ିକ ଆନନ୍ଦ ଆଡ଼କୁ ଗୋଟିଏ ଗୋଟିଏ ପାହାଚ ପରି ହୋଇ ରହିଛନ୍ତି, ତେଣୁ ଜୀବନୋତ୍ତରଣର ସମଗ୍ର ଯୋଜନାଟି ମଧ୍ୟରେ ଅନ୍ତର୍ଗତ ହୋଇ ରହିଛନ୍ତି । ପୂର୍ଣ୍ଣାଙ୍ଗ ଶିକ୍ଷାର ସମଗ୍ର ଯୋଜନାଟି ମଧ୍ୟରେ ସେହିପରି ଆଧ୍ୟାତ୍ମିକ ଶିକ୍ଷା ତଥାକଥିତ ଅନ୍ୟ ଯେକୌଣସି ଶିକ୍ଷାର ମୂଳଭୂତ ଜୀବନିକା ହୋଇ ରହିବ । ପାରମ୍ପରିକ ଧାରାର ସାଧୁ ବା ସଂସାରତ୍ୟାଗୀମାନେ ସତେଅବା ପ୍ରୟୋଜନରେ ପଡ଼ି ଆଧ୍ୟାତ୍ମିକ ଜୀବନ ଓ ସାଧାରଣ ଜୀବନର ଅଲଗା ଅଲଗା କଳ୍ପନା କରିବାକୁ ମନ କରୁଥିଲେ । ଆମେ ମଧ୍ୟ ସେହି ପୁରୁଣା ଗଡ଼ିଆଗୁଡ଼ାକ ମଧ୍ୟରେ ପହଁରିବାକୁ ଆଗ୍ରହ ରଖିଥିବା ଯାଏ ଏଇଟାକୁ ସେଇଟାଠାରୁ ଅଲଗା କରି ଦେଖୁଥିବା; ଗୋଡ଼ ଧୋଇ ଲୁଗା ବଦଳି ଦେଉଳ ଭିତରକୁ ଆସୁଥିବା ଓ ସେଠୁ କାମ ସାରି ପୁନର୍ବାର ତଥାକଥିତ ସାଧାରଣ ସଂସାରର ଅନୁରୋଧଗୁଡ଼ିକୁ ତୁଲାଇବା ପାଇଁ ଘୁଅବଣ ଭିତରେ ଯାଇ ବୁଲୁଥିବା । ଆମର ଖଣ୍ଡିଆ ଦୃଷ୍ଟି ଅନୁସାରେ ଶିକ୍ଷା ମଧ୍ୟ ଖଣ୍ଡିଆ ଓ ଭାଗ ଭାଗ ହୋଇ ରହିଥିବ । ମାଆଙ୍କ ଭାଷାରେ କହିଲେ, ନିର୍ବୋଧତା ଲାଗି ରହିଥିବ ।

 

ସେହି ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରି ମାଆ ପୁଣି କହିଛନ୍ତି (ତତ୍ରୈବ, ପୃଷ୍ଠା-୪୦୪) : For the children, precisely because they are children, it would be best instill in them the will to conquer the future, the will to look ahead and to move on as swiftly as they can towards….. what will be.—ପିଲାମାନେ ଭବିଷ୍ୟତ ଉପରେ ବିଜୟ ହାସଲ କରିବା ଲାଗି ଆବଶ୍ୟକ ଇଚ୍ଛାଶକ୍ତି ଦ୍ଵାରା ଜୀବନ୍ତ ଭାବରେ ପରିପ୍ରେରିତ ହୋଇ ରହିବେ, ଏକ ସ୍ଵତଃପ୍ରେରିତ ଅନ୍ତର୍ଗତ ଇଚ୍ଛା ଦ୍ଵାରା ସେମାନେ ଆଗକୁ ଆଗକୁ ଅନାଇ ପାରୁଥିବେ ଏବଂ ଭବିଷ୍ୟତ ନିମନ୍ତେ ଯାହା ଅଭିପ୍ରେତ ହୋଇ ରହଚି, ଯଥାଶକ୍ତି ଅଧିକ ବେଗରେ ସେମାନେ ସେହି ଆଡ଼କୁ ଅଗ୍ରସର ହୋଇ ପାରୁଥିବେ । ସ୍ଵତନ୍ତ୍ର ବହିମାନ ପଢ଼ାଇ ଆମେ ଆମର ବିଦ୍ୟାଳୟମାନଙ୍କରେ ପିଲାମାନଙ୍କୁ ଏହି ଦିଗରେ କଦାପି ଉଦ୍‌ବୁଦ୍ଧ କରାଇ ପାରିବା ନାହିଁ । ସପ୍ତାହରେ ଅଧିକାଂଶ ସମୟରେ ସେମାନେ ପୁରୁଣା ପ୍ରତ୍ୟାଶା ଓ ଫଳାକାଙକ୍ଷାଗୁଡ଼ାକ ପାଖରେ ବହଳ ହୋଇ ରହିଥିବେ ଏବଂ ସପ୍ତାହରେ ଦୁଇ ବା ତିନି ପିରିଅଡ଼୍ ଆମେ ପଢ଼ାଉଥିବା ବହିରୁ କିମ୍ବା ଆମ ମୁହଁରୁ ତଥାକଥିତ ଆଧ୍ୟାତ୍ମିକ କଥା ବା କାହାଣୀମାନ ଶୁଣି ବୀରଯୋଦ୍ଧା ପରି ଆଗକୁ ବାହାରି ପଡ଼ୁଥିବେ, ସେକଥା କେବେହେଲେ ହୋଇ ପାରିବ ନାହିଁ । ତେଣୁ ଆଧ୍ୟାତ୍ମିକତା ଆମର ସମଗ୍ର ପରିବେଶରେ ରହିବ, ସମଗ୍ର ସମ୍ବନ୍ଧଗୁଡ଼ିକରେ ରହିବ, ସମ୍ଭବତଃ ତେବେଯାଇ ହେବ । ଆମ ପିଲାମାନେ କ୍ଲାସରେ ଥାଆନ୍ତୁ ଅଥବା ଖେଳପଡ଼ିଆରେ ଥାଆନ୍ତୁ, ଗୀତ ଗାଉଥାନ୍ତୁ ଅଥବା କୌଣସି ହସ୍ତକର୍ମ କରୁଥାନ୍ତୁ ପଛକେ, ଆମର ସମସ୍ତ ପ୍ରେରଣା ଆଧ୍ୟାତ୍ମିକ ହୋଇଥିବ,—ପିଲାଟି ଭିତରେ ରହିଥିବା ସର୍ବଶ୍ରେଷ୍ଠ ଶକ୍ତିମତ୍ତା ଏବଂ ସର୍ବଶ୍ରେଷ୍ଠ ସମ୍ମତିଗୁଡ଼ିକୁ ତାହା ଉଦବୋଧିତ କରିଆଣି ପାରୁଥିବ, ତେବେଯାଇ ହେବ । ସେହି ଉଦବୋଧିତ କରି ଆଣିବାକୁ ହିଁ ଆମେ ଆଧ୍ୟାତ୍ମିକ ଶିକ୍ଷାର ସର୍ବମୂଳ ସୂତ୍ର ସର୍ବୋତ୍ତମ ଅନୁଜ୍ଞା ବୋଲି ମାନିବା ।

 

ତଥାପି, ଏହା ପଛରେ ଦୁଇଟି ଅସଲ କଥା ରହିଚି, ଯାହା ବ୍ୟତୀତ କି ବିଦ୍ୟାଳୟରେ ଏକ ଆଧ୍ୟାତ୍ମିକ ପରିବେଶକୁ ସୃଷ୍ଟି କରି ରଖିବା ମୋଟେ ସମ୍ଭବ ହେବ ନାହିଁ । ପ୍ରଥମ କଥାଟି ହେଉଛି ଯେ, ଆମ ପିଲାମାନଙ୍କୁ ଆମେ ସେମାନଙ୍କ ମଧ୍ୟରେ ସଂଗୁପ୍ତ ଅଥଚ ପ୍ରତିଭାତ ହୋଇ ରହିଥିବା ଦିବ୍ୟ ସମ୍ପଦ ଏବଂ ସମ୍ଭାବନାଗୁଡ଼ିକର ଆୟତନଟି ଭିତରେ ଦେଖିବାକୁ ସମର୍ଥ ହେବା । ସେମାନଙ୍କୁ ଗୋଡ଼ିମାଟି ପରି କଦାପି ଦେଖିବା ନାହିଁ । ବୟସ୍କତାର ଯାବତୀୟ ଅହଂକାରକୁ ଜୟ କରି ଓ ନିଜ ଭିତରେ ଗଭୀରରେ ରହିଥିବା ଆମର ପରମ ବନ୍ଧୁ ସ୍ଵରୂପ ସେହି ଶାଶ୍ଵତ ଅଥଚ ସତତ—ଉନ୍ମୋଚନଶୀଳ ପିଲାଟିକୁ ଅନୁଭବ କରିପାରିଲେ ଯାଇ ଆମେ ସେକଥା କରିପାରିବା । ଭାରତବର୍ଷରେ କାଳ କାଳ ଧରି ଆମର ସାମାଜିକ ସମ୍ବନ୍ଧ ଓ ବ୍ୟବସ୍ଥାଗୁଡ଼ିକର କ୍ଷେତ୍ରରେ ପଙ୍କରୁ ସମ୍ଭବ ହେଉଥିବା ପଦ୍ମଟି ଅପେକ୍ଷା ପଙ୍କ ଉପରେ ଏବଂ ପୁରୁଷାର୍ଥ ଅପେକ୍ଷା କର୍ମ ଉପରେ ହିଁ ଅଧିକ ଜୋର ଦିଆଯାଇ ଆସିଥିବାରୁ କାଳକ୍ରମେ ଆଉକାହାକୁ ଛୋଟ ଓ ହୀନ ବୋଲି ଦେଖିବା ଦ୍ଵାରା ହିଁ ନିଜକୁ ଉଚ୍ଚ ଓ ଗୁଣସମ୍ପନ୍ନ ବୋଲି ବୋଧ କରିବାର ଅପସଂସ୍କାରଟି ଆମ ଭିତରେ ପ୍ରାୟ ରକ୍ତଗତ ହୋଇ ରହିଆସିଛି । ଆମକୁ ଅତ୍ୟନ୍ତ ସଚେତନ ଭାବରେ ସେହି ପ୍ରାରବ୍‌ଧର ଗାରଟିକୁ ଅତିକ୍ରମ କରି ବାହାରି ଆସିବାକୁ ପଡ଼ିବ । ତେବେଯାଇ ହେବ । ତେବେଯାଇ ଆମେ ଆମ ପିଲାମାନଙ୍କ ଭିତରେ ବିଶ୍ଵାସ ଓ ଭବିଷ୍ୟର ଉଦବୋଧନ ଦେଇପାରିବା, ସେମାନଙ୍କର ଉନ୍ମୋଚନ-ପ୍ରକ୍ରିୟାରେ ଯଥାର୍ଥ ସଖ୍ୟ ଦେଇପାରିବା ।

 

ଦ୍ଵିତୀୟ କଥା ହେଉଛି, ଆମେ ନିଜେ ନିଜ ଜୀବନର ନାନା ଆତଯାତ ମଧ୍ୟରେ ଖଣ୍ଡିଆ ହୋଇ ରହିଥିବା ପର୍ଯ୍ୟନ୍ତ କିପରି ପିଲାମାନଙ୍କ ଲାଗି ପୂର୍ଣ୍ଣତାର ଉଦବୋଧକ ହୋଇ ପାରିବା ? ଆପଣାର ନାନା କ୍ଷତି ଓ ତଜ୍ଜନିତ ଗ୍ଳାନିଗୁଡ଼ାକୁ ବୋଝ କରି ବୋହି ସେହି କଷଣ ଏବଂ ପରାଜୟଗୁଡ଼ାକୁ ଲୁଚାଇ ରଖିବା ନିମନ୍ତେ ବାହାରେ ପ୍ରଚଣ୍ଡ ଓ ପ୍ରଦର୍ଶନପ୍ରିୟ ହୋଇ ରହିଥିବା ପର୍ଯ୍ୟନ୍ତ ଆମେ କିପରି କାହାକୁ ଜାଗୃତିର ପ୍ରେରଣା ଦେଇ ପାରିବା ? ତେଣୁ ଆଧ୍ୟାତ୍ମିକ ଶିକ୍ଷା କେବଳ ଆମ ପିଲାମାନଙ୍କ ନିମନ୍ତେ ଉଦ୍ଦିଷ୍ଟ କୌଣସି ଶିକ୍ଷା ନୁହେଁ, ଏହା ଆମ ଲାଗି ମଧ୍ୟ ଉଦ୍ଦିଷ୍ଟ । ଆମ ଲାଗି ଏକ ଆହ୍ଵାନ ଓ ଆମ ଲାଗି ଏକ ପରୀକ୍ଷା । ଏହି ପରୀକ୍ଷାରେ ଗାରଗାର ହୋଇ ଉତ୍ତୀର୍ଣ୍ଣ ହେବାର ଶ୍ରଦ୍ଧା ଓ ପ୍ରଚେଷ୍ଟାଟି ଆମ ଭିତରେ ବଳବତ୍ତର ରହିଥିଲେ ଯାଇ ଆମେ ଆମ ପିଲାଙ୍କର ଯାବତୀୟ ଉତ୍ତୀର୍ଣ୍ଣ ହେବାରେ ମଧ୍ୟ କୌଣସି ଯଥାର୍ଥ ସହାୟତା କରିପାରିବା । ନିଜେ ଫୁଲଟିଏ ହୋଇଥିଲେ ଯାଇ ଆଉ କାହାକୁ ଫୁଟି ଉଠିବାର ପ୍ରତ୍ୟୟ ଦେଇପାରିବା । ସେତେବେଳେ ଯାଇ ଆମ ବିଦ୍ୟାଳୟ ଭଗବାନଙ୍କ ଆଖିକୁ ସତକୁସତ ଏକ ଫୁଲବଗିଚା ପରି ଦେଖାଯିବ ।

ଏପ୍ରିଲ-ମେ, ୧୯୮୭

Image

 

ଶିକ୍ଷା ଅଶିକ୍ଷାର ବିଡ଼ମ୍ବନା

 

ଆମରି ଓଡ଼ିଶାର ଗୋଟିଏ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ସହିତ ଅନ୍ତରଙ୍ଗ ଭାବରେ ସଂପୃକ୍ତ ଥିବା ଜଣେ ଭାଇଙ୍କଠାରୁ ପତ୍ର ଦ୍ଵାରା ଯାହା ଜାଣିବାକୁ ପାଇଲି, ଏଥର ତାହାରି ବିଷୟରେ ଲେଖିବି । ଶିକ୍ଷାକେନ୍ଦ୍ରରେ ଯେଉଁ ପିଲାମାନେ ପାଠ ପଢ଼ନ୍ତି, ସେମାନଙ୍କ ମଧ୍ୟରୁ କେତେକଙ୍କର ବାପା ଅଥବା ମାଆମାନେ ପିଲାଏ କେବଳ ଇସ୍କୁଲରେ ପଢ଼ା ଯାଉଥିବା ପାଠରେ ସନ୍ତୁଷ୍ଟ ହୋଇ ପାରନ୍ତି ନାହିଁ । ସେମାନେ ସମ୍ଭବତଃ ମନେମନେ ଭାବନ୍ତି, ଏଗୁଡ଼ାକ ନୂଆ ଇସ୍କୁଲ, ଏବେ ତିଆରି ହୋଇଛି । ସେସବୁ ସ୍କୁଲରେ ନୂଆ ଢଙ୍ଗରେ ପାଠପଢ଼ା ହେଉଛି; ଯେଉଁମାନେ ଶିକ୍ଷକ ହିସାବରେ ଅଛନ୍ତି, ସେମାନେ ମୋଟେ ଶିକ୍ଷକ ଭଳି ଦେଖା ଯାଉ ନାହାନ୍ତି । ସେଠି ଶାସନ ନାହିଁ, ଆକଟ ନାହିଁ, ତୋଡ଼ ନାହିଁ କିମ୍ବା ତର୍ଜନୀ-ପ୍ରଦର୍ଶନ ମଧ୍ୟ ନାହିଁ । ଏବଂ ସଂସାରଟା ଯେମିତି ହେଲାଣି, ସେହି ଦୃଷ୍ଟିରୁ ପିଲାଏ ଆଉଟିକିଏ ଅଧିକ କଡ଼ା ହୋଇ ମୂଳରୁ ତିଆରି ନହେଲେ ବଡ଼ ହୋଇ ହୁଏତ ଆଦୌ କେଉଁଠି ହେଲେ ଖାପ ଖାଇ ପାରିବେ ନାହିଁ କିମ୍ବା ଆଦୌ କୌଣସି ପ୍ରତିଯୋଗିତାରେ ଉତୁରି ପାରିବେ ନାହିଁ । ଏହିପରି ଭାବି ସନ୍ଦେହାତ୍ମାମାନେ ନିଜ ପିଲାଙ୍କ ଲାଗି ଘରେ ଘରୋଇଶିକ୍ଷକ ବି ନିଯୁକ୍ତ କରି ରଖିଥାନ୍ତି । ସେମାନେ ଦୁଇଆଡ଼େ ଗୋଡ଼ ରଖିଥାନ୍ତି । ପିଲାମାନଙ୍କୁ ଏଇ ନୂଆ ଇସ୍କୁଲଗୁଡ଼ିକ ଭଲ ଲାଗୁଛି, ସେଠାରେ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଭଲ ମଣିଷଙ୍କ ପରି ଦେଖା ଯାଉଛନ୍ତି । ପିଲାମାନେ ସେଠାକୁ ଅବଶ୍ୟ ଯାଆନ୍ତୁ । କିନ୍ତୁ ଘରେ ସେମାନଙ୍କ ପାଇଁ ଘରୋଇ ଶିକ୍ଷକ ରହନ୍ତୁ । ସେମାନେ ଆକଟ କରି ପାଠ ପଢ଼ାଇ ପାରିବେ, ଆକଟ କରି ପାଠ ପଢ଼ିଲେ ଯାଇ ପିଲାମାନେ ସଂସାର ପାଇଁ ମଜବୁତ ହୋଇପାରିବେ, ଇତ୍ୟାଦି ଇତ୍ୟାଦି ।

 

ଆମ ଭାଇଙ୍କର ପତ୍ରରେ ଏହିପରି ଜଣେ ଘରୋଇ ଶିକ୍ଷକ ଓ ତାଙ୍କ ପାଖରେ ଘରେ ପାଠ ପଢ଼ୁଥିବା ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଗୋଟିଏ ପିଲା ବିଷୟରେ ଉଲ୍ଲେଖ କରାଯାଇଛି । ଟିଉସନ୍ ସାର୍ ଥରେ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରକୁ ଆସି ଅଭିଯୋଗ କରି କହିଲେ ଯେ ଏହି ସ୍କୁଲର ପିଲାମାନେ ଘରେ ଟିଉସନ୍ ହେଲାବେଳେ ମୋଟେ ସେମାନଙ୍କର କଥା ମାନୁ ନାହାନ୍ତି । ପିଲାମାନଙ୍କର କ’ଣ କେଉଁଠି ଭୁଲ୍ ରହିଲା ବୋଲି ପ୍ରଶ୍ନ କରିବାରୁ ଟିଉସନ୍ ସାର୍ କହିଲେ ଯେ, ଥରେ ସିଏ ଟିଉସନ୍ କରୁଥିବା ପିଲାକୁ ସ୍କୁଲର ପ୍ରଧାନ ଶିକ୍ଷକଙ୍କ ପାଖକୁ କେମିତି ଦରଖାସ୍ତ ଲେଖାଯାଏ, ସେହି କଥା ଶିଖାଇ ଦେଉଥିଲେ । ସଚରାଚର ଦରଖାସ୍ତ-ବିଜ୍ଞାନରେ ଯାହା କୁହାଯାଇଛି, ସେହି ଅନୁସାରେ ‘ମାନନୀୟ ପ୍ରଧାନ-ଶିକ୍ଷକ ମହୋଦୟ’ ବୋଲି ସମ୍ବୋଧନ କରି ଲେଖାଯିବା କଥା । ପିଲାଟି ଆପତ୍ତି କରି କହିଲା, ଆମ ସ୍କୁଲରେ ଶିକ୍ଷକ ଫିକ୍ଷକ କେହି ନାହାନ୍ତି, କେବଳ ଅପା ଭାଇମାନେ ଅଛନ୍ତି । ଆମକୁ ଯେଉଁମାନେ ପାଠପଢ଼ାନ୍ତି, ସେମାନଙ୍କୁ ଆମେ ଅପା ଓ ଭାଇ ବୋଲି ଡାକୁ । ଆମର ପ୍ରକୃତ ପ୍ରଧାନ ଶିକ୍ଷକ ହେଉଛନ୍ତି ଶ୍ରୀଅରବିନ୍ଦ । ହଁ, ଆପଣ ପ୍ରଧାନଶିକ୍ଷକ ବୋଲି ଯାହାଙ୍କୁ ଭାବୁଛନ୍ତି, ଆମେ ତାଙ୍କୁ ଆମର ବଡ଼ ଭାଇ ବୋଲି କହୁ । ତେଣୁ ଦରଖାସ୍ତରେ ସମ୍ବୋଧନ କରି ମୁଁ ବଡ଼ଭାଇ ବୋଲି ଲେଖୁଛି ।

 

ବକଟେ ବୋଲି ପିଲା, ମାତ୍ର ତୃତୀୟ ଶ୍ରେଣୀରେ ପଢ଼ୁଛି, ଟିଉସନ୍ ସାର୍ ରାଗିଗଲେ । ଆଗ ରାଗିଲେ, ତା’ପରେ ବୁଝାଇ କରି ବି କହିଲେ । ଯେତେ ମାଠିଲେ, ତଥାପି ହେଲା ନାହିଁ । ପିଲାଟି ଦରଖାସ୍ତରେ ପ୍ରଧାନଶିକ୍ଷକ ସ୍ଥାନରେ ବଡ଼ଭାଇ ବୋଲି ଲେଖିଲା । ଟିଉସନ୍ ସାର୍ ପରାସ୍ତ ହେଲେ । ଆଉ ଦିନକର କଥା । ସାର୍ ‘ତୁମ ଇସ୍କୁଲ ବଗିଚା’ ବିଷୟରେ ରଚନା ଲେଖିବାକୁ ଦେଲେ । ପିଲା ଶିକ୍ଷାକେନ୍ଦ୍ରର ବଗିଚାଟିକୁ ଯେଉଁପରି ଭାବରେ ଦେଖିଥିଲା, ରଚନାରେ ଠିକ୍ ସେହିପରି ଭାବରେ ଲେଖିଲା । ସିଏ ଲେଖିଥିଲା “ଆରବର୍ଷ ଆମ ସ୍କୁଲ ବଗିଚାରେ କେତେ ରକମର ସୁନ୍ଦର ଫୁଲମାନ ଫୁଟୁଥିଲା । ଏବେ ବଗିଚା ନାରଖାର ହୋଇ ପଡ଼ିଛି । ଫୁଲ ଫୁଲ କିଛି ନାହିଁ । ବାଡ଼ ଭାଙ୍ଗିଗଲାଣି ଯେ ଗାଈ ପଶି ଯାଉଛନ୍ତି । ହାତରେ ବାଡ଼ି ଧରି ଗାଈମାନଙ୍କୁ ବିଦା କରିବାରେ ମାଳିର ବେଳ ଯାଉଛି ।” ଶିକ୍ଷକ ଆକଟ କରି କହିଲେ, ଏମିତି ମୋଟେ ଲେଖନ୍ତି ନାହିଁ-। ଏମିତି ଲେଖିଲେ ତୁମକୁ କୌଣସି ପରୀକ୍ଷକ ନମ୍ବର ଦେବେ ନାହିଁ । ବଗିଚା ନଥିଲେ ମଧ୍ୟ ଆମ ସ୍କୁଲରେ ସୁନ୍ଦର ବଗିଚାଟିଏ ରହିଛି, ସେଥିରେ କେତେ କିସମର ଫୁଲ ଫୁଟିଛି, ଫୁଲମାନଙ୍କରେ ସୂର୍ଯ୍ୟକିରଣ ପଡ଼ି ଚକଚକ ଦେଖାଯାଉଛି ଓ ତାକୁ ଦେଖି ଆମର ମନ ଖୁସୀ ହୋଇଯାଉଛି ବୋଲି ତୁମକୁ ଲେଖିବାକୁ ହେବ । ତେବେ ଯାଇ ରଚନା ପରି ରଚନାଟିଏ ହେବ । ପିଲା ବି ଦବିବାର ନୁହେଁ । ସିଏ ଅତ୍ୟନ୍ତ ସ୍ଵାଭାବିକ ଭାବରେ ଉତ୍ତର ଦେଲା, ନାଇଁ ନାଇଁ ଆମ ଭାଇ ମନା କରିଛନ୍ତି ମିଛ ଲେଖିବା ପାଇଁ । ବଗିଚାରେ ଯେତେବେଳେ ଫୁଲ ଫୁଲ କିଛି ନାହିଁ, ବାଡ଼ ଭଙ୍ଗା ହୋଇ ପଡ଼ିଛି, ସେତେବେଳେ ମୁଁ ଏସବୁ କଥା କାହିଁକି ଲେଖିବି ? ଟିଉସନ୍ ସାରଙ୍କର ଅଭିଯୋଗଟି ଶୁଣି ଆମ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଭାଇ ଜଣକ କହିଲେ, “ପିଲା ଆଉ ଭୁଲ୍ କ’ଣ କହିଲା ? ସିଏ ତାଙ୍କ ସ୍କୁଲ ବଗିଚାକୁ ପ୍ରକୃତରେ ଯେଉଁଭଳି ଦେଖିଥିଲା, ଠିକ୍ ସେହିପରି ହିଁ କହିଛି-।” ଟିଉସନ୍ ସାର୍ ଆଉ ନରାଗି ରହି ପାରିଲେ ନାହିଁ । କହିଲେ, “ତୁମ ଶ୍ରୀଅରବିନ୍ଦ କ’ଣ କହିଛନ୍ତି ସ୍କୁଲରେ ଶିକ୍ଷକମାନଙ୍କୁ ଅପା ଓ ଭାଇ ଡାକିବା ପାଇଁ ? ଆପଣଙ୍କ ସ୍କୁଲରେ ଯେଉଁ ଝିଅ-ପିଅନ କାମ କରୁଛି, ପିଲାମାନେ ତାକୁ ପୁଣି ନାନୀ ବୋଲି ସମ୍ବୋଧନ କରୁଛନ୍ତି । ନାନୀ ବଗିଚାର ଯତ୍ନ ନିଏ ବୋଲି ଖାତାରେ ଲେଖିଲେ ପିଲାଙ୍କୁ କିଏ ନମ୍ବର ଦେବାକୁ ମନ କରିବ-?” ଆମ ଶିକ୍ଷାକେନ୍ଦ୍ରର ଭାଇ ଉତ୍ତର ଦେଲେ, “ପିଲା ପରୀକ୍ଷାରେ କେତେ ନମ୍ବର ପାଇବ, ତା’ ସାଙ୍ଗ ଅନ୍ୟ ପିଲାଙ୍କ ତୁଳନାରେ ଅଧିକ ନମ୍ବର ପାଇ ବାହାଦୁରି ନେବ, ସେଥିଲାଗି ଆମ ପିଲାମାନେ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରକୁ ଆସୁନାହାନ୍ତି; ସେମାନେ ଆସୁଛନ୍ତି, ମୁକ୍ତ ଓ ଭୟଶୂନ୍ୟ ଭାବରେ ନିଜର ଜୀବନକୁ ଗଢ଼ିବା ପାଇଁ, ଠିକ୍ ଫୁଲଟିଏ ପରି ଫୁଟି ଉଠିବା ପାଇଁ ।” କଥୋପକଥନ ସେଇଠି ସରିଲା, ମାତ୍ର ଅସଲ କଥାଟି ତୁଟି ପାରିଲା ନାହିଁ ।

 

ଅସଲ କଥାଟି ହୁଏତ ମୋଟେ ତୁଟି ପାରିବ ନାହିଁ । ପ୍ରାଞ୍ଜଳ ଭାବରେ ସବୁ ବୁଝାଇ କହିଦେଲେ ଯେ ଆଉ ଜଣେ ମଣିଷ ସବୁ ବୁଝିଯିବ, ସେକଥା ଆଦୌ ନୁହେଁ । ମଣିଷ ଇଚ୍ଛା କଲେ ଯାଇ ବୁଝିପାରିବ । ଆଲୋକକୁ ମନ କଲେ ଯାଇ ଆଲୋକ କ’ଣ ବୋଲି ବୁଝିପାରିବ । ଆମେ ସବୁ ଯେତେବେଳେ ଆଉ ଅଧିକ କିଛି କରିବାକୁ ସମର୍ଥ ନହେଉ, ସେତିକିବେଳେ ଆମେ ବୋଲ ବତାଉ, ଅନ୍ୟମାନଙ୍କୁ ବାଗକୁ ଆଣିବାକୁ ଚେଷ୍ଟା କରୁ । ବାଗ ବୋଲି ଆମେ ଯେତିକି ବୁଝିଥାଉ, ସବୁଯାକ ବାଗ କହିଲେ ଆମେ ସାଧାରଣତଃ କେବଳ ସେତିକିକୁ ହିଁ ବୁଝୁ । ଥୁଣ୍ଟାଗଛକୁ ଫୁଲ ଫୁଟାଇବାର ମର୍ମ ବିଷୟରେ କିପରି କଥା କହି ବୁଝାଇ ଦିଆ ଯାଇପାରିବ ? ଶିକ୍ଷାରେ ମଧ୍ୟ ଥୁଣ୍ଟାଗଛ ଅନେକ ଅଛନ୍ତି । ଶିକ୍ଷାନାମକ ପୁରୁଣା ଡାକବଙ୍ଗଳା ଗୁଡ଼ାକର ବାବୁମାନେ ଏବେ ମଧ୍ୟ ଭଙ୍ଗା କାନ୍ଥ ଓ ଫୁଟା କବାଟଗୁଡ଼ାକ ଭିତରେ ବସି କୋଟି କୋଟି ଟଙ୍କାର ହିସାବରେ ଦେଶକୁ ଏକବିଂଶ ଶତାବ୍ଦୀ ଓ ସମ୍ଭବ ହେଲେ ଏକାବେଳେକେ ତ୍ରୟୋବିଂଶ ଶତାବ୍ଦୀ ଭିତରକୁ ହୁଡ଼ାଇ ନେଇଯିବେ ବୋଲି ଘୋଷଣା କରିବାରେ ଲାଗିଛନ୍ତି । ଯୋଜନା ନାମରେ ଗଛରେ ଗଛେ ବଉଳ ଖଞ୍ଜି ଦିଆଯାଇଛି, ମାତ୍ର ଗଛର ମୂଳଟାରେ ଉଇ ଲାଗିଛନ୍ତି । ଏସବୁର ସମ୍ମୁଖୀନ ହେବାକୁ ହେବ । ଅର୍ଥାତ୍ ଏସବୁ ରହିଥିଲେ ମଧ୍ୟ ତଥାପି ଆଉ କିଛି କରିବାକୁ ପଡ଼ିବ । ସତକୁ ସତ ନୂଆ ଲାଗି ମନ କରି ଘରୁ ବାହାରିଥିଲେ ଯାଇ ଆମେ ଏସବୁ କରିପାରିବା । ନହେଲେ ପୁରୁଣା ପାଖରେ ହାରିଯିବା-। ଯହୁଁ ଯହୁଁ ହାରିଯାଉଥିବା, ତହୁଁ ତହୁଁ ଆମକୁ ଡାକବଙ୍ଗଳାମାନଙ୍କରୁ ଅଧିକ ପଇସା ଓ ଅଧିକ ସ୍ଵୀକୃତି ମିଳୁଥିବ, ଗଛମୂଳରୁ ମାଟିଘରକୁ ଓ ତା’ପରେ ମାଟିଘରୁ କୋଠାଘର ଭିତରକୁ ଆମର ଉନ୍ନତି ହେବାରେ ଲାଗିଥିବ,—ଆମେ ତଥାପି ନିଜ ଭିତରେ ରହିଥିବା ବିଧାତା ଓ ପରମବନ୍ଧୁଟି ପାଖରେ ହାରି ହାରି ଯାଉଥିବା ।

 

ଖାଲି ଓଡ଼ିଶାରେ ବା ଖାଲି ଭାରତବର୍ଷରେ ନୁହେଁ, ଭାରତବର୍ଷ ବାହାରେ ଆହୁରି କେତେ କେତେ ଦେଶରେ ମଧ୍ୟ ଶିକ୍ଷାରେ ନୂତନ ପ୍ରୟୋଗମାନ କରା ଯାଉଛି । ପ୍ରଥମ ପର୍ଯ୍ୟାୟରେ ମୂଳତଃ ସାହସୀମାନେ ସେହି ପ୍ରୟୋଗଗୁଡ଼ିକୁ ଗ୍ରହଣ କରିଛନ୍ତି । ପ୍ରାୟ ସମ୍ପୂର୍ଣ୍ଣ ନିଃସମ୍ବଳ ଭାବରେ ପ୍ରୟୋଗ ଆରମ୍ଭ ହୋଇଛି । ମାତ୍ର, କ୍ରମେ ସମ୍ବଳ ବଢ଼ିଛି,—ତା’ପରେ ସତେଅବା ଗୋଡ଼ରେ ପଥର ବାନ୍ଧିହୋଇ ଯାଇଛି । ବାହାରେ ସବୁକଥା ବଢ଼ିଛି ଓ ଭିତରେ ସବୁ ପୋଲା ହୋଇ ଯାଇଛି । ବାହାରେ ଭେକ ଓ ସନ୍ତକଗୁଡ଼ାକୁ କେଡ଼େ ମଞ୍ଜୁଳ କରି ଦେଖାଇବାର ସରାଗ ବଢ଼ି ବଢ଼ି ଚାଲିଛି ସିନା, ମାତ୍ର ସାହସ କମିଯାଇଛି,—ଭୀରୁମାନେ, ଥୁଣ୍ଟା ଗଛମାନେ ଥାନ ମାଡ଼ି ବସିବେ ବୋଲି ଧାଇଁ ଆସିଛନ୍ତି । ଅନୁକରଣ ହିଁ ପରମ ଧର୍ମ ରୂପେ ସ୍ଵୀକୃତ ହୋଇଛି । ତା’ପରେ ନୂତନଟି ସେହି ପାରମ୍ପରିକ ଓ ପୁରାତନ ସହିତ ଅତ୍ୟନ୍ତ ଚମତ୍କାର ଭାବରେ ଖାପ ଖାଇ ରହିଯାଇଛି । ପ୍ରେରଣାମାନେ ଗୋଟିଏ ଗୋଟିଏ ଠାକୁରରେ ପରିଣତ ହୋଇ ରହିଛନ୍ତି, ଧର୍ମର ଆହ୍ଵାନଗୁଡ଼ାକ ଭବ୍ୟ ମଠରେ ପରିଣତ ହୋଇ ଯାଇଛନ୍ତି । ଅତୀତରେ ଏହି ଘଟଣା ବହୁବାର ଘଟିଛି; ଏବେ ଯେ ଠିକ୍ ସେହି କଥା ନଘଟିବ, ସେପରି ଆଣ୍ଟ କରିବାର ଆଦୌ କୌଣସି କାରଣ ନାହିଁ ।

 

ଆମେ ଯଦି ଗୁଳାରେ ପଡ଼ିବା ନାହିଁ ବୋଲି ଯଥାର୍ଥରେ ଏକ ସଂକଳ୍ପ ନେଇ ଆମ ପ୍ରୟୋଗଟିକୁ ଆରମ୍ଭ କରିଥିବା, ତେବେ ଯାଇ ଆମେ ସେକଥା କଦାପି ଘଟିବାକୁ ନଦେବା ଲାଗି ସମର୍ଥ ହେବା । ମାତ୍ର, ସେଥିଲାଗି ଆମ ଭିତରେ ଏକ ଅଟଳ ବିଶ୍ଵାସ ଏବଂ ଅବିଚଳିତ ସମ୍ମତି ଆମର ଅସ୍ଥି ଓ ମଜ୍ଜାରେ ପରିଣତ ହୋଇ ରହିଥିବା ଉଚିତ । ଆମ ପରସ୍ପର ଭିତରେ ରହିଥିବା ଅସଲ ସୂତ୍ରଗୁଡ଼ିକ ମଧ୍ୟ ଯଥାର୍ଥ ଭାବରେ ଦୃଢ଼ ହୋଇ ରହିଥିବା ଉଚିତ । ପୁରୁଣା ପୃଥିବୀରେ ଯାହାକୁ ସଫଳତା ବୋଲି କୁହାଯାଉଛି, ସେଥିଲାଗି ଆମ ଭିତରେ ବା ଆମ ଶିକ୍ଷାକେନ୍ଦ୍ରରେ ଆଦୌ କୌଣସି ଆକର୍ଷଣ ରହିବା ଉଚିତ ନୁହେଁ । ପୁରୁଣା ପୃଥିବୀରେ ବହୁତଙ୍କୁ ବିଫଳ କରାଇ ଅଳପ କେତେଜଣଙ୍କର ସଫଳ ହେବାକୁ ହିଁ ପ୍ରାୟ ସବୁଯାକ ସଫଳତା ବୋଲି କୁହାଯାଉଛି । ତେଣୁ, ଆମ ଭିତରୁ ଥୋକେ ବାହାରର ମାପକାଠି ଗୁଡ଼ାକ ଅନୁସାରେ ସତେଅବା ମଞ୍ଚା ଉପରେ ଯାଇ ବସିଛନ୍ତି ସତ, ମାତ୍ର, ଆତ୍ମୀୟତା ମାଡ଼ ଖାଇ ଯାଉଛି । ଏବଂ, ଆତ୍ମୀୟତା ବଢ଼ିଲେ ସତକୁସତ ଯେଉଁ ଚେତନାଟି ସମ୍ଭବ ହୁଏ, ଅଥବା, ସତକୁସତ ଯେଉଁ ଚେତନାଟିକୁ ଆଦରିନେଇ ପାରିଲେ ସଂସାର ଭିତରେ ଆତ୍ମୀୟତା ବୃଦ୍ଧି ଲାଭ କରେ, ସେହି ଚେତନା ସୁଦୂରପରାହତ ହୋଇ ରହିଛି । ଆମ ନିଜ ଭିତରେ ପୁରୁଣା ଢଙ୍ଗ ଓ ଛାଞ୍ଚଗୁଡ଼ାକ ପ୍ରତିପତ୍ତି ବିସ୍ତାର କରି ରହିଛନ୍ତି,—ତେଣୁ ବାହାରେ ଖଟୁଲି ଉପରେ ନୂଆ ସନ୍ତକମାନଙ୍କୁ ଠାକୁର କରି ବସାଉଥିଲେ ମଧ୍ୟ ଆମେ ତଥାପି ନୂତନର ଭାଜନ ହୋଇ ପାରୁନାହୁଁ । ଯେଉଁ ପୁରୁଣାକୁ ଭାଙ୍ଗିବା ଲାଗି ଆମେ ପଣ କରି ବାହାରିଥିଲୁ, ଆମେ ତାହାରି ଅନୁକରଣ କରିବାର ଫାନ୍ଦରେ ଆସି ପଡ଼ି ଯାଉଛୁ । ଏ ଖେଳ କେବେ ସରିବ ?

 

ଜୁନ୍, ୧୯୮୭

Image

 

Unknown

ସଂକ୍ରମଣର ଆଉ ଏକ ସୂତ୍ର

 

ଯେଉଁ ରୋଗ ବ୍ୟାପିଯାଏ, ଆମେ ତାହାକୁ ଏକ ସଂକ୍ରାମକ ରୋଗ ବୋଲି କହିଥାଉ । ସଂକ୍ରାମକ ରୋଗମାନଙ୍କର ନିରାକରଣ ଲାଗି ଆଧୁନିକ ବିଜ୍ଞାନ ଓ ବୈଜ୍ଞାନିକ ମାନସ କେତେ କ’ଣ କରୁଛି । ଏଥିପାଇଁ କେତେ ଗବେଷଣା କରାଯାଉଛି । ମାତ୍ର, ସ୍ଵାସ୍ଥ୍ୟର ମଧ୍ୟ ଯେ ଏକ ସଂକ୍ରମଣ-ଶକ୍ତି ରହିଛି, ସେକଥା କେତେଜଣ ବୈଜ୍ଞାନିକ ଏକାଠି ବସି ଚର୍ଚ୍ଚା କରୁଛନ୍ତି ? ଠିକ୍ ସେହିପରି, ମନ୍ଦର ନିରାକରଣ ନିମନ୍ତେ ସଂସାରରେ କେତେ କେତେ ଲୋକ କେତେ କ’ଣ ଚିନ୍ତା କରିଛନ୍ତି । ମନ୍ଦର ଭୟଙ୍କର ସଂକ୍ରମଣ-ସାମର୍ଥ୍ୟ ରହିଛି । ବାଳୁଙ୍ଗାମାନଙ୍କୁ ଛାଡ଼ିଦେଲେ ଶେଷକୁ ବିଲଯାକ ବାଳୁଙ୍ଗା ମାଡ଼ିଯାଏ ଏବଂ ତା’ପରେ ସବୁ ଉଚ୍ଛନ୍ନ ହୋଇଯାଏ,—ଏକଥା ପୃଥିବୀର ନୀତିଶାସ୍ତ୍ରମାନଙ୍କରେ କେତେ କେତେ ବାଗରେ କୁହାଯାଇଛି । ଏହିଭଳି ଏକ ଉତ୍ସାହର ବଶବର୍ତ୍ତୀ ହୋଇ ଆମ ଭାରତରେ ମଧ୍ୟ ଋଷିମାନେ ନୀତିଶତକ ଲେଖିଛନ୍ତି । ତଥାପି, ମନ୍ଦ ପ୍ରତି, ବାଳୁଙ୍ଗାଗୁଡ଼ାକ ପ୍ରତି ରହିଥିବା ଭୟ ସଂସାରରେ ହୁଏତ ଏପର୍ଯ୍ୟନ୍ତ ମଧ୍ୟ କମି ନାହିଁ । ସ୍ୱାସ୍ଥ୍ୟ ପ୍ରତି ଶ୍ରଦ୍ଧା ଯେତେ ନବଢ଼ିଛି, ରୋଗ ପ୍ରତି ଭୟ ସମ୍ଭବତଃ ତାହାର ଦଶଗୁଣ ଅଧିକ ବୃଦ୍ଧି ପାଇଛି ।

 

ଶିକ୍ଷାର କ୍ଷେତ୍ରରେ ମଧ୍ୟ ହୁଏତ ପ୍ରାୟ ସେହିପରି ହୋଇଛି । ପୃଥିବୀର ପ୍ରାୟ ସବୁ ଶିକ୍ଷକଙ୍କ ଆଖିରେ କେତେକ ପିଲା ଭଲ ବୋଲି ଦେଖାଯା’ନ୍ତି ଓ ଆଉ କେତେକ ମନ୍ଦ ବୋଲି ଦେଖାଯାଇଥାନ୍ତି । ଭଲମାନଙ୍କ ଅପେକ୍ଷା ମନ୍ଦମାନେ ହିଁ ସତେଅବା ଅଧିକ ହୋଇ ଦିଶନ୍ତି । ଶିକ୍ଷକମାନଙ୍କର ଆଖିରେ ପ୍ରକୃତରେ କୋଉ ସଂସ୍କାରବଶତଃ କ’ଣ ଅସୁବିଧାଟାଏ ରହିଥାଏ କେଜାଣି, ସେମାନେ ଭଲ ଅପେକ୍ଷା ମନ୍ଦ ଅଧିକ ରହିଛନ୍ତି ବୋଲି ଅନୁଭବ କରୁ ଥାଆନ୍ତି । ଏହିପରି ଏକ ଅନୁମାନକୁ ଭିତ୍ତି କରି ସେମାନେ ଆପଣାର ଆଚରଣକୁ ମଧ୍ୟ ଅନୁରୂପ ଭାବରେ ତିଆରି କରିଥା’ନ୍ତି । ସେମାନେ ଦୁଷ୍କୃତମାନଙ୍କର ବିନାଶରେ ହିଁ ଅଧିକ ସମୟ ଦିଅନ୍ତି । ଦୁଷ୍କୃତମାନଙ୍କର ବିନାଶ ଦ୍ଵାରା ହିଁ ଯେ ସାଧୁମାନଙ୍କର ପରିତ୍ରାଣ ହୋଇଯିବ, ଅର୍ଥାତ୍, ମନ୍ଦମାନଙ୍କର ପଛରେ ଗୋଡ଼ାଇ ସେମାନଙ୍କୁ ସାଧ୍ୟ କରି ରଖିଲେ ଯାଇ ଯେ ଭଲଗୁଡ଼ିକର ସମୃଦ୍ଧି ହୋଇପାରିବ, ପ୍ରାୟ ଏକ ଅନ୍ତର୍ଗତ ରକ୍ତସଂସ୍କାର ପରି ସେମାନେ ସେହିପରି ବିଶ୍ଵାସ କରୁଥାନ୍ତି । ମନ୍ଦଗୁଡ଼ାଙ୍କୁ ସାଧ୍ୟ ନକଲେ ଭଲମାନଙ୍କ ଲାଗି ଆଉ ଭବିଷ୍ୟ ବୋଲି କିଛି ରହିବ ନାହିଁ ବୋଲି ସେମାନେ ଭାରି ଭୟ କରୁଥାନ୍ତି । ମାତ୍ର, ଅନ୍ୟ ପକ୍ଷରେ, ଭଲମାନଙ୍କୁ ପ୍ରୋତ୍ସାହନ ଦେଲେ ତାହାରି ପ୍ରତିକ୍ରିୟା ସ୍ୱରୂପ ମନ୍ଦମାନେ ମଧ୍ୟ ଯେ କ୍ରମେ ଧାଡ଼ି ଭିତରକୁ ଆସିଯିବେ, ବାଗର ହୋଇପାରିବେ, ବଦଳିଯିବେ, ସେକଥା ବିଶ୍ଵାସ କରିବା ସେମାନଙ୍କ ଲାଗି କାଠିକର ପାଠ ହୋଇ ରହିଥାଏ । ଭଲ ମନ୍ଦକୁ ବଦଳାଇ ପାରିବ, ଓ ତାହାରି ଦ୍ଵାରା ଯେ ସଂସାର ଅଧିକ ସ୍ଵାଭାବିକ ଭାବରେ ସୁସ୍ଥ ହୋଇ ପାରିବ, ନାନା କାରଣରୁ ସଂସାରର ଅଧିକ ମଣିଷଙ୍କର ଏଥିରେ ପ୍ରତ୍ୟୟ ନଥାଏ । ଏହାର ହୁଏତ ଏକାଧିକ କାରଣ ରହିଛି ।

 

ପ୍ରାୟ ତିରିଶିବର୍ଷ ପୂର୍ବେ ମାଆ ଏକଦା ଗୋଟିଏ ପ୍ରଶ୍ନର ଉତ୍ତର ଦେଇ ଏହି ପ୍ରସଙ୍ଗରେ କିଛି କହିଥିଲେ । [ମାତୃରଚନାବଳୀ (ଇଂରାଜୀ), ଶତବାର୍ଷିକୀ ସଂସ୍କରଣ, ୬ଷ୍ଠ ଖଣ୍ଡ, ୧୯୭୯, ପୃଷ୍ଠା-୧୫୫] ତାଙ୍କରି ଭାଷାରେ କହିଲେ : “ଠିକ୍ ଯେପରି ଶୃଙ୍ଖଳା ରକ୍ଷା କରୁ ନଥିବା ଓ ଅସଦିଚ୍ଛାରେ ପୂର୍ଣ୍ଣହୋଇ ରହିଥିବା ଜଣେ ଅବାଧ୍ୟ ଛାତ୍ର ସମଗ୍ର ଶ୍ରେଣୀର ଶୃଙ୍ଖଳାରେ ମଧ୍ୟ ବ୍ୟାଘାତ ସୃଷ୍ଟି କରିପାରିବ—ଏବଂ ସେହି କାରଣରୁ ହିଁ ବେଳେବେଳେ ତାହାକୁ ଶ୍ରେଣୀରୁ ବାହାର କରିଦେବାକୁ ହୋଇଥାଏ, କାରଣ କ୍ଲାସରେ ତା’ର ଉପସ୍ଥିତ ରହିବା ଦ୍ଵାରା ହିଁ ସିଏ ପୂରା କ୍ଲାସଟାକୁ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ବିଶୃଙ୍ଖଳିତ କରି ଦେଇପାରେ,—ଠିକ୍ ସେହିପରି, ଯଦି ଶ୍ରେଣୀରେ ଏପରି ଗୋଟିଏ ଛାତ୍ର ରହିଥାଏ, ଯାହାର ସମ୍ପୂର୍ଣ୍ଣ ଭାବରେ ଯଥାର୍ଥ ଦୃଷ୍ଟିକୋଣଟି ରହିଥାଏ, ସବୁ କ୍ଷେତ୍ରରେ ତା’ର ଏକ ଶିଖିବା ମନୋଭାବ ରହିଥାଏ, ଯେପରିକି ତାକୁ ପାଟି ଖୋଲି କୌଣସି କଥା ନକହିଲେ କିମ୍ବା ଆଦୌ କୌଣସି ସଙ୍କେତ ଦିଆଯାଉ ନଥିଲେ ମଧ୍ୟ ସିଏ ଆପଣା ଲାଗି କିଛି ନା କିଛି ଶିକ୍ଷା କରିବାର ଏକ ଅବସର ସୃଷ୍ଟି କରି ନେଉଥାଏ,—ତେବେ, ଶ୍ରେଣୀରେ ତା’ର ଉପସ୍ଥିତି ଦ୍ଵାରା ଠିକ୍ ଏକ ବିପରୀତ ପ୍ରଭାବ ବି ପଡ଼ିପାରେ ଏବଂ ତଦ୍ଦ୍ଵାରା ସେ ସମଗ୍ର କ୍ଲାସକୁ ମଧ୍ୟ ଶିକ୍ଷାର ପ୍ରକ୍ରିୟାରେ ଅବଶ୍ୟ ସାହାଯ୍ୟ କରିପାରେ । ଯଦି ତା’ ଭିତରେ ସଚେତନ ଭାବରେ ସତତ ଶିକ୍ଷା କରିବାର ଓ ଆପଣାକୁ ସଂଶୋଧନ କରିବାର ଆକାଂକ୍ଷାଟି ରହିଥାଏ, ତେବେ ସିଏ ନିଜର ଏହି ଗୁଣଟିକୁ ଅନ୍ୟମାନଙ୍କ ମଧ୍ୟକୁ ବି ସଂକ୍ରାମିତ କରି ଦେଇପାରେ ।” ମାଆ ତା’ପରେ କହିଛନ୍ତି, “ଏକଥା ସତ ଯେ ସଂସାରରେ ବର୍ତ୍ତମାନ ସ୍ଥିତି ଯେପରି ହୋଇ ରହିଛି, ସେଥିରେ ମନ୍ଦ ଉଦାହରଣଗୁଡ଼ିକର ହିଁ ଭଲ ଉଦାହରଣଟିଏ ଅପେକ୍ଷା ଅଧିକ ସଂକ୍ରମଣ-ଶକ୍ତି ରହିଛି । ଭଲ ଦୃଷ୍ଟାନ୍ତଟିଏ ଅପେକ୍ଷା ଗୋଟିଏ ମନ୍ଦ ଦୃଷ୍ଟାନ୍ତର ଅନୁସରଣ କରିବା ମଧ୍ୟ ଅଧିକ ସହଜ ବୋଲି ମନେ ହୋଇଥାଏ । ତଥାପି, ସେହି ଅନ୍ୟଟିର ମଧ୍ୟ ଯଥେଷ୍ଟ ଉପଯୋଗିତା ରହିଛି । ଏବଂ, ଯଦି ଗୋଟିଏ ଶ୍ରେଣୀରେ ଏପରି ଉପଯୁକ୍ତ ଛାତ୍ରଟିଏ ଥାଏ, ଯିଏକି ପ୍ରକୃତରେ ଶିକ୍ଷା ଲାଗି ଓ ସେହି ଶିକ୍ଷାକୁ କାମରେ ଲଗାଇବା ଲାଗି ଆଗ୍ରହ ରଖିଥାଏ, ଶିଖିବାର ସକଳ ଅବସର ବିଷୟରେ ଯାହାର ଗଭୀର ଔତ୍ସୁକ୍ୟ ରହିଥାଏ,—ତେବେ ତଦ୍ଦ୍ଵାରା ଶ୍ରେଣୀରେ ଏକ ସ୍ଥାୟୀ ପରିବେଶ ଅବଶ୍ୟ ସମ୍ଭବ ହୋଇପାରେ ।”

 

ମଣିଷ ଭିତରେ ଭଲ ବେଶୀ ନା ଖରାପ ବେଶୀ ? ଆମ ଶ୍ରେଣୀଗୃହରେ ଭଲ ବେଶୀ ନା ମନ୍ଦ ବେଶୀ ? ଆମ ପିଲାଙ୍କ ଭିତରେ ପ୍ରକୃତରେ ଭଲ ବେଶୀ ନା ମନ୍ଦ ବେଶୀ ? ଏବଂ, ଆମ ନିଜ ଭିତରେ ଭଲ ବେଶୀ ନା ମନ୍ଦ ବେଶୀ ? ଏହିସବୁ ପ୍ରଶ୍ନ ଓ ସେଗୁଡ଼ିକ ଉପରେ ଆମ ଦ୍ଵାରା ଅନୁମିତ ଉତ୍ତରଗୁଡ଼ିକୁ ଭିତ୍ତିକରି ପୃଥିବୀରେ ପ୍ରାୟ ଆବହମାନ କାଳରୁ ନାନାବିଧ ନୀତିବାଦର ମସୁଧା ହୋଇ ଆସିଛି । ସଂସାରରେ ଭଲ ବେଶୀ ନା ମନ୍ଦ ବେଶୀ, ସେକଥା ଆଦୌ କୌଣସି ଗାଣିତିକ ପ୍ରଣାଳୀରେ ମାପିକରି କହିଦେଇ ହେବ ନାହିଁ । ହୁଏତ ଅସଲ କଥାଟି ହେଉଛି ଯେ, ଆମେ ନିଜେ ଭଲ ଉପରେ ଅଧିକ ବିଶ୍ଵାସ ରଖିଛୁ ବା ମନ୍ଦ ଉପରେ ଅଧିକ ବିଶ୍ଵାସ ରଖିଛୁ, ଆମର ଭଲମନ୍ଦର ମାତ୍ର ନିର୍ଦ୍ଧାରଣ ପ୍ରଧାନତଃ ତାହାରି ଉପରେ ନିର୍ଭର କରିବ । ଜଣେ ମଣିଷର ଜୀବନରେ କାହିଁକି କ୍ରମେ ଭଲ ଉପରେ ବିଶ୍ଵାସ ତୁଟି ତୁଟି ଯାଏ ଓ ତେଣୁ ଶେଷକୁ ମନ୍ଦଗୁଡ଼ାକ ହିଁ ପ୍ରାୟ ଏକମାତ୍ର ନିୟାମକ ବୋଲି ଅନୁଭୂତ ହେବାରେ ଲାଗନ୍ତି, ତାହାର ଏକାଧିକ କାରଣ ରହିଛି । ସାଧାରଣତଃ ପିଲାମାନେ ଭଲ ଉପରେ ହିଁ ଅଧିକ ବିଶ୍ଵାସ ରଖିଥାନ୍ତି ଓ ବଡ଼ ହେବା ସଙ୍ଗେ ସଙ୍ଗେ ବୟସ୍କମାନଙ୍କର ଆକଟ ମାନି କ୍ରମଶଃ ମନ୍ଦଟାକୁ ହିଁ ଅଧିକ ବୋଲି ଗ୍ରହଣ କରି ନିଅନ୍ତି । ଶ୍ରେଣୀଗୃହରେ ଆମ ପିଲାମାନଙ୍କର ହିଁ ସଚରାଚର ଭଲ ଉପରେ ଅଧିକ ବିଶ୍ଵାସ ରହିଥାଏ । ବଡ଼ମାନଙ୍କର ଅର୍ଥାତ୍ ଶିକ୍ଷକମାନଙ୍କର, ସେମାନଙ୍କୁ ଉପଯୁକ୍ତ ଓ ଯୁଗୋପଯୋଗୀ କରି ଗଢ଼ିବାରେ ଅଭିଳାଷ ରଖିଥିବା ବଡ଼ମାନଙ୍କର ଭଲ ଉପରେ ସେତେ ବିଶ୍ଵାସ ଆଦୌ ନଥାଏ ଓ ମନ୍ଦ ବିଷୟରେ ଗଦାଏ ଭୟ ରହିଥାଏ । ସେମାନେ ଭଲ ବିଷୟରେ ବଚସ୍କର ଭାବରେ କେତେ କ’ଣ କହନ୍ତି ସତ, ମାତ୍ର ଭଲ ଉପରେ ଆସ୍ଥା ରଖିବାକୁ ଆପଜ୍ଜନକ ମନେ କରୁଥାନ୍ତି, କାରଣ ମନ୍ଦକୁ ଅତିରିକ୍ତ ପରିମାଣରେ ଭୟ କରୁଥାନ୍ତି । ସେମାନଙ୍କର ନିଜ ଭିତରର ଭଲଟି ଯେ କେବେ ସେମାନଙ୍କ ଭିତରେ ଥିବା ଅର୍ଥାତ୍ ଯତ୍ନ ସହକାରେ ଘୋଡ଼ାଇ କରି ରଖି ଦିଆଯାଇଥିବା ମନ୍ଦଟି ସହିତ ଯୁଝି ପାରିବ ଓ ହଟାଇଦେଇ ପାରିବ, ସେମାନେ ସେହି ଆସ୍ଥାଟିକୁ ହରାଇ ସାରିଥାନ୍ତି ।

 

ପିଲା ଭିତରେ ଭଲ ଅଧିକ ପ୍ରମୁଖ ହୋଇ ରହିଥାଏ । ଅର୍ଥାତ୍ ତା’ ଭିତରେ ବିଶ୍ଵାସ ଅଧିକ ଥାଏ, ଛଳ ଓ କପଟ କମ୍ ଥାଏ । ଚତୁରତା କମ୍ ଥାଏ, ଆପଣାକୁ ଲୁଚାଇ ରଖିବାର ଟେକନିକ୍‌ଗୁଡ଼ାକ ମଧ୍ୟ ତାକୁ ସେତେବେଶୀ ସ୍ପର୍ଶ କରି ନଥାନ୍ତି । ଶିକ୍ଷକ ଯଦି ପ୍ରକୃତରେ ଭଲ ଉପରେ ଅଧିକ ବିଶ୍ଵାସ ରଖିଥାନ୍ତା, ତେବେ ସିଏ ତା’ ଶ୍ରେଣୀର ପିଲାମାନଙ୍କୁ ଏକାବେଳେକେ ଅନ୍ୟପ୍ରକାରେ ଦେଖୁଥାନ୍ତା । ସବାଆଗ ଭଲଗୁଡ଼ିକୁ ଦେଖୁଥାନ୍ତା, ମନ୍ଦ ବିଷୟରେ ଆଦୌ ଏତେ ଗବେଷଣା ବା ଚର୍ଚ୍ଚା କରୁ ନଥାନ୍ତା । ଅର୍ଥାତ୍, ଅଧିକ ସିଧା କରି କହିଲେ, ସିଏ ପିଲାମାନଙ୍କ ଭିତରେ ରହିଥିବା ଭଲଦ୍ଵାରା ନିଜେ ସଂକ୍ରମିତ ହୋଇ ପାରୁଥାନ୍ତା,—ଶ୍ରେଣୀଗୃହର ଅସଲ ସଖ୍ୟଟି ତାହାରି ଦ୍ଵାରା ହିଁ ସମ୍ଭବ ହେଉଥାନ୍ତା । ଶିକ୍ଷକମାନେ ଯୁଗେ ଯୁଗେ ସେହି ସଖ୍ୟଟିର ଅଯୋଗ୍ୟ ହୋଇ ରହିଛନ୍ତି, ସେହି ସଖ୍ୟମୂଳ ଅବସରଗୁଡ଼ିକୁ ଅତ୍ୟନ୍ତ ନିର୍ବୋଧ ଭାବରେ ହରାଇ ଆସିଛନ୍ତି । ଏଣେ ମନ୍ଦଦଳନ କରିବାର ମହିଷମର୍ଦ୍ଦିନୀ ବେଶ ହୋଇ ବାହାରିବାର ସୁଆଙ୍ଗମାନ ଲଗାଇ ରଖିଛନ୍ତି । ଶିକ୍ଷକମାନେ ସତେଅବା କେଉଁ ପାପ ବା ଅଭିଶାପର ଫଳରେ ନିଜ ଭିତରେ ଅଶେଷ ଅଶେଷ ମନ୍ଦକୁ ଚାପିକରି ରଖିଛନ୍ତି କେଜାଣି, ବାହାରେ ସବାଆଗ ମନ୍ଦଗୁଡ଼ାକୁ ହିଁ ଦେଖୁଛନ୍ତି ଏବଂ ତେଣୁ ଭଲଗୁଡ଼ାକୁ ଆଦୌ ଦେଖିପାରୁ ନାହାନ୍ତି । ଏବଂ, ମନ୍ଦ ଦେଖି ବାହାରିଥିବା ଶିକ୍ଷକ ତା’ ଶ୍ରେଣୀଗୃହରେ ସେହି ମନ୍ଦ ବ୍ୟତୀତ ହିଁ ଆଉ କ’ଣ ଦେଖିବାକୁ ପାଆନ୍ତା ? ଶ୍ରଦ୍ଧାକୁ ଆବିଷ୍କାର କରିବାକୁ ହେଲେ ନିଜ ଭିତରେ ବି ଶ୍ରଦ୍ଧା ଥାଆନ୍ତା, ଜିଜ୍ଞାସାର ଆବିଷ୍କାର କରିବାକୁ ହେଲେ ଆମ ନିଜ ଆଖିଗୁଡ଼ିକ ମଧ୍ୟରେ ଜିଜ୍ଞାସା ହିଁ ନିର୍ଣ୍ଣାୟକ ଏବଂ ନିୟାମକ ହୋଇ ରହନ୍ତେ । ତେବେ ଆମ ପିଲାମାନେ ହିଁ ଆମକୁ ସଂକ୍ରମିତ କରିପାରନ୍ତେ, ଆମର ବ୍ରତରେ ଆମକୁ ସତକୁସତ ବିଜୟୀ କରି ନିଅନ୍ତେ । ସେମାନେ ଆମ ସହିତ ପୂର୍ଣ୍ଣ ନିଶ୍‌ଛଳ ଭାବରେ ସହଯୋଗ କରନ୍ତେ । ମନ୍ଦ ପିଲାମାନେ ମଧ୍ୟ ଶେଷକୁ ପରମ ନିର୍ଭର ସହିତ ମାଆ ପାଖକୁ ଲେଉଟି ଆସିବା ପରି ଶ୍ରେଣୀଗୃହର ସଂପୃକ୍ତ ସମସ୍ତେ ଭଲ ପାଖକୁ, ବିଶ୍ଵାସ ପାଖକୁ ଓ ତେଣୁ ଜୀବନର ଅସଲ ସ୍ଵୀକାରାତ୍ମକତାଗୁଡ଼ିକ ପାଖକୁ ଲେଉଟି ଆସନ୍ତେ । ଅଧ୍ୟାତ୍ମ ଶିକ୍ଷାଶାସ୍ତ୍ରରେ ଏହି ଲେଉଟି ଆସିବାକୁ ହିଁ ଉନ୍ମୋଚନ ବୋଲି କୁହାଯାଇଥାଏ । ସେହି ଉନ୍ମୋଚନ ଆହୁରି ଅନେକ ସଂକ୍ରମଣର କାରଣ ହୁଏ ।

 

ଆମ ପିଲାମାନଙ୍କ ଭିତରେ ଭଲ ରହିଛି, ମନ୍ଦ ରହିଛି । ଗୋଟିଏ ଦୃଷ୍ଟିରୁ ଦେଖିଲେ ହୁଏତ କେବଳ ଭଲ ହିଁ ରହିଛି । ଭଲ ଆପଣାକୁ ମୁକୁଳିତ କରି ଆଣି ପାରୁନାହିଁ ବୋଲି ତାହାର ପ୍ରତିବାଦ ସ୍ୱରୂପ ଆମ ଭିତରେ ଯାହା ଘଟୁଛି, ବାହାରେ ତାହା ହିଁ ମନ୍ଦ ବୋଲି ପ୍ରତୀତ ହେଉଛି । ପ୍ରତ୍ୟେକ ମନୁଷ୍ୟ ଭିତରେ ସେହି ପ୍ରତିବାଦ ଓ ପ୍ରତିକ୍ରିୟା ସତତ ଲାଗିରହିଛି । ଯଦି ଶିକ୍ଷକ ଆପଣାର ଚିତ୍ତଦର୍ପଣଟିକୁ ଉଚିତ ଶ୍ରଦ୍ଧାର ସହିତ ଉତ୍ତୋଳିତ କରି ଧରିଥିବ, ତେବେ ତାକୁ ହୁଏତ ପିଲାଟି ଭିତରର ଭଲଟି ହିଁ ଦୃଶ୍ୟ ହେବ, ମନ୍ଦଟି ମୋଟେ ଦିଶିବ ନାହିଁ । ଭଲ ମନ୍ଦ ଭିତରକୁ ମାଡ଼ି ମାଡ଼ି ଯାଉଥିବ,—ବିଶ୍ଵାସ ଅବିଶ୍ଵାସ ଭିତରକୁ ମାଡ଼ି ମାଡ଼ି ଯାଉଥିବ । ଗ୍ରାସ କରୁ ନଥିବ, ସଂକ୍ରାମିତ କରି ନେଉଥିବ । ରୂପାନ୍ତର-ପ୍ରକ୍ରିୟାର ଏହି ରସାୟନଟି ବିଷୟରେ ଅନ୍ତର୍ଗତ ଭାବରେ ଅବଗତ ରହିଥିଲେ ଯାଇ ଆମେ ଏହି ରହସ୍ୟଗୁଡ଼ିକୁ ବୁଝିପାରିବା, ସେହିଗୁଡ଼ିକ ଉପରେ ସତକୁ ସତ ନିର୍ଭର ବି କରି ପାରିବା ।

 

ଜଣେ ଜଣେ ଶିକ୍ଷକ ହିସାବରେ ଆମ ଭିତରେ ଭଲ ଥିବ, ମନ୍ଦ ବି ଥିବ । ପ୍ରତିକ୍ରିୟା ଏବଂ ପ୍ରତିବାଦର ଏକ ସତତ ଓଲଟପାଲଟ ଲାଗି ରହିଥିବ । ଯଦି ଆମେ ନିଜ ଭିତରେ ମନ୍ଦ ଅପେକ୍ଷା ଭଲଟାକୁ ହିଁ ଅଧିକ ଅନ୍ତରଙ୍ଗ ଭାବରେ ଦେଖିପାରନ୍ତେ, ଭଲର ସଂକ୍ରମଣ—ଶକ୍ତି ଉପରେ ବିଶ୍ଵାସ ରଖିପାରନ୍ତେ, ଭଲର ସଂକ୍ରମଣକୁ ସ୍ଵୀକାର କରିନେବା ସକାଶେ ଯଦି ଆମେ ଆମ ମନ୍ଦଗୁଡ଼ିକୁ ଉଚିତ ଭାବରେ ଗ୍ରହଣଶୀଳ କରି ଗଢ଼ିପାରନ୍ତେ, ତେବେ ପିଲାଙ୍କ ଭିତରେ ଆଗ ମନ୍ଦଗୁଡ଼ାକୁ ନସୁଙ୍ଘି ଭଲଗୁଡ଼ିକୁ ହିଁ ଆବିଷ୍କାର କରିବା ଆମ ଲାଗି ପ୍ରକୃତରେ କେଡ଼େ ସହଜ ହୋଇ ଯାଆନ୍ତା । ସତକୁ ସତ ଅନ୍ତରଙ୍ଗ ଏବଂ ପ୍ରୀତିପୂର୍ଣ୍ଣ ଭାବରେ ନିଜ ଭିତରକୁ ଅନାଇଲେ ସେଠି କେବଳ ଯୋଡ଼ିଏ ପାଦ ବ୍ୟତୀତ ଆଉ କିଛିହେଲେ ଦେଖାଯାଏ ନାହିଁ । ଏବଂ, ପାଦଦ୍ଵୟର ଆସ୍ଥାନରୂପେ ଆମ ଅସ୍ତିତ୍ଵର ସମସ୍ତ ଆୟତନଟି ଯଥାର୍ଥରେ ସବୁ ବାରି ପାରୁଥିବା ମଣିଷକୁ କେବଳ ଭଲରେ ହିଁ ଅନୁସିକ୍ତ ହୋଇଥିବା ପରି ଦୃଶ୍ୟ ହୋଇପାରିବ । ଆମର ଆଖିଗୁଡ଼ିକ ମଧ୍ୟ ସେତେବେଳେ ସେହି ଭଲ ଦ୍ଵାରା ହିଁ ଅନୁସିକ୍ତ ହୋଇ ରହିଥିବ । ତଥାକଥିତ ମନ୍ଦମାନେ ସେତେବେଳେ କୁଆଡ଼େ ଥିବେ କେଜାଣି ? ସେମାନେ ଅପେକ୍ଷା କରି ରହିଥିବେ । ସେମାନେ କୁମ୍ଭାର ହାତର ମାଟି ପରି ଅପେକ୍ଷା କରି ରହିଥିବେ । ହାତଗୁଡ଼ିକ ସ୍ପଷ୍ଟ ଦିଶିଯାଉଥିବ, ମାଟି ମୋଟେ ଦିଶୁ ନଥିବ ।

 

ଜୁଲାଇ-ଅଗଷ୍ଟ, ୧୯୮୭

Image

 

ଏଥର କର୍ମଶିବିରର କାହାଣୀ

 

ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଠାରେ ଅବସ୍ଥିତ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ଏଥର ଆମର ଗ୍ରୀଷ୍ମକାଳୀନ କର୍ମଶିବିର ଅନୁଷ୍ଠିତ ହୋଇଥିଲା । ଏଇଟି ହେଉଛି ଏହି ପର୍ଯ୍ୟାୟରେ ଆମର ଷଷ୍ଠ ଶିବିର । ସବାପ୍ରଥମ ଶିବିରଟି ବାଲେଶ୍ଵର ଜିଲ୍ଲା ମାତୃପୁରମଠାରେ ହୋଇଥିଲା । ଆମେ ଯେଉଁମାନେ ନୂଆ ନୂଆ ହୋଇ ସେହି ଶିବିରରେ ଯୋଗ ଦେଇଥିଲୁ, ସେମାନଙ୍କୁ ମଧ୍ୟ ସେତେବେଳେ ସାମୂହିକ କର୍ମ ଏବଂ ସମାଗମର ଏହି ଧାରାଟି ଭାରି ନୂଆ ନୂଆ ଲାଗୁଥିଲା । ଏକାଠି ବସି, ଏକାଠି କାମ କରି କ୍ରମେ ଆଗକୁ ଆଗକୁ ବାଟ ଫିଟିଲା । ଗଣ୍ଠିଗୁଡ଼ାକ ମଧ୍ୟ ଖୋଲିବାକୁ ଆରମ୍ଭ କଲେ । ଭଗବାନଙ୍କର କାମ କଲେ କୁଆଡ଼େ ଏକାବେଳେକେ ଅନାସକ୍ତ ଭାବରେ ସବୁକିଛି କରିବାକୁ ହୁଏ ବୋଲି ପ୍ରାୟ ଆବହମାନ କାଳରୁ ଏକ ଅପବାଦ ରହିଛି । ଭଗବାନଙ୍କୁ ଉତ୍ସର୍ଗ କଲେ ଯେ କୌଣସି ସାମୂହିକ କାର୍ଯ୍ୟରେ ଏକ ଅପୂର୍ବ ଆତ୍ମୀୟତା-ଭାବ ସବୁଠାରୁ ଅଧିକ ପରିମାଣରେ ଅନୁଭୂତ ହୁଏ ଓ ତାହାରି ବଳରେ ଯେ ଭିତରେ ଆପଣାର ଏକୁଟିଆ ଗଡ଼ିଆଟି ଭିତରୁ ସତେଅବା ଆଦୌ କୌଣସି ଆୟାସ ନକରି ମୁକ୍ତ ହୋଇ ଆସିବା ପରି ମନେ ହୁଏ, ଆମର ଛଅଟି ଯାକ କର୍ମଶିବିର ଆମ ସମସ୍ତଙ୍କୁ ପ୍ରଧାନତଃ ସେହିଭଳି ଗୋଟିଏ ଅନୁଭୂତି ଆଣିଦେଇଛି । ଯାହା ପାଇଁ ଏହି କାମ ଓ ଏହି ସମାଗମ, ତାଙ୍କରି ସହିତ ଅଧିକ ସ୍ଵାଭାବିକ ଭାବରେ ଯୁକ୍ତ କରାଇ ଆଣିବା ସଙ୍ଗେସଙ୍ଗେ ଏହି ଶିବିରଗୁଡ଼ିକ ଆମକୁ ପରସ୍ପର ସହିତ ମଧ୍ୟ ଯୁକ୍ତ କରି ଆଣିଛି, ଶ୍ରଦ୍ଧା ବଢ଼ାଇଛି ଓ ଆତ୍ମୀୟତାର କାରଣ ହୋଇଛି, ଭିତର ଆଡ଼କୁ ଅନେକ ବାଟ ଫିଟାଇ ପାରିଛି ।

 

ଆମର ପ୍ରଥମ ଶିବିରଟି ୧୯୮୪ ମସିହା ଗ୍ରୀଷ୍ମ ଛୁଟିରେ ହୋଇଥିଲା । ପରବର୍ତ୍ତୀ ଗ୍ରୀଷ୍ମଛୁଟିରେ ଆମେ ଉତ୍ତର ବାଲେଶ୍ଵରର ଖରିଦଚକ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ଯାଇ ଏକତ୍ର ହୋଇଥିଲୁ । ତା’ପର ବର୍ଷ ସେହି ଉତ୍ତର ବାଲେଶ୍ଵର ବା ଭୋଗରାଇର ଗୋପୀନାଥପୁର ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ । ତିନୋଟିଯାକ ଶିବିରରେ ଆମେ ପୋଖରୀଖୋଳା କାମ କରିଥିଲୁ । ଏହି ଶିବିରଗୁଡ଼ିକର ସମ୍ବାଦ ବାବାଜୀ ମହାରାଜଙ୍କ ପର୍ଯ୍ୟନ୍ତ ଯାଇ ପହଞ୍ଚିଲା । ସିଏ କେଡ଼େ ଖୁସିହୋଇ ଲେଖିଲେ ଯେ ପ୍ରତ୍ୟେକ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ, ଏପରିକି ଓଡ଼ିଶାର ପୁରାତନ ପାଠଚକ୍ରମାନଙ୍କରେ ମଧ୍ୟ ଏହିଭଳି କର୍ମଶିବିରର କାର୍ଯ୍ୟକ୍ରମ ରହିବା ଉଚିତ । କେବଳ ଗ୍ରୀଷ୍ମକାଳୀନ ନୁହେଁ, ଶୀତକାଳୀନ ବାର୍ଷିକ ଶିବିରମାନଙ୍କର ମଧ୍ୟ ଆୟୋଜନ ହୋଇପାରିବା ଉଚିତ । ଏକଥା ଶୁଣି ଆମର ଉତ୍ସାହ ଦ୍ଵିଗୁଣିତ ହୋଇଗଲା । ଶୀତକାଳୀନ କର୍ମଶିବିର ଆରମ୍ଭ ହେଲା । ୧୯୮୫ ଶୀତକାଳରେ ଆମେ ଢେଙ୍କାନାଳ ଜିଲ୍ଲାର ଡେରା ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ଦଶଦିନ ଲାଗି ଶିବିର କଲୁ । ଏବଂ, ୧୯୮୬ ଶୀତକାଳରେ କେନ୍ଦୁଝର ଜିଲ୍ଲାର ବିନିଦା ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ । ବିନିଦାରେ ମଧ୍ୟ ପୋଖରୀଟିଏ ଖୋଳା ହେଲା । ସେଠାରେ ସେତେବେଳେ ପ୍ରଚଣ୍ଡ ଶୀତ, ସକାଳେ ଖରାଟିକିଏ ପଡ଼ିବା ମାତ୍ରକେ ଲକ୍ଷେ ଟଙ୍କା ପାଇବା ପରି ମନେ ହେଉଥିଲା-। ରାତିରେ ଘର ଭିତରେ ନିଆଁ ଜାଳି ଶୋଇବାକୁ ହେଉଥିଲା । ତଥାପି ଆନନ୍ଦ ଓ ଆତ୍ମୀୟତା ଭର୍ତ୍ତି ହୋଇ ରହିଥିଲା । ସେହି ଆତ୍ମୀୟତା ଭିତର ଓ ବାହାର ଉଭୟ କ୍ଷେତ୍ରକୁ ସ୍ପର୍ଶ କରି ରହିଥିଲା-। ପାହାଡ଼ ଓ ଘଞ୍ଚ ଅରଣ୍ୟ ଆମକୁ ପୂର୍ଣ୍ଣ ସଖ୍ୟ ପ୍ରଦାନ କରୁଥିଲେ । ଏହାପରେ ଏ ବର୍ଷର ଗ୍ରୀଷ୍ମକାଳୀନ ଶିବିର ଏବେ ଉଦ୍‌ଯାପିତ ହେଲା । ଆଗକୁ ଆମେ କେଉଁ କେଉଁ ଶିକ୍ଷାକେନ୍ଦ୍ରକୁ ଯିବୁ, ସେଥିଲାଗି ବନ୍ଧୁମାନେ ମୁକାମ ନେବାକୁ ଆସି ପହଞ୍ଚି ଗଲେଣି । ଆମେ ଶୀତଦିନେ ମୟୂରଭଞ୍ଜ ଜିଲ୍ଲାର ଶ୍ରୀମା ଶିକ୍ଷାସଦନଠାରେ ଏବଂ ଆଗାମୀ ବର୍ଷ ଗ୍ରୀଷ୍ମ କାଳରେ କୋରାପୁଟ ଜିଲ୍ଲାର ଏକ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରଠାରେ ଶିବିରିରେ ମିଳିତ ହେବୁ ବୋଲି ସ୍ଥିର ହୋଇ ଗଲାଣି । ତା’ପଛକୁ ଅନ୍ୟ ବନ୍ଧୁମାନେ ମଧ୍ୟ ଗୁଆ ଓ ମହାପ୍ରସାଦ ଧରି ଆସୁଥିବାର ଖବର ମିଳି ସାରିଲାଣି ।

 

ଏଥର ବ୍ରହ୍ମପୁରରେ ମଧ୍ୟ ସେହି ପୋଖରୀ ଖୋଳିବାର କାର୍ଯ୍ୟକ୍ରମ ଥିଲା । ଶିକ୍ଷାକେନ୍ଦ୍ର ପାଇଁ ଆଗାମୀ ଶିକ୍ଷାବର୍ଷକୁ ନୂତନ ଶ୍ରେଣୀ-ଗୃହ ଆବଶ୍ୟକ; ତେଣୁ ଆମେ ଗୋଟିଏ ପାଖରୁ ମାଟି ନେଇ ଆଉଗୋଟିଏ ପାଖରେ ମୂଳଦୁଆଟିଏ ପକାଇଥାନ୍ତୁ । ମାତ୍ର ଆଗରୁ କେତେଦିନ ଲଗାତର ମେଘ ବରଷିବା ଫଳରେ ମାଟି ଖୋଳା ହେବାକୁ ରହିଥିବା ଜାଗାରେ ପାଣି ଜମି ରହିଥିଲା । ତେଣୁ କାର୍ଯ୍ୟକ୍ରମ ବଦଳାଇବାକୁ ପଡ଼ିଲା । ବ୍ରହ୍ମପୁରର ବନ୍ଧୁମାନେ ଯେଉଁ ସ୍ଥାନରେ ଶ୍ରୀଅରବିନ୍ଦଙ୍କର ପବିତ୍ର ଦେହାବଶେଷର ଥାପନା କରିବାକୁ ମନସ୍ଥ କରିଛନ୍ତି, ଆମ ଶ୍ରମଶିବିରଟି ଏଥର ସେହିଠାକୁ ସ୍ଥାନାନ୍ତରିତ ହୋଇଯାଇଥିଲା । ସ୍ଥାନଟି ସହରର ବାହାରେ, ଶିକ୍ଷାକେନ୍ଦ୍ରଠାରୁ ୫/୬ କିଲୋମିଟର ରାସ୍ତା । ସେଠାରେ ପ୍ରଧାନ ଅଟ୍ଟାଳିକାଟିର ନିଅଁ ଖୋଳି ଗୋଡ଼ି ଓ ସିମେଣ୍ଟରେ ଚଟାଣଟିଏ ପ୍ରସ୍ତୁତ କରିବାକୁ ପଡ଼ିବ । କଳ୍ପିତ ଅଟ୍ଟାଳିକାର ପ୍ରଧାନ ଖୁଣ୍ଟଗୁଡ଼ିକ ସେହି ନିଅଁଗାତ ଭିତରୁ ଗଢ଼ାହୋଇ ଆସିବ । ପାଚେରୀର ବି ନିଅଁ ଖୋଳାହେବ ଏବଂ ପଥର ଓ ମୋରମ ପଡ଼ି ଦୋରସ୍ତ କରାଯିବ । ଦଶଦିନ ପାଇଁ ଆମେ ସେହି କାମ କରିବୁ ବୋଲି ସ୍ଥାନୀୟ ବନ୍ଧୁମାନଙ୍କ ସହିତ ଏକତ୍ର ବସି ନିଷ୍ପତ୍ତି ହୋଇଗଲା । ରାତିରୁ ପ୍ରାୟ କୋଡ଼ିଏ ସରିକି ସାଇକେଲ ଭଡ଼ା ହୋଇ ଆସିବାର ବ୍ୟବସ୍ଥା ହେଲା-। ପ୍ରତ୍ୟହ ସକାଳ ସାଢ଼େ ଚାରିଟା ସମୟରେ ଆମେ ସମସ୍ତେ ସାଇକେଲ ଚଢ଼ି କର୍ମସ୍ଥାନକୁ ଯାଉ-। ବାହାରର ସେହି ସ୍ନିଗ୍ଧ ବ୍ରାହ୍ମବେଳାଟି ଆମ ଭିତରଟାକୁ ମଧ୍ୟ ସ୍ନିଗ୍ଧ ଓ ସ୍ଵଚ୍ଛ କରିଦେଇ ଯାଏ । ଏହାଠାରୁ ଅଧିକ ଶୁଭସଂକ୍ରାମକ ଭାବରେ ମଣିଷର ଦିନଟି ଆଉ କିପରି ଆରମ୍ଭ ହୋଇ ପାରୁଥା’ନ୍ତା ! ସାଢ଼େ ଆଠଟା ବେଳକୁ କାମ ସାରି ଆମେ ପୁଣି ଶିକ୍ଷାକେନ୍ଦ୍ରକୁ ଫେରି ଆସୁ-। ଶିବିରର ଦିନମାନର ଅବଶିଷ୍ଟ କାର୍ଯ୍ୟକ୍ରମ ସେହି ଶିକ୍ଷାକେନ୍ଦ୍ରରେ ହିଁ ଚାଲେ ।

 

ଶ୍ରମ ସହିତ ଅଧ୍ୟୟନ ଏବଂ ଆଲୋଚନା ଯୋଡ଼ା ହୋଇ ରହିଥିଲା । ଉଭୟ ମଧ୍ୟରେ ଅନୁପାତଟି ଠିକ୍ ପୂର୍ବର ଶିବିରଗୁଡ଼ିକ ଭଳି । ଅର୍ଥାତ୍, ଦୈନିକ ଚାରିଘଣ୍ଟା ଶରୀରଶ୍ରମ ଏବଂ ପ୍ରାୟ ଚାରି ପାଞ୍ଚଘଣ୍ଟା ଅଧ୍ୟୟନ ଏବଂ ଆଲୋଚନା । ବ୍ରହ୍ମପୁର ଶିରିରରେ ଆମେ ଶ୍ରୀଅରବିନ୍ଦଙ୍କର ଲିଖିତ ‘ମାନବ-ଯୁଗଚକ୍ର’ ଗ୍ରନ୍ଥର ଶେଷ ଚାରୋଟି ଅଧ୍ୟାୟ ସମେତ ମୋଟ ପାଞ୍ଚଗୋଟି ଅଧ୍ୟାୟର ଅଧ୍ୟୟନ କରିଥିଲୁ ଏବଂ ସେଥିରେ ଥିବା ବିଷୟଗୁଡ଼ିକ ଉପରେ ବିଶଦ ଆଲୋଚନାମାନ କରାଯାଇଥିଲା । ଏହି କ୍ରମରେ ପଛକୁ ଅନାଇଲେ ମନେ ପଡ଼ୁଛି, ପ୍ରଥମ ଦୁଇଟି ଶିବିରରେ ଆମେ ମାଆଙ୍କର ପ୍ରଶ୍ନ ଓ ଉତ୍ତର ଗ୍ରନ୍ଥଗୁଡ଼ିକର ବିଭିନ୍ନ ପର୍ଯ୍ୟାୟରୁ ଅଧ୍ୟୟନ କରିଛୁ । ଡେରା ଓ ଗୋପୀନାଥପୁର ଶିବିରରେ ‘ଯୋଗ-ସମନ୍ଵୟ’ ଗ୍ରନ୍ଥର ମୂଳରେ ଥିବା ପ୍ରାୟ ଆଠ ଦଶ ଗୋଟି ଅଧ୍ୟାୟ ଏକତ୍ର ପାଠ କରି ଆଲୋଚନା କରିଛୁ ଏବଂ ବିନିଦାଠାରେ ମୂଳ ସଂସ୍କୃତ ଈଶାବାସ୍ୟୋପନିଷଦର ଅଧ୍ୟୟନ କରିଛୁ । ଏଥର ବ୍ରହ୍ମପୁର ଶିବିରର ଗୋଷ୍ଠୀରେ ଆମ ସହିତ ପାଞ୍ଚଜଣ ତରୁଣ ଡାକ୍ତର ବନ୍ଧୁ ରହିଥିଲେ, କେତେଜଣ ଇଂଜିନିୟର ଏବଂ ଅଧ୍ୟାପକ ରହିଥିଲେ । ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର କେତେଜଣ ଅଧ୍ୟକ୍ଷ ଏବଂ ଶିକ୍ଷକ ମଧ୍ୟ ଥିଲେ । ଦକ୍ଷିଣର କୋରାପୁଟ, ପଶ୍ଚିମର ସମ୍ବଲପୁର ଓ ଉତ୍ତରର ଭୋଗରାଇ ସମେତ ଆମେ ସମସ୍ତେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଯାଇ ରୁଣ୍ଡ ହୋଇଥିଲୁ । ରାତିର ଅଧ୍ୟୟନ ଏବଂ ଆଲୋଚନା ସମୟକୁ ସ୍ଥାନୀୟ ବହୁ ବନ୍ଧୁ ତଥା ଜିଜ୍ଞାସୁ ଆମର ସାନ ମେଳଟିକୁ ଏକ ବୃହତ୍ତର ସାକାରତା ପ୍ରଦାନ କରୁଥିଲେ । ଉପରବେଳାର ଆଲୋଚନା ସମ୍ପୂର୍ଣ୍ଣ ବ୍ୟକ୍ତିଗତ ଥିଲା । ଯେଉଁଭଳି ଅନ୍ତରଙ୍ଗ ଆଲୋଚନା ଦ୍ଵାରା ବ୍ୟକ୍ତି ଅଧିକରୁ ଅଧିକ ସଂକୋଚହୀନ ଏବଂ ଶ୍ରଦ୍ଧାଯୁକ୍ତ ଭାବରେ ସ୍ଵନିର୍ବାଚିତ ଗୋଷ୍ଠୀଟିର ନିକଟବର୍ତ୍ତୀ ହୋଇଆସେ ଏବଂ ସଂସ୍କାରଗତ ବହୁ ବ୍ୟବଧାନକୁ ଅତିକ୍ରମ କରିଯାଏ, ଏଗୁଡ଼ିକ ହେଉଛି ସେହିଭଳି ଏକ ବ୍ୟକ୍ତିଗତ ଆଲୋଚନା । ଆମେ ସମସ୍ତେ ଯେତେବେଳେ ଗୋଟିଏ ଆହ୍ଵାନର ଆକର୍ଷଣରେ ପରସ୍ପରକୁ ଆବିଷ୍କାର କରି ପରସ୍ପର ନିକଟରେ ଆସି ପହଞ୍ଚିଛୁ, ଏକ ନୂତନ ପରିବାରକୁ ଠାବ କରି ଏକ ଦ୍ଵିଜତ୍ଵ ଗ୍ରହଣ କରିଛୁ, ସେତେବେଳେ ଆମ ଭିତରେ ଆଉ କୌଣସି ମିଛ ଦୂରତା ଏବଂ ଶଙ୍କା କାହିଁକି ରହିବ ?—ଏହିପରି ଗୋଟିଏ ଆସ୍ପୃହାର ଭିତ୍ତି ଉପରେ ଆମର ବ୍ୟକ୍ତିଗତ ଆଲୋଚନା ପର୍ଯ୍ୟବସିତ ହୋଇ ରହିଥାଏ । ବାହାର ସଂସାରର ବହୁ କୁଣ୍ଠା ଓ କୃତ୍ରିମତା ଏହାରି ଫଳରେ ଭାଙ୍ଗେ । ଭିତରକୁ ଆଗକୁ ଆଗକୁ ଦିଶି ପାରୁଥିବା ସଙ୍ଗେ ସଙ୍ଗେ ବାହାରେ ମଧ୍ୟ ପରସ୍ପର ମଧ୍ୟକୁ ବାଟ କାଢ଼ି ହୋଇଯାଏ । ପରସ୍ପର ମଧ୍ୟରେ ପ୍ରଚ୍ଛନ୍ନ ହୋଇ ରହିଥିବା ସେହି ପରମ ସର୍ବୋତ୍ତମଙ୍କୁ ଚିହ୍ନିବା ଯେ କେଡ଼େ ସହଜ, ସେହି କଥାଟି ସୁରାଖ ମଧ୍ୟ ମିଳିଯାଏ ।

 

ଆଉଗୋଟିଏ କଥା ଆମ କେତେଜଣ ବନ୍ଧୁଙ୍କ ଭିତରେ ବିଗତ ବେଶ୍ କେତେ ମାସ ହେଲା ଆମକୁ ଆଲୋଡ଼ିତ କରି ରଖିଥିଲା, ଏଥର ଶ୍ରମଶିବିବିରର ବ୍ୟକ୍ତିଗତ ଆଲୋଚନା ସମୟରେ ସେଇଟି ମଧ୍ୟ ଏକ ନିର୍ଦ୍ଦିଷ୍ଟ ଆକାର ଧାରଣ କଲା । ଓଡ଼ିଶାରେ ଏବେ ପ୍ରାୟ ଷାଠିଏଟି ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ସ୍ଥାପିତ ହୋଇ ସାରିଲାଣି, ପଛକୁ ପଛକୁ ଆଉ କେତେକ ମଧ୍ୟ ଆସୁଛନ୍ତି । ଏହି ଶିକ୍ଷାକେନ୍ଦ୍ର ଗୁଡ଼ିକରେ ପ୍ରାୟ ତିନି ବା ଚାରିଶହ ଭାଇ ଓ ଭଉଣୀ ଶିକ୍ଷକ ରୂପେ ଯୋଗ ଦେଇଛନ୍ତି ଏବଂ ସମଗ୍ର ଭାବରେ ଏକ ନୂତନ ପ୍ରୟୋଗକୁ ଏକ କ୍ରମ-ପ୍ରସ୍ଫୁଟନର ବାଟରେ ଅଗ୍ରସର କରାଇ ନେଉଛନ୍ତି । ବ୍ୟକ୍ତିଗତ କ୍ଷେତ୍ରରେ ରହିଥିବା ଯାବତୀୟ ସ୍ୱଳ୍ପତା ଏବଂ ସୀମିତତା ସତ୍ତ୍ୱେ ତଥାପି ସେମାନଙ୍କ ମଧ୍ୟରେ ଏକ ସଙ୍କଳ୍ପ ରହିଛି; ସେମାନେ ଯେ ନିଜ ପାଇଁ ସତେଅବା ଏକ ନିର୍ଦ୍ଦିଷ୍ଟ ପଥଟିଏ ନିର୍ବାଚନ କରିବାର କ୍ରମରେ ଏଯାଏ ଆସି ପହଞ୍ଚି ପାରିଛନ୍ତି, ସେଇ କଥାଟି ଅଧିକରୁ ଅଧିକ ସ୍ପଷ୍ଟ ହୋଇଯିବାରେ ଲାଗିଛି । ଏ ଯୁଗରେ ଆମ ଚାରିପାଖରେ ବ୍ୟକ୍ତିଗତ ସଫଳତା ଓ ସ୍ଵାର୍ଥପରତାର ଜୀବାଣୁଗୁଡ଼ାକ ସତେଅବା ସବୁଯାକ ପବନକୁ ଫଣଫଣ କରି ରଖିଥିବା ବେଳେ ଆମେ ଯେ ଏତେଗୁଡ଼ିଏ ଭାଇ-ଭଉଣୀଙ୍କୁ ସାଙ୍ଗରେ ପାଇପାରିଛୁ, ତାହା ଆମ ଜୀବନରେ ଓ ଏହି ଉଦ୍ୟମଟିର କ୍ଷେତ୍ରରେ ଆଦୌ କମ୍ କରୁଣାର କଥା ନୁହେଁ । ଏହି ଭାଇ-ଭଉଣୀମାନେ ସବୁଠାରେ ଅଧିକ କାର୍ଯ୍ୟ କରୁଛନ୍ତି, ଏବଂ ସେହି କାମ ଲାଗି ଯାହା ଆମଠାରୁ ପାଉଛନ୍ତି, ତାହା ହୁଏତ ଗୋଡ଼କୁ ପାଇଲେ ମୁଣ୍ଡକୁ ପାଉନାହିଁ ଏବଂ ମୁଣ୍ଡକୁ ପାଇଲେ ଗୋଡ଼କୁ ପାଉନାହିଁ । ଏବଂ ସବୁଠାରୁ ଅଧିକ ସତକଥା ହେଉଛି ଯେ, ଏହି ଶିକ୍ଷାକେନ୍ଦ୍ର ଓ ସେଥିରେ କାର୍ଯ୍ୟ କରୁଥିବା ଭାଇଭଉଣୀମାନେ ବିକାଶ ଓ ସାମର୍ଥ୍ୟର କ୍ଷେତ୍ର ଆଦୌ ପରସ୍ପର ସହିତ ସମାସୋପାନରେ ନାହାନ୍ତି । କିଏ କେତେ ଆଗରେ ଯାଇ ହେଲାଣି ତ ଆଉ କିଏ କେତେ ପଛରେ ଯାଇ ରହିଛି । ତଥାପି ଅଟକି ଯାଇନାହିଁ, ଗୋଟିଏ ଗୋଟିଏ ପାଦ ପକାଇ ତଥାପି ଆଗକୁ ଆସୁଛି-

 

ଆମ ଶିକ୍ଷାକେନ୍ଦ୍ରଗୁଡ଼ିକ ମଧ୍ୟରୁ କେତୋଟିଙ୍କୁ ସରକାର କିଞ୍ଚିତ୍ ଅର୍ଥ ସାହାଯ୍ୟ ଦେଉଛନ୍ତି । କେତେକ ସ୍ଥାନରେ କେତେକ ବଦାନ୍ୟ ବ୍ୟକ୍ତିଙ୍କର ସାହାଯ୍ୟ ମଧ୍ୟ ଆମ ଲାଗି କେତେ ଢୋକ ପରି କାମ ଦେଉଛି । ମାତ୍ର, ଶିକ୍ଷାକେନ୍ଦ୍ରଗୁଡ଼ିକର ଅସଲ ବଳ ଓ ଦମ୍ଭ ବଢ଼ିବ ସେହି ଶିକ୍ଷାକେନ୍ଦ୍ରଗୁଡ଼ିକର ପାରସ୍ପରିକ ନିର୍ଭରଶୀଳତା ବୃଦ୍ଧି ପାଇବା ଦ୍ଵାରା । ଏହି ପାରସ୍ପରିକତା ହିଁ ବିଶ୍ଵାସଗୁଡ଼ିକୁ ମଜବୁତ୍ କରି ରଖିବ । ଆହୁରି ଅଧିକ ସ୍ପଷ୍ଟ ଭାବରେ କହିଲେ, ଆମ ଶିକ୍ଷାକେନ୍ଦ୍ରମାନଙ୍କରରେ ମୀମାଂସକ ଗୋଟିଏ ଗୋଟିଏ ଗଣ୍ଠିହୋଇ ସୂତାଗୁଡ଼ିକୁ ନାନା ଖିଅରେ ବାନ୍ଧି ରଖିଥିବା ଶିକ୍ଷକ ମାନଙ୍କର ବଳ, ବିଶ୍ଵାସ ଏବଂ ପାରସ୍ପରିକତା ବଢ଼ିଲେ ଯାଇ ସମଗ୍ର ଉଦ୍ୟମଟିର ବଳ ବଢ଼ିବ । ତା’ପରେ ଆମର କଷ୍ଟକର ପ୍ରୟାସଗୁଡ଼ିକ ମଧ୍ୟ ଆମ ଲାଗି ସହଜ ପରି ଲାଗିବ । ଆମର ଟିପଗୁଡ଼ିକ ଟାଣ ହେବ । ଆମେ କେତେଜଣ ବନ୍ଧୁ ବହୁଦିନରୁ ସେହିଦିଗରେ ଚିନ୍ତା କରି ଆସୁଥିଲୁ । ଏହି ବ୍ରହ୍ମପୁର ଶିବିରରେ ତାହାର ଏକ ସାକାର ମୂଳଦୂଆ ପଡ଼ି ପାରିଲା । ଆମେ ସମସ୍ତେ ମିଶି ଏପରି ଗୋଟିଏ ସୁହୃଦଗୋଷ୍ଠୀ ତିଆରି କରିବୁ, ଯେଉଁମାନେ କି ଓଡ଼ିଶାର ଶିକ୍ଷାକେନ୍ଦ୍ରଗୁଡ଼ିକ ସହିତ ଆପଣାକୁ ଅଧିକରୁ ଅଧିକ ସାକାର ଭାବରେ ଜଡ଼ିତ ଓ ସଂଶ୍ଳିଷ୍ଟ କରି ରଖିବେ; ଯଥାସମ୍ଭବ ଅଧିକ ଅନୌପଚାରିକ ଭାବରେ ସେହି ସଂଶ୍ଳେଷଣ ଆପଣାକୁ କ୍ରିୟାଶୀଳ କରି ରଖିବାକୁ ଚେଷ୍ଟା କରିବ । ଏହି ବନ୍ଧୁମାନେ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରଗୁଡ଼ିକୁ ଥରକୁ ଥର ଯିବେ, ସେଗୁଡ଼ିକରେ ଶିକ୍ଷକ ଏବଂ ପରିଚାଳକ ଭାବରେ କାର୍ଯ୍ୟ କରୁଥିବା ସମସ୍ତଙ୍କ ସହିତ ବ୍ୟକ୍ତିଗତ ସମ୍ପର୍କ ରଖିବେ ଓ ସେମାନଙ୍କ ଦୁଃଖସୁଖରେ ମଧ୍ୟ ଭାଗୀ ହେବେ । କେବଳ ତଥାକଥିତ କୌଣସି ସମସ୍ୟା ଉପୁଜିଲେ ହିଁ ବାହାରୁ ସେଗୁଡ଼ିକର ସମାଧାନ କରିବା ଲାଗି ସେମାନେ ସେଠାକୁ ଯିବେ ନାହିଁ । ଏସବୁ ଲାଗି ଅନ୍ୟମାନେ ତ ସର୍ବଦା ରହିଥିବେ । ମାତ୍ର, ସେମାନଙ୍କୁ ଆପଣାର କାର୍ଯ୍ୟରେ ଅଧିକ ଉତ୍ସାହ ଏବଂ ବଳ ଯୋଗାଇ ଦେବାକୁ ଏମାନେ ସେଠାକୁ ଯାଉଥିବେ । ସଂଶୟ ବେଳେ ଆଗକୁ ବାଟ ଫିଟାଇ ଦେବେ । ଖିଅଗୁଡ଼ାକ ହାତଛଡ଼ା ହୋଇ ଯାଉଥିବା ପରି ବୋଧ ହେଉଥିବା ସମୟରେ ସେମାନେ ସେଗୁଡ଼ିକୁ ପୁନର୍ବାର ପାଇ ପାରିବାରେ ଅବଶ୍ୟକ ସହାୟତା କରୁଥିବେ ।

 

ଏବଂ, ଏହି ସୁହୃଦଗୋଷ୍ଠୀ ହାତରେ ଗୋଟିଏ ପାଣ୍ଠି ରହିବ । ସେହି ପାଣ୍ଠିର ପରିମାଣାତ୍ମକ ମହତ୍ତ୍ଵ ଯାହା ହେଉ ବା ନହେଉ ପଛକେ, ଏକ ପ୍ରତୀକାତ୍ମକ ମୂଲ୍ୟ ତା’ଠାରୁ ଅନେକ ଅଧିକ ହୋଇ ରହିବ । ଏହି ପାଣ୍ଠି ମୁଖ୍ୟତଃ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରକୁ ଚଳାଉଥିବା ଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କର ସ୍ଵେଚ୍ଛାପ୍ରବୃତ୍ତ ଅର୍ଥଦାନ ଦ୍ଵାରା ଗଠିତ ହେବ । ସେମାନେ ଯେତେବେଳେ ଯାହା ଇଚ୍ଛା କରିବେ, ସେତେବେଳେ ତାହାଦେଇ ଏହାକୁ ପରିପୁଷ୍ଟ କରୁଥିବେ । ଅନ୍ୟ ବନ୍ଧୁ ଓ ଶୁଭେଚ୍ଛୁମାନେ ମଧ୍ୟ କିଛି କିଛି ଦେବେ । ପରିମାଣ ନିର୍ବିଶେଷରେ ଗଭୀର କୃତଜ୍ଞତା ସହିତ ସେହି ଦାନ ଓ ସାହାଯ୍ୟକୁ ଗ୍ରହଣ କରାଯିବ । ଏହି ପାଣ୍ଠିରୁ ଅର୍ଥ ନେଇ ବିଭିନ୍ନ କାର୍ଯ୍ୟରେ ଲଗାଇ ପାରିବାକୁ ମଝିରେ ଗୋଟିଏ ସାନ କମିଟି ରହିବ । କମିଟିର ସଦସ୍ୟମନେ ବିଭିନ୍ନ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ସହିତ ପ୍ରତ୍ୟକ୍ଷ ଓ ବ୍ୟକ୍ତିଗତ ଯୋଗସୂତ୍ର ରଖିଥିବେ । ପ୍ରଧାନତଃ ସେହି ପ୍ରତ୍ୟକ୍ଷ ସମ୍ପର୍କକୁ ଭିତ୍ତି କରି ସେମାନେ ବିଭିନ୍ନ ଶିକ୍ଷାକେନ୍ଦ୍ର ଅଥବା ଶିକ୍ଷକ ଭାଇଭଉଣୀମାନଙ୍କର ତାତ୍କାଳିକ ଅତ୍ୟାବଶ୍ୟକତା ଗୁଡ଼ିକର ସମ୍ବାଦ ନେବେ ଓ ସାମର୍ଥ୍ୟ ଅନୁସାରେ ସେମାନଙ୍କୁ କିଛି ଅର୍ଥ ସାହାଯ୍ୟ କରିପାରିବେ । ସ୍ଥଳବିଶେଷରେ ତାହାକୁ ଧାରସୂତ୍ରରେ ମଧ୍ୟ ଦିଆଯାଇ ପାରୁଥିବ । ପାଣ୍ଠି ଲାଗି ଅର୍ଥ-ସଂଗ୍ରହର ଆଉ ଗୋଟିଏ ଉପାୟ ହିସାବରେ ଇତିମଧ୍ୟରେ ଆମେ ଆଉ ଏକ କଥା ମଧ୍ୟ ଚିନ୍ତା କରିଛୁ ଏବଂ ଏହି ଦିଗରେ କିଛି କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଯାଇଛି । ଆମେ ମଝିରେ ମଝିରେ କିଛି ବହି ବାହାର କରିବୁ ଓ ତାହାର ବିକ୍ରୀଲବ୍ଧ ଲାଭକୁ ଉକ୍ତ ପାଣ୍ଠିରେ ଆଣି ମିଶାଇବୁ । ଆମେ କେତେଜଣ ବହିଟିଏ ବାହାର କରିବା ଲାଗି ଚିନ୍ତା କରୁଥିବା ସମୟରେ ବ୍ରହ୍ମପୁରର ଜଣେ ବନ୍ଧୁ ଗତ ଏପ୍ରିଲ ମାସରେ ସେହି ବହିର ମୁଦ୍ରଣ ବ୍ୟୟ ସ୍ଵୟଂବହନ କରିବେ ବୋଲି ଆପଣା ଆଡ଼ୁ ଆଗ୍ରହ ପ୍ରକାଶ କରି ପତ୍ର ଲେଖିଲେ ଏବଂ ବହିଟିଏ ଛାପିବା ଲାଗି ପ୍ରେସ୍‌ଟିଏ ମଧ୍ୟ ଯୋଗାଡ଼ କରିନେଲେ-। ପ୍ରାୟ ଗୋଟାସୁଦ୍ଧା ତାଙ୍କରି ଉତ୍ସାହ ଓ ଉଦ୍ୟମ ଫଳରେ ବ୍ରହ୍ମପୁର ଶ୍ରମଶିବିରର ଶେଷ ଦିନକୁ ଆମର ପ୍ରଥମ ପ୍ରକାଶନ “ମାତୃଭୂବନ-ପତ୍ର” ପ୍ରସ୍ତୁତ ହୋଇ ଆମ ପାଖକୁ ଆସିଲା । ଶିବିରରେ ଉପସ୍ଥିତ ବନ୍ଧୁମାନେ ସେହି ବହିଟିର ବିକ୍ରୟ ଲାଗି ଆଗକୁ ବାହାରି ଆସିଲେ । ଆହୁରି ଅନେକ ବନ୍ଧୁ ଏହିପରି ଆପେ ଆଗେଇ ଆସିବେ ବୋଲି ଆମେ ବିଶ୍ଵାସର ସହିତ ଅପେକ୍ଷା କରି ରହିଛୁ-। ଆମେ ସେହି ପୁସ୍ତିକାଟିକୁ ନିଜେ କିଣିବା ଓ ଅନ୍ୟମାନଙ୍କୁ ମଧ୍ୟ ବିକ୍ରୀ କରିବା । ମୁଦ୍ରଣଖର୍ଚ୍ଚ ଫେରାଇ ଦିଆଯିବା ପରେ ଆମ ପାଖରେ ଯେଉଁ ପଇସା ରହିବ, ତାହା ଉକ୍ତ ପାଣ୍ଠିରେ ମିଶିବ-। ଏଇଟି ପରେ ଆଉ କେତୋଟି ପୁସ୍ତିକା ମଧ୍ୟ ବାହାରିବାର ଯୋଜନା ରହିଛି । ଓଡ଼ିଶାରେ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରଗୁଡ଼ିକୁ ଏକ ଆଗାମୀ ଆନ୍ଦୋଳନର ନିମିତ୍ତ ବା କେନ୍ଦ୍ର ବୋଲି ଯେଉଁମାନେ ବିଶ୍ଵାସ କରନ୍ତି, ମୂଳତଃ ସେହିମାନଙ୍କ ଉପରେ ଭରସା ରଖି ପୁସ୍ତକ ପ୍ରକାଶନର ଏହି କାର୍ଯ୍ୟକ୍ରମଟିକୁ ହାତକୁ ନିଆଯାଇଛି । ସେମାନେ ଆମ ସହିତ ଅବଶ୍ୟ ଅଛନ୍ତି ।

 

ଏହି ନୂତନ ଶିକ୍ଷାର ଆନ୍ଦୋଳନଟି ଆମ ରାଜ୍ୟରେ ଗତ ପ୍ରାୟ ପନ୍ଦର ବର୍ଷ ହେଲା ଆରମ୍ଭ ହୋଇଛି । ଆନ୍ଦୋଳନଟିର ଅଗ୍ରଗତି ହେଉଥିବା ସଙ୍ଗେ ସଙ୍ଗେ ଅଭିବୃଦ୍ଧି-ଜନିତ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି ଓ ସେହି ସମସ୍ୟାଗୁଡ଼ିକ ଅତିକ୍ରମ କରିବା ଉପରେ ହିଁ ଆନ୍ଦୋଳନର ଅସଲ ସଫଳତାଗୁଡ଼ିକ ବହୁ ପରିଣାମରେ ନିର୍ଭର କରୁଛି । ଆମେ ଏଣିକି ପରସ୍ପରର ଆହୁରି ପାଖେ ପାଖେ ରହିବା, ଆହୁରି ଅନ୍ତରଙ୍ଗ ଭାବରେ ପରସ୍ପରର ଅନୁଭବ ଓ ଅଭିଜ୍ଞତାଗୁଡ଼ିକରେ ଅଂଶୀଦାର ହୋଇ ରହିବା,—ହୁଏତ ବର୍ତ୍ତମାନ ଏହାହିଁ ଆମ ଆଗରେ ସବୁଠାରୁ ଅଧିକ ତାତ୍ପର୍ଯ୍ୟପୂର୍ଣ୍ଣ ଆବଶ୍ୟକତା ରୂପେ ଆସି ଉପସ୍ଥିତ ହୋଇଛି । ଜ୍ୟେଷ୍ଠମାନେ କନିଷ୍ଠମାନଙ୍କୁ ହାତ ଧରି ଆଗକୁ ବାଟ କଢ଼ାଇ ନେବାକୁ ସମ୍ମତ ହେଲେ ଯାଇ ଆମ ଭିତରେ ଅସଲ ଆସ୍ପୃହାଗୁଡ଼ିକ କ୍ରିୟାଶୀଳ ହୋଇ ରହିପାରିବ । ମନୁଷ୍ୟ-ସମାଜରେ ଏକ ଅନ୍ୟ ଆତ୍ମୀୟତାର ସ୍ଥାପନା ହେଉ ବୋଲି ମନାସି ଆମେ ଯେଉଁମାନେ ସତେଅବା କାହାର ଡାକ ଶୁଣୁଥିବା ପରି ନୂଆ ବାଟଟିରେ ବାହାରି ଆସିଛୁ ଓ ସେହି ବାଟ ଉପରେ ହିଁ ପରସ୍ପରକୁ ଆସି ଭେଟିଛୁ, ଆମର ପାରସ୍ପରିକ ସମ୍ବନ୍ଧଗୁଡ଼ିକର କ୍ଷେତ୍ରରେ ସେହି ଆତ୍ମୀୟତା ହିଁ ଆମର ସବାବଡ଼ ସନ୍ତକ ହୋଇ ରହିବା ଉଚିତ । ଆମେ ପରସ୍ପରକୁ ଲୋଡ଼ିବା,—ତାହା ହିଁ ଆମର ସବୁଠାରୁ ଅଧିକ ନିର୍ଭରଯୋଗ୍ୟ ବଳ ହୋଇ ଆମକୁ ସୋପାନରୁ ସୋପାନକୁ ଆଗେଇ ନେଇଯିବ । ସାନ ସାନ ଉଦ୍ୟମ ଓ ଆନ୍ତରିକତାଗୁଡ଼ିକ ମିଶି ଏକ ଅପ୍ରତିରୋଧ୍ୟ ବୃହତ୍ ଶକ୍ତିକୁ ସମ୍ଭବ କରି ଆଣିବ ।

 

ସେପ୍ଟେମ୍ବର, ୧୯୮୭

Image

 

ଭଗବାନ ଯେତେବେଳେ…

 

ଯେତେବେଳେ ଭଗବାନ୍ ପୃଥିବୀକୁ ଆସନ୍ତି, ସେତେବେଳେ ସିଏ କ’ଣ ମଠାଲୁଗା ପିନ୍ଧି ଡଉଲଡାଉଲ ହୋଇ ଆସନ୍ତି, କୁଣିଆ ହୋଇ ଆମ ଘରକୁ ଆସନ୍ତି, ଆମ ଘରେ ପୀଢ଼ା ଉପରେ ବସି ଭୋଗ ଖାଇବାକୁ ଆସନ୍ତି ? ସିଏ କ’ଣ ଆମ ମନ୍ଦିରମାନଙ୍କରରେ ପୂଜା ପାଇବା ସକାଶେ ଆସନ୍ତି ? ଆମେ ପୃଥିବୀର ମଣିଷମାନେ କେତେ ନା କେତେ ସୂତରରେ ତାଙ୍କୁ ଏକଣା ଘରଟିଏ ଦେଖି ଠାକୁର କରି ବସାଇ ଦେଉ, ବିଶେଷ ବେଳମାନ ଦେଖି ତାଙ୍କର ଉପାସନା କରିବାକୁ ଯାଉ,—ତାଙ୍କ ପାଇଁ ବିଶେଷ ବିଶେଷ ଚର୍ଚ୍ଚା ଓ ଉପଚାରମାନ ଖଞ୍ଜି ଦେଇଥାଉ ଓ ଏହିପରି ଭାବରେ ଏଇଟା ଏବଂ ସେଇଟା ଖଞ୍ଜି ଦେଇଛୁ ବୋଲି ମନେମନେ କେତେ ଗର୍ବ ଅନୁଭବ କରୁଥାଉ, ନିଜକୁ କେଡ଼େ ଉଞ୍ଚ ପରି ଅନୁଭବ କରୁଥାଉ । ଆମେ ସେତେବେଳେ ଭଗବାନଙ୍କୁ ସତେଅବା ନିଜ ଘରେ ବାନ୍ଧି ରଖିଥାଉ ।

 

ପୃଥିବୀର ପଙ୍କୋଦ୍ଧାର କରିବା ନିମନ୍ତେ ଭଗବାନ୍ ଏହି ପୃଥିବୀକୁ ଆସନ୍ତି । ଆମର ନିଦ ଭଙ୍ଗାଇବାକୁ ଆସନ୍ତି; ଆମେ ଯେତିକି ଭିତରେ ଆବଦ୍ଧ ହୋଇ ରହିଥାଉ, ସିଏ ସେଗୁଡ଼ାକର ବାଡ଼ ଭାଙ୍ଗିଦେବାକୁ ଆସନ୍ତି, ଆମକୁ ଗଡ଼ିଆ ଭିତରୁ ବାହାର କରି ନେଇ ମହାସାଗରର ସ୍ପର୍ଶ ଦେବାକୁ ଆସନ୍ତି । ସିଏ ଭୟବିମୋଚନ ହୋଇ ଆସନ୍ତି, ଅନେକ ସମୟରେ ବଡ଼ ନୃଶସ ହୋଇ ଆସନ୍ତି । ଆମ ଭିତରେ ରହିଥିବା ଅନେକ ଜଡ଼ତା ଏବଂ ଶିଥିଳତାକୁ ଭାଙ୍ଗି ଦେବାଲାଗି ଆସନ୍ତି, ଆମର ଆଖି ଭିତରୁ ନାନାବିଧ ମୋହର କାଳିମା ଓ ମିଛବିଶ୍ଵାସର ମଳିକୁ ପୋଛିଦେବାକୁ ଆସନ୍ତି-। ସିଏ ଆମକୁ ନିର୍ମଳ କରିଦିଅନ୍ତି, ଆମର ଦୁଆରଗୁଡ଼ିକୁ ସମଗ୍ରଟି ଆଡ଼କୁ ଉନ୍ମୋଚିତ କରିଦେବାକୁ ଆସନ୍ତି । ଆମେ ନିଜର ଅତି ସାନ ଘରଟି ଭିତରେ କିଳି ହୋଇ ରହି ନିରାପତ୍ତା ଖୋଜୁଥାଉ, ଅପାଣାକୁ ଅନେକ ଆକାଶ ଓ ଅନେକ ଆଲୋକରୁ ବଞ୍ଚିତ କରି ରଖିଥାଉ । ସିଏ ଝରକାଗୁଡ଼ାକୁ ଖୋଲି ଦିଅନ୍ତି, ଆମକୁ ଏହି ସମଗ୍ରଟି ସହିତ ଯୋଡ଼ି ଦିଅନ୍ତି,—ଆମର ବିମୋଚନ ଘଟାନ୍ତି-। ସେହି ବିମୋଚନ ହିଁ ଆମକୁ ଅସଲ ନିରାପତ୍ତା ଆଣିଦିଏ; ଏତେବେଳଯାଏ ଆମେ ହୁଏତ କେବଳ ନିଜର ହୋଇ ରହିଥିଲୁ, ଏଣିକି ସତକୁ ସତ ତାଙ୍କରି ହୋଇଯାଉ । ତାଙ୍କରି ହୋଇଗଲେ ଯେ ନିଜର ସଞ୍ଚିତ ଦରବଗୁଡ଼ିକୁ ହରାଇବାକୁ ପଡ଼େ, ସେକଥା ମୋଟେ ନୁହେଁ । ତାଙ୍କରି ହୋଇଯାଇ ପାରିଲେ ସେଗୁଡ଼ିକ ପରିପୂର୍ଣ୍ଣତା ଲାଭ କରନ୍ତି, ମହିମାନ୍ଵିତ ହୁଅନ୍ତି ।

 

ଭଗବାନ ଯେତେବେଳ ପ୍ରକୃତରେ ଅନୁଗ୍ରହ କରନ୍ତି, ସେତେବେଳେ ଆମକୁ ସିଏ ନିମିତ୍ତରୂପେ ବାଛି ନିଅନ୍ତି । ତାଙ୍କର ନିମିତ୍ତ ହୋଇପାରିବାକୁ ଅଧ୍ୟାତ୍ମଶାସ୍ତ୍ରରେ ମହାଭାଗ୍ୟ ବୋଲି କୁହାଯାଏ । ସଂସାରରେ ତାଙ୍କରି କାମରେ ତାଙ୍କରି ଦ୍ଵାରା ବ୍ୟବହୃତ ହେବା,—ତାହା ହିଁ ଆମର ସର୍ବବିଧ କଳୁଷକୁ ହରଣ କରି ନେଇଥାଏ । ଆମ ଭିତରେ ଏପରି ଅନେକ ମଣିଷ ଥାଆନ୍ତି, ଯେଉଁମାନେ କି ସବାଆଗ ସୁଖ ଚାହୁଥାଆନ୍ତି, ନିଜ ପାଇଁ ଶାନ୍ତି ଓ ସମୃଦ୍ଧି ଇଚ୍ଛା କରୁଥାନ୍ତି । ନିଜର ଅହଂକାର ଏବଂ ଉଚ୍ଚ ଆକାଂକ୍ଷାଗୁଡ଼ିକୁ ସତେଅବା ସୁନା ରୂପାର ଅଳଙ୍କାର ପିନ୍ଧାଇ ସଂସାରରେ ଅନ୍ୟମାନଙ୍କଠାରୁ ଅଧିକ ହୋଇ ଦିଶିବାକୁ ଇଚ୍ଛା କରୁଥା’ନ୍ତି । ସେହିମାନେ ହିଁ ଭଗବାନଙ୍କୁ ପାଖରେ ବାନ୍ଧିରଖିବେ ବୋଲି ତାଙ୍କ ଲାଗି ଚକଚକ ପଥରରେ ମନ୍ଦିର ଗଢ଼ାଇ ଦିଅନ୍ତି, ତାଙ୍କର ନାନାବିଧ ପ୍ରତିମା ବା ପ୍ରତୀକମାନ ଗଢ଼ି ସେଥିରେ ସୁନା, ରୂପା ଓ ମଖମଲଗୁଡ଼ାକୁ ନେଇ ଖଞ୍ଜି ଦିଅନ୍ତି,—ଭଗବାନ ସେଇଠି ତାହାରି ଭିତରେ କିଳିହୋଇ ରହିଲେ ବୋଲି କେଡ଼େ ପ୍ରଲୁବ୍ଧ ଭାବେ ବିଶ୍ଵାସ କରୁଥାଆନ୍ତି । ସେମାନେ ସତେଅବା ମୂଳତଃ ଆପଣାର ଦର୍ପଣଗୁଡ଼ାକ ଉପରେ ହିଁ ଭଗବାନଙ୍କୁ ଦେଖନ୍ତି । ଭଗବାନଙ୍କୁ ମଧ୍ୟ ସୁନାରୂପା ଓ ବିଧିବିଧାନ ଦ୍ଵାରା ପ୍ରଲୁବ୍ଧ କରାଯାଇ ପାରିବ ବୋଲି ଭାବୁଥାଆନ୍ତି । ସେମାନେ ନିମିତ୍ତ ହୋଇ ପାରନ୍ତି ନାହିଁ, ସେମାନେ ତାଙ୍କ କାମରେ ମୋଟେ ବ୍ୟବହୃତ ହୋଇ ପାରନ୍ତି ନାହିଁ । ଅନେକ ସମୟରେ ନିଜର ତଥାକଥିତ ନାନା କାର୍ଯ୍ୟରେ ତାଙ୍କୁ ବ୍ୟବହାର କରିବାର ଫନ୍ଦି କରୁଥା’ନ୍ତି । ସେମାନେ ବହୁତକୁ ଅଳପ ଭିତରେ ବାନ୍ଧି ରଖିବାକୁ ମନ କରୁଥା’ନ୍ତି, ଧର୍ମ ନାମରେ ଭ୍ରମରେ ବାଇ ହୋଇ ରହିଥା’ନ୍ତି ।

 

ଯେତେବେଳେ ଆମେ ନାନାବିଧ କାରଣରୁ ଆମ ଜୀବନ ଭିତରୁ ଭଗବାନଙ୍କୁ ବହିଷ୍କୃତ କରି ରଖିବାକୁ ଇଚ୍ଛା କରୁଥାଉ, ସମ୍ଭବତଃ ସେତିକିବେଳେ ହିଁ ତାଙ୍କୁ ଆମର ଚକଚକ ମନ୍ଦିରଗୁଡ଼ାକ ଭିତରେ କିଳିକରି ରଖିବା ଲାଗି ଭାରି ମନ କରୁ । ତାଙ୍କୁ ବନ୍ଧୁ ବୋଲି, ପରମବିଧାନ ବୋଲି ଡାକୁଥାଉ ସତ, ମାତ୍ର ସତେଅବା ଭାରି ଦୂରରେ ଛିଡ଼ାହୋଇ ରହିଥାଉ । ଯଦି କୌଣସି ଏକ ଅଭାବନୀୟ ମୂହୁର୍ତ୍ତରେ ଆମେ ତାଙ୍କୁ ପ୍ରକୃତରେ ଆମର ବନ୍ଧୁରୂପେ ଗ୍ରହଣ କରିନେଇ ପାରନ୍ତୁ, ତେବେ ଆମର ଏହି ପରିଧିଗୁଡ଼ିକରେ ଏକ ଉତ୍ତୋଳନ ସମ୍ଭବ ହୋଇ ପାରନ୍ତା,—ସେତେବେଳେ ଆମେ ତାଙ୍କୁ ଆମ ଭିତରେ ଠାବ କରି ବାହାରେ ପାଇପାରନ୍ତୁ ଏବଂ ବାହାରେ ଠାବ କରି ଭିତରେ ମଧ୍ୟ ପାଇପାରନ୍ତୁ । ସେତେବେଳେ ଏହି କାନ୍ଥଗୁଡ଼ାକର ଆଉ ଆଦୌ କୌଣସି ଆବଶ୍ୟକତା ରହନ୍ତା ନାହିଁ, ଅନାଇ ଦେଲା ମାତ୍ରକେ ଅନୁଭବ କରିହୁଅନ୍ତା; ଆମେ କେଡ଼େ ଯତ୍ନରେ ଏହି ପୃଥିବୀରେ ସୃଷ୍ଟିକରି ରହିଥିବା ଦୂରତାଗୁଡ଼ିକର ମଧ୍ୟ ମୋଟେ କୌଣସି ଆବଶ୍ୟକତା ରହନ୍ତା ନାହିଁ-। ସେତେବେଳେ ତାଙ୍କୁ ଆମେ ଏହି ସବୁକିଛିକୁ ଗୋଟିଏ ଆତ୍ମୀୟତାରେ ବାନ୍ଧି ରଖିଥିବା ଏକ ସୂତ୍ରରୂପେ ଅନୁଭବ କରିପାରନ୍ତୁ । ତାଙ୍କୁ ସୂତ୍ରରୂପେ ଅନୁଭବ କଲେ ଆମର ପରସ୍ପର ଭିତରେ ରହିଥିବା ଏହି ସମ୍ବନ୍ଧଗୁଡ଼ାକ ମଧ୍ୟ ଏକାବେଳେକେ ବଦଳିଯାଆନ୍ତା । ଜୀବନରେ ସତକୁସତ ଅଭୟର ଅନୁଭବ ହୁଅନ୍ତା । ଅଭୟର ଅନୁଭବ ହେବା ଦ୍ଵାରା ଅଭିନୟଗୁଡ଼ାକର ଆଉ କୌଣସି ପ୍ରୟୋଜନ ବି ରହନ୍ତା ନାହିଁ । ତା’ପରେ ଆମେ ତାଙ୍କ ଦର୍ପଣ ଉପରେ ଆପଣାର ଜୀବନକୁ ଅନୁଭବ କରିବାର ଯୋଗ୍ୟ ହୋଇପାରନ୍ତେ ।

 

ଭଗବାନ ଯେତେବେଳେ ଆମ ପ୍ରତି ସଦୟ ହୁଅନ୍ତି, ସେତେବେଳେ ଆମକୁ ଆଦୌ ନିବୁଜ ଓ ନିରାପଦ କରି ରଖିବା ସକାଶେ ମନ କରନ୍ତି ନାହିଁ । ସେତେବେଳେ ସିଏ ଆମକୁ ଆମେ ଆଗକୁ କଳ୍ପନା କରିପାରି ନଥିବା ବହୁତ କାମରେ ନେଇ ଲଗାନ୍ତି, ଆମର ଯାବତୀୟ ଗ୍ଲାନିକୁ ଅପହରଣ କରି ନିଅନ୍ତି । ତାଙ୍କ ଦୟାର ଭାଜନ ହେବା ପୂର୍ବରୁ ଆମେ ଆପଣାର କ୍ଷୁଦ୍ର ଅନ୍ଦାଜଗୁଡ଼ିକ ଅନୁସାରେ କେଡ଼େ ହନ୍ତସନ୍ତ ହେବାରେ ଲାଗିଥାଉ, କେତେ କେତେ ମଣିଷଙ୍କୁ ତଳକୁ ଚାପିଦେଇ ପାରିଲେ ଯାଇ ଆମେ ଉଚ୍ଚ ହୋଇ ଦିଶିବୁ ବା କେତେଜଣ ମଣିଷଙ୍କୁ ଗିଳି ପକାଇଲେ ଯାଇ ଅଧିକ ସ୍ଫୀତ ହୋଇ ଦିଶିବୁ ବୋଲି ଭାରି ଆଣ୍ଟ କରିବାରେ ଲାଗିଥାଉ । ଭଗବାନ ଦୟାକଲେ ଏହିସବୁ ଯାବତୀୟ ଆଣ୍ଟ ଚୂର୍ଣ୍ଣବିଚୂର୍ଣ୍ଣ ହୋଇଯାଏ । ଆମର ଯାବତୀୟ ଅହଂକାରକୁ ସିଏ ହରଣ କରି ନେଇଯା’ନ୍ତି, ଅହଂକାର ହରଣ କରି ନେଇ ଆମକୁ ତାଙ୍କରି ଯୋଗ୍ୟ କରାନ୍ତି । ଅହଂକାର ଗଲେ ଯାଇ ଜୀବନରେ ଯଥାର୍ଥ ନମନୀୟତା ଆସେ, ଯଥାର୍ଥ ନମନୀୟତା ଆମକୁ ଅଧିକ ଗ୍ରହଣଶୀଳ କରାଏ ଏବଂ ଯଥାର୍ଥ ଅଭୀପ୍ସା-ଧନରେ ଧନୀ କରାଏ । ଭଗବାନଙ୍କର ଦୟା ହେଲେ ଏସବୁ ସମ୍ଭବ ହୁଏ । ଆମ ଭିତରେ ପୁରାତନର ମୃତ୍ୟୁ ହୁଏ, ଗଣ୍ଠିଗୁଡ଼ାକ ଏକାବେଳେକେ ଫିଟିଫିଟି ଯାଉଥାଏ । ଗଣ୍ଠିଗୁଡ଼ାକର ଏହିପରି ଭାବରେ ଫିଟିଫିଟି ଯିବାକୁ ହିଁ ଆଧ୍ୟାତ୍ମପରମ୍ପରାରେ ପୁନର୍ଜନ୍ମ ଲାଭ କରିବା ବୋଲି କୁହାଯାଇଛି । ତାଙ୍କରି ଦୟା ହିଁ ଆମକୁ ସେହି ପୁନର୍ଜନ୍ମର ଅଧିକାରୀ କରାଏ ।

 

ଭଗବାନ୍ କ’ଣ ଆଦୌ କେତେବେଳେ ପୃଥିବୀ ଛାଡ଼ି ରହିଥା’ନ୍ତି ଯେ ବେଳେବେଳେ ଏହି ପୃଥିବୀକୁ ଆସନ୍ତି ? ସିଏ ସତକୁ ଏହିଠାରେ ହିଁ ଥାଆନ୍ତି । ଆମ ଚେତନାର ଦୁଆରଗୁଡ଼ିକ ଯଥାର୍ଥ ଭାବରେ ଉନ୍ମୋଚିତ ହୋଇଯାଇ ପାରିଲେ ସିଏ ଆମଲାଗି ଏହିଠାରେ ହିଁ ଦୃଶ୍ୟ ହୁଅନ୍ତି । ଦୁଆରଗୁଡ଼ିକ ବୁଜାହୋଇ ରହିଥିବା ପର୍ଯ୍ୟନ୍ତ ଆମେ ତାଙ୍କୁ ଆମ ନିଜ ବାଗରେ କେତେ ନା କେତେ ପ୍ରକାରେ ଖୋଜିବାରେ ଲାଗିଥାଉ—ଆମର ସ୍ତବ ଓ ସ୍ତୁତିଗୁଡ଼ାକରେ ତାଙ୍କୁ କେତେ ଝୁରି ହେଉଥାଉ, ଆମର ଯାବତୀୟ ଶକ୍ତି ଏବଂ ଭକ୍ତିକୁ ସତେଅବା ଏକ ଆର୍ତ୍ତତା ଭିତରେ ସନ୍ତାପିତ କରି ରଖିଥାଉ । ମିଳନ ଖୋଜୁଥାଉ ସତ, ତଥାପି ବିଚ୍ଛେଦ ଭିତରେ ଘାରିହୋଇ ରହିଥାଉ । ତାଙ୍କୁ ଆଣି ଏକାବେଳେକେ ଆମ ହୃଦୟର ରତ୍ନ-ସିଂହାସନରେ ବସାଇବୁ ବୋଲି କେତେବେଳେ ସଣ୍ଠଣାରେ କହିବାରେ ଲାଗିଥାଉ, ମାତ୍ର ତାଙ୍କରି ଲାଗି ସିଂହାସନଟିଏ ତିଆରି କରିବାକୁ ପଡ଼େ ବୋଲି ସତେଅବା ଜାଣିଶୁଣି ପାସୋରି ରହିଥାଉ । ସିଂହାସନଟିଏ ବୋଲି ଆମ ଜୀବନରେ ଯାହା ରହିଥାଏ, ତା’ ଉପରେ ଆମେ ନିଜେ ହିଁ ବସି ରହିଥାଉ । ସେଠାରେ ଯେମିତି ଆଉ କାହାରି ଲାଗି ଏତେ ଟିକିଏ ଜାଗା ନରହିବ, ସେଥିଲାଗି ବ୍ୟାକୁଳ ଓ ବୀଭତ୍ସ ଭାବରେ କେତେ କ’ଣ କରିବାରେ ଲାଗିଥାଉ । ଭିତରକୁ ବାଟ ଛାଡ଼ିଲେ ଯାଇ ଭଗବାନ ଭିତରେ ପ୍ରବେଶ କରି ପାରନ୍ତି, ଭିତରେ ଆସ୍ଥାନଟିଏ ତିଆରି ହୋଇ ପାରିଲେ ଯାଇ ଭଗବାନଙ୍କୁ ବସିବା ଲାଗି ଜାଗାଟିଏ ମିଳିବା ସମ୍ଭବ ହୁଏ । ସେତେବେଳେ ଯାଇ ଆମର ଯାବତୀୟ ଚେତନା ସତକୁ ସତ ଏକ ସମଗ୍ର ଶ୍ରଦ୍ଧାରେ ପରିଣତ ହୁଏ । ସେତେବେଳେ ଯାଇ ଅସଲ ଲୋଚନଗୁଡ଼ିକ ଖୋଲି ଯାଆନ୍ତି । ଆଗରୁ ଯିଏ ଆମଠାରୁ ଅପହଞ୍ଚ ଯୋଜନ ଯୋଜନ ଦୂରରେ ରହିଥିଲେ ବୋଲି ଅନୁଭବ ହେଉଥିଲା, ସିଏ ଏକାବେଳେକେ ଆମର ଅତି ପାଖରେ ଆସି ଧରା ଦିଅନ୍ତି । ସିଏ ସର୍ବଦା ହିଁ ଆମ ପାଖରେ ରହିଥିଲେ ଓ ଆମ ସାଥିରେ ବାଟ ଚାଲୁଥିଲେ ବୋଲି ଅନୁଭବ ହୁଏ । ଆଖି ଖୋଲିଲେ ତାଙ୍କର ସ୍ପର୍ଶ ପାଇହୁଏ, ଆଗକୁ ଗୋଡ଼ ପକାଇବା ମାତ୍ରକେ ପୃଥିବୀଯାକର ସୂତ୍ରକୁ ଅନୁଭବ କରିହୁଏ । ତାଙ୍କରି ଦର୍ଶନ ମିଳେ, ତାହା ହିଁ ଆତ୍ମଦର୍ଶନର ପୁଣ୍ୟ ଆଣିଦିଏ ।

 

ଆଜି ପୃଥିବୀରେ ଦୁଆରଗୁଡ଼ିକ ଭାରି ନିର୍ମମ ଭାବରେ ବନ୍ଦ ହୋଇ ରହିଛି । ଆମେ ସମସ୍ତେ ଦେହ ଘଷାଘଷି ହୋଇ ଏଠାରେ ଆପଣା ଆପଣାର କାମରେ ବ୍ୟସ୍ତ ହୋଇ ରହିଥିଲେ ମଧ୍ୟ ପରସ୍ପରଠାରୁ ସତେଅବା କେତେ ଦୂର ହୋଇ ରହିଛୁ । ପରସ୍ପରକୁ ଈର୍ଷା କରୁଛୁ, ଅନ୍ୟମାନଙ୍କୁ ପଛରେ ଛାଡ଼ିଦେଇ ଆଗ ଯାଇ ପହଞ୍ଚିବୁ ଓ ସବୁଯାକ ସୁବର୍ଣ୍ଣର ଅଧିକାରୀ ହେବୁ ବୋଲି କେଡ଼େ ବାଉଳା ହୋଇ ଭାବୁଛୁ । ଆମର ସାମୂହିକ ଅହଂଗୁଡ଼ିକ ଠାକୁର ପରି ହୋଇ ଆମ ଚେତନାର ଦ୍ଵାରଗୁଡ଼ିକୁ କେଡ଼େ ପରାକ୍ରମ ସହିତ ଅଧିକାର କରି ରହିଛନ୍ତି । ଏଥିଭିତରେ ପ୍ରବେଶ କରିବା ସକାଶେ କୋଉ ଭଗବାନ କିପରି ବାଟ ପାଇବେ ? ଆମର ସମ୍ମତି ପାଇଲେ ଯାଇ ଦ୍ଵାରଗୁଡ଼ିକ ଖୋଲିଯିବ, ଆମ ଭିତରର ଚେତନା ସେତେବେଳେ ଯାଇ ଆମକୁ ସମଗ୍ର ଆକାଶଟିର ପରିଚୟ ଆଣିଦେବ ଓ ସେତେବେଳେ ଯାଇ ଏଇ ପୃଥିବୀର ଜୀବନ ଭିତରେ ସିଏ ଦୃଷ୍ଟିଗୋଚର ହୋଇ ପାରିବେ ଓ ଆମକୁ ଆଗକୁ ଆଗକୁ ବାଟ କଢ଼ାଇ ନେଇଯିବେ । ସେତେବେଳେ ଯାଇ ଆମେ ସବୁ ମଣିଷ ପରସ୍ପର ଭିତରେ ଭଗବାନଙ୍କର ସ୍ପର୍ଶକୁ ଅନୁଭବ କରି ପାରିବା ଓ ସେତେବେଳେ ଯାଇ ଆମର ଅଲକ୍ଷଣାପଣଗୁଡ଼ାକ ଆମକୁ ଛାଡ଼ି ପଳାଇ ଯିବେ । ଜଣେ ଜଣେ ବ୍ୟକ୍ତି ହିସାବରେ ନିଜ ନିଜର ଗାତ ଭିତରେ ପଶି ରହିଥିବା ପର୍ଯ୍ୟନ୍ତ ଆମ ସକାଶେ ଏଇ ପୃଥିବୀରେ କଦାପି ଭଗବାନଙ୍କର ଆବିର୍ଭାବ ହେବ ନାହିଁ । ଭଗବାନ ମଣି ଆମେ କେବଳ ପିତୁଳା ଗୁଡ଼ାକୁ ହିଁ ପୂଜିବାରେ ଲାଗିଥିବା ଓ ଆମର ଚତୁର୍ଦ୍ଦିଗକୁ ପୂର୍ଣ୍ଣ କରି ଆମ ସମ୍ମତିକୁ ଅପେକ୍ଷା କରି ରହିଥିବା ଭଗବାନ ଆମ ଲାଗି ଅଗୋଚର ଓ ଅନନୁଭୂତ ହୋଇ ରହିଥିବେ ।

 

ଯେତେବେଳେ ଆମର ସମ୍ମତି ମିଳିବ, ସେତେବେଳେ ଯାଇ ଭଗବାନ୍ ପୃଥିବୀକୁ ଆସିବେ । ପୃଥିବୀର ଅଧିକାଂଶ ମଣିଷ ଯେତେବେଳେ ସମ୍ମତି ଦେବେ, ସେତେବେଳେ ଯାଇ ପୃଥିବୀରେ ଭଗବାନଙ୍କର ରାଜ୍ୟଟିଏ ପ୍ରତିଷ୍ଠିତ ହୋଇ ପାରିବ । ସେତେବେଳେ ଯାଇ ବିବର୍ତ୍ତନର ପରବର୍ତ୍ତୀ ପାହାଚଟି ଖୋଲିଯାଇ ପାରିବ । ଏବଂ ଜଣେ ଜଣେ ବ୍ୟକ୍ତି ହିସାବରେ, ଆମେ ସମ୍ମତି ଦେଲେ ଆମ ଲାଗି ଏହି ମୁହୂର୍ତ୍ତରେ ମଧ୍ୟ ସେହି ପାହାଚଟିକୁ ବାଟ ଦିଶିଯିବ । ଆହୁରି ଅଧିକ ଯଥାର୍ଥ ଭାବରେ କହିଲେ, ସେଇ ଆମ ଆଖି ଭିତରେ ଥାଇ ଆମକୁ ବାଟ ଦେଖାଇ ଆଗକୁ ପରିଚାଳିତ କରିନେବେ । ସେତେବେଳେ ଯାଇ ଏହି ଭ୍ରମଗୁଡ଼ାକ ମଧ୍ୟରୁ ନିସ୍ତାର ମିଳିବ, ଆମକୁ ନିମିତ୍ତ କରି ଆମ ଜୀବନରେ ଭୂମାର ନିର୍ଦ୍ଦେଶନା ଆରମ୍ଭ ହୋଇ ପାରିବ । ଭୂମା ଏକ ମୂର୍ତ୍ତି ଆଦୌ ନୁହେଁ, ଏକ ମିଛ ଭାବପ୍ରବଣତା ମଧ୍ୟ ନୁହେଁ; ଭୂମା ହେଉଛି ଏକ ସମ୍ବନ୍ଧ—ସଚେତନତା, ଏକ ସଚେତନ ସକଳାନୁଭୂତି । ଯୁଗେ ଯୁଗେ ପୃଥିବୀର ଧର୍ମ ଓ ଧର୍ମଗୁରୁମାନେ ଆମକୁ ସେହି ଅନୁଭୂତିର ଉଦବୋଧନ ଦେଇ ଆସିଛନ୍ତି, ମାତ୍ର ଅଳପ ଭିତରେ ଏତେ ବଡ଼ ହୋଇ ଦିଶିବାକୁ ମନ କରୁଥିବା ଆମେ ଅନୁଭୂତିକୁ ଛାଡ଼ି, ଆତ୍ମୀୟତାକୁ ଭୟ କରି ତୁଚ୍ଛା ପିତୁଳାଗୁଡ଼ାକ ଭିତରେ ବାନ୍ଧିହୋଇ ରହିଛୁ । ଭଗବାନ ଯେପରି ଆମକୁ ଓ ପୃଥିବୀକୁ ମୋଟେ ଛୁଇଁ ନପାରିବେ, ସେଥିଲାଗି ସେଇ ପିତୁଳାଗୁଡ଼ିକୁ ବ୍ୟବହାର ମଧ୍ୟ କରିଛୁ । ଯେତେବେଳେ ଆମର ଚେତନା ସେହି ଭ୍ରମକୁ ପାର ହୋଇଯିବ, ସେତେବେଳେ ଯାଇ ଭଗବାନଙ୍କର ଆବିର୍ଭାବ ହେବ, ସିଏ ଏଇଠି ଜଳ ଜଳ ହୋଇ ଦିଶିବାକୁ ଆରମ୍ଭ କରିବେ ।

 

ଅକ୍ଟୋବର, ୧୯୮୭

Image

 

ଅଗ୍ନିଶିଖା ସଦୃଶ

 

“There is a sacred fire that burns in the heart and envelops the whole being it is Agni that illumines and purifies everything”

 

(Breath of the Grace, P-333)

 

ଏହି ଅଗ୍ନି ସବୁରି ଭିତରେ ଜଳୁଛି, ସବୁରି ହୃଦୟ ଭିତରେ ଜଳୁଛି । ପ୍ରତ୍ୟେକ ମନୁଷ୍ୟ ଭିତରେ ଏହି ଅଗ୍ନି ଜଳୁଛି ବୋଲି ଯଦି ଆମେ ଥରେ ହେଲେ ଅନୁଭବ କରିପାରିବା, ତେବେ ଆମେ କିପରି କାହାକୁ ଭାଗ୍ୟହୀନ ବୋଲି କହି ପାରିବା ? ନିଜ ହୃଦୟ ଭିତରେ ସେହି ଅଗ୍ନି ଜଳୁଛି ବୋଲି ଯଦି ମୁଁ ଅନୁଭବ କରି ପାରୁଥିବି, ତେବେ ମୁଁ ନିଜକୁ ମଧ୍ୟ କିପରି ଅକିଞ୍ଚନ ବା ଅରକ୍ଷିତ ବୋଲି କହିପାରିବି ? ଜଣେ ଶିକ୍ଷକ ଯଦି ତା’ର ପିଲାମାନଙ୍କର ହୃଦୟ ଭିତରେ ସେହି ଅଗ୍ନିକୁ ଠାବ କରିପାରିବ, ତେବେ ସିଏ କିପରି ସେମାନଙ୍କୁ ପ୍ରତ୍ୟାଖ୍ୟାନ ବା କରି ପାରିବ ? ସମ୍ଭବତଃ ଏକଥା ମଧ୍ୟ ସତ ଯେ, ନିଜ ଭିତରେ ସେହି ଅଗ୍ନିକୁ ଅନୁଭବ କରିପାରୁଥିବା ଶିକ୍ଷକ ପିଲାମାନଙ୍କ ଭିତରେ ମଧ୍ୟ ସେହି ଅଗ୍ନିକୁ ଅବଶ୍ୟ ଠାବ କରି ପାରିବ । ସେହି ଅଗ୍ନିକୁ ଠାବ କରି ପାରିଲେ ସିଏ ଯେ କେବଳ ଏକ ଅନ୍ୟ ପ୍ରକାରର ଶିକ୍ଷକ ହୋଇଯିବ ତା’ ନୁହେଁ, ଏକ ଅନ୍ୟ ପ୍ରକାରର ମଣିଷ ମଧ୍ୟ ହୋଇଯିବ ।

 

ମାଆ କହିଛନ୍ତି, ସେହି ଅଗ୍ନି ଆଲୋକିତ କରେ ଏବଂ ବିଶୁଦ୍ଧ କରିଦିଏ । ନିଜର ଭିତରଟାକୁ ଆଲୋକତି କରିଦିଏ, ତେଣୁ ଆପଣା ପାଖରେ ଲୁଚାଇ ରଖିବା ନିମନ୍ତେ ଆପଣାର ତେଣିକି ଆଉ କିଛିହେଲେ ରହେ ନାହିଁ । ସକଳ ଜୁଗୁପ୍‌ସାର ଅନ୍ତ ହୁଏ, ସବୁ ଆଲୋକ ହୋଇଯାଏ । ସନ୍ଦୀପିତ ହୁଏ, ଆପଣା ଭିତରେ ଆମେ ଯେତେ ଘୃଣାଭାବ, ହୀନଭାବ ଏବଂ ଅବଜ୍ଞାଭାବକୁ ଗଣ୍ଠି କରି ରଖି ଆପଣା ପାଖରେ ପର ହୋଇ ରହିଥାଉ, ଆମ ଭିତରେ ଏହି ଅଗ୍ନିର ଆବିଷ୍କାର ଆମକୁ ସେହି ସବିକିଛିରୁ ଶୁଦ୍ଧ କରିଦିଏ । ଖାଲି ସେତିକି ନୁହେଁ, ତେଣିକି ଆମର ସନ୍ଦୀପିତ ଆଖି ମଧ୍ୟ ଯେଉଁଠି ପଡ଼େ, ସେଠାରେ କେବଳ ଆଲୋକ ହିଁ ଦେଖେ, ଶୁଦ୍ଧ ହିଁ ଦେଖେ । ତେଣୁ ସଂସାର ସହିତ, ମନୁଷ୍ୟ ସହିତ ତା’ର ସମ୍ବନ୍ଧ ହିଁ ବଦଳି ଯାଏ । ଯାବତୀୟ ଦୂରତାର ଅନ୍ତ ହୁଏ, ସଖ୍ୟ ହିଁ ସଂସାରକୁ ବୁଝିବାର ତଥା ସ୍ଵୀକାର କରିବାର ସର୍ବପ୍ରଧାନ ସୂତ୍ରରେ ପରିଣତ ହୋଇଯାଏ । ଏହି ଭୁବନଟାଯାକ ସତେଅବା କେଉଁ ପରମସଖାର ଆପଣା ଘର ପରି ଲାଗେ । ଜଣେ ଶିକ୍ଷକ ଯଦି ସେହି ସଖ୍ୟର ଆଖିରେ ତାକୁ ବେଷ୍ଟନ କରି ବାଟ ଚାଲୁଥିବା ଶିକ୍ଷାର୍ଥୀମାନଙ୍କର ଭିତରେ ଅନାଇ ଦେଖି ପାରିବ, ତେବେ ଆପଣାର ଅବଲୋକନଟିକୁ ସିଏ ସତକୁ ସତ କେତେ ଶୁଦ୍ଧ କରିଦେଇ ପାରିବ ଏବଂ ବିଦ୍ୟାଳୟ ନାମକ ସ୍ଥାନଟିକୁ ସତକୁ ସତ ଏକ ଆଲୋକିତ ମନ୍ଦିରରେ ମଧ୍ୟ ପରିଣତ କରିଦେବ ।

 

ଆମର ଉତ୍ତରୋତ୍ତର ଅଗ୍ରଗତି ଲାଗି ମାଆଙ୍କର କରୁଣା ରହିଥାଉ ବୋଲି ଆମେ ତାଙ୍କୁ ପ୍ରାର୍ଥନା କଲାବେଳେ ତାହାର ଉତ୍ତରରେ ମାଆ ‘I Light up this fire in you’ ବୋଲି କହିଛନ୍ତି । ମାତ୍ର, ସେହି ଅଗ୍ନି କେବଳ ଦୁଇଟି ବସ୍ତୁ ବ୍ୟତୀତ ବାକୀ ସବୁକିଛିକୁ ଆଲୋକିତ ଓ ସନ୍ଦୀପିତ କରିଆଣେ । ମିଥ୍ୟା ଏବଂ ସଂଶୟ କେବଳ ଏହି ଦୁଇଟି ବସ୍ତୁକୁ ହିଁ ତାହା ଆମ ଭିତରେ ଦଗ୍ଧ କରି ଦେଇଥାଏ । ଆମରି ଭିତରେ ଅଗ୍ନିଟିକୁ ପ୍ରଜ୍ଜ୍ୱଳିତ କରିଦେବା, ତାହା ହିଁ ତାଙ୍କର ପରମ କରୁଣା । ଆମକୁ ଏଇଟା ବା ସେଇଟା ଦେଇଦେବାକୁ ଯଦି କେହି ତାଙ୍କର କରୁଣା ବୋଲି ମନେ କରୁଥାନ୍ତି, ତେବେ ସିଏ ନିଶ୍ଚୟ ଭାରି ଭ୍ରମ କରୁଥିବେ । ସଂସାରରେ ଏପରି କାଟର ମଣିଷ ଅନେକ ଅଛନ୍ତି । ସେମାନେ ମାଗିଲାବେଳେ କେତେ କ’ଣ ମାଗନ୍ତି,—ଧନ ମାଗନ୍ତି, ଜନ ମାଗନ୍ତି, ପୁଣି ବେଳେବେଳେ ପାଇଥିବା ଧନ ଓ ଜନକୁ ସତେଅବା କାନିତଳେ ଘୋଡ଼ାଇ ରଖି ଚାରି ବା ପାଞ୍ଚ ହାତ ଶରଧାବାଲି ବି ମାଗନ୍ତି । ଆପଣା ଭିତରର ସ୍ଫୂଲିଙ୍ଗଟିକୁ ସେମାନେ ଭାରି ଯତ୍ନର ସହିତ ଲୁଚାଇ ରଖିଥାନ୍ତି । କାରଣ, ଯଦି କୌଣସି ଦୁର୍ଯୋଗବଶତଃ ସେଇଟି ଅଗ୍ନିଶିଖା ହୋଇ ଜଳିଉଠେ, ତେବେ ଜୀବନର ପ୍ରସ୍ଥପରିବର୍ତ୍ତନ ହୋଇଯାଏ । ଅଭିନୟ ଚାଲିଯାଏ, ଅସଲ ଜୀବନ ଠିକ୍ ସେହିଠାରୁ ହିଁ ଆରମ୍ଭ ହୁଏ । ପୁରୁଣା ଦୋକାନଗୁଡ଼ିକରେ ତଥାକଥିତ ସଫଳତାଗୁଡ଼ାକୁ ଲାଭ କରିବା ଚୁଲିକୁ ଯାଏ । ଆଲୋକର ବାହକ ହିସାବରେ ଆମର ନିର୍ବାଚନ ହୋଇଯାଏ । ତାପରେ ଆମେ କେବଳ ତାଙ୍କରି କାମରେ ଲାଗୁ । ତାଙ୍କୁ ଆମ କାମରେ ଲଗାଇବାର ଯାବତୀୟ ଆର୍ତ୍ତବୁଦ୍ଧି ଆମଠାରୁ ବିଦାୟ ନିଏ । ଆମ ଜୀବନ ଧନ୍ୟ ହୁଏ ।

 

ଆମ ସମସ୍ତଙ୍କର ଭିତରଟାକୁ ଜଳଜଳ କରି ଦେଖି ପାରୁଥିବା ପରି ମାଆ କେଡ଼େ ସ୍ପଷ୍ଟ ଭାବରେ ଆମରି ଭିତରେ ରହିଥିବା ଆମ ଅସଲ ବଳର କଥା କହିଛନ୍ତି । ସେହି ବଳକୁ ମଧ୍ୟ ମାଆ ଅଗ୍ନିଶିଖାଟିଏ ସହିତ ତୁଳନା କରିଛନ୍ତି ଓ ‘Iike a flame that is always burning straight up’ ବୋଲି କହିଛନ୍ତି । (ଇଂରାଜୀ ମାତୃରଚନାବଳୀ, ଶତବାର୍ଷିକୀ ସଂସ୍କରଣ, ୧୫ଶ ଖଣ୍ଡ, ୧୯୮୦, ପୃଷ୍ଠା ୪୨୦-୨୧) ଅସଲ ବଳଟିକୁ ଆମେ କେଉଁଠାରେ ପାଇବା ବୋଲି ଏକ ପ୍ରଶ୍ନର ଉତ୍ତରରେ ମାଆ କେଡ଼େ ସିଧା ଭାବରେ “within you” ବୋଲି କହିଛନ୍ତି । ଆମ, ତୁମ ସମସ୍ତଙ୍କୁ କହିଛନ୍ତି, ଆମକୁ ନିମିତ୍ତ କରି ଆମ ପିଲାଙ୍କୁ ମଧ୍ୟ କହିଛନ୍ତି । ସେହି ବଳ ଆମ ସମସ୍ତଙ୍କ ମଧ୍ୟରେ ଉନ୍ମୋଚନ ଲାଗି, ବିଜୟ ଲାଗି ଅପେକ୍ଷା କରି ରହିଛି । ତାଙ୍କରି ଭାଷାରେ ସମସ୍ତ ଅଂଶଟିର ଉଦ୍ଧୃତି ଦେଇ କହିଲେ, “ଦିବ୍ୟ ପରମସତ୍ତା ତୁମ ଭିତରେ ରହିଛନ୍ତି । ସିଏ ତୁମ ଭିତରେ ହିଁ ରହିଛନ୍ତି । ତୁମେ ତାଙ୍କୁ ବାହାରେ ଖୋଜି ବୁଲୁଛ । ତାଙ୍କୁ ଭିତରେ ଖୋଜ, ସିଏ ତୁମ ଭିତରେ ଅଛନ୍ତି । ଦିବ୍ୟ ସତ୍ତା ତୁମର ଭିତରେ ବିଦ୍ୟମାନ ରହିଛନ୍ତି । ବଳ ସକାଶେ ତୁମେ ଅନ୍ୟମାନଙ୍କର ପ୍ରଶଂସା ଓ ଉତ୍ସାହବାଣୀକୁ ଅପେକ୍ଷା କରି ରହିଥାଅ । ମାତ୍ର ସେହି ବାଟରେ ଯେତେ ଅପେକ୍ଷା କଲେ ମଧ୍ୟ ସେହି ବଳ ତୁମକୁ କଦାପି ମିଳିବ ନାହିଁ । ବଳ ତୁମରି ଭିତରେ ରହିଛି । ତୁମେ ତାହାକୁ ତୁମର ପରମ ଲକ୍ଷ୍ୟ, ପରମ ଆଲୋକ, ପରମ ଜ୍ଞାନ ଏବଂ ପରମ ପ୍ରେମ ବୋଲି ଅନୁଭବ କରି ସେଥିଲାଗି ଅବଶ୍ୟ ଅଭୀପ୍ସା କରିପାର । ମାତ୍ର, ତାହା ପ୍ରକୃତରେ ତୁମ ଭିତରେ ରହିଛି । ଯଦି ତାହା ତୁମ ଭିତରେ ରହି ନଥାନ୍ତା, ତେବେ ତୁମେ କଦାପି ତାହା ସହିତ କୌଣସି ସଂଯୋଗ ସ୍ଥାପନ କରି ପାରନ୍ତ ନାହିଁ । ଯଦି ତୁମେ ନିଜ ଭିତରେ ଯଥେଷ୍ଟ ଗଭୀରକୁ ଯାଇ ପାରିବ, ତେବେ ସେଠାରେ ତାକୁ ଅବଶ୍ୟ ପାଇବ,—ସେଇଟି ଏକ ଅଗ୍ନିଶିଖା ସଦୃଶ ଅନୁକ୍ଷଣ ସିଧାହୋଇ ଜଳିବାରେ ଲାଗିଛି ।”

 

ସେହି ସତ୍ୟ, ସେହି ଶକ୍ତି, ସେହି ପ୍ରେମ ଓ ସେହି ଜ୍ଞାନକୁ ନିଜ ଭିତରେ ଠାବ କରିବା ଅର୍ଥାତ୍ ତାହାକୁ ଭୁବନ ଭିତରେ ସର୍ବତ୍ର ଠାବ କରିବା । ଏଥିପାଇଁ ଯାବତୀୟ ଆତ୍ମଜିଜ୍ଞାସାକୁ ଯଥାର୍ଥରେ ବିଶ୍ଵଜିଜ୍ଞାସା ବୋଲି କୁହାଯାଇ ପାରିବ ଏବଂ ଯାବତୀୟ ବିଶ୍ଵଜିଜ୍ଞାସାର ଅର୍ଥକୁ ଆଦୌ କୌଣସି ଅନର୍ଥ ନକରି ଆତ୍ମଜିଜ୍ଞାସା ବୋଲି କୁହାଯାଇ ପାରିବ । ଆଗ ଏଠି ଦେଖିଲେ ତୁମେ ପ୍ରାୟ ଯୁଗପତ୍ ଭାବରେ ସେଠି ମଧ୍ୟ ଦେଖିବ, ସେଠି ଦେଖିଲେ ଏଠି ମଧ୍ୟ ଦେଖିବ । ଆଦୌ କେଉଁଠି ହେଲେ ଦେଖିପାରୁ ନଥିଲେ ଓ ଦେଖିଛ ବୋଲି ଅଭିନୟ କରୁଥିଲେ ହୁଏତ ତାହାକୁ ଏଠି ବା ସେଠି କେବଳ ଗୋଟିଏ ଥାନାରେ ଦେଖିଲ ବୋଲି କହିବାରେ ଲାଗିଥିବ । ତେଣୁ, ଯେଉଁ ଅଗ୍ନି ଆମ ଭିତରେ ପ୍ରଜ୍ଜ୍ୱଳିତ ହୋଇ ରହିଛି, ଯେଉଁ ବଳ, ପ୍ରେମ, ଜ୍ଞାନ ଓ ସତ୍ୟ ଆମ ଭିତରେ ଅଗ୍ନିଶିଖା ସଦୃଶ ଜଳୁଛି, ତାହା ଅନ୍ୟ ସମସ୍ତଙ୍କ ଭିତରେ ମଧ୍ୟ ରହିଛି ଓ ସେହିପରି ଜଳୁଛି । ଆଲୋକିତ କରୁଛି, ଶୁଦ୍ଧ କରୁଛି । ମିଥ୍ୟା ଏବଂ ସଂଶୟକୁ ନାଶ କରି ଦେଉଛି । ଆପଣା ପାଖରେ ନିତାନ୍ତ ଅସତ୍ୟ ହୋଇ ରହିବାକୁ ମନ ନକଲେ ଆମେ ଏହି କଥାଟିକୁ କଦାପି ଅସ୍ଵୀକାର କରି ପାରିବା ନାହିଁ । ଆମେ ସେହି ବଳକୁ, ସତ୍ୟକୁ ଓ ସର୍ବୋପରି ସେହି ଅଭୀପ୍ସାକୁ ଅନ୍ୟ ସମସ୍ତଙ୍କ ଭିତରେ ମଧ୍ୟ ଠାବ କରିବାକୁ ବାସନା ରଖିଥିବା, ଆପଣାର ଆଲୋକଟି ଦ୍ଵାରା ଅନ୍ୟ ସମସ୍ତଙ୍କ ଭିତରେ ରହିଥିବା ଆଲୋକକୁ ମଧ୍ୟ ଆବିଷ୍କାର କରି ବାହାରିବା ।

 

ଆମେ ଯେଉଁମାନଙ୍କୁ ଆମର ଶତ୍ରୁ ବୋଲି କହୁଛୁ, ସେମାନଙ୍କ ଭିତରେ ମଧ୍ୟ ଆମେ ସେହିଗୁଡ଼ିକ ଅବଶ୍ୟ ରହିଛି ବୋଲି ଅନୁଭବ କରି ପାରୁଥିବା ଓ ସେଗୁଡ଼ିକୁ ସେମାନଙ୍କ ଭିତରୁ ଉନ୍ମୋଚିତ କରାଇ ଆଣିବାକୁ ହିଁ ଶତ୍ରୁ ପ୍ରତି ଆମର ଅସଲ ଧର୍ମ ଓ କର୍ତ୍ତବ୍ୟ ରୂପେ ସ୍ଵୀକାର କରିନେବା । ଯେତେବେଳେ ଆମେ ଶତ୍ରୁକୁ କେବଳ ଶତ୍ରୁବୋଲି ଦେଖୁ ଓ ବିରୋଧୀକୁ କେବଳ ବାଧାସୃଷ୍ଟିକାରୀ ବିରୋଧୀବୋଲି ଦେଖୁ, ସେତେବେଳେ ଆମ ନିଜ ଭିତର ଆଡ଼କୁ ମଧ୍ୟ ଆମର ଦୁଆରଗୁଡ଼ିକ ବନ୍ଦ ହୋଇ ରହିଥାଏ କି କ’ଣ କେଜାଣି, ଆମେ ସେହି ବିରୋଧୀ ବ୍ୟକ୍ତିର ଭିତରକୁ ମଧ୍ୟ ସତକୁ ସତ ଦେଖି ପାରିବାକୁ ଆଦୌ ସମର୍ଥ ହେଉ ନାହିଁ । ଆମେ ଠିକ୍ ବାଟରେ ଅଛୁ ଏବଂ କେବଳ ସେହି ବିରୋଧୀ ଜଣେ ଅଥବା ବିରୋଧୀମାନେ ହିଁ ଠିକ୍ ବାଟରେ ନାହାନ୍ତି ବୋଲି ଆମେ ତତ୍‌କ୍ଷଣାତ୍ ବିଶ୍ଵାସ କରିବାକୁ ଆରମ୍ଭ କରିଦେଉ ଓ ଲଢ଼ାଇ କରିବାରେ ଲାଗିଯାଉ । ବିଶେଷତଃ, ବାହାରକୁ ଦେଖିବାକୁ ଯଦି ଆମ ପାଖରେ ସ୍ଥାନ, ଆସନ, ଜ୍ଞାନ ବା ବୟସଗତ କେତେକ ଅଧିକ କ୍ଷମତା ଥାଏ, ତେବେ ଲଢ଼ାଇଟା ଆମ ତରଫରୁ ଆହୁରି ଅଧିକ ତତ୍‌କ୍ଷଣାତ୍ ଆରମ୍ଭ ହୋଇଯାଏ ଏବଂ ଆମେ ଏଡ଼େ ଏଡ଼େ ତେଣ୍ଟା ଧରି ଦୁଷ୍କୃତମାନଙ୍କର ବିନାଶ କରିବା ପାଇଁ ବାହାରିପଡ଼ୁ । କେବଳ ସେମାନଙ୍କର ବିନାଶ ଦ୍ଵାରା ହିଁ ଆମ ବିଦ୍ୟାଳୟରେ ଧର୍ମର ସଂସ୍ଥାପନ ହୋଇପାରିବ ବୋଲି ଆମେ ସତେଅବା ଆଖିବୁଜି ଏକ ଅମେଘ ସତ୍ୟ ବୋଲି ମାନି ନେଇଥାଉ ।

 

ଆମେ ଯଦି କାହାସହିତ ଯୁଦ୍ଧ ଲଢ଼ି ଆମର ଅଧିକ ବଳ ଦ୍ଵାରା ତାକୁ ଏକାବେଳେକେ ଖତମ କରିଦେବୁ ବୋଲି ବାହାରିଛୁ, ତାହା ଭିତରେ ମଧ୍ୟ ଅସଲ ବଳ ଓ ଅସଲ ବାସନାଟି ଅବଶ୍ୟ ରହିଛି ବୋଲି ଆମେ ଆଦୌ କିପରି ବା ଭାବି ପାରିବୁ ? ତା’ ଭିତରେ ଅଗ୍ନିଟିକୁ ଆମେ ଦେଖିପାରିବୁ ବା କିପରି ? ନିଜର ଅଗ୍ନି ଓ ନିଜର ବଳଟିକୁ ବୁଝି ପାରୁଥିଲେ ଆମେ କ’ଣ କେବେ ହାତରେ ତେଣ୍ଟା ଧରି ଆମ ଉତ୍ତେଜନାର ଜଙ୍ଗଲରେ ମୃଗୟା କରି ବାହାରନ୍ତୁ ? କେବଳ ଶତ୍ରୁତୁଲ୍ୟ କେତେଜଣଙ୍କ ଲାଗି କାମଗୁଡ଼ାକ ଅଟକି ଯାଉଛି ବୋଲି ବାହା ଟେକି କହିବାକୁ ମନ କରନ୍ତୁ ? ତେଣୁ, କାଇଦାଗୁଡ଼ାକ ଏକାବେଳେକେ ଅନ୍ୟ ପ୍ରକାରର ହେବା ଉଚିତ । ଆମ ଶିକ୍ଷାକେନ୍ଦ୍ରମାନଙ୍କରେ ହେବା ଉଚିତ, ଆମ ପାଠଚକ୍ରମାନଙ୍କରେ ହେବା ଉଚିତ, ଆମର ଯାବତୀୟ ସଂଗଠନ ଭିତରେ ମଧ୍ୟ ତାହା ଅନ୍ୟ ପ୍ରକାରର ହେବା ଉଚିତ । ବାହାରେ ନାନାଭଳି ଅଭିନୟ ତଥା ଉତ୍ତେଜନାରେ ପଡ଼ି ଆମେ ଯାହାକିଛି ହେବା ଲାଗି ମନ୍ଦୋତ୍ସାହମାନ ପାଉଥାଉ ପଛକେ, ତଥାପି ଆମର ପରସ୍ପର ଭିତରକୁ ଅନାଇ ପାରିବା ଉଚିତ, ସବୁରି ଭିତରେ ଅଗ୍ନିଶିଖା ସଦୃଶ ଜଳୁଥିବା ଆତ୍ମାଟିକୁ, ସ୍ନେହକୁ ଏବଂ ଅସଲ ବାସନାଗୁଡ଼ିକୁ ଆବିଷ୍କାର କରି ପାରିବା ଉଚିତ । ତେବେ ଆମେ ଅନେକ ମିଛ ଯୁଦ୍ଧରୁ ନିଜକୁ ନିବୃତ୍ତ କରି ରଖିପାରିବା ଏବଂ ବର୍ତ୍ତମାନ ପରସ୍ପର ସହିତ ଯୁଦ୍ଧ ଲଢ଼ି, ଦୁର୍ବଳ ଉପରେ ସବଳ ହେବାର ମନ୍ଦପରାକ୍ରମମାନ ଦେଖାଇ ଆମର ଯେଉଁ ଶକ୍ତି ନଷ୍ଟ ହୋଇଯିବାରେ ଲାଗିଛି, ଆମେ ତାହାକୁ ଆମର ଓ ପରସ୍ପରର ଅସଲ ଉନ୍ମୋଚନଗୁଡ଼ିକ ଲାଗି କେତେ କାମରେ ଲଗାଇ ପାରିବା । ଏବଂ ତାହାଦ୍ୱାରା ହିଁ ଆମେ ସତକୁ ସତ ଭଗବାନଙ୍କର ଅଧିକ କାମ କରିପାରିବା ।

 

ଯେଉଁ କରୁଣା ବଳ ଦିଏ, ଆପଣ ଭିତରେ ଅଗ୍ନିକୁ ଆବିଷ୍କାର କରିବାଲାଗି ପ୍ରବୃତ୍ତ କରାଏ, ପରସ୍ପର ଆଡ଼କୁ ସଖ୍ୟର, ସ୍ଵୀକୃତିର ଏବଂ ଆସ୍ଥାର ସୂତ୍ରଗୁଡ଼ିକୁ ପ୍ରସାରିତ କରି ପାରିବାର ସାହସ ଆଣିଦିଏ, ଆମେ ସମସ୍ତେ ସେହି କରୁଣା ଲାଗି ପ୍ରାର୍ଥନା କରିବା । ଅର୍ଥାତ୍ ସେହି କରୁଣାର ଯୋଗ୍ୟ ହେବା । ଆମେ ସଖା ହୋଇ, ବନ୍ଧୁ ହୋଇ ପରସ୍ପର ଭିତରକୁ ପ୍ରବେଶ କରିବାର ସେହି ଦୁର୍ମୂଲ୍ୟ ଅଧିକାରଟିକୁ ହାସଲ କରିବା ।

 

ମାର୍ଚ୍ଚ, ୧୯୮୮

Image

 

ପୋଖରୀଖୋଳା ଭୂତ

 

ଖରାଦିନେ ବ୍ରହ୍ମପୁରରୁ ଶୀତଦିନକୁ ଏକାବେଳେକେ ଅମର୍ଦ୍ଦା । ଗଞ୍ଜାମ ଜିଲ୍ଲାରୁ ଏକାବେଳେକେ ମୟୂରଭଞ୍ଜ ଜିଲ୍ଲା । ତଥାକଥିତ ଦକ୍ଷିଣ ଓଡ଼ିଶାରୁ ଏକାବେଳେକେ ଉତ୍ତର ଓଡ଼ିଶାକୁ । ଦେଶକୁ ରାଜନୀତିକ ସ୍ଵାଧୀନତା ଆସିବାର ମାତ୍ର ଚାଳିଶିଟା ବର୍ଷ ମଧ୍ୟରେ କେତେ ମନୁଷ୍ୟ ଯେପରି ଭାରତବର୍ଷକୁ ଚାଳିଶି ଖଣ୍ଡ କରି ବିଚାର କରିବାକୁ ହିଁ ବାସ୍ତବ ଓ ଅସଲ ରାଜନୀତି ବୋଲି ଭାବୁଛନ୍ତି, ଏଠି ଓଡ଼ିଶାରେ ମଧ୍ୟ ସେହି ଅବିଗୁଣଟା ଆମ ଅନେକଙ୍କୁ ଭାରି ଜବର ହୋଇ ଘାରିକରି ରହିଛି । ରାଜନୀତିରୁ ଅସଲ ରାଜନୀତିକ ଆକାଂକ୍ଷାଗୁଡ଼ିକ ଚାଲିଗଲେ ରାଜନୀତି ଶେଷକୁ ଏହିପରି ଏକ ଦୁର୍ଦ୍ଦଶା ଭିତରେ ଆସି ପଶିଯାଏ । ତୁଚ୍ଛା ଅଚେତନ ମଣିଷମାନେ ସେତେବେଳେ ସବୁଠାରୁ ଅଧିକ ପରିଣାମରେ ଉତ୍ତେଜିତ ହୋଇ ବାହାରକୁ ବାହାରି ପଡ଼ନ୍ତି ଓ ବହୁ ହୀନଦଶା ଭିତରେ ପଡ଼ି ସେମାନଙ୍କୁ ସେତେବେଳେ ନେତା ବୋଲି କୁହାଯାଏ । ଆଧ୍ୟାତ୍ମିକତା ଭିତରୁ ଅସଲି ଆଧ୍ୟାତ୍ମିକ ଆକାଂକ୍ଷା-ଗୁଡ଼ିକ ଚାଲିଗଲେ ଆଧ୍ୟାତ୍ମିକତା ମଧ୍ୟ ସେହିଭଳି ଏକ ଦୁର୍ଦ୍ଦଶା ଭିତରେ ଆସି ପଶିଯାଏ । ଧର୍ମ ଭାଗ ଭାଗ ହୋଇଯାଏ, ଦେବତାମାନଙ୍କର ନାମରେ ତୁଚ୍ଛା ଉତ୍ତେଜିତ ଅଳପମାନେ ପୃଥିବୀଟାକୁ ମଧ୍ୟ ଭାଗ ଭାଗ କରିଦିଅନ୍ତି । କେତେଟା ବଡ଼ ଦେଶ ଏବେ ପୃଥିବୀର ଦକ୍ଷିଣ ଭାଗରେ ଥିବା ତୁଷାରଭୂମିକୁ ଭାଗ ଭାଗ କରିଦେଇ ଅଧିକାର ଜମାଇବାକୁ ମନ କରୁଥିବା ପରି ଧର୍ମମାନେ ସେତେବେଳେ ସ୍ଵର୍ଗଟାକୁ ମଧ୍ୟ ଚେନା ଚେନା କରି ବାଣ୍ଟି ନିଅନ୍ତି ଓ ତାହାରି ପ୍ରାପ୍ତିଟାକୁ ହିଁ ପରମଗତି ବୋଲି ମନେ କରୁଥାନ୍ତି ।

 

ଓଡ଼ିଶାରେ ଆମ ଖାତାରେ ଥିବା ହିସାବ ଅନୁସାରେ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରଗୁଡ଼ିକର ସଂଖ୍ୟା ଏବେ ପଞ୍ଚସ୍ତରିକୁ ଅତିକ୍ରମ କରି ଗଲାଣି । ଶୁଣିଲା ବେଳକୁ ଆମର ଛାତି କୁଣ୍ଢେ ମୋଟ ହୋଇ ଯାଉଛି । ଏତୋଟି ଉତ୍ସାହକେନ୍ଦ୍ରକୁ ଏକତ୍ର କରି ସତକୁ ସତ ସେହି ଗୋଟାଏ ସ୍ଵପ୍ନ ଯେ ଶତଦଳରୂପେ କ୍ରମେ ଫୁଟି ଫୁଟି ଯାଉଛି, ଅନେକ ସମୟରେ ସେହି ସତ୍ୟଟିକୁ ସମ୍ପୂର୍ଣ୍ଣ ଭାବରେ ଅନୁଭବ କରିବା ଲାଗି କେବଳ ଆମ ନିଜ ଘଡ଼ିଟିରେ ପଡ଼ି ଫଉଲି ଏଡ଼େ ବଡ଼ ହୋଇ ଦିଶୁଥିବା ଆମର ସାନ ଚେତନାଟିକୁ ସତେଅବା ମୋଟେ ବେଳ ମିଳୁ ନାହିଁ, ହୁଏତ ମୋଟେ ବଳ ମଧ୍ୟ ପାଉ ନାହିଁ । ଆମର ଲକ୍ଷ୍ମୀଛଡ଼ା କ୍ଷୁଦ୍ର ମନଟାର ଦାଉଟି ଦ୍ଵାରା ବାଧ୍ୟ ହୋଇ ଆମର ଯାବତୀୟ ଉଦ୍ୟମ ଓ ବ୍ୟସ୍ତତା ସତେଅବା ଏକ ସ୍ଥାନୀୟ ଅହଂର ଡଉଲ-ଡାଉଲ ରୂପଟିଏ ଧାରଣ କରି ସେଇଠି ମାଦଳ ହୋଇ ରହି ଯାଉଛି । ଆମର ସ୍ଵପ୍ନଗୁଡ଼ିକ ଭାରି ଥୋବରା ହୋଇ ଆମରି କ୍ଷୁଦ୍ର ଠାକୁରଘରମାନଙ୍କରେ ଶିଳୁପୁଆ ଓ ଶାଳାଗ୍ରାମ ହୋଇ ରହି ଯାଉଛନ୍ତି । ଏକ ଆସନ୍ନ ତୁମୁଳ ଝଡ଼ରେ ଆମେ ଯେ ଏକାଠି ହୋଇ ନିମିତ୍ତରୂପେ କାର୍ଯ୍ୟ କରିବାକୁ ବାହାରିଛୁ ଏବଂ ତେଣୁ ସତକୁ ସତ ଗୋଟିଏ ସୂତ୍ରରେ ଆମେ ପ୍ରତ୍ୟେକେ ମାଳିଟିଏ ପରି ଗୁନ୍ଥା ହୋଇ ରହିଛୁ, ବହୁ ମିଛ ବୁଦ୍ଧିର ଚକ୍ରାନ୍ତରେ ପଡ଼ି ଆମେ ସେହି କଥାଟିକୁ ଭାରି ପାସୋରି ପକାଉଛୁ; ଏହି ଅସଲ ସୂତ୍ରଟି ନଥିଲେ ଆମେ ଅଲଗା ହୋଇ ଯେ ପ୍ରକୃତରେ କେଉଁଠି ଥାଆନ୍ତୁ, ସେହି ଅସଲ କଥାଟିକୁ ଭୁଲି ଯାଉଛୁ ଏବଂ କେବଳ ଆପଣାଟିର ମେଦ ଓ ମାଂସ ବୃଦ୍ଧି କରିବାରେ ନିଜର ସବୁଠାରୁ ଅଧିକ ଶକ୍ତିକୁ ଖଟାଇବାରେ ଲାଗିଛୁ । ଶିକ୍ଷା-କେନ୍ଦ୍ରଟିଏ ଆରମ୍ଭ କଲାବେଳେ କେଡ଼େ ସ୍ଫୂର୍ତ୍ତିର ସହିତ ତାକୁ ଆମେ ଭଗବାନଙ୍କର କାର୍ଯ୍ୟ ବୋଲି କହୁଛୁ ଏବଂ କେତେ ଶୀଘ୍ର କେଡ଼େ ଅସୁନ୍ଦର ଭାବରେ ତାହାକୁ ପ୍ରାୟ ଗୋଟାସୁଦ୍ଧା ନିଜର କାମରେ ପରିଣତ କରି ପକାଉଛୁ । ନିଜ ଉଦ୍ୟମଟିର କାଦୁଅ ଭିତରେ ଗୋଟାସୁଦ୍ଧା ବୁଡ଼ିକରି ରହି ଯାଉଛୁ । ଆମ ସହିତ ଅନ୍ୟମାନେ ଅଛନ୍ତି ଏବଂ ଅନ୍ୟମାନେ ଅଛନ୍ତି ବୋଲି ଆମେ ରହିଛୁ ବୋଲି କେଡ଼େ ଭୋଳ ହୋଇ ପାସୋରି ପକାଉଛୁ ।

 

ଚାର୍ଲସ ଡାରଉଇନ୍‌ଙ୍କର ବିବର୍ତ୍ତନବାଦୀ ବ୍ୟାଖ୍ୟା ଅନୁସାରେ ଅଗ୍ରଗତିକୁ ଜୀବନସଂଗ୍ରାମ ବୋଲି କୁହାଯାଏ । ଡାରଉଇନ୍-ଗୋତ୍ରୀ ଆମେ ଅନ୍ୟ ଅନେକେ ଏବେ ସଂଗ୍ରାମକୁ ହିଁ ସତେଅବା ଜୀବନରେ ଅଗ୍ରଗତିର ଏକମାତ୍ର ପନ୍ଥା ବୋଲି ଗ୍ରହଣ କରି ନେଲୁଣି । ଏହି ସଂଗ୍ରାମରେ ଜୟଲାଭ କରିବା ଅର୍ଥାତ୍ ଅନ୍ୟମାନଙ୍କ ଉପରେ ଜୟଲାଭ କରିବା, ଅନ୍ୟମାନଙ୍କୁ ପଛରେ ପକାଇଦେଇ ନିଜେ ଆଗକୁ ବାହାରି ଯିବା, କେବଳ ଆପଣାର ଅଧିକରୁ ଅଧିକ ମଣ୍ଡନ ଓ ବଳବୁଦ୍ଧି ଦ୍ଵାରା ଅନ୍ୟମାନଙ୍କଠାରୁ ଅଧିକ ଶ୍ରୀମନ୍ତ ହୋଇ ଦିଶିବା ଏବଂ ତାହାରି ବଳରେ Survivalର ରଣରେ ଆପଣାକୁ fittest ବୋଲି ପ୍ରତିପାଦନ କରିବା । ସମବେତ ଓ ସମ୍ୟକ୍-ବଳ ହୋଇ ବାଟ ଚାଲିବାର ଅନ୍ୟ ନାମ ସଂଗ୍ରାମ ନୁହେଁ, ତାହାର ପ୍ରକୃତ ନାମ ହେଉଛି ଶ୍ରଦ୍ଧା । ଶ୍ରଦ୍ଧା ହିଁ ଆମ ଜୀବନ ଓ ଆମ ଉଦ୍ୟମର ସବୁଠାରୁ ବଡ଼ ନିର୍ଭର ଏବଂ ବଡ଼ ପ୍ରେରଣା ହୋଇ ରହିଥିଲେ ଆମେ ଅନ୍ୟ ସମସ୍ତଙ୍କୁ ପଛରେ ପକାଇ ଦେଇ କଦାପି ଏକା ଆଗକୁ ପଳାଇ ଯିବାକୁ ଇଚ୍ଛା କରୁନାହିଁ । ଆମର ବାସନା କେବଳ ଆପଣାକୁ ବଡ଼ରୁ ଆହୁରି ବଡ଼ ଏବଂ ସଫଳରୁ ଆହୁରି ସଫଳ କରିବାର ପଶୁବତ୍ ସ୍ତରଟିରୁ ଅଧିକ ଊର୍ଦ୍ଧ୍ଵ ଏବଂ ଅଧିକ ପ୍ରଶସ୍ତ ସ୍ତରକୁ ଉନ୍ନୀତ ହୋଇ ଯିବାକୁ ମନ କଲେ ଆମେ ଆଧ୍ୟାତ୍ମିକ ସୋପାନରେ ଯାଇ ପ୍ରବେଶ କରୁ । ପ୍ରତିଯୋଗିତାର ସ୍ତରଟିକୁ ଡେଇଁ ପାରସ୍ପରିକତାର ଭାଜନ ହେଉ । ଆଧ୍ୟାତ୍ମିକତା ଅର୍ଥାତ୍ ପାରସ୍ପରିକତା ସମସ୍ତଙ୍କୁ ଲୋଡ଼େ, ସମସ୍ତଙ୍କୁ ସାଥିରେ ନିଏ । ଦୁର୍ବଳମାନଙ୍କୁ, ନବୀନମାନଙ୍କୁ ପଛରେ ପକାଇଦେଇ ଆପଣାର ବଳବତ୍ତା ଅର୍ଜନ କରିବାକୁ ମୋଟେ ଇଚ୍ଛା କରେନାହିଁ । ଆମର ଶିକ୍ଷାକେନ୍ଦ୍ରଗୁଡ଼ିକ ଏକ ସ୍ଥାନୀୟ ଅହଂ ଦ୍ଵାରା କବଳିତ ହୋଇ କେବଳ ନିଜଟାକୁ ହିଁ କାମୁଡ଼ି ବସି ରହିଲେ ସେମାନେ ହୁଏତ କ୍ରମେ ଗୋଟିଏ ଗୋଟିଏ ଦ୍ଵୀପ ହୋଇ ରହିଯିବେ ଏବଂ ସେମାନେ ଯେଉଁ ଅସଲ କାମଟିରେ ଲାଗି ପାରିଥାନ୍ତେ, ସେଥିରେ ଆଉ ମୋଟେ ଲାଗି ପାରିବେ ନାହିଁ । ନୂତନ ଶିକ୍ଷା ନାମକ ଆନ୍ଦୋଳନରେ ସେମାନେ ଆଉ ଯଥାର୍ଥ ସ୍ତମ୍ଭରୂପେ ଆଦୌ କାର୍ଯ୍ୟ କରିପାରିବେ ନାହିଁ । ପ୍ରାୟ ଏକ ଦୁଃଖଦ ସ୍ମୃତି ହୋଇ ରହିଯିବେ । ଯାହା ହୋଇ ପାରିଥାନ୍ତେ, ତାହା ପ୍ରଧାନତଃ ନିଜ ଦୋଷରୁ ହୋଇ ପାରିଲେ ନାହିଁ ବୋଲି ଭାବି ଦଗ୍ଧ ହେବାରେ ଲାଗିଥିବେ ।

 

ଏବଂ, ସେମାନଙ୍କର ନିଜ କୋରଡ଼ଟିର ବାହାରେ ଆଉ ଯାହାକିଛି ହେଉଥିବ, ସେମାନେ ତାହାକୁ ତୁଚ୍ଛା ଭୂତ ଲାଗିଥିବା କେତେଟା ମଣିଷଙ୍କର କୌଣସି ମହତ୍ତ୍ଵ ନଥିବା ଏକ କର୍ମ ବୋଲି ବିଚାର କରୁଥିବେ । ମଣିଷ ଯାହାକୁ ଡରେ, ସମ୍ଭବତଃ ତାହାକୁ ହିଁ ସିଏ ଭୂତ ବୋଲି କହିଥାଏ । ଯେଉଁ ମଣିଷମାନେ ଆପଣାର ମୁଗ୍ଧ ଗାରଟି ମଧ୍ୟରେ ଅଟକି ଯାଇଥାନ୍ତି, ସେହିମାନେ ହିଁ ଗାର ଡେଇଁ ଆଗକୁ ଚାଲି ଯାଉଥିବା ଅଥବା ଆଗକୁ ଚିନ୍ତା କରୁଥିବା ଅନ୍ୟମାନଙ୍କୁ ଭାରି ଭୟ କରନ୍ତି ଓ ତେଣୁ ଭାରି ଅବଜ୍ଞାସୂଚକ ଭାବରେ ଭୂତ ବୋଲି କହନ୍ତି । ମହାତ୍ମା ଗାନ୍ଧୀ ଯେତେବେଳେ ଭାରତୀୟ ରାଜନୀତିକ ସଂଗ୍ରାମର ନେତୃତ୍ଵ ନେବାକୁ ଆସିଲେ, ଭାରତୀୟ ରାଜନୀତିର ଗଡ଼ିଆରେ ଗାର ଟାଣି ବସି ଯାଇଥିବା ଉଜ୍ଜ୍ଵଳ ବେଙ୍ଗମାନେ ସେତେବେଳେ ତାଙ୍କୁ ନିଶ୍ଚୟ ଭୂତ ବୋଲି କହିଥିବେ । ଏହି ସଂସାର ଭିତରୁ ପଳାଇ ଯାଇ କୋଉ ଅରଣ୍ୟ କିମ୍ବା ଅଟବୀରେ ଆପଣାର କୌଣସି ଏକ ଅଲଗା ଫେଣା ବାନ୍ଧି ରହିବା ଦ୍ଵାରା ନୁହେଁ, ଏଇଠି ଏହି ସଂସାର ଭିତରେ ଏକ ଦିବ୍ୟ ଆସ୍ଥାନ ଅର୍ଥାତ୍ ଦିବ୍ୟ ପାରସ୍ପରିକତାର ସମ୍ବନ୍ଧ ତଥା ଆକାଙ୍‌କ୍ଷାର ଥାପନା ଦ୍ଵାରା ହିଁ ପୃଥିବୀରେ ଭଗବାନଙ୍କର ରାଜ୍ୟପ୍ରତିଷ୍ଠା ସମ୍ଭବ ହେବ ବୋଲି ଶ୍ରୀଅରବିନ୍ଦ ଯେତେବେଳେ ଘୋଷଣା କରିଥିବେ, ସେତେବେଳେ ପରମ୍ପରାବାଦୀ ବୈରାଗୀମାନେ ତାଙ୍କୁ ନିଶ୍ଚୟ ଏକ ଭୂତ ବୋଲି ମନେ କରିଥିବେ ଏବଂ ଭର୍ତ୍ସନା କରିଥିବେ । ଗୁଳା ଭିତରେ ବାନ୍ଧିହୋଇ ରହିଥିବା ଏବଂ ତାହାରି ଦ୍ଵାରାହିଁ ପୁଲକ ଅନୁଭବ କରୁଥିବା ଅଳପମାନେ ଗୁଳା ବାହାରେ ମଧ୍ୟ ବହୁ ଅନାବିଷ୍କୃତ ସତ୍ୟ ଓ ସମ୍ଭାବନା ଅବଶ୍ୟ ରହିଛି ବୋଲି ଆଘ୍ରାଣ କରି ପାରୁଥିବା ଏବଂ ସେଥିଲାଗି ଆପଣାର ଜୀବନ ତଥା ଉଦ୍ୟମରେ ସ୍ଵୀକୃତ ଗାରଗୁଡ଼ିକୁ ପାର ହୋଇଯିବା ଲାଗି ମନ କରୁଥିବା ଅନ୍ୟମାନଙ୍କୁ ସାଧାରଣତଃ ଭୂତ ବୋଲି କହିଥାଆନ୍ତି । ବାଟ ଚାଲୁଥିବା ଓ ତେଣୁ ତଥାପି ଆହୁରି ବାଟ ବାକୀ ରହିଛି ବୋଲି ସତକୁ ସତ ଠାଣ କରି ପାରୁଥିବା ମଣିଷମାନଙ୍କୁ କୋରଡ଼ଟାକୁ ହିଁ ଚରମ ବୋଲି ଅନୁଭବ କରୁଥିବା ଅନ୍ୟମାନେ ସଚରାଚର ଭୂତ ବୋଲି କହନ୍ତି ଓ ସତେଅବା ସେଥିରୁ ଏକ ଖଳ ଆନନ୍ଦ ମଧ୍ୟ ଅନୁଭବ କରିଥାନ୍ତି । କୋରଡ଼ ଭାଙ୍ଗିଗଲେ ଯାଇ ମଣିଷ ସତକୁ ସତ ବାଟକୁ ମନ କରିଥାଏ । କେବଳ ଆପଣାର ଡିହଟିକୁ ହିଁ ସମସ୍ତ ସଂସାର ବୋଲି ମନେ କରୁଥିବାରୁ ଦମ୍ଭ ଓ ଭ୍ରମ ତୁଟିଗଲେ ଯାଇ ମଣିଷମାନେ ସଙ୍ଗକୁ ମନ କରନ୍ତି, ସଖ୍ୟକୁ ମନ କରନ୍ତି ।

 

ଏ ବର୍ଷର ଶୀତଦିନିଆ ଶ୍ରମଶିବିରରେ ଆମେ ଅମର୍ଦ୍ଦାର ଶ୍ରୀମା ଶିକ୍ଷାସଦନରେ ଯାଇ ଏକତ୍ର ହୋଇଥିଲୁ । ଶ୍ରୀମା ଶିକ୍ଷାସଦନ ପ୍ରାୟ ପଚିଶି ବର୍ଷ ପୁରୁଣା ଏକ ଉଚ୍ଚଇଂରାଜୀ ବିଦ୍ୟାଳୟ । ଓଡ଼ିଶାର ପ୍ରାୟ ତିନି ହଜାର ଉଚ୍ଚ ଇଂରାଜୀ ବିଦ୍ୟାଳୟ ମଧ୍ୟରେ ତଥାପି ଆପଣାର ବୈଶିଷ୍ଟ୍ୟ ରଖି ଆସିଥିବା ଏହି ବିଦ୍ୟାଳୟର ସାଙ୍ଗକୁ ଲାଗି ଏବେ ଗୋଟିଏ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ସ୍ଥାପନା କରାଯାଇଛି । କେତେ ବର୍ଷ ତଳେ ଶ୍ରୀଅରବିନ୍ଦଙ୍କର ପବିତ୍ର ଦେହାବଶେଷ ମଧ୍ୟ ଏଠାକୁ ଆସିଛି । ଖେଳପଡ଼ିଆକୁ ଲାଗିକରି ନଡ଼ିଆ ଓ ଆହୁରି କେତେ ପ୍ରକାର ଗଛର ସୁବୃହତ୍ ତୋଟାଟିଏ,—ତା’ରି ଭିତରେ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଲମ୍ବା ବଖରାଟିଏ ନୂଆ ହୋଇ ତୋଳା ଯାଇଛି । ଆମ ଶିବିରର ଡେରା ଏଥର ସେହି ଘରେ ପଡ଼ିଥିଲା । ତୋଟାର ଗୋଟିଏ କୋଣକୁ ଆମେ ଖୋଳିବା ସକାଶେ ନିର୍ଦ୍ଧାରିତ ହୋଇଥିବା ପୋଖରୀଟି । ଉଚ୍ଚ ବିଦ୍ୟାଳୟର ଶିକ୍ଷାର୍ଥୀ ଏବଂ ଶିକ୍ଷକମାନେ ଏକତ୍ର ଶ୍ରମଦାନ କରି ପୋଖରୀଟିକୁ ଅଧକରୁ ବେଶୀ ଆଗରୁ ଖୋଳି ସାରିଥିଲେ । ଆମେ ସେହି କାମଟିକୁ ଦଶଦିନର ଶ୍ରମ ଦ୍ଵାରା ଆଉ ଟିକିଏ ଅଗ୍ରସର କରାଇ ନେବାକୁ ଯାଇଥିଲୁ । ପୂର୍ବର ପ୍ରତ୍ୟେକ ଶିବିର ପରି ପ୍ରତ୍ୟହ ଚାରିଘଣ୍ଟା ଶ୍ରମ, ତା’ ପରେ ଚାରି ଛଅଘଣ୍ଟା ଅଧ୍ୟୟନ ଓ ଆଲୋଚନା । ତାହା ବ୍ୟତୀତ ଭଲିଖେଳ, ରବୀନ୍ଦ୍ର ସଙ୍ଗୀତ ଓ ଆହୁରି କେତେ ପ୍ରକାରର କାର୍ଯ୍ୟକ୍ରମ । ପୂର୍ବ ଶିବିରଗୁଡ଼ିକର ତୁଳନାରେ ଏଥର ଶିବିରାର୍ଥୀମାନଙ୍କର ସଂଖ୍ୟା ଟିକିଏ ଅଧିକ ଥିଲା । ଏହି ବନ୍ଧୁମାନେ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଆସିଥିଲେ । କୋରାପୁଟ, ଗଞ୍ଜାମ ଓ ସମ୍ବଲପୁର ପରି ଢେଙ୍କାନାଳ, କଟକ, ପୁରୀ ଓ ବାଲେଶ୍ଵରରୁ ମଧ୍ୟ ଆସିଥିଲେ । ଗତ କେତେ ବର୍ଷର ଶିବିରଗୁଡ଼ିକୁ ଯେଉଁମାନେ ପ୍ରାୟ ନିୟମିତ ଭାବରେ ଆସିଛନ୍ତି, ସେମାନଙ୍କ ବ୍ୟତୀତ ଆହୁରି କେତେ ନୂଆ ଭାଇଭଉଣୀ ମଧ୍ୟ ଆସିଥିଲେ । ଉତ୍ସାହର ଏହି ପରିବାରଟି କ୍ରମେ ବଢ଼ିବାରେ ଲାଗିଛି ବୋଲି ଅତ୍ୟନ୍ତ ଦୃଶ୍ୟମାନ ଭାବରେ ଅନୁଭୂତ ହେଉଥିଲା ।

 

ଏଥର ଶିବିରରେ ଶ୍ରୀଅରବିନ୍ଦଙ୍କର The Human Cycle ଗ୍ରନ୍ଥର କେତୋଟି ଅଧ୍ୟାୟର ଆଲୋଚନା ଓ ଅଧ୍ୟୟନ ହୋଇଥିଲା । ବ୍ରହ୍ମପୁର ଶିବିରରେ ଗତବର୍ଷ ଗ୍ରୀଷ୍ମକାଳରେ ଉକ୍ତ ଗ୍ରନ୍ଥର ଯେଉଁସବୁ ବିଷୟ ଆଲୋଚନା ହୋଇଥିଲା, ଏଥର ଶିବିରର ଆଲୋଚିତ ଅଧ୍ୟାୟଗୁଡ଼ିକ ତାହାକୁ ସତେଅବା ଏକ ଦୃଢ଼ତର ଭିତ୍ତି ଯୋଗାଇ ଦେଇ ପାରିଲା । ଧର୍ମର ଲକ୍ଷ୍ୟ କହିଲେ ବହୁ ମଣିଷ ଯେପରି କେଉଁଠି ଉର୍ଦ୍ଧ୍ୱରେ ଅଲଗା ହୋଇ ରହିଥିବା ଏକ ସ୍ୱର୍ଗକୁ ବୁଝନ୍ତି, ଆଧ୍ୟାତ୍ମିକତା କହିଲେ ସେହିପରି ସବାଉପରେ ରହିଥିବା ସତେଅବା କୌଣସି ଅପହଞ୍ଚ ମହଲାର ବ୍ୟାପାର ବୋଲି କଳ୍ପନା କରିଥା’ନ୍ତି । ଆଧ୍ୟାତ୍ମିକତାକୁ ଏକ ପରିପୂର୍ଣ୍ଣତାତ୍ମକ ସମଗ୍ରତା ବୋଲି ବୁଝିବାକୁ ସମ୍ଭବତଃ ଇଚ୍ଛା କରନ୍ତି ନାହିଁ ବୋଲି ସେମାନେ ଏହିଭଳି କଳ୍ପନା କରିବାକୁ ମନ କରନ୍ତି ଓ ଆପଣାର ଏହିଭଳି ବୁଦ୍ଧି ଦେଇ ତାହାକୁ ପ୍ରାୟ ଏକ ଧର୍ମର ଛାଞ୍ଚ ଭିତରେ ଆଣି ପକାଇ ଦିଅନ୍ତି । ଶ୍ରୀଅରବିନ୍ଦ ଲେଖିଥିବା The Human Cycle ଠାରୁ ଆରମ୍ଭ କରି The Life Divine ପର୍ଯ୍ୟନ୍ତ ସବୁଯାକ ଗ୍ରନ୍ଥର ଆବେଦନଗୁଡ଼ିକୁ ଏକତ୍ର ଗୋଟିଏ ସମଗ୍ର ଦ୍ୟୋତନର ଅନୁରାଗ ଭିତରେ ଅନୁଭବ କରି ପାରିଲେ ଆମେ କଦାପି ସେହି ପ୍ରମାଦରେ ଯାଇ ପଡ଼ିଯିବା ନାହିଁ । ଏବଂ ସର୍ବୋପରି, ଶ୍ରୀଅରବିନ୍ଦଙ୍କର ରଚିତ ଗ୍ରନ୍ଥଗୁଡ଼ିକୁ ମୋକ୍ଷଲାଭ କରିବାର କୌଣସି ‘ମାହାତ୍ମ୍ୟ’ ଅଥବା ‘ମାଳିକା’ ଭାବରେ ନୁହେଁ, ଆମ ଜୀବନରେ ପାହାଚ ଉପରକୁ ଉଠି ଏବଂ ଗଭୀରକୁ ପ୍ରବେଶ କରି ସତ୍ୟାବତରଣର ଏକ ପୂର୍ବନିର୍ଦ୍ଦେଶିତ ଯୋଜନାରେ ନିମିତ୍ତରୂପେ ବ୍ୟବହୃତ ହୋଇ ପାରିବାକୁ ଆମଠାରୁ ସମ୍ମତିର ଯାଚନା କରୁଥିବା ଏକ ବୃହତ୍ ଆହ୍ଵାନ ରୂପେ ଗ୍ରହଣ କରି ପାରିବା । ଆମର ଏହି ଭୂମିରୁ ଏଇଠୁ ହିଁ କିପରି ଏକ ନୂତନ ଚେତନା ଅର୍ଥାତ୍ ପାରସ୍ପରିକତାର ସଂପ୍ରତ୍ୟୟ ପ୍ରାୟ ଇଟାକୁ ଇଟା ବସାଇ ଆମେ ଇପ୍ସିତ ସୌଧଟିକୁ ତିଆରି କରି ପାରିବା,—ଇପ୍ସିତ ସମଗ୍ରତାଟିକୁ ଦର୍ପଣରୂପେ ବ୍ୟବହାର କରି ଆମେ କିପରି ଚତୁଷ୍ପାର୍ଶ୍ଵସ୍ଥ ଭୂମିଟିକୁ ଅନୁରୂପଭାବରେ ତିଆରି କରି ପାରିବା, The Human Cycle ଆମକୁ ସେଇଥିଲାଗି ଏକ ସଙ୍ଗତ ବାଟ ପାଇଯିବାରେ ଭାରି ସାହାଯ୍ୟ କରିଥାଏ । ଆମକୁ ଏକ ପବିତ୍ର ଉତ୍ତରାଧିକାରର ସମ୍ବନ୍ଧରେ ସଚେତନ କରାଇ ଆଣେ ଏବଂ ସେହି ଉତ୍ତରାଧିକାରର ଯୋଗ୍ୟ ହୋଇ ପାରିବାର ଆଦ୍ୟ ପାହାଚଗୁଡ଼ିକୁ ଜଳଜଳ କରି ଦେଖାଇ ଦେବାରେ ଲାଗିଥାଏ ।

 

ବ୍ରହ୍ମପୁର ଶିବିରରେ ଆତ୍ମପ୍ରକାଶ କରିଥିବା ‘ସୁହୃଦ୍ ଗୋଷ୍ଠୀ’ର ପ୍ରଥମ ପୁସ୍ତକ ‘ମାତୃଭବନ-ପୁତ୍ର’ ଇତିମଧ୍ୟରେ ପ୍ରାୟ ସବୁ ବିକ୍ରୀ ହୋଇ ଯାଇଛି । ସେହି ଶିବିରକୁ ଆସିଥିବା ବନ୍ଧୁମାନେ ପୁସ୍ତକଟିକୁ ଆପଣା ଭିତରେ ବିକ୍ରୀ ଲାଗି ବାଣ୍ଟି ନେଇଥିଲେ ଏବଂ ବିଗତ ଛଅ ମାସ ଭିତରେ ସେମାନେ ପ୍ରାୟ ସବୁଯାକ ବିକ୍ରୀ କରି ଦେଇଛନ୍ତି । ତାହା ଆଦୌ କମ୍ ଆଶାର କଥା ନୁହେଁ । ଉପର ଓ ତଳ ହୋଇ ସମସ୍ତେ ଗୋଟିଏ ସନ୍ତାନତ୍ଵର ସହଯୋଗୀ ଭୂମି ଉପରେ ଏକଜୁଟ ହୋଇ ପାରିଲେ ଏଇ ମଣିଷ ଯେ ଭଗବାନଙ୍କର କାର୍ଯ୍ୟ କରିବା ଲାଗି ସତକୁ ସତ ଅନୁରୂପ ଏକ ସହଜ ବଳ ପାଇଯାଏ, ଇଏ ତାହାର ଆଉ ଗୋଟିଏ ଦୃଷ୍ଟାନ୍ତ । ଯିଏ ଭେଦ କାଢ଼ିବାର କାଢ଼ୁଥାଆନ୍ତୁ, ନାକ ଟେକିବାର ଟେକୁ ଥାଆନ୍ତୁ,—ଆମେ ଭେଦ ଦେଖିବା ନାହିଁ, ନାକ ଟେକିବା ନାହିଁ, ପରସ୍ପର ଆଡ଼କୁ ହାତ ବଢ଼ାଇ ଦେବାରେ ଆଦୌ କୌଣସି କାର୍ପଣ୍ୟ କରିବା ନାହିଁ । ପୁରୁଣା ସଂସାରଟାର ଗୁହଗୁଡ଼ାକୁ ଆମ ନୂତନ ସଂକଳ୍ପର ତୀର୍ଥ ଭିତରେ ପୂରାଇବାର ହୁଣ୍ଡା ନିର୍ବୋଧତା ଦ୍ଵାରା ଆମେ ଆପଣା ପାଖରେ ମୋଟେ ହାସ୍ୟାସ୍ପଦ ହେବା ନାହିଁ । ଅତ୍ୟନ୍ତ ଆନନ୍ଦର କଥା, ଇତିମଧ୍ୟରେ ବାବାଜୀ ମହାରାଜ ଓ ପ୍ରପତ୍ତି ଆମର ଏହି ଶିବିରଗୁଡ଼ିକୁ ଚାଲୁ ରଖିବାକୁ ଓ ପରସ୍ପରକୁ ସାହାଯ୍ୟ କରି ପାରିବା ଲାଗି ଆରମ୍ଭ କରା ଯାଇଥିବା ପାଣ୍ଠିଟିକୁ ଆହୁରି ଅଧିକ ସାମର୍ଥ୍ୟଯୁକ୍ତ କରାଇବା ନିମନ୍ତେ ବିବିଧ ଉପାୟ ଚିନ୍ତା କରିବାକୁ ଉତ୍ସାହବାଣୀ ପଠାଇଛନ୍ତି । ଆମର କ୍ଷୁଦ୍ର ଉଦ୍ୟମଟିକୁ ଶତବଳ କରି ଦେଇଛନ୍ତି । ନବଜୀବନ ଶିକ୍ଷାସମ୍ପଦ ଆପଣାର ଦ୍ଵିବାର୍ଷିକ ବିବରଣୀରେ ମଧ୍ୟ ଆମ ଶିବିର ଓ ଅଧ୍ୟୟନଯୋଜନାର ଉଲ୍ଲେଖ କରିଛନ୍ତି । ଅର୍ଥାତ୍, ଆହୁରି ଅନେକ ଅନେକ ବନ୍ଧୁ ଆମର ଅଧିକରୁ ଅଧିକ ପାଖକୁ ଆସିଲେଣି । ଶକ୍ତିର ସଂକ୍ରମଣରେ ସେମାନେ କେତେପ୍ରକାରେ ସାହାଯ୍ୟ କରୁଛନ୍ତି ।

 

କେବଳ ବହି ବିକ୍ରୀରୁ ମିଳୁଥିବା ଧନ ଯେ ଆମ କଲ୍ୟାଣପାଣ୍ଠିର ଏକମାତ୍ର ନିର୍ଭର ହୋଇ ରହିବ, ସେକଥା ମୋଟେ ନୁହେଁ । ତାହାର ଏକ ସ୍ପଷ୍ଟ ସୂଚନା ମଧ୍ୟ ଏହି ଛଅ ମାସ ଭିତରେ ଆମକୁ ମିଳି ସାରିଲାଣି । କେତେଆଡ଼ୁ କେତେ ବନ୍ଧୁ ଆମର ଏହି ପାଣ୍ଠିଟିକୁ ଅର୍ଥ-ସାହାଯ୍ୟ ପଠାଉଛନ୍ତି । କେହି କେହି ଏକକାଳୀନ ଭାବରେ ପଠାଉଛନ୍ତି, ପୁଣି ଆଉ କେହି ମାସିକ ହିସାବରେ ପଠାଉଛନ୍ତି । ମାତ୍ର, ସବୁଠାରୁ ବଡ଼ କଥା ହେଉଛି, ବିଭିନ୍ନ ଅଞ୍ଚଳରେ ରହିଥିବା ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରଗୁଡ଼ିକରେ ଶିକ୍ଷକତା କରୁଥିବା ଭାଇ ଓ ଭଉଣୀମାନେ ମାସିକ ଭାବରେ ଏହି ପାଣ୍ଠିକୁ ଏକ ପ୍ରତିଶ୍ରୁତ ପରିମାଣର ଅର୍ଥ ପଠାଇବାକୁ ଆରମ୍ଭ କରି ଦେଲେଣି । ମୁଖ୍ୟତଃ ସେହି ଭଉଣୀ ଓ ଭାଇମାନେ ହିଁ ‘ମାତୃଭୁବନ-ପତ୍ର’ର ବିକ୍ରୀ ଦାୟିତ୍ଵ ନେଇଛନ୍ତି । ଏହିପରି ଭାବରେ କ୍ରମଶଃ ସେହିମାନେ ହିଁ ସମଗ୍ର ପାଣ୍ଠିର ଦାୟିତ୍ଵ ନେବେ, ସେହି ପାଣ୍ଠିକୁ କିପରି କେଉଁଠି କାମରେ ଲଗାଯିବ, ସେକଥା ମଧ୍ୟ ସେହିମାନେ ଠିକ୍ କରିବେ । ଯେଉଁଦିନ ଶିକ୍ଷାକେନ୍ଦ୍ରଗୁଡ଼ିକଙ୍କର ଶିକ୍ଷକ ଭାଇଭଉଣୀ ପ୍ରତ୍ୟେକ ପ୍ରକାଶିତ ପୁସ୍ତିକାଗୁଡ଼ିକରୁ ନିଜେ ଖଣ୍ଡିଏ ଖଣ୍ଡିଏ କିଣିବେ ଏବଂ କଲ୍ୟାଣପାଣ୍ଠିକୁ ସେମାନଙ୍କ ଭିତରୁ ଅନ୍ତତଃ ମାସିକ କିଛି ଅର୍ଥ ସାହାଯ୍ୟ କରିବା ଲାଗି ନିଷ୍ପତ୍ତି କରିବେ, ଆମ ‘ସୁହୃଦ୍‌ଗୋଷ୍ଠୀ’ର ଏହି ଦିଗରେ କରାଯାଇଥିବା କ୍ଷୁଦ୍ର ଆରମ୍ଭଟି ସତକୁ ସତ ସେହିଦିନହିଁ ଯଥାର୍ଥ ସାର୍ଥକତା ଲାଭ କରିପାରିବ ।

 

ଏହି ଶିବିରରେ ଆମର ଦ୍ଵିତୀୟ ପୁସ୍ତିକା ‘ନୂଆ ଶିକ୍ଷା, ନୂଆ ବିଶ୍ଵାସ’ ଆତ୍ମପ୍ରକାଶ କଲା-। ଗତ ବ୍ରହ୍ମପୁର ଶିବିରରୁ ଆମର ସାଙ୍ଗ ହୋଇଥିବା ସମ୍ବଲପୁରର କେତେ ଭାଇଭଉଣୀଙ୍କର ଶ୍ରଦ୍ଧା ଓ ଉଦ୍ୟମ ଫଳରେ ଏକଥା ସମ୍ଭବ ହୋଇପାରିଲା । ସେମାନେ ଆପଣାର ବନ୍ଧୁମାନଙ୍କଠାରୁ ଚାନ୍ଦା ସଂଗ୍ରହ କରି ତାହାରି ଦ୍ଵାରା ହିଁ ପୁସ୍ତିକାଟିର ଛାପା ଖରଚ ଉଠାଇ ପାରିଛନ୍ତି । ନୂଆ ବହିଟିକୁ ବର୍ତ୍ତମାନ ବିକ୍ରୀଲାଗି ବନ୍ଧୁମାନଙ୍କ ମଧ୍ୟରେ ବାଣ୍ଟି ଦିଆଯାଇଛି ଏବଂ ଆମର ତୃତୀୟ ପୁସ୍ତକଟିକୁ ଯଥାଶୀଘ୍ର ପ୍ରକାଶ କରିବାର ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇ ଗଲାଣି । ତା’ପଛକୁ ତା’ପଛକୁ ଅଧିକ ବହି ବାହାର କରି ପାଣ୍ଠିଟିକୁ ଆହୁରି ଅଧିକ କରିବା ଦିଗରେ ଯୋଜାନାମାନ ରହିଛି । ଯହୁଁ ଯହୁଁ ଅଧିକରୁ ଅଧିକ ବନ୍ଧୁ ଆମ ସାଙ୍ଗକୁ ଆସୁଛନ୍ତି, ଆମର ଦୁଃସାହସଗୁଡ଼ାକ ମଧ୍ୟ ସେତିକି ପ୍ରସାର ଲାଭ କରିବାରେ ଲାଗିଛନ୍ତି । ଆପଣାର ଗାରଗୁରାକୁ ଭାଙ୍ଗି, କାର୍ପଣ୍ୟଗୁଡ଼ାକୁ ଅତିକ୍ରମ କରି ଜଗତରେ ଯେଉଁ ଦୁଃସାହସମାନ କରାଯାଏ, ତାହା ଆଦୌ ଦୁଃସାହସ ନୁହେଁ, ତାହା ଯଥାର୍ଥ ସାହସ । କୃପଣ, ଗାରସଚେତନ ମଣିଷ ଉଦ୍ୟମ ଓ କର୍ମ ନାମରେ ଯାହାକିଛି କରେ, ତାହା ତା’ଜୀବନ ଉପରେ ବୋଝ ହୋଇ ରହିଥାଏ, ତା’ ଚେତନା ଉପରେ ଏଡ଼େ ବହଳର ଗୋଟାଏ ସଢ଼େଇ ପରି ହୋଇ ତାକୁ ବନ୍ଦୀ କରି ରଖିଥାଏ । ଯାହାକିଛି ସହଜ ଲାଗେ, ସହଜ ଭାବରେ ହୁଏ, ଯଥାର୍ଥରେ ସେହିଗୁଡ଼ିକ ହିଁ ଭଗବାନଙ୍କର କାମ ।

 

ଆଗାମୀ ଗ୍ରୀଷ୍ମ ଶିବିର ଢେଙ୍କାନାଳ ଜିଲ୍ଲାର ବାରଦା ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ଅନୁଷ୍ଠିତ ହେବ । ଏଥିଲାଗି ଏଇଦିନୁଁ ପ୍ରସ୍ତୁତି ଆରମ୍ଭ ହେଲାଣି ଏବଂ ନୂଆ ନୂଆ ବନ୍ଧୁମାନେ ସେଥିରେ ଯୋଗ ଦେବାଲାଗି ପ୍ରତିଶ୍ରୁତି ଦେବାକୁ ଆରମ୍ଭ କଲେଣି । ବାରଦାରେ ଗତବର୍ଷ ଶ୍ରୀଅରବିନ୍ଦଙ୍କର ପବିତ୍ର ଦେହାବଶେଷର ଥାପନା ହୋଇ ସାରିଛି । ଉଚ୍ଚ ଉଚ୍ଚ ତାଳଗଛର ଗାର ପଡ଼ିଥିବା ଅରଣ୍ୟଭୂମି ମଧ୍ୟରେ ଅବସ୍ଥିତ ଏହି ଭୂମିଟି ଦିବସର ଯେଉଁ ସମୟରେ ଅନାଇ ଦେଖିଲେ ମଧ୍ୟ ସତେଅବା ଏକ ଧ୍ୟାନଭୂମି ପରି ଦେଖାଯା’ଏ । ଏପରି ଏକ ଧ୍ୟାନଭୂମି, ଯାହା ମଣିଷକୁ ଆଦୌ କୌଣସି ଏକାକିତ୍ଵର ଅପନ୍ତରା ମଧ୍ୟକୁ ହୁଡ଼ାଇ ନିଏନାହିଁ । ମାଆ ଯାହାକୁ ecstatic meditation ବୋଲି କହିଛନ୍ତି, ବାରଦାର ପରିବେଶ ଆମକୁ ସେହିଭଳି ଏକ ଧ୍ୟାନର ଉଦବୋଧନ ଦେଇ ଯାଉଥାଏ । ଉନ୍ମୋଚନ ଇଚ୍ଛା କରୁଥିବା ପ୍ରତ୍ୟେକ ମଣିଷର ସକଳ ଅନୁରାଗକୁ ଯେଉଁ ଧ୍ୟାନ ଅର୍ଥାତ୍ ସାନ୍ନିଧ୍ୟ ପ୍ରସ୍ଫୁଟିତ କରାଇ ନେଇଆସେ, ତାହାହିଁ ହେଉଛି ecstatic ଧ୍ୟାନ ।

 

ତେଣୁ, ଏହି ଭୂତ ଆମକୁ ଆହୁରି ଅଧିକରୁ ଅଧିକ ପରିମାଣରେ ଆକର୍ଷିତ କରୁ ଓ ଏକତ୍ର କରାଇ ଆଣୁ । ଯାହାର ନାମରେ ଆମେ ଆମର ଶିକ୍ଷାକେନ୍ଦ୍ରଗୁଡ଼ିକୁ ଆରମ୍ଭ କରିଛୁ, ତାଙ୍କରି କାମ ଲାଗି ଆମକୁ ଏକତ୍ର କରିଆଣୁ । Am I my brother’s keeper ? ବାଇବେଲ୍‌ର ଏହି ପ୍ରଶ୍ନଟି ଆମର ଯାବତୀୟ ଉଦ୍ୟମରେ ଆମର ସାଥୀ ହୋଇ ରହିଥାଉ, ଆମକୁ ଯାବତୀୟ ଦମ୍ଭର ଦୁର୍ଦ୍ଦଶାରୁ ବଞ୍ଚାଇ ରଖିଥାଉ । ଏହି ଶିକ୍ଷାକେନ୍ଦ୍ରଗୁଡ଼ିକ ଗୋଟିଏ ଗୋଟିଏ କୋରଡ଼ ଆଦୌ ନୁହେଁ ଯେ ଆମେ ଆପଣା ବରିଷ୍ଠତା ଅଥବା ଗରିଷ୍ଠତାର ଯାବତୀୟ ଗଉଁ ଏବଂ ଗୁମାନଗୁଡ଼ାକୁ ନେଇ ସେହିଗୁଡ଼ାକୁ ଭିତରେ ଯାଇ ପେଟ ଫୁଲାଇ ବସିଥିବା । ଏହି ଶିକ୍ଷାକେନ୍ଦ୍ରଗୁଡ଼ିକ ଏକ ଭବିଷ୍ୟତର ପ୍ରତୀକ, ଏକ ଆନ୍ଦୋଳନର ପ୍ରତୀକ । ଗଉଁବାଲାମାନେ ଆଦୌ କୌଣସି ଆନ୍ଦୋଳନରେ ନିମିତ୍ତ ହୋଇ ପାରନ୍ତିନାହିଁ,—କୋରଡ଼କୁ ଭଲ ପାଉଥିବା ମଣିଷମାନେ ଆନ୍ଦୋଳନକୁ ଡରନ୍ତି; ପରିବର୍ତ୍ତନକୁ ପାଟକନା ପିନ୍ଧାଇ ଠାକୁର ଘରେ ରଖି ପୂଜା କରନ୍ତି ସିନା, ପରିବର୍ତ୍ତନକୁ ଡରନ୍ତି, ପରିବର୍ତ୍ତନକୁ ଭୂତ ବୋଲି,—ଯାବତୀୟ ସଂପ୍ରସାରଣ ଲାଗି ଏମାନେ ବୈରୀପଣ କରି ରହିଥାନ୍ତି ।

 

ଏପ୍ରିଲ, ୧୯୮୮

Image

 

ସଂସାରରେ ଥାଇ ବି ବୈରାଗୀ ପରି

 

Man is here for the sake of other men : ଏକଥା ଆମ ଏ ଯୁଗର ଜଣେ ବିଖ୍ୟାତ ମନୁଷ୍ୟ ଆଲ୍‌ବର୍ଟ ଆଇନ୍‌ଷ୍ଟାଇନ୍ କହିଥିଲେ । ଶ୍ରୀଯୁକ୍ତ ଆଇନ୍‌ଷ୍ଟାଇନ୍ ଜଣେ ପ୍ରଖ୍ୟାତ ବୈଜ୍ଞାନିକ ବୋଲି ଆମ ବହିମାନଙ୍କରେ ଲେଖା ଯାଇଛି । ଯେଉଁଠି ଜୀବନ ସହିତ ବିଜ୍ଞାନର ଏକ ଅନ୍ତର୍ଗତ ଭେଟ ସମ୍ଭବ ହୁଏ, ସେହିଠାରେ ବୈଜ୍ଞାନିକ ଦୃଷ୍ଟିକୋଣ ନାମକ ଏକ ସମଗ୍ର ସମ୍ପଦ ଆମ ଜୀବନର ସର୍ବପ୍ରଧାନ ଦୃଷ୍ଟିକୋଣ ରୂପେ ଗ୍ରହଣ କରିଥାଏ, ତାହାକୁ ଆମେ ଜଣେ ଜାଗ୍ରତ ମନୁଷ୍ୟ ବୋଲି କହିପାରିବା । ଆଲ୍‌ବର୍ଟ ଆଇନ୍‌ଷ୍ଟାଇନ୍ ଜଣେ ଜାଗ୍ରତ ମଣିଷ ଥିଲେ । ଜଣେ ଜାଗ୍ରତ ମଣିଷ ଅର୍ଥାତ୍ ପୃଥିବୀଯାକର ଜୀବନ ସହିତ ସୂତ୍ର ଲଗାଇ ରଖିଥିବା ଜଣେ ମଣିଷ, ପୃଥିବୀଯାକର ମଣିଷଙ୍କ ସହିତ ଆପଣାକୁ ଗଅଣ୍ଠାଇ ରଖି ପାରିଥିବା ମଣିଷ । ସେପରି ଜଣେ ମଣିଷକୁ ପୃଥିବୀରେ କଦାପି ଏକୁଟିଆ ଲାଗେନାହିଁ । ଆପଣାର ଚେତନା ଅର୍ଥାତ୍ ସୂତ୍ରଗୁଡ଼ିକର ଭୂମିରେ ସିଏ ଏକାବେଳେକେ ସମସ୍ତ ପୃଥିବୀ ସହିତ ଏକାତ୍ମ ହୋଇ ରହିଥାଏ । ଆପଣାକୁ ସାରାପୃଥିବୀ ଭିତରେ ଦେଖେ, ସାରାପୃଥିବୀକୁ ମଧ୍ୟ ନିଜ ଭିତରେ ଦେଖୁଥାଏ । ଉପନିଷଦର ଭାଷାରେ, ଏଭଳି ଜଣେ ମଣିଷକୁ କେବେହେଲେ ଘୃଣା କରିବାକୁ ପଡ଼େ ନାହିଁ । ପୃଥିବୀ ପାଖରୁ ଆପଣାକୁ କେବେହେଲେ ଲୁଚାଇ ରଖିବାକୁ ପଡ଼େ ନାହିଁ । ପୃଥିବୀଯାକ ସତେଅବା ବନ୍ଧୁଭଳି ଅନୁଭୂତ ହେବାକୁ ଲାଗିଲେ ଆମେ ଜୀବନରେ ଏହି ସବୁକିଛିକୁ ଏକତ୍ର ଏକ ଏକକ ଅନୁରାଗ ଭିତରେ ବାନ୍ଧି ରଖିଥିବା ଦିବ୍ୟତାର ସମ୍ମୁଖୀନ ହେଉ, ଭଗବାନଙ୍କର ସ୍ପର୍ଶ ଲାଭ କରୁ । ଭଗବାନ ସେତେବେଳେ ସତେଅବା ଆମ ସାମନାରେ ଆସି ଛିଡ଼ା ହୋଇଥିବା ପରି ଲାଗନ୍ତି । ସିଏ ଆମ ଜୀବନରେ ଜୀବନ୍ତ ହୋଇ ଉଠନ୍ତି, ଆମର ଅନ୍ତରଙ୍ଗତମ ଆତ୍ମୀୟ ରୂପେ ସ୍ଵୀକୃତ ହୁଅନ୍ତି ।

 

ଅସଲ ଶିକ୍ଷା ବୈରାଗ୍ୟର ଶିକ୍ଷା ଦିଏ ନାହିଁ, ଅସଲ ଶିକ୍ଷା ଅନୁରାଗ ହିଁ ଶିକ୍ଷା ଦିଏ । ମୁଁ ଏଠି ବା ଆଉ କେଉଁଠି କେବଳ ନିଜ ପାଇଁ ନୁହେଁ, ମୁଁ ସମସ୍ତଙ୍କ ପାଇଁ,—ମୋ’ ଭିତରେ ଥିବା ଅସଲ କେନ୍ଦ୍ରଟିକୁ ଯଥାର୍ଥ ଭାବରେ ଚିହ୍ନିବାର ଅର୍ଥ ହେଉଛି ଏହି ସମଗ୍ର ଜଗତକୁ ସେହି କେନ୍ଦ୍ରର ବହୁସଂଖ୍ୟକ ପରିଧିରୂପେ ଚିହ୍ନିବା । ବୃତ୍ତଟିକୁ ଛାଡ଼ି, ପରିଧିଗୁଡ଼ିକୁ ବାଦଦେଇ ଆମେ କଦାପି କେନ୍ଦ୍ରଟିକୁ ଚିହ୍ନି ପାରିବାନାହିଁ । ସଂସାରରେ ଯେଉଁମାନେ ତଥାପି ସେହି ଅକଥାଟିକୁ କରିବା ଲାଗି ମନ କରନ୍ତି, ସେମାନେ ବର୍ବର ହୁଅନ୍ତି, ବ୍ୟାଘ୍ର ହୁଅନ୍ତି ବା ଶାର୍ଦ୍ଦୁଳ ହୁଅନ୍ତି ସତ, କିନ୍ତୁ ମନୁଷ୍ୟ ହୋଇ ପାରନ୍ତିନାହିଁ । ଯଥାର୍ଥ ଶିକ୍ଷା ବ୍ୟାଘ୍ରମାନଙ୍କୁ ଡରିବ ନାହିଁ, ବର୍ବରମାନଙ୍କୁ ମାନିନେବ ନାହିଁ,—ଯଥାର୍ଥ ଶିକ୍ଷା ଏପରି ଏକ ପୃଥିବୀକୁ ସମ୍ଭବ କରିବା ଲାଗି ଅହରହ ଉଦ୍ୟମ କରୁଥିବ, ଯେଉଁଥିରେ ବର୍ବର ରହିବେ ନାହିଁ, ବ୍ୟାଘ୍ର ରହିବେ ନାହିଁ, ଭୟ ନଥିବ, ଦୂରତା ନଥିବ, ଦ୍ରୋହ ମଧ୍ୟ ନଥିବ । କେବଳ ବନ୍ଧୁମାନେ ରହିଥିବେ, ଏକ ଗଭୀର ପାରସ୍ପରିକତା ରହିଥିବ । ‘ଏହି ସଂସାରରେ ଏକ ଅନୁରାଗମୟ ସୂତ୍ର ଆମକୁ ପରସ୍ପର ସହିତ ଯୁକ୍ତ କରି ରଖିଛି ବୋଲି ହିଁ ଆମେ ଏଠାରେ ରହିଛୁ’—ଅସଲ ଶିକ୍ଷା ଅମାକୁ ଯାବତୀୟ ସତ୍ୟର ସର୍ବମୂଳ ଭୂମିସତ୍ୟ ରୂପେ ସେହି ଅନୁଭବର ପ୍ରତ୍ୟୟ ଦେଇଯାଇ ପାରୁଥିବ । ତେବେଯାଇ ଏହି ପୃଥିବୀରେ ବର୍ବରମାନଙ୍କ ଉପରେ ଆମେ ଯଥାର୍ଥ ବିଜୟଟିକୁ ହାସଲ କରିପାରିବା । ଆମ ନିଜ ଭିତରେ ତଥା ଆମ ବାହାରେ ଏଡ଼େ ଏଡ଼େ ବଡ଼ ଆସ୍ଥାନ ମାଡ଼ି ରଜା ହୋଇ ବସିଥିବା ବର୍ବରତାଗୁଡ଼ିକ ଉପରେ ବିଜୟ ଲାଭ କରିପାରିବା ।

 

ସଂସାରରେ ଥାଇ ମଧ୍ୟ ଯେଉଁମାନେ ବୈରାଗୀ ହୋଇଥା’ନ୍ତି, ସେମାନେ ହୁଏତ ନିଜର ମୋକ୍ଷ ପାଇଁ ବୈରାଗୀ ହୋଇଥା’ନ୍ତି ଅଥବା ନିଜର ସୁଖ ଲାଗି ମଧ୍ୟ ବୈରାଗୀ ହୋଇଥାଆନ୍ତି । ମୋକ୍ଷ ଯେତେବେଳେ କେବଳ ତଥାକଥିତ ଆପଣାର ମୋକ୍ଷଟାକୁ ହିଁ ବୁଝାଉଥାଏ, ସେତେବେଳେ ସେହି କିସମର ମୋକ୍ଷବାଦୀମାନଙ୍କୁ ମଧ୍ୟ ଆମେ ଜଣେ ଜଣେ ସୁଖବାଦୀ ବୋଲି ଅବଶ୍ୟ କହିପାରିବା । ସେମାନେ ଯାହା ଚାହୁଥାନ୍ତି, ପ୍ରଧାନତଃ ନିଜ ପାଇଁ ଚାହୁଥା’ନ୍ତି । ନିଜର ମୁକ୍ତି, ନିଜର ଶାନ୍ତି, ନିଜର ସ୍ଵର୍ଗ, ନିଜର ତପଃଫଳ, ଇତ୍ୟାଦି ଇତ୍ୟାଦି । ସେମାନେ ସଂସାର ପ୍ରତି ପ୍ରଧାନତଃ କେତେକ ବ୍ୟକ୍ତିଗତ କାରଣରୁ ବିରକ୍ତ ହୋଇ ଯାଇଥା’ନ୍ତି ଅଥବା ସଂସାରରେ କେତେକ ବ୍ୟକ୍ତିଗତ ଧକ୍‌କା ଖାଇ ଅଥବା ବିପର୍ଯ୍ୟୟ ଲଭି ସେମାନେ ସଂସାର ପ୍ରତି ବିମୁଖ ଓ ଅପ୍ରସନ୍ନ ହୋଇ ପଡ଼ିଥା’ନ୍ତି ଓ ତାହାକୁ ହିଁ ଆପଣା ମୋକ୍ଷ ଲୋଡ଼ିବାରେ ସର୍ବପ୍ରଧାନ ଉତପ୍ରେରକ ରୂପେ ଗ୍ରହଣ କରିଥା’ନ୍ତି । ଅନ୍ତତଃ ଏକ ସଙ୍ଗତିରକ୍ଷା ପାଇଁ ଏମାନେ ଏହି ସଂସାରକୁ ଭଗବାନଙ୍କର ସଂସାର ବୋଲି କହୁଥା’ନ୍ତି ସତ, ମାତ୍ର ଆପଣାର ଏକ ଅଲଗା ସଂସାର ତିଆରି କରି ସେମାନେ ଅପେକ୍ଷାକୃତ ଅଧିକ ସାମରଥା ହୋଇ ଭଗବାନଙ୍କୁ ଭୋଗ କରିବାକୁ ସଂସାରକୁ ବାହାରକୁ ପଳାଇ ଯାଇଥା’ନ୍ତି । ପଳାଇ ଯିବାକୁ ହିଁ ନିକାଞ୍ଚନ ବୋଲି ମଣନ୍ତି । ପଳାଇ ଯିବାର ସୁଖଟାକୁ ହିଁ ଭାରି ଗାମ୍ଭୀର୍ଯ୍ୟର ସହ ସେମାନେ ଆତ୍ମସୁଖ ବୋଲି କହନ୍ତି । ଏମାନେ ଉପରୁ ଥାଇ ସଂସାରକୁ ଦେଖନ୍ତି, ଦୂରରୁ ଥାଇ ସଂସାର ପାଇଁ ନୀତିଶତକ ଲେଖନ୍ତି ଓ ଧର୍ମପରାମର୍ଶର ଲଗୁଡ଼ ପ୍ରହାର କରିବାରେ ଲାଗିଥା’ନ୍ତି । ସଂସାର ତଳୁ ଥାଇ ସେମାନଙ୍କୁ ଚକିତ ହୋଇ ଅନାଇ ରହିଥାଏ, ମାତ୍ର ସେମାନଙ୍କର ବାଟ ସହିତ ସଂସାରର ବାଟଗୁଡ଼ିକର ଆଦୌ କୌଣସି ପ୍ରାସଙ୍ଗିକତା ରହଛି ବୋଲି ଆଦୌ ବିଶ୍ଵାସ କରେନାହିଁ । ସଂସାରର ବଡ଼ ଭାଗ୍ୟ ଯେ ଏଠି ଯେଉଁମାନେ ସଂସାରକୁ ବର୍ଜନ କରି ମୋକ୍ଷ ଲୋଡ଼ନ୍ତି, ସେମାନଙ୍କର ସଂଖ୍ୟା ଆଦୌ ଖୁବ୍‌ବେଶୀ ନୁହେଁ ।

 

ଅପର ପାକ୍ଷରେ, ତଥାକଥିତ ସଂସାରୀମାନଙ୍କର ଯେଉଁ ବହୁସଂଖ୍ୟକ ଶିବିରଟି ସଂସାରରେ ରହିଥାଏ ଏବଂ ସଂସାରଟାକୁ ଆତଯାତ କରାଉଥାଏ, ସେହି ଶିବିରର ଅଧିକାଂଶ ମଣିଷ ତଥାପି ବୈରାଗୀ ହୋଇ ରହିଥାଆନ୍ତି । ସଂସାର ବାହାରେ ଥିବା କୌଣସି ନିକାଞ୍ଚନ ମଧ୍ୟକୁ ପଳାଇ ଯାଆନ୍ତି ନାହିଁ ସତ, ମାତ୍ର ଆପଣାର ଜୀବନଟାକୁ ଗୋଟିଏ ଗୋଟିଏ ଆତ୍ମସର୍ବସ୍ଵ ଗାତରେ ପରିଣତ କରି ତାହାରି ଭିତରେ ବୈରାଗ୍ୟ ଆଚରଣ କରୁଥା’ନ୍ତି, ସେହି ବୈରାଗ୍ୟର ଆତ୍ମସୁଖ ଲାଭ କରନ୍ତି । ଗାତଟି ବ୍ୟତୀତ ସତେଅବା ଆଉ କିଛିହେଲେ ଦେଖିପାରନ୍ତି ନାହିଁ । ଭୁବନଯାକର ସମୁଦାୟ ଆକାଶଟିକୁ ମୋଡ଼ିମାଡ଼ି ଆପଣାର ଗାତଟି ଭିତରେ ଆଣି ପୂରାଇ ଥାଆନ୍ତି ଏବଂ ତାହାକୁ ହିଁ କେଡ଼େ ସଂତୃପ୍ତ ଭାବରେ ସାଂସାରିକ ସଫଳତା ବୋଲି କହୁଥା’ନ୍ତି । ପିମ୍ପୁଡ଼ିମାନେ ଯେପରି ଯୋଉଠୁ ଯାହା ପାଆନ୍ତି, ତାକୁ ଟାଉଟାଉ କରି ଆପଣାର ଗାତ ଭିତରକୁ ବୋହି ନେଇ ଯାଆନ୍ତି, ଏହି ମଣିଷମାନେ ସେହିପରି ଏକାବେଳେକେ ଶହେଟା ପିମ୍ପୁଡ଼ିର ଲୋଭକୁ ହାତ ଗୋଡ଼ ପରି କରି ସଂସାରଟାକୁ ଲୁଚି ଆଣିବେ ବୋଲି ବାହାରି ପଡ଼ିଥା’ନ୍ତି, ସଂସାରରୂପକ ବୃକ୍ଷରୁ ଏକାବେଳେକେ ସବୁଯାକ ଫଳ ଦୁହିଁଆଣି ଘରେ ପୂରାଇବାକୁ ସତେଅବା ସିଂହନଖ ହୋଇ ବାହାରିଥା’ନ୍ତି । ଏହି ସଂସାରନିଷ୍ଠ ବୈରାଗୀମାନେ ଭଗବାନଙ୍କୁ ମଧ୍ୟ ଆପଣାର ଗାତଟିକୁ ସର୍ବଦା ଭର୍ତ୍ତି କରି ରଖିବାର ନିମିତ୍ତରୂପେ ବ୍ୟବହାର କରନ୍ତି । ଭଗବାନଙ୍କୁ ଆପଣାର କାମରେ ଲଗାନ୍ତି ଓ ଧର୍ମଧୂର୍ତ୍ତ ହୋଇ ସଫଳ ହୁଅନ୍ତି । ଆପେ ଭଗବାନଙ୍କର କୌଣସି କାମରେ ଲାଗିବା,—ସେହି ଅନ୍ୟ କଥାଟି ସେମାନଙ୍କର ଜୀବନରେ ଏକ ବହୁଦୂର ବାଷ୍ପୀୟତା ହୋଇ ରହିଯାଏ ।

 

ଆପଣାର ଗାତଟି ଭିତରୁ ବାହାରି ସଂସାରକୁ ସତକୁ ସତ ଦେଖିବାକୁ ମନ କଲେ ଯାଇ ବୈରାଗ୍ୟ କଟେ, ଜୀବନର ଅନ୍ୟ ବୃହତ୍ତର ସମ୍ଭାବନାଗୁଡ଼ିକ ଦୃଶ୍ୟ ଓ ଅନୁଭୂତ ହେବାକୁ ଆରମ୍ଭ କରନ୍ତି । ଆମ ନିଜ ଭିତରେ କେତେ କେତେ ସମ୍ଭାବନା ଭର୍ତ୍ତି ହୋଇ ରହିଛି,—କେତେ ଶକ୍ତି ରହିଛି, କେତେ ଶ୍ରଦ୍ଧା ରହିଛି, ଭଲ ପାଇବାର ଅର୍ଥାତ୍ ଆକାଶଗୁଡ଼ିକୁ ଯଥାର୍ଥରେ ଆକାଶ ବୋଲି ଆବିଷ୍କାର କରିବାର କେତେ ସାମର୍ଥ୍ୟ ଯେ ରହଛି, ନିଜର ଗାତଟି ଭିତରୁ ବାହାରିଲେ ଯାଇ ଜୀବନର ସେହି ଅନ୍ୟ ଗୋଚରଭୂମିଟି ଅଧିକରୁ ଅଧିକ ନିକଟବର୍ତ୍ତୀ ହୋଇଆସେ । ବୈରାଗ୍ୟମାନେ ଅନୁରାଗକୁ ରୂପାନ୍ତରିତ ହେବାରେ ଲାଗନ୍ତି । ଆପଣାର ଅଜସ୍ର ସମ୍ଭାବନାଗୁଡ଼ିକ ବିଷୟରେ ଅନୁରାଗ ବୃଦ୍ଧି ପାଇଲେ ଏହି ସମଗ୍ର ସଂସାର ଲାଗି ଅଭିପ୍ରେତ ହୋଇ ରହିଥିବା ସମ୍ଭାବନାଗୁଡ଼ିକ ମଧ୍ୟ ସତେଅବା ଜଳଜଳ ହୋଇ ଦେଖାଯିବାକୁ ଆରମ୍ଭ କରନ୍ତି । ‘ଯୋଗ-ସମନ୍ଵୟ’ ଗ୍ରନ୍ଥରେ ଶ୍ରୀଅରବିନ୍ଦ Man is the symbol ବୋଲି ଯେଉଁ କଥାଟି କହିଛନ୍ତି, ସେତେବେଳେ ଯାଇ ତାହାର ଅସଲ ମର୍ମଟିକୁ ଉପଲବ୍ଧି କରିହୁଏ । ଏବଂ ସେତେବେଳେ ସମ୍ଭାବନାମୟ ସମଗ୍ର ସଂସାରଟି ଲାଗି ନିମିତ୍ତ ହୋଇ ବାହାରି ପାରିବା ହିଁ ଆମର ଏକମାତ୍ର ତପସ୍ୟାରେ ପରିଣତ ହୁଏ । କେବଳ ଆପଣାର ଗାତଗୁଡ଼ିକୁ ଭର୍ତ୍ତି କରିବା ଲାଗି ସଂସାରରେ ଯେଉଁ ତଥାକଥିତ ତପସ୍ୟା କରାଯାଏ, ତାହା ହେଉଛି ଜଣେ ଯଥାର୍ଥ ଅନୁରାଗୀର ତପସ୍ୟା । ଗୋଟିଏ ରାକ୍ଷସର ତପସ୍ୟା, ଆଉଗୋଟିଏ ହେଉଛି ସନ୍ତାନର ତପସ୍ୟା । ଜଣେ ସନ୍ତାନ କଦାପି ବୈରାଗ୍ୟ ବା ବିରାଗକୁ ବାଟ ବୋଲି ବାଛି ନେଇ ପାରେନାହିଁ, ସନ୍ତାନ ନିକାଞ୍ଚନକୁ ପଳାଇ ଯାଏନାହିଁ ଅଥବା କେବେହେଲେ ଗର୍ତ୍ତସର୍ବସ୍ଵ ହୋଇ ରହେନାହିଁ । ଅନୁରାଗ ହିଁ ତା’ର ଯଥାର୍ଥ ସନ୍ତକ ହୋଇ ରହିଥାଏ । ଅନୁରାଗ ବଳରେ ହିଁ ସିଏ ନିଜ ଭିତରକୁ ବାଟ ଫିଟାଏ, ପରସ୍ତ ପରସ୍ତ ହୋଇ ଖୋଲି ଯାଉଥାଏ; ସେହି ଖୋଲି ଖୋଲି ଯିବାର ମହିମାମୟ କ୍ରମରେ ସିଏ ସଂସାର ଭିତରକୁ ମଧ୍ୟ ବାଟ ପାଇଥାଏ । ସଂସାର ଲାଗି, ଭଗବାନଙ୍କ ଲାଗି ନିମିତ୍ତ ହେବାର ବାଟ ପାଇଥାଏ ।

 

ଆମେ ଯେଉଁମାନେ ସଂସାର ଭିତରେ ଥାଇ ମଧ୍ୟ ବୈରାଗୀ ପରି ଆଚାରଣ କରୁଛୁ, ସେମାନଙ୍କର ସେହି ବୈରାଗ୍ୟ ସଂସାର ପ୍ରତି, ନିଜ ପ୍ରତି ଆଦୌ ନୁହେଁ । ନିଜ ବିଷୟରେ ତ ସେମାନେ ସତେଅବା ଡାଆଣା ହୋଇ ସଂସାର ଭିତରେ ବୁଲୁଥାନ୍ତି; ଯୋଉଠି ଯାହା ପାଆନ୍ତି, ବିଦାରି ଆଣି ଆପଣାର ଗାତ ଭିତରେ ଭର୍ତ୍ତି କରନ୍ତି । ସେହି ଉତ୍ତେଜନାରେ ଭଗବାନଙ୍କୁ ମଧ୍ୟ ବିଦାରି ପକାନ୍ତି, ସମସ୍ତ ଜଗତ ଲାଗି ଅପେକ୍ଷା କରି ରହିଥିବା ଦିବ୍ୟ ସମ୍ଭାବନାଗୁଡ଼ାକୁ ଭାରି କ୍ଷତବିକ୍ଷତ କରି ପକାନ୍ତି । ସତେଅବା ଏକ ମୂଳଭୂତ ବୈରାଗ୍ୟ, ଅସ୍ଵୀକାର ଅଥବା ଅନୁରାଗହୀନତା ହିଁ ଆମକୁ ଏପରି ନିର୍ମମ ଭାବରେ ଉତ୍ତେଜିତ କରି ରଖିଥାଏ । ନିଜ ଭିତରେ ନିଜ ପ୍ରତି, ସଂସାର ପ୍ରତି ଆମର କୋଉଠି କ’ଣ ବିରକ୍ତି ଲୁକ୍‌କାୟିତ ଅଥଚ ପ୍ରବଳ ହୋଇ ରହିଥାଏ କେଜାଣି, ତାହା ଆମକୁ ମୋଟେ ଆଗକୁ ଗୋଡ଼ ପକାଇ ଦିଏ ନାହିଁ । ଥରେ ସେହି ବୈରାଗ୍ୟକୁ ଅନୁରାଗରେ ପରିଣତ କରିଦେଇ ପାରିଲେ, ଆମର ଯାବତୀୟ ଅସ୍ଵୀକୃତି ଓ ତଜ୍ଜନିତ ଅଳ୍ପତାକୁ ଏକ ମୂଳଭୁତ ସ୍ଵୀକୃତିରେ ବଦଳାଇ ଦେଇ ପାରିଲେ ଆମେ ଏହି ସଂସାରଟାକୁ ମଧ୍ୟ ବଦଳାଇ ଦେବାରେ ଗୋଟିଏ ଗୋଟିଏ ଅଙ୍ଗୀକାରବଦ୍ଧ ନିମିତ୍ତ ହୋଇ ବାହାରି ପାରନ୍ତେ । ଆମର ସମ୍ବନ୍ଧଗୁଡ଼ାକ ସତେଅବା ସିଧା ତାଙ୍କରି ରୂପାନ୍ତରକାରୀ ସ୍ପର୍ଶ ବାଜି ବଦଳିଯାଇ ପାରନ୍ତେ । ଆମକୁ ଆମରି ଭିତରେ ପ୍ରଚ୍ଛନ୍ନ ହୋଇ ରହିଥିବା ସମ୍ଭାବନାଗୁଡ଼ିକ ପ୍ରକୃତରେ ଦିଶିଯାଇ ପାରନ୍ତା । ଆମ ସମସ୍ତଙ୍କୁ ଏକ ଅଭିପ୍ରେତ ପାରସ୍ପରିକତାରେ ଏକାଠି ବାନ୍ଧି ରଖିଥିବା ସୂତ୍ରଗୁଡ଼ିକ ମଧ୍ୟ କ୍ରମେ ଦୃଶ୍ୟ ହୋଇ ଆସନ୍ତା । ତାଙ୍କରି କରୁଣା ଆମରି ସମ୍ମତି ଲାଭ କରି ଆମ ଜୀବନରେ ସମର୍ପଣରୂପେ ପ୍ରକଟ ହୋଇ ଆସନ୍ତା । ସେତେବେଳେ ସେହିଭଳି ବ୍ୟକ୍ତି ଓ ସେମାନଙ୍କୁ ନେଇ ଗଠିତ ହେଉଥିବା ଗୋଷ୍ଠୀ ଲାଗି ଏହି ସଂସାରରେ ଆଉ ଅସମ୍ଭବ ବୋଲି ପ୍ରକୃତରେ କ’ଣ ରହନ୍ତା ?

 

ଆମ ନୂତନ ଶିକ୍ଷାକେନ୍ଦ୍ରଗୁଡ଼ିକୁ ଆମେ ଯେଉଁ ବୟସ୍କମାନେ ଗଢ଼ିଛୁ ଓ ସେଗୁଡ଼ିକର ପରିଚାଳନା କରୁଛୁ, ସେମାନଙ୍କୁ ଯଦି ମୂଳତଃ ଏକ ବୈରାଗ୍ୟ ଗିଳି କରି ରହିଥିବ ଓ ଯଦି ସେମାନେ ଆପଣାର ସମ୍ବନ୍ଧଗୁଡ଼ିକରେ ଅନୁରାଗକୁ କବାଟ କିଳି ରହିଥିବେ, ତେବେ ଆମେ ଆମର ସେହି ଶିକ୍ଷାକେନ୍ଦ୍ରଗୁଡ଼ିକୁ ମଧ୍ୟ କ୍ରମେ ଗୋଟିଏ ଗୋଟିଏ ଗାତରେ ପରିଣତ କରିଦେବା । ମାତ୍ର, ଯଦି ଅନୁରାଗର ପଥକୁ ବାଛିନେବା, ସକଳ କର୍ମର କର୍ତ୍ତାଙ୍କୁ ଅନୁରାଗ ଦ୍ଵାରା ଚିହ୍ନି ଆମକୁ ପରସ୍ପର ସହିତ ଯୁକ୍ତ କରି ରଖିଥିବା ସୂତ୍ରଗୁଡ଼ିକୁ ମଧ୍ୟ ଅନୁରାଗର ତରାଜୁରେ ତଉଲି ଦେଖି ପାରିବା, ତେବେ ଆମର ଏହି ବିଦ୍ୟାଳୟଗୁଡ଼ିକ ଅମିତ ଶକ୍ତିର ବାହକ ହୋଇ ପାରିବେ ଓ ଅନେକ ଅସମ୍ଭବକୁ ସମ୍ଭବ କରି ପାରିବେ ।

 

ମଇ, ୧୯୮୮

Image

 

ସଂସ୍କାରର ଅପକରାମତି

 

ଶ୍ରୀଅରବିନ୍ଦ ପୃଥିବୀକୁ ଆଦୌ କୌଣସି ନୂତନ ଧର୍ମର ପ୍ରଚାର କରିବାକୁ ଆସି ନଥିଲେ-। ଧର୍ମ-ଲାଳସୀ ମଣିଷମାନେ ଯଦି ଆପଣାର ବହୁ ଅନ୍ୟ ପ୍ରୟୋଜନ ଅଥବା ଅନ୍ୟ ଫନ୍ଦାରେ ପଡ଼ି ତାଙ୍କର ବାଣୀକୁ ଧର୍ମବତ୍ କୌଣସି ଏକ ଗଢ଼ଣ ଦେବାକୁ ଇଚ୍ଛା କରୁଥାନ୍ତି, ତେବେ ତାହା ହେଉଛି ଏକ ସ୍ଵତନ୍ତ୍ର କଥା । ବସ୍ତୁତଃ ଆମେ ଯେଉଁମାନଙ୍କୁ ଯୁଗପୁରୁଷ ଅଥବା ଅବତାର ବୋଲି କହୁ, ସେମାନେ ପୃଥିବୀରେ ଆଦୌ କୌଣସି ଧର୍ମର ପ୍ରଚାର କରିବାକୁ ଆସନ୍ତି ନାହିଁ । ସେମାନେ ଆମର ଦ୍ଵାରୋନ୍ମୋଚନ କରାଇବାକୁ ଆସନ୍ତି, ଆମକୁ ତପସ୍ୟାର ଉଦବୋଧନ ଦେବାକୁ ଆସନ୍ତି । ଧର୍ମଲାଳସୀ ଭେକକୁ ଭଲ ପାଏ, ପଇତା ପିନ୍ଧିଲେ ହିଁ ବ୍ରାହ୍ମଣ ହୋଇଯିବ ବୋଲି ଆପଣାକୁ ଏକ ବ୍ୟଭିଚାରୀ ବିଶ୍ଵାସ ଦ୍ଵାରା ବାଟ ଛଡ଼ାଇ ରଖିଥାଏ । ଧର୍ମଲାଳସୀ କେତେଟା ନିୟମକୁ ହିଁ ଧର୍ମ ବୋଲି କହେ । ସେହି ନିୟମଗୁଡ଼ିକ ମାନିଲେ ହିଁ ମଣିଷ ଶୁଦ୍ଧ ହୋଇଯିବ ବୋଲି ବିଶ୍ଵାସ କରୁଥାଏ-। ଭିତରେ ଗଣ୍ଠି ପଛକୁ ଗଣ୍ଠି ପଡ଼ି ରହିଥାଏ, ଅର୍ଗଳ ପରେ ଅର୍ଗଳ ବାଟ ଓଗାଳି ବସିଥାଆନ୍ତି, ଅଥଚ ଉପରେ ଘଣ୍ଟା ବାଜୁଥାଏ, ବହୁ ପୁନରାବୃତ୍ତିର ଆଚାରଗୁଡ଼ାକ ଜୀବନର ଗୋଡ଼ଗୁଡ଼ିକୁ ସମ୍ପୂର୍ଣ୍ଣ ଭାବରେ ବାନ୍ଧି ରଖିଥା’ନ୍ତି । ପୃଥିବୀରେ ନାନା ମ୍ଳେଚ୍ଛତାକୁ ବଳବତ୍ତର କରି ରଖିବାରେ ସବୁଠାରୁ ଅଧିକ ସହାୟତା କରୁଥିବା ଉତ୍ତେଜିତମାନେ ହିଁ ସବାଆଗ ନିୟମ ମାନନ୍ତି, ଦେବତାଙ୍କୁ ଦେଉଳ ବୋଲି ଭ୍ରମ କରନ୍ତି; ଆପଣା ଭିତରକୁ ଅସଲ ବାଟଗୁଡ଼ିକୁ ଫିଟାଇଦେଇ ପାରିବା ଯେ ଜୀବନର ଅସଲ ତପସ୍ୟା, ସେହି ଅସଲ କଥାଟି ସେମାନଙ୍କଲାଗି ସତେଅବା ଏକାବେଳେକେ ନିଷିଦ୍ଧ ହୋଇ ରହିଥାଏ । ଅସଲ ଅନୁରାଗଠାରୁ ପଘା ଛିଣ୍ଡାଇ ସେମାନେ ନିୟମର, ଆଚାରର ଏବଂ ରୁଟିନ୍‌ର ନାନା ଅରଣ୍ୟ ଭିତରେ ଯାଇ ବୁଲୁଥା’ନ୍ତି । ବଞ୍ଚିତ ହୋଇ ରହିଥା’ନ୍ତି ।

 

ପୃଥିବୀରେ ଧର୍ମର ଅଥବା ଧର୍ମପ୍ରଚାରର କୌଣସି ଅଭାବ ରହିଥାଏ ବୋଲି ଯୁଗପୁରୁଷମାନେ କଦାପି ଏହି ପୃଥିବୀକୁ ଆସନ୍ତି ନାହିଁ । ଜୀବନଗତ, ସମ୍ବନ୍ଧଗତ ତଥା ଅଭୀପ୍ସାଗତ ଅସଲ ଧର୍ମଟିର ସ୍ରୋତ ନାନା କାରଣରୁ କେଉଁଠି ଅଟକି ଯାଇଥାଏ ବୋଲି ସେମାନେ ବାଧାଗୁଡ଼ିକୁ ଅପସରାଇ ଦେବା ଲାଗି ଆମରି ଭିତରେ ଜନ୍ମଗ୍ରହଣ କରନ୍ତି । ଅଥବା, ଏପରି ମଧ୍ୟ କୁହାଯାଇ ପାରିବ ଯେ, ଆମରି ଭିତରେ ରହିଥିବା ଅସଲ ଆକାଂକ୍ଷାଗୁଡ଼ିକ ସାକାର ହେବାର ବାଟ ନ ପାଉଥିବାରୁ ଆମର ତଜ୍ଜନିତ ଅସଲ ଅସନ୍ତୋଷଗୁଡ଼ିକୁ ଏକ ତାତ୍କାଳିକ ସାକାରତା ପ୍ରଦାନ କରି ଆମ ପୃଥିବୀରେ ଯୁଗାବତାରମାନଙ୍କର ଆବିର୍ଭାବ ହୋଇଥାଏ । ସେଥିଲାଗି ସତକୁ ସତ ଏପରି ମନେ ହୋଇଥାଏ ଯେ, ଆମର ଠିକ୍ ଯେଉଁ କଥାଟିର ଅଭାବ ରହିଥିଲା, ସେହି କଥାଟିର ଉଦବୋଧନ ଦେବା ଲାଗି ଏବଂ ଆମର ଏଠି ଯେଉଁ କଥାଟି କୁହାଯାଇ ପାରୁନଥିଲା, ସତେଅବା ଠିକ୍ ସେହି କଥାଟିକୁ କହିବା ଲାଗି ଏକ ଅବତାରର ଆବିର୍ଭାବ ଘଟିଲା । ତେଣୁ, ଆମ ସମସ୍ତଙ୍କ ଭିତରେ ଆମର ଅସଲ ଉଦବେଳନଗୁଡ଼ିକୁ ସୃଷ୍ଟି କରିବା ନିମନ୍ତେ ଅବତାରମାନେ ପୃଥିବୀକୁ ଆସନ୍ତି । ଏହି ପୃଥିବୀଲୀଳାକୁ ଭୂମି କରି ଅତ୍ୟନ୍ତ ସୁନିର୍ଦ୍ଦିଷ୍ଟ ଭାବରେ ଯେଉଁ ବିବର୍ତ୍ତନ କ୍ରମାଗ୍ରସରୁ ହେବାରେ ଲାଗିଛି, ତାହାରି ଯୋଗ୍ୟ ବାହନ ହୋଇ ପାରିବା ଲାଗି ଆମକୁ ଆହୁରି ଅଧିକ ଜାଗୃତ, ଅଧିକ ସଚେତନ ଓ ଅଧିକ ପ୍ରସ୍ତୁତ କରାଇଦେବା ନିମନ୍ତେ ଆମରି ଅସଲ ସାଥୀରୂପେ ଅବତାରମାନେ ଆମ ପୃଥିବୀରେ ଆବିର୍ଭୂତ ହୁଅନ୍ତି । ଆମ ଭିତରୁ ଯେଉଁମାନେ ତାଙ୍କର ଆହ୍ଵାନଟିକୁ ବୁଝିପାରନ୍ତି ଓ ଅସଲ ଡାକଟିକୁ ଶୁଣି ପାରନ୍ତି, ସେହିମାନେ ନିମିତ୍ତ ହୁଅନ୍ତି, ଆପଣାର ନୂତନ ଅଧିକାରଟିର ଯୋଗ୍ୟ ହୁଅନ୍ତି, କାମରେ ଲାଗନ୍ତି । ସେହିମାନେ ହିଁ ନିର୍ବାଚିତ ହୁଅନ୍ତି, କାମରେ ଲାଗନ୍ତି । ଅନ୍ୟମାନେ ଅଟକି ରହିଯା’ନ୍ତି, ବର୍ତ୍ତମାନଟା ଆଗକୁ ଚାଲିଯାଏ ।

 

ବିବର୍ତ୍ତନର କ୍ରମରେ ପରବର୍ତ୍ତୀ ସୋପାନର ଆହ୍ଵାନଟିକୁ ଯେଉଁମାନେ ଶୁଣିପାରନ୍ତି ନାହିଁ କିମ୍ବା ଶୁଣି ପାରୁଥିଲେ ମଧ୍ୟ ତଥାପି ସେଥିଲାଗି ସାହସ କରି ପାରନ୍ତି ନାହିଁ, ସେହିମାନେ ହିଁ ଜୀବନ କହିଲେ ପ୍ରାୟ ଏକ ପୁନରାବୃତ୍ତିକୁ ବୁଝନ୍ତି, ସେମାନେ ରୁଟିନ୍ ମାନନ୍ତି, କେତେଟା ଆଚାରକୁ ସର୍ବସାର କରି ଧରିଥା’ନ୍ତି ଓ ନିୟମଗୁଡ଼ାକୁ କାମୁଡ଼ି ଯୋଉଠି ସେଇଠି ପଡ଼ି ରହିଥା’ନ୍ତି । ହୃଦୟ ଭିତରେ ବହୁ କାରଣରୁ ବିଣ୍ଡି ମାଡ଼ି ଯାଇଥିଲେ ମଣିଷ ଆପଣାକୁ ଏହିଭଳି ବହୁ ଦୂରାଚାର ଭିତରେ ବାଧ୍ୟ କରି ରଖିବାକୁ ମନ କରୁଥାଏ । ସେମାନଙ୍କର ରୁଚି ମୁତାବକ ମଠଟିଏ, ସାମ୍ପ୍ରଦାୟଟିଏ ସେମାନଙ୍କୁ ଅବଶ୍ୟ ମିଳିଯାଏ । ଅନୁରୂପ ଗୁରୁମାନେ ମଧ୍ୟ ମିଳିଯାଆନ୍ତି । ମାନସିକତାର ହରଣ ଓ ଗୁଣନଗୁଡ଼ାକୁ ଗୁରାଇତୁରାଇ ତୁଚ୍ଛା ପୁରୁଣାଗୁଡ଼ାକୁ ହିଁ ବଡ଼ସିଙ୍ଗାର ବେଶରେ ସଜାଇଦେଇ କେତେ ପ୍ରଦର୍ଶନ ଲାଗି ରହିଥାଏ । ସଂସାରର ବହୁ ମଣିଷ ଯେପରି ସଂସାର-ଜଞ୍ଜାଳର ଦାବିଗୁଡ଼ାକୁ ପୂର୍ଣ୍ଣ କରୁ କରୁ ତୁଚ୍ଛା ଗୋଟାଏ ଗୋଟାଏ କୂର୍ମରେ ପରିଣତ ହୋଇ ଯାଇଥା’ନ୍ତି, ତୁଚ୍ଛା ବହଳପିଠି ହୋଇ ଜୀବନର ଯାବତୀୟ ନମନୀୟତା ଓ ଗ୍ରହଣଶୀଳତାକୁ ହରାଇ ବସିଥା’ନ୍ତି, ସେହିପରି ଆଚାର ମାନିବାର ଧର୍ମପ୍ରଦର୍ଶନ ଭିତରେ ଗଳଦ୍‌ଘର୍ମ ହୋଇ ରହିଥିବା ଧାର୍ମିକମାନେ ଧର୍ମର ପୋଖରୀ ଭିତରେ ବୋଳ ଲାଗିଯାଇଥିବା କେତେକ ପଥର ପରି ପଡ଼ି ରହିଥା’ନ୍ତି । ଯୁଗ ଯୁଗ ଧରି ସେହିଭଳି ପଡ଼ି ରହିଥା’ନ୍ତି । ସେମାନେ ଆଦୌ କୌଣସି ଆଧ୍ୟାତ୍ମିକତାର ଭାଜନ ହୋଇପାରନ୍ତି ନାହିଁ, ସେମାନଙ୍କର ରାତି କେବେହେଲେ ପାହେ ନାହିଁ ।

 

ବିଶ୍ଵବିବର୍ତ୍ତନର ଧାରାରେ ବ୍ୟକ୍ତି ତଥା ଗୋଷ୍ଠୀ ରୂପେ ସଚେତନ ଭାବରେ ସହଯୋଗ କରି ପାରିବା, ସେହି ସହଯୋଗର ଯୋଗ୍ୟ ହେବାକୁ ହିଁ ଜୀବନର ସର୍ବୋତ୍ତମ ଶ୍ରଦ୍ଧା ଓ ସର୍ବୋତ୍ତମ ତପସ୍ୟା ବୋଲି ଗ୍ରହଣ କରିନେବା,—ତାହା ହିଁ ଆଧ୍ୟାତ୍ମିକତା । ଆଧ୍ୟାତ୍ମିକତାକୁ ଆକାଶରୂପେ ବ୍ୟବହାର କରି ପୃଥିବୀରେ ଯାବତୀୟ ଧର୍ମର ଆବିର୍ଭାବ ହୋଇଚି ସତ, ମାତ୍ର ଧର୍ମମାନେ ଏକାଧିକ ଅନ୍ୟ ଅନୁରକ୍ତିର ଫାଶ ଭିତରେ ପଡ଼ିଯାଇ କେତେଟା ସଂସ୍କାରକୁ ହିଁ ଧର୍ମର ସବାବଡ଼ ସନ୍ତକ ରୂପେ ମାନି ନେଇଛନ୍ତି ଏବଂ ସେଥିଲାଗି ଧର୍ମକୁ ତାହାର ଆଧ୍ୟାତ୍ମିକ ଆବେଦନଟି ଠାରୁ ବିଚ୍ଛିନ୍ନ କରି ନେଇଛନ୍ତି । ସେଥିଲାଗି, ଗୋଟିଏ ଧର୍ମର ସଂସ୍କାର ଆଉଗୋଟିଏ ଧର୍ମର ସଂସ୍କାରଠାରୁ ଅଲଗା ପ୍ରକାର ହୋଇ ରହଛି । ଏବଂ, ତାହାର ପରିଣାମ ସ୍ଵରୂପ, ପୃଥିବୀର ବିବିଧ ଧର୍ମ ମଣିଷ ମଣିଷ ମଧ୍ୟରେ ବହୁ ବିଭେଦର ଆରୋପଗୁଡ଼ାକୁ ହିଁ ଧାର୍ମିକତାର ଅସଲ ପରିମଳ ବୋଲି ଦେଖାଇବାର ଷଡ଼ଯନ୍ତ୍ର କରି ଆସିଛି । ମଣିଷକୁ ମଣିଷର ନିକଟବର୍ତ୍ତୀ କରିଆଣିବା ଦିଗରେ ବେଶି କିଛି କରି ପାରି ନାହିଁ । ମଣିଷକୁ ଭଗବାନଙ୍କର ନିକଟବର୍ତ୍ତୀ କରାଇ ଆଣିବା ତ ଆହୁରି ଅଧିକ ଦୂରର କଥା । ଆଧ୍ୟାତ୍ମିକତା ମଣିଷ ସହିତ ଭଗବାନଙ୍କର, ସତ୍ୟର ଏବଂ ଯାବତୀୟ ଦିବ୍ୟତାର ଲାଗି ରହିଥିବା ସୂତ୍ରଟିକୁ ଆଣି ମଣିଷର ହାତରେ ଧରାଇଦିଏ । ତେଣୁ ମଣିଷକୁ ମଧ୍ୟ ମଣିଷର ନିକଟବର୍ତ୍ତୀ କରାଇଆଣେ । ଆଧ୍ୟାତ୍ମିକତା ଧର୍ମଗୁଡ଼ାକର ବାଡ଼ ଡେଇଁଯାଏ, ସଂସ୍କାରଗୁଡ଼ାକର ବାଡ଼ ଡେଇଁଯାଏ ଏବଂ ବାହ୍ୟିକତାର ସକଳ ବାଡ଼କୁ ଡେଇଁଯାଏ ଅନ୍ତର ଭିତରକୁ, ଭୂମା ମଧ୍ୟକୁ ବାଟ ଫିଟାଇଦିଏ । ଶ୍ରୀ ଅରବିନ୍ଦଙ୍କର ସାଧନା ହେଉଛି ଆଧ୍ୟାତ୍ମିକତାର ସାଧନା । ଜୀବନ ମଧ୍ୟରେ ରହିଥିବା ଯାବତୀୟ ଅର୍ଦ୍ଧସତ୍ୟରୁ ଅତିକ୍ରମ କରାଇନେଇ ମଣିଷକୁ ସିଧାସଳଖ ଏକ ପରମ ଦିବ୍ୟତା ସହିତ ପରିଚୟ କରାଇଦେବା ଏବଂ ସେହି ପରିଚୟ ଦ୍ଵାରା ମନୁଷ୍ୟକୁ ବିବର୍ତ୍ତନର ଧାରାରେ ଜଣେ ସକ୍ରିୟ ସହଯୋଗୀ ହେବାଲାଗି ଉଦ୍‌ବୁଦ୍ଧ କରାଇ ଆଣିବା,–ଏହାହିଁ ହେଉଛି ସେହି ସାଧନାର ସର୍ବପ୍ରଧାନ ଆହ୍ଵାନ । ଯେକୌଣସି ଧର୍ମଠାରୁ, ସଂସ୍କାରଠାରୁ ଓ ପୁନରାବୃତ୍ତିଠାରୁ ତାହା ଏକାବେଳେକେ ଭିନ୍ନ ।

 

ପାଠଚକ୍ରରେ ଯାଇ ବସିବାର ଅର୍ଥ ହେଉଛି ସେହି ଅଭିପ୍ରେତ ବିବର୍ତ୍ତନ ନିମନ୍ତେ ନିଜର ସମ୍ମତି ଦେବା । ପାଠଚକ୍ରକୁ ନିମିତ୍ତ କରି ସେହି ବାଟରେ ଅଗ୍ରସର ହେବାର ଅର୍ଥ ହେଉଛି ଭଗବତ୍-କାର୍ଯ୍ୟରେ ସତକୁ ସତ ଜଣେ ସହଯୋଗୀ ହୋଇ ବାହାରିବା ଏବଂ ତେଣୁ ଜୀବନର ସଂସ୍କାର ଓ ଆଚରଣଗୁଡ଼ିକୁ ଅନୁରୂପ ଭାବରେ ବଦଳାଇ ଦେବା । ଏକ ନୂତନ ଦୃଷ୍ଟିରେ ଆପଣାକୁ ଏବଂ ସହଚାରୀ ଅନ୍ୟମାନଙ୍କୁ ଦେଖିବା ଲାଗି ସମର୍ଥ ହେବା । ପାଠଚକ୍ରର ସୋପାନଟିକୁ ଯେତେବେଳେ ଆମେ ଆହୁରି ଅଧିକ ପ୍ରସାରିତ ହେବା ନିମନ୍ତେ ମନ କରୁଛୁ ଏବଂ ଏକ ସମର୍ପିତ ଗୋଷ୍ଠୀରୂପେ ପରସ୍ପରକୁ ଲୋଡ଼ୁଛୁ, ସେତେବେଳେ ଆମରି ଉଦ୍ୟମରୁ ହୁଏତ ଏକ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ମଧ୍ୟ ଜନ୍ମଲାଭ କରୁଛି । ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରଟିଏ ଗଢ଼ିବାର ଅର୍ଥ ହେଉଛି, ଏପରି ଏକ ଭବିଷ୍ୟତ ସମାଜ ଲାଗି ସମ୍ମତି ଦେବା, ଯେଉଁଥିରେ କି ମଣିଷ ମଣିଷକୁ ଏକ ସଂସ୍କାରମୁକ୍ତ ସ୍ୱଚ୍ଛ ଦୃଷ୍ଟିରେ ଦେଖିପାରିବ, ଏକ ଆଧ୍ୟାତ୍ମିକ ଅନ୍ତଃସୂତ୍ରର ମାଧ୍ୟମରେ ଗୋଟିଏ ଗୋଷ୍ଠୀର ସୁହୃତ୍‌ମାନେ ପରସ୍ପରକୁ ଛୁଇଁ ପାରୁଥିବେ, ପରସ୍ପରକୁ ସ୍ଵୀକାର କରିନେଇ ପାରୁଥିବେ । ପ୍ରତ୍ୟେକ ମଣିଷ ସେଠାରେ ମୁଖ୍ୟତଃ ପରସ୍ପରର ସଙ୍ଗୀ ପରି ମନେ ହେଉଥିବେ; କେହି କାହାରି ଉପରେ ମୋଟେ ଲଦି ହୋଇ ପଡ଼ୁନଥିବେ । ବାହ୍ୟକୁ ନଦେଖି ଭିତରକୁ ଦେଖି ପାରୁଥିବେ, ବାହାରର ସଂସ୍କାରଗୁଡ଼ାକୁ ନଦେଖି ଅନ୍ତରର ନିଷ୍ଠାକୁ ଦେଖି ପାରୁଥିବେ, ବୁଝି ପାରୁଥିବେ । ତେବେଯାଇ ଆମର ଶିକ୍ଷାକେନ୍ଦ୍ର ଏକ ଯଥାର୍ଥ ଉନ୍ମୋଚନର ବାହକରୂପେ କାର୍ଯ୍ୟ କରିପାରିବ; କେବଳ ପିଲାମାନଙ୍କ ଉନ୍ମୋଚନ ଘଟାଇବ ନାହିଁ, ଆମ ନିଜର, ପରସ୍ପରର ଉନ୍ମୋଚନ ଲାଗି ମଧ୍ୟ ତାହା ଏକାଧିକ ଭାବରେ ସହାୟକ ହୋଇ ପାରିବ ।

 

ଆମ ଭିତରେ ଯଥାର୍ଥ ଭାବରେ ଯୁକ୍ତ ହେବାର ଅସଲ ବାସନାଟିକୁ ଆମେ ଅବହେଳା କରୁଥିବା ପର୍ଯ୍ୟନ୍ତ ଆମେ ସଂସ୍କାରଗୁଡ଼ାକୁ ହିଁ ମହାପୁଣ୍ୟର ମାର୍ଗ ବୋଲି ଗ୍ରହଣ କରି ନେଉଥାଉ । ଏବଂ, ଅଧିକ ଉଦ୍ଦଣ୍ଡ ହୋଇଥିଲେ, ଆମେ ସେହି ସଂସ୍କାରଗୁଡ଼ାକୁ ଆମର ସହକର୍ମୀମାନଙ୍କ ଉପରେ ମଧ୍ୟ ମଡ଼ାଇ ନେବାଲାଗି ଏକ ବିଶେଷ କୋପ ବା କ୍ରୋଧ ଦେଖାଇବାରେ ଲାଗିଥାଉ । ଅତ୍ୟନ୍ତ ଅଭ୍ୟସ୍ତ ଭାବରେ ଆମେ ଯେଉଁସବୁ ସଂସ୍କାରକୁ ଶୁଦ୍ଧିର ପ୍ରତିପାଦକ ବୋଲି ମାନି ନେବାକୁ ଶିକ୍ଷା କରିଥାଉ, ସେହିଗୁଡ଼ାକୁ ଆଉ କେଉଁମାନେ ନମାନିଲେ ଆମେ ସତେଅବା ସମସ୍ତ ପୀଠଟି ହିଁ ଅଶୁଦ୍ଧ ହୋଇଗଲା ବୋଲି ବିଚାରୁ ଏବଂ ଅସହିଷ୍ଣୁ ହୋଇପଡ଼ୁ । ଆମ ସଂସ୍କାରଗୁଡ଼ିକ ଆମକୁ କେଉଁ ଦୁର୍ଭାଗ୍ୟବଶତଃ ସେହି ବାହାରେ ବାହାରେ ରଖିଥାନ୍ତି, ଏବଂ ମୋଟେ ଭିତରକୁ ବାଟ ଛାଡ଼ି ଦେଇନଥାନ୍ତି । ବିଶେଷତଃ, ଆମର ଶିକ୍ଷାକେନ୍ଦ୍ରଗୁଡ଼ିକରେ ପୁରାତନ ତାରତମ୍ୟର ବିଧାନଗୁଡ଼ାକ ଅନୁସାରେ ଏକ ସାନବଡ଼ ଭେଦ ମଧ୍ୟ ରହିଥାଏ । ପରିଚାଳକମାନେ ଉପରେ ଥାଆନ୍ତି, ଶିକ୍ଷକମାନେ ତଳେ ଥାଆନ୍ତି । ଅସଲ ଗୋଷ୍ଠୀଟି ସମ୍ଭବ ହୋଇନଥାଏ । ନେତୃତ୍ଵ ଅପେକ୍ଷା କର୍ତ୍ତୁତ୍ଵରେ ଅଧିକ ବିଶ୍ଵାସ ରହିଥାଏ । ତେଣୁ ଶାସକମାନେ ଦୁଃଶାସନ ହେବାଲାଗି ଆଖିବୁଜା ପ୍ରଶ୍ରୟ ପାଇଗଲା ଭଳି ଅବସର ପାଆନ୍ତି । ମଣିଷ ମର୍ମତଃ ଆଉଜଣେ ମଣିଷର ବନ୍ଧୁ, ଆପଣାକୁ ଲଦିଦେବାକୁ ହିଁ ଆପଣାର ବିଜୟ ବୋଲି ଭ୍ରମ କରୁଥିବା ସଂସ୍କାରବାଦିତା ସେହି କଥାଟିକୁ ଏକାବେଳକେ ପାସୋରି ପକାଇଥାଏ । ସେଥିଲାଗି ନିୟମର ତୋଡ଼ଗୁଡ଼ାକୁ ସହିବାକୁ ହିଁ ଅସଲ ଆଚାର, ବୋଲି କୁହାଯାଏ । କିଏ କହେ, ପିଲା ଓ ଶିକ୍ଷକମାନଙ୍କର ରୋଷେଇରେ ପିଆଜ ରସୁଣ ପଶି ପାରିବ ନାହିଁ । ଆଉ କିଏ କହେ, ଇସ୍କୁଲ ହତା ଭିତରେ କେହି ଲୁଙ୍ଗି ପିନ୍ଧି ପାରିବେ ନାହିଁ । କିଏ ସତର୍କ କରିଦିଏ ଯେ, ପ୍ରଣାମ କରିବା ପୂର୍ବରୁ ଆଗ କଚ୍ଛା ମାରି ଫାଲଟା ପିନ୍ଧିଥିବାର ଦୋଷରୁ ମୁକ୍ତ ହେବାକୁ ପଡ଼ିବ । ଆଉ କିଏ ଆଖିରେ ଆଖିଏ ମଇଳା ଭର୍ତ୍ତି କରି ହୁକୁମ ଦେଉଥାଏ ଯେ, ପ୍ରାର୍ଥନାବେଳେ, ଶ୍ରେଣୀଗୃହରେ ଓ ଏପରିକି ତଥାକଥିତ ମନୋରଞ୍ଜନ କାର୍ଯ୍ୟକ୍ରମ ପୃଥିବୀଯାକ ଚାଲିଥିଲାବେଳେ ଗୋଟାଏ ପାଖରେ ପୁଅମାନେ ବସିବେ ତ ଆଉଗୋଟାଏ ପାଖରେ ଝିଅମାନେ ବସିବେ । ଆମ ଭିତରର ମଇଳାମାନେ ସଂସ୍କାରର କର୍ସି ପିନ୍ଧି ଯାବତୀୟ ଅପକରାମତି ଦେଖାଉଥିବା ପର୍ଯ୍ୟନ୍ତ ଆମର ଯାବତୀୟ ଶିକ୍ଷାୟୋଜନ ମଧ୍ୟ ଭାରି ଖଣ୍ଡିଆ ଓ ଅବର୍ଜିଆ ହୋଇ ରହିଥିବ । ହୁକୁମ ଦେଲାବାଲାମାନେ ହୁକୁମ ମାନିବାବାଲାମାନଙ୍କ ପାଖରେ ଅସ୍ପୃଶ୍ୟ ହୋଇ ରହିଥିବେ । ଯେଉଁ ଶ୍ରଦ୍ଧାଦ୍ଵାରା ଭଗବାନ ମିଳନ୍ତି, ଯେଉଁ ଶ୍ରଦ୍ଧାଦ୍ଵାରା ମଣିଷ ମଣିଷର ନିକଟବର୍ତ୍ତୀ ହୋଇଆସେ, ଅସଲ ପରିବର୍ତ୍ତନ ଏବଂ ଉନ୍ମୋଚନଗୁଡ଼ିକରେ ଯେଉଁ ଶ୍ରଦ୍ଧା ସତେଅବା ରସାୟନ ପରି କାର୍ଯ୍ୟ କରେ, ସେହି ଶ୍ରଦ୍ଧା ଆମଠାରୁ ଯୋଜନ ଯୋଜନ ଦୂର ହୋଇ ରହିଥିବ ।

 

ଆମ ବିଦ୍ୟାଳୟମାନଙ୍କରେ ଆମେ ଅଧିକ ଶ୍ରଦ୍ଧାବାନ୍ ହେବା, ଅଧିକ ନମନୀୟ ହେବାକୁ ଶିକ୍ଷା କରିବା । ଯାହାର ସେବକ ଓ ଭୃତ୍ୟ ହୋଇ ପାରିଲେ ମଣିଷ ଆପଣାର ଅସଲ ମହିମାରେ ଦୃଢ଼ପ୍ରତିଷ୍ଠ ହେଇପାରେ, ତାହାରି ନାମରେ ହେଉଥିବା ଆମର ପ୍ରତ୍ୟେକ କାର୍ଯ୍ୟରେ ଆପଣାର ହାକିମୀ ଦେଖାଇ ସଂପୃକ୍ତ ଅନ୍ୟମାନଙ୍କୁ ସଂସ୍କାରବାଧ୍ୟ କରି ରଖିବାକୁ କୋପ ଦେଖାଉଥିବା ପର୍ଯ୍ୟନ୍ତ ଆମେ ଆମ ଆସ୍ଥାନଗୁଡ଼ିକର ଅନିଷ୍ଟ କରିବାରେ ହିଁ ଲାଗିଥିବା । ତେଣୁ, ସଂସ୍କାରଗୁଡ଼ିକୁ ଡେଇଁ ଯିବାକୁ ପଡ଼ିବ । ନିଜର ସଂସ୍କାରଗୁଡ଼ିକୁ ଲଦିବାର ଦୁଷ୍ଟତାକୁ ପରିତ୍ୟାଗ କରି ପାରିଲେ ଯାଇ ଆମେ ପ୍ରକୃତ ଆଧ୍ୟାତ୍ମିକତାର ଗାର ଭିତରକୁ ଆସିବା ଲାଗି ଯୋଗ୍ୟ ହୋଇପାରିବା । ଆଧ୍ୟାତ୍ମିକତାର ମଧ୍ୟ ଏକ ନିଜସ୍ଵ ସଂସ୍କାର ରହିଛି । ମାତ୍ର, ସେହି ସଂସ୍କାର ଭିତରୁ ପରିପ୍ରେରିତ ହୋଇଆସେ, ବାହାରୁ ଲଦି ଦିଆଯାଏ ନାହିଁ । ଯିଏ ଥରେ ଭିତରର ସେହି ଅସଲ ସଂସ୍କାରଗୁଡ଼ିକର ଭାଜନ ହୋଇ ପାରିଛି, ସିଏ ହୁଏତ ନିୟମରକ୍ଷା ନିମନ୍ତେ ତଥାପି ବାହାରର କେତେଟା ସଂସ୍କାରକୁ ନିଜ ଜୀବନରେ ଧରି ରଖିଥାଏ ସତ, ମାତ୍ର ସିଏ ସେଗୁଡ଼ାକର ସେପାଖକୁ ମଧ୍ୟ ଦେଖି ପାରୁଥାଏ । ସେହି ଅତିକ୍ରମଣ ଦ୍ୱାରା ସିଏ ଏପରି ଏକ ଶ୍ରଦ୍ଧାର ଯୋଗ୍ୟ ହୁଏ, ଯାହାକି ଅନ୍ୟମାନଙ୍କୁ ମଧ୍ୟ ସେମାନଙ୍କର ଅନ୍ତର ଭିତରକୁ ଯାଇ ଦେଖିବାକୁ ସମର୍ଥ ହୁଏ । ସେହି ଶ୍ରଦ୍ଧା ଦ୍ଵାରା ହିଁ ଯଥାର୍ଥ ଗୋଷ୍ଠୀଟିଏ ସମ୍ଭବ ହୁଏ, ସତୀର୍ଥମାନଙ୍କୁ ସତୀର୍ଥର ଯଥାର୍ଥ ସମ୍ମାନ ଦେଇହୁଏ,—ଯଥାର୍ଥ ବିଦ୍ୟାଳୟଟିଏ ମଧ୍ୟ ସମ୍ଭବ ହୋଇଆସେ । ସଂସ୍କାରକୁ ସବାବଡ଼ କରି ବସାଇଲେ ମଣିଷ ମାଙ୍କଡ଼ ହୋଇଯାଏ; ଏବଂ ମାଙ୍କଡ଼ମାନେ ଏହି ପୃଥିବୀର ଆଦୌ କୌଣସି ମଙ୍ଗଳ କରିପାରନ୍ତି ନାହିଁ । ପୃଥିବୀର ପରିବର୍ତ୍ତନ କରାଇବା ତ ଆହୁରି ଦୂରର କଥା । କେବଳ ସଦିଚ୍ଛା ଦ୍ଵାରା କିଛି ହୁଏ ନାହିଁ, ଶ୍ରଦ୍ଧା ରହିଥିବା ଦରକାର । ସଦିଚ୍ଛାସଂପନ୍ନ ଶ୍ରଦ୍ଧାହୀନ ମଣିଷ କୋପୀ ହୁଏ, କର୍ତ୍ତା ହୁଏ, ଭଗବାନଙ୍କର ଭୃତ୍ୟ ହୋଇପାରେ ନାହିଁ ।

 

ଜୁନ୍, ୧୯୮୮

Image

 

Unknown

ସାନ ସାନ ଅନୁରାଗ ବଡ଼ ବଡ଼ ଅହଂ

 

ସବୁ ରୋଗକୁ ଔଷଧ ଅଛି, ଅହଂରୋଗକୁ ମଧ୍ୟ ଔଷଧ ରହିଛି । ମାତ୍ର, ଅହଂ ଯେ ଗୋଟାଏ ରୋଗ, ସବାଆଗ ସେହି କଥାଟିକୁ ନିଜ ପାଖରେ ସ୍ଵୀକାର କରି ନେଇ ପାରିଲେ ସିନା ହୁଅନ୍ତା ! ନାନା କାରଣରୁ ଆମେ ଅନେକ ନିଜ ଭିତରେ କିଳି ହୋଇ ବସିଥାଉ । ଶ୍ରୀଅରବିନ୍ଦଙ୍କ ଭାଷାର ଏହାକୁ ଏକ seclusion ବୋଲି କୁହାଯାଇ ପାରିବ । ଏହି କିଳି ହୋଇ ବସିବାର ଖୋଇଟା କେବଳ ଯେ ଶାରୀରିକ, ପ୍ରାଣିକ କିମ୍ବା ମାନସିକ ସ୍ତରରେ ରହିଥାଏ, ସେକଥା ମୋଟେ ନୁହେଁ । ଧାର୍ମିକ ଓ ତଥାକଥିତ ଆଧ୍ୟାତ୍ମିକ ସ୍ତରରେ ମଧ୍ୟ ରହିଥାଏ । ହୃଦୟ ଭିତରେ ରହିଥାଏ । ସମ୍ଭବତଃ ଏପରି ମଧ୍ୟ କୁହାଯାଇ ପାରିବ ଯେ, ସବାଆଗ ଅର୍ଥାତ୍ ସବା ଗଭୀରରେ ହୃଦୟ ଭିତରେ ରହିଥାଏ ବୋଲି ତାହା ଆମର ଧର୍ମଜୀବନ ଭିତରକୁ ମଧ୍ୟ ଅତି ସାଂଘାତିକ ଭାବରେ ସଂକ୍ରମିତ ହେବାରେ ଲାଗିଥାଏ । ଆମର ସକଳ ବାହ୍ୟ ପରିପାଟୀ ସତ୍ତ୍ୱେ ଆମକୁ ବଡ଼ ଅସୁନ୍ଦର କରି ରଖିଥାଏ । ବହୁ ଗୋଠ ଭିତରେ ଥାଇ ମଧ୍ୟ ଆମେ ଗୋଠଖଣ୍ଡିଆ ହୋଇ ରହିଥାଉ । ତୁଚ୍ଛା ନିଜ ଭିତରେ ନିଜ ପାଖରେ ମଧ୍ୟ ଗୋଠଖଣ୍ଡିଆ ହୋଇ ରହିଥାଉ ।

 

ଆମ ଭିତରେ ଅସଲ ଅନ୍ତରଙ୍ଗତମ ‘ମୁଁ’ଟି ଅଧିକାଂଶ ସମୟରେ କିଳି ହୋଇ ରହିବାକୁ ମୋଟେ ଭଲପାଏ ନାହିଁ । ସିଏ ଫୁଟି ଉଠିବାକୁ ଇଚ୍ଛା କରୁଥାଏ, ଉନ୍ମୋଚିତ ହେବା ଲାଗି ବ୍ୟାକୁଳ ହେଉଥାଏ । ତଥାପି ଆମର ସଂସ୍କାରଗୁଡ଼ାକ ହିଁ ଆମକୁ ମାରନ୍ତି, ଆମକୁ ବାନ୍ଧି ରଖିଥାନ୍ତି ଓ ଆମରି ଭିତରେ ଆମର ଆଖିପରି ହୋଇ ଆମ ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଥାନ୍ତି । ଆମେ ଯେଉଁ ସମାଜ ଭିତରେ ବଢ଼ିଆସିଛୁ, ନୀତି ଅନୀତି, ନିନ୍ଦା ଖ୍ୟାତି ଇତ୍ୟାଦି ବିଷୟରେ ସେହି ସମାଜ ଆମକୁ ଆମ ପିଲାଦିନରୁ ଯାହାସବୁ ଶିଖାଇ ଆସିଛି, ସେହିଗୁଡ଼ିକ ସଂସ୍କାର ହୋଇ ଆମକୁ ମାଡ଼ି ବସିଥାଏ । ସେହି ସମାଜରେ ସାନରୁ ବଡ଼ ହେବାର ପ୍ରକ୍ରିୟାଟି ମଧ୍ୟରେ ଆମେ ନିଜକୁ ଲୁଚାଇ ରଖିବାର, ବହୁବିଧ ମୁଖା ପିନ୍ଧି ଆମେ ପ୍ରକୃତରେ ଯାହା ନୋହୁ, ନିଜକୁ ସେହିଭଳି ଦେଖାଇ ହେବାର ଅର୍ଥାତ୍ ଭଳି ଭଳି ଅଭିନୟ କରିବାର ବହୁ ସଂସ୍କାର ଶିକ୍ଷା କରିଥାଉ ଓ ବହୁ ଅଭ୍ୟାସ ଦ୍ଵାରା ମଣ ହୋଇ ରହିଥାଉ । ସେହି ତୁଚ୍ଛା ଅଭ୍ୟାସଗୁଡ଼ାକୁ ହିଁ ଅଳ୍ପ—ବିବେକୀମାନେ ଅନେକ ସମୟରେ ସଂସ୍କୃତି ବୋଲି କହନ୍ତି, ଭଦ୍ରତା ବୋଲି କହନ୍ତି, ସଭ୍ୟ ମଣିଷର ସନ୍ତକ ବୋଲି କହନ୍ତି । ଏସବୁ ଆମକୁ ତାତ୍କାଳିକ ଅନେକ ସଫଳତା ଦିଏ ଓ ବହୁ ମିଛ ସିଡ଼ିରେ ଆମକୁ କେତେ ନା କେତେ ଉପରକୁ ଉଠାଇ ନେଇ ଆମକୁ ସତେଅବା କେଡ଼େ ବଡ଼ ହୋଇ ଯିବାର ଏକ ଅସୁସ୍ଥ ଭ୍ରମ ଭିତରେ ପକାଇ ରଖିଥାଏ ସତ, ମାତ୍ର ଆମ ଭିତରେ ଅସଲ ଫୁଲଟିକୁ ମାରି ଦେବାରେ ଲାଗିଥାଏ, ଅସଲ ସନ୍ତାନଟିକୁ ବାଟ ଓଗାଳି ରଖିଥାଏ, ଅସଲ ଶ୍ରଦ୍ଧାଳୁଟିର, ଅସଲ ପ୍ରେମିକ ଓ ଅସଲ ଭକ୍ତଟିର ତଣ୍ଟି ଚିପି ଧରିଥାଏ । ଫଳରେ, ବାହାରେ ଆମେ କେଡ଼େ ଫୁଲି କରି ବାଟ ଚାଲୁଥାଉ, ଗଉଁଗୁଡ଼ାକରେ କେଡ଼େ ମୋଟା ହୋଇ ଦିଶୁଥାଉ, ତେଣେ ଭିତରେ ଶିଶୁଟିଏ ଖଣ୍ଡିଆ ହୋଇ ରହିଥାଏ । ଖଣ୍ଡିଆ ହୋଇ ରହିବାର ଦୈନ୍ୟଟାକୁ ଆମେ ବାହାରର କେତେ ପରିପାଟୀ ଏବଂ ଆଭରଣ ଦ୍ଵାରା ଢାଙ୍କି ରଖିବାର ଚେଷ୍ଟା କରୁଥାଉ, ତଥାପି ଖଣ୍ଡିଆଗୁଡ଼ାକ ଆମକୁ ଭିତରୁ କାମୁଡ଼ି କରି ଧରିଥାଏ, ଆମକୁ ଆଦୌ ବାଟ ଚଲାଇ ଦିଏନାହିଁ, ଆମ ଆସ୍ପୃହାର ଅସଲ ପାଦଗୁଡ଼ିକୁ ବଡ଼ ଅଶୋଭନୀୟ ଭାବରେ କାମୁଡ଼ି ଧରିଥାଏ ।

 

ଏହି ଦୁର୍ଦ୍ଦଶାରେ ପଡ଼ି ଆମ ଭିତରୁ କେହି କେହି ଉଗ୍ର ହୁଅନ୍ତି, କେହି କେହି ନିତାନ୍ତ ଅନୁଗତ ପରିକର ହୋଇ ମେରୁଦଣ୍ଡ ଭାଙ୍ଗିଦେଇ ପଡ଼ି ରହିଥାନ୍ତି,—କେହି ଭିତରେ କେତେ ନିଶ ଫୁଲାଇ ତାହାକୁ ହିଁ ଆପଣାର ଅସଲ କଲିଜା ବୋଲି ଡିବି ଡିବି ବାଜା ବଜାଉଥାଏ, ପୁଣି ଆଉ କେହି ଲାଙ୍ଗୁଡ଼ଟିକୁ ଦୁଇଗୋଡ଼ ଭିତରେ ପୂରାଇ ଦାନ୍ତରେ ତିରଣ କାମୁଡ଼ି ତାହାକୁ ହିଁ ବିନୟ ବୋଲି ଘୋଷଣା କରୁଥାଏ । ଅନେକ ତଥାକଥିତ ନମ୍ର ମଣିଷଙ୍କ ଭିତରେ କେତେ ବଡ଼ ଅହଂଟାଏ ଯେ ସତେଅବା ବାଘ ପରି ହୋଇ ରହିଥାଏ, କେତେ ଧାର୍ମିକ ଲୋକଙ୍କ ଭିତରେ କେତେ ଉଗ୍ରତା ଓ ଖ୍ୟାତିର ବାସନା ଯେ କେଡ଼େବଡ଼ ଅଟ୍ଟାଳିକାଟାଏ ତିଆରି କରି ବାସ କରୁଥାଏ, ମନୋବିଜ୍ଞାନ ମଣିଷର ଅଧିକରୁ ଅଧିକ ଗଭୀରକୁ ଭେଦି ଦେଖି ପାରୁଥିବା ସଙ୍ଗେ ସଙ୍ଗେ ସେହି ତଥ୍ୟଗୁଡ଼ିକର ଆବିଷ୍କାର କରିବାରେ ସମର୍ଥ ହେଲାଣି । ଅସଲ ଧାର୍ମିକ ମଣିଷ ଧର୍ମରେ ଚାଲେ, ଅଧିକରୁ ଅଧିକ ନିକଟବର୍ତ୍ତି ହେବା ସଙ୍ଗେ ସଙ୍ଗେ ତା’ର ମିଛ ଖୋଳ ଓ ମିଛ ବହଳଗୁଡ଼ାକ ଅତ୍ୟନ୍ତ ସ୍ଵାଭାବିକ ଭାବରେ ଖସି ଖସି ପଡ଼ିଥାଆନ୍ତି । ମାତ୍ର ଯିଏ ବିଚରା ବାଟ ଚାଲିବାକୁ ବୋକାମି ବୋଲି ଭାବୁଥାଏ ଏବଂ ତଥାପି ଧାର୍ମିକତାର ଗୁଡ଼ାଏ କରି ଓ ଗୁଡ଼ାଏ ପାଟର ଶିରିପାଟିଏ କରି ତାକୁ ମୁଣ୍ଡ ଉପରେ ବାନ୍ଧିଦେବାକୁ ଇଚ୍ଛା କରି ସତେଅବା ଏକ କ୍ଷତିପୂରଣ ଲୋଡ଼ୁଥାଏ, ସିଏ ମନ୍ଦିର ଗଢ଼ାଏ, ଚାନ୍ଦୁଆ ଟଙ୍ଗାଇଦିଏ, ମାଟି ଚାନ୍ଦିନୀରେ ଶଙ୍ଖମର୍ମର ପଥର ଆଣି ବସାଇ ଦିଏ । ସେଇଥିରୁ କେତେ ସୁଖ ପାଏ ଏବଂ, ନିଜ ଭିତରେ ଭାରି ଉପବାସୀ, ଭାରି ଖଣ୍ଡିଆ ଓ ଭାରି ହନ୍ତସନ୍ତ ହୋଇ ରହିଥାଏ । ସଂସାର ଭିତରେ ଦରିଦ୍ର ରାଜାଟିଏ ପରି ହୋଇ ବୁଲୁଥାଏ । ନିଜ ଭିତରେ ନିକ ଦୌରାତ୍ମ୍ୟ ଦ୍ଵାରା କିଳି ହୋଇ ରହିଥାଏ ।

 

ବଡ଼ ବଡ଼ ଅହଂ, କାରଣ ସାନ ସାନ ଅନୁରାଗ । ଅଧିକାଂଶ କ୍ଷେତ୍ରରେ ସେହି ସଂସ୍କାରର ଫାଶ ଭିତରେ ପଡ଼ି ହିଁ ଆମର ଅନୁରାଗଗୁଡ଼ିକ ଭାରି ସାନ ସାନ ହୋଇ ରହିଥାନ୍ତି । ଅନୁରାଗ ସାନ ସାନ ହେଲେ ଭୟ ହିଁ ଜଣେ ଭକ୍ତର ଜୀବନ ବଞ୍ଚିବାର ମୂଳ ଉତ୍‌ପ୍ରେରକ ହୋଇ ରହିଥାଏ । ହାରିଯିବାର ଭୟ, ଆଉ ତାହା ତୁଳନାରେ ସାନ ଦିଶିବାର ଭୟ, ଧରା ପଡ଼ିଯିବାର ଭୟ, ନିଜ ଭିତରର ଫମ୍ପାଗୁଡ଼ାକ ପଦାକୁ ଦିଶିଯିବାର ଭୟ,—ଏସବୁକୁ ଆମ ସାନ ସାନ ଅନୁରାଗ ହେତୁ ହିଁ ଆମକୁ ଜୀବନକଷଣ ରୂପେ ମୁଣ୍ଡ ଉପରେ ମୁଣ୍ଡାଇ ବାଟ ଚାଲିବାକୁ ପଡ଼ିଥାଏ-। ବାହାରେ ପଇସା ବଢ଼ିଲେ, ମାନ ବଢ଼ିଲେ, ତଥାକଥିତ ଜ୍ଞାନ ବଢ଼ିଲେ ବି ସେହି କଷଣ ଦୂର ହୋଇ ପାରେନାହିଁ । ଅନୁରାଗଗୁଡ଼ିକୁ ବଡ଼ କରି ପାରିଲେ ଯାଇ କଷଣ ଦୂର ହୁଏ, ଅନୁରାଗକୁ ବଡ଼ କରିବାର ଅର୍ଥ ହେଉଛି ଭିତରେ ଆମର ସାନ ଦୁର୍ଗଟି ଭିତରେ ସତେଅବା ଆମର କର୍ତ୍ତା ହୋଇ ବସିଥିବା ବଡ଼ ଅହଂଟିର ବେଢ଼ଟି ଭିତରୁ ଆପଣାକୁ ମୁକ୍ତ କରି ଆଣିବା । ଆପଣାର ଜୀବନରେ ଯୁଗପତ୍ ଭାବରେ ଏକ ସଂପ୍ରସାରଣ ତଥା ଏକ ଉତ୍ତୋଳନ ଘଟାଇ ପାରିବା । ମୁଁ ଏକା ନୁହେଁ,—ଜୀବନରେ ବାଟ ଚାଲିବାରେ ମୁଁ ଏକା କିମ୍ବା ଜୀବନର ଏହି ଅମିତ ସଂପଦ—ଘରଟିକୁ ଭୋଗ କରିବାର କ୍ଷେତ୍ରରେ ମଧ୍ୟ ମୁଁ ଆଦୌ ଏକା ନୁହେଁ । ମୋ’ ଭିତରେ ଯିଏ ମୋର ଅସଲ କେନ୍ଦ୍ର ଓ ଅସଲ ମିତ୍ର ହୋଇ ରହିଛନ୍ତି, ଠିକ୍ ସେଇ ମୋ ବାହାରେ ଏହି ବୃହତ୍ତର ଜୀବନ ରୂପେ ସଂପ୍ରସାରିତ ଓ ସଂବ୍ୟାପ୍ତ ହୋଇ ରହିଛନ୍ତି,—ଏହି ପୃଥିବୀକୁ ମୁଁ ସେହି ସଂପ୍ରସାରଣ ସୁନ୍ଦର ସୂତ୍ରଟି ରୂପେ ହିଁ ଅନୁଭବ କରୁଥିବି ଏବଂ ସେହି ସୂତ୍ରର ନିର୍ଦ୍ଦେଶନାରେ ମୁଁ ମୋ ଜୀବନର ସାନ ବଡ଼ ପ୍ରତ୍ୟେକ ଅବସର ଓ ଆହ୍ଵାନଗୁଡ଼ିକୁ ବଞ୍ଚୁଥିବି । ଏହାହିଁ ଅନୁରାଗ । ସେହି ଅନୁରାଗକୁ ଆମେ ଆମର ଅହଂରୂପୀ ଉଗ୍ର ଦୁର୍ଗଗୁଡ଼ିକର ଭିତରେ ବନ୍ଦ କରି ରଖିଥିବା ପର୍ଯ୍ୟନ୍ତ ତାହା ବହୁ ବିରାଗରେ ହିଁ ପର୍ଯ୍ୟବସିତ ହୋଇ ରହିଥାଏ ଏବଂ ଆମ ଜୀବନ ପ୍ରଧାନତଃ ସେହି ବିରାଗର ହିଁ ନାନା ପ୍ରତିକ୍ରିୟା ହୋଇ ରହିଥାଏ ।

 

ତେଣୁ ଆମର ଅନୁରାଗଗୁଡ଼ିକୁ ବଡ଼ କରିବା, ସଂପ୍ରସାରିତ କରିବା, ଉତ୍ତୋଳିତ କରି ରଖିବା, ସେଗୁଡ଼ିକୁ ତାଙ୍କରି ଚରଣପ୍ରାନ୍ତରେ ନେଇ ତାଙ୍କରି ସ୍ପର୍ଶରେ ଉଜ୍ଜୀବିତ କରି ରଖିବା,—ଅହଂରୋଗରୁ ମୁକ୍ତ ହୋଇ ଆସିବାର ଏହାହିଁ ହେଉଛି ଅମୋଘ ଔଷଧ । ସମ୍ଭବତଃ ଏକମାତ୍ର ଔଷଧ । ଆଉ ସବୁକିଛି ହେଉଛି ବାହ୍ୟ, ଆପଣାକୁ ପ୍ରଧାନତଃ ଢାଙ୍କି ରଖିବାର, ଲୁଚାଇ ରଖିବାର ଗୋଟିଏ ଗୋଟିଏ କୌଶଳ । ତଥାକଥିତ ସଂସାରକୌଶଳୀମାନେ ଏହି କୌଶଳଟିକୁ ଅତ୍ୟନ୍ତ ସନ୍ତର୍ପଣ ସହିତ ଆୟତ୍ତ କରି ରଖିଥା’ନ୍ତି । ତାହାକୁ ହିଁ ଜୀବନର ସର୍ବୋପକାରୀ ସଂସ୍କାରରୂପେ ଗ୍ରହଣ କରି ନେଇଥାନ୍ତି । ତେଣେ ଅହଂଗୁଡ଼ାକ କେଡ଼େ କେଡ଼େ ହୋଇ ରହିଥାନ୍ତି; ପାଟଲୁଗା ପିନ୍ଧି ଉପରକୁ କେଡ଼େ ନମନୀୟ ଓ ମୁଲାୟମ ଦିଶୁଥାନ୍ତି । ସଂସାରଯାକ ଏହି ତାମସା ଏବେ କେଡ଼େ ବର୍ଣ୍ଣାଢ଼୍ୟ ଭାବରେ କେତେ ପ୍ରକାରେ ଲାଗି ରହିଛି, ଆମ ସମସ୍ତଙ୍କର ଅହଂରୋଗଗୁଡ଼ାକୁ କେଡ଼େ ବାଗରେ ବଜର କରି ରଖିଛି । ବାହ୍ୟଚାରଗୁଡ଼ାକ ସତ୍ତ୍ୱେ ଘୃଣାମାନ ବଢ଼ୁଛନ୍ତି, ମଣିଷ ମଣିଷଠାରୁ ଦୂରଛଡ଼ା ହୋଇ ରହିବାକୁ ସବୁଠାରୁ ଅଧିକ ନିରାପଦ ବୋଲି ଅନୁଭବ କରାହେଉଛି । ଦୂରରୁ ଥାଇ ଆମେ ପରସ୍ପରକୁ ଟିହାଇବାରେ ଲାଗିଛୁ ଓ ଆପେ ଆପଣାକୁ ଟିହାଇ ହେଉଛୁ ସିନା, ପରସ୍ପରର ପାଖକୁ ଆସିବାକୁ ମୋଟେ ମନ କରୁନାହୁଁ । ଅସଲ ସୂତ୍ରଗୁଡ଼ାକ ହାତଛଡ଼ା ହୋଇ ରହିଛନ୍ତି । ଅନୁରାଗକୁ ବଡ଼ କରିପାରିଲେ ଯାଇ ଆମେ ସେଗୁଡ଼ାକୁ ପୁନର୍ବାର ହାତପାଆନ୍ତାରେ ଅନୁଭବ କରିପାରିବା । ଅନୁରାଗ ଆମ ଲାଗି ଔଷଧ ପରି କାମ କରିବ, ତା’ପରେ ଆଖି ହୋଇ ଆମକୁ ବାଟ ଦେଖାଇବ, ପରସ୍ପର ସହିତ ଯୋଡ଼ିଦେଇ ପାରିବ, ତାଙ୍କରି ସହିତ ସଂଯୁକ୍ତ କରି ରଖିବ । ଅନୁରାଗର ବାଟକୁ ଆସିବା ଲାଗି ଆମେ ଯେତିକି କୁଣ୍ଠା ପ୍ରକାଶ କରୁଥିବା, ଆମ ଘରେ ଆମର ଅହଂଟାହିଁ ସେତିକି ଅଧିକ ଜବର ହୋଇ ରଜା ହୋଇ ବସିଥିବ । ସତକୁ ସତ ରୋଗମୁକ୍ତ ହେବାକୁ ଇଚ୍ଛା କରୁଥିବା ମଣିଷ କଦାପି ଅହଂକୁ ଭଜା ବୋଲି ସ୍ଵୀକାର କରିବ ନାହିଁ । ସିଏ ଖିଅ ବାନ୍ଧିବାକୁ ମୋଟେ ଡରିବ ନାହିଁ ।

 

ନିଜକୁ ଅତ୍ୟନ୍ତ ସ୍ଵାଭାବିକ ଭାବେ ଦେଇ ପାରିବା ଏବଂ ନିଜ ଜୀବନରେ ଅତ୍ୟନ୍ତ ସ୍ଵାଭାବିକ ଭାବରେ ଗ୍ରହଣ କରିପାରିବା,—ଅନୁରାଗର ସର୍ବମୂଳ ସୂତ୍ରରୂପେ ଆମେ ଏହି କଥାଟିକୁ ଭାରି ସହଜ ହୋଇ ସ୍ଵୀକାର କରିନେବା । ତେବେ ପରସ୍ପରର ଆଖିରେ ଆମେ ଏକାବେଳେକେ ଅନ୍ୟପ୍ରକାର ଦେଖାଯିବାକୁ ଆରମ୍ଭ କରିବା । ବର୍ତ୍ତମାନ ତ ଆମେ ପରସ୍ପରକୁ ମୁଖ୍ୟତ ପରସ୍ପରର ପ୍ରତିଦ୍ଵନ୍ଦୀ ହୋଇ ଦେଖାଯାଉଛୁ । ଆମ ନଜରରେ ଏହି ପୃଥିବୀରେ ଏତେ କମ୍ ଥାନ ରହିଛି ଯେ ସେଥିରେ କେବଳ ଜଣଙ୍କ ସକାଶେ ହିଁ ଜାଗା ହେଉଛି । ମୋ’ ନିଜକୁ ଛାଡ଼ି ସେଠାରେ ଆଉ ମୋଟେ ଅନ୍ୟ କାହାରି ସକାଶେ କୌଣସି ଜାଗା ନାହିଁ । ଆମ ନିଜ ଭିତରଟା ମଧ୍ୟ ଆମକୁ ଏଡ଼େ ଅଳପ ଓ ଏଡ଼େ ସାନ କରି ଦିଶୁଛି ଯେ, ସେଠାରେ ଅହଂଟା ବ୍ୟତୀତ ସତେଅବା ଆଉ କୌଣସି କିଛି ଲାଗି ହିଁ ଏତେ ଟିକିଏ ଜାଗା ନାହିଁ । ଆଉ କାହାକୁ ଜାଗା ଛାଡ଼ିଦେଲେ ଆମ ଅହଂଟି ଲାଗି ଆଉ ମୋଟେ ଜାଗା ରହିବ ନାହିଁ ଓ ତେଣୁ ତା’ପରେ ଆମ ନିଜର ଆଉ ଆଦୌ କୌଣସି ଅସ୍ତିତ୍ଵ ରହିବ ନାହିଁ ବୋଲି ଆମେ ସତତ ଭୟ କରିବାରେ ଲାଗିଛୁ । ସେହି ଭୟ ଆମ ଜୀବନରେ ଯାବତୀୟ ଅନୁରାଗ ଲାଗି ବଇରୀ ହୋଇ ରହିଛି । ସେହି ଭୟ ହିଁ ଠୁଳ ରୂପ ଧାରଣ କରି ଆମର ଅହଂରୂପେ ଶୋଭା ପାଉଛି ।

 

ଆମ ଶିକ୍ଷାକେନ୍ଦ୍ରମାନଙ୍କରେ ଆମ ଅନୁରାଗଗୁଡ଼ିକ ସାନ ହୋଇ ଯାଉଛି ବୋଲି ଆମ ଅହଂଗୁଡ଼ାକ କେଡ଼େ ବଡ଼ ହୋଇ ଆଣ୍ଟ ଦେଖାଇବାର ପ୍ରଶ୍ରୟ ପାଉଛି । ଆମ ଶିକ୍ଷକମାନେ ଏକାଧିକ କାରଣରୁ ଯଦି ପିଲାମାନଙ୍କ ଆଗରେ ପ୍ରଧାନତଃ ବୟସ୍କ ଏବଂ ବହଳ ହୋଇ ଦିଶିବାକୁ ମନ କରୁଛନ୍ତି, ତେବେ ଯେଉଁ ଅନୁରାଗ ସତକୁ ସତ ଆମ ଶିକ୍ଷାକେନ୍ଦ୍ରରେ ଆମ ସମସ୍ତଙ୍କ ପାଇଁ,–ସାନ ଓ ବଡ଼ ସମସ୍ତଙ୍କ ପାଇଁ ବହୁବିଧ ନବଜନ୍ମର କାରଣ ହୋଇ ପାରୁଥା’ନ୍ତା, ତାହାଠାରୁ ଆମେ ଅତ୍ୟନ୍ତ ଦୟନୀୟ ଭାବରେ ବଞ୍ଚିତ ହୋଇ ରାହିଯାଉଛୁ । ଅନୁରାଗହୀନ ଶୃଙ୍ଖଳାରକ୍ଷାକୁ ହିଁ ଯିଏ ତା’ର ଅଧ୍ୟାପନା—କ୍ଷେତ୍ରରେ ସବାମୂଳ ନୀତିରୂପେ ଗ୍ରହଣ କରିଛି, ସେହି ବିଚାରର ଅହଂଟାହିଁ ତାକୁ ଭିତରେ ବଡ଼ କଲବଲ ଭାବରେ କାମୁଡ଼ି ଧରିଛି । ଅହଂଟା ଯେତିକି ଯେତିକି ପ୍ରାଦୁର୍ଭାବ ବିସ୍ତାର କରିବାକୁ ଆରମ୍ଭ କରେ, ମଣିଷ ଜୀବନ ବଞ୍ଚିବାର ଓ ଖିଅ ଯୋଡ଼ିବାର କ୍ଷେତ୍ରରେ ସେତିକି ସେତିକି ଅଧିକ ଗଧ ହେବାରେ ଲାଗିଥାଏ । ଆମର ଏହି ବର୍ତ୍ତମାନ ପୃଥିବୀରେ ଏଭଳି କ୍ଷମତାସୀନ ଅହଂପ୍ରପୀଡ଼ିତ ଗଧ ବହୁ ସଂଖ୍ୟାରେ ରହିଛନ୍ତି । ଆମେ ମଧ୍ୟ ଆମର ଶିକ୍ଷାକେନ୍ଦ୍ରଗୁଡ଼ିକରେ ଅହଂଟାକୁ ହିଁ ଆପଣାର ସବାବଡ଼ ସନ୍ତକ ବୋଲି ଗ୍ରହଣ କରୁଥିବାରୁ କ୍ରମଶଃ ଗଧ ହୋଇଯାଉଛୁ, ପରସ୍ପର ପାଖରେ ଅତ୍ୟନ୍ତ ପର ହୋଇ ଯାଉଛୁ,—ପରସ୍ପରକୁ ଈର୍ଷା କରୁଛୁ, ପରସ୍ପରକୁ ଲୁଚି ବୁଲୁଛୁ । ନିଜ ଭିତରେ ମଧ୍ୟ ଆପଣାର କେନ୍ଦ୍ରଟିଠାରୁ ଲୁଚି ବୁଲିବାରେ ଲାଗିଛୁ । ଅନୁରାଗହୀନ ମଣିଷ ହିଁ ସବରାଚର କର୍ତ୍ତୃତ୍ଵର କଥା କହେ । ଆମ ଭିତରର ଅହଂଟା ସେହି ଅନୁରାଗକୁ ହିଁ ହୁଏତ ସବୁଠାରୁ ଅଧିକ ଭୟ କରୁଥାଏ । ତେଣୁ, ଅନୁରାଗୀ ମଣିଷଟିଏ ଦେଖିଲେ ତାହାକୁ ସେ ଆପଣାର ପରମ ଶତ୍ରୁ ପରି ଦେଖେ । ତେଣୁ ମୋଟେ ରୋଗମୁକ୍ତ ହୋଇପାରେ ନାହିଁ । ରୋଗଟା ଭଲ ଲାଗୁଥିବା ପର୍ଯ୍ୟନ୍ତ ଆମେ ରୋଗରୁ ମୁକ୍ତ ହୋଇ ପାରିବା କିପରି ?

 

ଜୁଲାଇ, ୧୯୮୮

Image

 

ଶାନ୍ତି, ସଙ୍ଗତି, ସମଞ୍ଜସତା

 

ଶାନ୍ତିପ୍ରିୟ ଲୋକମାନେ ଅଶାନ୍ତିକୁ ଡରନ୍ତି । ତେଣୁ ସେମାନେ ଯେକୌଣସି ପ୍ରକାରେ ଶାନ୍ତିର ରକ୍ଷାକୁ ହିଁ ଆଦର୍ଶ ବ୍ୟବସ୍ଥା ବୋଲି ମାନି ନେଇଥାନ୍ତି । ଏହିଭଳି ଲୋକମାନେ ଆଲୋଚନାକୁ ଡରନ୍ତି, ମତବିନିମୟକୁ ଡରନ୍ତି, ଏକତ୍ର ବସିବାକୁ ଡରନ୍ତି, ଆପଣାର ଦୃଷ୍ଟିକୋଣଗୁଡ଼ିକୁ ସଂପୃକ୍ତ ଅନ୍ୟମାନଙ୍କର ଦୃଷ୍ଟିକୋଣ ସହିତ ମିଳାଇ ଦେଖିବାକୁ ମଧ୍ୟ ଡରନ୍ତି । ସେମାନେ କହନ୍ତି ଏତେ ଯୁକ୍ତିତର୍କ କାହିଁକି ହେବ, ଏତେ ସମୟ କାହିଁକି ଯିବ,—ଜଣକର କଥାକୁ ଯଦି ଆମେ ସମସ୍ତେ ମାନିନେବା, ତେବେ ଅଳପକରେ ସବୁ ଛିଡ଼ିଯିବ, ଆମ ଭିତରେ ସମନ୍ଵୟ ରହିବ, ଶାନ୍ତି ରହିବ, ସମଞ୍ଜସତା ରହିବ, ଇତ୍ୟାଦି, ଇତ୍ୟାଦି । ଏବଂ ସବୁଠାରୁ ମଜାର କଥା ହେଉଛି ଯେ, ଯେଉଁମାନେ ସଂପୃକ୍ତ ସମସ୍ତେ ତାଙ୍କରି ମତଟିକୁ ମାନିନିଅନ୍ତୁ ବୋଲି ଭାରି ଅନମନୀୟ ଭାବରେ ଇଚ୍ଛା କରୁଥାନ୍ତି, ସେହିମାନେ ହିଁ ଏଭଳି କହନ୍ତି । ସେମାନେ ସମଞ୍ଜସତା କଥା କହନ୍ତି । ବହୁତ ଲୋକ ଭାବିବାକୁ ଆରମ୍ଭ କଲେ, ଗୋଷ୍ଠୀରେ ବସିଥିବା ସମୟରେ ପ୍ରତ୍ୟେକେ ନିଜ ନିଜର ମତ ବ୍ୟକ୍ତ କଲେ ମିଛଟାରେ ଅଶାନ୍ତି ହେବ, ସମଞ୍ଜସତା ଭାଙ୍ଗିଯିବ ବୋଲି ସେମାନେ କେଡ଼େ ହୃଷ୍ଟ ମନରେ କହୁଥାନ୍ତି ।

 

ସମନ୍ଵୟ ଓ ସମଞ୍ଜସତା ବହୁ ପ୍ରକାରର, ବହୁ ସ୍ତରର । ତେଣୁ, ଆମେ ଇଚ୍ଛା କରୁଥିବା ତଥାକଥିତ ଶାନ୍ତି ମଧ୍ୟ ବହୁ ପ୍ରକାରର, ବହୁ ସ୍ତରର, ବହୁ ଆଳର । ଅଧିକାଂଶ ପରିବାରରେ ଜଣେ କହେ, ଜଣେ ବୋଲ ବତାଏ, ଜଣେ ଫଇସଲା ଦିଏ, ଠିକ୍ ଭୁଲ୍ ବତାଇଦିଏ, ଏବଂ ତାଙ୍କରି ଫଇସଲା ଅନୁସାରେ ଘର ଚଳେ । ସେହି ପ୍ରଧାନତମ ମୁଣ୍ଡଟିକୁ ବାପାଙ୍କର ମୁଣ୍ଡ ବୋଲି କୁହାଯାଏ, ବେଳେବେଳେ କେତେକ ସମାଜରେ ପୁରୁଷର ମୁଣ୍ଡ ବୋଲି କୁହାଯାଏ । ପରିବାରରେ ବାପାଙ୍କ ବ୍ୟତୀତ ବୋଉ ଥାଆନ୍ତି, ପୁଅଝିଅମାନେ ଥାଆନ୍ତି । ବାପାଙ୍କର ସାନଭାଇ ଓ ତାଙ୍କର କୁଶୀଲବଗଣ ମଧ୍ୟ ରହିଥାନ୍ତି । ମାତ୍ର ବାପାଙ୍କ ଆଗରେ କେହି ପାଟି ଫିଟାନ୍ତି ନାହିଁ । ମୁଁ ମଲେ ଯାଇ ତୁମେସବୁ ନିଜ ବିଚାରରେ ପଛେ ଯାହା କରିବ ବୋଲି କେଡ଼େ ଭାବପ୍ରବଣ ଭାବରେ ବାପା ସମସ୍ତଙ୍କ ଉଦ୍ଦେଶ୍ୟରେ ଝିଙ୍ଗାସ ଦେଉଥାନ୍ତି ଏବଂ ଏହିପରି ଭାବରେ ଯାବତୀୟ ନିଷ୍ପତ୍ତିର ସୂତାକୁ ନିଜ ହାତରେ ରଖିଥାନ୍ତି । ପରିବାରରେ ଶାନ୍ତି, ସମନ୍ଵୟ ଏବଂ ସମଞ୍ଜସତା ରହିବ ବୋଲି ଏହି ରୀତିଟି ଚଳୁଥାଏ ।

 

ପୃଥିବୀର ବହୁ ଇସ୍କୁଲରେ, ବହୁ ଶାସନରେ ଓ ବହୁ ମହକୁମାରେ ମଧ୍ୟ ଯିଏ ସବାଉପରେ ଥାଆନ୍ତି, ତାଙ୍କରି କୁହା ମାନିବାକୁ ହିଁ ସମଞ୍ଜସତା ବୋଲି କୁହାଯାଏ । ଯିଏ ସବାଉପରେ ଥାଆନ୍ତି, ତାଙ୍କ ହାତରେ ସବୁଠାରୁ ଅଧିକ କ୍ଷମତା ରହିଥାଏ, ସଚରାଚର ସେଇ ଅନ୍ୟମାନଙ୍କର ତୁଳନାରେ ସବୁଠାରୁ ଅଧିକ ଦରମା ପାଉଥାନ୍ତି । ତାଙ୍କୁ ସବୁଠାରୁ ଅଧିକ ଦରମା ମିଳିଲେ ଯାଇ ତାଙ୍କରି ସବୁଠାରୁ ଅଧିକ ବିବେକ, ଅଧିକ ବୁଦ୍ଧି ଓ ଅଧିକ ପ୍ରଜ୍ଞା ରହିଛି ବୋଲି ପ୍ରତିପାଦିତ ହୋଇଯିବ ଏବଂ ତେଣୁ ସମସ୍ତେ ତାଙ୍କରି କୁହା ଅନୁସାରେ କାମ କରିବେ ବୋଲି ବିଶ୍ଵାସ କରା ଯାଉଥାଏ । ଏବଂ ଠିକ୍ ସେହିପରି ଭାବରେ ସମଞ୍ଜସତା ରହେ, କେବେହେଲେ ଶାନ୍ତି ଭଙ୍ଗ ହୁଏ ନାହିଁ । ଅନ୍ୟ ମତ ପୋଷଣ ଅଥବା ପ୍ରକାଶ କରିବାକୁ କର୍ତ୍ତୃତ୍ଵର ବିରୁଦ୍ଧ ଆଚରଣ କରିବା ବୋଲି ବିବେଚିତ ହୁଏ ଓ ସେଥିପାଇଁ ଉଚିତ ଶାସ୍ତି ବିଧାନମାନ ରହିଥାଏ ।

 

କୌଣସି ସୈନ୍ୟବାହିନୀରେ, ପୋଲିସ୍ ଥାନାରେ ଶାନ୍ତି, ଶୃଙ୍ଖଳା ଓ ସମଞ୍ଜସତା କହିଲେ ପ୍ରାୟ ସେହିଭଳି ଏକ କଥାକୁ ବୁଝାଏ । ନିଜେ ଭାବିଲେ, ନିଜ ଭିତରେ ବିବେକ ବୋଲି ଏକ ପଦାର୍ଥ ଅଛି ବୋଲି ସଚେତନ ହେବାକୁ ମନ କଲେ, ତାହାକୁ ଅବାଧ୍ୟତା ବୋଲି ଘୋଷଣା କରାଯାଏ । ଏବଂ, ଅବାଧ୍ୟତା ଦ୍ଵାରା ହିଁ ଶାନ୍ତିଭଙ୍ଗ ହୋଇଯାଏ । ପୃଥିବୀରେ ଅନେକ ରାଜ୍ୟ ରହିଛି, ଯେଉଁଠି ଜଣେ ମଣିଷ ବା ଗୋଟିଏ ଦଳ ଦେଶର ଶାସନ କରୁଛି । ସେସବୁ ଦେଶରେ ଏକଛତ୍ର-ଶାସନ ଚଳୁଛି । ଉପରୁ, ସବା ଉପରୁ ନିର୍ଦ୍ଦେଶ ଆସୁଛି, ତାହାକୁ ସମସ୍ତେ ମାନୁଛନ୍ତି । କୌଣସି ହେରଫେର ହେଉ ନାହିଁ । ସମସ୍ତେ ସିଧା ହୋଇ ରହିଛନ୍ତି ଓ ଏତେ ଟିକିଏ ବଙ୍କା ହେବା ଲାଗି କୌଣସି ପ୍ରଶ୍ରୟ ଦିଆ ଯାଉନାହିଁ । ଅନେକ ସମୟରେ ଗୁରୁ ଓ ଶିଷ୍ୟର ପରମ୍ପରା କହିଲେ ବହୁ କ୍ଷେତ୍ରରେ ସେହିପରି ଗୋଟିଏ କଥାର କଳ୍ପନା କରା ଯାଇଥାଏ । ଗୁରୁ ବତାଇବ, ଶିଷ୍ୟ ମାନିବ,—ତେବେଯାଇ ଫଳ ଫଳିବ, ତପସ୍ୟା ସିଦ୍ଧ ହେବ । ଶିଷ୍ୟ ବଡ଼ ହୋଇ ଯେତେବେଳେ ସ୍ଵୟଂଗୁରୁ ହେବ, ସେତେବେଳେ ଯାଇ ସିଏ ଆଦେଶ ଦେଇପାରିବ ଏବଂ ଆପେ ଏକଦା ଅଙ୍ଗେ ନିଭାଇଥିବା କଷଣଟିର କ୍ଷତିପୂରଣ କରିବ । କେବଳ ଭାରତବର୍ଷରେ ନୁହେଁ, ପ୍ରାଚୀନ ପୃଥିବୀର ଆହୁରି କେତେ ଦେଶରେ ମଧ୍ୟ ଆମେ ଏହିପରି ଭାରି କଡ଼ା ଗୁରୁମାନଙ୍କର ଉଦାହରଣ ଦେଖିବାକୁ ପାଇଥାଉ ।

 

ଏସବୁ ଅବଶ୍ୟ ଗୋଟିଏ ପ୍ରକାରର ସମଞ୍ଜସତା, ଗୋଟିଏ ବିଶେଷ କିମ୍ବା ନିର୍ଦ୍ଧିଷ୍ଟ ସ୍ତରର ସମଞ୍ଜସତା । ଏହାକୁ ଆମେ ଆସୁରିକ ସ୍ତରର ସମଞ୍ଜସତା ବୋଲି କହି ପାରିବା । ଏଥିରେ ମଣିଷମାନଙ୍କ ଭିତରେ ପରସ୍ପରକୁ ସତେଅବା ଅସୁର ବୋଲି କଳ୍ପନା କରାଯାଏ, ପରସ୍ପରକୁ ପ୍ରଧାନତଃ ଅବାଧ୍ୟ ବୋଲି ଧରିନିଆ ଯାଇଥାଏ । ସେମାନଙ୍କ ଭିତରୁ ଜଣେ ବାହାରେ; ତା ପାଖରେ ଅଧିକ କ୍ଷମତା ଥାଏ, ଅଧିକ କର୍ତ୍ତୃତ୍ଵ ରହିଥାଏ, ଅଥବା ସିଏ ସମସ୍ତଙ୍କଠାରୁ ବୟସରେ ବଡ଼ ହୋଇଥାଏ ଓ ତେଣୁ ଗୁରୁଜନ ବୋଲି ପ୍ରଜ୍ଞାତ ହୁଏ । ସମସ୍ତେ ସେହି ଜଣଙ୍କର କଥା ମାନନ୍ତି,–ତାହା ଫଳରେ ଶାନ୍ତି ରହେ, ସମଞ୍ଜସତା ରହେ; ସବୁରି ଭିତରେ ଏକ ବିବେକ ରହିଛି ବୋଲି ଏଥିରେ ବିଶ୍ଵାସ କରାଯାଏ ନାହିଁ । ଅଥବା, ଯେଉଁ ସବାବଡ଼ଟି ଭିତରେ ବିବେକ ରହିଥାଏ, ଆଉମାନଙ୍କ ଭିତରେ ମଧ୍ୟ ବିବେକଟିକୁ ପ୍ରେରିତ କରି ଆଣିବା ଲାଗି ତା’ ପାଖରେ କୌଣସି ଧୈର୍ଯ ନଥାଏ ।

 

ସମଞ୍ଜସତାର ଆଉ ଗୋଟିଏ ପ୍ରକାର ବା ସ୍ତର ରହିଛି, ଯାହାକୁ ଆମେ ଐହିକ ସମଞ୍ଜସତା ବୋଲି କହିପାରିବା । ଏହି ସମଞ୍ଜସତାଟି ଫଳରେ ଆମ ସଂସାର ଯେମିତି ଅଛି, ସେମିତି ହୋଇ ରହିପାରୁଛି; ଯେମିତି ଚାଲିଛି, ସେମିତି ଚାଲି ପାରୁଛି । ସଂସାର ଯେମିତି ଚାଲିବା ଉଚିତ ବା ଯେମିତି ହୋଇ ରହିବା ଉଚିତ, ଏହି ସମଞ୍ଜସତାକୁ ହିଁ ପ୍ରକୃତ ବ୍ୟବସ୍ଥା ବୋଲି ମାନି ନେଇଥିବା ମଣିଷ ତଥା ସମାଜମାନେ ସେହି ବିଷୟରେ ମୋଟେ ମୁଣ୍ଡ ଖେଳାନ୍ତି ନାହିଁ । ସେମାନେ କେତେଟା ଅଭ୍ୟସ୍ତ ଗାରକୁ ହିଁ ଆୟତନର ସବୁକିଛି ବୋଲି ମାନି ନେଇଥାନ୍ତି ଏବଂ ଗାର ଭିତରେ ରହିବାକୁ ହିଁ ସେହି କ୍ଷେତ୍ରରେ ନୀତି ବୋଲି କୁହାଯାଏ । ସେହି ବ୍ୟକ୍ତି ତଥା ସମାଜଗୁଡ଼ିକର ଧର୍ମ ବି ସେହି ଗାର ଭିତରେ ଜାକିଜୁକି ହୋଇ ରହିଥାଏ । ଅଭ୍ୟସ୍ତ ଗାରଗୁଡ଼ିକୁ ପବିତ୍ରତା ଜ୍ଞାନରେ ଦେଖାଯାଏ । ଗାରଭିତରେ ରହିଥିବା ମଣିଷ ସକାଶେ ଅନେକ ସମୟରେ ପରଲୋକରେ ସ୍ଵର୍ଗର ବ୍ୟବସ୍ଥା ହୋଇ ରହିଥାଏ । ଯାହା ଅଛି, ଯେତିକି ଅଛି, ତାହାକୁ ହିଁ ଭଗବାନଙ୍କର ଇଚ୍ଛା ବୋଲି ଧରି ନିଆଯାଇଥାଏ । ପୂର୍ବକାଳର ଅଧିକାଂଶ ସମାଜ ସେହି ରୀତିରେ ଚଳୁଥିଲା । ଇତିହାସରେ ସାଧାରଣତଃ ଯେଉଁସବୁ ଯୁଗକୁ ତଥାକଥିତ ସ୍ୱର୍ଣ୍ଣଯୁଗ ବୋଲି ସମସ୍ତେ କହିଛନ୍ତି, ସେମାନେ ଏହି ଐହିକ ସମଞ୍ଜସତାକୁ ହିଁ ଆଦର୍ଶ ବୋଲି ଗ୍ରହଣ କରି ନେଇଥିଲେ । ଏହିସବୁ ସମାଜକୁ ଆମେ ଶ୍ରୀଅରବିନ୍ଦଙ୍କର ଭାଷାରେ typal-conventional society ବୋଲି କହିପାରିବା । ବର୍ତ୍ତମାନ ପୃଥିବୀର ଯେକୌଣସି ସମାଜରେ ମଧ୍ୟ ଅଧିକ ସଂଖ୍ୟକ ମଣିଷ ଏହିଭଳି ଏକ ଐହିକ ସମଞ୍ଜସତା ମଧ୍ୟରେ ରହିଛନ୍ତି । ଥୋକେ କିଞ୍ଚିତ୍ ସ୍ୱପ୍ନ ଦେଖୁଛନ୍ତି ସତ, ମାତ୍ର ସେହି ସ୍ଵପ୍ନ କଳା, ସାହିତ୍ୟ ପ୍ରଭୃତି ସ୍ଵତନ୍ତ୍ର ଇଲାକାର ବିଶେଷ ବିଶେଷ ସାମଗ୍ରୀ ହୋଇ ରହିଛି । ଏକ ବିଶେଷ ସମୟର ବିନୋଦନ ଏବଂ ବିଶେଷ ଉଲ୍ଲାସ ହୋଇ ରହିଛି । ପୃଥିବୀରେ ଅଧିକାଂଶ ଆଦିବାସୀ ସମାଜକୁ ସମ୍ଭବତଃ ଏହି କିସମର ସର୍ବୋତ୍ତମ ନମୁନା ବୋଲି କୁହାଯାଇ ପାରିବ ।

 

ଏହାର ଉପରକୁ ସମଞ୍ଜସତାର ଏକ ତୃତୀୟ ସ୍ତର, ଆମେ ଯାହାକୁ ହୁଏତ ଆଧ୍ୟାତ୍ମିକ ସମଞ୍ଜସତା ବୋଲି କହିପାରିବା । ଗତିଶୀଳତା ମଧ୍ୟରେ ସମଞ୍ଜସତା, ସତତ ଗତିଶୀଳତା ମଧ୍ୟରେ ସତତ ସମଞ୍ଜସତା-ସ୍ଥାପନ, ଏହାହିଁ ହେଉଛି ଏହି ସମଞ୍ଜସତାର ମୂଳ ଧର୍ମ । ସତତ ଆରୋହଣ ହେଉଛି ସେହି ଗତିଶୀଳତା ଏବଂ ସମଞ୍ଜସତାର ମୀମାଂସକ ବିଧାନ । ସତତ ସ୍ତର ପରେ ସ୍ତର ଅତିକ୍ରମ କରିବାର ଏକ ଦୃଢ଼ସ୍ଥିର ଆସ୍ପୃହା ହେଉଛି ତାହାର ଅସଲ ପ୍ରେରଣା । ନିଜ ଭିତରେ ମୁଁ ଯାହାକୁ ସର୍ବୋଚ୍ଚ ବୋଲି ମାନିଛି, ପରମ ଆସ୍ପଦ ଓ ପରମ ମୂଲ୍ୟରୂପେ ଗ୍ରହଣ କରିଛି । ଯାହାକୁ ମୁଁ ମୋର ଜୀବନର ଅନୁମନ୍ତା ବୋଲି ସ୍ଵୀକାର କରିନେଇଛି ଏବଂ ମୋ ନିଜ ଭିତରେ ମୁଁ ଯାହାଙ୍କୁ ଠାବ କରି ଆସ୍ଥାନଟିଏ ଯୋଗାଇ ଦେଇଛି, ମୋ ଜୀବନର ଯାବତୀୟ ଆକାଂକ୍ଷା, ଅନୁରାଗ ଏବଂ ସମୃତିକାମନାକୁ ଆଣି ତାଙ୍କରି ସହିତ ଖିଅ ବାନ୍ଧି ରଖିବା ଏବଂ ତାହାକୁ ହିଁ ଜୀବନର ପରମ ପ୍ରତିଷ୍ଠା ବୋଲି ଅନୁଭବ କରିବା,—ସେହି ସମଞ୍ଜସତା ହେଉଛି ଏକ ଆଧ୍ୟାତ୍ମିକ ସ୍ତରର ସମଞ୍ଜସତା; ଏକ ଆଧ୍ୟାତ୍ମିକ ସାହସ ହିଁ ଜଣେ ବ୍ୟକ୍ତିକୁ ସେହି ସମଞ୍ଜସତା ନିମନ୍ତେ ଯୋଗ୍ୟ କରି ତିଆରି କରିପାରେ । ଏହି ସମଞ୍ଜସତାଟି ଯାହାର ଜୀବନକ୍ଷେତ୍ରରେ ସାଧ୍ୟ ହୋଇଥାଏ ବା ଏପରିକି କାମ୍ୟ ହୋଇ ବି ରହିଥାଏ, ସିଏ ଆପଣାର ଦେହ, ପ୍ରାଣ ଏବଂ ମନକୁ ନେଇ ସତତ ତା’ ଜୀବନର ସାନବଡ଼ ପ୍ରତ୍ୟେକ କାର୍ଯ୍ୟରେ ଏବଂ ପ୍ରତ୍ୟେକ ଅନୁଧାବନରେ ଅସଲ କେନ୍ଦ୍ରଟି ସହିତ ଗଅଣ୍ଠାଇ ରଖିଥାଏ । ତା କେନ୍ଦ୍ର ତା’ ଅସଲ ଘର ଭିତରେ ରହିଥାଏ । ପାହାଚ ପରେ ପାହାଚ ବଦଳି ଯାଉଥାଏ, ପରସ୍ତ ପରେ ପରସ୍ତ ଖୋଲି ଯାଉଥାଏ,—ଅଥଚ ପାଦ ତଳେ ଭୂମିଟି ସ୍ଥିର ଏବଂ ସମଞ୍ଜସ ହୋଇ ରହିଥାଏ, ଅନ୍ତର ଭିତରେ ବିଶ୍ଵାସ ଦୃଢ଼ପ୍ରତିଷ୍ଠ ହୋଇ ରହିଥାଏ, ଆଖି ଆଗରେ ଆପଣାର ଆକାଶଟି ମଧ୍ୟ ସ୍ଥିର ହୋଇ ରହିଥାଏ । କିଳି ହୋଇ ରହିଯିବାର କୌଣସି ଦୁର୍ଦ୍ଦଶା ଭୋଗ କରିବାକୁ ପଡ଼େ ନାହିଁ; ଅସଲ ମୂଳଟି ଭିତରେ ରହିଥାଏ ଏବଂ ସେହି ମୂଳର ପ୍ରେରଣାରେ ହିଁ ଆଗକୁ ପାଦ ପଡ଼ି ପଡ଼ି ଯାଉଥାଏ । ଗତି ରହିଥାଏ, ତଥାପି ଚେରଗୁଡ଼ିକ କଦାପି ମୂଳଛିଣ୍ଡା ହୁଅନ୍ତି ନାହିଁ । ବ୍ୟକ୍ତିକୁ ଡର ମାଡ଼େନାହିଁ, ଅତିକ୍ରମଣକୁ ଡର ମାଡ଼େନାହିଁ, ଉତ୍‌କ୍ରାନ୍ତି ହିଁ ଜୀବନର ସବୁଠାରୁ ବଡ଼ ଆଚରଣ ହୋଇ ରହିଥାଏ; ସମ୍ବନ୍ଧ ବଢ଼ି ବଢ଼ି ଯାଉଥାଏ,—ତଥାପି ସମ୍ବନ୍ଧଗୁଡ଼ିକ ମୋଟେ ମୂଳ ଛାଡ଼ି ଯାଏ ନାହିଁ । ଆପଣାକୁ ଛାଡ଼ି ଚାଲିଯିବାର କୌଣସି ଡର ନଥାଏ ।

 

ଯେଉଁ ସମାଜ ଆପଣାର ପ୍ରତ୍ୟେକ ବ୍ୟକ୍ତି ଲାଗି ଏହିପରି ଏକ ସତତ ଅଭିବୃଦ୍ଧିର ପରିବେଶଟିଏ ତିଆରି କରି ରଖିଥାଏ, ସେହି ସମାଜକୁ ମଧ୍ୟ ଆମେ ଆଧ୍ୟାତ୍ମିକ ସମଞ୍ଜସତାର ସମାଜ ବୋଲି କହିପାରିବା । ସଖ୍ୟହିଁ ସେହି ସମାଜର ଅସଲ ସୂତ୍ର ହୋଇ ରହିଥାଏ । ସେଠି କେହି କାହାକୁ ଗିଳି ପକାନ୍ତି ନାହିଁ, କେହି କାହାକୁ ଦାବି ରଖନ୍ତି ନାହିଁ । ଜଣକର ଉଦୟ ଅନ୍ୟ ସମସ୍ତଙ୍କ ଉଦୟ ଲାଗି ମଧ୍ୟ ବାଟ କଢ଼ାଇ ଦେଉଥାଏ । ମୂଳ ଠିକ୍ ଥାଏ, ଆକାଶ ମଧ୍ୟ ଠିକ୍ ଥାଏ । ସମସ୍ତଙ୍କ ଭିତରେ ସେହି ଗୋଟିଏ ସମ୍ପଦ ଯେ ପ୍ରତ୍ୟେକଙ୍କୁ ସତତ ଉନ୍ମୋଚିତ ଓ ସତତ ସଂପ୍ରସାରିତ ହେବାର ପ୍ରେରଣା ଦେଉଛି, ଏହିପରି ଏକ ବିଶ୍ଵାସମୟ ସଂପ୍ରତ୍ୟୟ ସଂପୃକ୍ତ ସମସ୍ତଙ୍କୁ ଏକତ୍ର ବାନ୍ଧି ରଖିଥାଏ । ସତ୍ୟ ସ୍ଥିର ଥାଏ, ତେଣୁ ସମସ୍ତେ ସ୍ଥିର ହୋଇ ରହିଥାନ୍ତି । ଏକ ଆଧ୍ୟାତ୍ମିକ ପାରସ୍ପରିକତା, ଇଂରାଜୀରେ ସର୍ବୋତ୍ତମ ଅର୍ଥରେ ଯାହାକୁ Sharing ବୋଲି କୁହାଯାଇପାରେ, ତାହା ହିଁ ସାମୂହିକ ଜୀବନର ଅସଲ ସନ୍ତକ ହୋଇ ରହିଥାଏ । ଜଣେ ବ୍ୟକ୍ତିର ସାଧନା ଅନ୍ୟ ଜଣେ ବ୍ୟକ୍ତିର ସାଧନାକୁ ମୋଟେ ଈର୍ଷା କରେ ନାହିଁ । ସତ୍ୟ ବା ଭଗବାନ ସେହି କ୍ଷେତ୍ରରେ କେବଳ ନିକ ଭିତରେ ଅନୁଭୂତ ହେଉ ନଥା’ନ୍ତି, ଯୁଗପତ୍ ଭାବରେ ସବୁରି ଭିତରେ ଠାବ ହୋଇ ପାରୁଥା’ନ୍ତି । ସେହିଭଳି ଏକ ସମାଜ ସଂସାରରେ ଅନେକ ଉଦୟର କାରଣ ହୁଏ, ଅନେକ ଶୁଭର କାରଣ ହୁଏ ।

 

ତେଣୁ, ଏକ ସୋପାନକ୍ରମର ମାଧ୍ୟମରେ ହିଁ ଆମେ ଯାବତୀୟ ସମଞ୍ଜସତାର କଳ୍ପନା କରିପାରିବା । ଗୋଟିଏ ସୋପାନରେ ବିଜୟଲାଭ ପରବର୍ତ୍ତୀ ସୋପାନଟି ନିମନ୍ତେ ବାଟ ଫିଟାଇ ଦେଇ ପାରୁଥିବ । ଆମର ସୋପାନଗୁଡ଼ିକ ଆମ ବିଜୟ ଗୁଡ଼ିକର ସନ୍ତକ ହୋଇ ରହିଥିବ । କେବଳ ବ୍ୟକ୍ତିଗତ କ୍ଷେତ୍ରରେ ନୁହେଁ, ଆମର ସାମୂହିକ ପ୍ରୟାସଗୁଡ଼ିକର ସକଳ କ୍ଷେତ୍ରରେ ତାହା ହିଁ ସନ୍ତକ ହୋଇ ରହିଥିବ । ଅଶାନ୍ତି ସୃଷ୍ଟି ହେବ ବୋଲି ମିଛ ଆଳ ଦେଖାଇ ଯେଉଁଠାରେ ଆସୁରିକ ଅଥବା ଐହିକ ସମଞ୍ଜସତାର ନିମ୍ନତର ସୋପାନଗୁଡ଼ିକରେ ଭଦୟ ଏବଂ ଉନ୍ମୋଚନର ପ୍ରକ୍ରିୟାଗୁଡ଼ିକୁ ଅଟକାଇ ରଖି ଦିଆଯାଇଥିବ । ଆଧ୍ୟାତ୍ମିକ ସମଞ୍ଜସତାର ମାନଦଣ୍ଡରେ ବିଚାର କରି ଦେଖିଲେ ତାହାକୁ ଯାବତୀୟ ମାପକାଠିରେ ପ୍ରାୟ ଏକ ଅସୁସ୍ଥ ଅର୍ଥାତ୍ କ୍ଷୟକାରୀ ସମଞ୍ଜସତା ବୋଲି କୁହାଯାଇ ପାରିବ । ମାଆ କୋଉଠି ଗୋଟିଏ ପ୍ରସଙ୍ଗରେ କହିଛନ୍ତି, We have come not for peace, but for victory, because in a world governed by hostile forces, victory must come before peace. ଶାନ୍ତି ପାଇଁ ନୁହେଁ, ବିଜୟ ହାସଲ କରିବା ପାଇଁ । ପୃଥିବୀ ଉପରେ ନାନାବିଧ ପ୍ରତିକୂଳ ଶକ୍ତି ଶାସକ ହୋଇ ବସିଥିବା ବେଳେ, ପ୍ରଥମେ ବିଜୟ ହାସଲ ହୋଇସାରିଲେ ତା’ପରେ ଯାଇ ଶାନ୍ତି ସମ୍ଭବ ହେବ । ଅସଲ ସମଞ୍ଜସତା ସେତିକି ବେଳେ ଆସିବ । ଆମେ ବିଜୟ ପରେ ବିଜୟ ହାସଲ କରି ଯାଉଥିବା, ଗୋଟିଏ ସମଞ୍ଜସତାର ସ୍ଥିତିକୁ ଅତିକ୍ରମ କରି ଆଉ ଏକ ଉଚ୍ଚତର ସମଞ୍ଜସତା ମଧ୍ୟରେ ଯାଇ ପ୍ରବେଶ କରୁଥିବା । ସେହି ପ୍ରକ୍ରିୟାଟି ସତତ ଲାଗି ରହିଥିବ । ତାହାହିଁ ଅସଲ ଶାନ୍ତି । Harmony କହିଲେ ଆମେ ଏହିପରି ସତତ ଗତିଶୀଳତାର ଏକ ସ୍ଥିତିକୁ ବୁଝିବା-

 

ଆମ ଶିକ୍ଷାକେନ୍ଦ୍ରଗୁଡ଼ିକରେ ଆମେ ଅନେକ ସମୟରେ ଏହି harmonyର କଥା କହିଥାଉ, ଶାନ୍ତିଭଙ୍ଗ ହେବା ନାଆଁରେ ଜଣେ ଜଣେ ଆଉ ସମସ୍ତଙ୍କୁ କେଡ଼େ ଶ୍ରଦ୍ଧାର ସହିତ ଗିଳି ପକାଉ । ତଦ୍ଵାରା ଆମେ ଅନେକ ଉଦୟକୁ ଅଟକାଇ ରଖୁ, ଅନେକ ବିଜୟର ବାଟକୁ ଉଗାଳି ଠିଆ ହୋଇଥାଉ । ସେତେବେଳେ ଭଗବାନ ଆମର ସବୁଯାକ କୂଟ ଦେଖିବାରେ ଲାଗିଥାନ୍ତି ସତ, ମାତ୍ର ଆମର ପିଲାମାନେହିଁ ସବୁଠାରୁ ଅଧିକ ଶୋଚନୀୟ ଭାବରେ କ୍ଷତିଗ୍ରସ୍ତ ହେଉଥାନ୍ତି ।

 

ଅଗଷ୍ଟ, ୧୯୮୮

Image

 

ସତ୍ୟାଗ୍ରହୀ-ସତ୍ୟଗ୍ରାହୀ

 

ଯେଉଁଠାରେ ଯାହା କିଛି ସତ୍ୟ ରହିଛି, ତାହାକୁ ଗ୍ରହଣ କରିପାରିବା ହେଉଛି ସତ୍ୟଲାଗି ଆମର ରହିଥିବା ଯଥାର୍ଥ ଆଗ୍ରହ । ଆମେ ଯେତିକି ଜାଣିଛୁ, କେବଳ ତାହାକୁ ହିଁ ପୃଥିବୀର ସବୁଯାକ ଅଥବା ଏକମାତ୍ର ସତ୍ୟ ବୋଲି ଗ୍ରହଣ କରି ଆପଣାକୁ କିଳି କରି ରଖିଥିବା—ଏହା ମଣିଷକୁ ସତ୍ୟଠାରୁ ସର୍ବଦା ବହୁଦୂର କରି ରଖିଥାଏ । ସତ୍ୟଠାରୁ ଏହିପରି ବହୁଦୂରରେ ରହିଥିବା ମଣିଷମାନେ ସମ୍ପ୍ରଦାୟ ଗଢ଼ନ୍ତି, କୌଣସି ନା କୌଣସି ସମ୍ପ୍ରଦାୟ ଭିତରେ ମାର୍କାମରା ହୋଇ ରହିବାକୁ ସେମାନେ ସବୁବେଳେ ବିକଳ ହେଉଥାନ୍ତି । ଭେକଟିଏ ନହେଲେ ଏମାନଙ୍କର ମୋଟେ ପେଟ ପୂରେ ନାହିଁ । ମନ୍ଦିରଟିଏ ଗଢ଼ା ନହେଲେ ଏମାନଙ୍କୁ ଭଗବାନ ସତକୁ ସତ ରହିଛନ୍ତି ବୋଲି ଆଦୌ ପରତେ ହୁଏନାହିଁ ।

 

ଆପଣାକୁ ସତତ ଉନ୍ମୋଚିତ କରି ରଖିଥିବା, ଖାଲି ଉପରିଭାଗରେ ବୁଦ୍ଧିର ସ୍ତରରେ ଅଥବା ଚାଲାଖି ଗୁଡ଼ାକର ସ୍ତରରେ ନୁହେଁ, ହୃଦୟ ଭିତରୁ ହିଁ ଆପଣାକୁ ଉନ୍ମୋଚିତ କରି ରଖିଥିବା–ଆମ ଜୀବନରେ ତାହାହିଁ ଅସଲ ବିଶ୍ଵାସ । ସତ୍ୟ ଉପରେ ବିଶ୍ଵାସ ଆମ ନିଜ ଉପରେ ବିଶ୍ଵାସ ଏବଂ ଆମ ଜୀବନରେ ଆପଣାକୁ ସମ୍ପୂର୍ଣ୍ଣ ରୂପେ ଅଜାଡ଼ି ଦେବାଲାଗି ଅପେକ୍ଷା କରି ରହିଥିବା ଆମର ପରମ ଆପଣାର ଭଗବାନଙ୍କ ଉପରେ ବିଶ୍ୱାସ । ସେହି ବିଶ୍ଵାସଟି ଆସିଗଲେ ଉନ୍ମୋଚନ ବିଷୟରେ ରହିଥିବା ଯାବତୀୟ ସଙ୍କୋଚ କୁଆଡ଼େ ଦୂର ହୋଇଯାଏ । ଯଦି ଫୁଲଟିଏ ସୂର୍ଯ୍ୟଙ୍କୁ ଡରୁଥାନ୍ତା, ତେବେ ପାଖୁଡ଼ା ପାଖୁଡ଼ା ହୋଇ ଏମିତି ଖୋଲି ଯାଉଥାନ୍ତା କିପରି ? ସୂର୍ଯ୍ୟଙ୍କ ଭିତରେ ଫୁଲ ନିଜକୁ ସମ୍ଭବତଃ ଏକାବେଳେକେ କଳ କଳ କରି ଦେଖିପାରେ, ସଙ୍କୋଚରହିତ ହୋଇ ଦେଖିପାରେ, ସେଇଥିପାଇଁ ଏପରି ସ୍ଵାଭାବିକ ଭାବରେ ଖୋଲି ମଧ୍ୟ ଯାଇପାରେ । ଆପଣାକୁ ତାଙ୍କ ଭିତରେ ଦେଖିବା, ଏହାହିଁ ସକଳ ବିଶ୍ଵାସର ମୂଳ କଥା ।

 

ସତ୍ୟର ଗ୍ରହଣ ଲାଗି ଆଗ୍ରହ ରଖିବା—ତାହାହିଁ ଗ୍ରହଣଶୀଳତା । ଗ୍ରହଣଶୀଳତାର ଅଯୋଗ୍ୟ ମଣିଷ ଆଉ ଯାହା ହୋଇପାରୁ ପଛକେ, କେବେହେଲେ ଆପଣା ପାଖରେ ନିର୍ଭୟ ହୋଇପାରେ ନାହିଁ । ସେ ଆପଣାର ଗ୍ରହଣ ପାତ୍ରଟି ଉପରେ ସର୍ବଦା ସନ୍ଦେହ କରୁଥାଏ । ତେଣୁ ସେଇଟିକୁ ଆଲୋକ ଆଡ଼କୁ, ପ୍ରେମ ଆଡ଼କୁ କରୁଣା ଆଡ଼କୁ ମୁହାଁଇ କରି ରଖିପାରେ ନାହିଁ । ସିଏ ବିଚରା ଭେକ ପାଖରେ ଅଟକି ରହିଯାଏ, ପାଦୁକ ପାଖରେ ରହିଯାଏ । ସିଏ ସମ୍ପ୍ରଦାୟ ପାଖରେ ଅଟକି ରହିଯାଏ । ଆପଣାର ସତ୍ୟଟାକୁ ସତେଅବା ଗଦା ପରି କରି ଅଥବା ତ୍ରିଶୁଳଟାଏ ପରି କରି ବୁଲାଇବାରେ ଲାଗିଥାଏ ସତ, ତଥାପି ଅସଲ ସତ୍ୟରୁ ବଞ୍ଚିତ ହୋଇ ରହିଥାଏ । କରୁଣାର ଆମନ୍ତ୍ରଣ ଆସୁଥାଏ, କିଳା ହୋଇ ରହିଥିବା ତା ଦୁଆର ଉପରେ ବାକି ବାରବାର ଲେଉଟି ଯାଉଥାଏ । ଏଣେ ସେ କରୁଣାକୁ ମୂର୍ତ୍ତିଟିଏ କରି ପୂଜା କରିବାରେ ଲାଗିଥାଏ । ତା’ର ବେଳ କେବେହେଲେ ଆସେନାହିଁ ।

 

ଅଗଷ୍ଟ ୧୫, ୧୯୮୮

Image

 

ରୁଷୋଙ୍କ କଥାରୁ ଖିଅଟିଏ

 

ଜାଁ ଜାକ୍ ରୁଷୋ (୧୬-୧୨-୧୭୭୮) ମୂଳତଃ ମଣିଷକୁ ନେଇ ଦର୍ଶନ କରିଛନ୍ତି । ତେଣୁ ଭାରି ସହଜରେ ବୁଝିହେବ ଯେ, ରାଜନୀତିବିଜ୍ଞାନ ଓ ଶିକ୍ଷାଦର୍ଶନ—ଏହି ଦୁଇଟି କ୍ଷେତ୍ରରେ ତାଙ୍କର ଏପରି କେତୋଟି ମୌଳିକ ଚିନ୍ତାବଦାନ ରହିଛି, ଯାହାକି କାଳକାଳକୁ ବହୁ ମଣିଷଙ୍କୁ ଘାରୁଥିବ ଅର୍ଥାତ୍ ସଂପୃକ୍ତ ମଣିଷମାନଙ୍କୁ ଆଗକୁ ଆହୁରି ଚିନ୍ତା କରିବା ଲାଗି ଉସ୍‌କାଇବାରେ ଲାଗିଥିବ । ଶିଶୁ ବିଷୟରେ ରୁଷୋ ଯେଉଁ ସ୍ଵତନ୍ତ୍ର ଆଲୋକପାତମାନ କରିଥିଲେ, ତାହାକୁ ଭିତ୍ତି କରି ଶିଶୁମନୋବିଜ୍ଞାନ ଅଥବା ଶିକ୍ଷା-ମନୋବିଜ୍ଞାନ ନାମରେ ବିଶେଷ ଅଧ୍ୟୟନ କ୍ଷେତ୍ରଟିଏ ବା ଅବଲୋକନର ବିଶେଷ ଶୈଳୀଟିଏ କ୍ରମଶଃ ବିକଶିତ ଏବଂ ବିବର୍ତ୍ତିତହୋଇ ଆସିଛି; ଶିଶୁ ଓ ତା’ର ଶିକ୍ଷା ବିଷୟରେ ଶିକ୍ଷାବିତ୍‌ମାନଙ୍କର ଆଲୋଚନା କ୍ରମେ ଅଧିକରୁ ଅଧିକ ସମଗ୍ର ହୋଇ ଆସୁଥିବା ସଙ୍ଗେ ସଙ୍ଗେ ରୁଷୋଙ୍କର ବିଚାରଗୁଡ଼ିକ ଭିତରକୁ ଆମକୁ ଅଧିକ ଅନ୍ତଃଦୃଷ୍ଟି ସହିତ ପ୍ରବେଶ କରିବାରେ ନୂତନ ଅବସରମାନ ମଧ୍ୟ ମିଳିଯାଇଛି । ରୁଷୋଙ୍କର ଲିଖିତ ଶିକ୍ଷାବିଷୟକ ପୁସ୍ତକଟିର ନାମ ହେଉଛି Emile;—ପୁସ୍ତକଟି ଉପନ୍ୟାସର ଶୈଳୀରେ ଲେଖା ହୋଇଛି । ଏମିଲ ହେଉଛି ଗୋଟିଏ ବାଳକର ନାମ, ଯାହାର ସମ୍ପୂର୍ଣ୍ଣ ଶିକ୍ଷାକୁ କେନ୍ଦ୍ରବିନ୍ଦୁ ରୂପେ ରଖି ରୁଷୋ ସବୁ ପିଲାଙ୍କର ଶିକ୍ଷା ବିଷୟରେ ଆପଣାର ମତ ଓ ଦୃଷ୍ଟିଗୁଡ଼ିକୁ ବ୍ୟକ୍ତ କରିଛନ୍ତି । ସେହି ପୁସ୍ତକରେ ଗୋଟିଏ ଜାଗାରେ ଲେଖା ହୋଇଛି :

 

“Childhood is the sleep of reason.

 

“Childhood has its own ways of seeing, thinking and feeling.

 

“They are always looking for the man in the child without considering what he is before he becomes a man.

 

“What a poor sort of foresight to make a child wretched in the present with the more or less doubtful hope of making him happy at some future day.

 

“Every stage, every station in life has a perfection of its own.

 

“Reading is the curse of childhood... when I thus get rid of children's lessons, I get rid of the chief cause of their sorrow.

 

“Work or play are all one to him, his games are his work, he knows no difference.

 

“You must make your choice between the man and the citizen, you can not train both.

 

“Let him know nothing because you have told him, but because he has learnt it himself

 

“When he fancies himself as a workman, he is becoming a philosopher.”

 

ମଣିଷକୁ ଆମେ ଜଣେ ନାଗରିକ ରୂପେ ଗଢ଼ି ହୋଇ ଆସିବାକୁ ଶିକ୍ଷା ଦେବା ନା ତା’ ଲାଗି ଜଣେ ଯଥାର୍ଥ ପୂର୍ଣ୍ଣାଙ୍ଗ ମଣିଷରୂପେ ଗଢ଼ି ହୋଇ ପାରିବାକୁ ଅନୁକୂଳ ପରିବେଶମାନ ଯୋଗାଇ ଦେବା ? ରୁଷୋ ପ୍ରାୟ ଦୁଇଶହ ବର୍ଷ ତଳର ମଣିଷ; ଏବଂ, ଏଥିରେ କୌଣସି ସନ୍ଦେହ ନାହିଁ ଯେ, ଦୁଇଶହ ବର୍ଷର ରାଷ୍ଟ୍ରୀୟ ପରିବେଷ୍ଟନୀଗୁଡ଼ିକୁ ଦେଖି ସିଏ ଶିକ୍ଷା ସମ୍ବନ୍ଧରେ ନିଜ ବିଚାରଗୁଡ଼ିକୁ ବାଢ଼ିଥିଲେ । ସେତେବେଳେ ରଜାମାନେ ଥିଲେ । ରଜାମାନେ ଅତ୍ୟାଚାରୀ ଥିଲେ ସତ, ମାତ୍ର ସେମାନଙ୍କର ଅଙ୍କୁଶ ଓ ପ୍ରକୋପଗୁଡ଼ାକ ଜନଜୀବନ ଉପରେ ତଥାପି ଏତେବେଶୀ ବ୍ୟାପକ ଭାବରେ ଭେଦ କରି ପାରିନଥିଲା । ଭୌଗୋଳିକ ଦୂରତାଗୁଡ଼ାକ ସେଥିଲାଗି ସର୍ବପ୍ରଧାନ ଅନ୍ତରାୟ ହୋଇ ରହିଥିଲା । ଆଧୁନିକ ରାଷ୍ଟ୍ରଗୁଡ଼ିକ ଏତେ ବହୁମୁଖୀ ଓ ଅନମନୀୟ ଭାବରେ ଲୋକମାନଙ୍କର ଜୀବନ ଉପରେ ଏତେ ଅଧିକ ପ୍ରକୋପ ବିସ୍ତାର କଲେଣି ଯେ, ମଣିଷର ସତେଅବା ଏତେଟିକିଏ ହଲ୍‌ଚଲ୍ ହେବାକୁ ମଧ୍ୟ କୁ’ ରହୁନାହିଁ । ଏବେ ସରକାର ହିଁ କୌଣସି ଦେଶରେ ଯାବତୀୟ ଶିକ୍ଷାର ବ୍ୟବସ୍ଥା କରୁଛନ୍ତି । ବିଶେଷତଃ, ପୃଥିବୀର ଯେଉଁ ଦେଶଗୁଡ଼ିକରେ ଅଧିକସଂଖ୍ୟକ ମଣିଷ ନିରକ୍ଷର ହୋଇ ରହିଛନ୍ତି, ଏବଂ ତେଣୁ ଶିକ୍ଷାର କ୍ଷେତ୍ରରେ ସଙ୍ଗତ ମାର୍ଗଟିଏ ପାଇବା ଲାଗି ଯେଉଁସବୁ ଦେଶରେ ବହୁ ପରୀକ୍ଷାନିରୀକ୍ଷାର ଆବଶ୍ୟକତା ରହିଛି, ସେଠାରେ ଏକ ମରହଟ୍ଟୀ ଅମଲାତନ୍ତ୍ରର ସାହାଯ୍ୟରେ ରାଷ୍ଟ୍ର ମଣିଷମାନଙ୍କୁ ଶିକ୍ଷା ଦେବା ନାମରେ ବାଧ୍ୟ ନାଗରିକ କରି ଗଢ଼ିବାର ଏକ ଅଶୁଭ ତଥା ଅଶୋଭନୀୟ ଷଡ଼ଯନ୍ତ୍ର କରିବାରେ ଲାଗିଛି । ମଣିଷକୁ ଜଣେ ଯଥାର୍ଥ ମଣିଷରୂପେ ଗଢ଼ିବାର କ୍ଷେତ୍ରରେ ଯେକୌଣସି ରାଷ୍ଟ୍ରର ବହୁ ଅସମର୍ଥତା ରହିଛି । ମଣିଷ ହିସାବରେ ଜଣେ ମଣିଷର ପରିଚୟ କୌଣସି ନିର୍ଦ୍ଦିଷ୍ଟ ଦେଶର ନାଗରିକ ହିସାବରେ ତା’ର ପରିଚୟଠାରୁ ଯେ ଅନେକ ଅଧିକ ଏବଂ ଅଧିକ ସମ୍ଭାବନାମୟ, ସେହି ସତ୍ୟଟିକୁ ଯୁଗେଯୁଗେ ରାଷ୍ଟ୍ରାଧିକାରୀମାନେ ଖୁବ୍ କମ ବୁଝିଛନ୍ତି । ସମ୍ଭବତଃ ଆଗେ ଯେତେ ବୁଝୁଥିଲେ, ନିୟନ୍ତ୍ରଣ ଓ ଶାସନର କଣ୍ଟାଗୁଡ଼ାକ ଅଧିକ ମୁନିଆ ହୋଇ ତିଆରି ହେବା ସଙ୍ଗେ ସଙ୍ଗେ ଏବେ ତା’ଠାରୁ ଆହୁରି କମ୍ ବୁଝୁଛନ୍ତି ।

 

Man is much more than the citizen—ଏକଥା ପୃଥିବୀର ଶିକ୍ଷା ବିଷୟରେ ଚିନ୍ତା କରିଥିବା ବହୁ ମନୀଷୀ କେଡ଼େ ଜୋର ଦେଇ କହିଛନ୍ତି । ମନୁଷ୍ୟର ଯଥାର୍ଥ ଉଦୟ ଉପରେ ଯେ ପୃଥିବୀର ରାଜନୀତି ଓ ରାଷ୍ଟ୍ରୀୟ ଶାସନର ଗୁଣାତ୍ମକତା ମୁଖ୍ୟତଃ ନିର୍ଭରଶୀଳ ହୋଇ ରହିଥାଏ, ସେମାନେ ଆମକୁ ସେହି କଥାଟି ବିଷୟରେ ବାରମ୍ବାର ସତର୍କ କରି ଦେଇଛନ୍ତି । ତଥାପି, ଯୁଗ ଯହୁଁ ଯହୁଁ ଅତ୍ୟାଧୁନିକ ହେଉଛି, କ୍ଷମତା ଯହୁଁ ଯହୁଁ ଅଧିକ ଦୁରାଗ୍ରହୀ ହେବାରେ ଲାଗିଛି, ମଣିଷର ମାନବିକ ପରିଚୟଟି ସେତିକି ସେତିକି ଗୌଣ ହେବାରେ ଲାଗିଛି ଓ ତା’ର ନାଗରିକ ପରିଚୟଟି ଯେପରି ତାକୁ ଗୋଟାସୁଦ୍ଧା ଗିଳି ପକାଇବ, ଆଧୁନିକ ରାଷ୍ଟ୍ରମାନଙ୍କ ତରଫରୁ ସେଥିଲାଗି ଅଧିକରୁ ଅଧିକ କଠୋର ଭାବରେ ତାହାର ବ୍ୟବସ୍ଥାମାନ କରାଯାଉଛି । ଅଧ୍ୟାତ୍ମ ମଣିଷକୁ ଚିରକାଳ ଭଗବାନଙ୍କର ଏକ ଅଧିଷ୍ଠାନ ବୋଲି ଘୋଷଣା କରି ଆସିଛି । ଶ୍ରୀ ଅରବିନ୍ଦ ମନୁଷ୍ୟକୁ ତାଙ୍କରି ଉଦ୍ଦେଶ୍ୟ ପୂରଣ କରିବା ଲାଗି ଏହି ଜଗତକୁ ଆସିଥିବା ଏକ ବାହକ ଏବଂ ତାଙ୍କରି ଶକ୍ତିର ଏକ ପ୍ରତୀକ ବୋଲି କହିଛନ୍ତି । ପ୍ରତ୍ୟେକ ମନୁଷ୍ୟ ଭିତରେ ଯେଉଁ ଅନନ୍ତ ସତ୍ୟ ଏବଂ ଅନନ୍ତ ସୌନ୍ଦର୍ଯ୍ୟର ସମ୍ଭାବନା ରହିଛି, ରାଷ୍ଟ୍ରରୂପୀ କଂସର ମସ୍ତିଷ୍କ ତାହାର ପ୍ରକୃତରେ କେତେ କମ୍ ଖବର ରଖିଛି ! ରାଷ୍ଟ୍ର ନାଗରିକ ଚାହେଁ, ବାଧ୍ୟ ନାଗରିକ ଚାହେଁ; ଏପରି ଗୋଟିଏ ନାଗରିକ, ଯିଏ କି ଗୁଳାରେ ଚାଲିବ, ଗୋଲାମ ହେବ, ନିଜେ ମୋଟେ କିଛି ହେଲେ ଭାବିବ ନାହିଁ, ଉପସ୍ଥିତ ବ୍ୟବସ୍ଥାଟିକୁ ଆଦର୍ଶ ବ୍ୟବସ୍ଥା ବୋଲି ମାନି ନେଉଥିବ ଏବଂ ତାହାର ପ୍ରତିବଦଳରେ ରାଷ୍ଟ୍ର ତାକୁ ଅନ୍ନସଂସ୍ଥାନ ଯୋଗାଇ ଦେଉଥିବ । ଅନ୍ନସଂସ୍ଥାନ ଯୋଗାଇ ଦେଇ ବଳଦ କରି ରଖିଥିବ ।

 

ମନୁଷ୍ୟ ଭିତରେ ଆତ୍ମା ରହିଛି, ମନୁଷ୍ୟ ଭିତରେ ଶିଶୁ ରହିଛି । ସେହି ଶିଶୁର ଅମିତ ସମ୍ଭାବନା ରହିଛି । ଅମିତ ସମ୍ଭାବନାର ସେହି ସ୍ତବକଟି ଫୁଟି ଉଠିବାକୁ ଅପେକ୍ଷା କରି ରହିଛି । ସେଥିଲାଗି ଉପଯୁକ୍ତ ଏବଂ ଅନୁକୂଳ ପରିବେଶ ଏବଂ ପ୍ରୋତ୍ସାହନ ଯୋଗାଇଦେବା, ତାହା ହିଁ ଶିକ୍ଷା-। ସୌନ୍ଦର୍ଯ୍ୟ, ଶକ୍ତି, ଜ୍ଞାନ ଏବଂ ଆନନ୍ଦ—ଏଗୁଡ଼ିକର ଅନନ୍ତ ସମ୍ଭାବନା ପ୍ରତ୍ୟେକ ମନୁଷ୍ୟ ଭିତରେ ରହିଛି । ସବୁ ପିଲାଙ୍କ ଭିତରେ ରହିଛି । ସବୁ ମଣିଷଙ୍କ ଭିତରେ ପିଲାଟିଏ ରହିଛି । ବାହାରର ବହୁ ପ୍ରସୀମନ ତାକୁ ନାନା ଭାବରେ କ୍ଷତବିକ୍ଷତ ଏବଂ ସଙ୍କୁଚିତ କରି ପକାଉଛି । ତାକୁ ସୁନା ନାଗରିକ ଅର୍ଥାତ୍ ବାଧ୍ୟ ପରିକରଟିଏ କରି ଗଢ଼ିବା ଉଦ୍ଦେଶ୍ୟରେ ରାଷ୍ଟ୍ରର ଯନ୍ତ୍ରୀମାନେ କେଡ଼େ ଫିସାଦ କରୁଛନ୍ତି ଏବଂ ସେହି ଫିସାଦଗୁଡ଼ାକୁ ହିଁ ଶିକ୍ଷା ବୋଲି କହି ତାହାର ଡେଣାଗୁଡ଼ିକୁ କାଟି ପକାଉଛନ୍ତି-। ଜୀବନ ଉପରେ ତା’ର ବିଶ୍ଵାସକୁ ଭାଙ୍ଗି ଦେଉଛନ୍ତି । ଆପଣାର ବାଟଟିକୁ ଆପେ ଚାଲିବାର ଓ ଆପଣାର ବ୍ୟକ୍ତିଗତ ତଥା ସାମୂହିକ ଉଭୟ ଭାଗ୍ୟକୁ ଗଢ଼ିବା ଲାଗି ତା ଭିତରେ ରହିଥିବା ମୂଳଭୂତ ସାହସଟିକୁ ନଷ୍ଟ କରିଦେଉଛନ୍ତି । ରାଷ୍ଟ୍ର ଯୁଗେ ଯୁଗେ ଶିଶୁ ଭିତରେ ରହିଥିବା ମଣିଷଟିର ଉଦୟପଥରେ ଅନ୍ତରାୟ ହୋଇ ଛିଡ଼ା ହୋଇଛି । ବାଧ୍ୟ ନାଗରିକକୁ ବହୁ ସୁବିଧାଭୋଗର ପ୍ରଲୋଭନମାନ ବଢ଼ାଇ ଦେଇ ସିଏ ତା’ ଭିତରୁ ତା’ ଜୀବନକୁ ଓ ତା’ର ଏହି ସଂସାରକୁ ଅଧିକ ସୁନ୍ଦର କରି ଗଢ଼ିବାର ଆଖିଗୁଡ଼ିକୁ କାଢ଼ିନେଇ ଯାଇଛି । ଆଧୁନିକ ସଂସାରରେ ରାଷ୍ଟ୍ରମାନେ ଯେତିକି ପ୍ରବଳ ହେବାରେ ଲାଗିଛନ୍ତି, ମଣିଷ ସେତିକି ପରିମାଣରେ ନିଜକୁ ଅସହାୟ ବୋଧ କରିବାରେ ଲାଗିଛି । ତା’ ଜୀବନର, ତା’ ଶ୍ରଦ୍ଧାର ତଥା ସଂକଳ୍ପଗୁଡ଼ିକର ଅସଲ ରଜ୍ଜୁଗୁଡ଼ିକୁ ରାଷ୍ଟ୍ର ତା’ ହାତରୁ ଛଡ଼ାଇ ନେଇଯାଇଛି ।

 

ତେଣୁ ଦୁଇଶହ ବର୍ଷ ତଳର ରୁଷୋଙ୍କର ଉକ୍ତିଗୁଡ଼ିକର ଆମର ଏ ଯୁଗରେ ଆହୁରି ଅଧିକ ମହତ୍ତ୍ଵ ଓ ପ୍ରାସଙ୍ଗିକତା ରହିଛି । ରାଷ୍ଟ୍ର ଯେପରି ମଣିଷ ଉପରେ ଆପଣାର ଇଚ୍ଛାଗୁଡ଼ିକୁ ଜବରଦସ୍ତି ମଡ଼ାଇଦେଇ ମଣିଷକୁ ଆପଣା ବରାଦ ଅନୁସାରେ ଏକ ନାଗରିକ କରି ଗଢ଼ିବାରେ ଲାଗିଛି, ଆମ ସମାଜରେ ବୟସ୍କ ମାନେ ପ୍ରାୟ ଠିକ୍ ସେହିପରି ଆପଣାର ଇଚ୍ଛାଗୁଡ଼ିକୁ ଶିଶୁ ଉପରେ ଲଦିଦେଇ ସେମାନଙ୍କୁ ଆପଣା ଛାଞ୍ଚରେ ଗୋଟିଏ ଗୋଟିଏ ବଳଦ କରି ଗଢ଼ିବାର ପାଞ୍ଚ କରୁଛନ୍ତି । ସଂସାରରେ ସର୍ବାଧିକ ଧନ ଜାଗତିକ ସ୍ତରରେ ଯେପରି ପୃଥିବୀର ସବୁ ମଣିଷଙ୍କୁ ସେମାନଙ୍କ ଜୀବନର ମୌଳିକ ଆବଶ୍ୟକତାଗୁଡ଼ିକୁ ଯୋଗାଇଦେବା ପରିବର୍ତ୍ତେ ଅସ୍ତ୍ର ପରେ ଅସ୍ତ୍ର ଗଦାକରି ଯୁଗଟାକୁ ପାଷଣ୍ଡ କରିଦେବାରେ ଖର୍ଚ୍ଚ ହେଉଛି, ତାହାର ସର୍ବାଧିକ ବୁଦ୍ଧି ସେହିପରି ଶିକ୍ଷାର କ୍ଷେତ୍ରରେ ପ୍ରାୟ ଏକ ଦୁର୍ବୁଦ୍ଧିରେ ପରିଣତ ହୋଇ ମନୁଷ୍ୟଶିଶୁକୁ ପ୍ରାୟ ଏକ ବାଧ୍ୟ ଓ ଅସହାୟ ଯନ୍ତ୍ରରୂପେ ତିଆରି କରି ଆଣିବାରେ ହିଁ ବ୍ୟବହୃତ ହେଉଛି । ପୃଥିବୀରେ ଯେଉଁମାନେ ମନୁଷ୍ୟକୁ ତା’ର ରାଷ୍ଟ୍ରଠାରୁ ଅଧିକ ମୂଲ୍ୟବାନ ବୋଲି ବିଚାର କରୁଛନ୍ତି, ଏହି ପରିସ୍ଥିତିରେ ସେମାନେ ପ୍ରକୃତରେ କଣ କରିବେ ?

 

ଆପଣାର ଜାଲଗୁଡ଼ିକ ବିଷୟରେ ସଚେତନ ରାଷ୍ଟ୍ର ଶିକ୍ଷାର ଯାବତୀୟ ସ୍ଵାଧୀନ ପ୍ରୟୋଗକୁ ଉତ୍ସାହିତ କରିବାର ଆଳରେ ସେଗୁଡ଼ିକୁ ଶେଷକୁ ସେହି ଜାଲ ଭିତରକୁ ଟାଣି ଆଣିବାକୁ ହିଁ ଚେଷ୍ଟା କରି ଆସିଛି । ପଙ୍କ ଭିତରର ବାଘମାନେ ବହୁ ହିତୈଷିତାର ଭାଣ କରି ଲୋଭୀ ବ୍ରାହ୍ମଣମାନଙ୍କୁ ସୁବର୍ଣ୍ଣ କଙ୍କଣର ଲୋଭ ଦେଖାଇ ସେହି ପଙ୍କ ଭିତରକୁ ହିଁ ଟାଣି ନେବାର ଚକ୍ରାନ୍ତ କରି ଆସିଛନ୍ତି । ଆମର କଙ୍କଣଲୋଭ ଆମକୁ କଦାପି ସେହି ଦୁର୍ଦ୍ଦଶା ଭିତରକୁ ପେଲି ନଦେଉ, ଆମେ ସେହି ବିଷୟରେ ସତର୍କ ରହିବା । ଆମେ ନିଜର ଶକ୍ତି ବଢ଼ାଇବା, ନିଜ ସଂଘର ଶକ୍ତି ବଢ଼ାଇବା, ପରସ୍ପର ମଧ୍ୟରେ ଶ୍ରଦ୍ଧାର ଶକ୍ତି ବଢ଼ାଇବା,—ତେବେ ଯାଇ ମେରୁଦଣ୍ଡ ସିଧା କରି ବାଟ ଚାଲିପାରିବା ଓ ସତକୁ ସତ ପ୍ରୟୋଗ ଭଳି ପ୍ରୟୋଗଟିଏ କରିପାରିବା । ଆମ ଅଭୀପ୍ସାର ଅସଲ ପରୀକ୍ଷା ଏହାରି ଦ୍ଵାରା ହିଁ ହେବ, ଏବେ ମଧ୍ୟ ହେଉଛି ।

 

ସେପ୍ଟେମ୍ବର, ୧୯୮୮

Image

 

ଲକ୍ଷ୍ୟହୀନର ଅନେକ ଲକ୍ଷ୍ୟ

 

ମାଆ କହିଛନ୍ତି, ଜୀବନରେ ଲକ୍ଷ୍ୟଟିଏ ନଥିଲେ ଜୀବନ ବଡ଼ ଦୟନୀୟ ହୋଇପଡ଼େ । ଲକ୍ଷ୍ୟ ନଥାଇ ଜୀବନ ବଞ୍ଚୁଥିବା ମଣିଷ କ’ଣ ପ୍ରକୃତରେ ଏହି ପୃଥିବୀରେ ଅଛନ୍ତି ? ଯିଏ ଯାହା କରୁଛି, ତା’ ପଛରେ ତା’ର ଗୋଟିଏ ଲକ୍ଷ୍ୟ ଅବଶ୍ୟ ରହିଛି । ଲକ୍ଷ୍ୟ ଭଳି ଲକ୍ଷ୍ୟଟିଏ ହୁଏତ ନାହିଁ, ତଥାପି ଲକ୍ଷ୍ୟଟିଏ ଅବଶ୍ୟ ରହିଛି । ମତଲବଟିଏ ରହିଛି, ଅଭିପ୍ରାୟଟାଏ ରହିଛି,—ଉଦ୍ଦେଶ୍ୟଟିଏ ଅବଶ୍ୟ ରହିଛି । ସେହି ତଥାକଥିତ ମତଲବ ଓ ଅଭିପ୍ରାୟଗୁଡ଼ିକ ଥାଇ ମଧ୍ୟ ମଣିଷମାନଙ୍କର ଜୀବନ ତଥାପି ଭାରି ଦୟନୀୟ ହୋଇପଡ଼ୁଛି । ତେଣୁ, ଲକ୍ଷ୍ୟ ଭଳି ଲକ୍ଷ୍ୟଟିଏ କହିଲେ ଆମେ ପ୍ରକୃତରେ କ’ଣ ବୁଝିବା ? ଜୀବନରେ ସେହି ଲକ୍ଷ୍ୟ ଭଳି ଲକ୍ଷ୍ୟଟିକୁ ଆମେ କିପରି ଠାବ କରିପାରିବା, ଯାହା ଫଳରେ କି ଆମେ ବଞ୍ଚୁଥିବା ଜୀବନଟିକୁ ମଧ୍ୟ ଜୀବନ ଭଳି ଜୀବନଟିଏ ବୋଲି କୁହାଯାଇ ପାରିବ ? ଆମେ ମଣିଷ ଭଳି ମଣିଷଟିଏ ହେବାକୁ ଇଚ୍ଛା କରୁଥିଲେ ଯାଇ ଜୀବନରେ ଲକ୍ଷ୍ୟ ଭଳି ଲକ୍ଷ୍ୟଟିଏ ଠାବ କରିବାକୁ ମନ କରିବା ଅଥବା ଲକ୍ଷ୍ୟ ଭଳି ଲକ୍ଷ୍ୟଟିଏ ଠାବ କରିପାରିଲେ ଯାଇ ଜୀବନ ଭଳି ଜୀବନଟିଏ ବଞ୍ଚିପାରିବା, ସେଇଟି ମଧ୍ୟ ଆଉ ଗୋଟିଏ ପ୍ରଶ୍ନ । ଆମ ଭିତରୁ ଯେଉଁମାନେ ଜୀବନ ଭଳି ଜୀବନଟିଏ ବଞ୍ଚିବା ଲାଗି ସତକୁ ସତ ମନ କରୁଥିବା, ଆପଣାର ଜୀବନରେ ଆମକୁ ଅବଶ୍ୟ ସେହି ପ୍ରଶ୍ନଟିର ସମାଧାନ କରିବାକୁ ପଡ଼ିବ ।

 

ଲକ୍ଷ୍ୟହୀନ ମଣିଷର ସତକୁ ସତ ଅନେକ ଲକ୍ଷ୍ୟ । ତା’ ଜୀବନରେ ଯୁଆଡ଼କୁ ବରଷା, ପ୍ରକୃତରେ ସିଆଡ଼କୁ ମଧ୍ୟ ଛତା । ଯେତେବେଳେ ଯେଉଁଟା ଲାଭଜନକ, ସେତେବେଳେ ସେଇଟାହିଁ ତା’ର ଲକ୍ଷ୍ୟ । ଯେଉଁଟା ଯେତେବେଳେ ସିଦ୍ଧିଦାୟକ, ସେଇଟା ହିଁ ସେତେବେଳେ ପଥ-। ସେହି ମଣିଷ ଏହି ପୃଥିବୀରେ କଦାପି ଆଦୌ କିଛି ପାଇଁ ଜୀବନ ବଞ୍ଚି ପାରେନାହିଁ-। ସିଏ ପକାଉଥିବା ପାହୁଣ୍ଡଗୁଡ଼ିକରେ ତା’ ଜୀବନର କେତେଟା ତାତ୍କାଳିକ ପ୍ରାପ୍ତି ଏବଂ ପୂର୍ତ୍ତି ବ୍ୟତୀତ ପ୍ରକୃତରେ ଆଉ ପ୍ରାୟ କିଛିହେଲେ ନଥାଏ । ପୃଥିବୀଟାକୁ ସିଏ ସତେଅବା ନିଜର ଗୋଟାଏ ବେଳାଭୂମି ବୋଲି ଧରି ନେଇଥାଏ । ପୃଥିବୀଟା ହେଉଛି ସତେଅବା ଏକ ଜଙ୍ଗଲ—ଏଠି ତୁମେ ଯେତେ ପାରିବ ଶିକାର କରିପାରିବ,—ନିଜ ଘରକୁ ଯେତେ ମନ ସେତେ ବୋହି ଆଣିପାରିବ । କେବଳ ଆବଶ୍ୟକ ଚତୁରପଣିଆଗୁଡ଼ାକ ତୁମ ପାଖରେ ରହିଥିଲେ ହେଲା ଏବଂ ତୁମେ କୁଶଳ ଅର୍ଥାତ୍ ସଫଳ ଭାବରେ ଅଭିନୟ କରି ପାରୁଥିଲେ ହେଲା । ମଣିଷ ଯେତେବେଳ ଯାଏ ଆପଣାଟାକୁ ହିଁ ସମକ୍ଷରେ ରଖି ବାଟ ଚାଲୁଥାଏ, ସେତେବେଳ ଯାଏ ସିଏ ଗୋଟାସୁଦ୍ଧା ଏହି ସଫଳତା ଓ ଏହି ବୋହିଆଣିବା ଗୁଡ଼ାକୁ ହିଁ କୁଶଳତା ବୋଲି ବିଚାର କରୁଥାଏ । ଆପଣାଠାରୁ ବୃହତ୍ତର କୌଣସି ଏକ ମୂଲ୍ୟୋପଲବ୍ଧି ନିମନ୍ତେ ଏକାବେଳକେ ଏକ ଅନ୍ୟପ୍ରକାର କୁଶଳତା ଆବଶ୍ୟକ ହୋଇଥାଏ । ଆପଣାର ତାତ୍କାଳିକ ବୃତ୍ତଗୁଡ଼ିକ ବାହାରେ ବୃହତ୍ତର ଆହୁରି ଅନେକ ବୃତ୍ତ ଯେ ରହିଛି, ଏବଂ, ସେହି ବୃହତ୍ତର ବୃତ୍ତଗୁଡ଼ିକର ପରିପ୍ରେକ୍ଷୀରେ ହିଁ ଯେ ମୋ’ ଜୀବନର ଏହି ବୃତ୍ତଟିର ଅସଲ ସାର୍ଥକତା ରହିଛି, ଏହି ହେଜଟି ଆସିଗଲେ ମଣିଷ ଅନ୍ୟପ୍ରକାରେ ବାଟ ଚାଲେ, ଅନ୍ୟପ୍ରକାରେ ହୁଏ ଏବଂ ସେତେବେଳେ ଯାଇ ଲକ୍ଷ୍ୟ ଭଳି ଲକ୍ଷ୍ୟଟିଏ ରଖି ବାଟ ଚାଲିବାର ଭାଜନ ହୋଇଯାଏ ।

 

ଲକ୍ଷ୍ୟହୀନମାନଙ୍କର ସତକୁ ସତ ଜୀବନରେ ଅନେକ ଲକ୍ଷ୍ୟ । ଘରେ ଗୋଟାଏ ଲକ୍ଷ୍ୟ, ବାହାରେ ଆଉଗୋଟାଏ ଲକ୍ଷ୍ୟ । ପିତ୍ତ ଭିତରେ ଗୋଟାଏ ଲକ୍ଷ୍ୟ, ମୁଖା ପିନ୍ଧି ଅଭିନୟ କରୁଥିବା ବେଳେ ଆଉ ଗୋଟାଏ ଲକ୍ଷ୍ୟ । ସମସ୍ତଙ୍କ ମେଳରେ ଗୋଟାଏ ଲକ୍ଷ୍ୟ, ଏକୁଟିଆ କେବଳ ନିଜଟାକୁ ଆବୋରି ଧରିଥିବା ସମୟରେ ଆଉଗୋଟାଏ ଲକ୍ଷ୍ୟ । ସଭାରେ ଭାଷଣ ଦେଇ ମୁଗ୍ଧ କରୁଥିବା ସମୟରେ ଗୋଟାଏ ଲକ୍ଷ୍ୟ ଏବଂ ଆପଣାର ଗାତଟା ଭିତରେ ପଶି ରହିଥିବା ବେଳେ ଆଉ ଗୋଟାଏ ଲକ୍ଷ୍ୟ । ସଂସାରରେ ଗୋଟାଏ ଲକ୍ଷ୍ୟ, ଭଗବାନଙ୍କ ପାଖରେ ଏକାବେଳେକେ ଆଉ ଗୋଟାଏ ଲକ୍ଷ୍ୟ । ସେମାନଙ୍କର କୋଉ ଲକ୍ଷ୍ୟଟାରୁ ଯେ ଆମେ ସେମାନଙ୍କର ସତରୂପଟିକୁ ଚିହ୍ନିବା ଲାଗି ସମର୍ଥ ହେବା, ସେକଥାର ଠାବ ପାଇବା ଏହି ପୃଥିବୀରେ ପ୍ରକୃତରେ ବଡ଼ କଷ୍ଟକର ହୋଇପଡ଼େ । ପୃଥିବୀରେ ଭଗବାନଙ୍କର ଯାବତୀୟ କାର୍ଯ୍ୟ ସମ୍ଭବତଃ ଏହି କାଟର ମଣିଷମାନଙ୍କ ସକାଶେ ହିଁ ଭାରି ଆୟାସସାଧ୍ୟ ହୋଇ ରହିଥାଏ । ଏମାନଙ୍କର ଭିତରେ ରହିଥିବା ଭଗବାନ ବାହାରକୁ ଆସିବାକୁ ବାଟ ପାଉନଥାନ୍ତି ଏବଂ ବାହାରେ ଥିବା ଭଗବାନ ମଧ୍ୟ ଭିତରକୁ ଆସି ପାରିବାକୁ ବାଟ ପାଉ ନଥାଆନ୍ତି । ବହୁ କାରଣରୁ ବହୁ ପାଷଣ୍ଡତା ଦ୍ଵାରା ପୀଡ଼ିତ ହୋଇ ମଣିଷ ଆପଣାକୁ ହିଁ ଆପଣାର କେନ୍ଦ୍ର ବୋଲି ଧରି ନେଇଥିଲେ ହେଁ ବହୁଲକ୍ଷ୍ୟ ହୋଇ ରହିବାର ଫାଶରେ ପଡ଼ିଯାଏ ଏବଂ ଅତ୍ୟନ୍ତ ଦୟନୀୟ ଭାବରେ ଲକ୍ଷ୍ୟହୀନ ହୋଇ ରହିଥାଏ । ତା’ ବିବେକ ଭିତରେ ସତେଅବା ମୋଟେ ଆଉ କାହାରି ଲାଗି କୌଣସି ଥାନ ନଥାଏ । ନିଜର ବିବରଟି ଭିତରେ ସିଏ ନିଜେ ଏଡ଼େ ବିକଟ ଭାବରେ ଭର୍ତ୍ତି ହୋଇ ରହିଥାଏ ଯେ, ତା’ ଭିତରକୁ ବାଟ ନପାଇ ଆଲୁଅ ଫେରିଯାଏ,—ପବନ ବାରବାର ଆସି ଫେରିଯାଏ । ପାବନର ଅସଲ ମୁହୁର୍ତ୍ତଗୁଡ଼ିକ ତା ଜୀବନରେ ଲାଞ୍ଛିତ ହୋଇ ରହିଥା’ନ୍ତି ।

 

ଜୀବନ କହିଲେ ଅନେକ ମଣିଷ ସତେଅବା ବଜାରଟିଏ ପରି କୌଣସି ଏକ ଦ୍ରବ୍ୟକୁ ବା ସ୍ଥାନକୁ ବୁଝିଥା’ନ୍ତି । ବଜାର କଦାପି କୌଣସି କେନ୍ଦ୍ର ଲାଗି ମନ କରେ ନାହିଁ । କେନ୍ଦ୍ରଟିଏ ଲୋଡ଼ିବା ଲାଗି ତା’ର କୌଣସି ଆବଶ୍ୟକତା ନଥାଏ । ଏହି ବଜାରଟାରେ କେତେ ନା କେତେ ଗହଳି ଲାଗି ରହିଥାଏ, ମୁହୂର୍ତ୍ତ ମୁହୂର୍ତ୍ତକେ କେତେ କେତେ ଘୋଡ଼ା କେତେ ଆଡ଼କୁ ଧାଇଁବାରେ ଲାଗିଥାନ୍ତି । ତଥାପି ସୂତ୍ର ବୋଲି କିଛି ନଥାଏ । ଅଥବା, ଭିତରେ କେଉଁଠି ଏତେ ବଡ଼ ବେଙ୍ଗଟିଏ ହୋଇ ଆମର ଅହଂଟା ଫୁଲିକରି ବସିଥାଏ । ଆପଣାର ଦିଇଟା ଉଜ୍ଜ୍ୱଳ ଲୋଭାତୁର ଆଖିରେ ତାହା ସଂସାରର ସବୁକିଛିକୁ ସତେଅବା ଗିଳି ପକାଇବ ବୋଲି କେଡ଼େ ତୋରା ହୋଇ ଟାକି ବସିଥାଏ । ଆମ ଭିତରର ଅହଂଟାକୁ ଆମେ ସେହିଭଳି ଏକ ବେଙ୍ଗ ବୋଲି କଳ୍ପନା କରିପାରିବା । ଅହଂର କେବେ କୌଣସି ଲକ୍ଷ୍ୟ ନଥାଏ । ଲକ୍ଷ୍ୟ ଭଳି ଲକ୍ଷ୍ୟଟିଏ ରହିବା ତ ଆହୁରି ଅଧିକ ଦୂରର କଥା । ଅହଂ କାହାରି ହୋଇ ପାରେନାହିଁ, ତେଣୁ କାହାରି ଲାଗି ନିମିତ୍ତଟିଏ ହୋଇ ବାହାରି ପାରେନାହିଁ । ଭଗବାନଙ୍କୁ ସିଏ ଆପଣା କାମରେ ଲଗାଇବାର ପାଞ୍ଚ କରୁଥାଏ ସିନା, ଭଗବାନଙ୍କର ମୋଟେ କାମରେ ଲାଗିପାରେ ନାହିଁ । ସିଏ ଭଗବାନଙ୍କୁ କଣ୍ଢେଇଟିଏ କରି ବସାଇ ଦେଇଥାଏ, ସେହି କଣ୍ଢେଇଟା ଭିତରେ ହିଁ ତାଙ୍କୁ କିଳି ରଖିଥାଏ । ଅନେକ ସମୟରେ ପରମ ଉତ୍ସାହରେ ସିଏ କଣ୍ଢେଇଟା ଭିତରେ ମଧ୍ୟ ଭଗବାନଙ୍କୁ ନଦେଖି ସତେଅବା ଆପଣାକୁ ଦେଖିବାରେ ଲାଗିଥାଏ । ଷୋଡ଼ଶ ବିଧିରେ ଭଗବାନଙ୍କୁ ମାଧ୍ୟମ କରି ସିଏ ଆପଣାର ପୂଜା କରିବାରେ ଲାଗିଥାଏ ।

 

ଏତେ ଉତ୍ସାହରେ ଆମେ ସତକୁ ସତ କେଉଁ ଲକ୍ଷ୍ୟ ନେଇ ଆମର ବିଦ୍ୟାଳୟଗୁଡ଼ିକୁ ଆରମ୍ଭ କରିଛୁ ? ଏଥିରେ ସତକୁ ସତ ଶିକ୍ଷାକୁ କେନ୍ଦ୍ର କରି ନା ଆପେ ଯାଇ କେନ୍ଦ୍ରଟାକୁ ମାଡ଼ିବସି ଏଡ଼େବଡ଼ ହୋଇ ଦିଶିବୁ ବୋଲି ବିଦ୍ୟାଳୟ ନାମକ ଏହି ବଜାରଟିଏ ବସାଇବା ଲାଗି ଏଡ଼େ ଶରଧା କରିଛୁ ? ଏହାକୁ ଆମେ ସତକୁ ସତ ଭଗବାନଙ୍କର କାମ ବୋଲି ଗ୍ରହଣ କରିଛୁ ନା ଆମ କାମରେ ଭଗବାନଙ୍କୁ ନିମିତ୍ତରୂପେ ବ୍ୟବହାର କରିବା ଉଦ୍ଦେଶ୍ୟରେ ଏହି ଆୟୋଜନଟିକୁ ଆରମ୍ଭ କରିଛୁ ? ଜଣେ ଲକ୍ଷ୍ୟହୀନ ବ୍ୟକ୍ତିର ଅନେକ ଲକ୍ଷ୍ୟ ଆମକୁ ଏହି ଉଦ୍ୟମଟିର ବିଡ଼ମ୍ବନା ଭିତରେ ଆଣି ପକାଇ ଦେଇନାହିଁ ତ ? ଏହିସବୁ ବିଦ୍ୟାଳୟରେ ଶିକ୍ଷା ହିଁ ଯଦି ଆମର ଅସଲ ଉଦ୍ୟମ ହୋଇଥାନ୍ତା, ଏହି ଯାବତୀୟ ଉଦ୍ୟମ ପଛରେ ଥିବା ଆମର ଅସଲ ଦୃଷ୍ଟିଟି ଯଦି ପ୍ରକୃତରେ ସବାଆଗ ଭଗବାନଙ୍କୁ ହିଁ ଦେଖୁଥାଆନ୍ତା, ତେବେ ବିଦ୍ୟାଳୟରୂପୀ ଆମର ଘରଗୁଡ଼ିକ ବେଳେବେଳେ ଏଭଳି ଅବର୍ଜିଆ ହୋଇ ପଡ଼ୁଥାନ୍ତେ କିପରି ? ଆମେ ବାଟ ହୁଡ଼ି ଯାଇଥାନ୍ତେ କିପରି ? ଏତେ କୋଳାହଳ ବି କାହିଁକି କରୁଥାନ୍ତେ ? ଆମର ସବୁଯାକ ବିଜୟକୁ ଯଦି ଆମେ ଶିକ୍ଷାର ବିଜୟ ଅଥବା ଭଗବାନଙ୍କର ବିଜୟ ବୋଲି ସତକୁ ସତ ଅନୁଭବ କରୁଥାନ୍ତେ, ତେବେ କୋଳାହଳର ଆବଶ୍ୟକତା ବା କେଉଁଠି ରହନ୍ତା ? ଜଣେ ନିମିତ୍ତର, ଏକ ସମର୍ପିତ ବ୍ୟକ୍ତିର ଏକ ସଚେତନ ସନ୍ତାନର କୋଳାହଳ କରିବାର ଅଧିକାର ବା କୁଆଡ଼ୁ ଆସନ୍ତା ? ଜଣେ ଭକ୍ତ ଆଉ ସମସ୍ତଙ୍କୁ ଏକାବେଳେକେ ଗିଳି ପକାଇବାର ଦୁର୍ବୁଦ୍ଧି ବା କାହିଁକି କରନ୍ତା ? ସଂସାରରେ ଉତ୍ସାହୀ ଭକ୍ତମାନେ ହିଁ ଚିରକାଳ ସବୁଠାରୁ ଅଧିକ କୋଳାହଳ କରିଛନ୍ତି, ପରସ୍ପରକୁ ବର୍ଜନ କରିବାରେ ହିଁ ସବୁଠାରୁ ଅଧିକ ପରାକ୍ରମ ଦେଖାଇଛନ୍ତି । ସତ୍ୟଗୁଡ଼ିକ, ସନ୍ଦେଶଗୁଡ଼ିକ, ସଂକଳ୍ପଗୁଡ଼ିକ ସେହିମାନଙ୍କର ପ୍ରକୋପରେ ହିଁ ବହୁ ସମ୍ପ୍ରଦାୟରେ ବିଭକ୍ତ ହୋଇ ଯାଇଛନ୍ତି । ଏକାବେଳକେ ପାଣି ଫାଟି ଯାଇଛନ୍ତି । ଆମେ ମଧ୍ୟ କ’ଣ ସେହି ହାସ୍ୟାସ୍ପଦ ମିଛ ଇତିହାସର ପୁନରାବୃତ୍ତି କରିବାକୁ ମନ କରିଛୁ କି ?

 

ଅର୍ଥାତ୍ ଆମ ଜୀବନରେ ଆମେ ହୁଏତ ଏବେ ମଧ୍ୟ ଲକ୍ଷ୍ୟ ଭଳି ଲକ୍ଷ୍ୟଟିଏ ପାଇ ପାରିନାହୁଁ, ଏବେ ମଧ୍ୟ ଆମ ସମସ୍ତଙ୍କୁ ଏକାଠି କରି ବାନ୍ଧି ରଖିଥିବା ଅସଲ ସୂତ୍ରଟିକୁ ଆମେ ନିଜ ଭିତରେ ଏବଂ ନିଜ ବାହାରେ ଠାବ କରି ପାରି ନାହୁଁ । ସମ୍ଭବତଃ ଏକାବେଳେକେ ଅନେକ ଲକ୍ଷ୍ୟର ଲକ୍ଷ୍ୟହୀନତା ଆମକୁ ତଥାପି ଭାରି ପ୍ରକୁପିତ କରି ରଖିଛି । ତେଣୁ, ଆମ ବିଦ୍ୟାଳୟ ନାମରେ ଘର ପରେ ଘର ତିଆରି ହେବାରେ ଲାଗିଛି, ଆମ ବଜାରଟା ଦାଣ୍ଡଯାଏ ଲମ୍ବି ଏତେବଡ଼ ଦିଶିବାକୁ ଏବେ ଭାରି ମନ କଲାଣି,—ତଥାପି ଲକ୍ଷ୍ୟ ଥିର ହୋଇ ପାରି ନାହିଁ । ସମିଧ ସଜଡ଼ା ହୋଇ ରହିଛି, ହୋତାମାନେ ଡକାହୋଇ ଆସିଲେଣି,—ମାତ୍ର ଆମର ଏହି ଯଜ୍ଞଟି ପ୍ରକୃତରେ କେଉଁ ଦେବତାଙ୍କ ଲାଗି କରାଯିବ, ସେହି ବିଷୟରେ ଆମର ଚିତ୍ତ ହୁଏତ ଏପର୍ଯ୍ୟନ୍ତ ଥିର ହୋଇ ନାହିଁ । ଚିତ୍ତ ଥିର ହେଲେ ଲକ୍ଷ୍ୟଟି ମଧ୍ୟ ଦିଶିଯିବ । ଶ୍ରଦ୍ଧା ବଢ଼ିଲେ ସୂତ୍ରଟି ମଧ୍ୟ ମିଳିଯିବ । ଆମରି ଦୁଆର ଉପରେ ଆଘାତ ପାଇ ଫେରି ଯାଉଥିବା କରୁଣା ଆମ ଘର ଭିତରେ ପ୍ରବେଶ କରିବାର ପଥ ପାଇଯିବ । ସେତେବେଳେ ଏକ ଆରେକ ଆଖିରେ ଆମେ କଦାପି ଜଣେ ଜଣେ ପ୍ରତିଦ୍ଵନ୍ଦ୍ୱୀ ହୋଇ ମୋଟେ ଦେଖା ଯିବାନାହିଁ । ପରସ୍ପରର ସତୀର୍ଥ ପରି ଦିଶିବା, ସୁହୃତ୍ ପରି ଦେଖାଯିବା । ସୁହୃତମାନେ ହିଁ ଅସଲ ନିମିତ୍ତ ହୋଇପାରିବେ । ପରବର୍ତ୍ତୀ ପ୍ରତିଶ୍ରୁତିଟିକୁ ପୂର୍ଣ୍ଣ କରିବାରେ ପ୍ରକୃତରେ ସେହିମାନେ କାମରେ ଲାଗି ପାରିବେ । ସେତେବେଳେ ଆମର ସବୁଯାକ ଆଗ୍ରହ ଗୋଟିଏ ସମର୍ପଣରେ ସୂତାରେ କେଡ଼େ ସ୍ଵାଭାବିକ ଭାବରେ ବଳି ହୋଇଯିବ । ଭଗବାନଙ୍କ ଆଖିରେ ଆମେ ସେତେବେଳେ ପ୍ରକୃତରେ କେଡ଼େ ସୁନ୍ଦର ବି ଦିଶିବା ।

 

ଡିସେମ୍ବର, ୧୯୮୮

Image

 

ସୂତ୍ରେଣ ନୈବ ନୈବ ଚ

 

Manners belong to the moral rules of ordinary life and have no value from our point of view.

 

(ଇଂରାଜୀ ମାତୃରଚନାବଳୀ, ଶତବାର୍ଷିକୀ ସଂସ୍କରଣ, ୧୨ଶ ଖଣ୍ଡ, ୧୯୭୮, ପୃଷ୍ଠା-୩୭୫)

 

ସମାଜରେ ଶ୍ରେଣୀ ଅନୁସାରେ କେତେକ ଆଚରଣକୁ ଭଦ୍ର ବୋଲି କୁହାଯାଏ ଏବଂ ଆଉ କେତେକ ଆଚରଣକୁ ଅଭଦ୍ର ବୋଲି କୁହାଯାଏ । ତେଣୁ ଶ୍ରେଣୀ ଅନୁସାରେ ଭଦ୍ରତା ତଥା ଅଭଦ୍ରତାର ପରିଧି ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ । ତୁମେ ଯାହା ଭାବୁଛ, ତାହାକୁ ପ୍ରକାଶ ନକରି ଚାପି ରଖିବାକୁ କେତେକ ସମାଜରେ ଭଦ୍ରତା ବୋଲି କୁହାଯାଏ । ବେଳେବେଳେ ତାହାକୁ ସଂଯମ ବୋଲି ମଧ୍ୟ କୁହାଯାଇଥାଏ । ଆଧୁନିକ ସମାଜରେ ସେହିଭଳି ସଂଯମ-ଗୁଡ଼ିକ ସଚରାଚର ଅଧିକ ଦେଖିବାକୁ ମିଳିଥାଏ । ଅଧିକାଂଶ ସମାଜରେ ଭକ୍ତି, ଶ୍ରଦ୍ଧା, ଆନୁଗତ୍ୟ ଓ ସମ୍ମାନକୁ ଆଚରଣରେ ପ୍ରକାଶ ନ କଲେ ଜଣେ ବ୍ୟକ୍ତିର ସତକୁ ସତ ଭକ୍ତି, ଶ୍ରଦ୍ଧା, ସମ୍ମାନ ଇତ୍ୟାଦି ରହିଛି ବୋଲି ସାଧାରଣତଃ ବିଶ୍ଵାସ କରାଯାଏ ନାହିଁ । ଆମ ଶିକ୍ଷାଳୟମାନଙ୍କରେ ପିଲାମାନେ ଯେପରି ଭଦ୍ର ବୋଲି ପରିଗଣିତ ହେବେ, ସେଥିଲାଗି ସେମାନଙ୍କୁ ନାନାବିଧ ଆଚାର ଓ ଆଚରଣ ଶିଖାଇ ଦିଆଯାଇଥାଏ । ଭିତରେ ଅସଲ ଭାବର ଥାନରେ ତୁମେ ଯାହା ହୋଇଥାଅ ପଛକେ, ତୁମକୁ ବାହାରେ ଅନ୍ତତଃ କେତେଟା ଆଚରଣଗତ ଡ୍ରିଲ୍ ଶିଖିବାକୁ ହେବ । ନହେଲେ ତୁମକୁ କେହି ଭଦ୍ର ବୋଲି କହିବେ ନାହିଁ । ଏବଂ, ତୁମକୁ ଯେତେବେଳେ ଅନ୍ୟମାନେ ଭଦ୍ର ବୋଲି ନ କହିବେ, ସେତେବେଳେ ତୁମେ ଭଦ୍ର ହୋଇଥିବ ବି କିପରି ? ତେଣୁ, ଭିତରେ ତୁମେ ଆଦୌ କିଛି ନ କରୁଥାଅ ପଛକେ, ଉପରକୁ ଆଚରଣ ଦ୍ଵାରା ଭଦ୍ର ବୋଲି ପ୍ରମାଣ ଦେବାକୁ ହିଁ ପଡ଼ିବ ।

 

ଏହି ଆଚରଣଗୁଡ଼ାକ ଉପରେ ଅତିଶୟ ଗୁରୁତ୍ଵ ଦେବା,—ତାହା ପ୍ରାୟ ପୃଥିବୀଯାକ ଗ୍ରାମାଞ୍ଚଳରେ ଅପେକ୍ଷାକୃତ କମ୍ ଓ ସହରମାନଙ୍କରେ ଅପେକ୍ଷାକୃତ ଅଧିକ । ସହରରେ ମଣିଷମାନଙ୍କର ହୃଦୟଦ୍ରବ୍ୟଟା ଏକାବେଳେକେ କୁଆଡ଼େ ପୋତିହୋଇ ପଡ଼ିଥାଏ କେଜାଣି, ସେଥିଲାଗି ହୃଦୟ ହୃଦୟ ଭିତରେ ଖିଅ ଲଗାଇ ହୁଏନାହିଁ, ହୃଦୟ ଦ୍ଵାରା ବୁଝିହୁଏ ନାହିଁ ଏବଂ ତେଣୁ ବାହ୍ୟ ଆଚରଣଗୁଡ଼ାକୁ ହିଁ ଭଲ ପଣିଆ ଓ ଭଦ୍ର ପଣିଆର ସନ୍ତକ ରୂପେ ଭାରି ନିଷ୍ଠାପର ଭାବରେ ବିଚାର କରାଯାଏ । ଆମେ ସ୍ଵୟଂ ଯେମିତି, ଆମ ଇସ୍କୁଲଗୁଡ଼ାକୁ ମଧ୍ୟ ଆମେ ମୋଟାମୋଟି ସେହି ଚାଞ୍ଚରେ ଗଢ଼ି କରି ରଖିବାକୁ କେଡ଼େ ଭଲ ପାଉ । ପିଲାମାନେ ପଲଟଣଙ୍କ ପରି ଆସୁଣୁ ଯାଉଣୁ ଆଚରଣର ସ୍ଵୀକୃତ ଡ୍ରିଲଗୁଡ଼ାକୁ ଦେଖାଇଲେ ଆମର ମନ ଆନନ୍ଦରେ ସତେଅବା କୁଣ୍ଢେମୋଟ ହୋଇଯାଏ, ପୃଥିବୀ ଏକାବେଳେକେ ସ୍ଵର୍ଗର ପାଖ ହୋଇ ଆସିଲା ପରି ମନେ ହୁଏ । ଗାଆଁ ଇସ୍କୁଲ ଅପେକ୍ଷା ସହରର ସ୍କୁଲମାନଙ୍କରେ ଏହି ଡ୍ରିଲ ଅଧିକ ସଣ୍ଠଣାର ସହିତ ଶିକ୍ଷା ଦିଆଯାଏ । ଶିକ୍ଷକମାନେ ସୁବେଦାର ହୋଇ ପିଲାମାନଙ୍କୁ ଡ୍ରିଲ ଶିଖାଇବାରେ ଲାଗିଥାନ୍ତି ।

 

ଆଚରଣ ଅର୍ଥାତ୍ Mannersକୁ ମାଆ ସାଧାରଣ ଜୀବନ ବା ordinary lifeରେ ନୈତିକ କେତେଟା ନିୟମ ବୋଲି କହିଛନ୍ତି । ଏଠାରେ ordinary life କହିଲେ ମାଆ ପ୍ରକୃତରେ କ’ଣ ବୁଝୁଛନ୍ତି ? ସାଧାରଣ ଜୀବନ ଅର୍ଥାତ୍ ବାହ୍ୟ ସାମାଜିକ ଜୀବନରେ ଉଚିତ ଅର୍ଥାତ୍ ଶ୍ଲାଘ୍ୟ ବୋଲି ସ୍ଵୀକୃତ ହେଉଥିବା କେତେଟା ଧିସା ଅର୍ଥାତ୍ ଗୁଳା ସହିତ ନିଜକୁ ଯଥା ସମ୍ଭବ ବିଶ୍ଵସ୍ତ ଭାବରେ ଅନୁକୂଳିତ କରି ରଖିବାକୁ ହିଁ ଜୀବନର ସର୍ବପ୍ରଧାନ ପ୍ରୟାସ ବୋଲି ମାନି ନେଇଥିବାର ଜୀବନ । ଏସବୁ ଜୀବନ ଯାପନ କରୁଥିବା ମଣିଷମାନେ ନିଜ ଜୀବନରେ ସାଧାରଣତଃ ବେଶୀ କିଛି ହେବାକୁ ଇଚ୍ଛା କରୁ ନଥାନ୍ତି । ଅଲଗା କିଛି ହେବାକୁ ସେମାନେ ହାଡ଼େ ହାଡ଼େ ଭାରି ଭୟ କରୁଥାନ୍ତି । ଖାପ୍ ଖାଇ ଚଳି ଯିବାକୁ ସେମାନେ ସଫଳତମ ପରମ ଧର୍ମ ବୋଲି ଗ୍ରହଣ କରି ନେଇଥାନ୍ତି । ସଂସାରରେ କେବେକିଛି ପ୍ରକୃତରେ ବଦଳିବ ବୋଲି ହୁଏତ ବିଶ୍ଵାସ କରୁ ନଥାନ୍ତି । ଅଥବା ଆଗ ହାଉଆ ବଦଳି ଗଲେ ଯାଇ ହୁଏତ ସଂସାର ବଦଳିବ ବୋଲି ଅପେକ୍ଷା କରି ବସିଥାନ୍ତି । ସମାଜ ଯେମିତି, ସୁନା ପୁଅଟି ପରି କେବଳ ସେତିକି ହେବା ବା ଅନ୍ତତଃ ସେତିକି ଦିଶିବାକୁ ହିଁ ସେମାନେ ଜୀବନର ସର୍ବପ୍ରଧାନ ଉଦ୍ୟମ ରୂପେ ମାନି ନେଇଥାନ୍ତି । ବରଷା ଅନୁସାରେ ଛତା ଦେଖାନ୍ତି, ରୁଟିନ୍ ଅନୁସାରେ ଲଣ୍ଡଭଣ୍ଡ ହୁଅନ୍ତି, ଅର୍ଥୋପାର୍ଜନ କରନ୍ତି, ପୁରାଣଗୁଡ଼ାକର ଖଟୁଲି ପାଖରେ ଜୀବନର ଯାବତୀୟ ଯୋଗ୍ୟତାକୁ ସାରିଦେବାକୁ ହିଁ ଚରମ ଚତୁରତା ବୋଲି ଗ୍ରହଣ କରି ନେଇଥାନ୍ତି । ସଂସାର ବଦଳିବାରେ, ନୂଆ ସ୍ଵପ୍ନଟିଏ ଅନୁସାରେ କୋଉଠି କିଛି ଭଙ୍ଗା ହେବାରେ କିମ୍ବା ଗଢ଼ା ହେବାରେ ଏମାନଙ୍କର ଆଦୌ କୌଣସି ଭୂମିକା ନଥାଏ । ସଂସାରରେ ଯେତେବେଳେ ଯାହାର ଜିତାପଟ ହୁଏ ସେମାନେ ସର୍ବଦା ତାହାରି ପଟରେ ଥାଆନ୍ତି, ତାହାରି ତୋଷାମଦ କରନ୍ତି,-ସେହିମାନଙ୍କର ସ୍ତୁତି କରିବାରେ ଲାଗିଥା’ନ୍ତି । ଯେଉଁମାନେ ହାରି ଯାଆନ୍ତି, ସେମାନଙ୍କୁ ବୋକା ବୋଲି କହି ହସିବାରେ ଲାଗିଥାନ୍ତି ।

 

ନୈତିକ ନିୟମ କହିଲେ କୌଣସି ନିର୍ଦ୍ଦିଷ୍ଟ ସମାଜରେ ଚଳୁଥିବା ନୀତିଗୁଡ଼ିକୁ ବୁଝାଏ । ସମାଜ ହିଁ ଚଳୁଥିବା ସେହି ନୀତିଗୁଡ଼ିକୁ ତିଆରି କରିଥାଏ । ସମାଜରେ ଯେଉଁମାନେ ଅଧିକ ପରାକ୍ରମୀ ହୋଇ ରହିଥାନ୍ତି, ସାଧାରଣତଃ ସେହିମାନଙ୍କର ବରାଦରେ ସମାଜର ନୀତିଗୁଡ଼ିକୁ ଛାଞ୍ଚରେ ବାନ୍ଧି ଦିଆଯାଇଥାଏ । ସେହି ବରାଦ ଅନୁସାରେ ଶାସ୍ତ୍ର ଲେଖାହୁଏ, କୁଳର ପୁରୋହିତମାନେ କୁଳର କର୍ତ୍ତାମାନଙ୍କୁ ସୁହାଇବା ଭଳି ନୀତି ତିଆରି କରନ୍ତି । ଧର୍ମ ଅଧର୍ମ, ନୀତି ଅନୀତି ଓ ଭଦ୍ରତା ଅଭଦ୍ରତାର ଯୁଗେ ଯୁଗେ ସେହି ଅନୁସାରେ ବିଚାର କରାଯାଏ । ଏସବୁ କାଳେ କାଳେ ଦେଶ, ପ୍ରାନ୍ତ ଓ ଅଞ୍ଚଳ ଅନୁସାରେ ଅଲଗା ହୋଇ ରହିଥାଏ । ଯୋଉଠି ରାଜା ଥାଆନ୍ତି, ସେଠି ପଣ୍ଡିତମାନେ ରାଜତନ୍ତ୍ରର ଗୁଣଗାନ କରି ନୀତିଶ୍ଳୋକମାନ ଲେଖିଥାନ୍ତି । ଗୋଟିଏ କଥାରେ କହିଲେ, ସମାଜର ସାମନ୍ତମାନଙ୍କ ଅନୁସାରେ ହିଁ ସମାଜରେ ନୈତିକତାର ରୂପ, ସୂତ୍ର, ଛାଞ୍ଚ ଓ ପରିସରକୁ ନିର୍ଣ୍ଣୟ କରି ଦିଆଯାଇଥାଏ । ଏହି ନୈତିକତା ମନୁଷ୍ୟକୁ ପ୍ରଧାନତଃ ନିଜର ସମାଜରେ ଖାପ ଖାଇ ଜୀବନ ବଞ୍ଚିବାକୁ ଆସିଥିବା ଗୋଟାଏ ବାଧ୍ୟ ଜୀବ ବୋଲି ବିଚାର କରିଥାଏ । ମଣିଷ ମେସିନ୍ ପ୍ରାୟ ହେଲେ ସାମାଜିକ ନୈତିକତା ସବୁଠାରୁ ଅଧିକ ଖୁସି ହୋଇଥାଏ । ଛାତ୍ର ମେସିନ୍ ପରି ଆଚରଣ କରି ପାରିଲେ ଅନେକ ତଥାକଥିତ ଶିକ୍ଷକ ଯେପରି ଅତିଶୟ ଖୁସି ହୋଇଥାଆନ୍ତି, ଏହି କଥାଟି ପ୍ରାୟ ସେହିପରି । ସୈନ୍ୟବାହିନୀର ନୈତିକତା ଯେତେବେଳେ ଦୁଷ୍ଟ କର୍ତ୍ତାମାନଙ୍କର ଅପପ୍ରେରଣା ପାଇ ସାମାଜିକ ଜୀବନକୁ ଗ୍ରାସି ପକାଇବା ଲାଗି ଆସେ, ସେତେବେଳେ ସମାଜକୁ କାଳ ଘୋଟି ଆସେ । ମନୁଷ୍ୟ ଭିତରେ ରହିଥିବା ଅସଲ ମଣିଷଟିକୁ ମଧ୍ୟ କାଳ ଗ୍ରାସି ପକାଏ । ଅନେକ ପରିମାଣରେ ସେହି କାରଣରୁ ଇତିହାସରେ ଉଲ୍ଲିଖିତ ସ୍ଵର୍ଣ୍ଣଯୁଗଗୁଡ଼ିକୁ ଶ୍ରୀ ଅରବିନ୍ଦ ଗୋଟିଏ ଗୋଟିଏ ନକଲି ତାମ୍ରଯୁଗ ବୋଲି ବର୍ଣ୍ଣନା କରିଛନ୍ତି ।

 

ମଣିଷ ହେଉଛି ଅନନ୍ୟ,—ପ୍ରତ୍ୟେକ ମନୁଷ୍ୟ ଭିତରେ ଅନନ୍ତ ସମ୍ଭାବନା ରହିଛି, ସେହି ସମ୍ଭାବନାଗୁଡ଼ିକୁ ବିକଶିତ କରି ଆଣିବା ଲାଗି ପ୍ରତ୍ୟେକ ମନୁଷ୍ୟର ଏକ ଅନନ୍ୟ ସ୍ଵକୀୟ ଧାରା ରହିଛି,—ଯୁଗେ ଯୁଗେ ଆଧ୍ୟାତ୍ମିକତା ସେହି କଥା କହି ଆସିଛି । ପ୍ରତ୍ୟେକ ମନୁଷ୍ୟର ସ୍ଵଭାବ ମଧ୍ୟ ସ୍ଵକୀୟ । ସେହି ସ୍ଵଭାବଟିକୁ ସିଏ ଶ୍ରଦ୍ଧା ସହକାରେ ଆବିଷ୍କାର କରିବ ଓ ସ୍ଵଭାବ ଅନୁସାରେ ହିଁ ତା’ ଧର୍ମର ନିରୂପଣ ହେବ । ପୂର୍ଣ୍ଣାଙ୍ଗ ଶିକ୍ଷାର କାର୍ଯ୍ୟ ମୂଳତଃ ଏହି ସ୍ଵଭାବର କ୍ଷେତ୍ରରେ । ପିଲାମାନଙ୍କୁ ପଲଭିତରେ ପୂରାଇ ସେମାନଙ୍କୁ ଆମେ ପସନ୍ଦ କରୁଥିବା କେତେଟା ଅଭ୍ୟାସରେ ମଣ କରିଦେଲେ ସେମାନଙ୍କର ସ୍ଵଭାବର ସାବଲୀଳ ବିକାଶ ଉପରେ ସର୍ବଥା ପ୍ରହାର କରାଯାଇଥାଏ । ସାମନ୍ତବାଦୀ ସମାଜମାନେ ଯୁଗେଯୁଗେ ମଣିଷର ସ୍ଵଭାବ ଉପରେ ପ୍ରହାର କରି ଆସିଛନ୍ତି । ସାମନ୍ତବାଦୀ ଯାବତୀୟ ମନ୍ଦ ଉତ୍ସାହ ଦ୍ଵାରା ପରିଚାଳିତ ହେଉଥିବା ଯାବତୀୟ ଶିକ୍ଷା ମଧ୍ୟ ସେହିପରି ଛାତ୍ରର ଯଥାର୍ଥ ବିକାଶକୁ ବାଧାଦୂଷିତ କରି ରଖିଛି । ତାକୁ ଆଚରଣ ଶିଖାଇଛି, ଭଦ୍ରତା ଶିଖାଇଛି, ଡ୍ରିଲ୍ ଶିଖାଇଛି । ତା’ ଭିତରେ ଅସଲ ବାସନାଟିକୁ ହତ୍ୟା କରିଛି । ଫୁଲ ଗଛଟିକୁ ଡ୍ରିଲ୍ ଶିଖାଇ ପୃଥିବୀରେ କେହି ଫୁଲଟିଏ ଫୁଟାଇ ନାହାନ୍ତି । ମନୁଷ୍ୟ ଯାବତୀୟ ସୂତ୍ରର ବାହାର ହୋଇଥିବାରୁ ତାକୁ ଯେକୌଣସି ସୂତ୍ରରେ ପକାଇ ଚାଞ୍ଚରେ ଗଢ଼ିବାରେ ଯାବତୀୟ ଉଦ୍ୟମ ଯୁଗେଯୁଗେ ବ୍ୟର୍ଥ ହିଁ ହୋଇଛି । ମନୁଷ୍ୟାତ୍ମା ବିଦ୍ରୋହ କରିଛି, ଆପଣାକୁ ପ୍ରତ୍ୟାହୃତ କରି ନେଇଛି-। ପ୍ରତିବାଦ କରି ଆପଣାକୁ ପ୍ରତ୍ୟାହୃତ କରି ନେଇଛି ।

 

ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଏହି ଆଚରଣଗୁଡ଼ାକର ଆଦୌ କୌଣସି ମୂଲ୍ୟ ନାହିଁ ବୋଲି ମାଆ କେଡ଼େ ସ୍ପଷ୍ଟଭାବରେ ଘୋଷଣା କରିଛନ୍ତି । ଆମକୁ ସାବଧାନ କରି ଦେଇଛନ୍ତି । ଯଦି ଆମେ ସତକୁସତ ସାବଧାନ ହେବା, ତେବେ ଆମ ପିଲାମାନଙ୍କୁ କେବଳ କେତେଟା ଆଚରଣ ଭିତରେ ହିଁ ମଣ କରି ରଖିବାକୁ କଦାପି ମନ କରିବା ନାହିଁ । ଶୃଙ୍ଖଳା ନାମରେ, ଭଦ୍ରତା ନାମରେ ଆମେ ଗଢ଼ିକରି ରଖିଥିବା ଏହି କମାରଶାଳାଗୁଡ଼ାକୁ ଏକାବେଳେକେ ଭାଙ୍ଗିଦେବା । ଆମ ପିଲାଏ ଡ୍ରିଲ୍ କରିବା ପରି ଆଦୌ କିଛିହେଲେ କରିବେ ନାହିଁ । ବୋଲ ମାନୁଥିବା ଛେଳିଙ୍କ ପରି ସେମାନେ ଆମ ପ୍ରାର୍ଥନାଘର ଭିତରକୁ ଆସିବେ ନାହିଁ, ବୋଲ ମାନି ପ୍ରାର୍ଥନାରେ ବସିବେ ନାହିଁ, ବୋଲ ଶୁଣି ପ୍ରାର୍ଥନାରୁ ଉଠି ପୁନର୍ବାର ଛେଳିଙ୍କ ପରି ପ୍ରାର୍ଥନାରୁ କ୍ଳାସକୁ ଯିବେ ନାହିଁ । ଭୀରୁଙ୍କ ପରି ନୁହେଁ, ସେମାନେ ସମ୍ମତ ବୀରଙ୍କ ପରି ପ୍ରାର୍ଥନା କରିବାକୁ ଆସିବେ । ଖୁସି ହୋଇ ପ୍ରାର୍ଥନା କରିବେ, ଖୁସି ହୋଇ ଖେଳିବେ, ଖୁସି ହୋଇ ପାଠ ପଢ଼ିବେ । ତେବେଯାଇ ସେମାନେ ନିଜ ଭିତରକୁ ବାଟ ପାଇଯିବେ । ଆପଣା ଭିତରର ସର୍ବୋତ୍ତମ ବନ୍ଧୁଟିକୁ ଚିହ୍ନିବେ । ତାହାରି ସହିତ ସେମାନେ ସହଯୋଗ କରି ଶିଖିବେ । ଆମେ ସେମାନଙ୍କର ସାଙ୍ଗରେ ଥିବା । ସେମାନଙ୍କ ସହିତ ଏକାଠି ବସି ପ୍ରାର୍ଥନା କରିବା, ଖେଳ ଖେଳିବା । ଗୋଟାଏ ପାଖରେ ସତେଅବା ଉପରେ ଠିଆ ହୋଇ ଆମେ ମୁହଁଟାକୁ ଏଡେ ବଡ଼ କରି ପାଠ ପଢ଼ାଇବା ଆଉ ଆମ ପିଲାଏ ସତେଅବା କୋଉ ଅପରାଧ କରିଥିବା ପରି ଅଥବା ଅଧମ ଅଳ୍ପବୟସରେ ରହିଛନ୍ତି ବୋଲି ବାଧ୍ୟ ହୋଇ ପାଠ ପଢ଼ୁଥିବେ, ଆମର କ୍ଳାସଘରୁ ଏହିସବୁ ଅଲକ୍ଷଣା ରୀତି ନିଷିଦ୍ଧ ହୋଇ ରହିଥିବ । ଆମେ ଶିକ୍ଷକ ଓ ଛାତ୍ର ଉଭୟେ ଯେପରି ପ୍ରଧାନତଃ ଶିଖିବା ଲାଗି ଶ୍ରେଣୀ ନାମକ ଏକ ପରିବେଶ ଭିତରକୁ ଆସିଛୁ, ମୁହଁରେ ସେ’ କଥା କେହି ନ କହୁଥିଲେ ମଧ୍ୟ ସେଠି ଆମର ସକଳ କାର୍ଯ୍ୟକଳାପ ଭିତରେ ସେହି ଅସଲ କଥାଟି ହିଁ ପ୍ରତିଭାତ ହୋଇ ଉଠି ପାରୁଥିବ । ଆମେ ସବୁବେଳେ ସାଙ୍ଗରେ ରହିଥିବା । ଆମର ହସହସ ମୁହଁ ଓ ହସହସ ଆଖି ସେମାନଙ୍କୁ ସର୍ବଦା କେବଳ ନିମନ୍ତ୍ରଣ କରି ଆଣୁଥିବା ପରି ମନେ ହେଉଥିବ । ଆମେ କେହି କାହାରିକୁ ଆଦୌ ହିଂସା କରୁ ନଥିବା ।

 

ପିଲାମାନଙ୍କ ପାଖରେ ଆମେ ମାଳିଟିଏ ହେବା । ମାଳି ଫୁଲଗଛ ଉପରେ କୌଣସି ଜବରଦସ୍ତି କରେ ନାହିଁ । ମାଳି ଫୁଲକୁ ଆଚରଣବିଧି ଶିଖାଏ ନାହିଁ । ଆଚରଣବିଧି କୌଣସି ବହିରେ ଲେଖାହୋଇ ରହି ନଥାଏ । ଫୁଲ ଫୁଟିବା ପାଇଁ କୋଉ ସାମନ୍ତମାନେ ନିଜ ବରାଦ ଅନୁସାରେ ଆଚରଣବିଧି ତିଆରି କରି ଦେଇ ନଥା’ନ୍ତି । ଫୁଲର ଆଚରଣବିଧି ଫୁଲର ସ୍ଵଭାବ ଭିତରେ ଅନ୍ତର୍ନିହିତ ହୋଇ ରହିଥାଏ । ମାଳି ମାଟି ତିଆରି କରେ, ଆଲୁଅ ଲାଗି ବାଟ କାଢ଼ିଦିଏ, ପବନ ବାଜିବାକୁ ଦିଏ,—ପରିବେଶଟି ଅନୁକୂଳ ଖୁସିରେ ଋଦ୍ଧିମନ୍ତ ହୋଇ ଆସିବା ସଙ୍ଗେସଙ୍ଗେ ଫୁଲଗଛରେ ଫୁଲ ଫୁଟିବାର ପର୍ବଟି ଆରମ୍ଭ ହୋଇଯାଏ । ଫୁଲ ଫୁଟିବାର ପ୍ରକ୍ରିୟାଟି ଆପଣାଛାଏଁ ହୁଏ । ପୂର୍ଣ୍ଣାଙ୍ଗ ଶିକ୍ଷାର ପ୍ରକ୍ରିୟାଟି ହେଉଛି ଏହିପରି ଆପଣାଛାଏଁ ଫୁଟି ଉଠିବାର ପ୍ରକ୍ରିୟା । ପୂର୍ଣ୍ଣାଙ୍ଗ ଶିକ୍ଷାର ଶୃଙ୍ଖଳା ହେଉଛି ଆପଣାଛାଏଁ ଆପଣାର ଅସଲ ଆବଶ୍ୟକତାଗୁଡ଼ିକୁ ସମଝି ବିକଶିତ ହୋଇ ଉଠୁଥିବା ଶୃଙ୍ଖଳା । ଯୋଉ ଶିକ୍ଷକମାନଙ୍କ ଉପରେ ଶୃଙ୍ଖଳାଗୁଡ଼ାକ କେବଳ ଲଦି ହୋଇ ରହିଥାଏ, ସେମାନେ ଆପଣାଛାଏଁ ବିକଶିତ ହୋଇ ଆସୁଥିବା ଏକ ଶୃଙ୍ଖଳା ପ୍ରକୃତରେ ସମ୍ଭବ ବୋଲି ବିଶ୍ଵାସ ବି କରି ପାରନ୍ତି ନାହିଁ । ସେମାନେ ହିଁ ଡ୍ରିଲ୍ ଦେଖି ଖୁସି ହୁଅନ୍ତି ଓ ପିଲାମାନେ ତଦ୍ଦ୍ଵାରା ବୈତରଣୀ ପାରି ହୋଇଗଲେ ବୋଲି ବିଶ୍ଵାସ ମଧ୍ୟ କରୁଥାନ୍ତି ।

 

ମାର୍ଚ୍ଚ-ଏପ୍ରିଲ,୧୯୮୯

Image

 

Unknown

ଲଙ୍ଗଳ ଯାହାର ଜମି ତା’ର

 

ଏଥର ଆମର ବାର୍ଷିକ ଶିକ୍ଷକ ସମ୍ମିଳନୀରେ ଆମରି ଭିତରର ଜଣେ ବନ୍ଧୁ ଏଣିକି ଆମର ଶିକ୍ଷକ ଭାଇଭଉଣୀମାନେ ହିଁ ଶିକ୍ଷା କେନ୍ଦ୍ର ଗୁଡ଼ିକର ଦାୟିତ୍ଵ କ୍ରମେ ନିଜେ ବହନ କରିବେ ବୋଲି କହୁ କହୁ କେଡ଼େ ସ୍ଵତଃସ୍ଫୁର୍ତ୍ତ ଭାବରେ ‘ଲଙ୍ଗଳ ଯାହାର ଜମି ତାହାର’ ବୋଲି କହିଦେଲେ । ମୁଁ ଭାବିଲି ତାଙ୍କ ପାଟିରୁ ଆମର ଏହି ନୂଆ ଶିକ୍ଷାଟିର ଆତ୍ମା ହିଁ ସେହି କଥାଟିକୁ କହିଦେଲା । ଏଥର ଆମର ବାର୍ଷିକ ସମାବେଶଟି ଏକ ଅଭିନବ ଭାବରେ ହେଲା । ଏକ ଅଭିନବ ପାରସ୍ପରିକତା ସହିତ ହେଲା । ଏଥିରେ ଗୋଟିଏ ବୋଲି ବକୃତା ନଥିଲା । ଆଗେ ତ ଦିନମାନ ତିନିତୁହା କରି ବକୃତା ହେଉଥିଲା । ସକାଳେ ତୁହାଏ, ଉପରଓଳି ତୁହାଏ, ପୁଣି ସଞ୍ଜ ବୁଡ଼ିଲା ପରେ ରାତ୍ରିରେ ପ୍ରଥମ ପ୍ରହରରେ ଆହୁରି ତୁହାଏ । ମିଠା ଖାଇଖାଇ ମୁହଁ ବାନ୍ଧି ହୋଇଗଲା ପରି ଭାଷଣ ଶୁଣିଶୁଣି କାନ ବଧିରା ହୋଇ ଯାଉଥିଲା, ବେଳେବେଳେ ହୃଦୟ ବଧିରା ହୋଇଗଲା ପରି ମଧ୍ୟ ମନେ ହେଉଥିଲା । ଆମେ ଶୁଣୁଥିଲୁ, ବକ୍ତାମାନେ ବକୃତା ଦେଉଥିଲେ । ସେମାନେ କେତେ ଜାଗାରୁ ସାଉଁଟା ହୋଇ ଆସୁଥିଲେ । ଅନେକ ସମୟରେ ବହୁ ଅଜାଗାରୁ ମଧ୍ୟ ସାଉଁଟା ହୋଇ ଆସୁଥିଲେ । ଯେଉଁମାନଙ୍କ ସହିତ ଆମେ ହୁଏତ କେବେହେଲେ ଖୁସୀ ହୋଇ ଏକାଠି ବସନ୍ତୁ ନାହିଁ, ନାନା ଅନ୍ୟ ପ୍ରୟୋଜନ, ଉଦ୍ଦେଶ୍ୟ ଅଥବା ଆଶାର ବଶବର୍ତ୍ତୀ ହୋଇ ସେମାନଙ୍କୁ ଆମେ ଆମ ସଭାମାନଙ୍କୁ ଡାକି ଆଣୁଥିଲୁ ଏବଂ ସତେଅବା ବାଧ୍ୟ ହୋଇ ସେମାନଙ୍କର ଉଦ୍‌ଗାରମାନ ଶୁଣୁଥିଲୁ । ସଭା ପରେ ସେମାନେ ତାଙ୍କ ବାଟରେ ଯାଉଥିଲେ, ଆମେ କେଡ଼େ ଚଅଟ ତାଙ୍କ କଥା ସହିତ ସେମାନଙ୍କୁ ପାସୋରି ଦେଉଥିଲୁ ।

 

ଏବର୍ଷ ଏକାବେଳେକେ ଅନ୍ୟ ପ୍ରକାରର ହେଲା । କେହି ଯେ ବଳାତ୍କାର କରି ଏକ ନୂଆ ରୀତିକୁ ଉପରୁ ଆଣି ଲଦିଦେଲେ, ସେକଥା ମୋଟେ ନୁହେଁ । ଏହିଭଳି ହେବାର ସମୟ ଆସି ପହଞ୍ଚିଗଲା ବୋଲି ଏଭଳି ହେଲା । ଆମେ ସମସ୍ତେ ମଙ୍ଗିଗଲୁ । ଆଗରୁ ମଙ୍ଗୁ ନଥିବା ଲୋକମାନେ ମଧ୍ୟ ମଙ୍ଗି ଗଲେ । ଏଥର ଗୋଷ୍ଠୀ ଆଲୋଚନାର ପଦ୍ଧତିଟିକୁ ଗ୍ରହଣ କରାଗଲା । ସମ୍ମିଳନୀ ସମୟରେ ଆମେ ଆଗେ ସତେଅବା ପଲ ପଲ ହୋଇ ଦିଶୁଥିଲୁ, ପଲପଲ ହୋଇ ଆତଯାତ ହେଉଥିଲୁ । ଏଥର ଚାରିଶହରୁ ଅଧିକ ଆମେ ବାରଗୋଟି ଗୋଷ୍ଠୀରେ ବିଭକ୍ତ ହୋଇଗଲୁ । ବାରଟା ଥାନରେ ଅଲଗା ଅଲଗା ହୋଇ ବସିଲୁ । ସବୁ ଗୋଷ୍ଠୀରେ ଯୁଗପତ୍ ଭାବରେ ଓଳିକୁ ଗୋଟିଏ କରି ବିଷୟର ବିଚାର-ଆଲୋଚନା ହେଲା । ମୂଳତଃ ଜଣେ ଜଣେ ଶିକ୍ଷକ ହିସାବରେ ଆମ ପ୍ରତ୍ୟେକଙ୍କର ଅଭିଜ୍ଞତା ଏବଂ ଅର୍ନ୍ତଦୃଷ୍ଟିଗୁଡ଼ିକୁ ଭିତ୍ତି କରି ଏସବୁ ଆଲୋଚନା ହେଲା । କୋଉଠି ଗୋଟିଏ ଥାନରେ ମଧ୍ୟ ବହି ଘୋଷା ଉଡ଼ନ୍ତା ପାଠ ପରି କେହି କିଛି କହିଲେ ନାହିଁ । ନିଜେ ବ୍ୟକ୍ତିଗତ ତଥା ସାମୂହିକ ଭାବରେ ଅଙ୍ଗେ ନିଭାଇଥିବା କଥାଗୁଡ଼ିକୁ କହିଲେ । କୌଣସି ତ୍ରାସର ବଶୀଭୂତ ହୋଇ ନୁହେଁ ଅଥବା କାହାରି ବିରୁଦ୍ଧରେ କୌଣସି ଅଭିଯୋଗ କରୁଥିବା ପରି ଆଦୌ ନୁହେଁ, ଅତ୍ୟନ୍ତ ଅନ୍ତରଙ୍ଗ ଭାବରେ ସମଧର୍ମୀମାନଙ୍କ ସହିତ ଏକାଠି ବସି ଆଗକୁ ସମ୍ଭାବ୍ୟ ସମାଧାନମାନ ବାହାର କରୁଥିବା ପରି ସମସ୍ତେ ଆଲୋଚନାରେ ଅଂଶ ଗ୍ରହଣ କଲେ ।

 

ହଁ ସମସ୍ତେ-ଏକାବେଳେକେ ସମସ୍ତେ । ମଝିରେ ଜଣେ ସଂଯୋଜକ ରହିଥିଲେ ସତ; ମାତ୍ର ଆଲୋଚନା ଗୁଡ଼ିକ ସମସ୍ତଙ୍କୁ ସାଙ୍ଗରେ ନେଇ ହିଁ ହେଉଥିଲା । କୌଣସି ଛଟକରେ ବାଦ୍ ପଡ଼ି ଯିବାକୁ ଆଦୌ କୌଣସି ବାଟ ନଥିଲା । ଯେତେବେଳେ କହିବାକୁ ପ୍ରକୃତରେ କିଛି ରହିଥାଏ, ସେତେବେଳେ କିଏ କାହିଁକି ପଛରେ ରହି ଯିବାକୁ ବା ବାଦ୍ ପଡ଼ି ଯିବାକୁ ମନ କରିବ ? ଭାଷଣ ବେଳେ ଶୁଣୁଥିବା ମଣିଷ ଅନେକ ସମୟରେ ନିଜକୁ ଭାରି ଅବହେଳିତ ମନେ କରିଥାଏ । ତା’ର ହୁଏତ କିଛି କହିବାକୁ ରହିଥାଏ, ମାତ୍ର ଭାଷଣ ମଝିରେ ତା’ କଥାଟିକୁ କହିବା ସକାଶେ ମୋଟେ ସମୟ ନଥାଏ । ଏପରିକି, ଶିକ୍ଷାକେନ୍ଦ୍ରଗୁଡ଼ିକରେ ମଧ୍ୟ ଆପଣାର କଥାକୁ ନିଜ ଭିତରୁ ସମ୍ପୂର୍ଣ୍ଣ ଅଭୟ ହୋଇ କହି ପାରିବାର ସମୟ ନଥାଏ । ସେଠି ସମସ୍ତେ ଏକାଠି ବସିଥାନ୍ତି ସତ, ମାତ୍ର ମାମଲତକାରମାନେ କହୁଥାନ୍ତି ଓ ଅନ୍ୟମାନେ ମାନି ନେଉଥାନ୍ତି । ମଝିରେ ଅଦୃଶ୍ୟ କେତେ ପ୍ରକାରର ଇଚ୍ଛାକୃତ ଏବଂ ଅନିଚ୍ଛାକୃତ କେତେ ବ୍ୟବଧାନ ଜଳଜଳ ହୋଇ ଦିଶି ଯାଉଥାଏ । ପଂକ୍ତିଗୁଡ଼ାକୁ ଭାରି ଅଲଗା କରି ରଖିଥାଏ । ଗୋଟିଏ ପାଖ ଅନ୍ୟ ପାଖଟିକୁ ନିଯୁକ୍ତ କରିଥିବା ପରି ହାବଭାବ ଭାରି ବାରି ହୋଇପଡ଼େ । ଅନ୍ୟ ପାଖଟା ମଧ୍ୟ ଏକ ଦୁଷ୍ଟ ସଂସ୍କାରବଶତଃ ଆପଣାକୁ ପ୍ରଧାନତଃ ନିଯୁକ୍ତ ହୋଇ ରହିଥିବା ଅଧସ୍ତନ ପରି ଅନୁଭବ କରୁଥାଏ । ନିଜ କାନ୍ଧ ଉପରେ ପଡ଼ିଥିବା ଯୁଆଳି ବା ନାକରେ ବନ୍ଧା ହୋଇଥିବା ତୁଣ୍ଡିଟା ବ୍ୟତୀତ ସିଏ ହୁଏତ ଆଉ କିଛିହେଲେ ଅନୁଭବ କରିପାରେ ନାହିଁ । ତେଣୁ ତା’ର ପ୍ରକୃତରେ ଅନ୍ୟକୌଣସି ଭୂମିକା ଗ୍ରହଣ କରିବାକୁ ରହିଛି ବୋଲି ଆଦୌ ସଚେତନ ଭାବରେ ଭାବେ ନାହିଁ । ଏଥର ଆମର ବାର୍ଷିକ ସମ୍ମିଳନୀରେ ସେହି କ୍ରୂର ପରମ୍ପରାଟିକୁ ଭାଙ୍ଗିବାଲାଗି ପ୍ରାୟ ପ୍ରଥମ ପଦକ୍ଷେପଟିକୁ ନିଆଗଲା । ଏଥର ସମସ୍ତଙ୍କର ପାଟି ଫିଟିଲା । ସମସ୍ତଙ୍କର କିଛି ଅବଶ୍ୟ କହିବାର ଥିଲା । ସମସ୍ତଙ୍କର କଥାଗୁଡ଼ିକ ଏକତ୍ର ସମନ୍ଵିତ କରି ତାହାରି ଭିତରୁ ସତ୍ୟ ବାହାରିଲା । ଗୋଟାଏ ଗୋଟାଏ ସଂସ୍କାର ରହିଛି, ଯେଉଁଥିରେ କି କେତେଜଣ ଖାସ୍ ଲୋକଙ୍କର ହିଁ ଯାହାକିଛି କହିବା ସକାଶେ ଅଧିକାର ରହିଛି ବୋଲି ସମ୍ପୃକ୍ତ ସମସ୍ତେ ମାନି ନେଇଥାନ୍ତି । କୌଣସି ଗୋଷ୍ଠୀରେ ବସି ଥିଲାବେଳେ ବା କୌଣସି କ୍ଷେତ୍ରରେ ସମସ୍ତଙ୍କ ସହିତ ଏକାଠି କାର୍ଯ୍ୟ କରୁଥିବା ସମୟରେ ଆପେ ଭାବୁଥିବା କଥାଗୁଡ଼ିକୁ ନିଃଶଙ୍କ ଭାବରେ କହି ପାରିବା ଯେ ପ୍ରତ୍ୟେକ ବ୍ୟକ୍ତିର ଏକ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ କର୍ତ୍ତବ୍ୟ, ସଂସ୍କାର ଗୁଡ଼ିକ ବଦଳିଲେ ଯାଇ ସେହି କଥାଟିକୁ ହୃଦୟଙ୍ଗମ କରିହୁଏ ।

 

ଏଥର ଆମର ବାର୍ଷିକ ସମାବେଶରେ ସତକୁ ସତ ଅନେକ ସଂସ୍କାର ଭାଙ୍ଗିଲା । ଏହି ନୂତନ ଉପଲବ୍ଧିଟି ଏଥର ପ୍ରତ୍ୟେକ ଶିକ୍ଷାକେନ୍ଦ୍ରର ସ୍ତରକୁ ମଧ୍ୟ ସଂକ୍ରମିତ ହୋଇଯିବ । ସଂକ୍ରମିତ ହୋଇ ଯିବାର ମୁହୂର୍ତ୍ତଟି ଆସି ପହଞ୍ଚିଗଲା, ତେଣୁ ଏଥର ସଂକ୍ରମିତ ହୋଇଯିବ । ଏଥର ଅମଙ୍ଗମାନେ ମଧ୍ୟ ମଙ୍ଗିଯିବେ । ଖୁସୀ ହୋଇ ମଙ୍ଗିଯିବେ । କେହି ପ୍ରତିବନ୍ଧକ ହେବେ ନାହିଁ । ଓଳି ଓଳିକର ଆଲୋଚନାକୁ ଯେତେବେଳେ ସନ୍ଧ୍ୟାକାଳର ମିଳିତ ଅଧିବେଶନରେ ଗୋଷ୍ଠୀଗୁଡ଼ିକର ବାରଜଣ ସଂଯୋଜକ ବାରଗୋଟି ବିବରଣୀରେ ସମସ୍ତଙ୍କ ସମ୍ମୁଖରେ ଉପସ୍ଥାପିତ କରୁଥିଲେ, ସେତେବେଳେ ଆମ ଆକାଂକ୍ଷା ଓ ଉଦ୍ୟମର ଘରଟି ସତେଅବା ପୂରି ଉଠିଲା ପରି ଲାଗୁଥିଲା । ଏହି ଯୁଆଳି ଯେପରି ଆଦୌ କାହାରି କାନ୍ଧରେ ପଡ଼ି ନାହିଁ, ଆମେ ସମସ୍ତେ ସତେଯେପରି ନିଜେ ଆସି ବହୁ ଆହ୍ଵାନପୂର୍ଣ୍ଣ ଏହି କାର୍ଯ୍ୟଟିରେ କାନ୍ଧ ଲଗାଇ ଦେଇଛୁ ଏବଂ, କାନ୍ଧ ଲଗାଇ ପାରିଛୁ ବୋଲି ପରସ୍ପରର ମିତ ପରି ଦିଶୁଛୁ ଓ ପରସ୍ପରକୁ ଦେଖି ଏତେ ଖୁସୀ ହୋଇ ଯାଉଛୁ, ସେହି କଥାଟି ଅତ୍ୟନ୍ତ ଦୃଶ୍ୟମାନ ଭାବରେ ଅନୁଭୂତ ହେଉଥିଲା । ଏହି ଭବିଷ୍ୟତଟିକୁ ନିର୍ମାଣ କରିବାରେ ଆମ ସମସ୍ତଙ୍କର ଭାଗ ରହିଛି ଅତ୍ୟନ୍ତ ସ୍ଵତଃସ୍ଫୁର୍ତ୍ତ ଭାବରେ ଏହି ସତ୍ୟଟିକୁ ଅନୁଭବ କରିବା ଠାରୁ ବଳି ଆମ ପକ୍ଷରେ ଅଧିକ ଭାଗ୍ୟର କଥା କ’ଣ ହୋଇପାରେ ? ଏହି ଭାଗ୍ୟ ହେଉଛି ଏକ ଆଧ୍ୟାତ୍ମିକ ଭାଗ୍ୟ; ଆମର ଅସଲ ସମ୍ବଳଟି ହେଉଛି ଆପେଆପେ ପରସ୍ପର ସହିତ ସମ୍ମିଳିତ ହୋଇ ରହିଥିବାର ସମ୍ବଳ । କେହି କାହାକୁ ଭୟ ନ କରିବାର ଓ ଈର୍ଷା ନ କରିବାର (ନ ବୀଭେତି ନ ରିଷ୍ୟତେ) ସମ୍ବଳ ।

 

ଆମ ଶିକ୍ଷାକେନ୍ଦ୍ରଗୁଡ଼ିକର ସଂଗଠନ କେଉଁ ଧାରାର ହେବ, ସେଠାରେ ଆମର ଯାବତୀୟ କାର୍ଯ୍ୟକଳାପ ମଧ୍ୟରେ ଏକ ସଂଯୋଜିତ ସଂଗତି କିପରି ସ୍ଥାପିତ ହୋଇପାରିବ ଏବଂ ସର୍ବୋପରି, ଆମେ ଭାବୁଥିବା କଥାଗୁଡ଼ିକର ଓ ଗ୍ରହଣ କରୁଥିବା ନିଷ୍ପତ୍ତିଗୁଡ଼ିକର କାର୍ଯ୍ୟାନ୍ଵୟନ ମଧ୍ୟ କିପରି ହେବ, ଅତ୍ୟନ୍ତ ଅନ୍ତରଙ୍ଗ ଭାବରେ ସମ୍ମିଳନୀରେ ସେହି କଥାଗୁଡ଼ିକର ଆଲୋଚନା ହୋଇଥିଲା । ମାଆଙ୍କର ଭାଷାରେ କହିଲେ, around the garden ନୁହେଁ, within the garden ଆଲୋଚନା ହୋଇଥିଲା । ନୂତନ ଶିକ୍ଷାର ଗୋଟିଏ ଗୋଟିଏ ଦ୍ୟେତକ କେନ୍ଦ୍ର ରୂପେ ତିଷ୍ଠି ରହି ପାରିବାକୁ ହେଲେ ଆମକୁ ବେଳସୁଁ କେଉଁସବୁ କୌଶଳ ଓ ମାର୍ଗ ଗ୍ରହଣ କରିବାକୁ ହେବ, ସବାଆଗ କେଉଁସବୁ ପଦକ୍ଷେପ ଦିଗରେ ଲୟ ରଖିବାକୁ ପଡ଼ିବ, ଦୀର୍ଘତର ସମୟ ଦେଇ ଆମେ ସେହିସବୁ ବିଷୟରେ ଦୁଃଖସୁଖ ହୋଇଥିଲୁ । ସରକାରଙ୍କ ଉପରେ ନିର୍ଭର କରି ଆମେ କଦାପି ବେଶୀଦୂର ଯାଇ ପାରିବା ନାହିଁ । ସରକାର ଆମକୁ ଯେଉଁ ସାହାଯ୍ୟ କରୁଛନ୍ତି, ସେଥିଲାଗି ଆମେ ସରକାରଙ୍କ ପାଖରେ ଅବଶ୍ୟ କୃତଜ୍ଞ ରହିବା । କିନ୍ତୁ ସରକାରଙ୍କ ଦ୍ଵାରା ଅନୁଗୃହୀତ ହେବାକୁ ଆମେ କଦାପି ଆମ ନାକରେ ତୁଣ୍ଡି ପିନ୍ଧିବାକୁ ମନ କରିବା ନାହିଁ । ଆମର ଅସଲ ବଳ ହିଁ ଆମକୁ ସବୁଠାରୁ ଅଧିକ ପରିମାଣରେ ବଳୀଆର ଓ ବିଶ୍ଵାସଦୀପ୍ତ କରି ରଖିଥିବ । ଆମ ଗୋଡ଼ ତଳର ଭୂଇଁ ଯଥାସମ୍ଭବ ଅଧିକ ମଜବୁତ ରହିଥିବ । ତାହାକୁ ଆହୁରି ଅଧିକ ମଜବୁତ କରିବାରେ ଆମେ ସର୍ବଦା ପ୍ରୟାସ କରୁଥିବା । ଅଧିକରୁ ଅଧିକ ବିଶ୍ଵାସର ସହିତ ଆମେ ପରସ୍ପରକୁ ସାଙ୍ଗରେ ଧରି ଅଗ୍ରସର ହେଉଥିବା ।

 

ପ୍ରଥମେ ଆମ ଶିକ୍ଷାକେନ୍ଦ୍ର ଗୁଡ଼ିକର ସଂଖ୍ୟା ଭାରି ଅଳପ ଥିଲା, ଅଳପରୁ ଅଧିକ ହେଲା । ସେତେବେଳେ ମଡ଼େଲ ହିସାବରେ ଆମେ ମାତ୍ର କେତୋଟି ଶିକ୍ଷାକେନ୍ଦ୍ରକୁ ନେଇ କିଞ୍ଚିତ୍ ପ୍ରୟୋଗ କରିଥିଲୁ । ଆଖି ଆଗରେ ସାଫ୍ ସାଫ୍ ମୋଟେ କିଛି ଦେଖାଯାଉ ନଥିଲା । ଉତ୍ସାହ ଭର୍ତ୍ତି ହୋଇ ରହିଥିଲା । ଆମେ ଆଗକୁ ମାଡ଼ିଗଲୁ, କାରଣ ଆମ ଉପରେ ଅନାଗତ କାଳର କୃପା ରହିଥିଲା । କ୍ରମେ ଏହି ଶିକ୍ଷାକେନ୍ଦ୍ରଗୁଡ଼ିକର ସଂଖ୍ୟା ବଢ଼ିବାକୁ ଲାଗିଲା । ସଂଖ୍ୟା ବଢ଼ୁ ବୋଲି ଆମେ ଅବଶ୍ୟ ଇଚ୍ଛା କରୁଥିଲୁ, ମାତ୍ର ଏତେ ହୁ’ ହୁ’ ହୋଇ ବଢ଼ିଯିବ ବୋଲି ଆମ ଭିତରୁ ଅନେକେ କଳ୍ପନା ମଧ୍ୟ କରି ନଥିଲେ । ପୁଣି, ଅନେକେ ସେମାନଙ୍କ ହାତରୁ ରଜ୍ଜୁଗୁଡ଼ିକ ଖସି ଯାଉଥିଲା ପରି ମଧ୍ୟ ଅନୁଭବ କଲେ । ନୂତନ ଉଦ୍ଭବଟିକୁ ଗୁଳାରେ ପକାଇ ରଖିବାକୁ କେତେମନ୍ତେ ବହିମାନ ବି ତିଆରି ହେଲା । ଉଚିତ ଅନିଚିତର ଧାରାମାନ ବାହାରିଲା । ମାତ୍ର କାଳ ମାନିଲା ନାହିଁ । ମଡେଲଗୁଡ଼ାକୁ ପ୍ରାୟ ଅସ୍ଵୀକାର କରି ପୂର୍ଣ୍ଣାଙ୍ଗ ଶିକ୍ଷା ଏକ ଆନ୍ଦୋଳନରେ ପରିଣତ ହୋଇଗଲା । କେବଳ କଟକ ବା କେବଳ ଭୁବନେଶ୍ଵର ନୁହେଁ, ଏହି ଆନ୍ଦୋଳନର କେନ୍ଦ୍ରମାନ ଗାଆଁ ଭିତରକୁ, ଜଙ୍ଗଲ ଭିତରକୁ ବିସ୍ତୃତ ହୋଇଗଲେ । ସଦର ମହକୁମାରେ ଆମେ ଅବାକ୍ ହେଲୁ, ଶେଷକୁ ବାଟ ଛାଡ଼ି ଦେଲୁ । କ୍ରମେ ସାଙ୍ଗ ବି ହେଲୁ । ପ୍ରଥମେ ସିନା ସେମାନେ ଆମ ପାଖକୁ ଆସନ୍ତୁ ବୋଲି କହୁଥିଲୁ, ମାତ୍ର ତା’ପରେ ଆମେ ସ୍ଵୟଂ ସେମାନଙ୍କ ପାଖକୁ ଗଲୁ । ପ୍ରଥମେ ପ୍ରଥମେ ସତେଅବା ଅନିଚ୍ଛା ସତ୍ତ୍ୱେ କେତେ ଭିଡ଼ିମୋଡ଼ି ହୋଇ ବାଧ୍ୟ ହେଲାପରି ଗଲୁ, ତା’ପରେ ସତକୁ ସତ ଖୁସି ହୋଇ ଗଲୁ । ମଡେଲର ମୋହ ତୁଟିଗଲା, ଆମେ ସମସ୍ତେ ସତେଅବା କାହାର ଆଶୀର୍ବାଦ ପାଇଥିବା ପରି ଏକ ଆନ୍ଦୋଳନରେ ସାମିଲ ହୋଇଗଲୁ । ଅଠାଅଶୀ ମସିହାରେ ହିସାବ କରି ଆମର ସଂଖ୍ୟା ଅଠାଅଶୀ ହେଲାଣି ବୋଲି ଆମ ଚାଣୁରମାନେ ଆମ ଆଗରେ ଘୋଷଣା କରିଦେଲେ । ଏହି ଦ୍ଵିତୀୟ ପର୍ଯ୍ୟାୟକୁ ଆସି ଆମ ଆଗରେ ଅଠାଅଶୀ ପ୍ରକାରର ନୂଆ ସମସ୍ୟା ଆସି ଦେଖାଦେଲା । ମାତ୍ର, ସଫା ଜଣା ପଡ଼ିଗଲା ଯେ, ଏହିସବୁ ସମସ୍ୟାକୁ ଆମକୁ ଆଉ ମୋଟେ ଡର ମାଡ଼ୁନାହିଁ । ଆମର ଘରଟି ଏଥିଲାଗି ସତେ ଯେପରି ପ୍ରସ୍ତୁତ ହୋଇ ରହିଛି । ସମସ୍ୟା ଯିବ, ସମସ୍ୟା ଆସିବ, ଗୋଟିଏ ସ୍ତରର ସମସ୍ୟାଗୁଡ଼ିକୁ ସମାଧାନ କରୁକରୁ ଆମେ ଆଉ ଗୋଟିଏ ସ୍ତରର ସମସ୍ୟାଗୁଡ଼ିକର ସମ୍ମୁଖୀନ ହେବାରେ ଲାଗିଥିବା ।

 

ଆନ୍ଦୋଳନର ପର୍ଯ୍ୟାୟଟି ମଧ୍ୟରେ ଗତି କରୁ କରୁ ଆମଲାଗି ଆବଶ୍ୟକ ମୂଳ ଦୁଆଟି ପ୍ରସ୍ତୁତ ହୋଇଗଲା । ଏଥର ଯେଉଁ ପର୍ଯ୍ୟାୟଟି ଆସି ପହଞ୍ଚିଲା, ତାହାକୁ ଉଡ଼ାଜାହାଜ ଚଲାଉଥିବା ଶାସ୍ତ୍ରର ଭାଷାରେ Take offର ପର୍ଯ୍ୟାୟ ବୋଲି କୁହାଯିବ । ଆପଣାର ଇଞ୍ଜିନଟିକୁ ଏଥର ନିଜେ ଚଳାଇବାକୁ ହେବ । ଘଡ଼ିଏ ଏଠି ରହି ଘଡ଼ିଏ ପୁଣି ବୁଲିବାକୁ ବାହାରି ଗଲେ ଏଣିକି ଆଦୌ ଚଳିବ ନାହିଁ । ଗୋଟାଏ ଗୋଡ଼ ଭିତରେ ରଖି ଆଉ ସତରଟା ଗୋଡ଼କୁ ଆହୁରି ସତରଟା ଜାଗାରେ ରଖିଲେ ମଧ୍ୟ ମୋଟେ ଚଳିବ ନାହିଁ । ତେଣେ ପୁରାତନଟା ଭିତରେ ବେକେ ପର୍ଯ୍ୟନ୍ତ ବୁଡ଼ି ରହି ଏଣେ ମଝିରେ ଆସି କୀର୍ତ୍ତନ କରିବାକୁ ପହଞ୍ଚି ଯାଉଥିବା ଲୋକମାନଙ୍କ ଦ୍ଵାରା ଆଦୌ କାମ ଚଳିବ ନାହିଁ । ଏଥର ପୂରା ସମୟବାଲା ହିଁ କାର୍ଯ୍ୟଟିକୁ ତୁଲାଇ ପାରିବେ । ପୂର୍ଣ୍ଣସମର୍ପିତ ଅର୍ଥାତ୍ ପୂରା ଶ୍ରଦ୍ଧାଳୁମାନେ ହିଁ ପୂରା ସମୟ ଦେଇ ପାରିବେ ।

 

ମଇ, ୧୯୮୯

Image

 

ଏ ଘର ମାରା ହୁଏ ନାହିଁ

 

ଯୋଉଠି ସିଏ ଥାଆନ୍ତି, ସେହି ସ୍ଥାନ କେବେହେଲେ ମାରା ହୁଏ ନାହିଁ । ଯେଉଁ ଘର ସତକୁ ସତ ତାଙ୍କରି ନିମନ୍ତେ ସମର୍ପିତ ହୋଇ ରହିଥାଏ, ସେହି ଘର କେବେହେଲେ ମାରା ହୁଏ ନାହିଁ । ମାତ୍ର, ସିଏ ସତକୁ ସତ କୋଉଠି ନ’ଥାନ୍ତି ଆପଣ କହିଲେ । ସିଏ ଯଦି ପଙ୍କ ହୋଇ ପୋଖରୀରେ ନ ଥାନ୍ତେ, ତେବେ ପୋଖରୀରେ ପଦ୍ମ ଫୁଟନ୍ତା ନାହିଁ । ସିଏ ଯଦି ଶିଳ୍ପୀ-ଆଖିର ମାଧ୍ୟମରେ ମାଟି ଭିତରେ ପ୍ରବିଷ୍ଟ ହୋଇ ନଥା’ନ୍ତେ, ତେବେ ସେହି ମାଟିରୁ ଆମ ଭିତରେ ରହିଥିବା ଶିଳ୍ପୀର ହାତ ବାଜି ମୂର୍ତ୍ତିଟିଏ ଗଢ଼ି ହୋଇ ପାରିଥାନ୍ତା କିପରି ? ଯଦି ଏ ଆବୁରୁଜାବୁରୁ ଶବ୍ଦଗୁଡ଼ାକୁ ଭିତରେ ସିଏ ସାରସ୍ଵତ ସମ୍ଭାବନା ହୋଇ ରହି ନଥା’ନ୍ତେ, ତେବେ ସେହି ଶବ୍ଦଗୁଡ଼ିକୁ ଗୁନ୍ଥି କବି କବିତାଟିଏ ଲେଖି ଥୋଇଦେଇ ପାରୁଥାନ୍ତା କିପରି ? କୌଣସି ସାନ ପିଲାର ନାକରୁ ଯେତେବେଳେ ସିଙ୍ଘାଣି ବୋହୁଥାଏ, ସେତେବେଳେ କ’ଣ ସିଙ୍ଘାଣିକୁ ଡରି ସିଏ ପିଲାଟିର ମୁହଁ ଉପରୁ ଆଉ କେଉଁଠାକୁ ଚାଲି ଯାଇଥାନ୍ତି ? ଯଦି, ମଣିଷର ସଫା ଲୁଗା କିମ୍ବା ପକ୍‌କା ଘର ଦେଖି ଭଗବାନ୍ ତା’ ଭିତରକୁ ଆସୁଥାନ୍ତେ ଓ ତା’ ଭିତରେ ବସାବାନ୍ଧି ରହୁଥାନ୍ତେ, ତେବେ ମଇଳା ଲୁଗା ପିନ୍ଧିଥିବା ଓ ମାଟି ଘରେ ତାଙ୍କୁ ଥାପୁଥିବା ମଣିଷ ପାଇଁ ସିଏ କଣ ପର ହୋଇ ରହିଥାନ୍ତି ? ଭକ୍ତିର ଇତିହାସ, ପ୍ରୀତିର ଇତିହାସ ଯୁଗେ ଯୁଗେ ଏହି ପୃଥିବୀରେ ଠିକ୍ ଓଲଟାଟା ହିଁ କହି ଆସିଛି । ଭଗବାନ କୁଆଡ଼େ ଅମାଲୁ ଆଉ କାନିକା ଛାଡ଼ି ଖୁଦ କଣିକାକୁ ଅଧିକ ମନ କରନ୍ତି, ମାନୀ ଦୁର୍ଯ୍ୟାଧନର ଦାମୀ ଫଳକୁ ପ୍ରତ୍ୟାଖ୍ୟାନ କରି ବିଦୁର ଘରେ ଶାଗ ଭାଜି ଖାଇବାକୁ ଯାଆନ୍ତି । ଅସଲ ରଥ ଛାଡ଼ି ଭକ୍ତର ବାଲିରଥକୁ ଅଧିକ ଶ୍ରଦ୍ଧା କରନ୍ତି ଓ ବଡ଼ ଦେଉଳର ମଣ୍ଡାଭୋଗ ଛାଡ଼ି ଶ୍ରୀୟା ଚାଣ୍ଡାଳୁଣୀର ଚାଳ ଘରେ ଯାଇ ପଶନ୍ତି । ଏଗୁଡ଼ାକ କ’ଣ ତୁଚ୍ଛା ମିଛ କଥା,—କେବଳ ଗରିବ, ଅସନା ଓ ଅଶୁଦ୍ଧମାନଙ୍କର ମୁଣ୍ଡରୁ ଫନ୍ଦା ହୋଇଥିବା କଥା ?

 

ସିଏ ମାରା ହୁଅନ୍ତି ନାହିଁ କିମ୍ବା ତାଙ୍କର ଘର ମଧ୍ୟ କେବେହେଲେ ମାରା ହୁଏ ନାହିଁ । ଆମେ ମାରା ହୋଇ ରହିଥାଉ । ବାହାରକୁ କେଡ଼େ ଗୋଲଗାଲ ଡଉଲଡ଼ାଉଲ ହୋଇ ଦିଶୁଥା, ମାତ୍ର ଭିତରେ ଗୋଟାସୁଦ୍ଧା ପଚାସଢ଼ା ହୋଇ ରହିଥାଉ । ପରିପୂର୍ଣ୍ଣ ପରିପାଟୀ ହୋଇ ଦିଶିବାକୁ ପନ୍ଦର ଆୟୋଜନରେ ପଚାଶ ବେତା ପଇସା ଖରଚ କରୁ, ତେଣେ ଭିତରଟା ପୋଲା ହୋଇ ରହିଥାଏ, ଆମ ଭିତରେ ଶୁଖିଲା ନିଲଠା କାଠଟାଏ କୋଉ କାଳରୁ କେଡ଼େ ଅନମନୀୟ ହୋଇ ଆମର ସବୁ ବାଟକୁ ବନ୍ଦ କରି ରଖିଥାଏ । ଆଖିରେ ମଇଳା ଭର୍ତ୍ତି ହୋଇ ରହିଥାଏ, ଆମର ହୃଦୟ ନାମକ ପେଟ ଭିତରେ ପୋକ ସାଲୁସାଲୁ ହେଉ ଥାଆନ୍ତି; ତଥାପି ତେଣେ ତିନିଥର ସ୍ନାନ ଚାଲିଥାଏ ତ ସାତଥର ଆଚମନ ଲାଗିଥାଏ । ଅଶୁଦ୍ଧଗୁଡ଼ାକୁ ଶୁଦ୍ଧର ଭ୍ରମ ଭିତରେ ଘୋଡ଼ାଇ ରଖିବାକୁ ବ୍ରାହ୍ମଣ ଡକା ହୋଇ ମନ୍ତ୍ରପାଣି ଛିଞ୍ଚା ହେବାରେ ଲାଗିଥାଏ । ତଥାପି ସବୁ ମାରା ହୋଇଯାଏ । ଜନ୍ମ ଜନ୍ମ କଟିଯାଏ, ତଥାପି ଆଖି ଦେଖି ପାରେ ନାହିଁ କି ହାତ ସ୍ପର୍ଶ କରି ପାରେ ନାହିଁ । ହୃଦୟ ଗୋଟାସୁଦ୍ଧା ଅମଙ୍ଗ ଓ ତେଣୁ କଠିନ ହୋଇ ରହିଥାଏ । ସିଏ ରହିଥାନ୍ତି, ମାତ୍ର ଆଖିଗୁଡ଼ାକୁ ଅନ୍ୟ ବହୁ ଗଣ୍ଠି ଭିତରେ ନେଇ ବାନ୍ଧି ରଖି ଥିବାରୁ ତାଙ୍କୁ ଆମେ ମୋଟେ ଠାବ କରି ପାରୁ ନାହିଁ । ଆମେ ମାରା ହୋଇ ରହିଥାଉ, ହୁଏତ ଅମଙ୍ଗ ହୋଇ ରହିବୁ ବୋଲି ପଣ ମଧ୍ୟ କରିଥାଉ । ସେଥିରୁ ହୁଏତ କିଛି ଲାଭ ମଧ୍ୟ ପାଉଥାଉ । ତେଣୁ ଭେଟ ହୋଇପାରେ ନାହିଁ ।

 

ମଣିଷ ଯୋଉଦିନ ଠାରୁ ଏକାଧିକ କାରଣରୁ ଭଗବାନଙ୍କ ଠାରୁ ଲୁଚିବାକୁ ମନ କଲା, ଶୁଦ୍ଧ ହେବାକୁ ନୁହେଁ, ଶୁଦ୍ଧ ହୋଇ ଦିଶିବାକୁ ସିଏ ଅଧିକ ନିରାପଦ ବୋଲି ଭାବିନେଲା, ହୁଏତ ସେହି ଦିନଠାରୁ ଏକ ଆଡ଼ମ୍ବରପୂର୍ଣ୍ଣ ଆଚାର—ବହୁଳତା ଭିତରେ ପଶି ସତକୁ ସତ ବେଶୀ ସୁଖ ପାଇଲା । ଆପଣାର ଭିତର ଆଡ଼କୁ ଦୁଆରଗୁଡ଼ିକୁ ବନ୍ଦ କରି ରଖିବାକୁ ସିଏ ଅଧିକ ଲାଭଜନକ ବୋଲି ଭାବିଲା କି କ’ଣ କେଜାଣି, ସେହି ଦିନଠାରୁ ସିଏ କେଡ଼େ ଆଡ଼ମ୍ବରରେ ବାହାରକୁ ଶହେଟା ତୋରଣ ସଜାଇ ରଖିଲା ଓ ଆପଣାକୁ କେଡ଼େ ଶୁଦ୍ଧ ବୋଲି ଭାବିଲା । ଯିଏ ସତକୁ ସତ ଶୁଦ୍ଧ, ସିଏ ବାହାରେ କେଡ଼େ ସହଜ ହୁଅନ୍ତା, କେଡ଼େ ସମ୍ବେଦନଶୀଳ ହୁଅନ୍ତା, ତା’ର ଶ୍ରଦ୍ଧା ହିଁ ତା’ର ସାନବଡ଼ ଯାବତୀୟ କାର୍ଯ୍ୟରେ ମୁହଁର ହସ ହୋଇ ଫୁଟି ଉଠି ପାରୁଥାନ୍ତା । ମାତ୍ର, ସଚରାଚର ଏହିପରି ଦୃଷ୍ଟିଗୋଚର ହୁଏ ଯେ, ଆଚାରକୁ ଜୀବନର ସବାବଡ଼ ଅଳଙ୍କାର କରି ପିନ୍ଧିଥିବା ମଣିଷମାନେ ହିଁ ପୃଥିବୀରେ ଭାରି ଅସହିଷ୍ଣୁ ହୁଅନ୍ତି । ସ୍ଥାନ ଅନୁସାରେ, ସମାଜ ଅନୁସାରେ, ଏପରିକି ଜଳବାୟୁ ଅନୁସାରେ ସେହି ଆଚାରଗୁଡ଼ିକ ଭିନ୍ନ ଭିନ୍ନ ହେବାକୁ ବାଧ୍ୟ ହୁଅନ୍ତି । ଭଗବାନ ଏହିସବୁ ଯାବତୀୟ ଆଚାର ସୀମାର ଉର୍ଦ୍ଧ୍ଵ ହୋଇଥିଲେ ମଧ୍ୟ ଆଚାରଗୁଡ଼ାକରେ ହିଁ ସିଏ ବଶ ହୁଅନ୍ତି ବୋଲି ମିଛ କହି ପୁରାଣ, ସଂହିତା ଏବଂ ମହାତ୍ମ୍ୟମାନ ଲେଖାଯାଏ । ମଣିଷମାନଙ୍କୁ ତାହାରି ଭିତରେ ବଶ କରି ରଖାଯାଏ, ଭାରି ଅଳପ କରି ରଖି ଦିଆଯାଏ । କାଳିଆ ମଣିଷମାନେ ହୁଏତ ସଫା ଦିଶିବେ ବୋଲି ସାଧାରଣଙ୍କ ଅପେକ୍ଷା ଅଧିକ ଘଷିମାଜି ହୁଅନ୍ତି । ଭଗବାନ ରୂପଟିଏ ଦେଲେ ନାହିଁ ବୋଲି ନିରନ୍ତର ସନ୍ତପ୍ତ ହେଉଥିବା ଦୁଃଖୀମାନେ ସତେଅବା ଏକ କ୍ଷତିପୂରଣ କଲାପରି ଦେହଯାକ ଭଳିଭଳି ଗହଣା ଲଦା ହୋଇ ରହିବାକୁ ଭଲ ପାଆନ୍ତି । ଭିତରେ ଅସଲ ଶୁଦ୍ଧି ଅର୍ଥାତ୍ ଅସଲ ସହଜତା ଓ ଅସଲ ସମ୍ମତି ଓ ପ୍ରୀତିଟି ନଥିଲେ ହିଁ କ’ଣ କେତେକ ମଣିଷ ଆଚାରଗୁଡ଼ାକୁ ଏଡ଼େ ଆକୁଳ ଓ ଉଦ୍ଧତ ଭାବରେ କାମୁଡ଼ି କରି ରହିଥାନ୍ତି କି ? ସେମାନେ ଭାରି ଅଭିଶପ୍ତ ହୋଇ ରହିଥାନ୍ତି, ନିଜକୁ ନିଜେ ଅସ୍ପୃଶ୍ୟ କରି ରଖିଥାନ୍ତି ।

 

ଆମର ଶିକ୍ଷାକେନ୍ଦ୍ରକୁ ଆମେ ତାଙ୍କରି ମନ୍ଦିର ବା ତାଙ୍କରି ଘର ବୋଲି ଗ୍ରହଣ କରି ନେଇଛେଁ । ଆମ ସ୍କୁଲ ନାମକ ତାଙ୍କରି ଉପବନରେ ଆମକୁ ସେଠାରେ ପଢ଼ିବାକୁ ଆସୁଥିବା ପିଲାମାନେ ଗୋଟିଏ ଗୋଟିଏ ଫୁଲପରି ଦେଖା ଯାଉଥାନ୍ତେ । ସେହି ଫୁଲମାନଙ୍କର ସାନ୍ନିଧ୍ୟ ଲାଭ କରି ଆମ ଭିତରର ମୁରୁକୁଟିଆ ପାଖୁଡ଼ାଗୁଡ଼ିକ ବି ମୁକୁଳି ଉଠୁଥାନ୍ତେ, ଆମକୁ ଏକ ଆନନ୍ଦମୟ ପରମ ସମୀପ୍ୟର ସୌଭାଗ୍ୟ ଆଣି ଯୋଗାଇ ଦେଉଥାନ୍ତେ । ମାତ୍ର, ଆମ ବଡ଼ମାନଙ୍କର ସେଥିଲାଗି ସମୟ ରହିଥିଲେ ସିନା ହୁଅନ୍ତା । ଆମେ ଭାବୁଛୁ, ଆମେ ଯେତିକି ହୋଇଛୁ ସେତିକିରୁ ଅଧିକ ଆଉକିଛି ହୋଇ ପାରିବାର କୌଣସି ପ୍ରଶ୍ନ ହିଁ ଉଠୁନାହିଁ । ଆମର ମୁକୁଳି ଉଠିବା ପାଇଁ ଆଉ କୌଣସି ପ୍ରୟୋଜନ ନାହିଁ । ଭିତରର ଶିଶୁଟିକୁ ଆମେ ସତେଅବା ଭୟ କଲାପରି କୋଉ ଗାତ ଭିତରେ ନେଇ ଲୁଚାଇ ରଖିଛୁ । ସମ୍ଭବତଃ ସେହି କାରଣରୁ ହିଁ ବଡ଼ ଅସହଜ ଏବଂ ଅନମନୀୟ ଭାବରେ ଆମର ନିଜ ଅଭ୍ୟସ୍ତ ଆଚାରଗୁଡ଼ାକୁ ନେଇ ଶିକ୍ଷାକେନ୍ଦ୍ର ଉପରେ ଲଦି ଦେଉଛୁ । ତୁଚ୍ଛା ଆଚାର ସର୍ବସ୍ଵ ମଣିଷମାନେ ଅସଲ ଆଲୋକଟିକୁ ଦେଖିବାକୁ ମନ କରୁ ନଥାନ୍ତି, ତେଣୁ ନିଷେଧଗୁଡ଼ାକୁହିଁ ସର୍ବାଧିକ ପରିମାଣରେ ଦେଖନ୍ତି । ନିଜ ଭିତରେ ସତେଅବା ବହୁ ନିଷେଧକୁ ମାନୁଥିବାରୁ ସାନ୍ତ୍ଵନା ଦ୍ଵାରା ଆପଣା ଉଦୟଟିର ମୁହଁରେ କନାବିଣ୍ଡା ମାରି ରଖିଥାନ୍ତି । ଆଚାରଗୁଡ଼ାକ ଯେ ଏକ ନିର୍ଦ୍ଧିଷ୍ଟ ଧର୍ମର, ଆଧ୍ୟାତ୍ମିକତାର ଯେ ଏକ ସ୍ଵତନ୍ତ୍ର ଆଚାର ଓ ପରିମଳ ରହିଛି, ଆଧ୍ୟାତ୍ମିକତାକୁ ସମ୍ମତ ହୋଇପାରୁ ନଥିବା ଧର୍ମ ଯେ ଅଧିକାଂଶ ସମୟରେ ଆଚାର ଗୁଡ଼ାକର ବାଣଦ୍ଵାରା ଅସଲ ଉନ୍ମୋଚନଟିକୁ ଅବରୁଦ୍ଧ କରି ରଖିଥାଏ, ଏହି ବ୍ୟକ୍ତିମାନେ ସତେଅବା ପ୍ରୟୋଜନରେ ପଡ଼ି ସେହି କଥାଟିକୁ ଗ୍ରହଣ କରିବା ଲାଗି ସାହସ କରନ୍ତି ନାହିଁ । ଆଚାରଗୁଡ଼ିକକୁ ନ ମାନିଲେ ଘର ମାରା ହୋଇଯିବ ବୋଲି ଭୟ କରୁଥାନ୍ତି ।

 

ସେଦିନ ଶିକ୍ଷାକେନ୍ଦ୍ରରେ ଦୁଇଟା ଗାଆଁର ଅତିଥି ଆସି ଖାଇଲେ, ଗାଆଁର ପିଲାମାନେ ଖାଇଲେ । ଖାଇବାରେ ମାଉଁସ ପରଷାଗଲା । ଯେଉଁ ବ୍ରାହ୍ମଣ ପୂଜା କରିବାକୁ ଆସିଥିଲେ, ସିଏ ମଧ୍ୟ କେଡ଼େ ସନ୍ତର୍ପଣରେ ଆମିଷ ଭୋଜନ କଲେ । ଖୁସିରେ ଖାଇ ବସିଥିବା ସମୟରେ ଥାଳିରେ କ’ଣ ସବୁ ବଢ଼ା ହେଉଛି ବା ନ ହେଉଛି, ସେକଥା କେଡ଼େ ସହଜରେ ପାସୋର ହୋଇଯାଏ । ଯେଉଁମାନେ ଖାଇଲାବେଳେ ମଧ୍ୟ ଖୁସି ହୋଇପାରନ୍ତି ନାହିଁ, ସେହିମାନେ ହିଁ ଠାଆ ବାରନ୍ତି, ଆମିଷ ନିରାମିଷ ବାରନ୍ତି । ମାଉଁସ ଖଣ୍ଡେ ଭଗବାନଙ୍କର ବାଟକୁ ରୋଧ କରି ରଖିଦେଇ ପାରିବ ବୋଲି ଭାବିବା ଲାଗି ସାହସ ମଧ୍ୟ କରନ୍ତି । ହୁଏତ ଏକଥା ସତ ଯେ, ଶିକ୍ଷାକେନ୍ଦ୍ରରେ ଆମିଷ ପଶିବ ନାହିଁ ବୋଲି ଆମେ ଆଗରୁ ସ୍ଥିର କରିଥିଲେ । ସେହି ବିଧିରେ ଯଦି କାହାରି ଦ୍ଵାରା ଖିଲାପ ହୋଇଗଲା, ତେବେ ଆମେ ଅଧିକ ବୁଝୁଥିବା ଲୋକମାନେ ସେଥିରେ ଏତେ ଅସହିଷ୍ଣୁ ହୋଇ ପଡ଼ିବା କାହିଁକି ? ଆମିଷ ପଶିବା ଦ୍ଵାରା ଶିକ୍ଷାକେନ୍ଦ୍ର ଅଶୁଦ୍ଧ ହୋଇଗଲା, ତେଣୁ ମୁଁ ଆଉ କଦାପି ଶିକ୍ଷାକେନ୍ଦ୍ରର ଦୁଆର ମାଡ଼ିବି ନାହିଁ ବୋଲି ରୁଷି ବସିବ କାହିଁକି ? ଅପରାଧ ବିଷୟରେ ଏକ ଅସୁସ୍ଥ ଦୃଷ୍ଟିକୋଣ ରହିଥିଲେ ହିଁ ଅନେକ ମଣିଷ ଏହିପରି ରେଣ୍ଟିକରି ବସନ୍ତି, ଅନୁଦାର ହୁଅନ୍ତି, ଅସହିଷ୍ଣୁ ହୁଅନ୍ତି । ଆମେ ସାବଧାନ ରହିବା, ନିଷେଧକୁ ଆଚାର ବୋଲି ଭ୍ରମ କରି ଆମେ ଦୂରଛଡ଼ା ହୋଇ ପଳାଇବା ନାହିଁ ।

 

ଶ୍ରୀ ଅରବିନ୍ଦ ହିନ୍ଦୁ ଘରେ ଜନ୍ମ ହୋଇଥିଲେ, ମାତ୍ର ତାଙ୍କର ସାଧନା ହିନ୍ଦୁଧର୍ମର ସାଧନା ନ ଥିଲା । ତାହା ସମଗ୍ର ମାନବଜାତି ଲାଗି ଉଦ୍ଦିଷ୍ଟ ହୋଇ ରହିଥିଲା । ମାଆ ଫ୍ରାନ୍‌ସରେ ଜନ୍ମ ହୋଇଥିଲେ, ମାତ୍ର ତାଙ୍କୁ ବିଶ୍ଵଜନନୀ ବୋଲି ଗ୍ରହଣ କରିବା ପରେ ଆମେ କଦାପି ସିଏ କେବଳ ଫରାସୀ ବା କେବଳ ଇଉରୋପୀୟ ବୋଲି ଦାବି କରି କହିପାରିବା ନାହିଁ । ପୃଥିବୀରେ ଏପରି ବହୁ ଧର୍ମ ରହିଛି, ଯେଉଁଥିରେ କି ଆମିଷକୁ ମୋଟେ ଅଶୁଦ୍ଧ ବୋଲି କୁହାଯାଏ ନାହିଁ ।

 

ପୃଥିବୀରେ ଆମିଷ ଭୋଜନ କରୁଥିବା ମଣିଷଙ୍କ ଭିତରେ ନିଷ୍ଠାବାନ, ସଦାଚାରୀ ଓ ଆଧ୍ୟାତ୍ମବନ୍ତ ବହୁସଂଖ୍ୟାରେ ରହିଛନ୍ତି । ହିନ୍ଦୁଧର୍ମରେ ମଧ୍ୟ କେତେକ ପୂଜାରେ ଆମିଷକୁ ଦେବତାଙ୍କ ପାଖରେ ନିବେଦନ କରା ଯାଇଥାଏ । ତେବେ କେଉଁଠି କିଏ ଘର ଭିତରେ ଆମିଷ ଆଣି ପୂରାଇଦେଲା ବୋଲି ଆମେ ଏପରି ପ୍ରଚଣ୍ଡ ହୋଇପଡ଼ିବା କାହିଁକି ? ଆମକୁ ଆହୁରି ଅନେକ ବାଟ ଯିବାକୁ ହେବ, ବିଧି ଓ ଅବିଧିର ଅନେକ ବାଡ଼କୁ ପାର ହୋଇ ଶ୍ରଦ୍ଧାର ଭୂମିକୁ ଯିବାକୁ ପଡ଼ିବ ।

 

ଧର୍ମର ଅର୍ଗଳିଗୁଡ଼ାକୁ ପାର ହୋଇ ଆଧ୍ୟାତ୍ମିକତା ମଧ୍ୟରେ ପ୍ରବେଶ କରିବାକୁ ହେବ । ଅସଲ ବିନୟ ଭିତରେ ପ୍ରବେଶ କରି ପାରିଲେ ଯାଇ ଆମେ ପ୍ରତ୍ୟେକ ମନୁଷ୍ୟ ଭିତରେ ଅସଲ ଆସ୍ଥାନଟିକୁ ଅତ୍ୟନ୍ତ ସହଜ ଭାବରେ ଦେଖିପାରିବା । ସେହି ଆସ୍ଥାନଟି, ଯାହାକୁ ଶୁଦ୍ଧ ବା ଅଶୁଦ୍ଧର କୌଣସି ବାରଣ ଓ ବିକୃତି ସ୍ପର୍ଶ କରିପାରେ ନାହିଁ, ଯେଉଁଠି ଆମେ ସାଙ୍ଗରେ ଯିବାକୁ ରାଜି ହେବା ପର୍ଯ୍ୟନ୍ତ ଆମର ପରମସଙ୍ଗୀ ଆମ ଲାଗି ଅପେକ୍ଷା କରି ରହିଥାନ୍ତି, ସେଠି ଯାଇ ପହଞ୍ଚି ପାରିଲେ ସକଳ ଗଣ୍ଠି ଫିଟିଯାଏ, ସକଳ ଆଖି କେବଳ ତାଙ୍କରି ଉପରେ ଯାଇ ପଡ଼ିବାକୁ ସମର୍ଥ ହୁଏ । କେବଳ ସେଇ ଦୃଶ୍ୟ ହେଲେ ସଂସାରରେ ଆଉ କାହାକୁ ହେଲେ ମ୍ଳେଚ୍ଛ ବୋଲି କହିବାକୁ ମନ ବଳେ ନାହିଁ-। ଅସଲ ଅନ୍ଧବିଶ୍ଵାସଗୁଡ଼ିକ ସେତିକିବେଳେ ତୁଟେ, ଅସଲ ସିନ୍ଦୂରା ସେତିକିବେଳେ ଫାଟେ-

 

ତେଣୁ ଆମେ ଆମ ସଂକଳ୍ପର ଘରଟି ଅନୁସାରେ ଯୋଗ୍ୟ ହେବାକୁ ଚେଷ୍ଟା କରିବା । ଖୁସି ହେବା, ଖୁସି ଦେଖିବା । ଆମର ଉପସ୍ଥିତି ସର୍ବତ୍ର କେବଳ ସେହି ଖୁସିକୁ ହିଁ ଉଦବୋଧିତ କରି ଆଣି ପାରୁଥିବ । ଏହି ଖୁସି ଦ୍ଵାରା ହିଁ ସଂସାର କଳିର ଯାବତୀୟ ମଳିକୁ ଅତିକ୍ରମ କରିବ । ବିଶ୍ଵାସ ହିଁ ରାଜା ହେବ, ସଦ୍‌ଭାବ ନାହିଁ ଅସଲ ବ୍ରାହ୍ମଣରୂପେ ସ୍ଵୀକୃତ ହେବ । ସେତେବେଳେ ଆଚାର ଅବଶ୍ୟ ରହିବ, ମାତ୍ର ଆଚାରୀ ଭିତରେ କୌଣସି ଅସହିଷ୍ଣୁତା ମୋଟେ ରହିବ ନାହିଁ । ଖଣ୍ଡିଆଗୁଡ଼ାକ ସତ୍ତ୍ୱେ ମଣିଷର ମୁହଁଟିକୁ ଅନାଇବା ମାତ୍ରକେ ଆମେ ତାହାର ପୂର୍ଣ୍ଣ ସମ୍ଭାବନାଟିକୁ ଅବଶ୍ୟ ଦେଖି ପାରୁଥିବା । ଆମର ଶିକ୍ଷାକେନ୍ଦ୍ରଗୁଡ଼ିକ ସତକୁ ସତ ସେହିପରି ଗୋଟିଏ ଗୋଟିଏ ଆସ୍ଥାନରେ ପରିଣତ ହୋଇଉଠୁ ।

 

ଜୁନ୍, ୧୯୮୯

Image

 

ପୃଥିବୀ ରହିଲେ ଯାଇ ମୋ’ ଘର ରହିବ

 

ନିଜେ ଭଲ ଥିଲେ ଯଦି ଦୁନିଆ ସତକୁ ସତ ଭଲ ହୋଇ ରହି ପାରୁଥାନ୍ତା, ତେବେ ଆମେ ପ୍ରକୃତରେ କେଡ଼େ ଭଲରେ ରହି ନ ଥାନ୍ତେ ! ସଂସାରକୁ ଆଖି ବୁଜି ଦେଇ ଆପଣାର ମହତକୁ ଆପେ ଜଗୁଥିଲେ ଯଦି ଆପଣାର ମହତ ସତକୁ ସତ ରହି ପାରୁଥାନ୍ତା, ତେବେ ଆମ ସମସ୍ତେ ପ୍ରକୃତରେ କେଡ଼େ ଅନ୍ୟ ପ୍ରକାରେ ରହି ନ ଥାନ୍ତେ ! ଶୁଦ୍ଧ ଜାଗାଟିଏ, ସହଜ ଜାଗାଟିଏ, ନିକାଞ୍ଚନ ଜାଗାଟିଏ ଖୋଜିଖୋଜି ପୃଥିବୀର ସଜ୍ଜନମାନେ, ମହାନମାନେ ସତେଅବା କେଡ଼େ ଆନନ୍ଦାତୁର ଭାବରେ ଯୁଗେ ଯୁଗେ ଅରଣ୍ୟକୁ ପଳାଇଛନ୍ତି, ପାହାଡ଼ ଉପରକୁ ପଳାଇଛନ୍ତି,—ଆପଣାର ଅଲଗା ଜାଗାଟିଏ ଖୋଜି ସେଇଠି ଯାଇ ରହିଛନ୍ତି । ମାତ୍ର ତଦ୍ଦ୍ଵାରା କ’ଣ ଅସଲ ସମସ୍ୟାଗୁଡ଼ିକର ସମାଧାନ ହୋଇ ପାରିଛି ? ପୃଥିବୀକୁ ମାୟା ବୋଲି କହି ପୃଥିବୀରୁ ପଳାଇ ଯାଉଥିବା ବଡ଼ ମଣିଷମାନେ କ’ଣ ସତକୁ ସତ ମାୟାର ସମାଧାନ କରି ପାରିଛନ୍ତି ?

 

ଏଣେ, ଆମେ ଯେଉଁମାନେ ସଂସାର ଭିତରେ ରହିଛୁ, ସେମାନେ ମଧ୍ୟ କେଡ଼େ ସୂତରରେ ଆପଣାର ସଂସାର ବୋଲି ଅରଣ୍ୟଟିଏ ବାଛି ନେଇଛୁ । ସେଠି ଆମେ କେଡ଼େ ବ୍ୟସ୍ତ ସମସ୍ତ ହୋଇ ଆପଣାର ସଂସାରନାମକ ଗର୍ତ୍ତ ମଧ୍ୟରେ ନିବୁଜ ହୋଇ ରହିବା ନିମନ୍ତେ କେତେ ନା କେତେ ଉଦ୍ୟମ କରିବାରେ ଲାଗିଛୁ । ସୁଖ କହିଲେ କେବଳ ଆପଣାର ସୁଖକୁ ଜାଣିଛୁ, ଶାନ୍ତି କହିଲେ କେବଳ ଆପଣାର ଶାନ୍ତିକୁ ବୁଝୁଛୁ, ଆମେ ସେହି ଗାତ ଭିତରେ ହିଁ ଜୀବନର ଯାବତୀୟ ସଫଳତାକୁ ଖୋଜିବାରେ ଲାଗିଛୁ । ଅତ୍ୟନ୍ତ ବିଭ୍ରାନ୍ତ ଭାବରେ ଏହିପରି ଖୋଜି ଖୋଜି ଯାହା ପାଉଛୁ, କେଡ଼େ ବିକଳ ହୋଇ ଆମେ ଅନେକ ସମୟରେ ତାହାକୁ ହିଁ ସଫଳତା ବୋଲି କହୁଛୁ । ପୃଥିବୀଟା ଯାକ ଏବେ ପ୍ରଧାନତଃ ଏହିଭଳି ବହୁ ସଫଳତାର ହୁରି ପଡ଼ିଛି । ଆମର ଏହି ତଥାକଥିତ ସଫଳତାଗୁଡ଼ିକ ମଧ୍ୟରେ କେଉଁଠି କି ବିନାଶକାରୀ ଦୁର୍ବୁଦ୍ଧି ଏବଂ ଦୁର୍ବୃତ୍ତି ଲୁକ୍କାୟିତ ହୋଇ ରହିଛି କେଜାଣି, ତେଣେ ଆମ ସଂସାରଟା ତାହାରି କାରଣରୁ ବିଫଳରୁ ଅଧିକ ବିଫଳ ହେବାରେ ଲାଗିଛି । ପୃଥିବୀରେ ଭୟ ବଢ଼ୁଛି, ସଂଶୟ ବଢ଼ୁଛି, ଦୂରତା ବଢ଼ୁଛି । ଏହି ସବୁକିଛି ଭୀଷଣରୁ ଅଧିକ ଭୀଷଣ ହୋଇ ବଢ଼ୁଛି, କାରଣ ଆମ ଭିତରେ ଅହଂଟା ବି ବଢ଼ୁଛି । ଅହଂ ରାଜା ହୋଇ ବସିଛି । ଆପଣାର ଚାରି ପାଖରେ କାନ୍ଥଗୁଡ଼ିକୁ ବଡ଼ ଓ ଆହୁରି ବଡ଼ କରି ସିଏ ତାହାରି ଭିତରେ ରାଜା ହୋଇ ବସିଛି ।

 

ସେହି ଅହଂ କେତେବେଳେ ଏକାନ୍ତ ବ୍ୟକ୍ତିଗତ ଭାବରେ ଆପଣାର ପରାକ୍ରମ ଦେଖାଇବାରେ ଲାଗିଛି ତ ଆଉ କେତେବେଳେ ବୈରାଗୀ ବିରାଡ଼ିର ଉଦାରତା ଦେଖାଇ କେତେଟା ସାମୂହିକ ଅହଂ ଭିତରେ ଆପଣାକୁ କେଡ଼େ ହାସ୍ୟାସ୍ପଦ ଭାବରେ ଭୁଲାଇ ରଖିବାକୁ ମନ ବି କରୁଛି । ସାମୂହିକତାର ମୁଖା ପିନ୍ଧି ଆପଣାର ଅସଲ ମୁହଁଟିକୁ ଘୋଡ଼ାଇ ରଖିବାକୁ ଚେଷ୍ଟା କରୁଛି । ଜାତି, ଦେଶ, ଆଦର୍ଶ, ଧର୍ମ, ସମ୍ପ୍ରଦାୟ,—ଏସବୁ ଏହିଭଳି ଗୋଟିଏ ଗୋଟିଏ ସାମୂହିକ ମୁଖା । ଏହି ମୁଖା ପିନ୍ଧି ମଣିଷ କାଳ କାଳ ଧରି ଦୈତ୍ୟପରି ଆଚରଣ କରି ଆସିଛି । ଏବେ ମଧ୍ୟ କରୁଛି । ଏହି ମୁଖାଗୁଡ଼ିକୁ ପ୍ରଶ୍ରୟ ଦେବାଲାଗି ପୃଥିବୀର ଅର୍ଥନୀତି, ରାଜନୀତି ଓ ସାହିତ୍ୟକୁ ମଧ୍ୟ ଅନୁରୂପ ବେଶ ମାନ ପିନ୍ଧାଇ ଦିଆ ଯାଇଛି । ତେଣୁ ଆଧୁନିକ ଅର୍ଥନୀତିକୁ କେଡ଼େ ବାଗରେ ଜାତୀୟ ଅର୍ଥନୀତି ବୋଲି କୁହା ଯାଉଛି । ସେହି ଅର୍ଥନୀତିର ବେଢ଼ ଭିତରେ ପୃଥିବୀରେ ଅଧିକରୁ ଅଧିକ ମଣିଷ ଗୋଲାମ ହୋଇ ରହିଛନ୍ତି । ଧନ ବଢ଼ୁଛି, ଧନାଢ଼୍ୟତାର ଅଧିକରୁ ଅଧିକ ପ୍ରଶସ୍ତି କରାଯାଉଛି । ମାତ୍ର, ମଣିଷର ଯେଉଁ ଅସଲ ଧନ ଓ ଏୗଶ୍ଵର୍ଯ୍ୟକୁ ବଢ଼ାଇବା ଲାଗି ପୃଥିବୀରେ ଧନର ଭିଆଣ କରାଯାଇଥିଲା, ସେହି ଧନରେ ମଣିଷ କେଡ଼େ ଶୋଚନୀୟ ଭାବରେ ଦରିଦ୍ର ହେବାରେ ଲାଗିଛି । ପୃଥିବୀରେ ଅଧିକାଂଶ ଧନ ମଣିଷକୁ ଅଧିକ ଅହଂକାରୀ ହେବାରେ ସାହାଯ୍ୟ କରୁଛି । ଏବଂ, ଦେଶମାନଙ୍କର ଅର୍ଥ ଗୁଣରୁ ଦଶଗୁଣ ହେଉଛି ସତ, ମଣିଷ ଅଧିକରୁ ଅଧିକ ଦରିଦ୍ର ହେବାରେ ଲାଗିଛି । ପୃଥିବୀର ଅଧିକାଂଶ ଧନ ପୃଥିବୀର ମଙ୍ଗଳ ପାଇଁ ମୋଟେ ଖରଚ ହେଉ ନାହିଁ । ପୃଥିବୀର ଭୟ ବଢ଼ାଇବା ପାଇଁ, ପରାକ୍ରମୀକୁ ଅଧିକ ପରାକ୍ରମଯୁକ୍ତ କରିବା ପାଇଁ ଅର୍ଥାତ୍ ଭୀରୁକୁ ଅଧିକ ଭୀରୁ କରିବା ଲାଗି ପୃଥିବୀର ଅଧିକ ଧନ ସରୁଛି ।

 

ଆମର ବଦାନ୍ୟତା ଖୁବ୍ ବେଶୀ ହୋଇ ଆମର ପରିବାର ପର୍ଯ୍ୟନ୍ତ ଯାଇପାରିଛି । ସାମନ୍ତବାଦୀ ଯୁଗର ସାମନ୍ତମାନେ ଆପଣା ଆପଣାର ପରିବାରକୁ ନେଇ କେତେ ଗର୍ବ କରୁଥିଲେ-। ଏବେ ମଧ୍ୟ ଆମର ଅହଂଟା ଆମ ଭିତରେ ପ୍ରଧାନତଃ ସାମନ୍ତ ହୋଇ ବସି ରହିଥିବାରୁ ପାରିବାରିକ ସିଦ୍ଧିଟାକୁ ହିଁ ଆମେ ସତେଅବା ଜୀବନର ସର୍ବ ବରିଷ୍ଠ ସିଦ୍ଧି ବୋଲି ମାନି ନେବାରେ ଭାରି ଅଭ୍ୟସ୍ତ ହୋଇଯାଇଛୁ । ପୃଥିବୀ ନ ରହିଲେ ମଧ୍ୟ ଆମର ଏହି ପରିବାରଟି ଅବଶ୍ୟ ରହିବ ବୋଲି ଏକ ଭ୍ରମକୁ ଜୀବନ ସମ୍ଭାର କରି ଆମେ କେତେ କ’ଣ କରୁଛୁ; ପ୍ରାୟ ଏକ ଅନନ୍ତ ସଦିଚ୍ଛାର ସହିତ କେତେ ଚଣ୍ଡାଳପଣ କରିବାରେ ଲାଗିଛୁ । ଆମର କୁନି କୁନି ଚଣ୍ଡାଳପଣଗୁଡ଼ିକ ପୃଥିବୀର, ଜୀବନସଂହତିର ଅସଲ ମୂଳଗୁଡ଼ିକୁ ଖାଇଖାଇ ଯିବାରେ ଲାଗିଛି । ଜୀବନର ଯାବତୀୟ ଧର୍ମକୁ ଆମେ ପରିବାର ପ୍ରତି ଆମର ଏହି ତଥାକଥିତ କର୍ତ୍ତବ୍ୟ ଧର୍ମର ଅଧୀନ କରି ରଖିଛୁ । ପରିବାର ଲାଗି ଚୌର୍ଯ୍ୟବୃତ୍ତି କରୁଛୁ, ବହୁ ମିଛ ଶୌର୍ଯ୍ୟ ଦେଖାଉଛୁ ଏବଂ ତଦ୍ଦ୍ଵାରା ଅସଲ ଧର୍ମଟିର ପାଳନ କରୁଛୁ ବୋଲି ଆପଣାକୁ କେତେ ପ୍ରବୋଧନା ଦେବାରେ ଲାଗିଛୁ-। ଆମେ ଯେମିତି, ଆମର ନୈତିକତାଗୁଡ଼ାକ ମଧ୍ୟ କାଳକ୍ରମେ ପ୍ରାୟ ସେହିପରି ହୋଇ ସାରିଲାଣି-। ଆମ ପଣ୍ଡିତମାନେ ଓ ସଜ୍ଜନମାନେ ମଧ୍ୟ ଆମର ଏହି ବୃତ୍ତିଟିକୁ ସୁହାଇଲା ଭଳି ଅନୁକୂଳ ନୀତିଶାସ୍ତ୍ରମାନ ଲେଖି ଥୋଇ ଦେଉଛନ୍ତି । ଆମ ଠାକୁରମାନେ ମଧ୍ୟ ଆମର ଖାଉଛନ୍ତି ଓ ଆମର ଗାଉଛନ୍ତି । ପୃଥିବୀ ବୁଡ଼ି ବୁଡ଼ି ଯାଉଛି ବୋଲି ଅବସର ସମୟର ସାଂସ୍କୃତିକ ନାନା ବିନୋଦନ ବେଳେ ଆମେ କେଡ଼େ ପାଟିରେ ଚିତ୍କାର କରିବାରେ ଲାଗିଛୁ ଏବଂ, ଏହି ପୃଥିବୀ ଯେମିତି ସତକୁ ସତ ବୁଡ଼ିଯିବ, ଆମ ବ୍ୟକ୍ତିଗତ ତଥା ପାରିବାରିକ ଜୀବନରେ, ସତେଅବା ଅତ୍ୟନ୍ତ ଦୁରାଗ୍ରହ ସହିତ ତାହାରି ବରାଦ କରିବାରେ ଲାଗିଛୁ ।

 

ଆମ ଭିତରୁ ଯେଉଁମାନେ ପୃଥିବୀ ଆଡ଼କୁ ନିଜର ଦୁଆରକୁ ଗୋଟାସୁଦ୍ଧା କିଳି ଦେଇ ଆମକୁ ଆପଣା ପରିବାରରେ ହିଁ ଶାନ୍ତି ଏବଂ ସୁଖରେ ରହିବାର ପରାମର୍ଶ ଦେଉଛନ୍ତି, ସେହି ବ୍ୟକ୍ତିମାନଙ୍କୁ ପ୍ରକୃତରେ ଧିକ୍ । ଗୁରୁମାନେ ଯେତେବେଳେ ଭୀରୁ ହୋଇ ଯାଆନ୍ତି, ସେତେବେଳେ ସେମାନେ ପ୍ରାୟ ଏହି ସ୍ତରର ଏକ ଶାନ୍ତି ଏବଂ ସୁଖର କଥା କହିଥାଆନ୍ତି । ଗୁରୁ ସିନା ଦୁଆର ଖୋଲିବାକୁ ଆସିଥାଏ, ଉତ୍ତୋଳିତ କରିନେବାକୁ ଆସିଥାଏ । ମଣିଷକୁ ତା’ ଭିତରେ ରହିଥିବା ବିରାଟର ପରିଚୟ ଦେବା ପାଇଁ ଆସିଥାଏ ।

 

ଏହି ପୃଥିବୀ ବଦଳିବ, ପରବର୍ତ୍ତୀ ବହୁ ଚେତନା ତଥା ସମ୍ଭାବନାର ଯୋଗ୍ୟ ହେବ,–ଅସଲ ଗୁରୁ ପୃଥିବୀର ମନୁଷ୍ୟମାନଙ୍କୁ ସେହି କଥାଟି କହି ପାରୁଥାନ୍ତା-। ମାତ୍ର, ଅଧିକାଂଶ ଗୁରୁ ଏକାଧିକ କାରଣରୁ ତାହା କରି ପାରନ୍ତି ନାହିଁ । ସମ୍ଭବତଃ ସେମାନେ ବି ସାମନ୍ତ ହୋଇ ଯାଆନ୍ତି । ସଂସାରକୁ ପୁରୁଣା କରି ରଖନ୍ତି । ମନୁଷ୍ୟକୁ ଏକ ନୂତନ ପୃଥିବୀ ଲାଗି ପ୍ରସ୍ତୁତ ନ କରି, ଏହି ପୁରୁଣାଟା ଭିତରେ ତଥାପି ସଫଳ ହୋଇ ପାରିବାର ମନ୍ଦ ପରାମର୍ଶ ଦେବାରେ ଲାଗିଥାନ୍ତି । ଜୀବନ ଯେଉଁଠି ଥାଏ, ସେଇଠାରେ ଶୀତଳ ହୋଇ ପଡ଼ିରହେ-। ଚେତନା ଘରେ ଅଳନ୍ଧୁ ଲାଗିଯାଏ । ମଣିଷମାନେ ଅପାରୁଆ ହୋଇ ରହନ୍ତି । ଅଧିକକୁ ମନ କରନ୍ତି ନାହିଁ-

 

ଭାରତୀୟ ତନ୍ତ୍ରଶାସ୍ତ୍ରର ଇତିହାସରୁ ଆମକୁ ଏହାର ଏକ ଚମତ୍କାର ଦୃଷ୍ଟାନ୍ତ ମିଳି ପାରିବ । ତନ୍ତ୍ର ସାଧନା ଶକ୍ତିର ଉଦବୋଧନ ଦେଇଥା’ନ୍ତା, ଶକ୍ତିର ଆବାହନ କରାଇଥା’ନ୍ତା । ତନ୍ତ୍ରର ସାଧକ ଦେବୀଙ୍କର ଶକ୍ତି ଦ୍ଵାରା ଶକ୍ତିମାନ ହୋଇ ଦେବୀଙ୍କର ଏହି ଜଗତ ଲାଗି କାମରେ ଲାଗିପାରିଥାନ୍ତା । ମାତ୍ର କାଳକ୍ରମେ ତନ୍ତ୍ରର ସେହି ଓୗଜ୍ଜଲ୍ୟ ଓ ଏୗଶ୍ଵର୍ଯ୍ୟ ପଣ୍ଡ ହୋଇଗଲା । ବ୍ୟକ୍ତିଗତ ସିଦ୍ଧି ଏବଂ ବ୍ୟକ୍ତିଗତ ଭଲ ଓ ମନ୍ଦର ଯାବତୀୟ ଅଭିପ୍ରାୟ ସିଦ୍ଧି କରିବା ନିମନ୍ତେ ତାନ୍ତ୍ରିକମାନେ କିମିଆ ମନ୍ତ୍ରମାନ ବାହାର କଲେ, ତନ୍ତ୍ରର ଅସଲ ଐତିହ୍ୟ ଏବଂ ଆହ୍ଵାନକୁ ନପୁଂସକ କରି ପକାଇଲେ । ଠିକ୍ ଏହିପରି ଭାବରେ ଭୀରୁ ଓ ଅସମ୍ମତ ବ୍ୟକ୍ତିର ବହୁ କ୍ଷୁଦ୍ର ଅଭୀଷ୍ଟର ସିଦ୍ଧି ପାଇଁ ଏହି ପୃଥିବୀରେ ଈଶ୍ଵରୀୟ ନାନା ପ୍ରେରଣାକୁ ପଣ୍ଡ କରି ଦିଆଯାଇଛି । ମଣିଷକୁ ତା’ ସାନ ଇଷ୍ଟଗୁଡ଼ିକର ଘର ଭିତରେ ଆଣି କିଳି ଦିଆଯାଇଛି । ଏହି ପୃଥିବୀର ଅସଲ ବିବର୍ତ୍ତନଗୁଡ଼ିକୁ କେଡ଼େ ଚତୁରତାର ସହିତ ଅଟକାଇ ରଖି ଦିଆଯାଇଛି ।

 

ପୃଥିବୀ ରହିବ, ତେବେ ଯାଇ ମୁଁ ରହି ପାରିବି । ପୃଥିବୀରୁ ବାହାରି ଯାଇ ଆପଣାର ତଥାକଥିତ ମଙ୍ଗଳଗୁଡ଼ିକ ପଛରେ ଧାଉଁଥିବା ପର୍ଯ୍ୟନ୍ତ ମୁଁ ପୃଥିବୀର ଅନିଷ୍ଟ କରିବାରେ ହିଁ ଲାଗିଥିବି । ସତ୍ୟକୁ, ମଙ୍ଗଳକୁ ବ୍ୟକ୍ତିଗତ କରି ରଖିବାକୁ ମନ କରୁଥିବା ମଣିଷମାନେ ସେଗୁଡ଼ିକୁ ଗୋଟିଏ ଗୋଟିଏ ଧର୍ମରେ ପରିଣତ କରି ଦିଅନ୍ତି । ସେମାନେ ଅସଲ ଆଧ୍ୟାତ୍ମିକ ପ୍ରତିଶ୍ରୁତିଗୁଡ଼ିକରୁ ପୃଥିବୀକୁ ଭଣ୍ଡାଇ ରଖିବାରେ ଭାରି ସାହାଯ୍ୟ କରନ୍ତି । ଭବିଷ୍ୟତ ପୃଥ୍ଵୀବ୍ୟବସ୍ଥାର ଏକ ନାମକରଣ କରିବାକୁ ଯାଇ ଶ୍ରୀ ଅରବିନ୍ଦ ତାହାକୁ ଆଧ୍ୟାତ୍ମିକ ନୈରାଜ୍ୟବାଦ ବୋଲି କହିଛନ୍ତି । ସେହି ନୈରାଜ୍ୟବାଦରେ ଏକ ଅନ୍ୟ ଅର୍ଥନୀତି, ଅନ୍ୟ ରାଜନୀତି ଓ ଅନ୍ୟ ମାନବ-ସମ୍ବନ୍ଧର କଳ୍ପନା କରାଯାଇଛି । ସେଥିରେ ଆଗ ସତ୍ୟ, ତା’ପରେ ଯାଇ ସୁଖ; ଆଗ ପୃଥିବୀ ତା’ପରେ ଯାଇ ମୁଁ । ସେହି ପୃଥିବୀ ଭଗବାନଙ୍କର ପୃଥିବୀ । ସେହି ପୃଥିବୀ ପାଇଁ ଜୀବନ ବଞ୍ଚିବା ହେଉଛି ମଣିଷର ସର୍ବଶ୍ରେଷ୍ଠ ଧର୍ମ ।

 

ଜୁଲାଇ-ଅଗଷ୍ଟ, ୧୯୮୯

Image

 

ଚଉକୀ-ପ୍ରହସନର କଥା

 

ଏପରି ଅନେକ ମଣିଷ ଅଛନ୍ତି, ଯେଉଁମାନଙ୍କୁ କି ଚୌକିଟା ଭାରି ସୁଲୁସୁଲିଆ ଲାଗେ । ନିଜ ଭିତରେ ସେମାନେ ନିଜ ଜୀବନର ଅସଲ ଚଉକିଟିରେ ଯାହାକୁ ବସାଇବାର କଥା, ତାହାକୁ ବସାଇ ପାରି ନାହାନ୍ତି କି କ’ଣ କେଜାଣି, ଅସଲ ପାଦ ଗୁଡ଼ିକୁ ଚିହ୍ନି ତାହାର ନିକଟବର୍ତ୍ତୀ ହେବାର ଅସଲ ଅନୁରାଗ ବିଦ୍ୟାଟିକୁ ଆୟତ୍ତ କରିପାରି ନଥାନ୍ତି କି କ’ଣ କେଜାଣି, ଜୀବନରେ ଏହି ଚଉକି ଗୁଡ଼ାକୁ ହିଁ ସବୁଠାରୁ ଅଧିକ ପରିମାଣରେ ମନ କରୁଥାନ୍ତି । ଆଉ କେହି ଚଉକି ଉପରେ ବସିଥିବାର ଦେଖିଲେ ସେମାନେ କେଡ଼େ ଛଟପଟ ହୋଇ ଉଠନ୍ତି । ନିଜକୁ ନିଜର ଚଉକିଟା ଅନୁସାରେ ମାପନ୍ତି ଏବଂ ଅନ୍ୟମାନଙ୍କୁ ମଧ୍ୟ ସେମାନେ ବସିଥିବା ଚଉକି ଅନୁସାରେ ମୂଲ କରିବାକୁ ହିଁ ଅସଲ ଗଣିତ ବୋଲି ବୁଝନ୍ତି । ଆପଣ ସତ କହିଲେ, ଆମେ ଯେଉଁ ଚଉକିଟା ଉପରେ ବସିଛୁ, ସେଇଟା ଆମଠାରୁ ବଡ଼ ନା ଆମେ ସେହି ଚଉକିଟା ଠାରୁ ବଡ଼ ? ଭିତରଟା ନିତାନ୍ତ ଫମ୍ପା ପଡ଼ି ରହିଥିବା ମଣିଷମାନେ ଚଉକି ପଛରେ ଧାଇଁବାରେ ଲାଗିଥାନ୍ତି, ଜୀବନକୁ ନ ଲୋଡ଼ି ଚଉକିଟାକୁ ଆଗ ଲୋଡ଼ନ୍ତି । ସଂସାରଟାରେ ଅନେକ ହାସ୍ୟାସ୍ପଦତାର କାରଣ ହୁଅନ୍ତି ।

 

ଏବେ ଗୋଟିଏ ଶିକ୍ଷାଳୟରେ ଏହି ଚଉକିକୁ ନେଇ ଚମତ୍କାର ପ୍ରହସନଟିଏ ଘଟିଲା । କୌଣସି ଏକ କାରଣରୁ ଦିନେ ଶିକ୍ଷାଳୟର ପ୍ରକୃତ ଅଧ୍ୟକ୍ଷ ଛୁଟିରେ ଥିଲେ । ବିଧି ଅନୁସାରେ ତାଙ୍କର ଅନୁପସ୍ଥିରେ ଯେଉଁ ଅନ୍ୟ ଶିକ୍ଷକ ଜଣକ କାର୍ଯ୍ୟ ଚଳାଇବେ, ସିଏ ଲିଖିତ ଭାବରେ ସେଇ କଥାଟି ଜଣାଇ ଦେଇଥିଲେ । ସ୍କୁଲ ଆରମ୍ଭ ହେବାକୁ ଯାଉଥାଏ । ପ୍ରାର୍ଥନା ଘଣ୍ଟା ବାଜି ନଥାଏ । ପିଲାଏ ଇସ୍କୁଲ ଅଗଣାରେ କେଡ଼େ ଆନନ୍ଦରେ ହୋ’ ହୋ’ ହୋଇ ଖେଳୁଥାନ୍ତି । ସେହି ସମୟରେ ସେଇ ଦିନକ ପାଇଁ ଅଧ୍ୟକ୍ଷ ହୋଇଥିବା ଆଜ୍ଞା ଜଣକ ଆସି ଅଫିସ ଘରେ ପହଞ୍ଚିଲେ । ଆଜି ଦିନକ ପାଇଁ ସିଏ ହେଉଛନ୍ତି ଅଧ୍ୟକ୍ଷ, ଅର୍ଥାତ୍ ସଜନା ଗଛର ସବା ଆଗ ଡାଳ । ତେଣୁ ତାଙ୍କର ମୁଖ-ମୁଦ୍ରା ସେଦିନ ଅଲଗା ପ୍ରକାର ଦିଶୁଥିବା ଅତ୍ୟନ୍ତ ସ୍ଵାଭାବିକ । ସିଏ ଆସି ପହଞ୍ଚିବା ବେଳକୁ ବିଦ୍ୟାଳୟର ଅନ୍ୟ କେତେଜଣ ଶିକ୍ଷକ ମଧ୍ୟ ଅଫିସ୍ ଘରେ ପ୍ରବେଶ କରି ସାରିଥିଲେ ଏବଂ ନିଜ ନିଜ ଭିତରେ ଦୁଃଖ ସୁଖ ହେଉଥିଲେ । ସେହି ଘରେ ଅନ୍ୟ ଚଉକି କେତେ ଖଣ୍ଡ ପଡ଼ିଥିଲା । ଯିଏ ଯେଉଁଠି ଖାଲି ପାଇଥିଲା, ସିଏ ସେଠାରେ ବସି ପଡ଼ିଥିଲା । ଏବଂ, ଜଣେ ଶିକ୍ଷକ ଅଧ୍ୟକ୍ଷଙ୍କର ଚଉକିରେ ଯାଇ ବସି ଯାଇଥିଲେ । ସେଦିନର ଅଧ୍ୟକ୍ଷ ଭାଇ ଆସି ଦେଖିଲେ ଯେ ତାଙ୍କ ଚଉକିଟିରେ ଆଉଜଣେ ଯାଇ ବସି ପଡ଼ିଛନ୍ତି । ସିଏ ହଠାତ୍ କେମିତି କେମିତି ହୋଇଗଲେ । ତାଙ୍କ ପାଇଁ ଉଦ୍ଦିଷ୍ଟ ବିଶେଷ ଚଉକିଟିକୁ ତାଙ୍କ ଲାଗି ଛାଡ଼ିଦେବାକୁ ସେ ତହିଁରେ ବସିଥିବା ଅନଧିକାରୀ ଶିକ୍ଷକ ଜଣଙ୍କୁ କହିଲେ-। ସେହି ଅନ୍ୟ ଶିକ୍ଷକଙ୍କର ନିଜାଜ ବି ହଠାତ୍ କ’ଣ ହୋଇଗଲା କେଜାଣି, ସିଏ ସେଦିନର ଅଧ୍ୟକ୍ଷଙ୍କର କୁହା ମାନି ଚଉକିଟିକୁ ଛାଡ଼ି ଉଠି ଗଲେ ନାହିଁ । ସେଇଥିରୁ ମହାଭାରତ ଲାଗିଗଲା-। କଥା କଟାକଟି ହେଲା, ଇଏ ତାକୁ କାଟିଲା ତ ସିଏ ୟାକୁ କାଟିଲା, ଇଏ ତାକୁ ଟାଣିବାକୁ ବାହାରିଲା ତ ସିଏ ୟାକୁ ଟାଣିବାକୁ ବାହାରିଲା । ସମ୍ଭବତଃ ଆହୁରି କେତେ କ’ଣ ମଧ୍ୟ ହେଲା-। ଭିତରେ ଚାପି ହୋଇ ରହିଥିବା ସବୁଯାକ ହୀନମନ୍ୟତା ଓ ତଜ୍ଜନିତ କ୍ରୋଧ ସେଦିନ ଉସ୍‌କାଉସ୍କି ହୋଇ କେତେ କଥା କହିଲେ ଏବଂ କେତେ କ’ଣ କଲେ । ହୁଏତ ଅତ୍ୟନ୍ତ ଅପ୍ରୀତିକର ଭାବରେ କେତେବେଳେକେ ଯାଇ ମାମଲା ସରିଲା । କିଏ ହାରିଲା ଆଉ କିଏ ଜିତିଲା କେଜାଣି ? ବାହାର କଳହଟା ଛିଣ୍ଡିଯିବା ପରି ଲାଗିଲେ ମଧ୍ୟ ଭିତରର ଫଅଁ ଫଅଁ ଗୁଡ଼ାକ ସତେଅବା କଟୁରି ଚୋଟ ମାରୁଥିଲା ପରି ମନେ ହେଉଥିଲା ।

 

ସବୁ ଜେଲ୍ ଅଫିସରେ ଗାନ୍ଧୀଫଟୋ ଟଙ୍ଗା ହୋଇଥାଏ । ପୋଲିସମାନଙ୍କର ଅଫିସରେ ତ ସରକାରଙ୍କର ଆଦେଶ ଅନୁସାରେ ଗାନ୍ଧୀଙ୍କର ଫଟୋଟାଏ ରଖିବାକୁ ହିଁ ପଡ଼ିବ । ଆମର ଶିକ୍ଷାଳୟମାନଙ୍କରେ ମାଆଙ୍କର ଫଟୋ ଓ ଶ୍ରୀ ଅରବିନ୍ଦଙ୍କର ଫଟୋ । ମାତ୍ର, ଯଦି ଆମେ ମନ ନ କରିଥାଉ, ତେବେ ଆମ ମନ ଯାଇ ସେଠାରେ ନଥାଏ, ଆମ ମନ ଯାଇ ଚଉକିରେ ରହିଥାଏ । ଯଦି ଆମେ ସ୍ଵୟଂ ସବାବଡ଼ ପଦରେ ଅଛୁ ଓ ତେଣୁ ସବା ଉଚ୍ଚ ଚଉକିଟିରେ ଯାଇ ବସି ପାରୁଛୁ, ତେବେ ଅନ୍ୟ ସମସ୍ତେ ଆମକୁ କେଡ଼େ କ୍ଷୁଦ୍ର ହୋଇ ଦେଖା ଯାଉଥାନ୍ତି । ଏବଂ, ଅନ୍ୟ ପକ୍ଷରେ, ଯଦି ଆମ ଆଗରେ ଆଊ କେହି ଜଣେ ବଡ଼ ଚଉକିଟା ଉପରେ ଯାଇ ବସିବ ବୋଲି ପରମିଟ୍ ହାସଲ କରି ପାରିଛି, ତେବେ ସେଇଟାକୁ ଦେଖି ଆମ ଦିହ ଏକାବେଳେକେ ସରସର ହୋଇଉଠେ । ଆମର ମନ ଛୋଟ ହୋଇଥିବାରୁ ଆମେ ଚଉକିଟାକୁ ଈର୍ଷା କରୁ ଅଥବା ଚଉକିଟାକୁ ଇର୍ଷା କରୁଥିବାରୁ ଆମର ମନ ଛୋଟ ହୋଇଯାଏ, ବୁଦ୍ଧିଆମାନେ ସେହି ବିଷୟରେ ହୁଏତ କେତେ ଗବେଷଣା କରି ବାହାରିବେ ଏବଂ କେତେଭଳି ସିଦ୍ଧାନ୍ତରେ ଉପନୀତ ହେବେ । ଆମର ପୁରୁଣା ଗନ୍ଧିଆ ସମାଜରେ କାଳକାଳରୁ ସେହିଭଳି ଚଳି ଆସିଛି । ଭଗବାନଙ୍କୁ ଏଡ଼େ ବାଗରେ ଆମେ ଗୋଟାଏ ଗୋଟାଏ ଠାକୁର କରି ବସାଇ ଦେଇଛୁ ଯେ, ଆମ ନିଜ ଭିତରେ ଅସଲ ସିଂହାସନଟିକୁ ତାଙ୍କୁ ପ୍ରବେଶାଧିକାର ମୋଟେ ମିଳି ପାରୁନାହିଁ । ଯାହାର ଭିତର ସିଂହାସନଟିରେ ସିଏ ନାହାନ୍ତି ଓ ତା’ ନିଜର ଅହଂଟା ହିଁ ପ୍ରତାପୀ ହୋଇ ସେଠାରେ ବସିଛି, ସିଏ ବାହାରେ ଅଲକ୍ଷଣା ହେବ ନାହିଁ ତ ଆଉ କ’ଣ ହେବ ? ଭିତରେ ଦରିଦ୍ର, ତେଣୁ ବାହାରେ ଅଲକ୍ଷଣା; ଭିତରେ ବଞ୍ଚିତ, ତେଣୁ ବାହାରେ ପ୍ରକୁପିତ । ଆମର ସମାଜ ଯେମିତି, ଆମର ଇସ୍କୁଲ ଗୁଡ଼ାକ ମଧ୍ୟ ସେମିତି । ଆମର ଅନ୍ଦାଜ ଅନୁସାରେ ଆମର ଆଖି । ନୂତନ ଶିକ୍ଷା ଏହିସବୁ ତାମସାକୁ ବନ୍ଦ କରିବ ବୋଲି ଆରମ୍ଭ ହୋଇଛି, ମାତ୍ର ଆମ ପ୍ରକୁପିତମାନଙ୍କର ଉପଦ୍ରବ ହେତୁ ସେହି ପୁରୁଣା ପଘାଗୁଡ଼ିକରେ ବାନ୍ଧି ହୋଇ ରହିଛି । ଆମେ ତାହାକୁ ନୂଆ ପାଟ ପିନ୍ଧାଇ ନୂଆ ବାଜା ବଜାଇ ତାହାରି ଗୁଣକୁ ସଭାରେ ଗାଇ କେତେ ଫୁଲେଇ ହେଉଛୁ ସିନା, ମାତ୍ର ସତକୁ ସତ ତାହାର ତଣ୍ଟିକୁ ଚିପି ଧରିଛୁ । ସ୍ଵୟଂ ସାଆନ୍ତ ହୋଇ ତାକୁ ଆମ ଘରେ ପୋଇଲୀ କରି ରଖିଛୁ ।

ଆମର ପିଲାମାନେ ହୁଏତ ଆମକୁ ଜାଗରୁକ କରି ରଖି ପାରୁଥା’ନ୍ତେ । ମାତ୍ର, ପୁରୁଣା ବିଧିଗୁଡ଼ାକର ବଳରେ ଆମେ ସେମାନଙ୍କୁ କଣ୍ଢେଇ କରି ରଖିବାର ପ୍ରୟାସ କରୁଥିବା ପର୍ଯ୍ୟନ୍ତ ସେମାନଙ୍କ ଦ୍ଵାରା ଆମେ ଆଉ କିପରି ଉପକୃତ ହୋଇ ପାରିବୁ ? ଆମେ ଯେଉଁମାନେ ଆମ ପୁରୁଣା ପୋଖରୀଗୁଡ଼ାକରେ କୁମ୍ଭୀର ହୋଇ ରହିଛୁ, ମଝିରେ ମଝିରେ ପିଲାମାନଙ୍କୁ ହଂସ ହୋଇ ଖେଳିବାର ଦେଖିବା ଲାଗି ଆମେ ହୁଏତ ଏହି ନୂତନ ବିଦ୍ୟାଳୟଗୁଡ଼ିକୁ ଆରମ୍ଭ କରିଛୁ । ଆମର ସରାଗ ସିନା ଡେଣା ଲଗାଇ କୁଆଡ଼େ ମନ କୁଆଡ଼େ ବୁଲିବାରେ ଲାଗିଛି, ମାତ୍ର ଆମର ଅସଲ ଅନୁରକ୍ତିଗୁଡ଼ିକ ସେହି ପୁରୁଣା ଅସୁରୁଣୀଟି ପାଖରେ ବନ୍ଧାପଡ଼ି ରହିଛି । ଆମ ପିଲାଏ ଆମ ଶିକ୍ଷାକେନ୍ଦ୍ରମାନଙ୍କରେ ଆମକୁ ଅପା ଓ ଭାଇ ବୋଲି ଡାକୁଛନ୍ତି,—ତାହାକୁ ଆମେ ହୁଏତ ଏକ ନୂତନ ସ୍ଵାଦ ଭଳି ଉପଭୋଗ କରୁଛୁ ସିନା, ମାତ୍ର ସେହି ସମ୍ବନ୍ଧ ଓ ଅନୁରାଗର ଯୋଗ୍ୟ ହୋଇ ପାରୁନାହୁଁ । ଭିତରେ ଅସଲ ପିଣ୍ଡଟିଙ୍କୁ ଅନୁଭବ କରୁଥିଲେ ସିନା ଆମେ ତେଣେ ମନ କରନ୍ତୁ ! ଆମେ ସମସ୍ତେ ତାଙ୍କରି ସନ୍ତାନ,—ତେଣୁ ଆମେ ପରସ୍ପରର ଭାଇ କିମ୍ବା ଭଉଣୀ,—ତେଣୁ ଆମ ଭିତରୁ ବଡ଼ କିଏ, ସାନ ବା କିଏ ? କୋଉ ଚଉକିଟା ବଡ଼ ଏବଂ କୋଉ ଚଉକିଟା ସାନ ? ଆମେ ପାଉଥିବା ଦରମା ଅନୁସାରେ କଣ ଆମେମାନେ ଆମର ସହକର୍ମୀ ଅନ୍ୟମାନଙ୍କଠାରୁ ବଡ଼ ବା ସାନ ? ଆମେ ଯଦି ଏକାଠି ବସି ଆମ ଭିତରେ ବିରାଜିତ ରହିଥିବା ଅସଲ ବନ୍ଧୁଟିକୁ ସାକ୍ଷୀ ରଖି ନିଜ ଭିତରେ ଏହି କଥାଟିର ଆଲୋଚନା କରିବା, ତେବେ ଅବଶ୍ୟ ଉତ୍ତରଟିକୁ ପାଇଯିବା । ମାତ୍ର, ଆମ ଭିତରର ହିଂସ୍ରଟା ଆମ ଭିତରର ଅନୁରାଗୀକୁ ବାଟ ଛାଡ଼ିଦେଲେ ସିନା ସେକଥା ଯାଇ ସମ୍ଭବ ହେବ ।

ପୁରୁଣା ଆସନାଗୁଡ଼ାକୁ ଯେତେ ଉଚ୍ଚରୁ ଉଚ୍ଚ କରି ଜମା କରି ରଖିଥିବା ପର୍ଯ୍ୟନ୍ତ ଆମେ କଦାପି ଆମର ଏହି ନୂତନ ଶିକ୍ଷାଳୟଗୁଡ଼ିକର ଭାଜନ ହୋଇ ପାରିବା ନାହିଁ । ଯେତେବେଳେ ଏହି ଶିକ୍ଷାଳୟଗୁଡ଼ିକର ସଂଖ୍ୟା ଅଳପ ଥିଲା, ସେତେବେଳେ ହୁଏତ ଆମର ଅସଲ ସନ୍ତକଗୁଡ଼ିକ ବିଷୟରେ ଆମେ ଅପେକ୍ଷାକୃତ ଅଧିକ ସଚେତନ ଥିଲୁ । ପରସ୍ପରକୁ ଅଧିକ ଲୋଡ଼ୁଥିଲୁ, ପରସ୍ପର ସାଙ୍ଗ ହୋଇ ବାଟ ଚାଲିବା ଲାଗି ଆମର ଅଧିକ ଆଗ୍ରହ ଥିଲା । ଶିକ୍ଷାଳୟଗୁଡ଼ିକର ସଂଖ୍ୟା ବଢ଼ିଲା, ଆମେ ବି ଖୁସି ହୋଇ ସଂଖ୍ୟା ବଢ଼ିବାର ସେହି ଘଟନାଟିକୁ ସ୍ଵାଗତ କଲୁ । ଆମର ସଂଖ୍ୟା ବଢ଼ିଲେ ବଳ ମଧ୍ୟ ବଢ଼ିବ ବୋଲି ଆମ ଭିତରେ ଏକ ପ୍ରତ୍ୟୟ ମଧ୍ୟ ଆସିଲା । ଶିକ୍ଷାଳୟମାନଙ୍କରେ ପିଲାଙ୍କ ସଂଖ୍ୟା ବଢ଼ିଲା, ଆମ ହିସାବର ଖାତାଗୁଡ଼ାକ ଅଧିକ ମୋଟା ହେଲା-। ଶିକ୍ଷକମାନଙ୍କର ସଂଖ୍ୟା ବଢ଼ିଲା । ପ୍ରଥମେ ଯାହାକୁ ଜଣେ କରି ପାରୁଥିଲା, ତାହାକୁ କରିବା ଲାଗି ଏଣିକି ତିନିଜଣ ଲୋଡ଼ା ହେଲେ । କ୍ରମେ ଆମର ଏହି ଘରଗୁଡ଼ିକ ଆଉ ଗୋଟା ହୋଇ ଦେଖା ନ ଯାଇ ପାହାଚ ପାହାଚ ହୋଇ ଦେଖାଗଲା । ଆମକୁ ବାନ୍ଧି ରଖିଥିବା ଡୋରଟି ଅପେକ୍ଷା ଏହି ପାହାଚ ଗୁଡ଼ିକ ସତେଅବା ଆଗ ଦେଖାଗଲା । ଆମ ଦେଉଳରେ କୁକୁର ପଶିଗଲା-। ଆମ ଭିତରେ ରହିଥିବା ଦେବତାଟି ସତେଅବା ପଛକୁ ହଟିଗଲା, ଆମ ଭିତରେ ଥିବା କୁକୁରମାନେ ମଧ୍ୟ ଭୋ ଭୋ କରି ଉଠିଲେ । ଇଏ ମଧ୍ୟ ଗୋଟାଏ ପର୍ଯ୍ୟାୟ, ଇଏ ମଧ୍ୟ ଗୋଟାଏ ପରୀକ୍ଷା-। This too shall pass away......

ଆମ ଦେହରେ ଲାଗିଥିବା କାଦୁଅଗୁଡ଼ାକ ଖସିପଡ଼ିବାର ପ୍ରକ୍ରିୟାରେ ଆମ ନିଜକୁ ହିଁ ନିମିତ୍ତ ହେବାକୁ ପଡ଼ିବ । ଆମ ବିଦ୍ୟାଳୟମାନଙ୍କରେ ଚଉକିଗୁଡ଼ାକୁ ଭାଙ୍ଗି ଆମର ସମସ୍ତ ଅନୁରାଗ ଓ ଶକ୍ତି ଦେଇ ସତକୁ ସତ ତାଙ୍କରି ଆସନଟିକୁ ଦୃଶ୍ୟମାନ୍ ଓ ଦୃଢ଼ କରି ଗଢ଼ିବାରେ ଆମେ ନିଜେ ନିମିତ୍ତ ହୋଇ ବାହାରିଲେ ଯାଇ ମଧ୍ୟବର୍ତ୍ତୀ ଏହି ଅବର୍ଜିଆ ପର୍ଯ୍ୟାୟଟି ଶୀଘ୍ରାତିଶୀଘ୍ର ଅତିକ୍ରାନ୍ତ ହୋଇଯିବ । ନିମିତ୍ତ ଆମରି ଭିତରୁ ବାହାରିବେ, ଚଉକିଗୁଡ଼ାକୁ ଭାଙ୍ଗିବାର ମଣିଷ ଆମରିଭିତରୁ ବାହାରିବେ । ଆପଣାର ଯାବତୀୟ ପ୍ରକାରର ଅପୂର୍ଣ୍ଣତା ସତ୍ତ୍ୱେ ଆପଣାକୁ ଉନ୍ମୋଚିତ କରି ରଖିଥିବା ମଣିଷମାନେ ହିଁ ନିମିତ୍ତରୂପେ ସବାଆଗ ବାହାରିବେ, ଆଗାମୀର ପ୍ରୟାସଟିରେ ସେମାନେ ପରସ୍ପରର ସୁହୃତ୍ ହୋଇ ବାହାରିବେ । ନିଜ ଭିତରେ ଯିଏ ଅସଲ ସତ୍ୟଟିର ସ୍ପର୍ଶକୁ ଲାଭ କରିଛି, ସିଏ କଦାପି ଚଉକିଗୁଡ଼ାକ ଦ୍ଵାରା ମଣିଷଗୁଡ଼ାକୁ ପୋତି ପକାଇବାକୁ ମନ କରିବ ନାହିଁ । ସିଏ ଏହି ପୁରାତନ ତାମସାଗୁଡ଼ାକୁ ବନ୍ଦ କରିଦେଇ ପାରିବ, ସାଆନ୍ତମାନଙ୍କୁ ସୁହୃତର ସ୍ତରକୁ ଉନ୍ନୀତ କରିନେବାର ରହସ୍ୟଟିକୁ ସେଇ ସବାଆଗ ଶିଖିବାକୁ ମନ କରିବ ।

ପୂର୍ଣ୍ଣାଙ୍ଗ ଶିକ୍ଷା କେବଳ ଏକ ତଥାକଥିତ ଶିକ୍ଷାର ମାର୍ଗ ନୁହେଁ । ଏହା ହେଉଛି ଏକ ନୂତନ ଜୀବନ ଲାଗି ଇଚ୍ଛୁକ ଦୁଃସାହସିକମାନଙ୍କର ସନ୍ଧାନ କରି ସେମାନଙ୍କୁ ଏକଜୁଟ କରାଇବାର କାର୍ଯ୍ୟକ୍ରମ । ଏଥିରେ ଚଉକି କେବଳ ଗୋଟିଏ ଏବଂ ସେହି ଚଉକି ଉପରେ କେବଳ ସେଇ ଅସୀନ ରହିଛନ୍ତି । ସେହି ଚଉକି ଆମ ପ୍ରତ୍ୟେକଙ୍କର ହୃଦୟ ଭିତରେ ପଡ଼ିଛି । ଜଳଜଳ ଦେଖାଯାଉଛି । ସେହି ଚଉକି ନିର୍ବଳ ଭିତରେ ବଳ ଦେଇଯାଉଛି, ଅଯୋଗ୍ୟଟାକୁ ଯୋଗ୍ୟ କରି ନେଉଛି, ଆମକୁ କେତେ ନା କେତେ ସଂକଳ୍ପର ଆଖି ଯୋଗାଇଦେଇ ଯାଉଛି । ତେଣୁ, ବାହାର ଚଉକିଗୁଡ଼ାକର ଖଳତାଗୁଡ଼ାକୁ ଆମେ ଅତିକ୍ରମ କରିଯିବା, ଅନୁରାଗର ବଳରେ ଅତିକ୍ରମ କରିଯିବା । ଅଧିକରୁ ଅଧିକ ପରିମାଣରେ ତାଙ୍କ କାମରେ ଲାଗି ପାରିବାର ଆଗ୍ରହ ଦ୍ଵାରା ଅତିକ୍ରମ କରିଯିବା । ତେବେଯାଇ ତାଙ୍କରି ଦର୍ପଣ ଉପରେ ଆପଣାକୁ ଦେଖି ପାରିବା । ଶିକ୍ଷାଳୟରୂପୀ ଉଦ୍ୟାନଟି ମଧ୍ୟରେ ଆପଣା ଆପଣାର ନିମିତ୍ତତ୍ଵଟିକୁ ଆବିଷ୍କାର କରିନେଇ ପାରିବା ।

 

ସେପ୍ଟେମ୍ବର, ୧୯୮୯

Image

 

ସମ୍ମତମାନଙ୍କର ମିଳନୀ-ସମ୍ମିଳନୀ

 

ଆମ ସମ୍ମିଳନୀଗୁଡ଼ିକ ସଭା ନୁହେଁ । ସତକୁ ସତ ବଦଳିଯିବା ଲାଗି ସାହସ ଓ ବିଶ୍ଵାସ ନେଇ ଆସିଥିବା, ପରସ୍ପର ସହିତ ଡୋର ଲଗାଇବା ଲାଗି ସତକୁ ସତ ଏକ ଯଥାର୍ଥ ଅନୁରାଗ ନେଇ ଆସିଥିବା ଅର୍ଥାତ୍, ସର୍ବୋପରି, ସତତ ଅଧିକ ହୋଇ ପାରିବା ଲାଗି ଆପଣାକୁ ବାଟ ଛାଡ଼ିଦେବା ନିମନ୍ତେ ନିଜ ଭିତରୁ ସତକୁ ସତ ଏକ ବ୍ୟାକୁଳତା ଅନୁଭବ କରୁଥିବା ବ୍ୟକ୍ତି ମାନଙ୍କର ଏହି ସମ୍ମିଳନୀ ହେଉଛି ଏକ କୋଳାହଳରହିତ ସମାବେଶ, ଏକ ସଂକଳ୍ପ-ମଣ୍ଡପ ।

 

ସଭାରେ ଭାଷଣ ହୁଏ । ଭାଷଣ ଦେବା ଲୋକେ ଥାଆନ୍ତି, ଭାଷଣକୁ ଶୁଣିବା ଲୋକମାନେ ବି ରହି ଥାଆନ୍ତି । ଯେଉଁମାନଙ୍କୁ ବାହାରୁ ଡକା ହୋଇ ଅଣା ହୋଇଥାଏ, ସେଇମାନେ ଭାଷଣ ଦିଅନ୍ତି । ଯେଉଁମାନେ କାର୍ଯ୍ୟକ୍ଷେତ୍ରରେ ଅନବରତ ଘୁଷୁରିବାରେ ଲାଗିଥିବାରୁ ମୋଟା ଗ୍ରନ୍ଥଗୁଡ଼ିକୁ ଅଧ୍ୟୟନ କରି ନଥାନ୍ତି କିମ୍ବା ସରୁ ବୁଦ୍ଧିରେ ସବୁ କଥାକୁ ବିଶ୍ଳେଷଣାତ୍ମକ ଭାବରେ ଚିନ୍ତା କରି ପାରି ନଥାନ୍ତି, ବରଷକରେ ବା ଛଅମାସରେ ଥରେ ସେହିମାନଙ୍କ ସକାଶେ ସମ୍ମିଳନୀଗୁଡ଼ିକର ଆୟୋଜନ ହୋଇଥାଏ । ସେମାନେ କାମର ମଣିଷ, ଅଧ୍ୟୟନ କରିବାର ମଣିଷ ନୁହନ୍ତି । ଅଧ୍ୟୟନ କରିବସିଲେ ପୁଣି କାମଗୁଡ଼ାକୁ କେତେବେଳେ କରିବେ ? ଅଧ୍ୟୟନ କରୁଥିବା ଲୋକମାନେ ସାଧାରଣତଃ କାମରେ ନ ଥାନ୍ତି । ସେମାନେ ଘୋର ଅଧ୍ୟୟନ କରିଥାନ୍ତି, ବିଷୟଗୁଡ଼ିକୁ ଖଞ୍ଜି କରି କହିପାରନ୍ତି । ସେମାନେ ଜ୍ଞାନର ମନନ କରିଥାଆନ୍ତି, ଚର୍ଚ୍ଚା ବି କରିଥାଆନ୍ତି । ସମ୍ମିଳନୀମାନଙ୍କରେ ସେଇମାନେ ପ୍ରେରଣାତ୍ମକ ଭାବରେ ସବୁକଥା କହି ପାରନ୍ତି, ମୁଗ୍ଧ କରି ପାରନ୍ତି, ଖୋରାକ ଯୋଗାଇ ଦିଅନ୍ତି । ଆଗେ ଆମର ସମ୍ମଳନୀଗୁଡ଼ାକ ପ୍ରାୟ ଏହିପରି ଧିସାରେ ଚାଲୁଥିଲେ । ଆମ ଭିତରେ କହିବାବାଲାମାନେ ରହିଥିଲେ, ସେମାନେ ଭାଷଣ ଦେଇ ଆମକୁ ଘଣ୍ଟା ଘଣ୍ଟା ମଜ୍ଜାଇ ରଖି ପାରୁଥିଲେ । ଦିନକୁ ତିନିମୁଥ କରି ଖାଲି ବକ୍ତୃତା ହେଉଥିଲା । ଆମେ ଓଡ଼ିଶାରୁ ଭିନ୍ନ ଭିନ୍ନ ସ୍ଥାନରୁ ରାଜଧାନୀକୁ ବକ୍ତୃତା ଶୁଣିବାକୁ ଆସୁଥିଲୁ । ସତେଅବା ଯାତରା ଦେଖିବାର ମନ ନେଇ ଆସୁଥିଲୁ । କ’ଣ କେତେ ପ୍ରକୃତରେ ବୁଝି ପାରୁଥିଲୁ, ସେକଥା ପଚାରିବାର କୌଣସି ଆବଶ୍ୟକତା ନଥିଲା । ତଥାପି ଗଲାବେଳେ ଚିତ୍ତରଞ୍ଜନ କରି ଘରକୁ ଯାଉଥିଲୁ । ନିଜନିଜର ଶିକ୍ଷାକେନ୍ଦ୍ରକୁ ଫେରି ଯାଉଥିଲୁ । ପୁଣି ନିଜନିଜର କାର୍ଯ୍ୟରେ ଡୁବି ଯାଉଥିଲୁ, ସଦ୍ୟ ପାଳ ଚୋବାଇ ଆସିଥିବା ବଳଦଙ୍କ ପରି କାମରେ ଲାଗି ଯାଉଥିଲୁ । ଆମ ଶିକ୍ଷାକେନ୍ଦ୍ରରେ ଉପରମାନେ ବୋଲ ବତାଉଥିଲେ, ଆମେ ବୋଲ ମାନି କାମ କରୁଥିଲୁ । ବୋଲ ମାନି ଯେଉଁ କାର୍ଯ୍ୟ କରୁଥିଲୁ, ତାହାକୁ ହିଁ ଭଗବାନଙ୍କର କାର୍ଯ୍ୟ ବୋଲି ଗ୍ରହଣ କରି ନେଉଥିଲୁ । ଆମେ ପତର ସାଉଁଟି ଗଦା କରୁଥିଲୁ, ବିଡ଼ା ବାନ୍ଧି ସାଆନ୍ତମାନଙ୍କ ଘରେ ରଖି ଦେଉଥିଲୁ । ତୋଟାର ମାଲିକ ଅନ୍ୟମାନେ ଥିଲେ ।

 

ସେତେବେଳେ ସମ୍ମିଳନୀମାନଙ୍କରେ ଆମେ ଯେଉଁ ଭାଷଣମାନ ଶୁଣୁଥିଲୁ, ସେଗୁଡ଼ିକ ଆମର ଏବେ ମଧ୍ୟ କେତେ ମନେଅଛି କେଜାଣି ? ମାତ୍ର, ଶିକ୍ଷାକେନ୍ଦ୍ରମାନଙ୍କରେ କାମ କରୁ କରୁ, ଏହିସବୁ ଶିକ୍ଷାକେନ୍ଦ୍ର ଏକ ସମ୍ପୂର୍ଣ୍ଣ ଅଲଗା ଉଦ୍ଦେଶ୍ୟ ନେଇ ଆରମ୍ଭ କରା ହୋଇଛି ବୋଲି ଶୁଣି ଶୁଣି ଆମକୁ ଆମର କାମଟି ମଧ୍ୟ କ୍ରମେ ଭଲଲାଗିଲା । ଆମ ଭିତରୁ ଅନେକ ଚଢ଼େଇ ପରି ଆସିଥିଲେ, ପୁଣି ଚଢ଼େଇଙ୍କ ପରି ଉଡ଼ିଗଲେ । ଆମେ ଯେଉଁମାନେ ତଥାପି ରହିଗଲୁ, ସେମାନଙ୍କୁ ଶିକ୍ଷାକେନ୍ଦ୍ରଟି ମଧ୍ୟ କ୍ରମେ ଭଲ ଲାଗିଲା । ପିଲାଏ ଭଲ ଲାଗିଲେ । ଆମେ ଅପାଭାଇମାନେ ପରସ୍ପର ପାଖରେ ମଧ୍ୟ ଭଲ ଲାଗିବାକୁ ଆରମ୍ଭ କଲୁ । ଝରକା ଖୋଲା ଥିଲେ ଘର ଭିତରଟି ଯେଉଁଭଳି ଭଲ ଲାଗେ । ଇଏ ପ୍ରାୟ ସେହିପରି ଗୋଟିଏ କଥା । ଅନୁଭବ ହେଲା, ଆମେ ଏଇ ଯାବତୀୟ କାର୍ଯ୍ୟକୁ କେବଳ ଦରମା କିଛି ପାଉଛୁ ବୋଲି ମୋଟେ କରୁନାହୁଁ । ଏଥିରୁ ଆମେ ଆହୁରି କିଛି—ପାଉଛୁ । ଆମେ ଆନନ୍ଦ ପାଉଛୁ । ଆନନ୍ଦ ମାଧ୍ୟମରେ ଆମକୁ ଆମର କାର୍ଯ୍ୟଟି ମଧ୍ୟରେ ସତେଅବା ଡୋରକୁ ଡୋର ବନ୍ଧା ହୋଇଥିବା ପରି ଅନୁଭବ ହେବାକୁ ଲାଗିଲା । ଡୋରଟି ଦିଶିଗଲେ ଏହି ସଂସାରରେ ଆହୁରି କେତେ କ’ଣ ଦିଶିଯାଏ । ଭଗବାନ୍ ମଧ୍ୟ ଦିଶିଯାଆନ୍ତି । ତା’ପରେ ଆଉ ଈର୍ଷା କରିବାକୁ ମୋଟେ ମନ ହୁଏ ନାହିଁ । ସମସ୍ତଙ୍କ ସହିତ ଏକାଠି ହାତ ଧରି ବାଟଚାଲିବାକୁ ହିଁ ମନ ହୁଏ । ଶିକ୍ଷାକେନ୍ଦ୍ରଟି ସତେଅବା ସମ୍ଭାବନାମୟ ବଗିଚାଟିଏ ପରି ଦେଖାଯାଏ । ଭିତରେ ତଥା ବାହାରେ ବହୁ ସମ୍ଭାବନା ଆଡ଼କୁ ଆମର ଆଖି ପାଇଯାଏ, ହାତ ମଧ୍ୟ ପାଇ ଯାଇଥିବା ପରି ମନେହୁଏ । ତା’ପରେ, କେଡ଼େ ସ୍ୱାଭାବିକ ଭାବରେ, ଆମେ ଯେ ସମ୍ପୂର୍ଣ୍ଣ ଭାବରେ ସମ୍ମତ ହୋଇଯାଉ, ସେକଥା ନିଜେ ମଧ୍ୟ ଜାଣି ପାରୁ ନାହିଁ । ତା’ପରେ ନିକକୁ ଆଉ ମୋଟେ ଟାଣି ଓଟାରି ନେବାକୁ ପଡ଼େ ନାହିଁ । ଆମେ ଯାହା ପାଖରେ ସମ୍ମତ ହୋଇଥାଉ, ତା’ ପାଖରେ ଆପେ ଆପେ ଯାଇ ଧରାଦେଉ, ତେଣିକି ଜଣେ ସମ୍ମତ ମଣିଷର ଧାରାରେ ହିଁ ଜୀବନ ବଞ୍ଚୁ ।

 

ଏବେ ଆମର ସମ୍ମିଳନୀଗୁଡ଼ିକ ମୋଟେ ଆଗପରି ହେଉ ନାହିଁ । ଭାଷଣ ମୋଟେ ହେଉ ନାହିଁ । ଅର୍ଥାତ୍, କାମ ଭିତରେ ନ ଥିବା ଓ ବହି ପଢ଼ିଥିବା ଲୋକମାନେ ଆମକୁ ଆଉ ଭାଷଣ ଦେବା ପାଇଁ ଆସୁ ନାହାନ୍ତି । ଆମେ ଗୋଟିଏ ଗୋଟିଏ ଗୋଷ୍ଠୀରେ ବସୁଛୁ, ବରଷଯାକର ଅନୁଭୂତିକୁ ଭିତ୍ତି କରି ଆଲୋଚନାମାନ କରୁଛୁ ଏବଂ ପରସ୍ପରର ସହାୟତା ନେଇ ଆଗକୁ ବାଟ କାଢ଼ୁଛୁ । ସମସ୍ତେ ବାଟ ଚାଲୁଛୁ । ସମସ୍ତେ ମୁଗ୍ଧ ହେଉଛୁ । ପରସ୍ପରର ଭିତରକୁ ବାଟ ପାଇଗଲେ ଅର୍ଥାତ୍ ନିଜକୁ ଅନ୍ୟମାନଙ୍କ ପାଖରେ ଲୁଚାଇ ରଖିବାର ମିଛ ସଙ୍କୋଚଟା ଦୂର ହୋଇଗଲେ ଆମର ବାଟ ଚାଲିବାଟା ଯେ କେଡ଼େ ଆନନ୍ଦମୟ ହୋଇପାରେ, ତାହାର ପ୍ରତ୍ୟକ୍ଷ ଅନୁଭବ ମିଳି ଯାଉଛି । ଆମର ସବୁଯାକ କାମ ନିଜର କାମ ପରି ଲାଗୁଛି । ଭଗବାନଙ୍କର ସବୁଯାକ କାମ ନିଜର କାମ ପରି ଲାଗୁଛି । ଜଣେ ଶିକ୍ଷକ ପକ୍ଷରେ ଏହାଠାରୁ ବଳି ବଡ଼ ଭାଗ୍ୟ ଆଉ କ’ଣ ହୋଇପାରେ ?

 

ଆମ ଶିକ୍ଷାକେନ୍ଦ୍ରଗୁଡ଼ିକ ପାଇଁ ସ୍ଵତନ୍ତ୍ର ପାଠଖସଡ଼ା ଅଥବା ପାଠ୍ୟପୁସ୍ତକମାନ ତିଆରି ହେବ, ଆଗେ ଏସବୁ କାମ ଜଣେ ବା ଦୁଇଜଣ ବରିଷ୍ଠ ବଡ଼ବଡ଼ଙ୍କ ଉପରେ ନ୍ୟସ୍ତ କରା ଯାଉଥିଲା-। ବର୍ଷ ବର୍ଷ କଟିଗଲା, ମାତ୍ର ଡିମ୍ବ ଫୁଟି ଗୋଟିଏ ଚଢ଼େଇ ବି ବାହାରି ପାରିଲାନାହିଁ-। ନିଜ ଦାୟିତ୍ଵକୁ ଆମେ ନିଜେ ଗ୍ରହଣ କଲୁ, ସମବେତ ଭାବରେ ଗ୍ରହଣ କଲୁ,—ଯାହା ଏବେସୁଦ୍ଧା ହୋଇ ପାରି ନଥିଲା, ତାହା ହୋଇପାରିଲା । ଶିକ୍ଷାଳୟମାନଙ୍କରେ ଆମେ କିପରି ପାଠ ପଢ଼ାଇବୁ, ଆମକୁ ସେହିସବୁ କଥା କହିବା ଲାଗି ଆଗରୁ ବାହାରୁ ହିଁ ବିଶିଷ୍ଟମାନେ ଆସୁଥିଲେ । ସେମାନଙ୍କ କଥାକୁ ଆମେ ସତକୁ ସତ କେତେ କଣ ବୁଝି ପାରୁଥିଲୁ କେଜାଣି ? ବେଳେବେଳେ ସେମାନେ ଆମ ଆଗରେ ଖାଲି ବଗଡ଼ା ଇଂରାଜୀ ଆଣି ଗାଳୁଥିଲେ । ଆମକୁ ହସ ମାଡ଼ୁଥିଲେ ମଧ୍ୟ ଆମେ ମୁହଁ ଫିଟାଇ କିଛି କହିପାରୁ ନଥିଲୁ । ସରକାରୀ ସିରସ୍ତାରୁ ବିଶେଷବିତ୍‌ମାନେ ଆସି ଆମକୁ ଶିକ୍ଷାଦାନର ପଦ୍ଧତି ବିଷୟରେ କହୁଥିଲେ । ସେମାନେ କେବେ କୋଉଠି ସତକୁ ସତ ପିଲାଙ୍କୁ ପଢ଼ାଉ ନ ଥିଲେ । ଅନ୍ୟ ଯେଉଁମାନେ ପଢ଼ାଇବେ ବୋଲି ବନ୍ଧାହୋଇ ଆସିଛନ୍ତି, ସେମାନଙ୍କୁ ହିଁ ପଢ଼ାଇବାର ବାଗ ବତାଇଦେବା ପାଇଁ ବିଶେଷ ତାଲିମ ପାଇଥିଲେ । କୃଷକ ହେବାକୁ ପ୍ରାୟ ଘୃଣା କରୁଥିବା କୃଷିବିଜ୍ଞାନବିତ୍‍ର କଥା ପରି ସେଗୁଡ଼ାକ ମଧ୍ୟ ଆମକୁ କେମିତି କେମିତି ଲାଗୁଥିଲା-

 

ଏହି କ୍ଷେତ୍ରରେ ମଧ୍ୟ ଆମେ କ୍ରମେ ପ୍ରଧାନତଃ ନିଜ ଉପରେ ନିର୍ଭର କରି ଶିଖିଲୁ । ପଢ଼ାଇବା ବିଷୟରେ ଆମରି ଶିକ୍ଷାକେନ୍ଦ୍ରମାନଙ୍କରେ ଆମ ଭିତରୁ ଯେଉଁମାନଙ୍କର ଅଧିକ ଦିନର ଅଭିଜ୍ଞତା ରହିଥିଲା, ସେମାନେ ନୂଆମାନଙ୍କ ସହିତ ଏକାଠି ବସିଲେ, ବାଗଗୁଢ଼ିକୁ ବତାଇ ଦେଲେ-। ଅବିଶ୍ଵାସୀମାନେ ମଧ୍ୟ ବିଶ୍ଵାସ କରିବାକୁ ବାଧ୍ୟ ହେଲେ । ଆମର ଯେଉଁ ମୁରବୀମାନେ ଆମର ଯୋଗ୍ୟତା ଉପରେ ସନ୍ଦେହ କରୁଥିଲେ ଏବଂ ପ୍ରାୟ ଇଚ୍ଛା ନ ଥିଲେ ମଧ୍ୟ ତଥାପି ଏପରି ହେଉ ବୋଲି ହିଁ କହୁଥିଲେ, ସେମାନଙ୍କର ବି ସନ୍ଦେହ ମୋଚନ ହୋଇଗଲା । ଏଣିକି ଠିକ୍ ଏହିପରି ହିଁ ଚାଲିବ । କେବଳ ରାଜଧାନୀରେ ବରଷକରେ ଥରେ ନୁହେଁ, ବରଷକ ସାରା ଆମର ବିଭିନ୍ନ ଆଞ୍ଚଳିକ ସମ୍ମିଳନୀଗୁଡ଼ିକରେ ମଧ୍ୟ ଏହିଧାରାରେ ସବୁକିଛି ଚାଲିବ । ଆମର ସମସ୍ୟାଗୁଡ଼ିକୁ ଆମେ ଏକାଠି ପରସ୍ପର ସହିତ ବସି ଠାବ କରିବା, ସମସ୍ୟାଗୁଡ଼ିକର ସମାଧାନ ମଧ୍ୟ ଏକାଠି ବସି ବାହାର କରିବା । ପରସ୍ପରକୁ ଲୋଡ଼ିଲେ ମଣିଷର ନିଜର ସାମର୍ଥ୍ୟଗୁଡ଼ିକ ଉପରେ ବିଶ୍ୱାସ ମଧ୍ୟ ଏକାବେଳକେ ଅଭାବନୀୟ ଭାବରେ ବୃଦ୍ଧିପାଏ । ଆମ ନିଜ ଭିତରେ ଲୁକ୍କାୟିତ ହୋଇ ରହିଥିବା ରତ୍ନଗୁଡ଼ିକର ସନ୍ଧାନ ତାହା ଦ୍ଵାରା ହିଁ ମିଳିଥାଏ । ଓଡ଼ିଶାର ଅଧିକାଂଶ ଶିକ୍ଷାକେନ୍ଦ୍ରର ଭାଇ ଓ ଭଉଣୀମାନେ ଏବେ ନିୟମିତ ଭାବରେ ଆଞ୍ଚଳିକ ଭିତ୍ତରେ ଏକାଠି ହେଉଛନ୍ତି । ରାଜଧାନୀରୁ ଆଗ କୌଣସି ହୁକୁମନାମା ଯାଇ ଏହି ବିଧିଟିର ଅନୁସରଣ କରାଯାଇ ନାହିଁ; ଆଗ ଆଞ୍ଚଳିକ ସ୍ତରରେ ହିଁ ତାହା ଆରମ୍ଭ ହୋଇଛି, ଆଞ୍ଚଳିକ ନେତୃତ୍ଵଗୁଡ଼ିକ ଅତ୍ୟନ୍ତ କୋଳାହଳଶୂନ୍ୟ ଭାବରେ ସୃଷ୍ଟି ହୋଇଛି,—ଏବଂ ତା’ପରେ ରାଜଧାନୀରୁ ସେଇଟି ପ୍ରତି ସମର୍ଥନ ଜ୍ଞାପନ କରାଯାଇଛି । ଯାହା ତଳୁ ସ୍ୱତଃସ୍ଫୂର୍ତ୍ତ ଭାବରେ ଗଢ଼ିହୋଇ ଆସେ, ତାହାହିଁ ସ୍ଥାୟୀ ହୋଇ ରହେ । ଉପରୁ ପ୍ରବରମାନେ ଲଦି ଦେଉଥିବା ଯାବତୀୟ ବସ୍ତୁ ଅଧିକାଂଶତଃ ଅବସ୍ତୁରେ ହିଁ ପରିଣତ ହୁଏ । ଅସଲ ମାଟିଟି ପାଗହୋଇ ପାରେ ନାହିଁ । ତେଣୁ ଅସଲ ଫସଲଟି ମୋଟେ ଫଳେ ନାହିଁ ।

 

ଆମର ଗୋଟିଏ ଗୋଟିଏ ଶିକ୍ଷାକେନ୍ଦ୍ରରେ ମଧ୍ୟ ଯଦି ଆମେ ଏହିପରି ପରସ୍ପର ପାଖରେ ସମ୍ମତ ହୋଇଯିବା, ତେବେ ସେଠାରେ ମଧ୍ୟ ଆମର ଯାବତୀୟ କାର୍ଯ୍ୟ ଅଭୂତପୂର୍ବ ଭାବରେ ଦୀର୍ଘତର ପଦକ୍ଷେପରେ ଅଗ୍ରସର ହୋଇଯାଇ ପାରିବ । ସେଠାରେ ମଧ୍ୟ ଆମେ ପରସ୍ପରକୁ ଲୋଡ଼ିବା । ପରସ୍ପରକୁ ପାଖରେ ବସାଇବା, ପରସ୍ପର ସହିତ ଖିଅ ଲଗାଇ ରହିଥିବା । ଶିକ୍ଷାକେନ୍ଦ୍ରଗୁଡ଼ିକରେ ପରିଚାଳନା ପକ୍ଷ ଶିକ୍ଷକ ହୋଇ ପାରୁଥିବେ, ଶିକ୍ଷାଦାନ-ପକ୍ଷ ମଧ୍ୟ ପରିଚାଳନାରେ ମୁଣ୍ଡ ଖେଳାଇ ପାରୁଥିବେ । ଉଭୟ ପକ୍ଷ ପରସ୍ପରକୁ ଅଭୟ ଦେଇ ପାରୁଥିବେ । ଆମେ ସମସ୍ତେ ଭଗବାନଙ୍କ ପାଖରେ ସମ୍ମତ ହୋଇ ପାରିଲେ ଯାଇ ଏକଥା ସମ୍ଭବ ହେବ । ଭଗବାନଙ୍କ ପାଖରେ ସମ୍ମତ ହେବାର ଆମର ଏହି ସାଧନାଟି ଆପାତତଃ ଆମ ପିଲାଙ୍କ ପାଖରେ ସମ୍ମତ ହୋଇ ପାରିବାରୁ ଆରମ୍ଭ ହେବ । ସେହି ପିଲାମାନେ ହିଁ ଡୋରପରି ହୋଇ ଆମକୁ ପରସ୍ପର ସହିତ ଗଅଣ୍ଠାଇ ରଖିଥିବେ । ଈର୍ଷା ନ ଥିବ, ଅହଙ୍କାର ନ ଥିବ, ଆଦୌ କୌଣସି ପ୍ରକାରର ହିଂସ୍ରତା ମଧ୍ୟ ନଥିବ ।

 

ପୃଥିବୀର ଆଗାମୀ ଯୁଗଟି ପ୍ରକୃତରେ ଯେଉଁଭଳି ହେବାକୁ ଯାଉଛି, ଆମର ଶିକ୍ଷାକେନ୍ଦ୍ରଟି ତାହାକୁ ହିଁ ବିଧାନ ବୋଲି ଗ୍ରହଣ କରିବ । ଆମ ଶିକ୍ଷାକେନ୍ଦ୍ରଗୁଡ଼ିକରେ ଆମର ସାନ ବଡ଼ ପ୍ରତ୍ୟେକ କାର୍ଯ୍ୟରେ ଓ ଦୃଶ୍ୟ ଅଦୃଶ୍ୟ ପ୍ରତ୍ୟେକ ସମ୍ବନ୍ଧରେ ମୂଳତଃ ସେହି ବିଧାନଟି ପ୍ରତିଫଳିତ ହୋଇ ରହିଥିବ । ଆମର ସକଳ ଔଦ୍ଧତ୍ୟ ସେହି ବିଧାନ ପାଖରେ ପରାଭାବ ସ୍ଵୀକାର କରିବାର ଶିକ୍ଷାଟିକୁ ଅବଶ୍ୟ ଲାଭ କରିଥିବ ।

 

ଆମେ କ’ଣ ଏତେସବୁକୁ ପ୍ରକୃତରେ ପାରିବା ? ଆମେ ଆପଣାକୁ ପରସ୍ପରଠାରୁ ବିଚ୍ଛିନ୍ନ କରି ଭାବିବା ବେଳକୁ ନିଜକୁ ସର୍ବଦା ଭାରି ଦୁର୍ବଳ ବୋଲି ମନେ ହୋଇଥାଏ । ଉତ୍ତେଜିତ ମଣିଷ ମଧ୍ୟ ବାହାରର ସକଳ ଉତ୍ତେଜନା ସତ୍ତ୍ୱେ ଭିତରେ ଭାରି ଦୁର୍ବଳ ହୋଇ ରହିଥାଏ । ସମ୍ମତ ମଣିଷ ହିଁ ଯଥାର୍ଥ ବଳର ଉତ୍ସଗୁଡ଼ିକ ସହିତ ଖିଅ ଲଗାଇ ବାଟ ଚାଲିପାରେ । ସମ୍ମତମାନଙ୍କୁ ନିମିତ୍ତରୂପେ ବ୍ୟବହାର କରି ହିଁ ଭଗବାନ୍ ଯୁଗେ ଯୁଗେ ତାଙ୍କର କାର୍ଯ୍ୟଗୁଡ଼ିକୁ ସମ୍ପନ୍ନ କରାଇ ନେଇଛନ୍ତି ।

 

ନଭେମ୍ବର, ୧୯୮୯

Image

 

ଖୁସି, ଖୁସି, ଖୁସି

 

ବଡ଼ମାନଙ୍କ ଭିତରେ ଜୀବନଟିଏ ବଞ୍ଚିବାର, ନିକ ଜୀବନ ଭିତରକୁ ସତକୁ ସତ ଭଗବାନଙ୍କୁ ଡାକିଆଣିବାର ସହଜ ଖୁସିଟି କେଉଁ କାରଣରୁ ବିଦାୟ ନେଇଯାଇ ଥାଏ କେଜାଣି, ପିଲାମାନଙ୍କୁ ଦେଖିଲେ ସେମାନଙ୍କର କେବଳ ଉପଦେଶ ଦେବାଟା ହିଁ ମନେ ପଡ଼ିଯାଏ । ଉପଦେଶ ଦେବାକୁ ହିଁ ସେମାନେ ମହାଭ୍ରମରେ ପଡ଼ି ଉଦବୋଧନ ଦେବା ବୋଲି କହନ୍ତି ।

 

ଆମରି କଥା ମାନି ଆମେ ବାନ୍ଧି ଦେଇଥିବା ରୁଟିନ୍ ଅନୁସାରେ ଧାଡ଼ି ହୋଇଯିବା, ଧାଡ଼ିରେ ବସିବା, ଆମେ ଶିଖାଉଥିବା ପବିତ୍ର ବ୍ୟାୟାମଗୁଡ଼ିକୁ ଶିଖିବା, ଆମେ ସେମାନଙ୍କର ପ୍ରଶଂସା କଲେ ସେଥିରେ ହିଁ କୃତକୃତ୍ୟ ହେବା ଓ ଆମେ କୌଣସି କାରଣରୁ ସେମାନଙ୍କ ଉପରେ ବିରକ୍ତ ପ୍ରକାଶ କଲେ ତଳକୁ ମୁହଁ ପୋତିଦେବା,—ପିଲାମାନଙ୍କର ଏହି ଆଚରଣମାନ ଦେଖିଲେ ବଡ଼ମାନଙ୍କର ମନ ସତେଅବା କୁଣ୍ଢେମୋଟ ହୋଇଯାଏ । ଏହିଭଳି କୁଣ୍ଢେମୋଟ ସୁଖାନୁଭୂତିଗୁଡ଼ିକୁ ଲାଭ କରିବାକୁ ବଡ଼ମାନେ ପିଲାମାନଙ୍କ ଲାଗି ଯେଉଁ ମେଳାଗୁଡ଼ିକର ଆୟୋଜନ କରିଥାନ୍ତି, ପାରମ୍ପରିକ ଅଭିଧାନରେ ତାହାକୁ ଶିବିର ବୋଲି କୁହାଯାଇଥାଏ । ଏହି ଶିବିର ବର୍ଷକୁ ବର୍ଷ ହୁଏ, ଆମ ବଡ଼ମାନଙ୍କର ବନ୍ଧ୍ୟା ଓ ଥୁଣ୍ଟା ଡାଳମାନଙ୍କରେ ପାଞ୍ଚ ଛଅଦିନ ଲାଗି ସତେଅବା ବଉଳ ଭର୍ତ୍ତି ହୋଇଯିବା ପରି ମନେହୁଏ । ଆମେ ବଡ଼ମାନେ ସେଥିଲାଗି ଏଗୁଡ଼ିକ ପାଇଁ କେତେ ମିହନ୍ତ କରୁ-। କେତେଆଡ଼ୁ ସାଉଁଟି ସଜାଡ଼ି ଧନ ଆଣି ଶିବିରଟିଏ କରୁ ।

 

ନୈତିକତା ଭିତରେ ସବୁ ଥାଏ, ଖୁସି ନଥାଏ । ଖୁସି ନଥାଏ, ତେଣୁ ଆଧ୍ୟାତ୍ମିକତା ନଥାଏ । ଆଧ୍ୟାତ୍ମିକତା ଚେରକୁ ସ୍ପର୍ଶ କରେ, ମୂଳଗୁଡ଼ିକୁ ଦୋହଲାଇ ଦିଏ । ନୈତିକତା ପାଞ୍ଚଦିନ ପାଇଁ ନୀତି ଭିତରକୁ ଆସେ, ପାଞ୍ଚଦିନ ପରେ ପୁନର୍ବାର ନିତିଦିନର ପୁରୁଣାଗୁଡ଼ାକ ଭିତରକୁ ଫେରିଯାଏ । ବଡ଼ମାନେ ଫେରିଯାଆନ୍ତି, ସାନମାନେ ବି ଫେରିଯାଆନ୍ତି । ପିଲାମାନେ ବଡ଼ ହୋଇ ଠିକ୍ ଆମରି ପରି ହୁଅନ୍ତୁ, ମନ ଭିତରେ ଏହିପରି ଗୋଟିଏ ଅଶୁଭ ଇଚ୍ଛା ପୋଷଣ କରି ଆମେ ବଡ଼ମାନେ ଶିବିରର ଫିକର କରିବାରେ ଲାଗିଥାଉ କି ? ଆମ ଭିତରେ ଥିବା ପିଲାଟା ଭପରେ ଆମ ବୟସ୍କ ମନଟା କୋଉକାଳୁ ବିଜୟ ହାସଲ କରିଥାଏ ବୋଲି ଆମେ ଆମ ଅଧୀନରେ ଶିବିରକୁ ଆସିଥିବା ପିଲାମାନଙ୍କୁ ଧାର୍ମିକତାର ଏକ ନିର୍ଦ୍ଦୟ ଧରାବନ୍ଧା ଭିତରେ ଯଥାଶୀଘ୍ର ବୟସ୍କରେ ପରିଣତ କରିଦେବାକୁ ଏକ ଅଭିସନ୍ଧି ରଖିଥାଉ କି ? ଆମେ ଧ୍ୟାନସ୍ଥ ହୋଇ ତାହାରି ବିଚାର କରିବା ।

 

ଏହି ପରିପ୍ରେକ୍ଷୀରେ ଏଥର ଆଉ ଗୋଟିଏ ଶିବିର ପ୍ରଥମ କରି ହେଲା, ଯେଉଁଥିରେ ପିଲାମାନେ ସବା ଆଗରେ ଥିଲେ, ବଡ଼ମାନେ ପଛରେ ରହିଥିଲେ । କାର୍ଯ୍ୟକ୍ରମ ପିଲାମାନେ ତିଆରି କରିଥିଲେ, ବଡ଼ମାନେ ସେଇଟି ଲାଗି ଆବଶ୍ୟକ ଅନୁକୂଳତା ଯୋଗାଇ ଦେଇଥିଲେ । ସେହି ଧାରାରେ ଶ୍ରମଦାନ ହେଲା, ଅଧ୍ୟୟନ ଓ ଆଲୋଚନା ମଧ୍ୟ ହେଲା । ଏଗୁଡ଼ିକ ଫଳରେ ପିଲାମାନେ ପରସ୍ପରର ନିକଟବର୍ତ୍ତୀ ହେଉଥିଲେ, ବଡ଼ମାନେ ନିଜ ଭିତରେ ରହିଥିବା ପିଲାଟିର ନିକଟବର୍ତ୍ତୀ ହେଉଥିଲେ ।

 

ସମସ୍ତେ ମିଶି ଭିତର ବାହାରର ଏହି ଚିରନ୍ତନ ବଗିଚାରେ କେଡ଼େ ଖୁସି ହୋଇ ଖେଳୁଥିବା ଚିରନ୍ତନ ପରମଶିଶୁଟିର ନିକଟବର୍ତ୍ତୀ ହେଉଥିଲେ । ଗଣ୍ଠିଗୁଡ଼ିକ ଖୋଲିଯିବାପରେ ସମସ୍ତେ ଅନୁଭବ କଲେ ଯେ ଗଣ୍ଠିଗୁଡ଼ିକ ପ୍ରକୃତରେ ଆଦୌ କେଉଁଠି ହେଲେ ନଥିଲା । ଉପଦେଶ ବା ବକ୍ତୃତା ନୁହେଁ, dialogue ହିଁ ଏହି ଶିବିରର ଗ୍ରନ୍ଥିମୋଚନକାରୀ ଶୈଳୀ ହୋଇ ରହିଥିଲା । Dialogue ଦୁଆର ଖୋଲିଦେଲା, ପରସ୍ପରର ଭିତରକୁ ବାଟ ଦେଖାଇଦେଲା । ଅନ୍ତରଟାଠାରୁ ଆକାଶଯାଏ ସବୁକିଛି ଖୁସିରେ ପରିପୂର୍ଣ୍ଣ ହୋଇ ରହିଥିବା ପରି ଅନୁଭବ ହେଲା ।
 

ଡିସେମ୍ବର ୧୨, ୧୯୮୯

Image

 

Unknown

ନୂଆ କେତେ ନିକଟ

 

ସେଦିନ ସମ୍ବଲପୁର ଜିଲ୍ଲାର ଖରମୁଣ୍ଡା ଗାଆଁରେ ଗୋଟିଏ ଅଭିନବ ବାହାଘରରେ ମୋତେ କର୍ତ୍ତା ହେବାକୁ ପଡ଼ିଥିଲା । ବର ମଧ୍ୟପ୍ରଦେଶର ଗୋଟିଏ ଗାଆଁରୁ ଆସିଥିଲେ । ବର ଓ ବରଯାତ୍ରୀ ଦୁଇଟି ଜିପରେ ପ୍ରାୟ ଖରାବେଳ ଗଡ଼ି ଆସିଲାବେଳକୁ ରୁଚିଦା ଗାଆଁରେ ଆସି ପହଞ୍ଚିଲେ । ରୁଚିଦା ଗାଆଁ ଓଡ଼ିଶା ପଟେ ମଧ୍ୟପ୍ରଦେଶର ସୀମାଠାରୁ ମୋଟେ ପାଞ୍ଚ ଦଶ କିଲୋମିଟର ବାଟ । ରୁଚିଦାରେ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରଟିଏ ଅଛି । ଅନେକ ବର୍ଷର ପୁରୁଣା ପାଠଚକ୍ର ମଧ୍ୟ ଅଛି । ରୁଚିଦାରୁ ଆମେ କେତେଜଣ ବି ସେହି ଜିପରେ ଉଠିଲୁ । ସମସ୍ତଙ୍କ ଭିତରେ ବରବାବୁ ବେଶ୍ ବାରି ହୋଇ ପଡ଼ୁଥାନ୍ତି ସତ, ମାତ୍ର ତାଙ୍କଠାରେ ବରର ବିଶେଷ କିଛି ସାଜସଜ୍ଜା ନ ଥାଏ । ଜିପ୍ ଉପରେ ଫୁଲ ହାରରେ କୌଣସି ବେଣୀ ପଡ଼ି ନ ଥାଏ । ବାଟରେ ଭଟଲିଠାରେ ସଞ୍ଜ ହେଲା-। ପିଚୁ ରାସ୍ତା ଛାଡ଼ି ଆମେ ଗାଆଁର ଧୂଳିରାସ୍ତାକୁ ଆସିଲୁ । ତା’ପରେ କେନାଲ୍ କାନ୍ଥେ କାନ୍ଥେ ଯାଇ ରାତି ପ୍ରାୟ ନଅଟା କି ଦଶଟା ବେଳକୁ ଖରମୁଣ୍ଡା ଗାଆଁରେ ପହଞ୍ଚିଲୁ । ବରଯାତ୍ରୀମାନଙ୍କୁ ଖାଇବାକୁ ଦିଆଗଲା । ତା’ପରେ ଗାଆଁ ମଝିରେ ଆଉ ଗୋଟାଏ ଜାଗାରେ ବିଭାଘର ନାମକ କର୍ମଟି ଅନୁଷ୍ଠିତ ହେଲା ।

 

ବେଦୀ ନାହିଁ, ବିଭାଘର ହେଉଛି । ମାଆ ଓ ଶ୍ରୀଅରବିନ୍ଦଙ୍କର ଫଟୋ ସଜାହୋଇ ରହିଛି । ଦେଖଣାହାରିମାନେ ବସି ଦେଖିବେ ବୋଲି ତଳେ ଦରୀ ବିଛା ହୋଇଛି । ଉତ୍ସବର ସୂଚନା ଦେଇ ବାଉଁଶରେ ତିଆରି ଛାମୁଡ଼ିଆ ତଳେ କିଛି ରଙ୍ଗ ଆଲୁଅ ଜଳୁଛି ଓ ଜାଗାଟିକୁ ସୁନ୍ଦର କରି ରଖିଛି । ବିଭାଘରର ଲଗ୍ନ ନିକଟ ହୋଇ ଆସିବା ସଙ୍ଗେ ସଙ୍ଗେ ଲୋକମାନେ ଆସି ପହଞ୍ଚିଗଲେ । ପାରମ୍ପରିକ ମାମୁଲି ବିଭାଘରମାନଙ୍କରେ କୁଣିଆମାନେ ଆସନ୍ତି, ବନ୍ଧୁ ବାନ୍ଧବ ଓ ଜ୍ଞାତିକୁଟୁମ୍ବ ଆସନ୍ତି, ଖୁବ୍ ବେଶୀ ହେଲେ ଆପଣା ଜାତିର ମଣିଷମାନେ ଆସନ୍ତି । ମାତ୍ର ସେଦିନ ସତେଅବା ଗାଆଁ ଗୋଟାକଯାକର ମଣିଷ ସେଠାରେ ଆସି ଏକାଠି ହୋଇଥିଲେ । ଜାତି ବା ଜ୍ଞାତିର ଆଦୌ କୌଣସି ବାଛବିଚାର ନ ଥିଲା । ପିଲା ଆସିଥିଲେ, ବଡ଼ ଆସିଥିଲେ; ପୁରୁଷ ଆସିଥିଲେ, ମାଆ ଓ ଭଉଣୀମାନେ ଆସିଥିଲେ । ପାଣ ବାଜା ବଜାଉ ନଥିଲା କି ବାଉରୀ ଶଙ୍ଖ ବଜାଉ ନ ଥିଲା । ଭଣ୍ଡାରି ଏବଂ ଭଣ୍ଡାରୁଣୀଙ୍କୁ ଡାକିବାର ଆଦୌ କୌଣସି କାର୍ଯ୍ୟକ୍ରମ ନ ଥିଲା । ଫୁଲରେ ସଜା ହୋଇଥିବା ମଣ୍ଡପ ଉପରେ ଗୋଟିଏ ପାଖରେ କନ୍ୟାପକ୍ଷ ବସିଲେ, ଆଉ ଗୋଟିଏ ପାଖରେ ବରପକ୍ଷ ବସିଲେ । ପରସ୍ପର ଆଡ଼କୁ ମୁହଁ କରି ନୁହେଁ, ମାଆ ଓ ଶ୍ରୀଅରବିନ୍ଦଙ୍କ ଆଡ଼କୁ ମୁହଁକରି ବସିଲେ । ତା’ପରେ ସମବେତ ଧ୍ୟାନ ଆରମ୍ଭ ହେଲା । ଧ୍ୟାନପରେ କେତେଜଣ ଭଉଣୀ ପ୍ରାର୍ଥନା-ସଂଗୀତ ଗାନ କଲେ । ତା’ପରେ କର୍ତ୍ତା ସମସ୍ତଙ୍କ ଉପସ୍ଥିତିରେ ବର ଓ କନ୍ୟା ପରସ୍ପରକୁ ମାଲ୍ୟ ପରିଧାନ କରାଇଲେ । ଆଶ୍ରମରୁ ଆଶୀର୍ବାଦ-ପୁଷ୍ପ ଆସି ପହଞ୍ଚିଥିଲା । କର୍ତ୍ତା ବରକନ୍ୟା ଉଭୟଙ୍କର ହାତକୁ ଏକାଠି କରିଦେଇ ତାହାରି ଭିତରେ ସେହି ଆଶୀର୍ବାଦ-ପୁଷ୍ପକୁ ନେଇ ରଖିଦେଲେ । ଫୁଲ ହାରଟିଏ ଗୁଡ଼ାଇ ଦେଇ ହାତଗଣ୍ଠି ପକାଇ ଦେଲେ । ପାଞ୍ଚି ନାହିଁ କି ବଉଳପାଟ ନାହିଁ, ଝିଅର ମୁଣ୍ଡରେ ଖଣ୍ଡୁଆ ପଡ଼ି ନାହିଁ । ମୁକୁଟ ଲଗା ହେବାର ପ୍ରଶ୍ନ ବା କାହିଁକି ଉଠିବ ? ହାତଗଣ୍ଠି ପଡ଼ିଲା, କୌଣସି ଗଅଁଠିଆଳ ଆବଶ୍ୟକ ହେଲା ନାହିଁ । ତା’ପରେ ନବଦମ୍ପତିଙ୍କ ଉଦ୍ଦେଶ୍ୟରେ ମାଆ ଏକଦା ଲେଖିଥିବା ବାଣୀଟିକୁ ପାଠ କରି ଦିଆଗଲା । ଚାରିଆଡ଼ୁ ସମସ୍ତେ ନୀରବ ଓ ଅବାକ୍ ହୋଇ ଦେଖୁଥାନ୍ତି । ସମଗ୍ର ବାୟୁମଣ୍ଡଳରେ ଏକ ଗାମ୍ଭୀର୍ଯ୍ୟପୂର୍ଣ୍ଣ ପ୍ରସନ୍ନତା ପୂର୍ଣ୍ଣ ହୋଇ ରହିଥାଏ । ମଝିରେ ମଝିରେ ଶଙ୍ଖ ବାଜୁଥାଏ, ହୁଳହୁଳି ଧ୍ଵନିରେ ସକଳ ଗମ୍ଭୀରତା ସାକାର ହୋଇ ଉଠୁଥିଲା ପରି ମନେ ହେଉଥାଏ ।

 

କନ୍ୟା ଘରର ସାତ ଆଠ ବର୍ଷର ସାନ ପିଲାଟିଏ ହାତଗଣ୍ଠି ଫିଟାଇଲା । ବ୍ରାହ୍ମଣ ନାହାନ୍ତି କି ବ୍ରହ୍ମା ମଧ୍ୟ ନାହାନ୍ତି । ତା’ପରେ ସେଇଠି ଗାଆଁ ଯାକର ପିଲାଙ୍କୁ ଲଡ଼ୁ ବଣ୍ଟା ହେଲା । ବାହାଘର ସରିଲା । ଯୌତୁକ ନାହିଁ କି ଫଉତୁକ ନାହିଁ । ଆମେ ବିଦା ହେଲୁ । ରାତି ପ୍ରାୟ ଗୋଟାକ ସମୟରେ ପୁଣି ରୁଚିଦାରେ ଆସି ପହଞ୍ଚି ଗଲୁ । ଖବର ନେଇ ଜାଣିଲି, ବର ତାଙ୍କ ଗାଆଁ ପାଖର କୌଣସି ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରନ୍ତି । ତାଙ୍କ ଉପରର ଦୁଇଭାଇ ମଧ୍ୟ ଏହିପରି ବିନା ଯଉତୁକରେ ବିଭାହୋଇ ସାରିଛନ୍ତି । ବରକନ୍ୟା ପରିବାରର ଇଚ୍ଛା ବିରୁଦ୍ଧରେ ଯାଇ ଫୁଲେଇ ହୋଇ ଯେ ଏକଥା କରିଛନ୍ତି, ସେକଥା ଆଦୌ ନୁହେଁ । ବରପିତା ଓ କନ୍ୟାପିତା ପିଲାମାନଙ୍କର ଅପାରମ୍ପରିକ ରୀତିରେ ବିଭାଘର ହେଉ ଓ ସେଥିରେ କୌଣସି ବାଣିଜ୍ୟିକତା ପ୍ରବେଶ ନ କରୁ ବୋଲି ଇଚ୍ଛାକରି ହିଁ ପରସ୍ପରକୁ ଆବିଷ୍କାର କରିଛନ୍ତି । ରୁଚିଦା ଗାଆଁରେ ମଧ୍ୟ ଏହିପରି ଦୁଇତିନୋଟି ଯୌତୁକହୀନ ବାହାଘର ଆଗରୁ ହୋଇଛି ବୋଲି ଶୁଣିବାକୁ ପାଇଲି । ଆମେ ସବାଆଗ ହଁ କଲେ ଅସହଜ ପ୍ରକୃତରେ କେଡ଼େ ସହକ ହୋଇଯାଏ, ଅନେକ ସମୟରେ ଅସମ୍ଭବଗୁଡ଼ାକ ମଧ୍ୟ ସମ୍ଭବ ହୋଇଯାଏ । ପୁରୁଣାର ଥାନରେ କେଡ଼େ ସ୍ୱାଭାବିକ ଭାବରେ ନୂଆ ଆମନ୍ତ୍ରିତ ହୋଇ ଆସେ । ଆଦୌ କୌଣସି କୋଳାହଳ କରିବା ଦରକାର ହୁଏ ନାହିଁ । ସତେଅବା ଅଜାଣତରେ ସବୁ ବଦଳି ଯାଏ । ବିଶ୍ଵାସ ଦ୍ଵାରା ଅବିଶ୍ୱାସର ଅନ୍ତ ହୁଏ । ମାତ୍ର, ଆମେ ନ ମଙ୍ଗିଥିବା ପର୍ଯ୍ୟନ୍ତ ଆମ ଭିତରେ ଥିବା ପୁରୁଣାଟା କେତେ ଗୋଡ଼ ଲମ୍ବାଇବାରେ ଲାଗିଥାଏ, କେତେ ଯୁକ୍ତି କରୁଥାଏ ଏବଂ ଆଗ ସମସ୍ତେ ବଦଳିଗଲେ ସିଏ ମଧ୍ୟ ଠୋ’ କିନା ବଦଳି ଯିବ ବୋଲି କହି ସମୟ ଗଡ଼ାଇବାରେ ଲାଗିଥାଏ ।

 

ଏଥି ପୂର୍ବରୁ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରଗୁଡ଼ିକର ଆମର ଏହି କୁଟୁମ୍ବଟି ଭିତରେ ଘଟି ଯାଇଥିବା ଆଉ ଗୋଟିଏ କଥା ମଧ୍ୟ ଏହି ପ୍ରସଙ୍ଗରେ ମନେ ପଡ଼ି ଯାଉଛି । ଆମର ଜଣେ ଭାଇଙ୍କର ବାପାଙ୍କର କାଳ ହୋଇଗଲା । ସିଏ ପାରମ୍ପରିକ ଢଙ୍ଗରେ ଶୁଦ୍ଧି ପାଳିବାକୁ ମନ କଲେ ନାହିଁ । ଅର୍ଥାତ୍, ବ୍ରାହ୍ମଣ ଡାକି ବିଧି ଅନୁସାରେ ପ୍ରେତ ଛଡ଼ାଇଲେ ନାହିଁ କି ଗାଆଁଲୋକଙ୍କୁ ତିକ୍ତ ଖୁଆଇଲେ ନାହିଁ । ଏଗାରଦିନ ଯାକ ତାଙ୍କ ଘରେ ‘ସାବିତ୍ରୀ’ ପାଠ ହେଲା, ନିୟମିତ ସମୟ ରଖି ସମବେତ ଧ୍ୟାନ ହେଲା । ମାଆ ଓ ଶ୍ରୀଅରବିନ୍ଦଙ୍କର ଫଟୋକୁ ସମ୍ମୁଖରେ ରଖାଇ ଏସବୁ ହେଲା । ଯୋଗକୁ ହେଉ ଅଥବା ଦୁର୍ଯ୍ୟୋଗକୁ ହେଉ, ସିଏ ହେଉଛନ୍ତି ସେଠା ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ସମ୍ପାଦକ । ଗାଆଁବାଲା ଭାରି ବିଗିଡ଼ିଲେ । ପ୍ରମୁଖମାନେ ବସି ତାଙ୍କ ଘରକୁ ବାସନ୍ଦ କରି ରଖିଲେ-। ଏମିତି ଅଜାତିଆ ଓ ଗୋଠବାହାର ହୋଇ ବର୍ଷେ କଟିଗଲା । ବାପାଙ୍କର ବର୍ଷିକିଆ ଆସି ପହଞ୍ଚିଲା । ସେଦିନ ମଧ୍ୟ ‘ସାବିତ୍ରୀ’ ପାରାୟଣ ହେଲା, ସମବେତ ଧ୍ୟାନର କାର୍ଯ୍ୟକ୍ରମ ରହିଲା-। ବର୍ଷିକିଆ ଉପଲକ୍ଷେ ଗାଆଁବାଲା ଖାଇବାକୁ ଆସିଥାନ୍ତେ । ସମ୍ପାଦକ ଆମ ଶିକ୍ଷାକେନ୍ଦ୍ରର ପିଲାଙ୍କୁ ଡାକି ଖାଇବାକୁ ଦେଇଦେଲେ । ସିଏ ଭାବିଥିଲେ, ପ୍ରମୁଖମାନଙ୍କର ବର୍ଷକ ତଳର ପୁରୁଣା କଥା ଆଉ କଦାପି ମନେ ନ ଥିବ । ତେଣୁ ସାହିଭାଇଙ୍କୁ ନ ଡାକି ପିଲାମାନଙ୍କୁ ଖୁଆଇ ଦେଲେ କଦାପି କାହାରି ଆପତ୍ତି ରହିବ ନାହିଁ । ଏହି ପିଲାମାନେ ତ ସାହିର ବା ଗାଆଁର । ମାତ୍ର ପୁରୁଣା ଦଗ୍ଧଗୁଡ଼ାକ ଏବେ ମଧ୍ୟ ଶାନ୍ତ ହୋଇ ନ ଥିଲା । ଏଥର ରୋଷମାନେ ଅଧିକ ଉତ୍ସାହରେ ଏକାଠି ହେଲେ । ଯେଉଁମାନେ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ, ଏଥର ସେମାନଙ୍କର ପରିବାରଗୁଡ଼ିକୁ ମଧ୍ୟ ଏକଘରକିଆ କରି ଦିଆଗଲା । ଏବଂ, ଶିକ୍ଷାକେନ୍ଦ୍ରରେ ପଢ଼ିବାକୁ ଆସୁଥିବା ପିଲାମାନଙ୍କୁ ମଧ୍ୟ ନାଆଁ କଟାଇ ଇସ୍କୁଲରୁ ଉଠାଇ ନିଆଯିବାର ଚେଷ୍ଟା କରାଗଲା ।

 

ସେଠି ବର୍ତ୍ତମାନ ମଧ୍ୟ ଅଳ୍ପ ବହୁତ ସେହି ସ୍ଥିତି ଲାଗି ରହିଛି । ସେହି ଗାଆଁରେ ଶ୍ରୀଅରବିନ୍ଦଙ୍କର ପବିତ୍ର ଦେହାଂଶ ସ୍ଥାପିତ ହେବା ଏବକୁ ଦଶବର୍ଷରୁ ଉର୍ଦ୍ଧ୍ଵ ହୋଇଗଲାଣି । ପ୍ରତିବର୍ଷ ଏପ୍ରିଲ ମାସରେ ତାହାର ବାର୍ଷିକ ସ୍ମରଣ ଦିବସ ସେଠାରେ ପାଳିତ ହୁଏ । ଏବର୍ଷର ହାଲଚାଲ ଲେଖି ସେଠାରୁ ଜଣେ ପତ୍ର ଲେଖିଛନ୍ତି । “ଏବର୍ଷ ବହୁତ ଲୋକ ବାହାରୁ ଆସିଥିଲେ । କିନ୍ତୁ ଗ୍ରାମର ମାଲିକମାନେ ଘର ଘର ବୁଲି ସ୍କୁଲର ସମସ୍ତ ପିଲାଙ୍କୁ ମନା କରି ଦେଇଥିଲେ ଏଠାକୁ ଆସିବା ପାଇଁ । ତେଣୁ କେହି ପିଲା ଆସି ନ ଥିଲେ । ...ଆମେ ତାଙ୍କ ଘରକୁ ଖାଇବାକୁ ଯାଇଥିଲୁ, ଏଣୁ ଆମକୁ ଗାଆଁରୁ ଏକଘରକିଆ କରି ରଖିଛନ୍ତି । ତାଙ୍କର ଧାନ ଇତ୍ୟାଦି କାଟି ଦେଉ ନାହାନ୍ତି । କିନ୍ତୁ ଆମକୁ ସେସବୁ କରିବାକୁ ଦେଉଛନ୍ତି । କେବଳ ଆମେ କାହା ଘରକୁ ଖାଇବା ପାଇଁ ଯାଇ ପାରିବୁ ନାହିଁ ।” ଯେଉଁ ନୂଆ ପୁରୁଣାର ମନ ବୁଝିବା ପର୍ଯ୍ୟନ୍ତ ଅପେକ୍ଷା କରି ରହେ, ସିଏ ବି ସେହି ପୁରୁଣା ସହିତ ସାଲିସ କରି ପକାଏ ।

 

ନୂଆ ସହିତ ପୁରୁଣାର ଯେଉଁ ଯୁଦ୍ଧ ଆସନ୍ନ ବୋଲି କୁହାଯାଇଛି, ସିଏ ସେହି ବାକ୍ୟଟିର ଆଦୌ କୌଣସି ଧାର ଧାରେ ନାହିଁ ଏବଂ ନିଜ ଭିତରୁ ନୂଆର ଦୁନ୍ଦୁଭିଟିକୁ ମୋଟେ ଶୁଣି ପାରେ ନାହିଁ । ନୂଆ ମନ୍ତ୍ର ପଢ଼େ, ନୂଆ ବିଷୟରେ ବକ୍ତୃତା ଦିଏ, ବକ୍ତୃତା ଶୁଣେ ସତ, ମାତ୍ର ନୂଆଲାଗି ଆଦୌ ମନ୍ତୁରା ହୋଇପାରେ ନାହିଁ । ପୁରୁଣାଟାକୁ ସିଏ କେବଳ ଉପରୁ ଦେଖି ଭଳିଯାଏ, ଡରିଯାଏ । ପୁରୁଣା ଭିତରେ ଯେ ନୂଆ ଲୁକ୍କାୟିତ ହୋଇ ରହିଛି; ଅପେକ୍ଷା କରି ରହିଛି, ସେହି କଥାଟିକୁ ସିଏ ଆଦୌ ବୁଝିପାରେ ନାହିଁ । ଯେଉଁମାନେ ନୂଆ ଉପରେ ସତକୁ ସତ ବିଶ୍ଵାସ ରଖିଛନ୍ତି, ଆଗ ସେମାନେ ନୂଆ ପରି ଆଚରଣ କରିବେ, ନୂଆହେବେ । ପୁରୁଣା ସେମାନଙ୍କୁ ଦେଖିବ, ସେମାନଙ୍କ ବିରୁଦ୍ଧରେ ପ୍ରତିବାଦ ଓ ପ୍ରତିରୋଧ କରିବ, ପୁରୁଣା ଲାଞ୍ଜ ଗୁଡ଼ାକୁ କେତେ ପିଟି ହେବ ଓ ପୁରୁଣା ଦାନ୍ତଗୁଡ଼ାକୁ କେତେ ନା କେତେ ରଗଡ଼ି ହେବ । କିନ୍ତୁ ଶେଷରେ ଅବଶ୍ୟ ପରତେ ଯିବ, ନୂଆକୁ ଆଖି ଆଗରେ ଦେଖି ପରତେ ହେବ । ତା’ ନିଜ ଭିତରେ ମଧ୍ୟ ପୁରୁଣା ବହଳଟାର ସେପଟକୁ ନୂଆ ଅପେକ୍ଷା କରି ରହିଛି ବୋଲି ଅନୁଭବ କରିବ । ଠିକ୍ ଏହିପରି ଭାବରେ ଏକ ଯୋଗସୂତ୍ର ସ୍ଥାପିତ ହେବ ଏବଂ ପୃଥିବୀ ବଦଳିବ-। ଆଗ କେତେ ବ୍ୟକ୍ତି ନୂଆକୁ ବଞ୍ଚିଲେ ଯାଇ ପୁରୁଣା ବଦଳିଯିବ ।

 

ଆମେ ମନ କଲେ ନୂଆ କେତେ ନିକଟ ଏବଂ ଆମେ ସତକୁ ସତ ମନ ନ କରିଥିବା ପର୍ଯ୍ୟନ୍ତ ତାହା କେତେ ଦୂର । ଆମେ ନୂଆକୁ ବହିର ପାଠ ଅଥବା ଋଷିର ବାକ୍ୟ କରି ରଖିଥିବା ପର୍ଯ୍ୟନ୍ତ ତାହା କେତେ ଦୂର, ଏବଂ ଆମେ ତାକୁ ଆମ ଜୀବନର ଏକ ଆହ୍ଵାନ ରୂପେ ଶୁଣିବାକୁ ପ୍ରସ୍ତୁତ ହୋଇଯିବା ମାତ୍ରକେ ତାହା କେତେ ନିକଟ ।

 

ନୈତିକ ଆଧ୍ୟାତ୍ମିକ ଭିତରକୁ ଅତିକ୍ରମ କରିଯିବାକୁ ମନ କଲେ ନୂଆ କେଡ଼େ ନିକଟ ଏବଂ ଆଧ୍ୟାତ୍ମିକକୁ ମୋଟେ ନ ଯିବା ପାଇଁ ନୈତିକକୁ ଏକ ବାଡ଼ ଭଳି ବ୍ୟବହାର କରୁଥିବା ପର୍ଯ୍ୟନ୍ତ ତାହା ପ୍ରକୃତରେ କେଡ଼େ ଦୂର । ନୈତିକକୁ ଭେଦ କରି ପାରିଲେ ଆମର ଅସଲଟି ଅର୍ଥାତ୍ ଆଧ୍ୟାତ୍ମିକଟା ସତେଅବା ଆମର ପରମ ବନ୍ଧୁ ରୂପେ ଅପେକ୍ଷା କରି ରହିଛି ବୋଲି ପୂର୍ଣ୍ଣ ପ୍ରତ୍ୟୟ ନ ଆସିବା ପର୍ଯ୍ୟନ୍ତ ଆମେ କେଡ଼େ ନିଷ୍ଠାପର ଅଥଚ କେଡ଼େ ବିବେକହୀନ ଭାବରେ ନୈତିକ ହୋଇ ରହିଥାଉ । ଆଧ୍ୟାତ୍ମିକତା ମଣିଷର ଜଡ଼ତା ଦୂର କରେ, ମଣିଷକୁ ଚାଲିବା ଶିଖାଏ, ନିଜ ଭିତରୁ ନିଜ ଲାଗି ଅସଲ ନିର୍ଦ୍ଦେଶଟିକୁ ଶୁଣି ପାରିବାରେ ସାହସ ଆଣିଦିଏ । ଏବଂ, ଯେଉଁଠି କେବଳ ଜଣେ ବ୍ୟକ୍ତି ବିଚ୍ଛିନ୍ନ ଭାବରେ ନୁହେଁ, ଏକ ସମ୍ପୂର୍ଣ୍ଣ ଗୋଷ୍ଠୀ ପରସ୍ପରର ସୁହୃତ୍ ଭାବରେ ସତେଅବା ପରମସୁହୃତ୍‌ର ବୋଲ ମାନୁଥିବା ପରି ନୈତିକତାର ଓ ପାରମ୍ପରିକତାର ବାଡ଼ଟିକୁ ଅତିକ୍ରମ କରି ଯିବାଲାଗି ନିଷ୍ପତ୍ତଟିଏ ଗ୍ରହଣ କରନ୍ତି, ସେଠାରେ ସଂଶୟଗ୍ରସ୍ତ ଗୁରୁଜନମାନଙ୍କର ନୈତିକ ପରାମର୍ଶ ମଧ୍ୟ ହଟିଯିବାକୁ ବାଧ୍ୟ ହୁଏ । ନୈତିକତା ଓହରି ଆସେ, ଆଧ୍ୟାତ୍ମିକତାକୁ ବାଟ ଛାଡ଼ିଦିଏ-। ନୈତିକମାନେ ପାଞ୍ଜି ଦେଖି ଆଧ୍ୟାତ୍ମିକତା କେବେ ଆସିବ ବୋଲି ଖଡ଼ି କଷି କାଳକ୍ଷେପଣ କରୁଥାନ୍ତି । ଆଧ୍ୟାତ୍ମିକତା ଗୋଡ଼ କାଢ଼ି ବାହାରି ଯିବା ମାତ୍ରକେ ବାଟ ଫିଟେ, ପୁରୁଣା ଅପସରି ଯାଏ, ସକାଳ ହୁଏ । ଅବିଶ୍ଵାସୀ ପ୍ରତିରୋଧୀମାନେ ମଧ୍ୟ ବନ୍ଧୁ ହୋଇ ସାଙ୍ଗରେ ବାହାରିବାକୁ ରାଜି ହୋଇଯାନ୍ତି ।

 

ଡିସେମ୍ବର, ୧୯୮୯

Image

 

ଶିକ୍ଷକର ସମର୍ପଣ

 

ଜୀବନରେ କିଏ କିଭଳି ବାଟଟିଏ ବାଛେ, ଅନେକ ଦୃଷ୍ଟିରୁ ତାହାକୁ ଜଣେ ବ୍ୟକ୍ତିର ଜୀବନରେ ଏକ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଘଟନା ବୋଲି କୁହାଯାଇ ପାରିବ । ସଂସାର ଲାଗି ମଧ୍ୟ ଏହା ଏକ କମ୍ ମହତ୍ତ୍ଵପୂର୍ଣ୍ଣ ଘଟନା ନୁହେଁ । କାରଣ, ପ୍ରତ୍ୟେକ ମନୁଷ୍ୟ ବା ଅନ୍ତତଃ ଅଧିକାଂଶ ମଣିଷ ଯଦି ନିଜ ପାଇଁ ବାଟଟିଏ ବାଛି ତାହାରି ଉପରେ ଯାଉଥାନ୍ତେ, ତେବେ ଆମର ଏହି ପୃଥିବୀର ଚେହେରା ହୁଏତ ସମ୍ପୂର୍ଣ୍ଣ ଭାବରେ ବଦଳି ଯାଆନ୍ତା । ଏବଂ, ଏହି ପୃଥିବୀରେ ଯଦି ଅଧିକାଂଶ ମଣିଷ ପୂର୍ଣ୍ଣ ବିଶ୍ଵାସର ସହିତ ନିଜ ପାଇଁ ବାଟଟିଏ ବାଛି ପାରୁଥାନ୍ତେ, ତେବେ ସେମାନଙ୍କ ଜୀବନର ଅଧିକାଂଶ ବ୍ୟାଧି ଓ ସନ୍ତାପ ଲାଗି ହୁଏତ କୌଣସି ଅବକାଶ ହିଁ ମିଳନ୍ତା ନାହିଁ ।

 

ଜଣେ ଶିକ୍ଷକ ତା’ ବାଟକୁ କ’ଣ ନିଜେ ବାଛେ ? ଭାରତବର୍ଷର ସମାଜ ଏଠାରେ ଅଧିକାଂଶ ମଣିଷଙ୍କୁ ଏପରି ଅସମର୍ଥ କରି ରଖିଥାଏ ଯେ, ସ୍ଵାଧୀନ ଭାବରେ ନିଶ୍ୱାସ ନେବା ଲାଗି ମଧ୍ୟ ଯେତିକି ଖୋଲା ଥାନ ଦରକାର, ଅନେକଙ୍କର ଜୀବନରେ ସେତିକି ଥାନ ମଧ୍ୟ ସମ୍ଭବ ହୁଏ ନାହିଁ । ନିଜ ବାଟଟିକୁ ନିଜେ ବାଛିବାର ସ୍ଵାଧୀନତା ତ ଆହୁରି ଅନେକ ଦୂରର କଥା । ଏଠାରେ, ଆମ ଅନେକଙ୍କର ବିଶ୍ଵାସ ଅନୁସାରେ, ଭାଗ୍ୟହିଁ ମଣିଷକୁ ଚଳାଏ । ଭାଗ୍ୟର ଖାତାରେ ସବୁ ଲେଖା ହୋଇ ରହିଥାଏ । ପରର ଶିରୀ ଦେଖି ପାରୁ ନ ଥିବା ମହନୀୟ ଓ ମର୍ମହୀନ ଗ୍ରହମାନେ ମଣିଷର ଭାଗ୍ୟଘରେ ଭର୍ତ୍ତା ହୋଇ ବସିଥାଆନ୍ତି । ପରିସ୍ଥିତିକୁ ନ ପାରିଲେ ମଣିଷ ଭାଗ୍ୟବାଦୀ ହୁଏ, ନିଜ ଭିତରକୁ ଅନାଇବାକୁ ମଧ୍ୟ ତା’ର ଆଉ କୌଣସି ଭରସା ହୁଏ ନାହିଁ । ନିଜ ଭିତରୁ ନିର୍ଦ୍ଦେଶ ପାଇବା ତ ଆହୁରି ଅଧିକ ଦୂରର କଥା । ନିଜ ଭିତରେ କେଉଁଠି ବନ୍ଧୁଟିଏ ବସିଛି, Inner godhead ରୂପେ ଭଗବାନ୍ ନିଜେ କୋଉଠି ସେଠି ଅପେକ୍ଷା କରି ବସିଛନ୍ତି, ଶ୍ରଦ୍ଧାଶୀଳା ସରସ୍ଵତୀ ହୋଇ ସେ ଅପେକ୍ଷା କରି ରହିଛନ୍ତି, ଏଗୁଡ଼ିକ ଉପରେ ସତକୁ ସତ ଆସ୍ଥା ରଖି ପାରିବା ଲାଗି ଯେଉଁ ଅନୁକୂଳ ବାସ୍ତବ ପରିସ୍ଥିତିଟି ବାହାରେ ମହଜୁଦ ରହି ବ୍ୟକ୍ତିକୁ ଉତ୍ସାହ ଦେଉଥିବା ଉଚିତ, ଭାରତବର୍ଷରେ ମଣିଷ ଲାଗି ସେହି ପରିସ୍ଥିତି ଏବେ ମଧ୍ୟ ତିଆରି ହୋଇପାରି ନାହିଁ । ତେଣୁ ମଣିଷମାନେ ପ୍ରାୟ ଅନନ୍ୟୋପାୟ ହୋଇ ନିଜ କଳ୍ପନାର ଠାକୁରମାନଙ୍କ ହାତରେ ଆପଣାର ଭାଗ୍ୟକୁ ଛାଡ଼ି ଦେଇଛନ୍ତି, ସେମାନଙ୍କ ଚୁଟି ଧରି ସେମାନଙ୍କୁ ସ୍ଥିତିରୁ ସ୍ଥିତି ମଧ୍ୟକୁ କଚାଡ଼ି ଦେଉଥିବା ବଳବାନ୍ ବାରଣଗୁଡ଼ାକୁହିଁ ସେମାନେ ଭଗବାନ୍ ବୋଲି ଗ୍ରହଣ କରି ନେଇଛନ୍ତି । କ୍ରୀଡ଼ନକ ହୋଇ ରହିଛନ୍ତି ।

 

ବାଧ୍ୟ ହୋଇ ଶିକ୍ଷକ ହେବା ଓ ଖୁସି ହୋଇ ଶିକ୍ଷକ ହେବା ମଧ୍ୟରେ ସର୍ବଦା କେତେ କେତେ ପାର୍ଥକ୍ୟ ରହିଛି । ବାଧ୍ୟ ହୋଇ ଅର୍ଥାତ୍ ଗରଜରେ ପଡ଼ି ଭଗବାନଙ୍କ ପାଖକୁ ଆସିବା ଓ ଖୁସି ହୋଇ ଭଗବାନଙ୍କ ପାଖକୁ ଆସିବା ମଧ୍ୟରେ ଯେତିକି ପାର୍ଥକ୍ୟ ରହିଥାଏ, ଏହି କ୍ଷେତ୍ରରେ ମଧ୍ୟ ସେତିକି ପାର୍ଥକ୍ୟ ରହିଛି । ନିଜର କୌଣସି ସଙ୍କଟ ଦୂର କରିବାକୁ ମଣିଷ ସଙ୍କଟମୋଚନଙ୍କ ପାଖକୁ ଆସେ । ମାତ୍ର, ଆପଣା ଭିତରୁ ସତକୁ ସତ ସ୍ପର୍ଶଟିଏ ପାଇଲେ ସିଏ ଖୁସି ହୋଇ ତାଙ୍କୁ ଲୋଡ଼ି ବାହାରେ । ଭିତରେ ଚେରଟିଏ ରହିଥାଏ, ତେଣୁ ବାହାରେ ପ୍ରସାର ଓ ନିର୍ଭର ପାଇବା ଲାଗି ତାକୁ ଆଦୌ କୌଣସି ପ୍ରକାରେ ସନ୍ତାପିତ ହେବାକୁ ପଡ଼େ ନାହିଁ । ତା’ ଖୁସିହିଁ ଡୋର ପରି ହୋଇ ତା’ ଭିତର ଆଉ ବାହାରକୁ ଯୋଡ଼ିଦେଇ ଯାଏ । ବାଧ୍ୟହୋଇ ଶିକ୍ଷକ ହୋଇଥିବା ଜଣେ ବ୍ୟକ୍ତି ଲାଗି ଶିକ୍ଷକତ୍ଵ ଏକ ବୃତ୍ତି । ସଂସାରର ବାର ପ୍ରକାରର ବୃଦ୍ଧି ପରି ଇଏ ମଧ୍ୟ ଗୋଟିଏ ବୃତ୍ତି । ଖୁସି ହୋଇ ଶିକ୍ଷକ ହୋଇଥିବା ବ୍ୟକ୍ତିମାନଙ୍କ ଲାଗି ତାହା ହେଉଛି ବ୍ରତ । ବ୍ରତକୁ ଛାଡ଼ି ହୁଏ ନାହିଁ । ଢିଙ୍କି ମଧ୍ୟ ସ୍ୱର୍ଗକୁ ଗଲେ ସେହି ଧାନ ହିଁ କୁଟୁଥିବ । ଶିକ୍ଷାକୁ ବ୍ରତରୂପେ ଗ୍ରହଣ କରିଥିବା ଶିକ୍ଷକ ଯେଉଁଠି ରହିଥାଏ, ଆପଣାର ଖୁସି ହେତୁ ସେହି ସ୍ଥାନଟି ତାକୁ ସ୍ୱର୍ଗ ପରି ଲାଗୁଥାଏ । ଆପଣାର ସେହି ଅନ୍ତରଙ୍ଗ ଖୁସିଟିକୁ ସଂକ୍ରମିତ କରିବାକୁ ହିଁ ସେ ତା’ ଶିକ୍ଷାଦାନର ସର୍ବମୂଳ ପ୍ରଣାଳୀ ଏବଂ ପଦ୍ଧତିରୂପେ ଗ୍ରହଣ କରି ନେଇଥାଏ । ତେଣୁ ମୋଟେ ଝୁଣ୍ଟିବାକୁ ପଡ଼େ ନାହିଁ । ଭିତରୁ ବାହାରକୁ ବାଟ ଦିଶିଯାଏ । ବାହାର ଭିତରକୁ ସମୃଦ୍ଧ କରିବାରେ ଲାଗିଥାଏ ।

 

ଅନେକ ମଣିଷ ବିକଳ ହୋଇ ଭଗବାନଙ୍କ ପାଖକୁ ଆସନ୍ତି । ଆଉ କେତେକ ବ୍ୟାକୁଳ ହୋଇ ଆସନ୍ତି । ଭଗବାନଙ୍କୁ ସେମାନେ କେତେ ଅଲଗା ଅଲଗା ପ୍ରକାରେ ନ ଦେଖନ୍ତି ! ବିକଳ ମଣିଷ ତୁହାକୁ ତୁହା ମାଗିବାରେ ଲାଗିଥାଏ । ସତେଯେପରି ସିଏ କେବଳ ନିଜକୁ ହିଁ ଦେଖୁଥାଏ । ଏଡ଼େ ବିହ୍ଵଳ ଭାବରେ ନିଜକୁ ଦେଖୁଥାଏ ଯେ, ଆଉ କାହାକୁ ଦେଖି ପାରିବା ତା’ର ସାଧ୍ୟ ବାହାରେ ରହିଥାଏ । ନିଜ ବିହ୍ଵଳତା ବଶତଃ ସିଏ ଭଗବାନଙ୍କୁ ବି ଦେଖି ପାରେନାହିଁ । ଭଗବାନ୍ ତାକୁ କ’ଣ ସବୁ ଦେଉଛନ୍ତି ବା ନ ଦେଉଛନ୍ତି, ତା’ ଆଖିଗୁଡ଼ାକ ପ୍ରଧାନତଃ ତାହାରି ସହିତ ବାନ୍ଧିହୋଇ ରହିଥାଏ । ବ୍ୟାକୁଳ ହୋଇ ଭଗବାନଙ୍କ ଲାଗି ବାହାରିଥିବା ମଣିଷର ଅଲଗା ଧର୍ମ, ଅଲଗା ଧାତୁ । ତୁଚ୍ଛା ବିକଳ ହୋଇ ମଧ୍ୟ ଜଣେ ବ୍ୟକ୍ତି ଶିକ୍ଷକ ହେବାକୁ ମନ କରିପାରେ, ବ୍ୟାକୁଳ ହୋଇ ବି ମନ କରିପାରେ । ଆଉ କିଛିକୁ କାଢ଼ ନ ଥିଲେ ଯେପରି କେତେକ ମଣିଷ ଏବେ ମାମଲତକାରି କରୁଛନ୍ତି, ଆଉକିଛି ନ ମିଳିଲେ କଣେ ସେହିପରି ଶିକ୍ଷକତା କରିବାକୁ ମଧ୍ୟ ଆସିପାରେ । ସେ ଶିକ୍ଷକତା କରେ, ଶିକ୍ଷକ ହୋଇପାରେ ନାହିଁ । ନିଜ ଜୀବନରେ ସିଏ ହୁଏତ ଆଦୌ କିଛି ହୋଇ ପାରେନାହିଁ । ଟଙ୍କା କମାଏ, ସୁଖଗୁଡ଼ାକୁ ହଗେ—ଏବଂ ତାହାକୁ ହିଁ ଜୀବନ ବୋଲି କହେ । ବର୍ତ୍ତମାନ ସରକାରୀ କର୍ତ୍ତାମାନେ ଶିକ୍ଷକମାନଙ୍କୁ ଯେଭଳି ଅଧିକ ପଇସା ଦେଇ ସେମାନଙ୍କର ମୁହଁକୁ ବାନ୍ଧି ପକାଇବେ ବୋଲି ମନ କଲେଣି, ହୁଏତ ତାହା ଫଳରେ ଏଣିକି ଅଧିକ ବ୍ୟକ୍ତି ଆଦୌ କୌଣସି ଆଗ୍ରହ କିମ୍ବା ଅନୁରାଗ ନ ଥାଇ ମଧ୍ୟ ଶିକ୍ଷକତା କରିବାକୁ ଆସିବେ । ଅଧିକ କମାଇବେ, ଅଧିକ ହଗିବେ; ତାହାକୁ ହିଁ ପରମ ସଫଳତା ବୋଲି କହି ହେଣ୍ଡି ମାରିବେ । ଏମାନେ କେହି ଶିକ୍ଷକ ହେବେ ନାହିଁ । ହେଣ୍ଡି ମାରିବା ଲୋକେ କଦାପି ଶିକ୍ଷକ ହୋଇ ପାରନ୍ତି ନାହିଁ, ସମ୍ଭବତଃ ସେମାନେ ଆଦୌ କିଛି ହୋଇ ପାରନ୍ତି ନାହିଁ ।

 

ଯେଉଁମାନେ ଏକ ବ୍ୟାକୁଳତା ନେଇ ଶିକ୍ଷକ ହେବାକୁ ଆସିଥାନ୍ତି, ଶିକ୍ଷକତ୍ଵକୁ ଏକ ବ୍ରତ ବୋଲି ଗ୍ରହଣ କରିଥାନ୍ତି ଏବଂ, ସବୁଠାରୁ ବଡ଼କଥା ହେଉଛି, ଯେଉଁମାନେ ନିଜେ ବାଛି ଶିକ୍ଷକର ବାଟକୁ ନିଜର ବାଟ ବୋଲି ଗ୍ରହଣ କରି ନେଇଥାନ୍ତି, ଅର୍ଥାତ୍ ନିଜ ସ୍ଵଭାବ ମୁତାବକ ସ୍ଵଧର୍ମଟିଏ ଗ୍ରହଣ କରିଥାନ୍ତି, ଶିକ୍ଷାରେ ସ୍ଥାୟୀ ବୋଲି ଯାହାକିଛି ଘଟେ, ତାହା କେବଳ ସେଇମାନଙ୍କ କାରଣରୁ ହିଁ ଘଟେ । ଶିକ୍ଷାର ପୃଥିବୀ—ଇତିହାସରେ କେବେ କୌଣସି ଚାକିରିଆ ଅର୍ଥାତ୍ ବୃତ୍ତିଜୀବୀ ଶିକ୍ଷକ ଏହି କ୍ଷେତ୍ରରେ କୌଣସି ନୂତନ ବାଟଟିଏ ବାହାର କରିବାର ଶ୍ରେୟଃ ଅର୍ଜନ କରି ନାହାନ୍ତି । ଶିକ୍ଷାଘରକୁ ଭୋଗ କରିବାକୁ ଆସିଥିବା ସୁଖୀ ବୀରମାନେ ସଫଳ ଭାବରେ ଯନ୍ତ୍ରଟିଏ ଚଳାଇଛନ୍ତି ଅଥବା ହୁକୁମଟିଏ ମାନିଛନ୍ତି ସତ, ମାତ୍ର ଶିକ୍ଷାରେ ନୂଆ ଧାରାଟିଏ କେବେହେଲେ କାଢ଼ି ନାହାନ୍ତି । ବୃତ୍ତି କରୁଥିବା ମଣିଷ ସବୁ କ୍ଷେତ୍ରପରି ଶିକ୍ଷାର କ୍ଷେତ୍ରରେ ମଧ୍ୟ ଭାରି ସହଜରେ ପୋଷା ମାନିଯାଏ, ସିଏ ଅତ୍ୟନ୍ତ ଅନାସକ୍ତ ଭାବରେ ଅଧିକରୁ ଅଧିକ ଲାଭବାନ୍ ହେବାର ଜଙ୍ଗଲରେ ବୁଲୁଥାଏ; ଜଙ୍ଗଲର ଦୁଃଖସୁଖରେ ତା’ର ଯେତେ କମ୍ ଭାଗ ରହିବ, ସେଇଥିଲାଗି ଅନବରତ ଚେଷ୍ଟା କରୁଥାଏ । ବ୍ୟାକୁଳ ହୋଇ ଶିକ୍ଷା ଭିତରକୁ ଆସିଥିବା ଶିକ୍ଷକ ମୋଟେ ସେପରି କରିପାରେ ନାହିଁ । ତା’ ଆଖି କେତେ କୁଆଡ଼କୁ ଖାଲି ଖୁସିଟାରେ ପ୍ରସାରିତ ହୋଇ ରହିଥାଏ । ସେହି ଖୁସି ତାକୁ କେତେପ୍ରକାରେ ଅନ୍ତଃପ୍ରବେଶ କରିବାର ପ୍ରେରଣା ଦିଏ । ନିଜ ଭିତରେ ପଶି ସେ ତାକୁ ଘେରି ରହିଥିବା ସବୁକିଛିକୁ ଏବଂ ସମସ୍ତଙ୍କୁ ଦେଖିବାକୁ ପାଏ ଓ ବାହାରେ ସବୁକିଛି ଓ ସମସ୍ତଙ୍କ ସହିତ ଡୋର ବାନ୍ଧି ସେ ଆପଣାର ଅନ୍ତଃଘରଟିକୁ କେତେପ୍ରକାରେ ଭରିଦେବାରେ ଲାଗିଥାଏ । ସେଇଥିରୁ ଅସଲ ସୁଖ ପାଏ, ପରିପୂର୍ଣ୍ଣତା ଲାଭ କରେ ।

 

ବ୍ରତପ୍ରେରିତ ଶିକ୍ଷକ ଶିକ୍ଷାର କ୍ଷେତ୍ରରେ ଆପଣାକୁ ସମର୍ପଣ କରି ଦେଇଥାଏ । ସମର୍ପଣ—ବୁଦ୍ଧି ତା’ ହୃଦୟକୁ ମଧ୍ୟ ପୁଷ୍ଟ କରିବାରେ ଲାଗିଥାଏ । ଦରମା ବୋଲି ପ୍ରାୟ କିଛି ନ ଥାଏ, ତଥାପି ସେ ହୁଡ଼େ ନାହିଁ । ଭଲ ପାଇବା ମଣିଷ ତ ମୂଳରୁ ଜାଣି ଜାଣି ହୁଡ଼ିଥାଏ, ତାକୁ ପୁଣି ହୁଡ଼ାଇବ କିଏ ? ତା’ ସମର୍ପଣର ସୋପାନଗୁଡ଼ିକୁ ସିଏ ଅତ୍ୟନ୍ତ କୋଳାହଳଶୂନ୍ୟ ଭାବରେ ଉଠି ଉଠି ଯାଉଥାଏ । ଡୋର ଲଗାଇ ପାରିଥିବା ଲୋକଙ୍କୁ ସଂସାରରେ କେହି ପାରନ୍ତି ନାହିଁ । କାରଣ ଭଗବାନ୍ ତା’ ପାଖେ ପାଖେ ରହିଥାନ୍ତି, ଅସଲ ପ୍ରତ୍ୟୟଗୁଡ଼ିକୁ ତାକୁ ସେଇ ଆଣି ଯୋଗାଇ ଦିଅନ୍ତି-। ଆସ୍ପୃହାର ଘରଟି ଦୃଢ଼ ଥିର ହୋଇ ସାରିଥାଏ, ତେଣୁ ପ୍ରତ୍ୟାଖ୍ୟାନର କ୍ଷେତ୍ରରେ ତାକୁ ଆଦୌ କୌଣସି ଆତ୍ମବିରୋଧ ଦ୍ଵାରା ସନ୍ତାପିତ ହେବାକୁ ପଡ଼େ ନାହିଁ । ପ୍ରଥମତଃ, ଆପଣାକୁ ସେ ବିଦ୍ୟା ପାଖରେ ସମର୍ପିତ କରି ରଖିଥାଏ । ତା’ ବିଦ୍ୟାହିଁ ତା’ର ଅସଲ ସାଧୁତାର ପ୍ରମାଣ ବୋଲି ସିଏ ମୂଳରୁ ହିଁ ବୁଝି ସାରିଥାଏ । ନିଜେ ଅନବରତ ଅର୍ଜନ ନ କଲେ ସେ ଅନବରତ ଦେଇପାରନ୍ତା କିପରି ? ତେଣୁ, ସେ ଯେତିକି ସରାଗ ଓ ସ୍ନେହରେ ଅନ୍ୟମାନଙ୍କୁ ପାଠ ପଢ଼ାଇବାକୁ ଯାଏ, ଠିକ୍ ସେତିକି ସରାଗରେ ସିଏ ପାଠ ପାଖରେ ନିଜେ ମଧ୍ୟ ବସିବାକୁ ଯାଏ, ଚାଟ ହୁଏ । ଚାଟ ହେବାର ମଧୁସ୍ଵାଦନ କରୁକରୁ ସେ ନିଜ ଭିତରେ ଓ ତା’ର ତଥାକଥିତ ଚାଟମାନଙ୍କ ମଧ୍ୟରେ ଆଦୌ କୌଣସି ବ୍ୟବଧାନ ରହିଥିବାର ଅନୁଭବ କରିପାରେ ନାହିଁ । ନିଜର ଚାଟମାନଙ୍କୁ ସିଏ ଏହି ରୀତିରେ ନିଜର ସାଥୀପରି ଦେଖେ, ଗୋଟାସୁଦ୍ଧା ସତୀର୍ଥ ବନିଯାଏ । ସତୀର୍ଥ ବନି ବୟସ ଭୁଲିଯାଏ । ବୟସ ଭୁଲି ଅହଙ୍କାରକୁ ମଧ୍ୟ ଭୁଲେ । ଏକତ୍ର-ବିହରଣ ଓ ଏକତ୍ର-ଅନ୍ୱେଷଣରୁ ଅପାର ଆନନ୍ଦ ଲାଭ କରେ । ଆପଣା ଭିତରେ ରହିଥିବା ଅନନ୍ତ ଶିଶୁ ଓ ଅନନ୍ତ ଜିଜ୍ଞାସୁର ସାନ୍ନିଧ୍ୟ ପାଏ ।

 

ଶ୍ରଦ୍ଧା ହେଉଛି ଶିକ୍ଷକର ସମର୍ପଣର ଦ୍ଵିତୀୟ କ୍ଷେତ୍ର । ଶ୍ରଦ୍ଧା ନ ଥିଲେ ବିଦ୍ୟା ରାକ୍ଷସୀ ଅବିଦ୍ୟାରେ ହିଁ ଛନ୍ଦି ହୋଇ ରହିଯାଏ । ବର୍ତ୍ତମାନ ଆମ ସଂସ୍କାରରେ ବିଦ୍ୟା ତ କେତେ ନା କେତେ ରହିଛି, ମାତ୍ର ଅସଲି ଥାନମାନଙ୍କରେ ଶ୍ରଦ୍ଧା ରହି ନାହିଁ ବୋଲି ବିଦ୍ୟାଗୁଡ଼ିକ ଅନର୍ଥକାରୀ ଭୂତରେ ପରିଣତ ହୋଇ ରହିଛନ୍ତି । ବିଦ୍ଵାନମାନେ ବର୍ବର ହୋଇ ରହିଛନ୍ତି । ଶିକ୍ଷକର ତପସ୍ୟା ଶ୍ରଦ୍ଧାର ତପସ୍ୟା । ରାକ୍ଷସମାନଙ୍କ ପରି ସେ ଅଧିକରୁ ଅଧିକ କ୍ଷମତା ହାସଲ କରିବ ବୋଲି କଦାପି ସେହି ତପସ୍ୟା କରିବାକୁ ଯିବ ନାହିଁ । ବିଦ୍ୟାକୁ ଶ୍ରଦ୍ଧା କରି ସେ ବିଦ୍ୟା ପାଖକୁ ଯିବ, ବିଦ୍ୟାର୍ଥୀମାନଙ୍କୁ ଶ୍ରଦ୍ଧା କରି ସେ ବିଦ୍ୟାର୍ଥୀମାନଙ୍କ ପାଖକୁ ଯିବ; ସେ ଜୀବନକୁ ଶ୍ରଦ୍ଧା କରୁଥିବ, ଜୀବନ ତାକୁ ଭଲ ଲାଗୁଥିବ, ତେଣୁ ଜୀବନର ବିବିଧ ସମ୍ଭାବନା ଲାଗି ସେ ଆବଶ୍ୟକ ଦ୍ଵାରାଗୁଡ଼ିକୁ ଉନ୍ମୋଚିତ କରି ଦେବାଲାଗି ମଧ୍ୟ ଶ୍ରଦ୍ଧା ରଖିଥିବ । ଶ୍ରଦ୍ଧାହିଁ ବିଦ୍ୟାକୁ ଉଜ୍ଜଳ କରେ, ବିଦ୍ୟାକୁ ଉପଯୁକ୍ତ କ୍ଷେତ୍ରଗୁଡ଼ିକୁ ପ୍ରସାରିତ କରିନିଏ,—ଆପଣାକୁ ଅଧିକ ଦେଇଦେବାର ଯୋଗ୍ୟ କରାଏ । ଏବଂ, ଯଥାର୍ଥ ଶ୍ରଦ୍ଧାହିଁ ସାହସର ଜନନୀ ପରି କାର୍ଯ୍ୟ କରେ । ପୃଥିବୀର ବିଦ୍ୱାନ୍‍ମାନେ ସାହସୀ ହୋଇଥିଲେ ବିଦ୍ୟା ବର୍ତ୍ତମାନର ପୃଥିବୀରେ କ୍ଷମତାଧୀଶମାନଙ୍କର ଘରେ କଦାପି ବେଠି ଖଟୁ ନ ଥାନ୍ତା । ବହୁତ ଜାଣିଥିବା ବ୍ୟକ୍ତିମାନେ ଯେଉଁଦିନଠାରୁ ଭୀରୁ ହୋଇ ବୋଲ ମାନିବାକୁ ହିଁ ନିରାପଦ ମାର୍ଗ ରୂପେ ଗ୍ରହଣ କରି ନେଲେଣି, ସେହିଦିନଠାରୁ ଆମର ଏଠି ଅସୁରମାନଙ୍କ ଲାଗି ପାଳକ ପଡ଼ିଛି । ଜ୍ଞାନଗୁଡ଼ାକ ଭୀରୁ ମାନଙ୍କର ମୁଣ୍ଡ ଭିତରକୁ ଯାଇ ସେଇଠି ପାଣି ଫାଟିଯାଉଛି । ହୃଦୟରେ ପହଞ୍ଚିବା ଯାଏ ଆଉ ସାମର୍ଥ୍ୟ ପାଉନାହିଁ । ତେଣୁ ଚାରିଆଡ଼େ ଜ୍ଞାନ ନାମରେ ବାଣ ଫୁଟୁଥିଲେ ମଧ୍ୟ ସଂସ୍କାର ବହୁ ଅଜ୍ଞାନ ଓ ଅନ୍ଧାର ମଧ୍ୟରେ ବାଧ୍ୟ ହୋଇ ରହିଛି ।

 

ଶିକ୍ଷକ ସାହସୀ ହେବ, ସାହସ ଦେଇ ପାରୁଥିବ । ଫୁଲଟିଏ ଫୁଟି ଉଠିବା ନିମନ୍ତେ ସଚରାଚର ଯେଉଁ ଅଭୟ ଓ ସାହସର ଆବଶ୍ୟକତା ରହିଛି, ଅସଲ ଶିକ୍ଷକ ସେହି ସାହସର ବିତରଣ କରି ପାରୁଥିବ । ସାହସ ହିଁ ଜଣେ ଆଲୋକିତ ମଣିଷର ଏକମାତ୍ର ସନ୍ତକ, ଏକମାତ୍ର ସାଧୁତା । ଜଣେ ବ୍ରତୀ ମଣିଷର ସବୁଠାରୁ ବଡ଼ ଭୂଷଣ । ଏବଂ, ସାହସ ଥିଲେ ଶିକ୍ଷକ ତା’ ଭିତରୁ ବଳେ ବଳେ ଉତ୍ସାହର ଏକ ଅଫୁରନ୍ତ ସ୍ରୋତକୁ ଅନୁଭବ କରିପାରିବ । ତା’ ଚତୁର୍ଦ୍ଦିଗର ପରିବେଶ ଲାଗି, ମଣିଷମାନଙ୍କ ଲାଗି, ଜାଗରଣମୁଖୀ ସମ୍ଭାବନାଗୁଡ଼ିକ ଲାଗି ସେ ସାହସ ଓ ଉତ୍ସାହର ଦ୍ୟୋତକ ହୋଇ ରହିଥିବ । ନମ୍ର ହେବା ଯେ ଆଦୌ ଭୀରୁ ହୋଇ ରହିବାକୁ ବୁଝାଏ ନାହିଁ, ଶିକ୍ଷକ ତା’ର ସାନବଡ଼ ସକଳ ଚାରଣାରେ ସେହି କଥାଟିର ଦୃଷ୍ଟାନ୍ତ ହୋଇ ରହିଥିବ ।

 

ଏବଂ, ଏଇସବୁଥିରୁ ହିଁ ଅଗ୍ରଗତି ଆସିବ । ଭିତରେ ଏବଂ ବାହାରେ ଅଗ୍ରଗତି ସମ୍ଭବ ହେବ । ପିପାସୁମାନଙ୍କ ମଧ୍ୟରେ ରହିଥିବା ଅଦୃଶ୍ୟ ଡୋରଟି ଦୃଶ୍ୟ ହେବାକୁ ଆରମ୍ଭ କରିବ । ଡୋରଗୁଡ଼ିକ ଦୃଶ୍ୟମାନ ହେଲେ ସେଥିରୁ ଯେଉଁ ଆତ୍ମୀୟତା ନିଷ୍ପନ୍ନ ହୁଏ, ସେହି ଆତ୍ମୀୟତା ହିଁ ଶିକ୍ଷା କ୍ଷେତ୍ରରେ ବିପ୍ଳବ ଘଟାଇବ । ଶିକ୍ଷାକ୍ଷେତ୍ରର ମାଧ୍ୟମରେ ପୃଥିବୀରେ ବିପ୍ଳବ ଘଟାଇବ । ସେହି ବିପ୍ଲବରେ ଶିକ୍ଷକ ହାତରେ ଏହି ଆତ୍ମୀୟତା ହେଉଛି ଏକ ଯଥାର୍ଥ ଖଡ଼୍‌ଗ । ଖୁସି ହୋଇ ଶିକ୍ଷାର କ୍ଷେତ୍ରରେ ପ୍ରବେଶ କରିଥିବା ଶିକ୍ଷକମାନେ ହିଁ ଏହି ବିପ୍ଳବଟିକୁ ଘଟାଇ ପାରିବେ । ଦରମା ବଢ଼ିବାର ପାଷଣ୍ଡୀ ବାସନା ନେଇ ସଂଘ ଗଢ଼ିଥିବା ଚାକିରିଆମାନେ ତାହା କଦାପି କରି ପାରିବେ ନାହିଁ । ତାହା ହିଁ ବିଧାନ, ତାହା ହିଁ ସତ୍ୟ । ଯାବତୀୟ ପ୍ରକାରର ପ୍ରତିକୂଳତା ସତ୍ତ୍ୱେ ଆମ ଭିତରୁ ଯେଉଁମାନେ ସତକୁ ସତ ଖୁସି ହୋଇ ଶିକ୍ଷା ଭିତରେ ରହିଛନ୍ତି, ଇସ୍କୁଲରେ ନିତି ସକାଳେ ଯେଉଁମାନେ ସୂର୍ଯ୍ୟୋଦୟଟିଏ ଅନୁଭବ କରି ପାରୁଛନ୍ତି, ସେହିମାନେ ହିଁ କ୍ରମେ ଆମର ଏହି ବିପ୍ଲବରେ ପୁରୋଧା ହୋଇ ଦାୟିତ୍ଵ ଗ୍ରହଣ କରିବେ, ଏହି ଆନ୍ଦୋଳନରେ ଯଥାର୍ଥ ନିଷ୍ପତ୍ତିଗୁଡ଼ିକୁ ସେଇମାନେ ନେବେ । ଆଉ ଅନ୍ୟମାନେ ଓହରି ଯିବେ, ଏବେ ଓହରି ଯାଉଛନ୍ତି । କାଲି ମଧ୍ୟ ଓହରି ଯିବେ । ନିର୍ବାଚିତମାନେ ହିଁ ରହିବେ । ପୂର୍ଣ୍ଣ ପ୍ରତ୍ୟୟଯୁକ୍ତ ହୋଇ ରହିବେ । ସେମାନେ କଦାପି ନିରାଶ ହେବେ ନାହିଁ । ସେମାନେ ବଳ ହରାଇବେ ନାହିଁ । ସେହିମାନେ ହିଁ ସମ୍ମତ ସେତୁଟିଏ ହୋଇ ପାହାଚରୁ ପାହାଚକୁ ବାଟ ଦେଖାଇ ନେଉଥିବେ ।

 

ଫେବୃଆରୀ, ୧୯୯୦

Image

 

ଯେଉଁମାନେ ନ ବଦଳିବେ

 

ଆଧ୍ୟାତ୍ମିକତା ଚେତନାର କଥା କହେ । ଆଧ୍ୟାତ୍ମିକତା ଏକାତ୍ମକତାର କଥା କହେ । ପାହାଚ ଉଠିବାର କଥା କହେ । ଅଭ୍ୟସ୍ତ କାନ୍ଥଗୁଡ଼ାକ ଭିତରୁ ବାହାରି ଦିଗ୍‌ବଳୟଗୁଡ଼ିକୁ ଅଧିକରୁ ଅଧିକ ସଂପ୍ରସାରିତ କରିବାର କଥା କହେ । ଏହି ଆଧ୍ୟାତ୍ମିକତା ହିଁ ଆଗାମୀ ଯୁଗର ନୂତନ ପୃଥିବୀଟିରେ ଜୀବନର ଭୂମି ହୋଇ ରହିବ ବୋଲି ଶ୍ରୀଅରବିନ୍ଦ କହିଛନ୍ତି । ଭୂମି, ଅର୍ଥାତ୍ ସବାମୂଳ ସ୍ତରଟି, ସବାଆଗର ସ୍ଵୀକୃତିଟି । ଧର୍ମରେ ଜୀବନଟା ଭାଗ ଭାଗ ଅଥବା ଥାକ ଥାକ ହୋଇ ରହିଥାଏ ସବାମୂଳରେ ସଂସାରଟା ରହିଥାଏ । ଆମେ ସଂସାର ନାମରେ କେତେ କ’ଣକୁ କାମୁଡ଼ି କରି ପଡ଼ିଥାଉ । ଦେହ, ପ୍ରାଣ ଓ ମନ,—ଏହି ତିନୋଟି କାନ୍ଥଭିତରେ ଅହଂକୁ ପରମ ଅବଲମ୍ବନ ରୂପେ ସ୍ୱୀକାର କରି ଯୋଉ ଜୀବନଟା ଘୋଷାରି ହେବାରେ ଲାଗିଥାଏ, ତାହାହିଁ ହେଉଛି ଆମର ଚିରାଚରିତ ସଂସାର । ଏହି ସଂସାରଟି ଆମକୁ ଭଲ ଲାଗେ ବୋଲି ଆମେ ଏଇଟି ଭିତରେ କିଳିହୋଇ ରହିଥାଉ । ଏହି ସଂସାରରେ ସୁଖ, ଧନ, ଯଶୀ ଓ ସଫଳତା ଲାଭ କରିବୁ ବୋଲି ଆମେ କଳ୍ପନାରୁ କେତେକେତେ ଠାକୁର ଗଢ଼ି ସେମାନଙ୍କୁ ଆଣି ଆମ ଦେଉଳ ମାନଙ୍କରେ ବସାଇଥାଉ । ସେମାନଙ୍କୁ ଗୋଟାସୁଦ୍ଧା ଜଳକା କରି ରଖିଥାଉ । ସେମାନଙ୍କୁ ଇଷ୍ଟଦେବ ବୋଲି କହୁ । ଏବଂ, ଯୋଉଠି ଥାଉ, ସେହିଠାରେ ହିଁ ପଡ଼ି ରହିଥାଉ । ଠାକୁରମାନଙ୍କୁ ମଧ୍ୟ ଠିକ୍ ଏତିକି ଭିତରେ କିଳିକରି ରଖି ଦେଇଥାଉ ।

 

ଆଧ୍ୟାତ୍ମିକତା ବଦଳିବାର କଥା କହେ । ବଦଳିବାକୁ ସତକୁସତ ନିଜର ସମ୍ମତି ଜ୍ଞାପନ କରିବାକୁ ହିଁ ଆଧ୍ୟାତ୍ମିକତା ସବାମୂଳ କଥା ବୋଲି ଘୋଷଣା କରିଥାଏ । ବଦଳିବା ଅର୍ଥାତ୍ ନିଜେ କିଛି ହେବା । ସତତ ହେବାରେ ଲାଗିଥିବା । ରୁଟିନ୍ ପରି କେତେକ ବିଧାନକୁ ମାନି ବନ୍ଧ୍ୟା ହୋଇ ବସି ଯାଇ ନଥିବା । ଇଉରୋପର ଜଣେ ସନ୍ଥ କହିଛନ୍ତି ଯେ ଆମେ ମନ କଲେ ଭଗବାନ ପ୍ରତ୍ୟେକ ମୁହୂର୍ତ୍ତରେ ହିଁ ଆମ ଭିତରୁ ଜନ୍ମଲାଭ କରିବାରେ ଲାଗିଥିବେ । ଆମେ ଅଧିକରୁ ଅଧିକ ଦେଖି ପାରୁଥିବା, ଅଧିକରୁ ଅଧିକ ଡୋର ଲଗାଇ ଅଖଣ୍ଡ ଭାବରେ ଜୀବନକୁ ଓ ସଂସାରକୁ ଅନୁଭବ କରି ପାରୁଥିବା । ଅର୍ଥାତ୍ ପାହାଚ ପରେ ପାହାଚ ଉଠି ଯାଉଥିବା ଓ ବଦଳି ବଦଳି ଯାଉଥିବା । ଆପଣାର ଚେତନାରେ ତାଙ୍କର ଅଧିକରୁ ଅଧିକ ନିକଟବର୍ତ୍ତୀ ହେବାରେ ଲାଗିଥିବା, ତାଙ୍କର ଏହି ବିଶ୍ଵଟି ସହିତ ଅଧିକରୁ ଅଧିକ ସଂଲଗ୍ନ ହୋଇ ଅନୁରାଗବଦ୍ଧ ହୋଇ ବଞ୍ଚି ପାରୁଥିବା । ଆରୋହଣ କରି ପାରୁଥିବା, ଏବଂ ଆରୋହଣ କରି ପାରୁଥିବାରୁ ଆମ ଜୀବନର ପ୍ରତ୍ୟେକ ମୁହୂର୍ତ୍ତରେ ଆମ ଜୀବନ ମଧ୍ୟକୁ ତାଙ୍କରି ଅବତରଣଟିକୁ ଅନୁଭବ କରି ପାରୁଥିବା । ଅର୍ଥାତ୍ ଆମେ ଯେତିକିରେ ଅଛୁ, ସେତିକି ଭିତରେ ବାନ୍ଧି ହୋଇ ରହିବାକୁ ମୋଟେ କୌଣସି ଆଗ୍ରହ ପ୍ରକାଶ କରୁ ନଥିବା ।

 

ଆମର ଚେତନା ସଂପ୍ରସାରିତ ହୋଇ ଯାଉଥିବା ସଙ୍ଗେ ସଙ୍ଗେ ଆମ ଜୀବନର ଆଧାରଶିଳାଗୁଡ଼ିକ ମଧ୍ୟ ବଦଳି ବଦଳି ଯାଉଥିବ । ସେଥିଲାଗି ଆଦୌ କୌଣସି କସରତ କରିବାକୁ ପଡ଼ୁ ନଥିବ । ଆଧାରଶିଳା ନାମରେ ସଂସ୍କାର ବଳରେ ଆମ ଉପରେ ଯାହାକିଛି ଲଦା ହୋଇ ରହିଛି ଓ ଯାହା ନ ରହିଥିଲେ ଆମର ଜୀବନରୂପକ ଏହି କାଠଘରଟି ସମ୍ପୂର୍ଣରୂପେ ଭୁଷୁଡ଼ି ପଡ଼ିବ ବୋଲି ଆମେ ଚିରଦିନ ଭୟ କରି ଆସିଛୁ, ସେଗୁଡ଼ିକ କ୍ରମେ ଆମ ଉପରୁ ଖସି ପଡ଼ିବ । ଆମ ଭିତରୁ ସନ୍ତାନଟିଏ କନ୍ମଲାଭ କରିବ, ବିକଶିତ ହେବାକୁ ଆରମ୍ଭ କରିବ, ଏକ ନୂତନ ଆଖିରେ ଭିତର ଓ ବାହାର ଉଭୟକୁ ଦେଖିବ, ଏକ ନୂତନ ଅନୁରାଗରେ ଚିରାଭ୍ୟସ୍ତ ମିଛ ସମ୍ବନ୍ଧଗୁଡ଼ିକୁ ମଧ୍ୟ ବଦଳାଇ ଦେବାକୁ ରାଜି ହୋଇଯିବ । ଆପଣାର ନିର୍ମୋକ ଭିତରୁ ସାପଟିଏ ଉଜ୍ଜ୍ୱଳ ଜଳଜଳ ହୋଇ ବାହାରି ଆସିଲା ପରି ଆମେ ପୁରୁଣାଟା ଭିତରୁ ବାହାରି ଆସିବା ଏବଂ ନୂତନ ଲାଗି ସମର୍ପିତ ହୋଇ ରହିବା । ଆଗାମୀ ବିବର୍ତ୍ତନରେ ଯନ୍ତ୍ର ହେବା । ଆମରି ଉପରେ ଭରା ଦେଇ ଏହି ପୃଥିବୀ ଯେପରି ଖୋଜ ପକାଇ ଆଗକୁ ବାହାରି ଯିବ, ସେଥିଲାଗି ଆମେ ପ୍ରସ୍ତୁତ ହୋଇଯିବା—ସେହି ଅଭିନବ କାର୍ଯ୍ୟଟିରେ ଆପଣା ଖୁସିରେ ହିଁ ପରିକର ହୋଇ ବାହାରିବା ।

 

ଏହିପରି ଜଣେ ବ୍ୟକ୍ତିକୁ ଶ୍ରୀଅରବିନ୍ଦ ଦିବ୍ୟକେନ୍ଦ୍ର (Divine Cente) ବୋଲି ବର୍ଣ୍ଣନା କରିଛନ୍ତି । ନିର୍ବାଚିତ କେନ୍ଦ୍ରଟିଏ ନିରନ୍ତର ତାଙ୍କରି ଇଚ୍ଛା ପୂରଣ କରିବା ଲାଗି ସକ୍ରିୟ ଭାବରେ ସମ୍ମତ ହୋଇ ରହିବ । ସିଏ ନିଜ ପାଇଁ ମୋଟେ କିଛି ମାଗିବ ନାହିଁ । ଯୋଗ୍ୟ ଯନ୍ତ୍ରଟିଏ ହୋଇ ପାରିବା ଲାଗି ଯାହାକିଛି ଆବଶ୍ୟକ, ତା’ ଜୀବନରେ ସେସବୁ କରୁଣା ରୂପେ ଅଜାଡ଼ି ହୋଇ ପଡ଼ୁଥିବ, ତାକୁ ବଳଯୁକ୍ତ କରିବାରେ ଲାଗିଥିବ । ଆଧ୍ୟାତ୍ମିକ ଆରୋହଣର ଏହି ପ୍ରକ୍ରିୟାରେ ଆର୍ତ୍ତ ଭକ୍ତି ଲାଗି ପ୍ରାୟ ଆଦୌ କୌଣସି ସ୍ଥାନ ନାହିଁ । ନିଜ ଭିତରେ କେନ୍ଦ୍ରଟିର ସନ୍ଧାନ ପାଇ ନଥିବା ମଣିଷଟି ହିଁ ନିଜକୁ ଦରିଦ୍ର ବୋଲି କହି ଏଡ଼େ ପାଟି କରୁଥାଏ, ତା’ ଭିତରେ ଜନନୀ ରୂପେ ତାକୁ ପ୍ରସ୍ତୁତ କରି ଆଣୁଥିବା କାରିଗରଟିର ସେ ବାରବାର ଧ୍ୟାନଭଙ୍ଗ କରୁଥାଏ । ସେ ଭାରି ଦରିଦ୍ର ଓ ବଞ୍ଚିତ ହୋଇ ରହିଥାଏ । ପେଟଟାକୁ ଖଙ୍କା କରି, ହୃଦୟଟାକୁ ଭିକାରିରେ ପରିଣତ କରି ସିଏ ବୁଦ୍ଧି ଦ୍ଵାରା କଥା ଫାନ୍ଦି ଧନ ମାଗେ, ରୂପ ମାଗେ, ଯଶ ମାଗେ, ବରାଭୟ ମାଗେ; ତଥାପି ଆର୍ତ୍ତ ହୋଇ ରହିଥାଏ, ଉପନିଷଦର ଭାଷାରେ ପଶୁଟିଏ ହୋଇ ରହିଥାଏ । ଭିତରେ ଥିବା ଉଗ୍ର ଅହଂଟାହିଁ ତାକୁ ବାହାରେ ନିଜକୁ ହୀନ ଓ ଅତିହୀନ କରି ଦେଖାଇବାର ଅପପ୍ରେରଣା ଦେବାରେ ଲାଗିଥାଏ । କେନ୍ଦ୍ର ସହିତ ଖିଅ ଲାଗିଯିବା ପରେ ଏହି ଯାବତୀୟ ରିଷ୍ଟରୁ ମୁକ୍ତି ମିଳେ । ତାଙ୍କରି ପରିକର ହେବାର ମହିମାହିଁ ସେତେବେଳେ ଜୀବନରେ ସବୁଠାରୁ ବଡ଼ ମହିମା ବୋଲି ପ୍ରତିଭାତ ହୋଇଉଠେ, ଜୀବନକୁ ଧନ୍ୟ କରେ ।

 

ଏହି କେନ୍ଦ୍ରଗୁଡ଼ିକ କାଳକ୍ରମେ ପରସ୍ପରକୁ ଆବିଷ୍କାର କଲେ ବିବର୍ତ୍ତନର କ୍ରମଟି ଆଉ ଗୋଟିଏ ଖୋଜ ଆଗକୁ ପକାଏ । କେନ୍ଦ୍ରଗୁଡ଼ିକୁ କୌଣସି ବାହ୍ୟ ସନ୍ତକ ଦେଇ ମୋଟେ ଚିହ୍ନିବାକୁ ପଡ଼େ ନାହିଁ । ସେମାନେ ପରସ୍ପର ପାଖରେ ଆପେ ଆପେ ଧରା ପଡ଼ି ଯାଆନ୍ତି । ପରସ୍ପରର ହୃଦୟଟିକୁ ଚିହ୍ନୁ ଚିହ୍ନୁ ପରସ୍ପର ପାଖରେ ଧରାପଡ଼ି ଯାଆନ୍ତି । ଏହିପରି ଧରା ପଡ଼ି ଯିବାକୁ ହିଁ ସେମାନେ ସତେଯେପରି ଆଗରୁ ନିର୍ଦ୍ଦେଶିତ ହୋଇ ଆସିଥା’ନ୍ତି । ନିଜ ଭିତରେ କେନ୍ଦ୍ରଟିକୁ ସତକୁ ସତ ଚିହ୍ନି ପାରିଥିଲେ ସଂସ୍କାରର ସତୀର୍ଥଟିଏ, ସାଙ୍ଗଟିଏ, ବନ୍ଧୁଟିଏ ଚିହ୍ନିବା ଆଦୌ କଷ୍ଟକର ହୁଏ ନାହିଁ । ସେଥିଲାଗି ଆଦୌ କୌଣସି ଗୁଣିବିଦ୍ୟା ଶିକ୍ଷା କରିବାକୁ ପଡ଼େ ନାହିଁ । ଶୁଭ ବାସନା ଶୁଭ ବାସନାକୁ, ସହଜ ଆଉଜଣେ ସହଜକୁ ଅତ୍ୟନ୍ତ ସ୍ଵାଭାବିକ ଓ କୋଳାହଳଶୂନ୍ୟ ଭାବରେ ଚିହ୍ନିନେଇ ପାରନ୍ତି । ଏବଂ, ଠିକ୍ ଏହିପରି ଭାବରେ ପୃଥିବୀରେ ଏକ ଅଭିନବ ଗୋଷ୍ଠୀ ସମ୍ଭବ ହୋଇଯାଏ । ଏକ ନୂତନ ଗୋଷ୍ଠୀ-ଜୀବନର ପ୍ରୟୋଗ ମଧ୍ୟ ସେହିଠାରୁ ଆରମ୍ଭ ହୋଇଯାଏ । ଆମ ପୃଥିବୀରେ ବର୍ତ୍ତମାନ ଯେତେ ଯେତେ ଗୋଷ୍ଠୀ ଜୀବନର ସାମୂହିକ ମଞ୍ଚଗୁଡ଼ିକୁ କରି ରହିଛନ୍ତି, ସେଥିରେ ଏକପ୍ରକାର ସାମୂହିକ ଅହଂ ସତେଅବା ପିତ୍ତ ପରି ମଝିରେ ରହି ଯାବତୀୟ ସାମୂହିକତାକୁ ଦୂଷିତ କରି ରଖିଛି । ଦେଶ, ଜାତି, ଶର୍ମ, ରାଜନୀତି ଏବଂ ବିଭିନ୍ନ କିସମର ଆଦର୍ଶବାଦ ଏହି ସାମୂହିକ ଅହଂ ଦ୍ଵାରା ପ୍ରଦୂଷିତ ହୋଇ ରହିଛି ।

 

ଏକ ଆଧ୍ୟାତ୍ମିକ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ନିମନ୍ତେ ଦିବ୍ୟକେନ୍ଦ୍ରମାନେ ଆଗକୁ ଯେଉଁ ଗୋଷ୍ଠୀଟିକୁ ସମ୍ଭବ କରି ଆଣିବେ, ସେଥିରେ ଅହଂର ଲେଶମାତ୍ର ନ ଥିବ, କେବଳ ଭ୍ରାତୃଭାବହିଁ ରହିଥିବ । ବସ୍ତୁତଃ ଯାବତୀୟ ସାମୂହିକ ଅହଂର ପଛରେ ବ୍ୟକ୍ତିଗତ ଅହଂଟାହିଁ ଗୋଟାଏ ଭ୍ରମକାରୀ ଅନ୍ୟ ପରିଚ୍ଛଦ ପିନ୍ଧି ଲୁଚି ରହିଥାଏ । ସେହି କାରଣରୁ ସମୂହଗୁଡ଼ିକ ଭିତରେ ମଧ୍ୟ ମୁଣ୍ଡକୁ ମୁଣ୍ଡ ଢୁ’ ଢୁ’ ହୋଇ ବାଜିବାରେ ଲାଗିଥାଏ । ହୃଦୟ ଉପରେ ତୁଚ୍ଛା ବୁଦ୍ଧିଆ ମନଟାର ଗୁଣ୍ଡାମି ଉପଦ୍ରବ କରିବାରେ ଲାଗିଥାଏ । ତେଣୁ ଦୁଃଖ ଯାଏ ନାହିଁ, ବିବର୍ତ୍ତନ ଅଟକି ରହିଯାଏ । ବାହ୍ୟ ପ୍ରାଚୁର୍ଯ୍ୟଗୁଡ଼ିକ ବୃଦ୍ଧି ପାଇବାରେ ଲାଗିଥିଲେ ମଧ୍ୟ ଆଚରଣର ସ୍ତରରେ ସମସ୍ତେ ଆଦିମ ହୋଇ ରହିଥାନ୍ତି । ବର୍ତ୍ତମାନର ବର୍ବର ପୃଥିବୀରୁ ଆମେ ତାହାର ଭୂରି ଭୂରି ଦୃଷ୍ଟାନ୍ତ ପାଇପାରିବା । ମାତ୍ର, ଦିବ୍ୟ କେନ୍ଦ୍ରଗୁଡ଼ିକର କ୍ଷେତ୍ରରେ ଯେପରି ଆଧ୍ୟାତ୍ମିକତା ମୂଳଭୂମି ହୋଇ ରହିଥାଏ, ସେମାନେ ଏକତ୍ର ହୋଇ ଗଠନ କରୁଥିବା ଗୋଷ୍ଠୀଗୁଡ଼ିକର କ୍ଷେତ୍ରରେ ମଧ୍ୟ ସେହି ଅଧ୍ୟାତ୍ମିକତା ହିଁ ସର୍ବପ୍ରଧାନ ପ୍ରେରକ ରୂପେ କାର୍ଯ୍ୟ କରୁଥାଏ, ସର୍ବମୂଳ ସୂତ୍ରରୂପେ ସମସ୍ତଙ୍କୁ ବାନ୍ଧି ରଖିଥାଏ, ବର୍ତ୍ତମାନର ବକ୍ଷ ଉପରକୁ ତାହା ଏକ ଅଭିନବ ଭବିଷ୍ୟତକୁ ଆବାହନ କରିବାକୁ ବାହାରିଥାଏ ।

 

ଏହି ଗୋଷ୍ଠୀର ବାସନା ଅଲଗା, ତେଣୁ ସଂକଳ୍ପ ମଧ୍ୟ ଅଲଗା । ସ୍ଵପ୍ନ ଅଲଗା, ତେଣୁ ଅଙ୍ଗୀକାରଗୁଡ଼ିକ ମଧ୍ୟ ଅଲଗା । ଆଗ ପୃଥିବୀ ବଦଳିବ, ତା’ପରେ ଯାଇ ଆମେ ବଦଳିବା,—ଏହି ଗୋଷ୍ଠୀ ଏପରି କୌଣସି ସୁବିଧାବାଦୀ ଚତୁରତାକୁ ନିଜ କ୍ଷେତ୍ରରେ ପ୍ରଶ୍ରୟ ଦିଏ ନାହିଁ । ସତେଅବା ଶୂନ୍ୟରୁ କୌଣସି ବିଧାତାର ବରାଦରୁ ଯାବତୀୟ ପରିବର୍ତ୍ତନ ଆଗ ଆସି ପହଞ୍ଚିବ ଓ ଆମେସବୁ ତା’ପରେ ଗୋଟି ଗୋଟି କରି ସେଇଥିରେ ସାମିଲ ହୋଇଯିବା,—ଏହି ଗୋଷ୍ଠୀ ଏହିସବୁ ଖଳ ଦର୍ଶନରୁ ଦୂରରେ ରହିଥାଏ, ନୂତନ ବ୍ୟବସ୍ଥାଟି ଯେପରି ହେଉ ବୋଲି ଆଖିକୁ ଦେଖାଯାଉଛି, ସିଏ ଆଗଭର ହୋଇ ନିଜକୁ ସେହି ଛାଞ୍ଚଟି ଅନୁସାରେ ଗଢ଼ିବାକୁ ଆରମ୍ଭ କରିଦିଏ, ଆଗ ବଦଳିଯାଏ । ପୃଥିବୀଟାଯାକର ବଜାର ସେହି ପୁରୁଣା ଫିସାଦରେ ଚାଲୁଥିଲେ ମଧ୍ୟ ସିଏ ତଥାପି ନୂଆ ହିସାବଟିକୁ ଗ୍ରହଣ କରିନିଏ । ମଣିଷକୁ ମୂଳ କରି ଏବଂ ମଣିଷର ମାଧ୍ୟମରେ ଅଧ୍ୟାତ୍ମକୁ ମୂଳ କରି ସଂସାରର ବ୍ୟବସ୍ଥା ଆଗାମୀ କାଲି ଯେପରି ହେବ ବୋଲି ସିଏ ସ୍ଵପ୍ନ ଦେଖୁଛି, ନିଜ କ୍ଷେତ୍ରରେ ସିଏ ସେହି ବ୍ୟବସ୍ଥାଟିକୁ ଆଜି ଗ୍ରହଣ କରିନିଏ, ନୂତନ ସତ୍ୟର ପ୍ରବର୍ତ୍ତନ ପୁରୋଧା ହୁଏ ।

 

ଦିବ୍ୟ କେନ୍ଦ୍ରଗୁଡ଼ିକୁ ନେଇ ଗଠିତ ନୂତନ ଗୋଷ୍ଠୀଟି ସଂସାରର ଦୂଷିତତାରୁ ଦୂରରେ ରହିବ ବୋଲି ସଂସାର ବାହାରକୁ ଚାଲିଯାଏ ନାହିଁ, ସଂସାର ବାହାରେ ଥାଇ ଆରଣ୍ୟକଗୁଡ଼ିକୁ ଲେଖେ ନାହିଁ । ଅଧ୍ୟାତ୍ମ ସଂସାର ଛାଡ଼ି ପଳାଏ ନାହିଁ । ଅଧ୍ୟାତ୍ମ ସଂସାରକୁ ବଦଳାଏ । ଏକ ନୂତନ ଅର୍ଥନୀତି, ଏକ ନୂତନ ରାଜନୀତି ଓ ଏକ ନୂତନ ଜୀବନନୀତିକୁ ସିଏ ଏହି ସଂସାରରେ ହିଁ ବଞ୍ଚିବାକୁ ଆରମ୍ଭ କରିଦିଏ । ଆସୁଥିବା ନୂଆଟି ଲାଗି ଏକ ଦର୍ପଣ ହୋଇ ରହିଥାଏ । ତାହାର ଦୃଷ୍ଟାନ୍ତଟିକୁ ଦେଖି ହିଁ ଅବିଶ୍ଵାସୀମାନେ ବିଶ୍ଵାସ ମଧ୍ୟକୁ ଆସନ୍ତି, ସଂଶୟୀମାନେ ସଂଶୟ ଛାଡ଼ନ୍ତି । ଆଗାମୀ ପରବର୍ତ୍ତୀଟି ଲାଗି ନିଜକୁ ସିଏ ସକ୍ରିୟ ଭାବରେ ଏକ ପ୍ରୟୋଗଶାଳା ପରି ବ୍ୟବହାର କରେ । ସେହି ପ୍ରୟୋଗଶାଳାରେ ହିଁ ସିଏ ଅତୀତ ସହିତ, ପୁରାତନ ସହିତ, ସ୍ଵୀକୃତି ଅସନାଗୁଡ଼ିକ ସହିତ ନିଜର ଯୁଦ୍ଧକୁ ଆରମ୍ଭ କରିଦିଏ । ସମଗ୍ର ପୃଥିବୀଟି ନୂତନ ଭାବରେ ଗଢ଼ାହେବ ପର୍ଯ୍ୟନ୍ତ, ଅର୍ଥାତ୍ ଭଗବାନ ଏହି ଜୀବନ ମଧ୍ୟକୁ ଓହ୍ଲାଇ ଆସିବା ପର୍ଯ୍ୟନ୍ତ ତା’ ପ୍ରୟୋଗଶାଳା ଆଦୌ ବିଶ୍ରାମ ନିଏନାହିଁ । ଆମର ପାଠଚକ୍ର, ଆମର ଶିକ୍ଷାକେନ୍ଦ୍ର ଓ ଆମର ସାଧନାଗୃହଗୁଡ଼ିକ ପ୍ରକୃତରେ ସେହି ପ୍ରୟୋଗଶାଳାରେ ରୂପାନ୍ତରିତ ହୋଇଯିବାର ବାସନା ରଖି ପାରୁଥିବା ଉଚିତ । ତେବେଯାଇ ନୂତନର ପୂର୍ବପ୍ରସ୍ତୁତିରେ ଆମେ ଯଥାର୍ଥରେ କାମରେ ଲାଗି ପାରନ୍ତେ, ନିମିତ୍ତ ହୋଇ ପାରନ୍ତେ ।

 

ଯଦି ଆମେ ଏହି ସମ୍ଭାବନାଟିକୁ ପ୍ରକୃତରେ ମନ କରୁଥିବା, ତେବେ ଆମେ ଅବଶ୍ୟ ବଦଳିଯିବା । ସବାଆଗ ଜଣେ ଜଣେ ବ୍ୟକ୍ତି ହିସାବରେ ବଦଳିଯିବା ଏବଂ ଆମକୁ ମାଧ୍ୟମ କରି ଆମର ଗୋଷ୍ଠୀଟି ମଧ୍ୟ ବଦଳି ଯାଉଥିବ । ଆମ ପାଠଚକ୍ର, ଆମର ଶିକ୍ଷାକେନ୍ଦ୍ର ଓ ଆମର ସାଧନାପୀଠଗୁଡ଼ିକ,—ଏଗୁଡ଼ିକ ବସ୍ତୁତଃ ସେହି ଉଦ୍ଦେଶ୍ୟରେ ତିଆରି ହୋଇ ନାହାନ୍ତି କି ? ଆମର ଆସ୍ପୃହା ଅନୁସାରେ ଆମର ପ୍ରତ୍ୟାଖ୍ୟାନଗୁଡ଼ିକ ଆମକୁ ଯଥାର୍ଥ ଉପାଦାନ ରୂପେ ତିଆରି କରି ନେଉଥିବେ,—ଆଧ୍ୟାତ୍ମର ଯାବତୀୟ କ୍ଷେତ୍ରରେ ବଦଳିବା କହିଲେ ସର୍ବଦା ତାହାକୁ ହିଁ ବୁଝାଇବ । ଯଦି ଆମେ ଆବଶ୍ୟକତା ମୁତାବକ ବଦଳି ନପାରୁଥିବା, ତେବେ ଆମର ସବୁଯାକ ପ୍ରମାଦ ସେଇଥିରୁ ସୃଷ୍ଟି ହେଉଥିବ । ଅହଂଗୁଡ଼ାକ ମୁଣ୍ଡ ବାଡ଼ିଆବାଡ଼ି ହେବାରେ ଲାଗିଥିବେ । ବଦଳିବାର ମନ୍ତ୍ରଗୁଡ଼ାକୁ ତୁଣ୍ଡରେ ଘୋଷି ଯେଉଁମାନେ ତଥାପି ନ ବଦଳିବେ, ସେମାନେ ଆମ ସମସ୍ତଙ୍କୁ ଅଟକାଇ ରଖିବାକୁ ହୁଏତ ସବୁକିଛି କରି ପାରିବେ । ସେମାନେ ଆଧ୍ୟାତ୍ମିକତାକୁ ମଧ୍ୟ କାଞ୍ଜିଆ କରି ପକାଇବେ, ତା’ ଭିତରେ ନାନା ଅଶିଷ୍ଟତାକୁ ନେଇ ପୂରାଇଦେବେ । ତୁଣ୍ଡରେ ହରିନାମ ଗାଇ ଏଣେ ରାଜାମହାରାଜା ହୋଇ ରହିବାକୁ ସକସକ ହେଉଥିବେ । ଆପଣାକୁ ସତେଅବା ଭଗବାନଙ୍କର ଅମାତ୍ୟ ବୋଲି ମନେ କରୁଥିବେ; ମାତ୍ର ତଥାପି ଅସଲ ଘରଟି ଭିତରୁ ସର୍ବଦା ବାହାର ହୋଇ ରହିଥିବେ ।

 

ସେମାନେ ପୂଜା କରିବେ, ପୂଜାକୁ ମଧ୍ୟ ଏକ ରୁଟିନରେ ପରିଣତ କରିଦେବେ । ମୂର୍ତ୍ତି ଭିତରେ ତୁଚ୍ଛା ମୂର୍ତ୍ତିଟାକୁ ଦେଖୁଥିବେ । ପୌତ୍ତଳିକ ହେବେ, ନୂଆ ଝାଞ୍ଜ ଧରି ସେହି ପୁରୁଣା ଧିସାଟାକୁ ନେଇ ସଙ୍କୀର୍ତ୍ତନ କରିବାରେ ଲାଗିଥିବେ । ଏବଂ, ଆପଣାର ଦ୍ଵାର ସାମନାରେ ଦୁଆରବନ୍ଧ ଜଗି ବସିଥିବେ । ଦ୍ଵାରଟିକୁ ଖୋଲିବାର ଯାବତୀୟ ଆହ୍ଵାନକୁ ପ୍ରତିହତ କରି ଦେଉଥିବେ । ସେମାନେ ପ୍ରୟୋଗଶାଳା ହେବାକୁ ଭାରି ଭୟ କରୁଥିବେ । ସତ୍ୟକୁ ସ୍ଵର୍ଣ୍ଣମନ୍ଦିରରେ କବର ଦେଇ ରଖିବାକୁ ଧର୍ମକାର୍ଯ୍ୟ ବୋଲି କହୁଥିବେ । ଅଚେତା ହୋଇ ରହିଥିବେ, ଅମଙ୍ଗ ହୋଇ ରହିଥିବେ । ସେମାନେ ଦିବ୍ୟକେନ୍ଦ୍ର ହେବେ ନାହିଁ । ସେମାନେ ଗଢ଼ିଥିବା ଗୋଷ୍ଠୀଟି ମଧ୍ୟ ଅଧ୍ୟାତ୍ମର ପ୍ରବର୍ତ୍ତନରେ କୌଣସି କାମରେ ଲାଗି ପାରିବ ନାହିଁ । ପାଠଚକ୍ରଟିଏ ଖୋଲିଲା ବେଳେ, ପାଠଶାଳାଟିଏ ବସାଇବା ସମୟରେ ବା ସାଧନାଶ୍ରମଟିଏ ଗଢ଼ିବାର ବିଚାର କଲାବେଳେ ଆମେ ଏହି କଥାଟିକୁ ସର୍ବଦା ସ୍ମରଣରେ ରଖିଥିବା । ପରସ୍ପରକୁ ଗୋଟିଏ ଗୋଟିଏ ଦିବ୍ୟକେନ୍ଦ୍ରରେ ପରିଣତ ହୋଇ ଆସିବାରେ ସହାୟତା କରିବା ସକାଶେ ହିଁ ଏହିସବୁ ସଂସ୍ଥାଗୁଡ଼ିକର ଭିଆଣ ହୋଇଛି । ଆମେସବୁ ଯଥାଆବଶ୍ୟକ ଭାବରେ ବଦଳି ଯଥାର୍ଥ ଗୋଷ୍ଠୀଟିଏ ତିଆରି କରିପାରିଲେ ଯାଇ ଏସବୁ ପୃଥିବୀର ଅଭ୍ୟୁଦୟରେ ସହାୟତା କରିବେ, ନହେଲେ ଆପଣାର ସବାମୂଳ ଔଚିତ୍ୟଟିକୁ ହରାଇ ଦେବେ ।

 

ମାର୍ଚ୍ଚ, ୧୯୯୦

Image

 

ପରିଶିଷ୍ଟ

ଓଡ଼ିଶାର ଶିକ୍ଷାୟତନ

 

ସ୍ଵାଧୀନତା ପରେ ଓଡ଼ିଶାର ଶିକ୍ଷାୟତନ ଅନେକ ପରିମାଣରେ ବୃଦ୍ଧି ପାଇଚି । ଅଧିକରୁ ଅଧିକ ଗାଆଁରେ ନୂଆ ପ୍ରାଥମିକ ବିଦ୍ୟାଳୟମାନ ଖୋଲିଚି । ଓଡ଼ିଶାର ମାଧ୍ୟମିକ ଶିକ୍ଷାବୋର୍ଡ଼ ପ୍ରତିବର୍ଷ ଅଧିକରୁ ଅଧିକ ହାଇସ୍କୁଲକୁ ମଞ୍ଜୁରି ଦେଇଚି । ଓଡ଼ିଶାର ଅଧିକ ସ୍ଥାନରେ ନୂଆ ନୂଆ କଲେଜମାନ ବସିଛି । ଟିକିଏ ହିସାବ ନେଇ ଦେଖିଲେ ଆମେ ଅତି ସହଜରେ ଜାଣିପାରିବା ଯେ ଗତ ଗୋଟିଏ ଦଶକରେ ଓଡ଼ିଶାରେ ସ୍କୁଲ କଲେଜମାନଙ୍କର ସଂଖ୍ୟା ବୃଦ୍ଧି ପାଇଛି । ଛାତ୍ରମାନଙ୍କର ସଂଖ୍ୟା ବୃଦ୍ଧି ପାଇଚି, ଶିକ୍ଷା ବିଭାଗରେ ବା ଶିକ୍ଷା ବାବତରେ ଓଡ଼ିଶାରେ ଖରଚ ହେଉଥିବା ଅର୍ଥର ପରିମାଣ ବୃଦ୍ଧି ପାଇଚି । ଛୋଟଠୁଁ ଆରମ୍ଭ କରି ବଡ଼ ପର୍ଯ୍ୟନ୍ତ ନାନାବିଧ ସ୍ତରରେ ଶିକ୍ଷାର ପରିଚାଳନା-କ୍ଷେତ୍ରରେ ସରକାରଙ୍କର କର୍ତ୍ତୃତ୍ଵ ମଧ୍ୟ ବୃଦ୍ଧି ପାଇଚି । ତଥାପି କହିବାକୁ ପଡ଼ିବ ଯେ ଏହି ବୃଦ୍ଧି କେବଳ ସଂଖ୍ୟା ଓ ପରିମାଣର ବୃଦ୍ଧି ଭିତରେ ହିଁ ସୀମାବଦ୍ଧ ରହିଯାଇଚି । ଶିକ୍ଷାର ଉଦ୍ଦେଶ୍ୟରେ କୌଣସି ପରିବର୍ତ୍ତନ ଆସିନାହିଁ, ଶିକ୍ଷାୟତନ ଭିତରେ ସାଧୁତା ବଢ଼ିନାହିଁ । ଜାତୀୟ ନିର୍ମାଣ ଓ ଲୋକନିର୍ମାଣର ବୃହତ୍ତର କ୍ଷେତ୍ରରେ ଏହି ଦେଶର ଶିକ୍ଷା କୌଣସି ନୂତନ ନେତୃତ୍ଵ ଦେଇନାହିଁ । ଦେଶର ନାନା ସମସ୍ୟା ଓ ପରମ୍ପରାଗତ ବ୍ୟାଧିର ସମାଧାନ କରିବା ପରିବର୍ତ୍ତେ ଆମର ଶିକ୍ଷା ଆପେ ଏହି ଦୂଷିତ ଆବର୍ତ୍ତ ମଧ୍ୟରେ ପଡ଼ି ବ୍ୟାଧିଗ୍ରସ୍ତ ହୋଇ ପଡ଼ିଚି । ନୂଆ ବୋତଲରେ ନୂଆ ମଦ ଆଣି ରଖିବା ଦୂରେ ଥାଉ, ଆମର ଶିକ୍ଷା ନୂଆ ବୋତଲରେ ସେହି ପୁରୁଣା ମଦକୁ ମଧ୍ୟ ପରିବେଷଣ କରିବାରେ ସମର୍ଥ ହୋଇ ପାରିନାହିଁ । ମଦ ଆଉ ବୋତଲ ଉଭୟେ ଯେଉଁ ପୁରୁଣାକୁ ସେହି ପୁରୁଣା ରହିଚନ୍ତି । କୋଡ଼ିଏଟା ସ୍ଥାନରେ ବୋତଲରେ ସଂଖ୍ୟା ତିନିକୋଡ଼ିକୁ ବୃଦ୍ଧି ପାଇଚି—ପରିବର୍ତ୍ତନ ଭିତରେ କେବଳ ଏତିକି ହୋଇଚି ।

 

କୌଣସି ଜାତି, ଦେଶ ବା ସମୂହ ଆପଣାର ପରିପୂର୍ଣ୍ଣ ଉପଲବ୍ଧି କରିବା ଉଦ୍ଦେଶ୍ୟରେ ଯେଉଁସବୁ ଉଦ୍ୟମକୁ ଅବଶ୍ୟ ବ୍ରତ ବୋଲି ଗ୍ରହଣ କରିଥାଏ, ସେହି ଉଦ୍ୟମଗୁଡ଼ିକ ଭିତରୁ ଶିକ୍ଷା ହେଉଚି ଗୋଟିଏ । ସ୍ଵାମୀ ବିବେକାନନ୍ଦ, ରବୀନ୍ଦ୍ରନାଥ, ମହାତ୍ମା ଗାନ୍ଧୀ ଓ ଶ୍ରୀଅରବିନ୍ଦଙ୍କର ଶିକ୍ଷାବିଚାରରେ ଆମେ ଶିକ୍ଷାର ଏହି ସଂଜ୍ଞା ଦେଖିବାକୁ ପାଇବା । କେବଳ ସ୍କୁଲ କଲେଜର ସଂଖ୍ୟା ବୃଦ୍ଧି କରିବା ବା ସେଥିଲାଗି ଅଧିକ ପଇସା ଖରଚ କରିବାଠାରୁ ଏହି ଉଦ୍ୟମ ଅନେକ ବଡ଼ । ଅନ୍ଧଭାବରେ ଆଉ କେଉଁ ମାର୍ଗର ଅନୁକରଣ କରିବା ଏହି ଉଦ୍ୟମରେ ପ୍ରଥମ ପ୍ରମାଦ । ଆପଣାର ଯାହା ଥିଲା, କାତର ଓ ଆତ୍ମସଚେତ ଭାବରେ ତାହାକୁ ହିଁ ଜାବୁଡ଼ିକରି ଧରିବା ହେଉଚି ଏହି ଉଦ୍ୟମର ଆଉ ଗୋଟିଏ ପ୍ରମାଦ । ସାମଗ୍ରୀର ଆଡ଼ମ୍ବର ବା କର୍ତ୍ତୃତ୍ଵ ଭିତରେ ଅତିଲିପ୍ତ ରହି ମଣିଷକୁ ଅସ୍ଵୀକାର କରିବା ଏହି ଉଦ୍ୟମରେ ଏକ ପ୍ରଧାନ ବାଧକ । ସମାଜରେ ସମର୍ଥିତ ହୋଇ ରହିଥିବା ନାନା ଅନ୍ୟାୟ ଓ ଅସାଧୁତା ସହିତ ଏହି ଉଦ୍ୟମର ସହାବସ୍ଥାନ ଆଦୌ ସମ୍ଭବ ନୁହେଁ ।

 

ଅନେକ ସମୟରେ ପ୍ରଶ୍ନ ଉଠିଥାଏ ଯେ ଶିକ୍ଷା ଯୁଗୋପଯୋଗୀ ହେବା ଉଚିତ । ଅର୍ଥାତ୍ ଯୁଗ ଯାହା ଚାହୁଚି, ଶିକ୍ଷା ମଣିଷକୁ ସେହିପରି ଭାବରେ ତିଆରି କରିବା ଉଚିତ । ଯୁଗ ହେଉଚି ଏକ ନୈର୍ବ୍ୟକ୍ତିକୁ ଶବ୍ଦ, ଏହାର ଆପଣାର କୌଣସି ମନ ନାହିଁ । ବ୍ୟକ୍ତିଗତ ବା ସାମୂହିକ ଭାବରେ ମଣିଷ ପ୍ରଧାନତଃ ଯାହା ହେବାକୁ ଚାହେ, ତାହାହିଁ ଯୁଗର ଦାବି ରୂପେ ଅନୁଭୂତ ହୋଇଥାଏ । ପୁଣି ଆହୁରି କେତେକ ସମୟରେ, କୌଣସି ଦୁରାତ୍ମ ସତ୍ତା ସମାଜ ବା ସରକାରର ଲଗାମକୁ ହାତକୁ ନେଇ ମଣିଷ ଉପରେ ଶାସନ ଜାରି କରେ । ମୁଣ୍ଡପାତି ସୁନାପୁଅ ପରି ହଁ, ହଁ’ ଭରି ସବୁ ମାନିନେବା ବ୍ୟତୀତ ଅକିଞ୍ଚନ ମଣିଷର ସେତେବେଳେ ଆଉ କୌଣସି ଉପାୟାନ୍ତାର ନଥାଏ । ଏହି ବାଧ୍ୟ ହେବାକୁ ହିଁ ସେ ଯୁଗୋପଯୋଗୀ ବୋଲି ମାନିନିଏ । ଏହି ଦୃଷ୍ଟିରୁ ଦେଖିଲେ ଜର୍ମାନୀରେ ହିଟ୍‍ଲରକୁ ମାନିନେବା ଯେପରି ଯୁଗପୋଯୋଗୀ ଥିଲା, ଏବେ ପାକିସ୍ଥାନରେ ଅଗଣତାନ୍ତ୍ରିକ ଆୟୂବ୍ ଖାଁଙ୍କର ଗଣତନ୍ତ୍ର-ଭାଷ୍ୟକୁ ମାନିନେବାକୁ ମଧ୍ୟ ସେହିପରି ଯୁଗୋପଯୋଗୀ ବୋଲି କୁହାଯାଇ ପାରିବ । ସନାତନୀ ହିନ୍ଦୁଯୁଗର ସକଳ ଅନ୍ୟ ଲକ୍ଷଣ ସତ୍ତ୍ୱେ ତଥାପି ମନୁସ୍ମୃତିକୁ ଆକ୍ଷରିକ ଭାବରେ ମାନିନେବାକୁ ହିଁ ଯୁଗୋପଯୋଗୀ ବୋଲି କହିହେବ । କିନ୍ତୁ ଏହାକୁ ଯିଏ ଯୋଗୋପଯୋଗୀ ବୋଲି କହୁ ପଛକେ, ମୁଁ ଏହାକୁ ଉପଯୋଗୀ ବୋଲି ମଧ୍ୟ କହିବି ନାହିଁ । ମୁଁ କହିବି, ଯୁଗୋପଯୋଗୀ ହେବା ଅର୍ଥାତ୍ ମଣିଷକୁ ଯୁଗର ଉପଯୋଗୀ କରି ତିଆରି କରିବା ଶିକ୍ଷାର ଉଦ୍ଦେଶ୍ୟ ନୁହେଁ । ଯୁଗକୁ ମଣିଷର ଉପଯୋଗୀ କରି ଗଢ଼ିବା ହେଉଚି ଶିକ୍ଷାର ଉଦ୍ଦେଶ୍ୟ ।

 

ସ୍ଵାମୀ ବିବେକାନନ୍ଦ, ରବୀନ୍ଦ୍ରନାଥ, ମହାତ୍ମାଗାନ୍ଧୀ ବା ଶ୍ରୀଅରବିନ୍ଦ ମଣିଷକୁ ଯୁଗର ଉପଯୋଗୀ କରି ଗଢ଼ିବା ଲାଗି ଶିକ୍ଷାର କୌଣସି କଳ ବାହାର କରି ନଥିଲେ । ଯୁଗକୁ ହିଁ ମଣିଷର ଉପଯୋଗୀ କରିବା ଲାଗି ଶିକ୍ଷାକୁ ସାଧନରୂପେ ବ୍ୟବହାର କରିଥିଲେ । ଯୁଗକୁ ଆପଣାର ଉପଯୋଗୀ କରି ଗଢ଼ିବା ଲାଗି ଶିକ୍ଷା ମଣିଷକୁ ସମର୍ଥ କରିପାରିବା ଉଚିତ । ଶକ୍ତି ଯୋଗାଇ ଦେଇପାରିବା ଉଚିତ । ଏହି ଶକ୍ତି ହାସଲ କରିବାକୁ ହେଲେ ଜୀବନରେ ଏକ ବଳିଷ୍ଠ ଉଦ୍ଦେଶ୍ୟ ରହିଥିବା ଉଚିତ । ସେହି ଉଦ୍ଦେଶ୍ୟ ଅନୁସାରେ ଆପଣାର ଜୀବନକୁ ଅନୁପ୍ରେରିତ କରିବାର ବଳିଷ୍ଠ ଇଚ୍ଛା ରହିଥିବା ଉଚିତ । ଆପଣାର ପ୍ରୟୋଗକ୍ଷମତା ଉପରେ ବଳିଷ୍ଠ ବିଶ୍ଵାସ ରହିଥିବା ଉଚିତ । ଦେଶରେ ପ୍ରଚଳିତ ଶିକ୍ଷା ମଣିଷ ଭିତରେ ଏହି ଉଦ୍ଦେଶ୍ୟବୋଧ, ଏହି ଇଚ୍ଛାଶକ୍ତି, ଏହି ବିଶ୍ଵାସ ଓ ଏହି ଆତ୍ମନିର୍ଭରତା ସୃଷ୍ଟି କରିବ । ତେବେଯାଇ ଆମେ କୌଣସି ଦେଶରେ ପ୍ରଚଳିତ ହେଉଥିବା ଶିକ୍ଷାକୁ ଯଥାର୍ଥ ଶିକ୍ଷା ବୋଲି କହିପାରିବା । ବିବେକାନନ୍ଦ, ରବୀନ୍ଦ୍ରନାଥ, ଗାନ୍ଧୀ ବା ଅରବିନ୍ଦ—ଜୀବନ ବିଷୟରେ ଏମାନଙ୍କର ପ୍ରତ୍ୟେକଙ୍କର ଏକ ନିର୍ଦ୍ଦିଷ୍ଟ ଦୃଷ୍ଟିକୋଣ ଥିଲା, ମଣିଷର ଶ୍ରେୟ ବିଷୟରେ ଏକ ନିର୍ଦ୍ଦିଷ୍ଟ କଳ୍ପନା ଥିଲା । ସେଥିଲାଗି ସେମାନଙ୍କର ସମସାମୟିକ ଭାରତବର୍ଷରେ ଅନେକ ସଫଳ ଓ ଐଶ୍ଵର୍ଯ୍ୟଶାଳୀ ବ୍ୟକ୍ତି ଇଂରେଜର ଅନୁକରଣ କରି ସଫଳ ଆଜ୍ଞାବହ ହେବାର ଚତୁର ଅଧ୍ୟବସାୟ କରୁଥିବାବେଳେ ସେମାନେ ଏହିପରି ଆରକେ ଯୁଗର ଉପଯୋଗୀ ହେବାକୁ ବୋଲି ଘୋଷଣା କରିଥିଲେ । ସେମାନେ ଯୁଗକୁ ମଣିଷର ଉପଯୋଗୀ କରି ତିଆରି କରିବାର ଉଦ୍ୟମ ଆରମ୍ଭ କରିଥିଲେ । ଏମାନେ ଯୁଗ-ପରିବର୍ତ୍ତନର ବୀଜ ବପନ କରିଥିଲେ । ସେହି ମୂଳପ୍ରେରଣା ହିଁ ସେମାନଙ୍କ ଶିକ୍ଷା-ବିଚାରର ଉଦ୍‌ଭବ କରାଇଥିଲା । ଖାଲି ଆମ ଦେଶରେ ନୁହେଁ, ପୃଥିବୀର ସକଳ ଶିକ୍ଷାବିତ୍‍ଙ୍କର ଜୀବନରେ ଆମେ ଠିକ୍ ଏହାହିଁ ଦେଖିବାକୁ ପାଇବା । ମଣିଷ ସମ୍ବନ୍ଧରେ ଆପଣାର ଏକ ସ୍ଵତନ୍ତ୍ର ଦୃଷ୍ଟିକୋଣ ରଖିଥିବାରୁ ସୁଇଜରଲାଣ୍ଡର ପେଷ୍ଟାଲୋଜିଙ୍କୁ ଦରିଦ୍ର ଓ ପରିତ୍ୟକ୍ତ ଭାବରେ ମାରିବାକୁ ପଡ଼ିଛି । ଜର୍ମାନୀର ଫ୍ରେଏବେଲଙ୍କୁ ଅତି ହତାଶ ଭାବରେ ଜୀବନ କଟାଇବାକୁ ପଡ଼ିଛି । ତଥାପି ସେମାନେ ଯୁଗକୁ ମାନିନେଇ ପାରିନାହାନ୍ତି । ଆପଣାର ଯୁଗରେ ଅସଫଳ ହୋଇଥିଲେ ମଧ୍ୟ ସେମାନେ ଶିକ୍ଷାର ଇତିହାସରେ ସ୍ମରଣୀୟ ହୋଇ ରହିଛନ୍ତି । ଆମକୁ ଆମର ବିଚାରରେ ଆଗକୁ ଆଜି ଏହିମାନେ ହିଁ ପ୍ରେରଣା ଦେଉଛନ୍ତି ।

 

ଭାରତବର୍ଷ ସ୍ଵାଧୀନତା ଲାଭ କରିବା ପୂର୍ବରୁ ଏ ଦେଶରେ ଇଂରେଜମାନଙ୍କ ଦ୍ଵାରା ଯେଉଁ ଶିକ୍ଷାର ପ୍ରଚଳନ ହୋଇଥିଲା, ଲର୍ଡ଼ ମ୍ୟାକେଲଙ୍କୁ ସେହି ଶିକ୍ଷାର ଜନକ ବୋଲି କୁହାଯାଏ । ଆମେ ଅନେକ ସମୟରେ ଲର୍ଡ଼ ମ୍ୟାକଲେଙ୍କୁ ଭାରତୀୟ ଶିକ୍ଷାକ୍ଷେତ୍ରର ଅନେକ ଦୋଷଲାଗି ଦାୟୀ କରିଥାଉ । କିନ୍ତୁ ତଥାପି ମୁଁ କହିବି ଯେ ମ୍ୟାକଲେ ଶିକ୍ଷାବିତ୍ ନଥିଲେ । ଭାରତବର୍ଷରେ ବ୍ରିଟିଶ୍ ସାମ୍ରାଜ୍ୟକୁ କାଏମ୍ କରି ରଖିବା ବ୍ୟତୀତ ମଣିଷ ସମ୍ବନ୍ଧରେ ତାଙ୍କର ଅନ୍ୟ କୌଣସି ଦୃଷ୍ଟିକୋଣ ନଥିଲା । ଆମେ କେତେକଙ୍କୁ ଇଂରେଜୀ ସଭ୍ୟତା, ଇଂରେଜୀ ଆଚାର ଓ ଇଂରେଜୀ ବିଚାରରେ ତାଲିମ କରି ସେହିମାନଙ୍କ ଦ୍ଵାରା ଦେଶରେ ବ୍ରିଟିଶ୍ ଶାସନ ଚଳାଇବା ସମ୍ଭବ ହେବ, ଲର୍ଡ଼ ମ୍ୟାକଲେ ଏହିପରି ଚିନ୍ତା କରି ସରକାରଙ୍କ ପାଖରେ ଶିକ୍ଷା-ନୀତି ବିଷୟରେ ଆପଣାର ରିପୋର୍ଟ ପେସ୍ କରିଥିଲେ । ସଂକ୍ଷେପରେ କହିଲେ, ରକ୍ତ ଓ ରଙ୍ଗରେ ଭାରତୀୟ ହୋଇ ଜନ୍ମ ହୋଇଥିବା କେତେକ ଲୋକଙ୍କୁ ରୁଚି, ନୀତି ଓ ବୁଦ୍ଧିରେ ଇଂରେଜୀ ମାର୍କା ଅନୁସାରେ ତିଆରି କରିବା ହିଁ ତାଙ୍କର ଉଦେଶ୍ୟ ଥିଲା । ଭାରତବର୍ଷର ଏକ ଅଂଶ ହିସାବରେ ଓଡ଼ିଶାରେ ଏହି ଶିକ୍ଷାବ୍ୟବସ୍ଥା ଚଳିଥିଲା । ଆପଣାକୁ ଏକ ସାଂସ୍କୃତିକ ଏକକ ହିସାବରେ ଆବିଷ୍କାର କରିବାର ଅନେକ ପୂର୍ବରୁ ବିହାର ଓ ବଙ୍ଗଳାର ଲାଙ୍ଗୁଡ଼ ହିସାବରେ ଓଡ଼ିଶା ଏହି ବ୍ୟବସ୍ଥାକୁ ଗ୍ରହଣ କରିବାକୁ ବାଧ୍ୟ ହୋଇଥିଲା ।

 

ସେହି ଯୁଗରେ ଅକ୍ସଫୋର୍ଡ଼ ଆଉ କେମ୍ବ୍ରିଜ୍‌କୁ ଶିକ୍ଷାର ଦେବଭୂମି ବୋଲି ବିଶ୍ଵାସ କରା ଯାଉଥିଲା । ଯେଉଁ କେତେଜଣ ସେତେବେଳେ ଏ ଦେଶରୁ ସମୁଦ୍ର ପାରିହୋଇ ବିଲାତକୁ ପାଠପଢ଼ି ଯାଉଥିଲେ, ଦେଶକୁ ଫେରିବା ବେଳକୁ ସେମାନେ ଗୋଟାସୁଦ୍ଧା ସେଇଆଡର ହୋଇ ଆସୁଥିଲେ । ସେମାନେ ଆପଣା ଦେଶରେ ବାବୁ ହୋଇ ରହୁଥିଲେ । ଖ୍ରୀଷ୍ଟିୟାନ ପାଦ୍ରୀର ଅନୁଗାମୀ ପରି ସେମାନେ ମଧ୍ୟ ଉପରେ ଥାଇ ଏ ଦେଶର ସବୁକିଛିକୁ ନାକ ଟେକିବାଟାକୁ ହିଁ ଆପଣାର ଶିକ୍ଷିତ କର୍ତ୍ତବ୍ୟ ବୋଲି ବିଚାର କରୁଥିଲେ । ଅନେକେ କହନ୍ତି, ବାହାର ଦେହର ଯେଉଁ ଲୋକମାନେ କମ୍ୟୁନିଷ୍ଟ ଦେଶମାନଙ୍କରେ ବନ୍ଦୀ ହୋଇ ରହନ୍ତି, ସେମାନଙ୍କର ବିଚାର ଓ ଦୃଷ୍ଟିଭଙ୍ଗୀକୁ କମ୍ୟୁନିଷ୍ଟ ବିଚାର ଓ ଦୃଷ୍ଟିଭଙ୍ଗୀ ଦ୍ଵାରା ପ୍ରଭାବିତ କରିବାଲାଗି ନାନାପ୍ରକାର ଚେଷ୍ଟା କରା ଯାଇଥାଏ । ଏହି ଚେଷ୍ଟାକୁ Brain-Washing ବୋଲି କୁହାଯାଏ । ବିଦେଶରେ ଉଚ୍ଚ ଡିଗ୍ରୀ ଲାଭ କରିବାକୁ ଯାଇ ଇଂରେଜ ଅମଳରେ ଯେଉଁ ବାବୁମାନେ ଦେଶକୁ ସାହେବ ହୋଇ ଫେରୁଥିଲେ, ସେମାନେ ମଧ୍ୟ ଏକ ପ୍ରକାର Brain-Washingର ସମ୍ମୋହନ ଦ୍ଵାରା ସମ୍ମୋହିତ ହୋଇ ଆସୁଥିଲେ । ସେମାନଙ୍କ ଭିତରେ ଆଉ କୌଣସି ବିଶେଷ ପରିବର୍ତ୍ତନ ସଂଘଟିତ ହେଉ ନଥିଲା ।

 

ଇଂରେଜଙ୍କ ଶିକ୍ଷାକଳ ଭିତରେ ଯେତେବେଳେ ଅକସ୍ମାତ୍ ଟିକିଏ ଆଦର୍ଶବାଦୀ ଭଲଲୋକ କେହି ଆସି କ୍ଷମତାରେ ବସି ଯାଉଥିଲେ, ସେତେବେଳେ ସିଏ ବାରଟା ଭଲକଥା କହି ବା ବାରଟା ଭଲ ନୋଟିସ୍ ବୁଲାଇ ଶିକ୍ଷାରେ ସଂସ୍କାର ଆଣିବାକୁ ଚେଷ୍ଟା କରୁଥିଲେ । ଶିକ୍ଷା କୋଡରେ ଏଠି ସେଠି ଦୁଇଟା ପରିବର୍ତ୍ତନ କରି ସେମାନେ ହୁଏତ ଟିକିଏ ଆତ୍ମପ୍ରସାଦ ମଧ୍ୟ ଲାଭ କରୁଥିଲେ । ଏଠାରେ ସାର୍ଜେଣ୍ଟ ସାହେବଙ୍କର ଶିକ୍ଷା—ଯୋଜନାର ଉଲ୍ଲେଖ କରାଯାଇପାରେ । ସାର୍ଜେଣ୍ଟ୍ ସାହେବ ଭଲଲୋକ ଥିଲେ । ହୁଏତ ଟିକିଏ ଆଦର୍ଶବାଦୀ ମଧ୍ୟ ଥିଲେ । ଆପଣାର ଯୋଜନାରେ ସେ ଅନେକ ଶିକ୍ଷାସଂସ୍କାରର ସୂଚନା ଦେଇଥିଲେ ଓ ଭାରତର ଯାବତୀୟ ଶିକ୍ଷାସମସ୍ୟାର ସମାଧାନ କରିବାର ଆଶା ମଧ୍ୟ ପ୍ରକଟ କରିଥିଲେ । କିନ୍ତୁ କହିବା ବାହୁଲ୍ୟ, ତାଙ୍କର ଯୋଜନା କେବଳ ଯୋଜନାରେ ହିଁ ପର୍ଯ୍ୟବସିତ ହୋଇ ରହିଥିଲା । ମାଲିକ ଦୟାବହି ଭୃତ୍ୟକୁ ଭାଗବତ ଶୁଣାଇବାର ସଧୁ ଉଦ୍ୟମରେ ମାଲିକକୁ ଅବଶ୍ୟ ଅନେକ ସନ୍ତୋଷ ମିଳେ, କିନ୍ତୁ ଭୃତ୍ୟର ବିଶେଷ କିଛି ଲାଭ ହୁଏନାହିଁ ଏଦେଶରେ ବ୍ରିଟିଶ୍ ଶାସକର ଆର୍ଥିକ ଓ ସାମାଜିକ ଶୋଷଣ ଚାଲିଥିବ,—ତଥାପି ଇସ୍କୁଲରେ ବଗିଚାଟାଏ କଲେ ବା ପିଲାମାନଙ୍କୁ ଡ୍ରିଲ୍ ଶିଖାଇଲେ ଶିକ୍ଷାର ଯେ ଖୁବ୍ ବେଶୀ ବିକାଶ ହେବନାହିଁ—ସାର୍ଜେଣ୍ଟ୍ ଯୋଜନାର ଅସଫଳତା ତାହାହିଁ ପ୍ରମାଣ କରିଥିଲା । ଓଡ଼ିଶାରେ ମଧ୍ୟ ଡିପି ସାହେବ ଶିକ୍ଷାବିଭାଗରେ ନିର୍ଦ୍ଦେଶକ ହୋଇ ରହିଥିବା ସମୟରେ ଏଠି ଶିକ୍ଷାମହଲରେ ଟିକିଏ ସଂସ୍କାରମୂଳକ ଆଲୋଡ଼ନ ସୃଷ୍ଟି କରାହୋଇଥିଲା । ଡିପି ସାହେବ ଭଲଲୋକେ ଥିଲେ । ଡିପି ସାହେବ ହୁଏତ ଟିକିଏ ଉତ୍ସାହୀ ଓ ଆଦର୍ଶବାଦୀ ମଧ୍ୟ ଥିଲେ-। କିନ୍ତୁ ତଥାପି ତାଙ୍କର ଇସ୍ତାହାର ଦ୍ଵାରା ଓଡ଼ିଶାର ଶିକ୍ଷାକ୍ଷେତ୍ରରେ ଖୁବବେଶୀ ପରିବର୍ତ୍ତନ ହୋଇନଥିଲା । ବାବୁ ଉଦାର ହେଲେ ଭୃତ୍ୟମାନେ ମଧ୍ୟ ଟିକିଏ ଉଦାର ହୋଇଯାଆନ୍ତି,–ବାବୁଙ୍କର ଖିଆଲ ଅନୁସାରେ ଆଜ୍ଞା ପାଳନ କରିବାକୁ ସେମାନେ ମଧ୍ୟ ତିଆରି ହୋଇଯାଆନ୍ତି । ଡିପି ସାହେବଙ୍କର ଅମଳରେ ଓଡ଼ିଶାରେ ସ୍କୁଲମାନଙ୍କରେ ବଗିଚା ତିଆରି ହେଲା, ନୀତିବାକ୍ୟମାନ ଲେଖାହୋଇ କାନ୍ଥରେ ଟଙ୍ଗାହେଲା; କିନ୍ତୁ ମୂଲ୍ୟବୋଧ ବଦଳିଲା ନାହିଁ । ଡିପି ସାହେବ ଯେଉଁ ସାମ୍ରାଜ୍ୟସତ୍ତାର ପ୍ରତିନିଧିତ୍ଵ କରୁଥିଲେ, ସେହି ସାମ୍ରାଜ୍ୟର ନାନା ଅନ୍ୟାୟାଶ୍ରିତ ଆଧାରମାନ ସ୍ଥାନୀୟ ସାଧୁ ଉଦ୍ୟମଗୁଡ଼ିକୁ ମଧ୍ୟ ବଡ଼ ନିଷ୍ଫଳ କରି ପକାଇଥିଲା ।

 

ଗତ କେତେବର୍ଷ ତଳେ ଡାକ୍ତର ମାୟାଧର ମାନସିଂହ ‘ଶିକ୍ଷା, ଶିକ୍ଷକ ଓ ଶିକ୍ଷାୟତନ’ ନାମରେ ଖଣ୍ଡିଏ ପୁସ୍ତକ ଲେଖିଚନ୍ତି । ଶିକ୍ଷା, ଶିକ୍ଷକ ଓ ଶିକ୍ଷାଳୟମାନଙ୍କରେ କିପରି ପରିବର୍ତ୍ତନ ହେଲେ ସମାଜରେ ସାର୍ଥକତର ଶିକ୍ଷା ଉପଲବ୍ଧ ହୋଇପାରିବ, ସେ ସେହି ବିଷୟରେ ଆପଣାର ବିଚାରମାନ ପ୍ରକଟ କରିଚନ୍ତି । ଓଡ଼ିଶାର ସରକାରୀ ଶିକ୍ଷାବିଭାଗରେ କାର୍ଯ୍ୟ କରୁଥିବା ସମୟରେ ଶିକ୍ଷକମାନଙ୍କୁ ସେ ଯେଉଁସବୁ ଇସ୍ତାହାର ବା ନିର୍ଦ୍ଦେଶନାମା ଦେଇଚନ୍ତି, ପୁସ୍ତକଟିରେ ସେହିଗୁଡ଼ିକର ପ୍ରତିଲିପି ମଧ୍ୟ ଦିଆଯାଇଚି । ଗାନ୍ଧିଜୀଙ୍କର ମୌଳିକ ଶିକ୍ଷାରେ ନିହିତ ଥିବା ଅନେକ କାର୍ଯ୍ୟକ୍ରମ କିପରି ତାଙ୍କ ବିଚାରରେ ମଧ୍ୟ ଆସିଥିଲା, ଡାକ୍ତର ମାନସିଂହ ତାହାର ସୂଚନା ମଧ୍ୟ ଦେଇଚନ୍ତି । ଡାକ୍ତର ମାନସିଂହଙ୍କର ସାଧୁ ଉଦ୍ଦେଶ୍ୟ ଓ ଆଦର୍ଶବାଦ ବିଷୟରେ ମୋର କୌଣସି ସନ୍ଦେହ ନାହିଁ । କିନ୍ତୁ ତେଣେ ବ୍ରିଟିଶ ସାମ୍ରାଜ୍ୟର ଅନ୍ୟାୟ ଏବଂ ଆନୁଷ୍ଠାନିକ ଐଶ୍ଵର୍ଯ୍ୟ ଉପରେ ବସି ରହିଥିବା ସମୟରେ ସରକାରୀ ଇସ୍ତାହାର ଦ୍ଵାରା ଆମେ ଦେଶର ଶିକ୍ଷାୟତନ ଓ ଶିକ୍ଷକକୁ ଯେ ବଦଳାଇ ପାରିଥାନ୍ତୁ, ମୁଁ ଏଥିରେ ବିଶ୍ଵାସ କରି ପାରୁନାହିଁ । ଭାରତରେ ସମବାୟ ଆନ୍ଦୋଳନର ପ୍ରସାର ଲାଗି ୧୯୦୪ ଓ ୧୯୧୨ ମସିହାରେ ଇଂରେଜ ସରକାର ସମବାୟ ଆଇନମାନ ପ୍ରଣୟନ କରିଥିଲେ-। ସାମାଜିକ ଓ ଆର୍ଥିକ କ୍ଷେତ୍ରର ଶୋଷଣ ଦୂରକରି ସହଯୋଗ ଓ ସାମୂହିକ ଦାୟିତ୍ଵବୋଧର ପ୍ରତିଷ୍ଠା କରିବା ହେଉଚି ସମବାୟର ଉଦ୍ଦେଶ୍ୟ । ଶୋଷଣ ଉପରେ ପ୍ରତିଷ୍ଠିତ ସରକାରର ସମବାୟ ଆଇନଦ୍ଵାରା ଦେଶରୁ ଶୋଷଣ ଦୂର ହୋଇପାରି ନଥାନ୍ତା । ତେଣୁ ଭାରତବର୍ଷରେ ଯୁଗକୁ ମଣିଷଲାଗି ତିଆରି କରିବାର ଉଦ୍ଦେଶ୍ୟରେ ମହାତ୍ମାଗାନ୍ଧୀ ବ୍ରିଟିଶ ଶାସନ ସହିତ ଅସହଯୋଗ କରିବାକୁ ହିଁ ପ୍ରକୃଷ୍ଟ ପନ୍ଥା ବୋଲି ଗ୍ରହଣ କରିଥିଲେ । ଭାରତବର୍ଷରେ ଶିକ୍ଷାର ପ୍ରସାର କରିବାକୁ ଇଂରେଜ ସରକାର ସ୍କୁଲ କଲେଜ ବସାଇ ନଥିଲେ—ଆପଣାର ବିପଣି ଚାଲିବ ବୋଲି ସ୍କୁଲ କଲେଜ ବସାଇଥିଲେ । ସେହି ଶାସନର ଯନ୍ତାକୁ ମାନି ନେଉଥିବା ପର୍ଯ୍ୟନ୍ତ ଶିକ୍ଷା ବିଷୟରେ ଆମେ ଯେତେ ଯାହା କାମନା କରିଥିଲେ ମଧ୍ୟ ତାହାସବୁ ଯେ କେବଳ କାମନାରେ ହିଁ ରହିଯାଇଥାନ୍ତା, ଏକଥା ବୁଝିବାଲାଗି କାହାରି କୌଣସି ଅସୁବିଧା ହେବନାହିଁ ।

 

ସ୍ଵାଧୀନତା ପୂର୍ବରୁ ଭାରତବର୍ଷରେ ଯେଉଁ କେତୋଟି ସାର୍ଥକ ପ୍ରୟୋଗ ହୋଇଚି, ତାହା ସରକାରୀ କଳର ବାହାରେ ହୋଇଚି । ଶାନ୍ତିନିକେତନରେ ହୋଇଚି, ସେବାଗ୍ରାମରେ ହୋଇଚି, ଓଡ଼ିଶାରେ ସତ୍ୟବାଦୀରେ ମଧ୍ୟ ହୋଇଚି । ଭାରତୀୟ ସମାଜର ସମୃଦ୍ଧିଲାଗି ଇଂରେଜ ଶାସନର ଉପଯୋଗିତାକୁ ମାନିନେଇ ନୁହେଁ, ତାହାକୁ ଅସ୍ଵୀକାର କରି ହିଁ ଏହି ପ୍ରୟୋଗମାନ ଆରମ୍ଭ ହୋଇଚି । ଏମାନେ ସମସ୍ତେ ତତ୍‌କାଳୀନ ସରକାରଙ୍କର ଚକ୍ଷୁଶୂଳ ହୋଇଚନ୍ତି, ଏମାନଙ୍କୁ ସରକାର ଭାରି ସନ୍ଦେହଚକ୍ଷୁରେ ଦେଖିଚନ୍ତି, ସରକାରୀ ଶାସନ ଭିତରେ ବଢ଼ୁଥିବା ଶିକ୍ଷିତ ସୁନାପୁଅମାନେ ଏମାନଙ୍କୁ ଶାନ୍ତିପୂର୍ଣ୍ଣ ଲଙ୍କାଗଡ଼ ଭିତରେ ପୋଡ଼ାମୁହାଁ ହନୁମାନ ବୋଲି ଭାବି ପ୍ରମାଦ ଗଣିଚନ୍ତି, ସମ୍ପୂର୍ଣ୍ଣ ନିଷ୍ଠାର ସହିତ ଏମାନଙ୍କର ପ୍ରୟୋଗରେ ଯଥାସମ୍ଭବ ବାଧାମାନ ସୃଷ୍ଟି କରିଚନ୍ତି । ତଥାପି ଭାରତରେ ଏହିସବୁ ପ୍ରୟୋଗ ଆମର ନାନାବିଧ ପରିକଳ୍ପନାରେ ପୁରୋଧାରୂପେ ପ୍ରେରଣା ଦେଉଚି ଓ ଆମର କ୍ଷେତ୍ରକୁ ଚିହ୍ନିବାରେ ନୂତନ ମାର୍ଗ ବତାଉଚି ।

 

ଓଡ଼ିଶାର ସତ୍ୟବାଦୀଠାରେ ଗୋପବନ୍ଧୁ କ’ଣ କରିବାକୁ ଇଚ୍ଛା କରିଥିଲେ ? ଜାତୀୟ ବିଦ୍ୟାଳୟର ଆଲୋଚନାମୂଳକ ଇତିହାସ ଏପର୍ଯ୍ୟନ୍ତ ଲେଖା ହୋଇନାହିଁ । ତାଙ୍କପରେ ତାଙ୍କର ସହକର୍ମୀମାନେ ପ୍ରଧାନତଃ ରାଜନୀତି-କ୍ଷେତ୍ରରେ ଏପରିଭାବରେ ଲିପ୍ତ ହୋଇ ପଡ଼ିଚନ୍ତି ଯେ ଗୋପବନ୍ଧୁ-ଦୃଷ୍ଟିର ବହୁମୁଖିନତା ଓ ମାନବମୁଖିନତା ସେମାନଙ୍କ ଜୀବନରେ ବିକଶିତ ହୋଇ ପାରିନାହିଁ । ତଥାପି ଉତ୍କଳମଣିଙ୍କ ସାହିତ୍ୟରେ ଆମେ ତାଙ୍କର ଦୃଷ୍ଟିକୋଣଟିର ଅନେକ ପରିଚୟ ପାଇପାରିବା । ଗୋପବନ୍ଧୁ ମଣିଷକୁ ଭଗବଦ୍‌ବିଶ୍ଵାସୀ, କର୍ମନିଷ୍ଠ ଓଁ ଶ୍ରଦ୍ଧାଶୀଳ କରି ଗଢ଼ିବାର ସ୍ଵପ୍ନ ଦେଖୁଥିଲେ । ଲୋକସମୂହଠାରୁ ବିଚ୍ଛିନ୍ନ ହୋଇ ବସି ଶୁଷ୍କ ପାଣ୍ଡିତ୍ୟର ବିକାଶ କରିବାକୁ ଗୋପବନ୍ଧୁ ଜ୍ଞାନ ବୋଲି ସ୍ଵୀକାର କରୁ ନଥିଲେ । ମଣିଷର ଜ୍ଞାନ ତାର ହୃଦୟକୁ ମଧ୍ୟ ଅଧିକ ସରସ ଓ ସ୍ଵୀକାରଧର୍ମୀ କରାଇବ, ତାକୁ ବିଶ୍ଵମୟ ପ୍ରାଣ ସହିତ ସମ୍ମିଳିତ କରାଇବ । ଅପରର ଦୁଃଖକୁ ଆପଣାର ଦୁଃଖ ବୋଲି ଅନୁଭବ କରିବାକୁ ପୃଥିବୀମୟ ଦୁଃଖର ଆଘାତକୁ ଆପଣା ପ୍ରାଣରେ ଅନୁଭବ କରିବାକୁ ଇଉରୋପୀୟ ସନ୍ଥସାହିତ୍ୟରେ Mystical Substitution ବୋଲି କୁହାଯାଇଚି । ଗୋପବନ୍ଧୁଙ୍କ ଜୀବନରେ, ତାଙ୍କର ବିଚିତ୍ର କର୍ମପ୍ରବାହ ମଧ୍ୟରେ, ତାଙ୍କର ସମସ୍ତ ସେବାନୁଶୀଳନ ମଧ୍ୟରେ ଆମେ ପ୍ରଧାନତଃ ସେହି ଅନୁଭୂତିଟିକୁ ହିଁ ଦେଖିବାକୁ ପାଇବା । ତାଙ୍କର ଜାତୀୟତା, ତାଙ୍କର ଧର୍ମ, ତାଙ୍କର ସାମାଜିକ ବିଚାର ଓ ସତ୍ୟବାଦୀର ଯାବତୀୟ କର୍ମଚର୍ଯ୍ୟାର ମୂଳରେ ଏହି ଅନୁଭୂତିଟି ମୂଳ ପ୍ରେରକ-ଶକ୍ତି ହିସାବରେ କାର୍ଯ୍ୟ କରି ଆସିଚି । ପ୍ରତ୍ୟେକ ମଣିଷକୁ ଗୋପବନ୍ଧୁ ଏହି ଅନୁଭୂତି ଦ୍ଵାରା ହିଁ ଐଶ୍ଵର୍ଯ୍ୟଶାଳୀ ଭାବରେ ଦେଖିବାକୁ ଚାହିଥିଲେ । ତାଙ୍କର ମହାନ୍ ଜୀବନରେ ଠିକ୍ ଏହି ଅନୁଭୂତିର ଐଶ୍ଵର୍ଯ୍ୟଶାଳିତା ହିଁ ଆମକୁ ତାଙ୍କ ଆଡ଼କୁ ସବୁଠାରୁ ଅଧିକ ନିଶ୍ଚିତ ଭାବରେ ଆକର୍ଷିତ କରି ନେଇଥାଏ ।

 

ଉତ୍କଳର ଗୌରବ ମଧୁସୂଦନଙ୍କର ମାର୍ଗ ଗୋପବନ୍ଧୁଙ୍କର ମାର୍ଗଠାରୁ ସ୍ଵତନ୍ତ୍ର ହେଲେ ମଧ୍ୟ ଆଧୁନିକ ଓଡ଼ିଶାର ନିର୍ମାଣକ୍ଷେତ୍ରରେ ଆମେ ଦୁହିଁଙ୍କର ଅବଦାନକୁ ଅନେକ ପରିମାଣରେ ପରସ୍ପରର ପରିପୂରକ ବୋଲି କହିପାରିବା । ମଧୁସୂଦନ ଓଡ଼ିଶାର ସାମାଜିକ ମୂଳକୁ ଶକ୍ତିଶାଳୀ ଓ ଆତ୍ମନିର୍ଭର କରିବାକୁ ଚାହୁଥିଲେ । ଓଡ଼ିଆ ଆଉ ବାହାର ଉପରେ ଅର୍ଥାତ୍ ଅନ୍ୟ ପ୍ରଦେଶ ଉପରେ ନିର୍ଭର କରିବ ନାହିଁ । ଅନ୍ନଲାଗି ସେ ଆଉ କଲିକତା ବା ରେଙ୍ଗୁନ ଯିବନାହିଁ । ଜୀବନ-ନିର୍ବାହରେ ସେ ସ୍ଵାବଲମ୍ବୀ ହେବ । ଏହାଦ୍ୱାରା ତା’ର ଆତ୍ମବିଶ୍ଵାସ ବଢ଼ିବ । ଏହାଦ୍ୱାରା ତା’ର ସୃଜନଶୀଳତା ମଧ୍ୟ ବଢ଼ିବ, ଏହିପରି ଏକ ସବଳ ଯୁକ୍ତି ଦ୍ଵାରା ଅନୁପ୍ରେରିତ ହୋଇ ସେ ଓଡ଼ିଶାରେ ଶିଳ୍ପଶିକ୍ଷାର ପ୍ରବର୍ତ୍ତନ କରିଥିଲେ । ସରକାରୀ କଳ ଭିତରେ ରହି ନୁହେଁ, ସରକାରୀ କ୍ଷେତ୍ରର ବାହାରେ ଆପଣାର ଅତି ସ୍ଵତନ୍ତ୍ର ରୀତିରେ ସେ ନିଜ ନୂତନ ବିଚାରକୁ କାର୍ଯ୍ୟକାରୀ କରିଥିଲେ ।

 

ସ୍ଵାଧୀନ ଭାରତରେ ଶିକ୍ଷାର କଥା ବିଚାର କଲାବେଳକୁ କେତୋଟି କଥା ମନରେ ଉଦୟ ହୋଇଥାଏ । ଏହି ଶିକ୍ଷାର ଆୟତନ ଯେପରି ହେଉ ପଛକେ, ଏହାକୁ ଅବଶ୍ୟ କେତୋଟି ଆବଶ୍ୟକତାର ପୂରଣ କରିବାକୁ ହେବ । ଦେଶର ଶିକ୍ଷାରେ ପ୍ରତ୍ୟେକ ନାଗରିକର ଅଧିକାର ରହିବ—ଏହି ଶିକ୍ଷା ଅନ୍ୟାୟ ଓ ଶୋଷଣ ଉପରେ ପ୍ରତିଷ୍ଠିତ ଆମର ସମାଜରେ ନ୍ୟାୟ ଓ ମାନବିକ ମୂଲ୍ୟବୋଧର ପ୍ରତିଷ୍ଠା କରାଇବ । ଜୀବନନିର୍ବାହର ଏକ ଉତ୍ପାଦନମୂଳକ ସାଧନ ଯୋଗାଇ ଦେଇ ଏହି ଶିକ୍ଷା ପ୍ରତ୍ୟେକ ମଣିଷକୁ ଆତ୍ମାନିର୍ଭରଶୀଳ କରାଇବ । ରାଜନୀତିକ ଓ ପାରମ୍ପରିକ ନାନା ଦାସତ୍ଵ ମଧ୍ୟରେ ଜୁଆହୋଇ ଆସିଥିବା ଏହି ଦେଶର ଲୋକମାନଙ୍କୁ ଅଧିକ ସ୍ଵାଧୀନଚେତା କରି ତିଆରି କରିବ । ସ୍ଵାଧୀନତା ଲାଗି ସଂଗ୍ରାମ କଲାବେଳେ ଆମେ ସମସ୍ତେ ଦେଶର ଶିକ୍ଷା ବିଷୟରେ ଏହିସବୁ ଆକାଂକ୍ଷା ପୋଷଣ କରିଥିଲୁ । ସ୍ଵାଧୀନତା ପାଇବାର ପନ୍ଦର ବରଷ ପରେ ଆମେ ସେହି ଆକାଂକ୍ଷା ପୋଷଣ କରିଥିଲୁ । ସ୍ଵାଧୀନତା ପାଇବାର ପନ୍ଦର ବରଷ ପରେ ଆମେ ସେହି ଆକାଂକ୍ଷାର ଯେତେଦୂର ନିକଟବର୍ତ୍ତୀ ହୋଇଚୁ, ଓଡ଼ିଶାର ବିଶ୍ଳେଷଣ-ଭୂମିରେ ଆମେ ବର୍ତ୍ତମାନ ତାହାରି ଆଲୋଚନା କରିବା ।

 

ଆମେରିକାର ଜଣେ ଶିକ୍ଷାବିତ୍ ଆପଣାର ଏକ ଗ୍ରନ୍ଥରେ ଶିକ୍ଷାର ପ୍ରଧାନ ତିନୋଟି କାର୍ଯ୍ୟ ବିଷୟରେ ଉଲ୍ଲେଖ କରିଛନ୍ତି । [Bernard Bell : Crisis in Education McGraw Hill, New York 1949] ଏହି ତିନୋଟି କାର୍ଯ୍ୟ ହେଉଚି : (୧) ଦେଶର ପ୍ରତ୍ୟେକ ନାଗରିକକୁ ଶିକ୍ଷା ସାଧୁ ଉପାୟରେ ଆପଣାର ଜୀବନ—ନିର୍ବାହ କରିବାର ମାର୍ଗ ବତାଇଦେବ । (୨) ଆଗାମୀ ବଂଶଧରକୁ ଶିକ୍ଷା ସମାଜର ସାଂସ୍କୃତିକ ଐତିହ୍ୟ ବିଷୟରେ ଏକ ପରିପୂର୍ଣ୍ଣ ପରିଚୟ ଦେଇପାରିବ । (୩) ଶିକ୍ଷା ପ୍ରତ୍ୟେକ ମଣିଷ ଭିତରେ ଜୀବନପ୍ରତି ଏକ ଶ୍ରଦ୍ଧାମୟ ଦୃଷ୍ଟିର ବିକାଶ କରାଇବ । ପ୍ରଥମଟିର ଅର୍ଥ ହେଉଚି, ବୈଷୟିକ ବା ସାଧାରଣ ଯେକୌଣସି ଶିକ୍ଷାକ୍ରମର ଜରିଆରେ ହେଉ, ଶିକ୍ଷା ମଣିଷକୁ ଏପରି କୌଣସି କଳା ବା କୁଶଳତା ଶିଖାଇଦେବ, ଯାହାଦ୍ୱାରା କି ସେ ନ୍ୟାୟସଙ୍ଗତ ଉପାୟରେ ଆପଣାର ଆର୍ଥିକ ସଂସ୍ଥାନ କରିପାରିବ । ସେ ଠକିବ ନାହିଁ, ଅନ୍ୟକୁ ଶୋଷଣ କରି ସେ ଆପେ ବଞ୍ଚିବାର ଏକ ଅସ୍ଵାଭାବିକ ପନ୍ଥା ଅବଲମ୍ବନ କରିବ ନାହିଁ, ପାଠ ପଢ଼ିସାରି ସେ ଅସହାୟ ଭାବରେ ଆପଣାର ନିର୍ବାହ ପାଇଁ ସରକାରୀ ବା ଅପର କୌଣସି ପ୍ରକାର ଉଦାରତା ଉପରେ ନିର୍ଭର କରିବନାହିଁ; ସିଏ ପ୍ରଧାନତଃ ଆପଣାର ଯୋଗ୍ୟତା ଉପରେ ନିର୍ଭର କରିବ । ଆପଣା କୁଶଳତାର ପରିଚୟ ଦେଇ ହିଁ ସେ ଆପଣାର ଆର୍ଥିକ ନିର୍ବାହ କରିବ । ଦ୍ଵିତୀୟତଃ, ସେ ଆପଣା ସଂସ୍କୃତିର ପରମ୍ପରାକୁ ଜୀବନର ମୂଳଭୂମି ରୂପେ ଗ୍ରହଣ କରିବ, ଆପଣାକୁ ଆପଣା ସଂସ୍କୃତିର ପ୍ରତିନିଧି ହିସାବରେ ତିଆରି କରିବ-। ଆପଣା ସଂସ୍କୃତିର ଉତ୍ତରୋତ୍ତର ବିକାଶ ଓ ବିବର୍ଦ୍ଧନ ଲାଗି ସେ ଦାୟିତ୍ଵ ଗ୍ରହଣ କରିବ । ଅର୍ଥାତ୍ ବୃହତ୍ତର ମାନବ—ସଂସ୍କୃତିର ପ୍ରାଣ-ପ୍ରବାହର ସେ ଆପଣା ସଂସ୍କୃତିର ବୈଶିଷ୍ଟ୍ୟ ଓ ପରିପୂରକତା ଉଭୟଟିକୁ ଚିହ୍ନିପାରିବାର ଯୋଗ୍ୟତା ଅର୍ଜନ କରିବ । କେବଳ ଏକ ଉଗ୍ରତାପ୍ରମତ୍ତ ଅନ୍ଧ ଉପାସନାଦ୍ଵାରା ନୁହେଁ, ଆପଣାର ଜୀବନ ଭିତରେ ହିଁ ସେ ଆପଣା ସଂସ୍କୃତିର ଅନୁଶୀଳନ କରିବ-। ତାର ଆପଣା ଜୀବନ ହିଁ ତା’ର ସଂସ୍କୃତିର ଦର୍ପଣ ହୋଇ ରହିବ । ତୃତୀୟତଃ ସେ ଜୀବନପ୍ରତି ଶ୍ରଦ୍ଧା ରଖିବ, ଅର୍ଥାତ୍ ଜଗତ ଓ ଜୀବନ ସହିତ ତା’ର ପରିଚୟ ପ୍ରଧାନତଃ ହୃଦୟର ପରିଚୟ ହେବ-। ପାପ ଓ ମନ୍ଦକୁ ଏଡ଼ିବାପାଇଁ ନୁହେଁ, ଭଲକୁ ହିଁ ଅଧିକ ଅନ୍ତରଙ୍ଗ ଭାବରେ ଚିହ୍ନିବା ଲାଗି ସେ ଜୀବନରେ ପ୍ରବୃତ୍ତ ହେବ । ସେ ଭଲ ଉପରେ ବିଶ୍ଵାସ କରିବ, ସେ ନିର୍ଭୟ ହେବ । ଜୀବନର ଚିରନ୍ତନ ମୂଲ୍ୟଗୁଡ଼ିକୁ ସେ ଆପଣାର ମୂଲ୍ୟରେ ପରିଣତ କରିବ,—କୌଣସି ପ୍ରକାରର ବୈରାଗ୍ୟ ବା କାଷ୍ଠତପସ୍ୟା ତା’ର ଜୀବନଦୃଷ୍ଟିକୁ ବୀତଶ୍ରଦ୍ଧ କରି ପକାଇବ ନାହିଁ ।

 

ଆଜି ଓଡ଼ିଶାରେ ଆମର ଶିକ୍ଷା ଆମକୁ ସାଧୁ ଉପାୟରେ ଅନ୍ନସଂସ୍ଥାନ କରିବାର ମାର୍ଗ ବତାଇ ପାରୁନାହିଁ । ଏ ଯୁଗର ପାଠପଢ଼ୁଆ ଆପଣାକୁ ଅପାଠୁଆ ମାନଙ୍କଠାରୁ ଅଧିକ ଅକର୍ମଣ୍ୟ ଓ ଅସହାୟ ବୋଲି ମନେ କରୁଚନ୍ତି । ବୈଷୟିକ ଶିକ୍ଷା ଚାଲୁଚି । ତଥାପି ତାହା ବଡ଼ ଅବୈଷୟିକ ଭାବରେ ଚାଲୁଚି । ଆମେ ବାବୁ ହେବାର ଅଫିମକୁ ଏତେ ମାତ୍ରାରେ ଖାଇ ବସୁଚୁ ଯେ, କୌଣସି ପ୍ରକାର କର୍ମକୁଶଳତା ଅର୍ଜନ କରିବାଲାଗି ଆମର କୌଣସି ଆଗ୍ରହ ହିଁ ରହୁନାହିଁ । ଯେଉଁମାନେ ବୈଷୟିକ ଶିକ୍ଷା ଚଳାଉଛନ୍ତି, ଯେଉଁମାନେ ବୈଷୟିକ ଶିକ୍ଷାଦାନ କରୁଚନ୍ତି, ସେମାନଙ୍କର ନିଜର ମଧ୍ୟ ଏହା ଉପରେ କୌଣସି ବିଶ୍ଵାସ ନାହିଁ । ଠକାମି ବଢ଼ିଚି, ଶୋଷଣ ବଢ଼ିଚି, ଶିକ୍ଷିତ ହେବା ଓ ଚତୁର ପ୍ରତାରଣାଦ୍ଵାରା ସହଜ ଉପାୟରେ ଆପଣାର ଥାଳି ପୂର୍ଣ୍ଣ କରିବା ଏବେ ସମାନବାଚୀ ଶବ୍ଦ ହୋଇଗଲାଣି । ଆଳସ୍ୟ ଆମ ଜାତୀୟ-ଗୌରବରେ ପରିଣତ ହୋଇଗଲାଣି ଅର୍ଥାତ୍ ଯିଏ ସବୁଠାରୁ କମ୍ କାମ କରୁଚି, ସିଏ ସବୁଠାରୁ ବେଶି ବାହା ବାହା ପାଉଚି । ଯିଏ ନିଷ୍ଠାର ସହିତ ଆପଣାର କାମ କରିବାକୁ ବିଚାରୁଚି, ତାହାକୁ ନିର୍ବୋଧ ବୋଲାଇବାର ବିପତ୍ତି ମଧ୍ୟ ମୁଣ୍ଡାଇବାକୁ ପଡ଼ୁଚି । ଫଳରେ ଆଜି ଦୁର୍ନୀତି ହିଁ ଏକମାତ୍ର ଜାତୀୟ ନୀତିରେ ପରିଣତ ହୋଇଗଲାଣି । କେତେଦିନ ତଳେ ମୁଁ ପ୍ରସିଦ୍ଧ ଅର୍ଥଶାସ୍ତ୍ରବିଶାରଦ ଡାକ୍ତର ଗାଡ଼୍‌ଗିଲଙ୍କର ଗୋଟିଏ ପ୍ରବନ୍ଧ ପଢ଼ୁଥିଲି-। ତାଙ୍କର ମତ ହେଉଚି ଯେ, ସ୍ଵାଧୀନତା ପରେ ଅନ୍ତତଃ ଗୋଟାଏ ଜିନିଷ ସବୁଠାରୁ ଅଧିକ ବ୍ୟାପକ ଭାବରେ ବୃଦ୍ଧି ପାଇଚି । ତାହା ହେଉଚି ଦୁର୍ନୀତି । ସେ ପୁଣି କହିଚନ୍ତି ଯେ, ଆମ ଦେଶର ଉଚ୍ଚବର୍ଗ, ଅର୍ଥାତ୍ ଅଧିକ କମାଉଥିବା ଓ ବଡ଼ ଚାକିରି କରୁଥିବା ବର୍ଗଭିତରେ ଏହି ଦୁର୍ନୀତି ସବୁଠାରୁ ଅଧିକ ପରିମାଣରେ ବଢ଼ିଚି । ବଡ଼ ପାଠପଢ଼ି ମୋଟା ପଇସା କମାଉଥିବା ଲୋକମାନେ ଏହି ଦୁର୍ନୀତିର ବଣିଜରେ ସବୁଠାରୁ ଅଧିକ ଲାଭବାନ୍ ହୋଇଚନ୍ତି । ମନରେ କୌଣସି ପ୍ରକାର ଦ୍ଵିଧା ନରଖି ଆମେ ଓଡ଼ିଶାର ବଡ଼ ପାଠୁଆ ଓ ବଡ଼ ଚାକିରୀଆମାନଙ୍କୁ ସେହି ଏକା ହେଁସର ମୁତୁରା ହିସାବରେ ସ୍ଵୀକାର କରିନେଇ ପାରିବା । ଦେଶର ଶିକ୍ଷା ବଢ଼ିବା ସଙ୍ଗେ ସଙ୍ଗେ ବେକାରୀ ମଧ୍ୟ ବଢ଼ୁଚି । ପଇସା ବଢ଼ୁଥିବା ସଙ୍ଗେସଙ୍ଗେ କାଙ୍ଗାଳ ମଧ୍ୟ ବଢ଼ୁଛନ୍ତି,—ଶିକ୍ଷିତ ବେକାରମାନଙ୍କର ସମସ୍ୟା ଆମର ଏହି ଅଶିକ୍ଷିତ ଦେଶର ଏକ ଅତି ପ୍ରଧାନ ସମସ୍ୟା ଦେଖାଦେଇଚି ।

 

ଆମ ଦେଶର ଶିକ୍ଷା ଆମଦେଶର ଯୁବସମାଜକୁ ଛିନ୍ନମୂଳ କରିଦେଉଚି । ସ୍ଵାଧୀନ ଭାରତରେ ମଧ୍ୟ ଆମକୁ ଏହିକଥା ସ୍ଵୀକାର କରିବାକୁ ପଡ଼ିବ । ପ୍ରଥମେ ଭାରତକୁ ଆସିବା ସମୟରେ ଇଂରେଜମାନେ ଠିକ୍ ସେହିକଥା ଚାହୁଥିଲେ । ଆଜି ସ୍ଵାଧୀନ ଭାରତରେ ଅତି ଅନୁରକ୍ତ ଭାବରେ ଆମେ ସେହି ଇଚ୍ଛାର ପରିପୂରଣ କରିବାରେ ଲାଗିପଡ଼ିଛୁ । ଆମ ଦେଶରେ ଶହେରେ ଯେଉଁ ପାଞ୍ଚଜଣ ଉଚ୍ଚପାଠ ପଢ଼ୁଛନ୍ତି, ସେମାନେ ଦେଶର ସଂସ୍କୃତି ଓ ଜୀବନ-ପରମ୍ପରା ସମ୍ବନ୍ଧରେ ଅତି ଅଜ୍ଞ ହୋଇ ରହିଚନ୍ତି । ଅନେକ ସମୟରେ ଅଜ୍ଞାତାରୁ ହିଁ ଅବଜ୍ଞା ନିଷ୍ପନ୍ନ ହୋଇଥାଏ । ଆପଣାର ଅଜ୍ଞାତା ହେତୁ ମନୁଷ୍ୟର ଅବଚେତନ ମନରେ ଯେଉଁ ହୀନଭାବ ଜାତହୁଏ, ଉପରେ ଉଗ୍ର ହୋଇ ଓ ଅବଜ୍ଞା ଦେଖାଇ ସେ ତାହାରି କ୍ଷତିପୂରଣ କରିବାକୁ ଚେଷ୍ଟାକରେ । ସ୍ଵାଧୀନତା ପରେ ଆମଦେଶରୁ ଅନେକଙ୍କୁ ବିଦେଶରେ ଉଚ୍ଚତର ଶିକ୍ଷା ଓ ଉଚ୍ଚତର ଯୋଗ୍ୟତା ହାସଲ କରିବାକୁ ପଠାଯାଇଛି । ଆମେ ଓଡ଼ିଶାରେ ମଧ୍ୟ ଠିକ୍ ଏହି ସୁଯୋଗ ପାଇଚୁ । କିନ୍ତୁ ବାହାରକୁ ଆସିବା ପରେ ଆମେ ଏ ଦେଶର ଖୁବ୍‌ବେଶୀ କାମରେ ଆସି ପାରିନାହୁଁ, ତୋରଣ ସଜାଇବା ଲାଗି ପୋତାହୋଇଥିବା କଦଳୀଗଛ ପରି ଏ ଦେଶର ପଢ଼ୁଆମାନେ ବଡ଼ ବାହୁଙ୍ଗାମାନ ମେଲାଇ ଜାତୀୟ ନାନା କ୍ଷେତ୍ରର ତୋରଣକୁ ହିଁ ସଜାଇ କରି ରହିଚନ୍ତି, କିନ୍ତୁ ଏମାନଙ୍କର କୌଣସି ମୂଳ ନାହିଁ । ନାନା ଧୂର୍ତ୍ତ ଉପାୟରେ ଆପଣାର ମୂଳଦୂଆକୁ ଅସ୍ଵୀକାର କରିଥିବାରୁ ଏମାନେ ଅନ୍ୟ ସଂସ୍କୃତି ଓ ଅନ୍ୟ ଐତିହ୍ୟଠାରୁ ମଧ୍ୟ ଖୁବ୍‌ ବେଶୀ ଗ୍ରହଣକରି ପାରିନାହାନ୍ତି । ଆମେରିକାରେ ବା ବିଲାତାରେ ଯାହା ହେଉଚି, ତାହାକୁ ହିଁ ବୋଇତରେ ଭରି ମହାନଦୀରେ ଭସାଇଦେଲେ ଦେଶଟାଯାକ ଉଜ୍ଜ୍ଵଳ ହୋଇଯିବ ବୋଲି ସେମାନଙ୍କ ଭିତରେ ଏକ ଅଗ୍ନିମାନ୍ଦ୍ୟ-ଦୂଷିତ ଭାବପ୍ରବଣତା ରହିଚି; କିନ୍ତୁ ଭାବୁକତା ନଷ୍ଟ ହୋଇଯାଇଚି । ଶିକ୍ଷା ନାମରେ ଦେଶରେ ବିଶୃଙ୍ଖଳା ହିଁ ବଢ଼ୁଚି । ଅଶିକ୍ଷିତ ପ୍ରବୃତ୍ତି ବଢ଼ୁଚି; ଭାଙ୍ଗିବାର ପ୍ରବୃତ୍ତି ବଢ଼ୁଚି, ଜୀବନର ସକଳ ମୂଲ୍ୟକୁ କେବଳ ଆପେକ୍ଷିକ ବୋଲି ଧରିନେଇଥିବା ଗୋଟାଏ ପ୍ରକାର ଶୂନ୍ୟତା ହିଁ ବଢ଼ୁଚି । ଆମେରିକାର Beatnik, ଇଂଲଣ୍ଡର Angry Youngman ଓ ରୁଷିଆର Stilyagi ଆଜି ଶୂନ୍ୟତାର ପ୍ରତିରୂପ ଭାବରେ ଦେଖାଇବାକୁ ଆରମ୍ଭ କଲେଣି, ଅବିଶ୍ଵାସ ଓ ଅସ୍ଵୀକାରକୁ ହିଁ ଚରମ ଧର୍ମ ବୋଲି ଗ୍ରହଣ କରାଗଲାଣି । ଆମ ଦେଶରେ ବର୍ତ୍ତମାନ ପ୍ରଚଳିତ ହେଉଥିବା ଶିକ୍ଷା ଆମ ଯୁବଶକ୍ତିକୁ ସେହିପରି ଏକ ଭୟଙ୍କର ବିସ୍ଫୋଟନ ଆଡ଼କୁ ମୁହାଁଇ ନେଉଚି ।

 

ଆମ ଦେଶରେ ଶିକ୍ଷାୟତନମାନଙ୍କରେ ଶ୍ରଦ୍ଧାହିଁ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେଉଚି । ଛାତ୍ରର ଆପଣାର ପାଠ ପ୍ରତି ଶ୍ରଦ୍ଧା ନାହିଁ । ଶିକ୍ଷକର ଆପଣାର ଅଧ୍ୟାପନା ପ୍ରତି ଶ୍ରଦ୍ଧା ନାହିଁ । ଶିକ୍ଷା ବିଭାଗର ପରିଚାଳନା କରୁଥିବା ଉଚ୍ଚଭୂରୁ ବାବୁର ମଧ୍ୟ ଶିକ୍ଷାପ୍ରତି ଶ୍ରଦ୍ଧା ନାହିଁ । ସମସ୍ତେ କେବଳ ଏକ ଅନ୍ନମୟ ଆବଶ୍ୟକତାର କ୍ରୀଡ଼ାନକ ପରି ବାଧ୍ୟହୋଇ ଶିକ୍ଷାୟତନର ପ୍ରଦର୍ଶନ-ମଞ୍ଚ ଉପରେ ଆପଣା ଆପଣାର ଭୂମିକାମାନ ଅଭିନୟ କରୁଚନ୍ତି । ଏହି ଦେଶରେ କିଏ ଶ୍ରଦ୍ଧାର ସହିତ ଆପଣାର କାର୍ଯ୍ୟ କରୁଚି ? ଆପଣାଠାରୁ ଅଧିକ ଉପରେ ବସିଥିବା ମଣିଷ ପ୍ରତି ଈର୍ଷା କରି ସମସ୍ତେ ଏପରି ଜଳୁଚନ୍ତି ଓ ଉଦ୍‌ବିଗ୍ନ ହୋଇ ପଡ଼ୁଚନ୍ତି ଯେ, ସେମାନଙ୍କର କର୍ମ ଓ ଜୀବନରୁ ସମସ୍ତପ୍ରକାର ଶ୍ରଦ୍ଧା ମରିଯାଉଚି । ଏଦେଶର ଛାତ୍ରକୁ ଗୋଡ଼ିପଥର ପରି ବ୍ୟବହାର କରାଯାଉଚି, ତେଣୁ ବଡ଼ ହୋଇ ସିଏ ମଧ୍ୟ ଅନ୍ୟମାନଙ୍କୁ ଗୋଡ଼ିପଥର ପରି ବ୍ୟବହାର କରି ଲାଭବାନ୍ ହେବାକୁ ହିଁ ଆପଣାର ନିରାପଦ ମାର୍ଗ ବୋଲି ମାନି ନେଉଚି । ଶ୍ରଦ୍ଧା ବଢ଼ୁଥିଲେ ମଣିଷ ପ୍ରତି ସମ୍ମାନ ବଢ଼ୁଥାନ୍ତା, ଶ୍ରଦ୍ଧା ବଢ଼ୁଥିଲେ ଆମ ଦେଶର ନାଗରିକ ସାମୂହିକ ଜୀବନର ପ୍ରଶସ୍ତତର କ୍ଷେତ୍ରରେ ଖୁସି ହୋଇ ଆପଣାକୁ ନିବେଦନ କରିଦେଇ ପାରୁଥାନ୍ତା, ଶ୍ରଦ୍ଧା ବଢ଼ୁଥିଲେ ଆମର ଜାତୀୟ ଜୀବନରୁ ଶୋଷଣ କମୁଥାନ୍ତା, ଭୟ ମଧ୍ୟ କମୁଥାନ୍ତା ।

 

ଏପରି କାହିଁକି ହେଉଚି ? ଏହି ପ୍ରଶ୍ନର ଉତ୍ତର ସନ୍ଧାନ କରିବାକୁ ହେଲେ ଆମକୁ ପୁଣି ସେହି ଆମେରିକାନ୍ ଶିକ୍ଷାବିତ୍‌ଙ୍କର ଗ୍ରନ୍ଥକୁ ଫେରିଯିବାକୁ ହେବ । ସେ କହିଚନ୍ତି ଯେ, ଶିକ୍ଷା ସାଧାରଣତଃ ଏକ ଚତୁର୍ଥ କାର୍ଯ୍ୟ ନେଇ ଏତେଦୂର ବ୍ୟସ୍ତ ରହେ ଯେ, ମୂଳ ତିନୋଟି କାର୍ଯ୍ୟ ସମ୍ପନ୍ନ କରିବା ଲାଗି ଏହାର ଆଉ ଶକ୍ତି ଓ ସାମର୍ଥ୍ୟ ରହେନାହିଁ । ଦେଶର ଯେଉଁ ବର୍ଗ ଶାସନ ଚଳଉଥାନ୍ତି, ସେହିମାନଙ୍କର ସିଦ୍ଧି ଓ ଶକ୍ତିବୃଦ୍ଧି ଲାଗି ଦେଶର ଶିକ୍ଷାକୁ ଠିକ୍ ଭୃତ୍ୟ ପରି ବ୍ୟବହୃତ ହେବାକୁ ପଡ଼େ । ସେହିମାନଙ୍କର ସ୍ଵାର୍ଥକୁ ଚରିତାର୍ଥ କରିବାପାଇଁ ଶିକ୍ଷାକୁ ଉପଯୁକ୍ତ ମାନସିକ ବାତାବରଣ ପ୍ରସ୍ତୁତ କରିବାକୁ ପଡ଼େ ଏବଂ ସେଇଥିଲାଗି ଜନସାଧାରଣଙ୍କୁ ଶାନ୍ତ ଓ ସୁନାପୁଅ କରି ରଖିବାକୁ ପଡ଼େ । ଶାସ୍ତ୍ରୀୟ ଭାଷାରେ ଏହାକୁ ବଶୀକରଣ (indoctrination) ବୋଲି କୁହାଯାଇ ପାରିବ । ଶାସକ ଓ ନ୍ୟସ୍ତସ୍ଵାର୍ଥୀ ବର୍ଗର ସ୍ଵାର୍ଥ ବିରୁଦ୍ଧରେ କୌଣସି କଥା ଭାବିବା ବା ଆଲୋଚନା କରିବାକୁ ସେତେବେଳେ ଦୁର୍ଗୁଣ ବୋଲି କୁହାଯାଏ ଓ ଏହି ଦୁର୍ଗୁଣଗୁଡ଼ାକୁ ଦବାଇ କରି ରଖିବାକୁ ହିଁ ଗୁଣ ବୋଲି କୁହାଯାଏ । ଏହିପରି କଣ୍ଟ୍ରୋଲ ଭିତରେ ପଡ଼ି ବିଦ୍ୟା ଆଉ ବିମୁକ୍ତିର ସାଧନ ହୋଇପାରେ ନାହିଁ । ସରସ୍ଵତୀ ଆଉ ଜଡ଼ତା ଅପହରଣ କରି ପାରନ୍ତି ନାହିଁ । ଲକ୍ଷ୍ମୀର ବାହନ ପାଖରେ ସେତେବେଳେ ତାଙ୍କୁ ଦାସୀ ହୋଇ ରହିବାକୁ ପଡ଼େ । ଶିକ୍ଷାର ପ୍ରଥମ ତିନୋଟି କାର୍ଯ୍ୟ ଅବହେଳିତ ହୋଇ ରାହିଯାଏ । ଶିକ୍ଷା ନାମରେ ପଇସା ଖରଚ ହୁଏ, ଶିକ୍ଷା ନାମରେ ବଜାର ବସେ, କିନ୍ତୁ କ୍ଷମତାସୀନର ଘରକୁ ନିରାପଦ ରଖିବାର କ୍ରୂର ବୃତ୍ତିରେ ମଣିଷର ହୃଦୟକୁ ଅନ୍ଧାର କରି ରଖିବାକୁ ପଡ଼େ । ଜାତୀୟ ଜୀବନର ସକଳ ବାତାୟନକୁ ବନ୍ଦ କରିଦେବାକୁ ପଡ଼େ ।

 

ସ୍ଵାଧୀନତା ପରେ ଆମ ଦେଶରେ ଠିକ୍ ତାହା ହିଁ ହୋଇଚି । ଓଡ଼ିଶାରେ ମଧ୍ୟ ଠିକ୍ ତାହା ହିଁ ହୋଇଚି । ସ୍ଵାଧୀନତା ପରେ ଆମ ଦେଶରେ ସାଧାରଣତଃ ଯେଉଁସବୁ କାୟାପଲଟ ହୋଇଥାନ୍ତା, ତାହା ହୋଇ ପାରିନାହିଁ । ଆଜି ଯିଏ ଜାତୀୟ ରଚନାକ୍ଷେତ୍ରରେ ନେତୃତ୍ଵ ଦେଉନଥାନ୍ତା, ସିଏ ଭୋଗ କରିବାର ଦୁରନ୍ତ ଲାଳସାରେ ଆସନ ମାଡ଼ି ବସିଯାଇଛି, ସେ ଆଉ କୌଣସି ପରିବର୍ତ୍ତନ ଚାହୁନାହିଁ । ଆମ ଦେଶରେ ଖୁବ୍ ବଢ଼ିଆ ବଢ଼ିଆ ଯୋଜନା ତିଆରି ହୋଇଚି-। ଦେଶୀ ଓ ବିଦେଶୀ ବିଶେଷଜ୍ଞମାନେ ବସି ପାଠ ପଢ଼ାଇବାର ଚମତ୍କାର ଯୋଜନାମାନ ତିଆରି କରିଚନ୍ତି । କେତେ ପଇସା ଖରଚ ହେଉଚି, କେତେ କମିଟି ଆଉ କମିଶନ ବସୁଚି । କିନ୍ତୁ ତଥାପି ଏହିସବୁ ବାହାର ବାଣ ମାରି ଦେଶର ସାମନ୍ତବାଦୀ ନେତୃତ୍ଵଟି ଏହି ଚଳନ୍ତି ସ୍ଥିତିଟିକୁ ସ୍ଥାୟୀ କରି ରଖିବାର ସକଳ ଫିସାଦ କରୁଚି । ସ୍ଵାଧୀନତା ପରେ ଯେଉଁମାନେ ଦେଶକୁ ନୂତନ କରି ଗଢ଼ିବାର କୋଳାହଳ କରୁଚନ୍ତି, ସେମାନେ ଆଦୌ ବଦଳି ନାହାନ୍ତି । ମୁଁ ତ କହିବି ସେମାନେ ବଦଳିବାକୁ ଚାହୁନାହାନ୍ତି । କାଲି ସେମାନେ ବ୍ରିଟିଶ ସରକାରର ଗୋଲାମ ଥିଲେ । ଆଜି ସ୍ଵଦେଶୀ ସରକାରର ଗୋଲାମ ହୋଇ ରହିଚନ୍ତି । ଏମାନେ ଅବସ୍ଥା ଅନୁସାରେ ଆପଣାର ତୁଣ୍ଡକୁ ଅନୁରୂପ ଭାବରେ ମିଷ୍ଟ କରି ପାରୁଛନ୍ତି । ସମାଜଶାସ୍ତ୍ରୀ ମମଫୋର୍ଡ଼ (Lewis Mumford) ଗୋଟିଏ ସ୍ଥାନରେ ଲେଖିଛନ୍ତି : Today our best plans miscarry because they are in the hands of people who have undergone no inner change……ଅର୍ଥାତ୍ ଆପଣା ଭିତରେ କୌଣସି ପ୍ରକାରେ ବଦଳିନଥିବା ବ୍ୟକ୍ତିମାନଙ୍କର ହାତରେ ପଡ଼ି ଆଜି ଆମର ଉତ୍କୃଷ୍ଟ ଯୋଜନାମାନ ଅସଫଳ ଓ ବିକୃତ ହିଁ ହୋଇଯାଉଛି ।

 

ରୁଷିଆର ଲେଓ ଟଲଷ୍ଟୟ ଥରେ ଲେଖିଥିଲେ—ଯଦି ଆମର ସମାଜ ବ୍ୟବସ୍ଥାରେ ଦୋଷ ରହିଥିବ ଏବଂ ଯଦି ମୁଷ୍ଟିମେୟ ଲୋକ ଅଧିକ ସଂଖ୍ୟକ ଲୋକଙ୍କ ଉପରେ କ୍ଷମତା ବିସ୍ତାର କରି ରହିଥିବେ ଓ ସେମାନଙ୍କ ଉପରେ ଅତ୍ୟାଚାର କରୁଥିବେ, ତେବେ ପ୍ରକୃତି ଉପରେ ମଣିଷର ବିଜୟ କେବଳ ସେହି କ୍ଷମତାସୀନ ବର୍ଗକୁ ଅଧିକ ଶକ୍ତିଶାଳୀ କରାଉଥିବ ଓ ସେହି ଅତ୍ୟାଚାରକୁ ଅଧିକ ଭୀଷଣ କରାଉଥିବ । ଆମ ଦେଶର ଶିକ୍ଷାକ୍ଷେତ୍ରରେ ମଧ୍ୟ ଭାରି ଭଲଭାବରେ ଏହି ଯୁକ୍ତିଟିର ପ୍ରୟୋଗ ହୋଇ ପାରିବ । ଆମର ସମାଜ ଆଜି ମଧ୍ୟ ସାମନ୍ତବାଦୀ ଯୁଗ ପରି ଦୁଇଭାଗ ହୋଇ ରହିଛି । ଅନେକ ମୂର୍ଖଙ୍କ ଉପରେ ମୁଷ୍ଟିମେୟ ପାଠପଢ଼ୁଆ ଦୌରାତ୍ମ୍ୟ ବିସ୍ତାର କରି ରହିଚନ୍ତି । ତେଣୁ ଏ ଦେଶରେ ଶିକ୍ଷାର ପରିସର ଯେତିକି ବଢ଼ୁଚି, ନୂଆ ଶିକ୍ଷାଳୟ ଯେତିକି ଖୋଲୁଚି, ସେହି ଦୌରାତ୍ମ୍ୟ ସେତିକି ଅଧିକ ହେବାରେ ଲାଗିଛି । ଦୁର୍ନୀତିଟା ହିଁ ସଫଳ ମଣିଷର ଫେଶନ ହୋଇ ବସିଲାଣି । ଏହି ଦୌରାତ୍ମ୍ୟକୁ ଜାରି ରଖିବାରେ ଇଂରାଜୀ ଭାଷା ଭାରି ସାହାଯ୍ୟ କରୁଚି । ସମାଜରୁ ବିଭେଦ ଓ ଦୌରାତ୍ମ୍ୟ ହଟାଇ ପାରିବାର ଶକ୍ତି ବର୍ତ୍ତମାନ ଶିକ୍ଷାର ନାହିଁ, ତେଣୁ ବଡ଼ ଶୋଚନୀୟ ଭାବରେ ତାହା ସେହି ବିଭେଦ ଓ ଦୌରାତ୍ମ୍ୟର ଶିକାର ହୋଇଯାଉଚି ।

 

ଭଲ ଭଲ ଯୋଜନାମାନ ମଧ୍ୟ କିପରି ଆମର ଅଯୋଗ୍ୟ ହାତରେ ପଡ଼ି ନିରର୍ଥକ ହୋଇଯାଉଛି, ମୁଁ ତାହାର କେବଳ ଦୁଇଗୋଟି ଉଦାହରଣ ଦେବି । ଗୋଟିଏ ଉଦାହରଣ ହେଉଚି, ମୌଳିକ ଶିକ୍ଷା । ମୌଳିକ ଶିକ୍ଷାର ନାଆଁ ଶୁଣିଲେ ସରକାରୀ ହାକିମମାନେ ନାକ ଟେକନ୍ତି । ଆମ ଦେଶରେ ଏହି ଶିକ୍ଷା କଦାପି ସଫଳ ହୋଇପାରିବ ନାହିଁ ବୋଲି କହି ସେମାନେ ଏହାକୁ ଅନାବଶ୍ୟକ ବୋଲି ପ୍ରମାଣ କରିବାକୁ ଚେଷ୍ଟା କରନ୍ତି । ଏଥିରେ ଆଶ୍ଚର୍ଯ୍ୟ ହେବାର କୌଣସି କାରଣ ନାହିଁ । ମୌଳିକ ଶିକ୍ଷାର ବିଚାର ଯୁଗୋପଯୋଗୀ ବିଚାର ନୁହେଁ । ଯୁଗକୁ ମଣିଷର ଉପଯୋଗୀ କରି ଗଢ଼ିବାର ବିଚାର । ଏହି ଶିକ୍ଷା ଜାତିଭେଦ ମାନେନାହିଁ, ଖଟିବା ଆଉ ଖାଇବା ଲୋକଙ୍କ ଭିତରେ କୌଣସି ବ୍ୟବଧାନ ମାନେ ନାହିଁ । କିନ୍ତୁ ସବୁଠାରୁ ବଡ଼ ଆଶ୍ଚର୍ଯ୍ୟ ଲାଗେ ଯେ, ବଡ଼ଲୋକ ବୋଲାଉଥିବା ସରକାରୀ ଶିକ୍ଷାକର୍ତ୍ତାମାନେ ଏ ଦେଶର ମୌଳିକ ଶିକ୍ଷାର ଗଠନ ଓ ପରିଚାଳନା କରନ୍ତି, ମୌଳିକ ଶିକ୍ଷା-ବିଷୟକ ସମ୍ମିଳନୀମାନଙ୍କରେ ଆଦର୍ଶବାଦୀ ଭାଷଣମାନ ଦିଅନ୍ତି । ସେମାନେ ମୌଳିକ ଶିକ୍ଷାର ସାପକୁ ପୋଷା ମନାଇ ଅତି ଚତୁରତାର ସହିତ ତାହାର ବିଷଦାନ୍ତକୁ ଭାଗିଦେଇ ପାରିଚନ୍ତି । ସେହିମାନଙ୍କର ପେଡ଼ି ଭିତରେ ପଶି ନରହିବା ପର୍ଯ୍ୟନ୍ତ ମୌଳିକ ଶିକ୍ଷା ଏ ଦେଶରେ ଚଳି ପାରିବ ନାହିଁ ବୋଲି ଏମାନେ କ୍ଷମତାର ବାଡ଼ି ଦେଖାଇ ତାହାକୁ ମନାଇ ନେଇ ପାରିଛନ୍ତି । ଫଳରେ ମୌଳିକ ଶିକ୍ଷା ପାଇଁ ଅଜସ୍ର ଟଙ୍କା ଖରଚ ହେଉଚି, ଦିଲ୍ଲୀରେ ଏଥିଲାଗି ସ୍ଵତନ୍ତ୍ର ଭବନ ଓ ବିଭାଗ ରହିଚି, ଓଡ଼ିଶାରେ ତାହାର ସ୍ଵତନ୍ତ୍ର କଲେଜ ମଧ୍ୟ ରହିଚି । ତଥାପି ମୌଳିକ ଶିକ୍ଷା ମରିଯାଇଚି । ଏହାର ସକଳ ଶକ୍ତି ଓ ସମ୍ଭାବନା ପରାଭୂତ ହୋଇଯାଇଚି । ସରକାରୀ ଦାନା ଖାଉଥିବା ମୌଳିକ ଶିକ୍ଷାଳୟର ଶିକ୍ଷକମାନେ ଆଗ ଅନ୍ନଦାତା ପ୍ରତି ଅନୁରକ୍ତ ରହିବାଲାଗି ବାଧ୍ୟ ହେଉଚନ୍ତି । ମୌଳିକ ଶିକ୍ଷା କେତେଦୂର ସଫଳ ହେଲା ବା ନହେଲା । ତାହାର ମୂଲ୍ୟ ନିରୂପଣ କରିବାଲାଗି ଏବେ କେରଳ ସରକାର ଗୋଟିଏ କମିଟି ବସାଇଥିଲେ । ଦେଶରେ ଯଦି ମୌଳିକ ଶିକ୍ଷା ବିଫଳ ହେଉଥାଏ, ତେବେ ସରକାରୀ କଳ ଜରିଆରେ ଜାରି ହୋଇ ରହିଥିବା ଅଯୋଗ୍ୟ ନେତୃତ୍ଵ ହିଁ ସେଥିଲାଗି ପ୍ରଧାନତଃ ଦାୟୀ ବୋଲି ସେହି କମିଟି ମତ ଦେଇଚନ୍ତି । ମୌଳିକ ଶିକ୍ଷାରେ ବିଶ୍ଵାସ ରଖୁଥିବା ଶିକ୍ଷକମାନଙ୍କୁ ପୂର୍ଣ୍ଣ ସ୍ଵତନ୍ତ୍ରତା ମିଳିଲେ ମୌଳିକ ଶିକ୍ଷା ଅବଶ୍ୟ ସଫଳ ହେବ ବୋଲି ସେମାନେ ଘୋଷଣା କରିଛନ୍ତି । ଓଡ଼ିଶାରେ ମଧ୍ୟ ଠିକ୍ ସେହି ଅବସ୍ଥା । ଓଡ଼ିଶାର ହଜାର ହଜାର ମୌଳିକ ସ୍କୁଲ ଆଜି ଯେଉଁ ସରକାରୀ ହାକିମମାନଙ୍କର କଲମ ଅଧୀନରେ ରହିଚି, ସେମାନେ ମୌଳିକ ଶିକ୍ଷାରେ ବିଶ୍ଵାସ କରିବା ତ ଦୂରର କଥା, ଏହାର ମୂଳ ବା ଅଗ କିଛି ଜାଣନ୍ତି ନାହିଁ, ମାଧ୍ୟମିକ ସ୍ତରର ଶିକ୍ଷା ଉପରେ ବିଧାନସଭାର ଆଇନ ଅନୁସାରେ ଓଡ଼ିଶାର ମାଧ୍ୟମିକ ଶିକ୍ଷା ବୋର୍ଡ଼ ମାଲିକ ହୋଇ ବସିଚି,—ଯେଉଁଠିକି କେବଳ ଇଂରାଜୀ ଭାଷାକୁ ହିଁ ବୈଧାନିକ ଭାଷା ବୋଲି ଗ୍ରହଣ କରାଯାଏ, ଯେଉଁଠି ଓଡ଼ିଆମାନେ ଏକାଠି ବସି ଇଂରାଜୀରେ କଥାବାର୍ତ୍ତା କରିବାର ସାହସିକ କୁଶଳତା ଦେଖାନ୍ତି ଓ ଓଡ଼ିଶାର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କର ଭାଗ୍ୟ ନିୟନ୍ତ୍ରଣ କରନ୍ତି ।

 

ତା’ପରେ ବିଶ୍ୱବିଦ୍ୟାଳୟ । ସ୍ଵାଧୀନତା ପରେ ଏଗୁଡ଼ାକର ସଂଖ୍ୟା ଆମ ଦେଶରେ ଅନେକ ବଢ଼ିଚି । ଦରବାରୀ ପରିମାଣରେ ଏଥିପାଇଁ ଧନ ସରୁଚି । କିନ୍ତୁ ବିଦ୍ୟା ଯେତେଦୂର ବଢ଼ୁଚି-? ଦେଶରେ ବିଶ୍ୱବିଦ୍ୟାଳୟ ଆମ ଜାତୀୟ ଜୀବନକୁ କିପରି ଭାବରେ ଉପକୃତ କରୁଚି-? ସରକାରଙ୍କର କୃପାରୁ ତିନି ଚାରୋଟି ବିଶ୍ୱବିଦ୍ୟାଳୟର କାର୍ଯ୍ୟକଳାପ ଅନୁସନ୍ଧାନ କରିବା ପାଇଁ ବସିଥିବା କମିଟିମାନ ଯେଉଁସବୁ ରିପୋର୍ଟ ଦେଇଚନ୍ତି, ସେଥିରୁ ଏହି ଭାତହାଣ୍ଡିର ଅବସ୍ଥା ବେଶ୍ ଜଣା ପଡ଼ିଯାଏ । ଦୋକାନ ଦେବାଳିଆ ହେବାପୂର୍ବରୁ ଯେପରି ଯିଏ ପାରେ, ସିଏ କିଛି ଉଠାଇ ନେଇଯିବାକୁ ଚେଷ୍ଟା କରେ, ଆମ ଦେଶରେ ବିଶ୍ୱବିଦ୍ୟାଳୟମାନଙ୍କରେ ବର୍ତ୍ତମାନ ଏହି କାଣ୍ଡ ହିଁ ଚାଲିଚି, ମୁଁ ବିଶ୍ୱବିଦ୍ୟାଳୟକୁ ଗୋଟିଏ ଦୋକାନ ବୋଲି କହିବି । ଆଜି ଆମ ଦେଶରେ ପାଠ ବିକ୍ରୀ ହେଉଚି, ଡିଗ୍ରୀ ମଧ୍ୟ ବିକ୍ରୀ ହେଉଚି । ଅଧ୍ୟାପକମାନେ ପାଉଚନ୍ତି, ତେଣୁ ଆଠ ପଢ଼ାଇବାକୁ ଆସୁଚନ୍ତି । ପରୀକ୍ଷା କରିବା ବାହାନାରେ କେତେପ୍ରକାରର ହାଟବଜାର ମେଲାଇ ଦିଆଯାଇଚି, ପାଠ୍ୟପୁସ୍ତକ ନିର୍ବାଚନ କରିବା ବାହାନାରେ କେତେ ଲୋକ କେତେ ପ୍ରକାର ଅତା ଧରି ବସିଚନ୍ତି । ପାଠ ନାହିଁ, ଗବେଷଣା ନାହିଁ, ଜିଜ୍ଞାସା ରହିଯିବାର ପ୍ରଶ୍ନ ମଧ୍ୟ ଉଠୁନାହିଁ । ମନେ ହେଉଚି, ଯେପରି ଏମାନେ ବିଶ୍ୱବିଦ୍ୟାଳୟକୁ ନଆସି ମାଲଗୋଦାମରେ ବେପାର କରିଥିଲେ ଯେଉଁଭଳି ଜୀବନଜାପାନ କରିଥାନ୍ତେ ଓ ଯେଉଁସବୁ ମୂଲ୍ୟକୁ ଜୀବନସାର କରି ଗ୍ରହଣ କରିଥାନ୍ତେ, ବିଶ୍ଵବିଦ୍ୟାଳୟର ଭିତରେ ରହି ମଧ୍ୟ ସେମାନେ ଠିକ୍ ସେହିପରି ଜୀବନ ଯାପନ କରୁଚନ୍ତି ଓ ସେହିସବୁ ମୂଲ୍ୟକୁ ଜୀବନସାର କରି ଗ୍ରହଣ କରିଚନ୍ତି । ରାଜନୀତିର ଫିସାଦ ପଶି ଆମ ଦେଶରେ ବିଶ୍ୱବିଦ୍ୟାଳୟ ଦେଶକୁ ନେତୃତ୍ଵ ଦେଉଥାନ୍ତା; ଦେଶର ମନକୁ ନୂତନ ଭାବେ ଶକ୍ତିଶାଳୀ ହେବାର ମାର୍ଗ ବତାଇଥାନ୍ତା; କିନ୍ତୁ ଆଜି ଓଲଟି ଦେଶର ହାଉଆଟା ହିଁ ବିଶ୍ୱବିଦ୍ୟାଳୟକୁ ବଡ଼ ସଂକ୍ରମିତ କରି ପକାଇଚି । ମୁଁ ଶୁଣିଚି, ପଣ୍ଡିତ ଗୋଦାବରୀଶ ଅନେକ ଚେଷ୍ଟା କରି ଓଡ଼ିଶାରେ ବିଶ୍ଵବିଦ୍ୟାଳୟର ସ୍ଥାପନା କରାଇ ପାରିଥିଲେ । ତାଙ୍କର ଏହି ଚେଷ୍ଟା ପଛରେ ଯେଉଁ ଉଦ୍ଦେଶ୍ୟମାନ ଥିଲା, ସେସବୁ କେତେଦୂର ସଫଳ ବା ବିଫଳ ହୋଇଚି, ଆଜି ବଞ୍ଚିଥିଲେ ହୁଏତ ସେ ନିଜେ ସେକଥା କହି ପାରିଥାନ୍ତେ । କିନ୍ତୁ ଆଜି ଓଡ଼ିଶାର ଅଧିକାଂଶ ଅଧ୍ୟାପକଙ୍କ ସହିତ ଆଲୋଚନା କଲେ ଓଡ଼ିଶାର ବିଶ୍ୱବିଦ୍ୟାଳୟ କ’ଣ କରୁଚି ବା ନ କରୁଚି, ତାହାର କିଞ୍ଚିତ୍ ପରିଚୟ ମିଳିପାରିବ । ମନେ ହେବ, ସ୍ଵାଧୀନତା ପାଇବା ପରେ ବିଶ୍ୱବିଦ୍ୟାଳୟର ଦାୟିତ୍ଵ ଓ କର୍ତ୍ତବ୍ୟ ଅନେକ ଦିଗରେ ଓ ପରିମାଣରେ ବଢ଼ିଯାଇଚି ବୋଲି ଯେପରି ଏହି ମରୂଦ୍ୟାନରେ କାହାରୀକୁ ଜଣା ନାହିଁ ।

 

ଏହି ପ୍ରବନ୍ଧଟିର ସାରକଥା ହେଉଚି ଯେ, ସ୍ଵାଧୀନତାର ଉତ୍ତରକାଳରେ ଶିକ୍ଷା ଅତିଶୟ ଉପେକ୍ଷିତ ଭାବରେ ପଡ଼ି ରହିଚି, କାରଣ ଏ ଦେଶରେ ଜୀବନ-କାବ୍ୟରେ ମନୁଷ୍ୟ ବଡ଼ ଉପେକ୍ଷିତ ଭାବରେ ପଡ଼ି ରହିଚି । ଆମ ଓଡ଼ିଶାରେ ମଧ୍ୟ ଆମେ ପଦେ ପଦେ ଏହି ଉପେକ୍ଷାର ଶିକାର ହେଉଚୁ । ଆମ ଦେଶରେ ଆମେ ଆଜି ଗଣତନ୍ତ୍ରକୁ ଆମର ରାଜନୀତିକ ମାର୍ଗ ବୋଲି ଗ୍ରହଣ କରିଚୁ, ଆମର ସମାଜକୁ ଆମେ ସମାଜବାଦୀ ଗଢ଼ଣରେ ଗଢ଼ିବୁ ବୋଲି ନିଷ୍ପତ୍ତି କରି ସାରିଚୁ, ଆମର ସମ୍ବିଧାନରେ ଆମେ ପ୍ରତ୍ୟେକ ମଣିଷକୁ ହିସାବରେ ସ୍ଵୀକାର କରିନେଇଚୁ । ମଣିଷର ଜାତି, ଧର୍ମ, ସମ୍ପତ୍ତି ଓ ସମ୍ପନ୍ନତାଠାରୁ ସେ ନିଜେ ଅନେକ ବଡ଼, ଅନେକ ମୂଲ୍ୟବାନ—ଏହାକୁ ହିଁ ଆମେ ରାଷ୍ଟ୍ରସୂତ୍ତ ରୂପେ ମାନିନେଇଚୁ । ଏହି ସ୍ତରରେ ଆସି ଉପନୀତ ହେବାଲାଗି ଆମର ଶିକ୍ଷା ଆମର ସହାୟକ ହେବା ଉଚିତ । ଆମ ସମୟରେ ଚାଲିଥିବା ସକଳ ଅନ୍ୟାୟ, ଅନୀତି ଆଉ ବାବୁଗିରିକୁ ଅସ୍ଵୀକାର କରି ଆମର ଶିକ୍ଷା-ଯୋଜନା ଅଗ୍ରସର ହେବା ଉଚିତ । ଆମର ଶିକ୍ଷାୟତନ ଆମ ଜୀବନାୟତନର ଅନୁରୂପ ହୋଇ ରହିବା ଉଚିତ । କିନ୍ତୁ ଏହାକୁ ସମ୍ଭବ କରାଇବ କିଏ ? ଯିଏ କାଲି ରାତିର ନାନା ଭୋଗସ୍ଵପ୍ନ ଓ କୁସଂସ୍କାର ଉପରେ ପଡ଼ି ରହିଥିବ, ସିଏ କଦାପି ଆଜି ସକାଳର ନେତୃତ୍ଵ ନେଇ ପାରିବ ନାହିଁ । ଭାରତୀୟ ସାମାଜିକ ଜୀବନରେ ଆମେ ଅନେକ ସମୟରେ କଳ୍ପନା ଭିତରେ ଅତି ଉଚ୍ଚ ଆଦର୍ଶର କଳ୍ପନାମାନ କରିଚୁ, ଏଣେ ଜୀବନଚାରରେ ଅତି କୀଟସ୍ତରରେ ପଡ଼ିରହିଚୁ । ଦର୍ଶନର ଭାବାଡ଼ମ୍ବରରେ ଉତ୍କର୍ଷର ସପ୍ତମ ସ୍ଵର୍ଗକୁ ଛୁଇଁବାର ଅଭିଳାଷ କରିଚୁ, ଏଣେ ଏହି ସଂସାରର ଜୀବନରେ ବଡ଼ ନିର୍ମମ ଓ ଅନ୍ଧ ଭାବରେ ଯେଉଁଠି ସେଇଠି ପଡ଼ି ରହିଚୁ । ନୂତନ ଭାରତରେ ଶିକ୍ଷା ଜାତୀୟ ଜୀବନର ଏହି ବିଭକ୍ତତାକୁ ଦୂର କରିବାକୁ ଚେଷ୍ଟା କରିବ ।

 

ସମାଲୋଚନା କରିବା ମୋର ଉଦ୍ଦେଶ୍ୟ ନୁହେଁ । କାରଣ ମୁଁ ଆଦୌ ଦୁର୍ଦ୍ଧର୍ଷ ନିରାଶାବାଦୀ ନୁହେଁ । କିନ୍ତୁ ତଥାପି ମୁଁ ଦୁର୍ଦ୍ଧର୍ଷ ଆଶାବାଦୀ ମଧ୍ୟ ନୁହେଁ । ଅର୍ଥାତ୍ ବର୍ତ୍ତମାନର ସକଳ ସ୍ଥିତିକୁ ଆଖି ବୁଜି ନେଇ ସବୁ ଠିକ୍ ହୋଇଯିବ ବୋଲି କହିବାର ଆଶାବାଦୀ ବାଟ ମୋର ନୁହେଁ । ଏସବୁ ଯେମିତି ଅଛି, ସେମିତି ଥିବ, ତଥାପି ସବୁ ଠିକ୍ ହୋଇଯିବ—ମୁଁ ଏକଥା ମାନିବାକୁ କୌଣସି ପ୍ରକାରେ ପ୍ରସ୍ତୁତ ନୁହେଁ । ଆମ ଦେଶର ଶିକ୍ଷାକ୍ଷେତ୍ରରେ ଭୃତ୍ୟ—ରାଜତନ୍ତ୍ର ଚାଲିଥିବ, ତଥାପି ଆମେ ଦେଶରେ ନ୍ୟାୟ ଓ ନିର୍ଭୟତାର ପ୍ରତିଷ୍ଠା କରି ପାରିବା, ମୁଁ କଦାପି ଏପରି ବିଶ୍ଵାସ କରିବି ନାହିଁ । ମୋର ବିଶ୍ଵାସ ମୋତେ ବର୍ତ୍ତମାନଙ୍କୁ ଭୁଲାଇବା ଲାଗି କୌଣସି ପ୍ରବର୍ତ୍ତନା ଦେଇପାରେ ନାହିଁ । ମୁଁ ମଣିଷ ଉପରେ ବିଶ୍ଵାସ କରେ । ମଣିଷ ଭିତରେ ରହିଥିବା ଭଲ ଉପରେ ବିଶ୍ଵାସ କରେ । କିନ୍ତୁ ଏହି ଭଲକୁ ଜାଗୃତ ଓ କାର୍ଯ୍ୟାନ୍ଵିତ କରିବାଲାଗି ଦେଶରେ ସେହିପରି ଉପଯୁକ୍ତ ଶିକ୍ଷାର ପ୍ରବର୍ତ୍ତନ ହେବା ଉଚିତ । ଉପଯୁକ୍ତ ନେତୃତ୍ଵ ମିଳିଲେ ଯାଇ ଏଠି ଉପଯୁକ୍ତ ଶିକ୍ଷାର ସଂଚାର ସମ୍ଭବ ହୋଇ ପାରିବ ।

 

A clear vision of wrong us to action : ଆଲେକ୍‌ସି କାରେଲ୍‌ଙ୍କର ଏହି ଉକ୍ତିଟିର ଅର୍ଥ ହେଉଚି ଯେ, ଆମେ ଯେତିକି ସ୍ପଷ୍ଟ ଭାବରେ ଆମର ଭୁଲକୁ ବୁଝିପାରିବା, ଉଚିତ ମାର୍ଗରେ କର୍ମ କରିବାଲାଗି ଆମେ ସେତିକି ପ୍ରେରଣା ପାଇବା । ଭୁଲଗୁଡ଼ିକୁ ବୁଝିବାକୁ ଚେଷ୍ଟା କରିବା ଆଦୌ ନାସ୍ତିବାଚକ ନୁହେଁ । ମୁଖ, ଆଖି ଓ କାନ ବୁଜି ବସିଥିବା ତିନୋଟି ମାଙ୍କଡର କାହାଣୀ ସମସ୍ତେ ଜାଣିଥିବେ । ଆଖି ବୁଜିଥିବା ମାଙ୍କଡ଼ ଆମକୁ ପରାମର୍ଶ ଦେଉଚି ଯେ, ଆମେ ମନ୍ଦ କଥା ଦେଖିବାନାହିଁ । ଦ୍ଵିତୀୟ ମାଙ୍କଡ଼ଟି କହୁଚି ଯେ, ଆମେ ମନ୍ଦକଥାକୁ କାନ ଦେବାନାହିଁ । ତୃତୀୟଟି କହୁଚି ଯେ, ଆମେ ମନ୍ଦକଥା କହିବା ନାହିଁ । ଉପଦେଶଟିର ଏହି ଉପାଦେୟତା ସ୍ଵୀକାର କରିବାକୁ ମୋର ମନ ହୁଏନାହିଁ । ଯିଏ ଆମର ସମସ୍ୟାବିଦୀର୍ଣ୍ଣ ସଂସାରକୁ ଆଉ ଟିକିଏ ଭଲକରି ଗଢ଼ିବାକୁ ଇଚ୍ଛା କରୁଚି, ତାକୁ ଖରାପ କଥା ଦେଖିବାକୁ ହିଁ ହେବ, ଖରାପ କଥା ଶୁଣିବାକୁ ହିଁ ହେବ, ଯେତେ ଅପ୍ରିୟ ହେଲେ ମଧ୍ୟ ମୁହଁ ଖୋଲି ତାକୁ ଆପଣାର କଥା କହିବାକୁ ହିଁ ହେବ । ତେବେଯାଇ ସମାଜ ବଦଳିବ, ମଣିଷ ବଦଳିବ, ଶିକ୍ଷା ନାମରେ ଚାଲୁଥିବା ଏହି ଦୂଷିତ ପରମ୍ପରା ମଧ୍ୟ ବଦଳିବ । ବର୍ତ୍ତମାନ ଯାହା ଅଛି, ଆମେ ଯେତିକି ସଂଖ୍ୟାରେ ତାହାକୁ ଅସ୍ଵୀକାର କରିବାର ସାହସ ଦେଖାଇପାରିବା, ତାହା ସେତିକି ପରିମାଣରେ ବଦଳିବ, ନଚେତ୍ ମୁଁ ଦେଖିଲି ନାହିଁ ବୋଲି, ମୁଁ ଶୁଣିଲି ନାହିଁ ବୋଲି ବା ମୁଁ ମୁକ୍ତ ହୋଇ କିଛି କହିଲି ନାହିଁ ବୋଲି ଏହି ଦୂଷିତତା କଦାପି ଚାଲିଯିବ ନାହିଁ । ବାବୁଗିରିକୁ ଅସ୍ଵୀକାର କଲେ ଯାଇ ବାବୁମାନଙ୍କର ଶାସନ କ୍ରମେ ଆପଣା ଅନାବଶ୍ୟକତାର ଭାରିରେ ଭୁଷୁଡ଼ି ପଡ଼ିବ । ଏହି ଅସ୍ଵୀକାର କରିବାଲାଗି ପତାକା ଉଡ଼ାଇବାକୁ ପଡ଼ିବନାହିଁ ବା କେଉଁଠି ଯାଇ ଗଡ଼ ଭାଙ୍ଗିବାକୁ ପଡ଼ିବନାହିଁ । ଆମେ ସମସ୍ତେ ଅନ୍ଧଭାବରେ ମାନି ନନେଇ ମଣିଷପରି ବିଚାର କରି ଶିଖିଲେ ଏହା ସମ୍ଭବ ହେବ ।

 

ଯୁବକ ଯୀଶୁଖ୍ରୀଷ୍ଟ ଥରେ ବଡ଼ ନିର୍ମମ ଭାବରେ ମନ୍ଦିରର ବେଢ଼ା ଭିତରୁ ବେପାରୀମାନଙ୍କୁ ବାହାର କରି ଦେଇଥିଲେ । ଏହି ବେପାରୀମାନେ ଧର୍ମସ୍ଥାନରେ ଯାତ୍ରୀ ସମାଗମର ସୁଯୋଗ ନେଇ ଅନ୍ୟାୟ ବଣିଜର ବିପଣି ମେଲାଇ ବସିଥିଲେ । ସେଠାକୁ ଯାଇ ଯୀଶୁଖ୍ରୀଷ୍ଟ ଏହି ବିପଣିକୁ ଭାଙ୍ଗିଦେଲେ ଓ ଅଭକ୍ତ ଧନଲୋଭୀମାନଙ୍କୁ ସେଠାରୁ ନିକାଲି ଦେଲେ । କୌଣସି ସ୍ଥାନରେ ଅନ୍ୟାୟ ଦେଖିଲେ ମଣିଷ ଭିତରର ତାରୁଣ୍ୟ ସେଇଠାରେ ହିଁ ତା’ର ସଂଗ୍ରାମ ଆରମ୍ଭ କରିଦିଏ । ଓଡ଼ିଶା ତଥା ଭାରତର ଶିକ୍ଷାକ୍ଷେତ୍ରକୁ ଭାଙ୍ଗି ଅଧିକ ଉପଯୁକ୍ତ କରି ଗଢ଼ିବାକୁ ହେଲେ ପ୍ରଧାନତଃ ଏହି ତାରୁଣ୍ୟ ଦରକାର । ଏହି ତାରୁଣ୍ୟ ପୋଷାକ ଦେଖି ଥମିଯିବ ନାହିଁ, ଇଂରାଜୀ କଥାଶୁଣି ଶଙ୍କିଯିବ ନାହିଁ, ଏହା ମଣିଷପଣିଆର କଉଡ଼ିରେ ମଣିଷର ମୂଳ କରିବାକୁ ଯିବ-। ତେବେଯାଇ ଆଜି ଶିକ୍ଷାୟତନ ନାମରେ ଠିଆ ହୋଇ ରହିଥିବା ନିଷ୍ପ୍ରାଣ ଘରମାନ ଆପେ ଆପେ ଭାଙ୍ଗିପଡ଼ିବ ।

 

ଓଡ଼ିଶାରେ ବା ଭାରତବର୍ଷରେ ଶିକ୍ଷାନାମରେ ଆଜି ଯେଉଁ ଅଭିନୟ ଚାଲିଚି, ଏହା କଦାପି ସ୍ଥାୟୀହୋଇ ରହିବ ନାହିଁ । ମଣିଷ କଦାପି ସବୁଦିନ ପାଇଁ ଏହି ଅଭିନୟକୁ ମାନିନେବ ନାହିଁ । ଆସନର ଅଭିମାନରେ ସ୍ଫୀତ ହୋଇ ବସିଥିବା ହାକିମର ଶୂନ୍ୟତାଗୁଡ଼ାକ ଦିନେ ନା ଦିନେ ପଦାରେ ପଡ଼ିଯିବ । ବର୍ତ୍ତମାନ ଏହାର ସୂଚନା ମଧ୍ୟ ଦେଖାଯିବାକୁ ଆରମ୍ଭ କଲାଣି । ଓଡ଼ିଶାରେ ମଧ୍ୟ ଯେତେ ଶୀଘ୍ର ବା କେତେ ବିଳମ୍ବରେ ଏହାର ସୂତ୍ରପାତ ହେବ, ଏହା ଓଡ଼ିଶାର ତରୁଣମାନଙ୍କ ଉପରେ ନିର୍ଭର କରେ । ଭୋଗକୁ ବୀମା କରି ରଖିଲେ କୌଣସି ସମାଜରେ ତାରୁଣ୍ୟ ବଢ଼େନାହିଁ-। ସର୍ବତଃ ସନ୍ତୁଷ୍ଟ ହୋଇ ବସିରହିଲେ ତାରୁଣ୍ୟ ମଧ୍ୟ ନଷ୍ଟ ହୋଇଯାଏ । ଓଡ଼ିଶାର ଶିକ୍ଷାୟତନରେ ଆଜି ବୁଢ଼ାମନର ନିୟନ୍ତ୍ରଣ ଚାଲିଚି, ଭୀତ ମନର ଶାସନ ଚାଲିଚି । ତାରୁଣ୍ୟର ଆତ୍ମବଳରେ ଏହି ଶାସନକୁ ବଦଳାଇବାକୁ ପଡ଼ିବ ।

 

(ଡଗର ଷଷ୍ଠବିଂଶବର୍ଷ, ଦ୍ଵିତୀୟ ଓ ତୃତୀୟ ଓ ସଂଖ୍ୟା ୧୯୬୨,

ରଜତ ଜୟନ୍ତୀ ବିଶେଷାଙ୍କରେ ପ୍ରକାଶିତ ।)

Image

 

ଏକ ଭାଷଣ

 

ଏ ମଞ୍ଚରେ ଏଭଳି ବ୍ୟବସ୍ଥା କାହିଁକି ହୋଇଛି, ମୁଁ ଅନେକ ଅୁନସନ୍ଧାନ କରି ବୁଝିପାରୁନାହିଁ । ସଂସାରଟା ବୋଧେ ଆଜିକାଲି ଏମିତି ଚାଲିଛି ବୋଲି ରଙ୍ଗମଞ୍ଚରେ ଠିକ୍ ଏହିଭଳି ବ୍ୟବସ୍ଥା ରହିଥାଏ । ସିନେମା ହଲରେ ଠିକ୍ ଏହିପରି ବ୍ୟବସ୍ଥା ରହିଥାଏ । ଆମ ଭାରତରେ ଗୁରୁଜନ-ପ୍ରପୀଡ଼ିତ ସମଯରେ ମଧ୍ୟ ଠିକ୍ ଏହିଭଳି ବ୍ୟବସ୍ଥା ରହିଥାଏ । ପରଦା ଉପରେ... ତାକୁ ରୂପେଲି ପରଦା ବୋଲି ଆମ ଓଡ଼ିଆରେ କହନ୍ତି, ପରଦା ଉପରେ ଯେତେବେଳେ ରୂପମାନେ ଭାସି ଭାସି ଯାଉଥାନ୍ତି, ସେତେବେଳେ ଦେଖିବା ଲୋକ ବୋଧେ ଅନ୍ଧାର ଭିତରେ ରହିଥାନ୍ତି, ତାକୁ ଚମତ୍କାର ଭାବରେ, ବଢ଼ିଆ ଭାବରେ ଜାଜ୍ଜ୍ୱଲ୍ୟମାନ ଭାବରେ ଦେଖନ୍ତି । ମୁଁ କିଛି କହିବି ନାହିଁ । କାରଣ ସାହିତ୍ୟ ମୋର ବିଷୟ ନୁହେଁ । ସାହିତ୍ୟ ଯେ ଏକ ବିଷୟ ନୁହେଁ, ବୋଧେ କିଞ୍ଚିତ୍ ପରିମାଣରେ ସେ ବିଷୟରେ କହିବି । ମୋର ବିଷୟ ସାହିତ୍ୟଠାରୁ ଅନେକ ତଳେ । ସାହିତ୍ୟ ସ୍ଵର୍ଗର କଥା କହେ, ସାହିତ୍ୟ ପୁରାଣର କଥା କହେ, ସାହିତ୍ୟ ଆଦର୍ଶର କଥା କହେ । ସାହିତ୍ୟ କୃଷ୍ଣଙ୍କ ଠାରୁ ଆରମ୍ଭକରି ଉଦ୍ଧବଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ କଥା କହେ । ମୁଁ ଯେଉଁ ପାଠ ପଢ଼ିଛି ଏବଂ ପଢ଼େଇ ଆସିଛି, ତାହା ମଣିଷ ଭିତରେ ଯାହା ଲୁଚିକରି ରହିଥାଏ ତାହାରି କଥା କହେ । ଭାଗ୍ୟକୁ ଆପଣଙ୍କ କଲେଜରେ ସେହି ବିଷୟ ପଢ଼ାହୁଏ ନାହିଁ । ତେଣୁ ମୁଁ ଯାହା କହିବି, ଆପଣମାନେ ତାକୁ ସତ ବୋଲି ନିଶ୍ଚୟ ମନେକରିବ । ମୁଁ ମନୋବିଜ୍ଞାନର ଛାତ୍ର । ମଣିଷକୁ ବୁଝିବାକୁ ବୈଜ୍ଞାନିକ କ୍ଷେତ୍ରରେ ଆଜିପର୍ଯ୍ୟନ୍ତ ଯାହାକିଛି ଟେକ୍‌ନିକ ବାହାରିଛି, ରାସ୍ତା, ସଂକେତ ଓ ଇଙ୍ଗିତ ବାହାରିଛି, ମୁଁ ତାକୁଇ ପଢ଼ିଛି । ଏବଂ ଆପଣମାନେ କ୍ଷମା କରିବେ, ଯେକୌଣସି ତଥାକଥିତ ସାହିତ୍ୟ, ଆଦର୍ଶ ଓ ଧର୍ମଠାରୁ ମୁଁ ମନୋବିଜ୍ଞାନକୁ ଉଚ୍ଚତର ସ୍ଥାନଦିଏ । କାରଣ ମୁଁ ଭାବେ ମଣିଷ ଯଦି ମଣିଷକୁ ନବୁଝିବ, ତା’ହେଲେ ପୃଥିବୀରେ ସେ ନିଜେ ବାଳୁଙ୍ଗା ହେବ ଏବଂ ଅନ୍ୟ ସମସ୍ତଙ୍କୁ ବାଳୁଙ୍ଗା କରିବ-

 

ସାହିତ୍ୟରେ ଅନେକ ଚର୍ଚ୍ଚା ହେଉଛି । ବୋଧହୁଏ ପୃଥିବୀରେ ଯେତେ ହେଉ ନାହିଁ, ଆମ ଓଡ଼ିଶାରେ ତା’ଠାରୁ ବେଶୀ ହେଉଛି । ସାହିତ୍ୟକୁ ନେଇ ଯାହା ବି ହେଉଛି, ସାହିତ୍ୟକୁ ନେଇ ଜୟନ୍ତୀ ହେଉଛି, ବୈଜୟନ୍ତୀ ହେଉଛି କିନ୍ତୁ ତଥାପି ଆମେ ସମସ୍ତେ ଅନ୍ଧାର ଭିତରେ ବସିଛୁ । ଅନ୍ଧାର ଭିତରେ ବସିବାକୁ ଭଲପାଉଛୁ । କାହିଁକି ନା, ଆମେ ଭାରତୀୟ ସଂସ୍କୃତିରେ ବୋଧେ ଯୁଗ ଯୁଗ ଧରି ଚାଲିଛି । ସେଇଥିଲାଗି ଆଧୁନିକ ଯୁଗରେ ଯୁବକମାନେ, ତରୁଣମାନେ ବା ଯେଉଁମାନଙ୍କ ଭିତରେ ତାରୁଣ୍ୟ ଅଛି, ସେମାନେ ଏହାକୁ ସହିପାରୁ ନାହାନ୍ତି । ଏହା ବିରୁଦ୍ଧରେ ପ୍ରତିବାଦ କରୁଛନ୍ତି ।

 

ମୁଁ ଏହାକୁ ସବୁ ମିଶାଇ କରି କହିବି । ଆମ ଶିକ୍ଷାରେ ସବୁ ଅଛି, ମଣିଷ ନାହାନ୍ତି; ଆମ ନାଚରେ ସବୁ ଅଛି, ମଣିଷମାନେ ନାହାନ୍ତି । ଆମ ଧର୍ମରେ ସବୁ ଅଛି, ମଣିଷମାନେ ନାହାନ୍ତି । ଆମ ପରିବାରରେ ସମସ୍ତେ ଅଛନ୍ତି, ଧର୍ମ ଅଛି, କୋଠା ଅଛି, ବାପାଙ୍କର ଦରମା ଅଛି, ବୋଉ ଖାଇବାକୁ ପନ୍ଦର ପ୍ରକାରର ବାଢ଼ି ଦେଉଛି, ଖେଳନା ଅଛି, ବିଲେଇ କୁକୁର ଅଛନ୍ତି; ଜଗନ୍ନାଥ ବି ଅଛନ୍ତି । କିନ୍ତୁ କେହି କାହାକୁ ମଣିଷ ଭାବରେ ଦେଖୁନାହାନ୍ତି । ସମସ୍ତେ ଦର୍ପଣ ଗୁଡ଼ାଏ ରଖଛନ୍ତି । ସେଠି କେବଳ ନିଜେ ନିଜର ମୁହଁ ଦେଖିକରି ଅନ୍ୟମାନଙ୍କୁ ଉପଦେଶ ଦେବାରେ ଲାଗିଛନ୍ତି, ଦେଖ ମୋ ଭିତରେ କେତେ ଖାନଦାନୀ, କେତେ ସଂସ୍କୃତି, କେତେ ସାହିତ୍ୟ । ଆମ ସାହିତ୍ୟରେ ନାରୀର କେତେ ସ୍ତୁତି ଓ ପ୍ରଶସ୍ତି କରାଯାଇଛି, ଏଇମିତି ଖୋସାମତି ଗୁଡ଼ାଏ କରି ତାକୁ ଘରେ ଦାସୀ କରି ରଖାଯାଇଛି । ପୋଇଲୀ କରି ରଖାଯାଇଛି । ସମାଜ ଭିତରେ ବେଶ୍ୟା କରି ରଖାଯାଇଛି । ଏଇ ହେଉଛି ଅମାର ବଢ଼ିଆ ସଂସ୍କୃତି । ତା’ର କାରଣ ହେଉଛି ମଣିଷ କେଉଁଠି ହେଲେ ନାହିଁ । ମଣିଷ ବର୍ତ୍ତମାନ ଏ ସଂସାରରେ କେଉଁଠି ନାହିଁ । ଦେଶ ଅଛି, ସଂସ୍କୃତି ଅଛି, ଜଗନ୍ନାଥ ଅଛନ୍ତି, ଭଗବାନ ଅଛନ୍ତି, କିନ୍ତୁ ମଣିଷ କେହି କେଉଁଠି ନାହାନ୍ତି । ମୋ’ଠାରୁ ଯିଏ ଦଶଟଙ୍କା କମ୍ ଦରମା ପାଉଛି, ସେ ମୋ ଆଗରେ ଗୋଟିଏ ବିଲେଇଟାଏ ଭଳି ଦେଖାଯାଉଛି ବା ନେଉଳଟାଏ ପରି ଦେଖାଯାଉଛି । ଯିଏ ବଡ଼ମନ୍ତ୍ରୀ ହୋଇଛି, ତା’ ତଳ ମନ୍ତ୍ରୀକୁ ସେ କୁକୁର ପରି ଭାବୁଛି । ଦିଲ୍ଲୀବାଲା ଭୁବନେଶ୍ଵରବାଲାଙ୍କୁ ବିଲେଇ, ମୂଷା, ଚୁଚୁନ୍ଦ୍ରା ପରି ଭାବୁଛନ୍ତି ଏବଂ ଭୁବନେଶ୍ଵରବାଲା କରଞ୍ଜିଆବାଲାଙ୍କୁ ମଧ୍ୟ ତଦ୍ରୂପ ବିଲେଇ, କୁକୁର, ମୂଷା, ଚୁଚୁନ୍ଦ୍ରା ପରି ଭାବୁଛନ୍ତି । ଯେଉଁମାନେ ଅଧ୍ୟାପକ ହୋଇଛନ୍ତି, ସେମାନେ ଗୁରୁଜନ ହୋଇଛନ୍ତି; ଯେଉଁମାନଙ୍କର ବୟସ ହୋଇଯାଇଛି, ସେମାନେ ଛୁଆମାନଙ୍କୁ ବଜାରୀ ବୋଲି ଭାବୁଛନ୍ତି ଏବଂ ଯେଉଁମାନେ ଛୁଆ, ଯେଉଁମାନେ ପାଟି ଫିଟେଇ ପାରୁନାହାନ୍ତି, କଲେଜରେ ପଢ଼ୁଛନ୍ତି, ପରୀକ୍ଷା ଦେଇ ବାଧ୍ୟ ହୋଇ ଗୁରୁଜନମାନଙ୍କୁ ଅନୁସରଣ କରୁଛନ୍ତି, ସେମାନେ ଏହିପରି ଭାବରେ ଅନ୍ଧାରରେ ବସି ତା’ର ପ୍ରତିଶୋଧ ମଧ୍ୟ ନେଉଛନ୍ତି, ପ୍ରତିବାଦ ମଧ୍ୟ କରୁଛନ୍ତି । କି ଚମତ୍କାର ଭାବରେ ସଂସାର ଚାଲିଛି । ଆଉ ପ୍ରକୃତରେ କଳିଯୁଗ ବୋଧେ ସବୁଠାରୁ ବଢ଼ିଆ ଯୁଗ ଆମର ଏ ସଂସାରରେ । ହଁ, ସାହିତ୍ୟ ଭିତରେ ମଣିଷ ନାହିଁ । କାରଣ ସାହିତ୍ୟ ଭୀରୁମାନଙ୍କର ଯୁଗେ ଯୁଗେ ଏକ କଣ୍ଢେଇ ହୋଇ, ଏକ ସାନ୍ତ୍ଵନା ହୋଇ ରହି ଆସିଛି । ଅନେକ ବର୍ଷ ପୂର୍ବେ, ପ୍ରାୟ ଅଢ଼େଇ ହଜାର ବର୍ଷ ପୂର୍ବେ ଗ୍ରୀସ୍ ଦେଶରେ ଜଣେ ଦାର୍ଶନିକ ସେଇଥିଲାଗି ନିଜ କଳ୍ପନାର ଭୁବନରୁ ସାହିତ୍ୟିକମାନଙ୍କୁ, କବିମାନଙ୍କୁ ବହିଷ୍କାର କରିଦେବାକୁ କହିଥିଲେ । ସାହିତ୍ୟ ପ୍ରକୃତରେ ମଣିଷକୁ ଗଧ କରି ରଖେ । ମଣିଷକୁ ଭୃତ୍ୟ କରି ରଖେ, ମଣିଷ ଗୋଡ଼ରେ ବେଡ଼ି ବନ୍ଧେଇ ଦିଏ, ମଣିଷକୁ ଗୁଡ଼ାଏ ମିଛ ସାନ୍ତ୍ଵନା, ମିଛ ଭାବବିହ୍ଵଳତା ଏବଂ ମିଛ ଆନନ୍ଦ ଦେଇ ମଣିଷ ଭିତରେ ଯେଉଁ ଅଜସ୍ର ନିଆଁ ଅଛି, ତାକୁ ନିଭାଇ ରଖେ ।

 

ଭାରତବର୍ଷରେ ବୋଧେ ମୁନି ଋଷିମାନଙ୍କଠାରୁ ଆରମ୍ଭ କରି ଆମ ଆଧୁନିକତମ ଲେଖକ ପର୍ଯ୍ୟନ୍ତ ସମସ୍ତେ ଚେଷ୍ଟା କରିଛନ୍ତି ଯେ, ଯେଉଁମାନଙ୍କ ପାଇଁ ମୁଁ ଲେଖୁଛି, ସେମାନେ ଏଇମିତି ଚମତ୍କାର ଭାବରେ ଅନ୍ଧାରରେ ବସିଥାନ୍ତୁ; କେବଳ ମୋରି ହୃଦୟରେ ଯେଉଁ ସଂସ୍କୃତିରୂପକ ମଣିଟା ଜଳୁଛି, ତାକୁଇ କେବଳ ଦେଖୁଥା’ନ୍ତୁ ଓ ବାଃ ବାଃ କରୁଥା’ନ୍ତୁ । ଓଡ଼ିଶା ପ୍ରଦେଶ, ଭାରତ ଦେଶ ବା ପୃଥିବୀ ଚମତ୍କାର ଭାବରେ ଚାଲିଛି ବୋଲି ଚିତ୍କାର କରୁଥା’ନ୍ତୁ ।

 

ଆପଣମାନେ ଗୋଟିଏ କଥା ବିଚାର କରନ୍ତୁ । ଭାରତବର୍ଷରେ ଯଦି ଏତେ କାଳର ଏତେ ସଂସ୍କୃତି ଥିଲା, ତେବେ ସେଗୁଡ଼ାକ ସବୁ ଗଲା କୁଆଡ଼େ ? ଯଦି କୌଣସି ଦେଶରେ ସଂସ୍କୃତି ଥାଏ, କୌଣସି ସମାଜରେ ସଂସ୍କୃତି ଥାଏ, ସେଠି ଶୂଦ୍ରର ସୃଷ୍ଟି ହୋଇଥା’ନ୍ତା ? ସେଠି ବ୍ରାହ୍ମଣ ଯୁଗ ଯୁଗ ଧରି ଯେଉଁପ୍ରକାର ବ୍ୟବହାର କରିଆସିଛି, ଯେଉଁ ପ୍ରକାରର ଆଚରଣ କରିଆସିଛି, ତାହା ସମ୍ଭବ ହୋଇଥା’ନ୍ତା ? ଯୁଗ ଯୁଗ ଧରି ଯେଉଁ ସମାଜରେ ଅତ୍ୟାଚାର, ଅସହାୟତା, ମର୍ମନ୍ତୁଦତା ଏଇଗୁଡ଼ାକ ସାର ହୋଇ ରହିଛି, ଯଦି ଏଠି ପ୍ରକୃତରେ ଦେବତା ଥାଆନ୍ତେ, ଭକ୍ତ ଥା’ନ୍ତେ ଏବଂ ଭକ୍ତମାନଙ୍କର ଭକ୍ତି ଭିତରେ କୌଣସି ଶକ୍ତିଥା’ନ୍ତା ? ମୁଁ କଳ୍ପନା କରିପାରେନି ଆପଣମାନେ ତଥାପି କିପରି ଅନ୍ଧାରରେ ବସି ରହିବାକୁ ପସନ୍ଦ କରନ୍ତି ଏବଂ ଅନ୍ଧାରରେ ରହି ଯେତିକି ପ୍ରତିବାଦ କରିହୁଏ, କେବଳ ସେତିକି ପ୍ରତିବାଦ କରି ଆପଣମାନେ ବୁଢ଼ା ହୋଇଯାଆନ୍ତି ? ସାହିତ୍ୟ ଭିତରେ ମଣିଷ ନାହିଁ ବୋଲି ଆଜି ସାରା ପୃଥିବୀର ସାହିତ୍ୟିକମାନେ କହୁଛନ୍ତି । କିଛି ଉଦାହରଣ ଦେବି, ତା’ପରେ ପୁଣି ମୋତେ ଯେତିକି ସମୟ ଦିଆଯାଇଛି, ତା’ଭିତରେ ଯେତିକି କହିବାର କଥା ସାରିଦେବି । ପ୍ରାୟ କେତେବର୍ଷ ତଳେ, ଜର୍ମାନୀର ଜଣେ ଔପନ୍ୟାସିକ ଗୋଟିଏ ବହି ଲେଖିଥିଲେ-। ସେହି ବହିପାଇଁ ଏବେ ପ୍ରାୟ ଦଶବର୍ଷ ତଳେ ସିଏ ନୋବେଲ୍ ପୁରସ୍କାର ମଧ୍ୟ ସାହିତ୍ୟରେ ପାଇଲେ । ସେ ବହିଟିର ନାଁ ବି ଚମତ୍କାର । ସେ ବହିଟିର ନାଁ ହେଉଛି, ମୁଁ ତା’ର ଅନୁବାଦ କରି ଓଡ଼ିଆରେ କହିବି, “ମୁଁ କେଉଁଠି ମଣିଷ ଦେଖିଲି ନାହିଁ” । ଇଂରାଜୀରେ, “I did not see a human being” । ସଂସାରଯାକ ସବୁଆଡ଼େ ବୁଲିଆସିଲି, କୋଠା ଦେଖିଲି, ଶବରୁଣୀ କିପରି ଅଇଁଠା ଫଳ ରାମଚନ୍ଦ୍ରଙ୍କୁ ଦେଇ ତରିଗଲା, ସେକଥା ବି ଶୁଣିଲି । କିନ୍ତୁ ମଣିଷ କେଉଁଠି ଦେଖିଲି ନାହିଁ । ଖାଲି ଭଣ୍ଡାମି ଦେଖିଲି । ମଣିଷ କାହାନ୍ତି ? ସେଇ “ମଣିଷ କାହାନ୍ତି” ଯଦି ସାହିତ୍ୟ ଖୋଜନ୍ତା, ତାହେଲେ ବୋଧେ ଆମେ ଏମିତି ଅଳପ ଲୋକ ଆଲୁଅରେ ବସି ଅନେକ ଲୋକଙ୍କୁ ଅନ୍ଧାରରେ ବସେଇ ଏପରି ପ୍ରୀତି-ଅବସରର ଅପ୍ରୀତିକର ପରିସ୍ଥିତି କଦାପି ସୃଷ୍ଟି କରିବାକୁ ମନେ କରନ୍ତୁ ନାହିଁ । ଏ ସମାଜରେ ଆପଣମାନେ ଯେ କିପରି ସାହିତ୍ୟ ପାଇଁ ମନ କରୁଛନ୍ତି, ଆଗ ମଣିଷପାଇଁ ମନ କରୁନାହାନ୍ତି, ସେଇକଥା ମୋତେ ଅବାକ୍ ଲାଗୁଛି । ଆମର ଯେତେ ଗୀତ ରହିଛି, ନାଚ ରହିଛି, ଆମେ ଯେତେ ସାଂସ୍କୃତିକ ବୈଠକଗୁଡ଼ିକର ଅବସର ସୃଷ୍ଟି କରି ରଖିଛୁ, ସେଗୁଡ଼ିକ କାହାପାଇଁ ? ଏଗୁଡ଼ାକ ଭୋକ ଭୁଲାଇବା ପାଇଁ । ଅନେକ ପ୍ରକାରର ଭୋକ ମଣିଷ ଭିତରେ ଅଛି । ଶାସ୍ତ୍ରରେ ଆପଣ ଏ ଭୋକଗୁଡ଼ାକର ଅନେକ ପରିଚୟ ମଧ୍ୟ ପାଇବେ । ପୁରାଣରେ ମଧ୍ୟ ଆମ ଭୋକ ବିଷୟରେ ଏକ ବଢ଼ିଆ ଦୃଷ୍ଟାନ୍ତ ରହିଛି । ଗରୁଡ଼ ଯେତେବେଳେ ଜନ୍ମ ହେଲେ, ତାଙ୍କୁ କୁଆଡ଼େ ଭାରି ଭୋକ କଲା । ସେ ଗରିବ ଘରେ ଜନ୍ମ ହୋଇଥିଲେ । ତାଙ୍କ ମା’ଙ୍କୁ କହିଲେ, ମା’ ମୋତେ ଭାରି ଭୋକ ହେଉଛି ।” ତାଙ୍କ ମା ଘରେ ଯାହା ଥିଲା ସେସବୁ ଆଣି ତାଙ୍କୁ ଦେଲେ । ମାତ୍ର ସେସବୁକୁ ଗର୍ଭରେ ପକାଇ ଦେଇ ସେ କହିଲେ, “ମୋତେ ଆହୁରି ଭୋକ ହେଉଛି ।” ତାଙ୍କ ମା କହିଲେ, ମୋ ଘରେ ଆଉ କିଛି ନାହିଁ ତୋତେ ଦେବାକୁ । ସାଙ୍ଗେ ସାଙ୍ଗେ ସେ ଦେଖିଲା... । ସେଦିନ ପୂର୍ଣ୍ଣମୀ ଥିଲା ଏବଂ ଦେଖିଲା ଯେ ଚନ୍ଦ୍ର ଉଦିତ ହେଉଛନ୍ତି । ଚନ୍ଦ୍ର ପୂର୍ଣ୍ଣିମା ଦିନ ଉଦିତ ହେଲାବେଳେ ଗୋଟିଏ ପାଚିଲା ଫଳ ଭଳିଆ ଲାଲ୍ ଦେଖାଯାଆନ୍ତି ଏବଂ ସେତେବଳେ ସେ ଦିଗ୍‌ବଳୟକୁ ଅତିକ୍ରମ କରି ଆକାଶ ଭିତରକୁ ଯାଉଥା’ନ୍ତି-। ଗରୁଡ଼ କହିଲେ, “ମା” ଏହି ଯେଉଁ ବଡ଼ ଫଳଟା ଦେଖୁଛୁ, ସେଇଟା ମୋତେ ଆଣି ଦଉନୁ, ମୁଁ ସେଇଟାକୁ ଖାଇଦେବି ।” ବିଷ୍ଣୁଙ୍କର ବାହନ ଜନ୍ମଲାଭ କରିଛନ୍ତି ବୋଲି ସେତେବେଳେ କୁଆଡ଼େ କେତେକ ଋଷି ତାଙ୍କୁ ଦର୍ଶନ କରିବାକୁ ଆସିଥିଲେ, ପିଲା ଗରୁଡର ଏକଥା ଶୁଣିକରି ସେମାନେ ମତ ଦେଇକରି କହିଲେ, “ଏ ଶିଶୁ ଜଣେ ମହାନ ଶିଶୁ, କାରଣ ଏହାର କ୍ଷୁଧା ଅତି ମହାନ ।” ବନ୍ଧୁଗଣ, ଆମର ସବୁ ଜିନିଷକୁ ବଢ଼େଇ ଦିଆଯାଇଛି । କ୍ଷୁଧାକୁ କମେଇ ଦିଆଯାଇଛି । ସାହିତ୍ୟ ମଧ୍ୟ ପ୍ରାୟ ଏହିପରି ଏକ କାର୍ଯ୍ୟ କରୁଛି । ଅଢ଼େଇ ହଜାର ବର୍ଷ ପୂର୍ବରୁ ପ୍ଲେଟୋ ଯାହା କହିଥିଲେ, ବର୍ତ୍ତମାନ ଅତିମାତ୍ରାରେ ଏବଂ ଅତି ପ୍ରାଞ୍ଜଳ ଭାବରେ ଆମେ ସେହି କଥାକୁ କାର୍ଯ୍ୟକାରୀ କରୁଛୁ । ସାହିତ୍ୟ ମଣିଷକୁ ଭୀରୁ କରିଦିଏ । ତା’ର କାରଣ ହେଉଛି ମଣିଷ ଏ ସାଂସାରରେ କିଛି କରନ୍ତା, କିଛି ଗଢ଼ନ୍ତା, କିଛି ହୁଅନ୍ତା । ମଣିଷ ଚାହେଁ—to build something, to do something, to be something. ଆପଣମାନେ ଦେଖନ୍ତୁ, ସାହିତ୍ୟ ବାରବାର ଚେଷ୍ଟାକରି ଆସୁଛି ମଣିଷର ସାମ୍ମୁଖରୁ ଏହି ତିନୋଟି ଆହ୍ଵାନକୁ ଚମତ୍କାର ଭାବରେ, କୌତୁକର ସହିତ ଅପସରାଇ ନେବାକୁ । ମଣିଷକୁ କିଛି ହେବାକୁ ଦେଇନି । ମଣିଷକୁ ଖାଲି ସହିବାକୁ ଦେଇଛି । ଇଆଡ଼େ ସାମାଜରେ ଚମତ୍କାର ଭାବରେ, ଅଧିକାଂଶ ମଣିଷଙ୍କୁ ଅନ୍ଧାର ଭିତରେ ରଖି ଶାସନ କରିଛି, ଆଦିବାସୀ କରିଛି, ହରିଜନ କରିଛି, ଅସହାୟ କରିଛି, ଅର୍ଦ୍ଧ-ପଶୁ କରି ରଖିଛି । କିନ୍ତୁ ସିଆଡ଼େ ସର୍ବେ ଭବନ୍ତୁ ସୁଖିନଃ ମନ୍ତ୍ର ଗାଇଛି । ବେହିଆଙ୍କ ପରି ଟଙ୍କା କମେଇଛି, ବେହିଆଙ୍କ ପରି ମନ୍ଦିର ଗଢ଼ିଛି ଏବଂ ସେ ମନ୍ଦିରରେ ସାହିତ୍ୟ, ସଂସ୍କୃତି, ଧର୍ମ, ଆଧ୍ୟାତ୍ମିକତା ସବୁ କିଛିର ଚର୍ଚ୍ଚା କରୁଛି । ଯେଉଁ ଦେଶରେ ବିଶେଷକରି ଓଡ଼ିଶାରେ ଯେଉଁଠି ଶହେରେ ତିରିଶ ଜଣ ଅ ଆ କ ଖ ଜାଣନ୍ତି, ସେଠି କି ସାହିତ୍ୟ ହେବ ? ପୃଥିବୀର କୌଣସି ଜାଗାରେ ଅନ୍ତତଃ ଆଧୁନିକ ଯୁଗରେ ତାକୁ ସାହିତ୍ୟ ବୋଲି କୁହାଯିବ ନାହିଁ । ଯେଉଁଠି ଆପଣମାନେ ଶହେରୁ ସତୁରୀ ଜଣଙ୍କୁ ସାମାନ୍ୟ ଅକ୍ଷର ପରିଚୟରୁ ବଞ୍ଚିତ କରି କଲେଜ କରୁଛନ୍ତି, ବିଶ୍ଵବିଦ୍ୟାଳୟ କରୁଛନ୍ତି, କୋଠା କରୁଛନ୍ତି, ପ୍ଳାଷ୍ଟିକ ବ୍ୟବହାର କରୁଛନ୍ତି, ଟେଲିଭିଜନ ଆଣୁଛନ୍ତି, ସିନେମା ଦେଖୁଛନ୍ତି, ସର୍କସ ଦେଖୁଛନ୍ତି, ସେଠି ସେ ଦେଶରେ ସଂସ୍କୃତି କେଉଁଠି ଅଛି ? ସେ ଦେଶରେ ସହାନୁଭୂତି କେଉଁଠି ଅଛି ? ସେ ଦେଶରେ ସମସ୍ତଙ୍କର ପରସ୍ପର ପ୍ରତି ଏକ ଦରଦ କେଉଁଠି ଅଛି ? କ’ଣ ଦରକାର, କାହିଁକି ଆମେ ତା’ହେଲେ ଏ ଭକ୍ତି ସଙ୍ଗୀତଗୁଡ଼ାକୁ ମିଛରେ ଏପରି ଗଦ୍‌ଗଦ୍ ହୋଇ ଗାଇବା ? କ’ଣ ଦରକାର ଆମେ ଏମିତି ସଭା ମଣ୍ଡେଇ, ଚାନ୍ଦୁଆ ଟାଣି ଅଧା ଅନ୍ଧାର ଅଧା ଆଲୁଅ କରି ଏଗୁଡ଼ାକୁ ସବୁ ଶୁଣିବା ? ଯଦି ଆପଣମାନଙ୍କ ଭିତରେ ସେଇ ମଣିଷଟା ଜାଗୃତ ହୋଇ ନରହେ । ଅନେକ ବର୍ଷ ତଳେ ସେଇ ଉପନିଷଦର ଯୁଗରେ, କେତେ ହଜାର ବର୍ଷ ମୁଁ କହିପାରିବି ନାହିଁ, ତଥାପି ଅତି କମରେ ପାଞ୍ଚ ହଜାର ବର୍ଷ ତଳେ, ସେଇ ଉପନିଷଦରେ ସେଇ କଥାରେ, ସେଇ ଦରଦ ଋଷି ଭିତରୁ ବାହାରିଥିଲା । ସୂର୍ଯ୍ୟ ଉଦୟ ହେଉଛି ଏବଂ ସୂର୍ଯ୍ୟଙ୍କୁ ଋଷି ପ୍ରାର୍ଥନା କରୁଛନ୍ତି । କି ପ୍ରାର୍ଥନା କରୁଛନ୍ତି ? ସଂସାରରୁ ପଳାଇଯିବାର ପ୍ରାର୍ଥନା ନୁହେଁ ଯେ ସଂସାରରୁ ମୋତେ ଶୀଘ୍ର ନେଇ ଚାଲିଯାଅ । ଯେପରି ସମସ୍ତଙ୍କୁ ମୋକ୍ଷ ଦେଲ, ମୁକ୍ତି ଦେଲ, ତା’ ନୁହେଁ । ସେ ନିର୍ଭୀକ ହେବାର ପ୍ରାର୍ଥନା କରୁଛି । ଉପନିଷଦର ସେହି ଶ୍ଳୋକର ଅର୍ଥ ହେଉଛି: ହେ ସୂର୍ଯ୍ୟ, ମୋତେ ଫାଡ଼ିଦିଅ । ଫାଡ଼ିଦିଅ, ଆପଣମାନେ ବୁଝିପାରୁଛନ୍ତି ? କଟକୀ ବଜାରୀ ଭାଷାରେ ମୁଁ କହୁଛି । ଫାଡ଼ିଦିଅ ଅର୍ଥାତ୍ ବିଦୀର୍ଣ୍ଣ କରିଦିଅ । ତତ୍ ତ୍ଵଂ ପୂଷଣ୍ ଅପାବୃଣୁ । ଅପାବୃଣୁର ଅର୍ଥ ମୋତେ ବିଦୀର୍ଣ୍ଣ କରିଦିଅ । ଏମିତି ମୋତେ ପାଡ଼ିଦିଅ ଯେ ମୁଁ ଦି’ଭାଗ ହୋଇଯାଏ । ମୋ ଭିତରେ ଯାହା ଅଛି ତାହା ଭଲଭାବରେ ଦେଖାଯାଉ, କ’ଣ ପାଇଁ କି ? କ’ଣ ଫାଡ଼ିବେ, କେଉଁଟାକୁ ଫାଡ଼ିବେ ? ନା, “ହିରଣ୍ମୟେନ ପାତ୍ରେନ ସତ୍ୟସ୍ୟାପିହିତମ୍ ମୁଖମ୍ ।” ମୋ’ର ଭିତରେ ଯେଉଁ ସତ୍ୟ ଅଛି, ସେ ସତ୍ୟ ମୁହଁରେ ଗୋଟେ ଢାଙ୍କୁଣୀ ପଡ଼ିଛି । ସେ ଢାଙ୍କୁଣୀଟା ସୁନାରେ ତିଆରି । ହିରଣ୍ମୟେନ ପାତ୍ରେଣ, ଗୋଟେ ସୁନା ଢାଙ୍କୁଣୀ ଦ୍ଵାରା ମୋର ସତ୍ୟର ମୁହଁକୁ କିଏ ବୁଜିକରି ରଖିଛି । କିନ୍ତୁ ମୁଁ ସତ୍ୟ ଦେଖିବାକୁ ଚାହୁଛି, ଧର୍ମ ଦେଖିବାକୁ ଚାହୁଛି-। ସତ୍ୟ ଧର୍ମାୟ ଦୃଷ୍ଟୟେ । ତେଣୁ, ତତ୍ ତ୍ଵଂ ଅପାବୃଣୁ । ପୁଷଣ୍ ହେଉଛି ସୂର୍ଯ୍ୟ । ଯିଏ ସମସ୍ତ ପୃଥିବୀର ପୋଷଣ କରେ । ହେ ସୂର୍ଯ୍ୟ, ହେ ପୋଷଣକର୍ତ୍ତା, ତୁମେ ମୋତେ ଏପରି ଆଘାତ କର ଯାହାଦ୍ୱାରା କି ସୁନାର ଏହି ଢାଙ୍କୁଣୀ ଦି’ଫାଳ ହୋଇ ବିଦୀର୍ଣ୍ଣ ହୋଇଯାଉ ଏବଂ ମୁଁ ସତ୍ୟକୁ ଦେଖେ ଏବଂ ଧର୍ମକୁ ଦେଖେ । ଏ ସାହିତ୍ୟ ନା ଆଉ ଯେଉଁ ସାହିତ୍ୟକୁ ନେଇକରି ଆମେ ଗମାତ୍ କରୁଛୁ, ମଜା କରୁଛୁ, ଦେଖିକରି ସଜେଇ ଗଜେଇ ଲେଖି ଫାଷ୍ଟ ଡିଭିଜନ୍ ଫାଷ୍ଟ କ୍ଲାସ୍ ପାଉଛୁ, ତା’ପରେ ଯାଇ କରି ବ୍ୟାଙ୍କରେ ଚାକିରି କରୁଛୁ, ସେଇଟା ସାହିତ୍ୟ ? ରସକଲ୍ଲୋଳ ପଢ଼ିକରି ବୋଧେ ଗଣ୍ଡା ଗଣ୍ଡା ଓଡ଼ିଆ ଟୋକାଥିବେ, ଯେଉଁମାନେ ବ୍ୟାଙ୍କରେ ଚାକିରି କରିଛନ୍ତି । ଗଞ୍ଜେଇ ଅଫିମ ଡିପାର୍ଟମେଣ୍ଟରେ ଯାଇକରି ଟ୍ରକ୍ ଅଟକେଇ କରି ପଇସା ନେଉଛନ୍ତି । କ’ଣ ଦରକାର ସେ ରସକଲ୍ଲୋଳ ପଢ଼ିକରି ? ଆପଣମାନେ ପୁଣି ଭାବନ୍ତୁ, ସତ୍ୟ ଧର୍ମ ମୁଁ ଦେଖିବାକୁ ଚାହେଁ-। ସେଇଥିଲାଗି ହେ ସୂର୍ଯ୍ୟ ! ଏ ସୁନାର ଢାଙ୍କୁଣୀକୁ ଦି’ଭାଗ କରି ଫଟେଇ ଦିଅ । ମୁଁ ଦେଖେ ମୋ’ ଭିତରେ ସତ୍ୟ ଅଛି । ଏ ଯେଉଁ ନିର୍ଭୀକ ବାଣୀ, ଏ ହେଉଛି ଯୁଗ ଯୁଗର ଚିରନ୍ତନ ସାହିତ୍ୟ । ସେ ଓଡ଼ିଶାରେ ଉଚ୍ଚାରିତ ହେଉ, କି ପୃଥିବୀର ଯେକୌଣସି ଅଞ୍ଚଳରେ ଉଚ୍ଚାରିତ ହେଉ, ତା’କୁ ସମଗ୍ର ପୃଥିବୀ ନିଶ୍ଚୟ ସ୍ଵୀକାର କରିବ । ଆମେ ଯେତେ ଓଡ଼ିଶାର ଚାରିପାଖ ଯାକ ପାଚେରୀ ଟେକି ଓଡ଼ିଶା ପୃଥିବୀର ସବୁଠାରୁ ବଢ଼ିଆ ଦେଶ, ଓଡ଼ିଆ ସବୁଠାରୁ ବଡ଼ କାତି, ଏଗୁଡ଼ାକ ଗର୍ଜନ କଲେ ମଧ୍ୟ ଯଦି ଭିତରେ କେବଳ ଭୟାଳୁତା, ଭୀରୁତା ଭର୍ତ୍ତିହୋଇ ରହିଥିବ, ଆମେ ଯଦି ପରସ୍ପରକୁ ସହିପାରୁ ନଥିବା, ପରସ୍ପରକୁ ଦେଖିଲେ ହୁଏତ ହୀନମାନ୍ୟ ଭାବୁଥିବା ନିଜକୁ ବା ଉଗ୍ରମନ୍ୟ ଭାବୁଥିବା, ତେବେ କୌଣସି ସାହିତ୍ୟର କୌଣସି କୀର୍ତ୍ତି ଏଠି ପ୍ରମାଣିତ ହୋଇପାରିବ ନାହିଁ, ତେଣୁ ଏ ଯୁଗରେ ସାହିତ୍ୟକୁ ଆମେ ଟିକିଏ ଅନ୍ୟପ୍ରକାରେ ଦେଖିବା । ସାରା ପୃଥିବୀର ସାହିତ୍ୟରେ ଯଦି ବିଶ୍ଵସାହିତ୍ୟ ବୋଲି କୌଣସି ଜିନିଷ ଥାଏ, ସେହି ବିଶ୍ଵସାହିତ୍ୟରେ ଆଗାମୀ କେତେଶହ ବର୍ଷ ପର୍ଯ୍ୟନ୍ତ ସେଇଟା ହିଁ ସର୍ବପ୍ରଧାନ ବାଣୀ ହେବାକୁ ଯାଉଛି । ସେ ବାଣୀ ହେଉଛି ମଣିଷ କେନ୍ଦ୍ର, ଆଉ ସବୁ ପରିଧି । ଏ ସାହିତ୍ୟ, ଏ ସଂସ୍କୃତି, ଏ ଆଧୁନିକତା, ଏ ସମାଜ, ଏ ଶିକ୍ଷା, ଏ ବିଶ୍ଵବିଦ୍ୟାଳୟ, ଏ କଲେଜ ସବୁ ଅଛି । କେନ୍ଦ୍ର କେଉଁଠି କିଛି ନାହିଁ । ଆପଣମାନେ ଅଙ୍କ କିଛି କିଛି ଅତିକମରେ ହାଇସ୍କୁଲରେ ତ ପଢ଼ିଥିବେ । ଆପଣମାନେ ଭଲ କରି ଜାଣିଛନ୍ତି ଯେ କେନ୍ଦ୍ର ନଥିଲେ ପରିଧିର କୌଣସି ଅର୍ଥ ନାହିଁ । କାହିଁକିନା କେନ୍ଦ୍ରକୁ ଆପେକ୍ଷିକ ଭାବେ ନିର୍ଦ୍ଦିଷ୍ଟ ସ୍ଥିତିରେ ରଖିଲେ, ତା’ପରେ କାଇ ପରିଧି ତିଆରି ହୁଏ । ଆମ୍ଭମାନଙ୍କର ପରିଧି ସବୁଦିନେ ବଢ଼ି ବଢ଼ି ଚାଲିଛି, କିନ୍ତୁ କେନ୍ଦ୍ର କେଉଁଠି ହେଲେ ନାହିଁ । ନିଜ ଭିତରେ କେନ୍ଦ୍ର ନାହିଁ, ପରିବାରରେ କେନ୍ଦ୍ର ନାହିଁ, ନିଜ ଗାଆଁରେ ବି କେନ୍ଦ୍ର ନାହିଁ, ନିଜ Community ଯାହାକୁ ଆମେ ଗୋଷ୍ଠୀ ବୋଲି କହୁଛୁ, ସେଠି ମଧ୍ୟ କେନ୍ଦ୍ର ନାହିଁ, ସମସ୍ତେ ସମସ୍ତଙ୍କୁ ଖାଇ ଗୋଡ଼େଇବାରେ ଲାଗିଛନ୍ତି । ଓଡ଼ିଆ ଅଣଓଡ଼ିଆଙ୍କୁ ଗୋଡ଼େଇଛନ୍ତି, ବଡ଼ମାନେ ସାନମାନଙ୍କୁ ଗୋଡ଼େଇଛନ୍ତି, ଅଣଆଦିବାସୀମାନେ ଆଦିବାସୀଙ୍କି ଗୋଡ଼େଇଛନ୍ତି ଏବଂ ଆଦିବାସୀମାନଙ୍କ ଭିତରେ, ତା’ ଭିତରେ ଯେଉଁମାନେ more equal ଅର୍ଥାତ ଟିକେ ଭଲ ଆଦିବାସୀ ସେମାନେ ଅଶିକ୍ଷିତ ଆଦିବାସୀଙ୍କି ଗୋଡ଼େଇବାରେ ଲାଗିଛନ୍ତି । ଠିକ୍ ମହାଭାରତରେ ଭୀଷ୍ମ ଯାହା କହିଥିଲେ ଯୁଧିଷ୍ଠିରଙ୍କୁ ଉପଦେଶ ଦେଲାବେଳେ ସେଇ ବ୍ୟାୟ ସେଇ ନୀତି ଆମ ସମାଜରେ ଚାଲିଛି । ତାକୁ ସେ ମତ୍ସ୍ୟନ୍ୟାୟ ବୋଲି କହିଥିଲେ । ମତ୍ସ୍ୟନ୍ୟାୟ ବୁଝିପାରୁଥିବେ ଆପଣ । ମତ୍ସ୍ୟନ୍ୟାୟ ଯେଉଁଠି ଚାଲେ, ମାଛମାନଙ୍କର ସଂସାରରେ ଚାଲେ । ସେଠି ବଡ଼ମାଛମାନେ ସାନମାଛମାନଙ୍କୁ ଗିଳି ପକାନ୍ତି ବାଳିଆ ମାଛ ଗଡ଼େଇ, ଦଣ୍ଡକିରୀ, କେରାଣ୍ଡିମାନଙ୍କୁ ଗିଳିଦିଏ । ବର୍ତ୍ତମାନ ଆମ ସମାଜରେ, ତାହା ଓଡ଼ିଶା ଭିତରେ ହେଉ ଅବା ଓଡ଼ିଶା ବାହାରେ ହେଉ, କଲେଜ ଭିତରେ ହେଉ ଅବା କଲେଜ ବାହାରେ ହେଉ, ବ୍ୟାଙ୍କ ଭିତରେ ହେଉ ଅବା ବ୍ୟାଙ୍କ ବାହାରେ ହେଉ, ରାଜନୀତି ଭିତରେ ହେଉଅବା ରାଜନୀତି ବାହାରେ ହେଉ, ସବୁ ଜାଗାରେ ବଡ଼ମାନେ ସାନମାନଙ୍କୁ ଗିଳିବାରେ ବ୍ୟସ୍ତ । କି ସାହିତ୍ୟ ଆପଣାମନେ ଏହାକୁ ନେଇ କରିବେ । ଏବଂ ଯଦି ସାହିତ୍ୟ କରିବେ, ଆପଣମାନଙ୍କୁ ନିର୍ମମ ହେବାକୁ ପଡ଼ିବ । ସେଇଥିଲାଗି ବୋଧହୁଏ ଆଜିକାଲିକାର ସାହିତ୍ୟ ବେଶି ରଙ୍ଗରସ-ପ୍ରିୟ ହେଉଛି, ବେଶି ବୌଦ୍ଧିକ ହେଉଛି, ଯାହାଫଳରେ କି ମନୁଷ୍ୟ କିଛି ନହେଉ ପଛକେ, ନିର୍ମମ ହୋଇଯାଉ । ସବୁ ଜାଣିଥିବ, ପ୍ରୀତି ଜାଣିଥିବ, ପ୍ରେମ ଜାଣିଥିବ, ଦୟା ଜାଣିଥିବ, ମାୟା ଜାଣିଥିବ, ଇଚ୍ଛାମତେ ଆଜ୍ଞା ପ୍ରମାଣେ ଗୋଟେ ଗୋଟେ ବହି ଉଦ୍ଧାର କରି ଉଦ୍‌ଗାରି ପକାଉଥିବ; କିନ୍ତୁ ତା’ଭିତରେ ମନଟା ନଥିବ, ତା’ ଭିତରେ ହୃଦୟ ନଥିବ, ତା’ ଭିତରେ ନିର୍ଭୀକତା ନଥିବ, ତା’ ଭିତରେ ମଣିଷ ହେବାର ଏକ ସ୍ଵାଭାବିକ ନଥିବ, dignity of being human ନଥିବ । କି ଅପମାନଜନକ ଜୀବନ ଆମେ ସମସ୍ତେ ଯାପନ କରୁଛୁ, ସେକଥା ହେଲେ ସାହିତ୍ୟିକମାନେ କେବେ କହନ୍ତେ ! ମଣିଷ ଯେତେବେଳେ ଚିନି କଥା କହେ, ଚିନି ତ’ ଚିନି, ଆପଣମାନଙ୍କର ଯେତେବେଳେ ଆଚାର କଥା ସାଙ୍ଗମାନଙ୍କ ମେଳରେ ପଡ଼େ, ପାଟିରୁ ଲାଳ ବୋହେ କି ନାହିଁ ? ସତ କହନ୍ତୁ, ବୋହୁଥିବ ନା ନାହିଁ ? ଚିନି କଥା ଯେତେବେଳେ ପଡ଼ୁଥିବ, ସେତେବେଳେ ପାଟି ଭିତରଟା ଟିକେ ମିଠା ଲାଗୁଥିବ ନା ନାହିଁ ? ତେଣୁ ମୁଁ ଯାହା ଲେଖୁଛି, ଯାହା ମୁଁ ଭାବୁଛି, ମୋ’ ମଞ୍ଜ ଭିତରେ ତାହା କିଛି ନିଶ୍ଚୟ ଭେଦୁଥିବ । ଥରେ ଦୁଃଖ ଦେଖିକରି ଗୌତମବୁଦ୍ଧ ସାକ୍ୟସିଂହଙ୍କର ମଞ୍ଜ ଭିତରେ ଦୁଃଖ ଭେଦି ଯାଇଥିଲା । ସେଇଥିଲାଗି ଏମିତି କିଛି ଜିନିଷ ଦେଖିଲାପରେ ସେ ସଂସାର ଛାଡ଼ିଲେ ଏବଂ ସମସ୍ତ ପୃଥିବୀ ପାଇଁ କରୁଣାର ଅବତାର ହୋଇ ରହିଲେ; ମୈତ୍ରୀର ଅବତାର ହୋଇ ରହିଲେ । ସେମିତି ଅନେକ ଉଦାହରଣ ପୃଥିବୀରେ ଅଛି, ଯେଉଁ ମୁହୂର୍ତ୍ତରେ ଯାହା ଆମେ ଦେଖୁଛୁ, ଯାହା ଆମେ ପଢ଼ୁଛୁ, ଯାହା ଶୁଣୁଛୁ, ଯାହା ଆମେ ବହି ଆକାରରେ ମୁଖସ୍ଥ କରୁଛୁ, ଯଦି ସେ ଟିକେ skindeep ତଳକୁ ଗଲା, ଚମତଳକୁ ଗଲା, ମଳି ଚମ ଆମର ଭେଦ କଲା, ତା’ପରେ ଜୀବନ ବଦଳି ଯାଉଛି । ତାହା ପ୍ରକୃତରେ chemistry ହୋଇଯାଇଛି । Literature is chemistry, ଗୋଟେ କାଟାଲାଇଜିଙ୍ଗ୍ ପ୍ରକ୍ରିୟା ହିଁ ଆରମ୍ଭ ହୋଇଯାଉଛି । ଅନେକ ପୂର୍ବକାଳର chemistry ପୂର୍ବରୁ ଆଉ ଗୋଟେ ଶାସ୍ତ୍ର ଥିଲା, ସାରା ପୃଥିବୀରେ ଥିଲା, ଭାରତବର୍ଷରେ ବି ଥିଲା ଏବଂ ବିଶେଷ କରି ଗ୍ରୀସରେ ଥିଲା । ଇଜିପଟ୍, ମିଶର୍ ଦେଶରେ ଥିଲା । ତା’କୁ ଆଲ୍‌କେମି କହୁଥିଲେ । ସେହି ଆଲକେମିରୁ ବାହରିଛି ଆଧୁନିକ କେମିଷ୍ଟ୍ରୀ । ସେହି ଆଲକେମି ଯୁଗରେ ଲୋକମାନେ ବିଶ୍ଵାସ କରୁଥିଲେ ସନ୍ଧାନ କରିବା, ଯାହାକୁ ଛୁଆଁଇ ଦେଲେ ସବୁକିଛି ବଦଳିଯିବ । ସବୁ ବୁଣା ହୋଇଯିବ । ମଣିଷର ସଭ୍ୟତା, ମଣିଷର ସଂସ୍କୃତି, ପ୍ରକୃତ ସଭ୍ୟତା ଏବଂ ପ୍ରକୃତ ସଂସ୍କୃତି ଏଇ କାଟାଲାଇଜରର ସନ୍ଧାନରେ ଚାଲିଛି । କ’ଣ ମୁଁ ହେବି, କ’ଣ କରିବି, କ’ଣ ମୁଁ କହିବି ଯାହାଫଳରେ ମୁଁ ନିଜେ ବଦଳିଯିବ ଏବଂ ତା’ ସଙ୍ଗେ ସଙ୍ଗେ ଏହି ପୃଥିବୀ ମଧ୍ୟ ବଦଳିଯିବ । ସାହିତ୍ୟ ଗତ କେତେଶହ ବର୍ଷହେଲା, ବୋଧହୁଏ କେତେହଜାର ବର୍ଷ ହେଲା ଯାହା କହିଛି, ଯାହା ପଢ଼ିଛି, ଯାହା ଉପଦେଶ ଦେଇଛି, ସବୁ କରିଛି ବୋଧେ ବିଶେଷ କିଛି ହୋଇପାରିନାହିଁ । ଆମଭିତରକୁ ବିଶେଷ କିଛି ଭେଦିପାରି ନାହିଁ । ସେଇଥିଲାଗି ପ୍ଳେଟୋ କହିଥିଲେ, ମୋ’ର ‘The Republic’ରେ, ଏକ ଆଦର୍ଶ ସମାଜର ଚିତ୍ର ଯେଉଁ ବହିରେ ଲେଖିଛନ୍ତି, ସେଇଥିଲାଗି ସାହିତ୍ୟିକମାନଙ୍କୁ, କବିମାନଙ୍କୁ ମୁଁ ଆଗ ମୋ ରାଜ୍ୟରୁ ବାହାର କରିଦେବି । କାରଣ ସେମାନେ ଥିବା ପର୍ଯ୍ୟନ୍ତ ମଣିଷଙ୍କୁ ସେମାନେ ଶୀତଳ କରି ରଖିଥିବେ । ସାହିତ୍ୟ ଶୀତଳ କରନ୍ତା ନାହିଁ । ସାହିତ୍ୟ ପ୍ରକୃତରେ ଶକ୍ତି ଦିଅନ୍ତା । ଆମ ଦେଶରେ ଯେଉଁମାନେ ସାହିତ୍ୟ କରୁଛନ୍ତି ଏବଂ ସାହିତ୍ୟ ପଢ଼ୁଛନ୍ତି ସେମାନେ ଶକ୍ତିହୀନ ହୋଇ ବାହାରୁଛନ୍ତି । ସେମାନେ ପ୍ରକୃତରେ ନପୁଂସକ ହୋଇ ବାହାରୁଛନ୍ତି । Emasculation ବୋଲି ଏକ ଶବ୍ଦ ଅଛି ଇଂଲିଶ୍ ଭାଷାରେ । ମହାତ୍ମାଗାନ୍ଧୀ ସବୁବେଳେ ସେଇ ଶବ୍ଦ ବ୍ୟବହାର କରୁଥିଲେ ଯେତେବେଳେ ସେ କଲେଜ ଏବଂ ବିଶ୍ଵବିଦ୍ୟାଳୟକୁ ଆସୁଥିଲେ । ସେତେବେଳେ ସେ ଶିକ୍ଷିତମାନଙ୍କୁ କହୁଥିଲେ, “this modern education and modern civilization have emasculated us.” ଆମର ପ୍ରକୃତରେ ଯେଉଁ ପୌରୁଷ, ଗୀତାର ଅର୍ଥରେ ପୌରୁଷ, ପୁରୁଷ ଓ ନାରୀ ପ୍ରତ୍ୟେକଙ୍କ ଭିତରେ ଯିଏ ଅସଲ ଆତ୍ମା ହୋଇ ରହିଛି, ଅସଲ କେନ୍ଦ୍ର ହୋଇ ରହିଛି, ସେହି ପୌରୁଷ ଧୀରେ ଧୀରେ ଆମ୍ଭମାନଙ୍କ ଭିତରୁ ଚାଲିଯାଉଛି ଏବଂ ସେଇଥିଲାଗି ଏଠି ସମସ୍ତେ ପଚରା ହୋଇ ରହୁଛନ୍ତି କିନ୍ତୁ ମଣିଷ ଅପଚରା ହୋଇ ରହିଯାଉଛି । He has been reduced to a thing. ପ୍ରତ୍ୟେକ ମଣିଷ ଏଠି ଗୋଡ଼ି, ପଥର ଭଳିଆ ହୋଇ ରହୁଛି । ଅନ୍ୟମାନେ ତା’କୁ ଦଳି ଦେଇ ଚାଲିଯାଉଛନ୍ତି । ଚତୁରମାନେ ସହଜ ମଣିଷମାନଙ୍କୁ ଗିଳିବାରେ ଲାଗିଛନ୍ତି । ତଥାପି ଆମର ବଡ଼ଲୋକିଆ ସାହିତ୍ୟିକମାନେ, ବଡ଼ଲୋକି ଦେଖାଉଥିବା ସାହିତ୍ୟିକମାନେ ସେଇ ଅସହାୟ ମଣିଷମାନଙ୍କୁ ବିଷୟରେ ଲେଖା କବିତାକୁ ନେଇ, ତାକୁ ଇଂରାଜୀରେ ଅନୁବାଦ କରି ଆମେରିକାରେ ନାଁ ନେଇ ଓଡ଼ିଆ ସାହିତ୍ୟର ଗୌରବ ବଢ଼ାଉଛନ୍ତି । ଏଗୁଡ଼ାକ ଅତି ଲଜ୍ଜାର କଥା-। ଘୋର କଳିଯୁଗ ପଡ଼ିନଥିଲେ ଏଗୁଡ଼ାକୁ କେହି ସାହିତ୍ୟ ବୋଲି ସ୍ଵୀକାର କରୁନଥାନ୍ତା-। ଯେତେବେଳେ ପ୍ରକୃତରେ ଭାବ ମଣିଷ ଭିତରକୁ ଆସେ, ସେତେବେଳେ ଭାବପ୍ରବଣତା କମିଯାଏ-। ଆମ ଭିତରେ ଭାବପ୍ରବଣତା ବଢ଼ିଛି । ଚତୁରତା ତା’ ଭିତରେ ପ୍ରକୃତରେ ଟିକେ ମିଠା ଭଳିଆ କାମ କରୁଛି । Sugar-coating ଯେମିତି ହୁଏ ପିତା ଔଷଧରେ, Sugar-coating ଭଳିଆ କାମ କରୁଛି । ସେଇଥିଲାଗି ଆମେ ଧୀରେ ଧୀରେ ନିର୍ମମ ହୋଇ ଚାଲିଛୁ ।

 

ପୁଣି ଆହୁରି ପୂର୍ବକୁ ଫେରିଯାଆନ୍ତୁ । ପୃଥିବୀର ବୋଧହୁଏ ସର୍ବପ୍ରଥମେ ଲିଖିତ ସାହିତ୍ୟ, ଏଗୁଡ଼ାକ କହିବାକୁ ଭୟ ବି ଲାଗୁଛି, ଆପଣମାନଙ୍କର ସ୍ଵାଭିମାନ ତ’ ଥିବ, ମୋତେ ଗାଳି ବି ଦେଇପାରନ୍ତି, ପୃଥିବୀରେ ସର୍ବପ୍ରଥମ ସାହିତ୍ୟ ଭାରତବର୍ଷରେ ସୃଷ୍ଟି ହୋଇନଥିଲା । ମିଶରରେ ସୃଷ୍ଟି ହୋଇଥିଲା, ବେବିଲୋନରେ ସୃଷ୍ଟି ହୋଇଥିଲା । ମାଟି ଉପରେ ସେମାନେ ଆଗ ଛାଞ୍ଚରେ ଲେଖିକରି, ତା’ପରେ ପୋଡ଼ିକରି ସେମାନେ ରଖିଛନ୍ତି । ବେବିଲୋନ୍‌ର ଲାଇବ୍ରେରୀରେ, ବାଗ୍‌ଦାଦ୍‌ର ଲାଇବ୍ରେରୀରେ, କାଇରୋର ଲାଇବ୍ରେରୀରେ ଏବେବି ସେସବୁ ପୋଥି ରହିଛି । ମାଟି ତିଆରି ପୋଥି, ର୍ଭୁଜପତ୍ର ତିଆରି ପୋଥି । ସେଥିରେ ଅନେକ ପୂର୍ବରୁ, ପାଞ୍ଚ ଛଅ ହଜାର ବର୍ଷ ପୂର୍ବରୁ ଯେଉଁ ମିଶରର ଧର୍ମବାକ୍ୟ ସବୁ ରହିଛି, ସେଥିରେ ଗୋଟିଏ ବାକ୍ୟ ରହିଛି, ଆଧୁନିକ ସମାଜ ଭିତରେ ବିଚରଣ କଲାବେଳେ ମୁଁ ପ୍ରାୟ ଅଧିକାଂଶ ସମୟରେ ସେହିପରି କରିଥାଏ । ସେ ବାକ୍ୟଟି ହେଉଛି, everyman is drunk, but no one has thirst. ସମସ୍ତେ ପିଇକରି ମାତାଲ, କିନ୍ତୁ ଶୋଷ କାହରି ଭିତରେ ନାହିଁ । ଆଧୁନିକ ସମାଜରେ ବୋଧେ ଅଧିକ ଉପଯୁକ୍ତ ଭାବରେ ଏହିକଥା କହିବାକୁ ହୁଏ । We all are drunk, but we do not have any thirst. ଆମ୍ଭେ ସମସ୍ତେ ପିଇକରି ମାତାଲ । କିଏ କେତେ ପ୍ରକାରର ଜିନିଷ ପିଉଛି । କିଏ ଟଙ୍କା ପିଇ କରି ବସିଛି; କିଏ ଫେଶନ ପିଇକରି ବସିଛି, କିଏ କ୍ଷମତା ପିଇକରି ବସିଛି, କିଏ ସିନେମା ସଂସାରର ଖୁଣ୍ଟିନାଣ୍ଟି ସବୁକଥା ପିଇକରି ବସିଛି, କିଏ ଧଳା ବଜାରକୁ କଳା କରି ସେଗୁଡ଼ିକୁ ଘାଣ୍ଟି ଘାଣ୍ଟି ସେଗୁଡ଼ିକୁ ପିଇକରି ବସିଛି, କିଏ ଘୁଅମୂତ ପିଇକରି ବସିଛି, କିଏ ରାଜନୀତି ପିଇକରି ବସିଛି, କିଏ ଶିକ୍ଷା ବି ପିଇକରି ବି ବସିଛି, କିନ୍ତୁ, ଶୋଷ କେଉଁଠି ହେଲେ ନାହିଁ-। ତେଣୁ ସେଇଥିଲାଗି ବୋଧେ ସବୁଠାରୁ ଆମ ଦେଶରେ, ତା’ଠାରୁ ଆହୁରି ବେଶୀ ଏଇ ଓଡ଼ିଶା ପ୍ରଦେଶରେ ଆମ ସମସ୍ତଙ୍କୁ ଏତେ ଶୀତଳ କରି ରଖାଯାଇଛି, ଯେମିତି ଆମକୁ ମୋଟେ ଶୋଷ ନକରିବ । ସେଇଥିଲାଗି କହିଦିଆଯାଇଛି ଆମ ଦେଶରେ ସବୁ ଅଛି । ଯେଉଁଠି ପିଲାମାନେ ପାଠ ପଢ଼ିଲା ବେଳୁ ଶୁଣି ଶୁଣି ଆସିବେ ଯେ, ଆମ ଦେଶରେ ସବୁଅଛି, ସେମାନେ ପ୍ରତିଜ୍ଞା କରିନେବେ ଯେ ଆମେ କିଛି ହେବୁ ନାହିଁ । ସାହିତ୍ୟ ଠିକ୍ ଓଲଟା କରନ୍ତା, ଧର୍ମ ଓଲଟା କରନ୍ତା, ସଂସ୍କୃତି ଓଲଟା କରନ୍ତା । ଆମର ଆହୁରି ଅନେକ ଜିନିଷ ବାକି ଅଛି, ସେହିପରି ଏକ ଶୋଷ ବା ପିପାସା ବା ବୁଭୁକ୍ଷା ଆମ ଭିତରେ ଜାଗୃତ କରନ୍ତା । ତା’ହେଲେ ଯାଇକରି ଆମର ଏ ସାହିତ୍ୟ ସାର୍ଥକ ହେବ । ଆମର ଗୁରୁଜନମାନେ, ଆମର ସାର୍‍ମାନେ, ଆମର ପଣ୍ଡିତମାନେ ଏବଂ ଅମାର ନେତାମାନେ ଅମାକୁ ଆଉ କିଛି ନକରନ୍ତୁ ପଛକେ, ଆମକୁ ଚାକିରୀ ନଦିଅନ୍ତୁ, ଆମକୁ ଫେଶନ ନଶିଖାନ୍ତୁ, ଆମକୁ ଆହୁରି ବଡ଼ ବଡ଼ ପୋଲ, ବଡ଼ ବଡ଼ ରାସ୍ତା, ବଡ଼ ବଡ଼ କୋଠା, ବଡ଼ ବଡ଼ ବାବୁ, ବଡ଼ ବଡ଼ ଅଫିସର ଏସବୁ ମଧ୍ୟ ଆଣି ନଦିଅନ୍ତୁ,—କିନ୍ତୁ ଅମାକୁ ଭୋକିଲା ରଖନ୍ତୁ । ଆମେ ଯାହା କିଛି ଦେଖୁ ପଛକେ, ତଥାପି ଆମେ ଭୁଲିନଯାଉ ଯେ, ଏଠି ଅନେକ କିଛି ତିଆରି କରିବାର ବାକି ଅଛି । ଏଠି ମଣିଷ ହେବାପାଇଁ ଅନେକ କିଛି ଜିନିଷ ବାକି ଅଛି । କାରଣ ଯେଉଁମାନେ ସାମନାରେ ବୁଲୁଛନ୍ତି, ସେମାନେ ସମସ୍ତେ ମଣିଷ ନୁହନ୍ତି, ପୂରା ଅଲଗା ପ୍ରକାରର । ଏ ଦେଶଟାକୁ ଅନ୍ଧକରି ରଖାଯାଇଛି ବୋଲି, ଏଠି ସବୁପ୍ରକାରର ଲୋକ ରାଜା ବୋଲାଉଛନ୍ତି ଏବଂ ଆମେମାନେ ତାଙ୍କୁ ଫୁଲମାଳ ଦେଇ ପୂଜା କରିବାରେ ଲାଗିଛୁ । ତେଣୁ ବନ୍ଧୁଗଣ, ଯେଉଁମାନେ ବିଜ୍ଞ, ଯେଉଁମାନଙ୍କ ବିଷୟରେ ଆପଣମାନେ ପରିଚୟ ଶୁଣାଇଛନ୍ତି ଆଜି ସଭାର ଆରମ୍ଭରେ, ସେମାନଙ୍କର ସମୟ ଚାଲିଯାଉଛି, ଆପଣମାନଙ୍କର ସମୟ ଆସୁଛି । ଯେଉଁ ସମୟ ଆସୁଛି, ତା’ କେବଳ ଓଡ଼ିଶାରେ ଆସିବ ନାହିଁ, ଯେଉଁ ସଂସ୍କୃତି ଆସୁଛି ତା’କୁ କେବଳ ଓଡ଼ିଶାର ସଂସ୍କୃତି ବୋଲି କେହି କହିବ ନାହିଁ, ଯେଉଁ ସମୟ ଆସୁଛି ସେଠି ଖାସ୍ ଓଡ଼ିଆ ସାହିତ୍ୟ ବୋଲି କିଛି ରହିବ ନାହିଁ । ବିଶ୍ଵସାହିତ୍ୟ ଭିତରେ ଯିଏ ନିଜର ଯେତିକି ଅବଦାନ ଦେଇପାରିବ, ସାହିତ୍ୟ ହିସାବରେ ବଞ୍ଚିବାର ଅଧିକାର, ବଞ୍ଚିବାର ହକ୍, ତା’ର କେବଳ ସେତିକି ମାତ୍ରାରେ ମୂଲ୍ୟ ରହିବ । ଆମେ ଯଦି ଇଚ୍ଛା କରିବା ଆମେ ସେ mainstream ମୁଖ୍ୟ ପ୍ରବାହ ଭିତରୁ ନିଜକୁ ଅଲଗା କରି ରଖିପାରିବା, ଅଫିମ ଖାଇ ନିଜ ଘରେ ରହିପାରିବା ଏବଂ ଯାହା କରନ୍ତି ନିଜ ଡିହ ଉପରେ ଭୁକୁଥିବା କୁକୁରମାନେ, ସେମିତି ଆମେ ଗଗନ କମ୍ପାଉଥିବା । କିନ୍ତୁ ପୃଥିବୀରେ ଆମର ଚିହ୍ନ ରହିବ ନାହିଁ । ବର୍ତ୍ତମାନ ପୃଥିବୀରେ ଯେଉଁ ସମୟ ଆସୁଛି ସେହି ପୃଥିବୀର ଲୋକ କହିସାରିଲେଣି, ବିଜ୍ଞମାନେବି କହିସାରିଲେଣି ଯେ ଏ ପୃଥିବୀରେ କିଛି ଆଉ ରହିବ ନାହିଁ । ପରିବାରର ସଂଜ୍ଞା ବଦଳିଯିବ । କାରଣ ଆମେ ଜାଣିଛୁ ପୃଥିବୀରେ ଏପର୍ଯ୍ୟନ୍ତ ଯେଉଁ ପରିବାର ରହିଆସିଛି, ମୁଁ ପୁଣି କହୁଛି ମୋତେ ଗାଳିଦେବା ପୂର୍ବରୁ ନିଜ ଭିତରକୁ ପଚାରିବେ, ନିଜ ଆତ୍ମାକୁ ପଚାରିବେ,—ତାହା ଆମକୁ ଅଧିକରୁ ଅଧିକ ସ୍ଵାର୍ଥପର ହୋଇ ଶିଖାଇଛି । ରତ୍ନାକର ଦସ୍ୟୁ ଯାହା କରୁଥିଲା ପରିବାର ପାଇଁ ଆମେ ସେଇକଥା କରୁଛୁ । ରତ୍ନାକର ଦସ୍ୟୁ ପରିବାର ପାଇଁ ସେକାଳରେ ଯାହା କରୁଥିଲା ଆମେ ସେଇଆ କରିବାକୁ ପାଠ ପଢ଼ୁଛୁ, ସେଇଆ କରିବାକୁ ଚଲାଖ ହେଉଛୁ, ସେଇଆ କରିବା ପାଇଁ ବିଦ୍ଵାନ ହେଉଛୁ, ରାଜନୀତି କରୁଛୁ । ପରିବାରର ସେ ସଂଜ୍ଞା ଉଠିଗଲାଣି ପରିବାବରେ ଯଦି ସ୍ନେହ, ପ୍ରେମ, ମମତା ବ୍ୟକ୍ତିଗତ ଉଷ୍ମତା ଏଇଗୁଡ଼ାକୁ ଯଦି ପରିବାର ଆମକୁ ଶିଖାଇବ ତେବେ କେଉଁ ନୀତି ଅନୁସାରେ କେବଳ ଗୋଟିଏ ପରିବାର ଭିତରେ ମଣିଷ ଆବଦ୍ଧ ହୋଇ ରହିବ ? ସାରା ପୃଥିବୀକୁ ଚପେଇକରି ବୋକା ବନାଇ ରଖିବ ? ଏବଂ ଆମ ନିଜ ପରିବାରଟି କେବଳ ବଢ଼ି ବଢ଼ି ଯାଉଥିବ । କରଞ୍ଜିଆରେ ଘର ହେବ, ତା’ପରେ ବାରିପଦାରେ ଘର ହେବ, ତା’ପରେ ଭୁବନେଶ୍ୱରରେ ଘର ହେବ ଏବଂ ସମସ୍ତେ ଦେଖିବେ ମୁଁ କେଡ଼େ ବଡ଼ଲୋକ ହୋଇପାରିଲି । ସେ ପରିବାରର ଯେଉଁ illogic, ଯେଉଁ ଅନ୍ୟାୟ ତାହା ଲୁପ୍ତ ହେବାକୁ ଯାଉଛି । ସେଇଥିପାଇଁ ଯେଉଁ morality ଆସୁଛି, ଯେଉଁ ନୈତିକତା ଆସୁଛି, ଯେଉଁ ଅଧ୍ୟାତ୍ମିକତା ଆସୁଛି, ଯେଉଁ ମୂଲ୍ୟବୋଧ ଆସୁଛି, ସେ ମୂଲ୍ୟବୋଧ ପୂରା ଅନ୍ୟପ୍ରକାରର ମୂଲ୍ୟବୋଧ । ମୋ’ର ପିଲାଦିନ କଥା ଏବେବି ଟିକିଏ ଟିକିଏ ମନେ ପଡ଼ୁଛି । ଆମେ ଛୁଆଦିନେ ଗାଁରେ ଯେତେବେଳ ଥିଲୁ, ସକାଳେ ଶୀତଦିନେ ଯେତେବେଳେ ଶୀତଲାଗେ, ସକାଳେ ଘୋଡ଼ି ହେବାପାଇଁ ଗୋଟେ ମୋଟା ଚଦର ଘୋଡ଼ିହୋଇ ରହୁଥିଲୁ । ତା’ପରେ ସକାଳୁ ନିଜର ଖାଇବା ଜିନିଷତକ ନେଇ ସକାଳୁ ପିଲାମାନେ ଯେଉଁଠି ଖରା ପୋଉଁଥିଲୁ ସେଠି ରୁଣ୍ଡ ହେଉ । କେତେ ମାଡ଼ ମୁଁ ବୋଉଠାରୁ ଖାଇଛି । କାହିଁକି ନା ବୋଉ ପିଠାଗୁଡ଼ାକ କାଟି କରି ଆମ ଭାଇମାନଙ୍କୁ ଭଉଣୀମାନଙ୍କୁ ଦେଇଦେବ, ଆମେ ତାକୁ ଘୋଡ଼ିହେଲା ଭିତରେ ନେଇଯିବୁ । ସାଙ୍ଗେ ସାଙ୍ଗେ ଦଉଡ଼ିବୁ ପିଲାମାନେ ଯେଉଁଠି ଏକାଠି ହୁଅନ୍ତି । ଏବଂ ବୋଉ ଏଡ଼େ ପାଟିରେ କହିବ, ତୁ ବୋକା ତୁ ସେଠିକି ଯାଆନା, ତୁ ଏଇଠି ବସିକରି ଖାଆ । କାରଣ ବୁଝିପାରୁଛନ୍ତି ନା ନାହିଁ ? ସେଠିକି ଚାଲିଗଲେ, ଆପଣମାନଙ୍କ ହଷ୍ଟେଲରେ ଏବେବି ସେକଥା ହେଉଥିବ । ହଷ୍ଟେଲରେ ଯଦି ଯିଏ ଜଣେ ଘରୁ ଭୁଜା ନେଇକରି ଆସୁଥିବ, ଏକାଦିନକେ ତାକୁ ସମସ୍ତେ ମିଶି କାରବାର କରୁଥିବେ ନା ନାହିଁ ? ସେମିତି ଆମେ ସମସ୍ତେ ଏକାଠି ପିଲାମାନେ ରୁଣ୍ଡ ହୋଇ ଯାହାଘରୁ ଯାହା ଆସୁଥିଲା ତାକୁ କାରବାର କରୁଥିଲୁ । ବୋଉମାନେ ସେକଥା ଚାହାନ୍ତି ନାହିଁ । ବୋଉମାନେ ଚାହାନ୍ତି ଅତ୍ରାଗଚ୍ଛ, ଇହ ତିଷ୍ଠ । ଏଇଠି ବସ । କାରଣ ତୁ ମୋ’ ପୁଅ । ଏଇ କି ପରିବାର । କି ନୃଶଂସତା ମୂଳରୁ ଆମ ବୀଜରୁ ଆରମ୍ଭ ହୋଇଛି । ଏ ପରିବାର ବିଂଶ ଶତାବ୍ଦୀ ପରେ ଆଉ ରହିବ ନାହିଁ । ଏଟା ଏକଦମ୍ ସତକଥା । ସେଇଥିଲାଗି ଆପଣମାନେ ଦେଖିବେ, ଆପଣମାନେ ଯେତେବେଳେ ନିଜ ଚାକିରିପାଇଁ ଷ୍ଟ୍ରାଇକ୍ କରୁଛନ୍ତି, ସ୍ନାତକୋତ୍ତର ଖୋଲୁ ବୋଲି ଷ୍ଟ୍ରାଇକ୍ କରୁଛନ୍ତି, ଆଉ କ’ଣ ଖୋଲୁ ବୋଲି କ’ଣ କରୁଛନ୍ତି, ଏ ରେଳ ରାସ୍ତାଟା ଏବାଟେ ନଯାଇ ସେବାଟେ ଯାଉ, ଦକ୍ଷିଣପୂର୍ବ ରେଳର ହେଡ଼କ୍ଵାର୍ଟର ଖୋର୍ଦ୍ଧାରେ ରହୁ ଏଥିପାଇଁ ଯେତେବେଳେ ଯୁବକ ଯୁବତୀମାନେ ଧାରଣା ଦେଉଛନ୍ତି ଅଫିସ ଆଗରେ, ବିଦେଶରେ ପିଲାମାନେ ସେତେବେଳେ ଓଲଟା କାମ କରୁଛନ୍ତି । ସେମାନେ କହୁଛନ୍ତି ପୃଥିବୀରେ ଜାତି ରହିବ ନାହିଁ । Because this is reduced to heartlessness. ହୃଦୟ କହୁଛି, ଆମେ ଜର୍ମାନ ନୋହୁ, ଆମେ ଇଂରେଜ ନୋହୁ, ଆମେ ଓଡ଼ିଶା ନୋହୁ, ଆମେ କିଛି ନୋହୁ, ଆମେ ଆଗ ମଣିଷ-। ଓଡ଼ିଶାରେ କେବଳ ଜଣେ ଲୋକ ସେକଥା କହିପାରୁଥିଲା ଏବଂ ସେଥିଲାଗି ତାକୁ ଅନେକ ନିର୍ଯାତନା ସହିବାକୁ ହୋଇଥିଲା । ଓଡ଼ିଶାରେ କେବଳ ଜଣେ ଲୋକ ପ୍ରାୟ ସତୁରୀ ବର୍ଷ ତଳେ, ମୁଁ ଠିକ୍ ହିସାବଫିସାବ କରିପାରୁନାହିଁ, ସତୁରୀ ବର୍ଷ କି ଅଶୀବର୍ଷ ତଳେ କହିଥିଲା, ଆମ୍ଭେମାନେ ପ୍ରଥମେ ମଣିଷ, ତା’ପରେ ଭାରତବାସୀ ଏବଂ ସର୍ବଶେଷରେ ଓଡ଼ିଆ । ସେତେବେଳେ ଓଲଟା ନୀତି ଚିଲିଥିଲା ଓଡ଼ିଶା ଭିତରେ । ଓଡ଼ିଶାର ନେତୃତ୍ଵ ଘୋଷଣା କରୁଥିଲା, ଉପଦେଶ ଦେଇ ବୁଲୁଥିଲା, ମୟୁରଭଞ୍ଜ ମହାରାଜା ବି ତା’ ଭିତରେ ସାମିଲ ଥିଲେ, ସେ ନେତୃତ୍ଵ ଭିତରେ ଯେଉଁମାନେ ପ୍ରଚାର କରୁଥିଲେ, ନାଇଁ ନାଇଁ ମିଛ କଥା, ଆମ୍ଭେମାନେ ପ୍ରଥମେ ଓଡ଼ିଶା, ତା’ପରେ ଭାରତବାସୀ, ଯଦି ଦରକାର ପଡ଼େ ଯମଦାଣ୍ଡରେ ହୁଏତ ଠିଆହେଲାବେଳେ ହିସାବ ଦେଲାବେଳେ ସେତେବେଳେ ହୁଏତ କହିବା ମଣିଷ । ଆପଣମାନେ ବିଚାର କରନ୍ତୁ, ଦୁଇରକମର ସ୍ରୋତ ଏକାବେଳେକେ ଚାଲିଛି, Parallael straight lines ପରି । ପୃଥିବୀରେ ସବୁଦେଶରେ ଛୋଟ ଛୋଟ ଦେଶଠାରୁ ବଡ଼ ଦେଶ ପର୍ଯ୍ୟନ୍ତ ପିଲାମାନେ କହୁଛନ୍ତି ଗୋଟେ ନୂଆଯୁଗ ଆସିବ, ଯେଉଁଠି ଆମେମାନେ ଗୋଟିଏ ଦେଶରୁ ହେବୁ ନାହିଁ । କାଲିଫର୍ଣ୍ଣିଆ ବୋଲି ଗୋଟେ ଜାଗା ଅଛି । ଦେଖିଥିବେ, ଉତ୍ତର ଆମେରିକାର ଶେଷକୁ ଗୋଟେ ଛୋଟିଆ ସରୁ ଚେନାଟିଏ ଗଳିଯାଇଛି କାଲିଫର୍ଣ୍ଣିଆର ଶେଷରେ । ସେଠି ଲୋକ ନଥିଲେ, କେହି ବାସ କରୁନଥିଲେ । କାଲିଫର୍ଣ୍ଣିଆ ୟୁନିଭରସିଟିର ସବୁଠାରୁ ଭଲପିଲାମାନେ, ଭଲପିଲାମାନେ ବୁଝୁଛନ୍ତି ତ, ପାଠପଢ଼ାରେ ଯେଉଁମାନେ ଭଲ, brilliant boys and girls ସେମାନେ ଘର ଛାଡ଼ି, ବିଶ୍ୱବିଦ୍ୟାଳୟ ଛାଡ଼ି ସେମାନେ ସେଇଠି ଯାଇ ରହିଲେ । ନିଜେ କୋଦାଳରେ, କୋଡ଼ିରେ ଚାଷ କରି ବଗିଚା କରୁଛନ୍ତି; ଏବଂ ବଗିଚାରେ ଯେତିକି ଫସଲ ଉତ୍ପାଦନ କରାଯାଉଛି, ସେତିକି ସେମାନେ ଖାଇକରି ରହୁଛନ୍ତି ଏବଂ ତା’ ସାଙ୍ଗେ ସାଙ୍ଗେ ସମାଜ ବିଜ୍ଞାନ ଏବଂ ଦର୍ଶନ ଆଲୋଚନା କରୁଛନ୍ତି । କେତେବର୍ଷ ଧରି ଆମେରିକାରେ, ୟୁନିଭରସିଟିମାନଙ୍କରେ commerceରେ କେହି ନାଁ ଲେଖାଇଲେ ନାହିଁକି ବିଜ୍ଞାନରେ କେହି ନାଁ ଲେଖାଇଲେ ନାହିଁ । ମୁଁ ଶୁଣୁଛି ଆପଣଙ୍କର ଏଠି Commerce ଅଛି, ବିଜ୍ଞାନ ବି ଅଛି । ଏବଂ ଆଜିକାଲି କୁଆଡ଼େ ଆମ ଦେଶରେ, ଓଡ଼ିଶାରେ Commerceରେ ଓ ବିଜ୍ଞାନରେ ବେଶୀ ଭିଡ଼ ହେଉଛି । ଆମେରିକାରେ ଯେତେବେଳେ ଭିଏତନାମ୍ ଯୁଦ୍ଧ ଲାଗିଥିଲା, ସେତେବେଳେ Commerceରେ ଏବଂ ବିଜ୍ଞାନରେ କେହି ନାଁ ଲେଖାଇଲେ ନାହିଁ । ମନୋବିଜ୍ଞାନୀ ବୈଜ୍ଞାନିକମାନେ ଏବଂ ସମାଜ-ବୈଜ୍ଞାନିକମାନେ ତାକୁ ଅନୁସନ୍ଧାନ କାଲେ । ପିଲାମାନଙ୍କୁ ପଚାରିଲେ, ପ୍ରଶ୍ନାବଳୀ ଦିଆଗଲା । ଉତ୍ତର, ଅଧିକାଂଶ ଉତ୍ତର ଜାଣିଚନ୍ତି କ’ଣ ଆସିଲା ? ଏଇ ୧୯୭୦/ ୭୨ ମସିହା ବେଳର କଥା । ଅଧିକାଂଶ ପିଲା ଉତ୍ତର ଦେଇଥିଲେ, ବିଜ୍ଞାନ କ’ଣ ପାଇଁ ପଢ଼ିବୁ ? ଭିଏତ୍‌ନାମରେ ଯାଇକରି ନାପାମ୍ ଗ୍ୟାସ୍ ପକାଇ ଗାଁ ଗୁଡ଼ାକୁ ପୋଡ଼ିବୁ ବୋଲି ବିଜ୍ଞାନ ପଢ଼ିବୁ ? ଆମେ ବିଜ୍ଞାନ ପଢ଼ିବୁ ନାହିଁ । ଆପଣମାନଙ୍କ ଭଳିଆ ସେମାନଙ୍କର ବି ନାଶ ଦାଢ଼ି ଥିବ । କିନ୍ତୁ ଦେଖନ୍ତୁ, ମନରେ ହୃଦୟରେ କେତେଦୂରରେ ଆମେ ତାଙ୍କଠାରୁ ରହିଛୁ ସେହିପିଲାଙ୍କ ଠାରୁ । Commerce କାହିଁକି ପଢ଼ିବୁ ନାହିଁ ? ନାଁ ଆମେ ଆମେରିକାର ବଣିଆମାନଙ୍କୁ ହିସାବ ଠିକ୍ ରଖିବାରେ ସାହାଯ୍ୟ କରିବାକୁ Commerce ପଢ଼ିବୁ ? ଆମେ Commerce ପଢ଼ିବୁ ନାହିଁ । ଆମେ Socilogy ପଢ଼ିବୁ, Psychology ପଢ଼ିବୁ । ଯଦ୍ଦ୍ଵାରା ପରସ୍ପରକୁ ଆମେ ଅଧିକରୁ ଅଧିକ ବୁଝିପାରିବୁ । ପରସ୍ପରର ଅଧିକ ନିକଟବର୍ତ୍ତୀ ହୋଇପାରିବୁ । ବାହାରେ ନୁହେଁ ଅନ୍ତରରେ; ଏବଂ ଆମେ Sociology ପଢ଼ିବୁ: ଏକ ଅନ୍ୟ ଅଭଳି ସମାଜ ସମ୍ଭବ ହୋଇପାରିବ କି ନାହିଁ ସେଇଥିପାଇଁ Sociology ପଢ଼ିବୁ । ଦର୍ଶନ ଏଇଥିପାଇଁ ପଢ଼ିବୁ ଯେ ପୃଥିବୀପାଇଁ ସବୁ ମଣିଷଙ୍କୁ ଗୋଟିଏ ଘରେ ଠୁଳକରି ଆତ୍ମୀୟତାବଦ୍ଧ କରି ରଖିବାପାଇଁ କୌଣସି ଦର୍ଶନ ଆମକୁ ସହାୟକ ହୋଇପାରିବ କି ନାହିଁ, ସେଇଥିଲାଗି ଆମେ ଦର୍ଶନ ପଢ଼ିବୁ ।

 

ପୁଣି କେତେବର୍ଷ ତଳେ, ସେ ଇତିହାସର ବିଷୟ ଏଠିଥିବ ନିଶ୍ଚୟ । ଇତିହାର କ୍ଷେତ୍ରରେ ଜଣେ ଅନେକବଡ଼ ମଣିଷ । ତିନି ଚାରି ବର୍ଷ ତଳେ ତାଙ୍କର କାଳ ହୋଇଯାଇଛି । ଆରନୋଲଡ଼୍ ଟଏନ୍‌ବି ବୋଲି । Study of History ପ୍ରାୟ ୧୨ ଭଲ୍ୟୁମ ଲେଖଛନ୍ତି, ୧୨ ହଜାର ପୃଷ୍ଠାର । ବିଶ୍ଵାସ କରନ୍ତୁ ତା’ଭିତର ମଧ୍ୟ ସେ ଓଡ଼ିଶାର ଇତିହାସ ଇଲ୍ଲେଖ ଦେଇଛନ୍ତି । ଅର୍ଥାତ୍ ସମସ୍ତେ କହୁଥିଲେ ସାରା ପୃଥିବୀର ସ୍ଥାନୀୟ ଏବଂ ଜାତୀୟ ଇତିହାସ ତାଙ୍କ ତୁଣ୍ଡରେ ଥିଲା-। ସବାଶେଷରେ ସେ ଗୋଟିଏ ଛୋଟିଆ ପ୍ରବନ୍ଧରେ ଲେଖିଗଲେ ଯେ, ତୃତୀୟ ମହାଯୁଦ୍ଧ ଆରମ୍ଭ ହୋଇଗଲାଣି ଏବଂ ଏ ତୃତୀୟ ମହାଯୁଦ୍ଧରୁ ପ୍ରକୃତରେ ଏକ ନୂତନ ପୃଥିବୀ ଜନ୍ମଲାଭ କରିବାକୁ ଯାଉଛି । ସମସ୍ତେ କହିଲେ, ଇଏ କ’ଣ ପାଗଳ ହୋଇଗଲେ ବୁଢ଼ା ? ତୃତୀୟ ମହାଯୁଦ୍ଧତ’ ମୋଟେ ଆରମ୍ଭ ହୋଇନାହିଁ । ସେ ତା’କୁ ଭାରି ମଜାକରି ଲେଖଛନ୍ତି ଯେ ତୃତୀୟ ମହାଯୁଦ୍ଧ ଯଦି ଆରମ୍ଭ ହେବ, ଏଥିଲାଗି ବନ୍ଧୁକ ଦରକାର ପଡ଼ିବ ନାହିଁ । ଏଥିଲାଗି ବୋମା ଦରକାର ପଡ଼ିବ ନାହିଁ-। ଏ ଯେଉଁ ଯୁଦ୍ଧ ହେବ ଦେଶଦେଶ ଭିତରେ ସରକାର ସରକାର ଭିତରେ ଯୁଦ୍ଧ ହେବ ନାହିଁ-। ପୃଥିବୀରେ ଏପର୍ଯ୍ୟନ୍ତ ଯେତେ ଯୁଦ୍ଧ ହୋଇଛି ସବୁ ରାଜା ରାଜା ଭିତରେ ସରକାର ସରକାର ଭିତରେ ଯୁଦ୍ଧ ହୋଇଛି । କିନ୍ତୁ, ଏ ତୃତୀୟ ମହାଯୁଦ୍ଧ ଯାହା ଆରମ୍ଭ ହୋଇଗଲାଣି ଏଇଟା ପ୍ରତ୍ୟେକ ଘରେ ଆରମ୍ଭ ହେବ, ପ୍ରତ୍ୟେକ Communityରେ, ପ୍ରତ୍ୟେକ ସମାଜରେ ଆରମ୍ଭ ହେବ, ପ୍ରତ୍ୟେକ ଦେଶରେ ଆରମ୍ଭ ହେବ । ଏ ଯୁଦ୍ଧ ଗତପୁରୁଷ ଏବଂ ଆଗାମୀ ପୁରୁଷ the generation that is over and the generation that is coming. ଦୁଇ ପୁରୁଷ ଭିତରେ ଯୁଦ୍ଧ ଆରମ୍ଭ ହେବ । ପ୍ରତ୍ୟେକ ଘରେ ଆରମ୍ଭ ହେବ । ଏବଂ ସେଇ ଯୁଦ୍ଧରେ ଆଗାମୀ ପୁରୁଷ ଜୟଲାଭ କରିବ । ଜର୍ମାନୀରେ ଏକଦା ହାଇସ୍କୁଲଟାକୁ ପିଲାମାନେ ଦଖଲ କରିନେଲେ । ଆପଣମାନେ ସେଠି କଲେଜ ଦଖଲ କରନ୍ତେ ତ କ’ଣ କରନ୍ତେ-? ବର୍ତ୍ତମାନ ଆପଣଙ୍କ ଭିତରୁ ଯଦି କେହି ସ୍ଲୋଗାନ ଦେଇ ବାହାରନ୍ତା ଚାଲ କଲେଜଟାକୁ ଦଖଲ କରିନେବା ତେବେ ଆଗ ଏଇ ତିନିଟାଯାକ ଲାଇଟ୍‌କୁ ଭାଙ୍ଗନ୍ତେ । ଆଖି ଜଳକା କରିଦେଉଥିବା ତିନିଟା ଲାଇଟ୍‌କୁ ଭାଙ୍ଗନ୍ତେ । ବାହାର ଲାଇଟତକ ରାସ୍ତାରେ ଭାଙ୍ଗନ୍ତେ । ସେଠି କଲେଜଟାକୁ ଦଖଲ କରି ସେକଥା ସେମାନେ ସେପରି କଲେ ନାହିଁ । ତାଙ୍କ ଭିତରୁ ଜଣେ ପ୍ରିନ୍‌ସପାଲ୍ ହେଲେ, ପ୍ରିନ୍‌ସିପାଲ ତ କୁହନ୍ତି ନାହିଁ ରେକ୍‌ଟର୍ ହେଲେ ଏବଂ ଛୋଟିଆ ସ୍କୁଲ କମିଟିଟିଏ ତିଆରି ହେଲା ଛାତ୍ରଛାତ୍ରୀମାନଙ୍କୁ ନେଇ କରି ସାଙ୍ଗେ ସାଙ୍ଗେ ଅଧ୍ୟାପକମାନଙ୍କୁ ଚାକିରୀ terminate କରିଦିଆଗଲା । ସରିଗଲା ଚାକିରୀ । ଅଧ୍ୟପକମାନଙ୍କୁ ଅବ୍ୟାହତି ଦିଆଗଲା । କେଡ଼େ ମଜା କଥା ! ତା’ପରେ କ’ଣ ? ତା’ପରେ ଇସ୍କୁଲଟା ଆମେ ଚଳେଇବା । କେମିତି ଚଳେଇବା ? ଯେହେତୁ ଆମେ ଏ ଇସ୍କୁଲର ମାଲିକ । ତେଣୁ ସେମାନେ କହିଲେ, ଆମେ କ’ଣ ପଢ଼ିବା ? ତେଣୁ ପ୍ରଥମେ ସେମାନେ ବିଷୟସବୁ ଠିକ୍ କଲେ । ଆମେ ଅମୁକ ପଢ଼ିବା ନାହିଁ, ଆମେ ଅମକୁ ପଢ଼ିବା ନାହିଁ ଏହିସବୁ ବିଷୟରେ ପଢ଼ିବା, ଯାହା ଆଗାମୀ ସମୟକୁ ଆମେ ଯେତେବେଳେ ଏଇ ପୃଥିବୀରେ ମଣିଷ ହେବା ଏଇସବୁ ବିଷୟ ଆମର କାମରେ ଲାଗିବ । ତେଣୁ ଯେଉଁସବୁ ବିଷୟ ଆମର କାମରେ ଲାଗିବ ସେହିସବୁ ବିଷୟରେ ଆମେ ପଢ଼ିବା । ଯେଉଁସବୁ ବିଷୟରେ ଆମକୁ ଶୀତଳ କରି ରଖିବ, ମାଇଚିଆ କରି ରଖିବ ଏବଂ ଭୀରୁ କରି ରଖିବ ତାକୁ ଆମେ ଆଉ ପଢ଼ିବା ନାହିଁ-। ଆମେ ଅନ୍ଧତା ପଢ଼ିବା ନାହିଁ, ଆମେ କୌଣସି fanaticism ପଢ଼ିବା ନାହିଁ, ଆମେ କୌଣସି ଭାବବିହ୍ଵଳତା ପଢ଼ିବା ନାହିଁ । ଯାହା ନୋହୁ ଆମେ ତାକୁ ନେଇ ସ୍ଵର୍ଗର ସ୍ଵପ୍ନ, ଚିଲିକାମାଛର ସ୍ଵପ୍ନ ଦେଖିବା ନାହିଁ । ତେଣୁ ସମସ୍ତଙ୍କୁ ଦରଖାସ୍ତ କରିଦିଆଗଲା । ତା’ପରେ ପୁନଃନିଯୁକ୍ତି ଦିଆଗଲା ଅଧ୍ୟାପକମାନଙ୍କୁ । ସେମାନେ କହିଲେ ଆମେ ଦର୍ଶନ ପଢ଼ିବୁ, ଆମେ ସମାଜବିଜ୍ଞାନ ପଢ଼ିବୁ ଆମେ ସାହିତ୍ୟ ପଢ଼ିବୁ, ଆଉ ଆମେ ମନୋବିଜ୍ଞାନ ପଢ଼ିବୁ । ତା’ ସହିତ ଆମେ ପାଉଁରୁଟି ତିଆରି କରିବା ମଧ୍ୟ ଶିଖିବୁ । ତେଣୁ ସହର ଭିତରେ ଜଣେ ବେକର୍‍ ଥିଲେ ତାଙ୍କୁ ଡାକି ଆଣିଲେ । ଆପଣ ଆମର ଅଧ୍ୟାପକ ହେବେ । ଆମକୁ ଏଇ ବେକେରୀ ଶିଖାଇବେ । ପଇସା କୋଉଠୁ ଆସିବ ? ତେଣୁ ସେମାନେ ଦିନରେ ଚାକିରୀ କଲେ, କାମ କଲେ-। ଯାହା ରୋଜଗାର କଲେ ତାକୁ ଆଣିକରି night college କରି ସାର୍‌ମାନଙ୍କୁ ସେତିକି ବେତନ ଦେଲେ ଓ ପାଠ ପଢ଼ିଲେ ।

 

ପୃଥିବୀ ଅନେକ ଅନ୍ୟରକମର ହେବାକୁ ଯାଉଛି ଏବଂ ସେ ସୂଚନା ପୃଥିବୀର ଅନେକ ଜାଗାରେ ମିଳିଲାଣି । ତରୁଣମାନଙ୍କଠାରୁ ମିଳିଲାଣି ଏବଂ ସେଇଥିପାଇଁ ସାହିତ୍ୟ ଅନ୍ୟପ୍ରକାରେ ମଧ୍ୟ ହେଲାଣି । କେତେଦିନ ଆମେ ସେହି ପୁରୁଣାଗୁଡ଼ାକୁ ଧରି ପଡ଼ିଥିବା ? କେତେଦିନ ଆମେ ସୁନାଢ଼ାଙ୍କୁଣୀଗୁଡ଼ିକୁ ପ୍ରକୃତରେ ଆମ ନିଜ ପାଦରେ ଆମ ହାତରେ ଶୃଙ୍ଖଳ କରି ପିନ୍ଧି ବସିଥିବା ଏବଂ କହୁଥିବା ସବୁ ନଷ୍ଟ ହୋଇଯିବ କିନ୍ତୁ ଓଡ଼ିଶା ନିଶ୍ଚେ ରହିବ । କେତେଦିନ ସାହିତ୍ୟ ଆମକୁ ଏପରି ଛୋଟ ଛୋଟ କୂଅ ଭିତରେ ମଣ୍ଡୁକ କରି ରଖିଥିବ ? ସାହିତ୍ୟ ଆଖି ଖୋଲିଦେବା ଉଚିତ । ସାହିତ୍ୟ ଆମ ଭିତରର ଶକ୍ତି ବିଷୟରେ ଆମକୁ ପ୍ରକୃତରେ ଜାଗ୍ରତ କରିଦେବା ଉଚିତ, ସଚେତନା କରିଦେବା ଉଚିତ । ଯେଉଁ ଆଗାମୀ ଯୁଗ ଆସୁଛି, ତାହା ସେହି ସଚେତନା ହେବାର ଯୁଗ । ବିଜ୍ଞାନ ବି ସେଇ ଭିତରକୁ ଆସିଲାଣି । କେତେ ପ୍ରକାରର ବିଜ୍ଞାନ । ବୌଜ୍ଞାନିକମାନେ ବି ଅନେକ ସମୟରେ ଅନଶନ କଲେଣି । ଯେତେବେଳେ ତାଙ୍କର ସରକାର ତାଙ୍କ କଥା ମାନିବାକୁ ବି ରାଜୀ ନୁହେଁ । ଆମେ କେତେଦିନ ପର୍ଯ୍ୟନ୍ତ ପଛମୁହାଁ ହେଇ ପଡ଼ିଥିବା ? Backward looking nation—କେତେଦିନ ପର୍ଯ୍ୟନ୍ତ ଆମ ନେତାମାନେ ଆମକୁ ପ୍ରକୃତରେ ଆମ ଗୋଡ଼କୁ କିଳି ରଖଥିବେ ? ଯେଉଁ ଓଡ଼ିଆଙ୍କ କଥା ମୁଁ କହୁଥିଲି, ସେ ଓଡ଼ିଆଙ୍କୁ ଆପଣ କଳ୍ପନା କରିପାରିନଥିବେ-। ସେ ହେଉଛନ୍ତି ଗୋପବନ୍ଧୁ ଦାସ । ଗୋପବନ୍ଧୁ ଦାସ ପ୍ରାୟ ୧୯୦୩ ମସିହାରେ ଉତ୍କଳ ସମ୍ମିଳନୀରେ ସେକଥା କହିଥିଲେ । ଅଭିଭାବକମାନେ କେତେଦିନ ପର୍ଯ୍ୟନ୍ତ ଆମ ଗୋଡ଼କୁ ବାନ୍ଧି ରଖିଥିବେ । ପୃଥିବୀ ବଦଳିଯାଇଛି । ଆମେ ଭାବୁଛୁ ତା’ ସହିତ ଆମେ ବି ବଦଳୁଛୁ । ତାଙ୍କରି ଭାଷାଗୁଡ଼ାକ ଯେତେଦୂର ପର୍ଯ୍ୟନ୍ତ ମୋ’ର ମନେପଡ଼ୁଛି କହୁଛି । ଅଭିଭାବକମାନେ କହୁଛନ୍ତି, ନା ନା ସମୟ ଆସି ନାହିଁ ଥୟ ଧର । କିନ୍ତୁ ସମୟ ଯେତେବେଳେ ଆସୁଛି ସେତେବେଳେ ଆମେ ଦେଖୁଛୁ ଯେ ପୃଥିବୀ ଆହୁରି ଆଗକୁ ଚାଲିଯାଇଛି । ତେଣୁ ଏ ଅକର୍ମଣ୍ୟ ଅଭିଭାବକମାନେ କେତେଦିନ ଆମର ଗୋଡ଼କୁ ବାନ୍ଧି ରଖିଥିବେ ? ଗୋପବନ୍ଧୁ ଦାସଙ୍କର ଭାଷା ପ୍ରାୟ ଷାଠିଏ ସତୁରୀ ବର୍ଷ ତଳେ ଏଇଆ ଥିଲା । ଆମେ ବି ନିଜକୁ ପଚାରିବା, କେତେଦିନ ପର୍ଯ୍ୟନ୍ତ ଆମେ ମଣିଷ ପ୍ରତି ଅନ୍ଧ ହୋଇ ମଣିଷ ପ୍ରତି ନିର୍ମମ ହୋଇ ଏଠି ସାହିତ୍ୟ କରିବା, ସଂସ୍କୃତି କରିବା, ନିଜ ଚାକିରୀଟା ପାଇଗଲାପରେ ଦେଶର ସମସ୍ତ ସମସ୍ୟାର ସମାଧାନ ହୋଇଗଲା ବୋଲି ହେଣ୍ଡି ମାରିବା ? ତା’ପରେ କେବଳ କିପରି ନିଜର ଦରମା ବଢ଼ିବ ସେଥିଲାଗି ସଂଗ୍ରାମ କରିବା, ବିପ୍ଲବ କରିବା ଆପଣମାନେ ବିଚାର କରିବେ । ଏ ଚାରିପାଖ ଯାକ ଯେଉଁମାନେ ଘେରି ରହିଛନ୍ତି, ଯେଉଁ ବସ୍ତିରେ ମଣିଷଗୁଡ଼ାକ ଅଛନ୍ତି ସେମାନେ କେତେଦିନ ପର୍ଯ୍ୟନ୍ତ ଏଠି ପଥର ଭଳିଆ ଦୁଶୁଥିବେ ଏବଂ, ତାଙ୍କରି ମାଟିରେ ଆମେ ଏଠି ବସିକରି ଆମେ ଏମିତି ପାଠ ପଢ଼ୁଥିବା, ଯେଉଁପାଠ କି ଆମକୁ ତାଙ୍କଠାରୁ ଭୁଲାଇ କରି ଆଉ କୁଆଡ଼େ ନେଇଯାଉଥିବ । ଆମ ଆଖିଗୁଡ଼ାକୁ ଭୁବନେଶ୍ଵରିଆ କରିଦେବ ଏବଂ ଆମ ମିଜାଜ୍‌ଗୁଡ଼ାକୁ ପୂରାପୂରି ସାହେବପରି କରିଦେବ ଦିଲ୍ଲୀ ଆଡ଼କୁ ଧାବମାନ କରିଦେବ । ସାହିତ୍ୟ ଯଦି ପ୍ରକୃତ ସାହିତ୍ୟ ହେବାକୁ ଚାହେଁ ମୁଁ ଭାବୁଛି ସାହିତ୍ୟ ଏକ ବିଷୟ ହୋଇ ନରହି ଜୀବନର ଅଧୀନତା ସ୍ଵୀକାର କରୁ । ଜୀବନ ଯେ ଏକ ଅନେକ ବଡ଼ ଜିନିଷ, ମଣିଷ ଯେ ପୃଥିବୀକୁ ଗୋଟାଏ ଜୀବନ ବଞ୍ଚିବା ପାଇଁ ଆସିଛି ଏବଂ ପ୍ରତ୍ୟେକ ମଣିଷର ସେହି ଜୀବନକୁ ବଞ୍ଚିବାର ଅଧିକାର ଅଛି, ସେକଥା ଆମ ପାଠ ଆମ ସାହିତ୍ୟ ଆମକୁ ଶିଖାଇ ଦେଉ । ତା’ହେଲେ ଜନ୍ମଜନ୍ମ ଧରି ଆମର ଏ ସାହିତ୍ୟ ରହିବ, ଆମର ବନ୍ଧୁ ହୋଇ ରହିବ ।

 

୦୧ । ୦୨ । ୧୯୮୦

 

କୌଣସି ଏକ କାର୍ଯ୍ୟକ୍ରମରେ କରଞ୍ଜିଆ କଲେଜରେ ପ୍ରଦତ୍ତ ଗୋଟିଏ ଭାଷଣ । ମୋର ଅଜାଣତରେ କେହି ଟେପ୍ କରି ନେଇଥିଲେ । ଏବେ ଭାଷା କରି ମୋ ଗୋଚରକୁ ଆଣିଲେ । ତାଙ୍କୁ କୃତଜ୍ଞତା ଜଣାଉଛି । ହୁଏତ ଛଡ଼ାଛଡ଼ା ଖୁବ୍ ଲାଗିବ । ତେଣୁ ପାଠକମାନେ ମଧ୍ୟ ମୋତେ କ୍ଷମା କରିବେ ।

Image